(୪)ଯୋଗ ସନ୍ଦେଶ- ଯୋଗାନୁକୂଳ ଚିବୃି

 ଯୋଗ ସନ୍ଦେଶ(୪)

ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ଯୋଗାନୁକୂଳ ଚିତ୍ତବୃତ୍ତି

ମନୁଷ୍ୟର ସ୍ମୃତି ସହିତ ତା’ର ମାନସିକ ସ୍ଥିତି, ବୃତ୍ତି, ଦୃଷ୍ଟି ଓ କୃତିର ଗଭୀର ସମ୍ବନ୍ଧ ରହିଛି । ଜନ୍ମ ଜନ୍ମାନ୍ତରର ଦୈହିକ ସ୍ମୃତି ହେତୁ ତା’ ମଧ୍ୟରେ ମୋହ-ମମତା, କାମ କ୍ରୋଧାଦି ମନୋବିକାର ଉତ୍ପନ୍ନ ହୋଇଛି । ଯଦି ମନୁଷ୍ୟ ତା’ର କୌଣସି ଶତ୍ରୁର ସ୍ମରଣ କରେ ତେବେ ତା’ର ସ୍ଥିତି ଘୃଣା, ଭୟ ଓ ଉତ୍ତେଜନା ଯୁକ୍ତ ହୁଏ । ଅନ୍ୟ ପକ୍ଷରେ ସେ ଯେତେବେଳେ ଦୀର୍ଘ ସମୟାବଧି ପଶ୍ଚାତ ସାକ୍ଷାତ ହୋଇଥିବା କୌଣସି ବ୍ୟକ୍ତି ସହିତ ତା’ର ମିତ୍ରତା କଥା ସ୍ମରଣ କରେ ତେବେ ତା’ ବୃତ୍ତିରେ ମିତ୍ର ଭାବ, ସ୍ନେହ, ସୌହାର୍ଦ୍ଦ ଆଦି ଜାଗ୍ରତ ହୁଏ । ଏହି ବୃତ୍ତି ଆଧାରରେ ତା’ର ଦୃଷ୍ଟି ଓ କୃତି ମଧ୍ୟ ମିତ୍ରବତ୍ ହୋଇଥାଏ । ଏହା ସାଧାରଣ ଭୋଗୀ ମନୁଷ୍ୟର ଚିତ୍ତବୃତ୍ତି ଯାହାକି ଯୋଗ ପାଇଁ ଆଦୌ ଅନୁକୂଳ ନୁହେଁ । ନିମ୍ନରେ ଯୋଗାନୁକୂଳ ଚିତ୍ତବୃତ୍ତିର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଛି ।

ଯୋଗର ଉଦ୍ଦେଶ୍ୟ ହେଉଛି ପରମ ପିତା ପରମାତ୍ମାଙ୍କ ସହିତ ମନୋମିଳନ । ତେଣୁ ତାଙ୍କୁ ନିରନ୍ତର ସ୍ମରଣ କରିବା ଉଚିତ । ଆତ୍ମା ପରି ପରମାତ୍ମା ମଧ୍ୟ ଏକ ଅଭୌତିକ ଚୈତନ୍ୟ ସତ୍ତା । ତାଙ୍କ ପାଇଁ ଯୋଗ ଯୁକ୍ତ ହେବା ପାଇଁ ଦେହାଭିମାନ ତ୍ୟାଗ କରିବା ଏକାନ୍ତ ଆବଶ୍ୟକ ଓ ନିଜର ନକାରାତ୍ମକ ଚିତ୍ତବୃତ୍ତି ସମୁହର ନିରୋଧ କରି ଯୋଗାନୁକୂଳ ଚିତ୍ତବୃତ୍ତିର ବିକାଶ କରିବା ଉଚିତ । ଯଥା:-

୧. ସ୍ଥିରତା: ପରମାତ୍ମା ମିଳନ ପାଇଁ ମାଧ୍ୟମ ହେଉଛି ମନୁଷ୍ୟର ମନ ଓ ବୁଦ୍ଧି । ତେଣୁ ମନ ଓ ବୁଦ୍ଧି ସ୍ଥିର ହେଲେ ପରମାତ୍ମା ସ୍ମୃତିରେ ତଲ୍ଲୀନତା ଆସେ । ସ୍ଥିତ ପ୍ରଜ୍ଞ ବ୍ୟକ୍ତି ପରମାତ୍ମାଙ୍କ ପ୍ରିୟ ଅଟେ ।

୨. ସମଚିତ୍ତ: ନିରାଶ, ହତାଶ, ଦୀନ-ହୀନ ମନୋଦଶା ଯୋଗ ପାଇଁ ବାଧକ । ତେଣୁ ସଫଳତା ଓ ଅସଫଳତା, ଦୁଃଖ-ସୁଖ, ଆଦି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ଚିତ୍ତର ଭାବ ସମାନ ରଖିବାର ଅଭ୍ୟାସ କରିବାକୁ ହେବ ।

୩. ନିଶ୍ଚିନ୍ତିତା: ପରମାତ୍ମାଙ୍କଠାରେ ତନୁ, ମନ ଓ ଧନ ସମର୍ପଣ କରି ତାଙ୍କ ଆଶ୍ରିତ ହୋଇ ଜୀବନ ଯାପନ କଲେ ମନ ଚିନ୍ତା ମୁକ୍ତ ହୋଇ ସଦା ପ୍ରଭୁ ଚିନ୍ତନରେ ତତ୍ପର ହୁଏ ଓ ସେପରି ବ୍ୟକ୍ତି (ଯୋଗୀ) ନିଜକୁ ଈଶ୍ୱରଙ୍କ ନିମିତ୍ତ ମାତ୍ର ମନେକରେ ।

୪. ବିଶ୍ରାନ୍ତି: ଆଶା, ତୃଷ୍ଣା, ମୋହ-ମମତା, ଫଳାସକ୍ତି ଆଦି ମନକୁ ଅଶାନ୍ତ ଓ ଉତ୍ତେଜିତ କରେ । ତେଣୁ ନିଜକୁ ପରମାତ୍ମାଙ୍କ ସେବକ ମନେ କଲେ ମନ ଶାନ୍ତ ହୋଇ ଅନାସକ୍ତ ଭାବରେ କର୍ତ୍ତବ୍ଯ କର୍ମରେ ପ୍ରବୃତ୍ତ ହୁଏ ।

୫. ଏତଦ୍ ବ୍ୟତୀତ ସନ୍ତୁଷ୍ଟତା, ସତ୍ୟନିଷ୍ଠତା, ଉତ୍ସାହ, ବିଶ୍ୱାସ, ଧୈର୍ଯ୍ୟ, ସହିଷ୍ଣୁତା, ବିନୟ, ନମ୍ରତା ଆଦି ଗୁଣ ଧାରଣ କରିବା ଉଚିତ ।

ଉପରୋକ୍ତ ବିଷୟ ନିଷ୍ଠା ପୂର୍ବକ ଅଭ୍ୟାସ ଦ୍ୱାରା ବ୍ୟକ୍ତିର ମନ ଓ ବୁଦ୍ଧି ଅଲୌକିକ, ଦିବ୍ୟ ଓ ସାତ୍ତ୍ଵିକ ହୋଇଯାଏ । ଏହାହିଁ ତ ଯୋଗୀର ମନୋବୃତ୍ତି।

ଯୋଗାଭ୍ୟାସ ପାଇଁ ବିଧି-ବିଧାନ

ଯୋଗାଭ୍ୟାସ କଥା ଉଠିଲେ ଲୋକଙ୍କ ମନରେ ପ୍ରାଚୀନ ମୁନିଋଷିଙ୍କ ଚିତ୍ର ଭାସି ଉଠେ । ସେମାନେ ମନେ କରନ୍ତି ଏଥିପାଇଁ ସନ୍ନ୍ୟାସ ଦୀକ୍ଷା ନେବାକୁ ପଡ଼ିବ ଓ ଜଙ୍ଗଲ ବା କୌଣସି ନିଛାଟିଆ ସ୍ଥାନରେ କୁଟୀର ନିର୍ମାଣ ପୂର୍ବକ କଠୋର ତପ ସାଧନ କରିବାକୁ ପଡ଼ିବ । ସାଧାରଣତଃ ଯୋଗ କହିଲେ ଲୋକେ ପାତଞ୍ଜଳିଙ୍କ ହଠଯୋଗ କଥା ବୁଝନ୍ତି ଯେଉଁଥିରେ ଆସନ, ପ୍ରାଣାୟାମ ଆଦି ଆଠଟି  ଅଙ୍ଗ ବିଷୟ କୁହାଯାଇଛି । ଏହା କର୍ମ ସନ୍ନ୍ୟାସୀମାନଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଭଗବାନ ଗୀତାରେ କର୍ମ ତ୍ୟାଗ ଅପେକ୍ଷା କର୍ମଫଳ ତ୍ୟାଗ ଉପରେ ପ୍ରାଧାନ୍ୟ ଦେଇ ସାଧାରଣ ଗୃହସ୍ଥମାନଙ୍କ ପାଇଁ ଏକ ସହଜ ଓ ସରଳ ଯୋଗର ବ୍ୟାଖ୍ୟା କରିଛନ୍ତି ଯାହା ରାଜଯୋଗ ନାମରେ ପ୍ରଖ୍ୟାତ । ଏଠାରେ ସେହି ରାଜଯୋଗ ଅଭ୍ୟାସର ସହଜ ମାର୍ଗ ଉପରେ ଆଲୋଚନା କରାଯାଇଛି ।

ଆମର ଏହି ଶରୀର ହେଉଛି ଆତ୍ମାର ଏକ କୁଟୀର ସଦୃଶ । ଏଠାରେ ଆତ୍ମା ଭୃକୁଟୀ ରୂପକ ଗୁହାରେ ବାସ କରେ । ଯୋଗ ପାଇଁ ନିର୍ଜନ ସ୍ଥାନର ଆବଶ୍ୟକତା ନାହିଁ । ଦେଖାଯାଇଛି ଯେ ନିର୍ଜନ ସ୍ଥାନରେ ମଧ୍ୟ ମନ ଏକାଗ୍ର ହୁଏ ନାହିଁ । ତେଣୁ ମନକୁ ନିର୍ଜନ କରିବା ଆବଶ୍ୟକ । ଅର୍ଥାତ୍ ନିଜ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଓ ଘଟଣାରୁ ମନକୁ ଓହରାଇ ଆଣି ଏକମାତ୍ର ପରମାତ୍ମାଙ୍କ ସହିତ ସ୍ମୃତି ସ୍ଥାପନ କରିବା ବିଧେୟ । ନିରନ୍ତର ଏହି ସଂକଳ୍ପ ମନନ କରିବା ଉଚିତ ଯେ ଏହି ଶରୀର ଏକ କୁଟୀର, ମୁଁ ଏହି କୁଟୀର ନିବାସୀ ଏକ ଚୈତନ୍ୟ ଆତ୍ମା ଅଟେ ।

‘ଜ୍ଞାନ ଦୃଷ୍ଟିରୁ ବିଚାର କଲେ ଏହି ସଂସାର ଏକ ଯାତ୍ରୀ ନିବାସ । ମନୁଷ୍ୟ ଏହାକୁ ନିଜର ଦେଶ ଓ ରହୁଥିବା ଆଶ୍ରୟସ୍ଥଳୀକୁ ନିଜର ଘର ମାନି ନେଇଥାଏ । ତେଣୁ ମନରେ ଯେତେବେଳେ ବୈରାଗ୍ୟ ଭାବନା ଆସେ ସେତେବେଳେ ସେ ଘର ସଂସାର ତ୍ୟାଗ କରି ଅରଣ୍ୟରେ ଏକ କୁଟୀରରେ ଈଶ୍ୱର ଆରାଧନା କଥା ଚିନ୍ତା କରେ । କିନ୍ତୁ ଦେଖାଯାଇଛି ସଂସାର ତ୍ୟାଗ କରି ଅରଣ୍ୟରେ ବାସ କରୁଥିବା ସନ୍ନ୍ୟାସୀ ମଧ୍ୟ ଏକ ନୂଆ ସଂସାର ହିଁ ବସାଇଥାଏ । ତେଣୁ ସଂସାରରେ ଥାଇ ମନରୁ ସଂସାର ତ୍ୟାଗ କରିବା ପାଇଁ ଭଗବାନ ଗୀତାରେ ଆଦେଶ ଦେଇଛନ୍ତି । ଆତ୍ମା, ପରମାତ୍ମାଙ୍କଠାରୁ ଏ ସୃଷ୍ଟିକୁ ଆସି ତା’ର କର୍ମଫଳ ଭୋଗ କରେ ଓ ଶେଷରେ ତାଙ୍କ ପାଖକୁ ଫେରିଯାଏ । ତେଣୁ ମନୁଷ୍ୟ ଜୀବନ ଏକ ଯାତ୍ରା । ଏ ସଂସାର ତା’ ନିଜ ଘର ନୁହେଁ, ଅତିଥିଶାଳା ମାତ୍ର । ବିଭିନ୍ନ ଜନ୍ମରେ ପ୍ରାପ୍ତ ଶରୀର ଯାତ୍ରାପଥରେ ପଡ଼ୁଥିବା ଏକ ଶିବିର । ସେ ସ୍ବୟଂ ଏକ ପ୍ରକାଶମାନ ଅଭୌତିକ ଚୈତନ୍ୟ ଜ୍ୟୋତି କଣିକା । ତା’ର ଅଲୌକିକ ପିତା ପରମାତ୍ମାଙ୍କ ନିକଟକୁ ଫେରିଯିବା ପାଇଁ ଯାତ୍ରା କରୁଛି । -ଏହି ଚିନ୍ତନ ତା’ର ଉନ୍ନତି କରିବ ।

ମନ ରୂପକ ତାରକୁ ପରମାତ୍ମାଙ୍କ ସହ ଯୋଡିବା ପାଇଁ ଦେହ ଅଭିମାନ ରୂପକ ପ୍ଲାଷ୍ଟିକ ଆବରଣକୁ କାଢ଼ିବାକୁ ପଡ଼ିବ । ଅନ୍ୟଥା ସେହି ପରମ ଶକ୍ତିର ଭଣ୍ଡାର ସହିତ ମନର ସଂଯୋଗ ସମ୍ଭବ ନୁହେଁ । ପରମାତ୍ମା ମଧ୍ୟ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଓ ଅଶରୀରୀ ହୋଇଥିବାରୁ ତାଙ୍କ ସହିତ ଦୈହିକ ମିଳନ ନୁହେଁ, କେବଳ ମନୋମିଳନ ହୋଇପାରେ । ଏହା ହେଉଛି ଯୋଗର ବିଧି ଓ ବିଧାନ ।
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର