ଚିନ୍ତା ଓ ଚେତନା-୮- -ବ୍ୟବହାର ବିଜ୍ଞାନ(ଭାଗ(୪ )ସମ୍ମାନ: ଅବସାଦ ଓ ଯନ୍ତ୍ରଣାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ
🌹🌹🌹🌹🌹🌹🌹🌹🌹
 *ଚିନ୍ତା ଓ ଚେତନା-୮* 
💐💐💐💐💐💐💐💐💐
*ବ୍ୟବହାର ବିଜ୍ଞାନ(ଭାଗ- ୪)* 
🌹🌹🌹🌹🌹🌹🌹🌹🌹🌹
 *ଜୀବନର ସମ୍ମାନ: ଅବସାଦ ଓ ଯନ୍ତ୍ରଣାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ* 
🌷🌷🌷🌷🌷🌷🌷🌷🌷
(ପୂର୍ବ ପ୍ରକାଶିତ ଉତ୍ତାରୁ)
 *ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା* 
🌺🌺🌺🌺🌺🌺🌺🌺🌺
ମୂଳ ରଚନା:-
 *ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ* 
🌸🌸🌸🌸🌸🌸🌸🌸🌸
ସମ୍ପାଦନା ଓ ଉପସ୍ଥାପନା -
 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 
🌻🌻🌻🌻🌻🌻🌻🌻🌻
(ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। )
🌹🌹🌹🌹🌹🌹🌹🌹🌹
 *ଆନ୍ତରିକ ବିରୋଧାଭାସ:* 
	ସାଧାରଣତଃ ଜୀବନର ନିୟମିତ ଗତିରେ କୌଣସି ଅବରୋଧ ଉତ୍ପନ୍ନ ହେଲେ ବ୍ୟକ୍ତିଗତ ରୂପରେ ଏହାର ବିରୋଧ କରାଯାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆରୋପିତ ବିଷୟ-ବସ୍ତୁ ଅଥବା ଘଟଣାକ୍ରମ ନିଜର ସଂପୃକ୍ତି ସହିତ ତତ୍ ସମ୍ବନ୍ଧିତ କୌଣସି ପ୍ରକାର ସ୍ଥିତିକୁ ବ୍ୟକ୍ତିଦ୍ୱାରା ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରାଯାଇଥାଏ । ଜୀବନର ଗତିଶୀଳତାକୁ ସ୍ବୀକାର କରିବା ସ୍ବଭାବଗତ ପ୍ରକ୍ରିୟା ଅଟେ । ପରନ୍ତୁ କର୍ମଗତ ମର୍ଯ୍ୟାଦାର ଉଲ୍ଲଘଂନ ବ୍ୟକ୍ତିଗତ ଛବିକୁ ଧୂମିଳ କରିଦିଏ । ଯଦି ଜୀବନର ସମ୍ମାନ ବଜାୟ ରଖିବାର ଅଭିଳାଷ ଅନ୍ତଃକରଣରେ ବିଦ୍ୟମାନ ତେବେ ନିଶ୍ଚିତ ରୂପରେ ଜୀବନର ସିଦ୍ଧାନ୍ତ ଏବଂ ବ୍ୟବହାର ମଧ୍ୟରେ କୌଣସି ବ୍ୟବଧାନ ପାଇଁ ଆଦୌ ସ୍ଥାନ ବାକି ରହେନାହିଁ ।
	ସ୍ବୀୟ ଜୀବନର ନିର୍ମଳତା ପାଇଁ ମନ, ବଚନ ଏବଂ କର୍ମରେ ପବିତ୍ରତାର ସମାବେଶ ବ୍ୟବହାରିକ ଆଚରଣର ନିହକୁ ମଜବୁତ କରିବାରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ । ସାମାଜିକ ବ୍ୟବହାର ସମ୍ବନ୍ଧରେ ଯଥାର୍ଥବାଦୀ ସତ୍ୟର ଅନୁପାଳନ ତଥା ତା’ର କ୍ରିୟମାଣର ଉତ୍ତରଦାୟିତ୍ୱ ବ୍ୟକ୍ତି ପାଇଁ ଯେତିକି ଅନିବାର୍ଯ୍ୟ ଅଟେ ସେହି ଅନୁପାତରେ ଅନ୍ୟମାନଙ୍କ ବିଶୁଦ୍ଧତାକୁ ସଂରକ୍ଷିତ କରିବାରେ ସ୍ବୟଂର ନୈତିକ ଉତ୍ତର ଦାୟିତ୍ୱ ସାବ୍ୟସ୍ତ କରିବାର ସେତିକି ଆବଶ୍ୟକ ଅଟେ ।
	ଜୀବନ ପ୍ରତି ସମ୍ମାନ ଭାବର ବ୍ୟାବହାରିକ ସ୍ବରୂପ ନିଜର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ସର୍ବଦା ପ୍ରୟାସରତ ରହେ । କିନ୍ତୁ ମାନସିକ ଅବସାଦ ଏବଂ ଅନ୍ତଃକରଣ ବେଦନାର ଚାପ ଏହି ଉଜ୍ଜ୍ୱଳ ସ୍ଥିତିକୁ ଅସ୍ତବ୍ୟସ୍ତ କରିଦିଏ । ବ୍ୟକ୍ତିଗତ ଜୀବନ ଅନ୍ତର୍ଗତ ବିରୋଧାଭାସରୁ ମୁକ୍ତ ରହି ପାରିବା ପ୍ରାୟ ସମ୍ଭବ ହୁଏ ନାହିଁ । କେବଳ ଏହି ସ୍ଥିତିର ନିର୍ମାଣକୁ ସକାରାତ୍ମକ ପ୍ରୟାସ ମାଧ୍ୟମରେ ନ୍ୟୁନତମ କରାଯାଇ ପାରିବ ।
	ଅନେକ ସମୟରେ ବ୍ୟକ୍ତିଗତ ଜୀବନ ସନ୍ଦର୍ଭରେ ଏପରି ନିର୍ଣ୍ଣୟ ନିଆଯାଏ ଯାହାର ଆମ ସାମଗ୍ରିକ ବିକାଶ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ନଥାଏ । ଏକ ନିଶ୍ଚିତ ସମୟ ବ୍ୟତୀତ ହେବା ପରେ ତା’ର ଉପଯୋଗିତା ଉପରେ ଏକ ପ୍ରଶ୍ନ ଚିହ୍ନ ଲଗାଇ ଦିଆଯାଏ । ସାମାନ୍ୟ ଦୃଷ୍ଟିକୋଣରୁ ବିଚାର କଲେ ଏହି ତଥ୍ୟ ଜଣାପଡ଼େ ଯେ ଯେଉଁ ପରିସ୍ଥିତି କାରଣରୁ ନିର୍ଣ୍ଣୟ ନିଆଯାଇଥିଲା ତାହା ଉଚିତ୍ ଥିଲା; କିନ୍ତୁ ଆଜିର ପରିପ୍ରେକ୍ଷୀରେ ଏହି ନିର୍ଣ୍ଣୟ ଆମ ପାଇଁ ଏକ ସମସ୍ୟା ହୋଇ ରହିଯାଇଛି ।
	ଜୀବନର ସମ୍ମାନକୁ ବଜାୟ ରଖିବା ପାଇଁ ବର୍ତ୍ତମାନ ସମୟରେ ନିଆଯାଇଥିବା ପଦକ୍ଷେପ ପ୍ରତି ପୂର୍ଣ୍ଣ ସତର୍କତା ପାଳନ କରିବାକୁ ପ୍ରୟାସ କରିବା ଉଚିତ୍ । ଅନ୍ୟଥା ଜୀବନରେ ଆନ୍ତରିକ ବିରୋଧାଭାସ ଉତ୍ପନ୍ନ ହେବାଦ୍ୱାରା ଯଥୋଚିତ ଏବଂ ଉପଯୁକ୍ତ ନିର୍ଣ୍ଣୟରେ ଉପନୀତ ହେବା ଅତ୍ୟନ୍ତ କଠିଣ ହୋଇଥାଏ । ବ୍ୟକ୍ତିଗତ ଜୀବନର ବିରୋଧାଭାସୀ ସ୍ଥିତିଗୁଡ଼ିକର ଆକଳନ କରିବା ସମୟରେ ବ୍ୟକ୍ତି ତଥା ଘଟଣାବଳୀର ସନ୍ଦର୍ଭକୁ ଏକତ୍ରିତ କରାଗଲେ କୌଣସି ନିଶ୍ଚିତ ନିର୍ଣ୍ଣୟ ପର୍ଯ୍ୟନ୍ତ ପହଞ୍ଚିବାରେ ଏହାର ମୁଖ୍ୟ ଯୋଗଦାନ ରହେ ତଥା ବିଚାରଗତ ଭାବର ସବଳ ପକ୍ଷ ଜୀବନର ସମ୍ମାନ ବଜାୟ ରଖିବାରେ ସଫଳ ହୋଇଥାଏ । ଏଣୁ ଆନ୍ତରିକ ବିରୋଧାଭାସରୁ ମୁକ୍ତ ହୋଇ ଜୀବନ ପ୍ରତି ସମ୍ମାନ ସ୍ଥିତି ନିର୍ମିତ କରିବା ପାଇଁ ନିମ୍ନଲିଖିତ ବିଷୟ ଉପରେ ଧ୍ୟାନ ଦେବା ଉଚିତ୍:-
(କ)	ଜୀବନରେ ବିରୋଧାଭାସୀ ସ୍ଥିତି ଉତ୍ପନ୍ନ ହେଲେ ଧୈର୍ଯ୍ୟ ସହିତ କୌଣସି ନା କୌଣସି ନିର୍ଣ୍ଣୟ ନେବା ଉଚିତ୍ ।
(ଖ)	ବ୍ୟକ୍ତିଗତ ଛବି ଅକ୍ଷୁଣ୍ଣ ରଖିବା ପାଇଁ କର୍ମଗତ ବ୍ୟବହାରର ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
(ଗ)	ଜୀବନରେ ସିଦ୍ଧାନ୍ତ ଓ ବ୍ୟବହାର କ୍ଷେତ୍ରରେ ପାରଦର୍ଶିତା ସହ ଆଚରଣ କରିବା ଉଚିତ୍ ।
(ଘ)	ବିରୋଧାଭାସରୁ ମୁକ୍ତ ହେବାପାଇଁ ମନ, ବଚନ ଏବଂ କର୍ମର ପବିତ୍ରତା ରକ୍ଷା କରିବା ଉଚିତ୍ ।
(ଙ)	ସ୍ବୟଂର ଶୁଦ୍ଧତା ଓ ଅନ୍ୟମାନଙ୍କ ନିର୍ମଳତା ପାଇଁ ସହଯୋଗ ଦେବାର ପ୍ରୟାସ କରିବା ଉଚିତ୍ ।
(ଛ)	ସକାରାତ୍ମକ ପ୍ରୟାସ ଦ୍ୱାରା ବିରୋଧାଭାସ ସ୍ଥିତିକୁ ନ୍ୟୁନତମ କରିବାର ପ୍ରଚେଷ୍ଟା କରିବା ଉଚିତ୍ ।
(ଜ)	ବିରୋଧାଭାସରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଉପଯୁକ୍ତ ନିର୍ଣ୍ଣୟ ପ୍ରକ୍ରିୟାକୁ ଆପଣେଇବା ଉଚିତ୍ ।
 *ବ୍ୟବହାରିକ ଉତ୍ତର ଦାୟିତ୍ୱ:* 
	ମାନବୀୟ ପକ୍ଷକୁ କେନ୍ଦ୍ରରେ ରଖି ଯଦି ବ୍ୟକ୍ତିକୁ ନୈତିକ ଦାୟିତ୍ୱର ଅନୁଭବ କରାଇ ଦିଆଯାଏ ତେବେ ନିଶ୍ଚିତ ଭାବରେ ଚିନ୍ତନରୁ କ୍ରିୟମାଣ ଅଭିମୁଖେ ଅଗ୍ରସର ହେବାର ଅବସର ପ୍ରାପ୍ତ ହୋଇଯିବ । ସ୍ବୟଂଦ୍ୱାରା ସ୍ବୟଂପ୍ରତି ସକାରାତ୍ମକ ଦୃଷ୍ଟିକୋଣ ବିଚ୍ଛୁରୀତ କରିବା ଏବଂ ଏହି ସ୍ଥିତିକୁ ଜୀବନର ପବିତ୍ରତା ସହିତ ଯୋଡ଼ିବାର ଗୁଣାତ୍ମକ ପ୍ରୟାସ କରାଯିବା ସମ୍ମାନ ଜନକ ଜୀବନର ଆଧାର ଅଟେ । ଜୀବନରେ ପରିସ୍ଥିତି ଜନିତ ବିରୋଧାଭାସ ହୁଏତ କିଛି ସମୟ ପାଇଁ ମାନସିକ ଅବସାଦର ସ୍ଥିତି ଉତ୍ପନ୍ନ କରିବାରେ ସଫଳ ହୋଇପାରେ କିନ୍ତୁ ଜୀବନକୁ ସମ୍ମାନିତ କରିବାର ଉତ୍ତରଦାୟିତ୍ୱ ବ୍ୟକ୍ତିକୁ ଏହି ବ୍ୟାଧିରୁ ମୁକ୍ତ ହେବାର ଉପାୟ ଖୋଜିବାରେ ସଫଳତା ପ୍ରଦାନ କରିଥାଏ । ବ୍ୟକ୍ତିଗତ ଜୀବନର ବିବିଧ ପକ୍ଷର ମନୋବୈଜ୍ଞାନିକ ଅଧ୍ୟୟନ ଦ୍ୱାରା ଜଣାଯାଏ ଯେ ସ୍ବୟଂ ତଥା ଅନ୍ୟମାନଙ୍କ ସହିତ ଗଢ଼ିଉଠୁଥିବା ସଂପର୍କର ବାସ୍ତବ ମୁହୂର୍ତ୍ତ ସବୁ ବ୍ୟବହାର କ୍ଷେତ୍ରରେ ହର୍ଷ ଏବଂ ବିଷାଦ ରୂପରେ ପ୍ରକଟିତ ହୋଇଥାଏ । ଅନେକ ସମୟରେ ପାରସ୍ପରିକ ସମ୍ବନ୍ଧ ଜନିତ ଆନନ୍ଦଦାୟକ ପରିବେଶ ହୃଦୟକୁ ଆମୋଦିତ କରିଥାଏ । କିନ୍ତୁ ଏହି ପାରସ୍ପରିକ ବିଶ୍ୱସ୍ତତା ମଧ୍ୟରେ ବ୍ୟକ୍ତିଗତ ସ୍ବାର୍ଥପୂର୍ଣ୍ଣ ମନୋଦଶାର ନିର୍ମାଣ ଅନ୍ତଃକରଣରେ ବେଦନାର ସ୍ଥିତି ଉତ୍ପନ୍ନ କରିଥାଏ ।
	ଜୀବନର ବ୍ୟାବହାରିକ ବିଶ୍ଲେଷଣ ଏତିକି ସୂକ୍ଷ୍ମ ହୋଇଥାଏ ଯେ ସମସ୍ତ ସ୍ଥିତି ଉପରେ ଦୃଷ୍ଟି ରଖିବା ପୂର୍ବକ ନିୟନ୍ତ୍ରଣ ସ୍ଥାପିତ କରି ପାରିବା ସମ୍ଭବ ହୋଇପାରେ ନାହିଁ । ସାଧାରଣତଃ ନକାରାତ୍ମକ ପରିଣାମ ପାଇଁ କେହି ମଧ୍ୟ ନିଜକୁ ଉତ୍ତରଦାୟୀ ମାନନ୍ତି ନାହିଁ ବରଂ ଅନ୍ୟମାନଙ୍କୁ ଏହି ବିରୋଧାତ୍ମକ ପରିସ୍ଥିତି ପାଇଁ ଦାୟୀ କରନ୍ତି ଯଦିଓ ସତ୍ୟ ଅନ୍ୟ କିଛି କହୁଥାଏ ।
	ଯେତେବେଳେ ବ୍ୟକ୍ତିଗତ ମୂଲ୍ୟାଙ୍କନକୁ ପାରଦର୍ଶିତା ସହ ସ୍ବୀକାର କରିବାର ସ୍ଥିତି ଉତ୍ପନ୍ନ ହୁଏ ସେତେବେଳେ ନିଜ ଦ୍ୱାରା ଅନ୍ୟମାନଙ୍କ ମନୋଭାବକୁ ଆଘାତ ପହଞ୍ଚାଉଥିବା ମାନସିକତା ବିଷୟରେ ଜାଣିହୁଏ । ଯଦି କୌଣସି ବ୍ୟକ୍ତି ଆମର ବ୍ୟକ୍ତିଗତ ବ୍ୟବହାର ଦ୍ୱାରା ଅସନ୍ତୁଷ୍ଟ ହୋଇ ମାନସିକ ଅବସାଦ ପ୍ରାପ୍ତ ହୋଇଥାଏ ତେବେ ଆମକୁ ଏହି କଥା ଜଣାପଡ଼ିଯାଏ ଯେ ବ୍ୟାବହାରିକ ଜୀବନରେ କରାଯାଇଥିବା ଭୁଲ ଅନ୍ୟମାନଙ୍କୁ କେତେ କଷ୍ଟ ପହଞ୍ଚାଇ ପାରେ । ସ୍ବୟଂର ଅଭିବ୍ୟକ୍ତି ସମ୍ପର୍କିତ ବିଷୟ କିମ୍ବା ବ୍ୟାବହାରିକ ଜୀବନରେ କରିଥିବା କାର୍ଯ୍ୟାବଳୀ ବିଭିନ୍ନ ପ୍ରସଙ୍ଗକୁ ନିଷ୍ପକ୍ଷ ଭାବେ ମୂଲ୍ୟାଙ୍କନ କଲେ ଆମଦ୍ୱାରା ଅନ୍ତଃକରଣ ବେଦନାଗ୍ରସ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଜାଣିହେବ ।
	ଜୀବନକୁ ସମ୍ମାନ କରିବା ଅଭିଳାଷା ଦ୍ୱାରା ବ୍ୟକ୍ତିଗତ ଓ ସାର୍ବଜନିକ ଜୀବନର ଗାରିମାକୁ ପୂର୍ଣ୍ଣ ସମ୍ବେଦନା ସହିତ ସ୍ବୀକାର କରିବା ପୂର୍ବକ ନିଜର ବ୍ୟବହାର ନିର୍ଦ୍ଧାରଣ କରିବା ଉଚିତ୍ । ଏହାଦ୍ୱାରା ଜଣେ ଅନ୍ୟଜଣକର ଭାବନାକୁ ସମ୍ମାନ କରିବା ପାଇଁ ସକ୍ଷମ ହୋଇପାରିବ । ଏହିପରି ବ୍ୟକ୍ତିଗତ ଉତ୍କର୍ଷ ଅବଧାରଣା ଦ୍ୱାରା ମାନସିକ ଅବସାଦ ଏବଂ ଅନ୍ତଃକରଣର ବେଦନାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ ସ୍ବୀକାର କରିବା ଓ ଜୀବନର ସମ୍ମାନକୁ ବ୍ୟାବହାରିକ ଉତ୍ତର ଦାୟିତ୍ୱ ସହିତ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ବୋଲି ମାନିବା ଉଚିତ୍ ।
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    
🙏🙏🙏🙏🙏🙏🙏🙏🙏
 
Comments
Post a Comment