(୫)ଯୋଗ ସନ୍ଦେଶ --ଯୋଗୀର ଅବସ୍ଥା

 ଯୋଗ ସନ୍ଦେଶ(୫)

ଯୋଗୀର ଅବସ୍ଥା     

 ପରମାତ୍ମା ଅଶୀରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ମନୋମିଳନ ହୋଇପାରେ । ଏଥିପାଇଁ ଗୀତାରେ ଭଗବାନ କହିଛନ୍ତି- ମନ୍ମନା ଭବ । ଅର୍ଥାତ ମୋଠାରେ ମନ ଲଗାଅ । ପରମାତ୍ମାଙ୍କ ସହିତ ମନ ଲଗାଇବାର ନାମ ଯୋଗ । ତେଣୁ ଏହି ଯୋଗ ସମସ୍ତ ଯୋଗଠାରୁ ଶ୍ରେଷ୍ଠ ହୋଇଥିବାରୁ ତାକୁ ରାଜଯୋଗ କୁହାଯାଇଛି । ଯୋଗାଭ୍ୟାସର ପ୍ରଥମ ଚରଣ ହେଉଛି ମନନ- ଚିନ୍ତନ । ଏହି ଚରଣରେ ଯୋଗୀ ସଂକଳ୍ପ କରେ- “ମୁଁ ଏକ ଜ୍ୟୋର୍ତିବିନ୍ଦୁ ଆତ୍ମା- ଏ ଶରୀର ହେଉଛି ବାହନ .... ମୁଁ ଏହାର ଚାଳକ ... ମୁଁ ଏକ ସୂକ୍ଷ୍ମାତିସୂକ୍ଷ୍ମ ଚୈତନ୍ୟ ସତ୍ତା ... ମୁଁ  ଅଜର, ଅମର, ଅବିନାଶୀ .... ମୁଁ ଆତ୍ମା ପରମଧାମ ନିବାସୀ, ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କ ସନ୍ତାନ ....... ଏହିପରି ଜ୍ଞାନଯୁକ୍ତ ସଂକଳ୍ପ ସମୂହ ଦ୍ୱାରା ମନ ଦେହ ତଥା ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବିଷୟ, ପରିସ୍ଥିତି, ଘଟଣା ଆଦିଠାରୁ ଓହରି ଆସି ଆତ୍ମାର ମୌଳିକ ସ୍ବରୂପରେ ସ୍ଥିତ ହୋଇଯାଏ । ଏହା ହେଉଛି ଏକାଗ୍ରତା ବା ଆତ୍ମିକ ସ୍ଥିତି । ଏହି ସ୍ଥିତିରେ ଯୋଗୀର ସମ୍ପର୍କ ପରମପିତା ପରମାତ୍ମାଙ୍କ ସହିତ ସ୍ଥାପିତ ହୋଇଯାଏ ଏବଂ ତାର ଚେତନା ସଂକଳ୍ପ ଅବସ୍ଥାରୁ ଅନୁଭବ ଅବସ୍ଥାକୁ ରୂପାନ୍ତରିତ ହୁଏ । ତାକୁ ଏକ ଅପୁର୍ବ, ଅଦ୍ଭୁତ ଅନିର୍ବଚନୀୟ ସୁଖର ଅନୁଭବ ହୋଇଥାଏ । ତାର ମନ ସେହି ଅଲୌକିକ ସୁଖର ରସାସ୍ବାଦନରେ ମଗ୍ନ ହୋଇଯାଏ । ଏହା ହେଉଛି ଯୋଗର ଦ୍ୱିତୀୟ ଚରଣ ।

ଦେହ ସହିତ ସମସ୍ତ ସମ୍ବନ୍ଧ ଛିନ୍ନ ହେଲା ପରେ ଯୋଗୀ ଯୋଗ ମାର୍ଗର ତୃତୀୟ ସୋପାନ (ଚରଣ)ରେ ଉପନୀତ ହୁଏ । ଏହି ଅବସ୍ଥାରେ ସେ ପରମାତ୍ମାଙ୍କ ସ୍ବରୂପର ରସାସ୍ବାଦନ କରେ । ସେ ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତି ଆଦି ଈଶ୍ୱରୀୟ ବିଭବ ରୂପକ ମହାସମୁଦ୍ରର ଅତଳ ଗହ୍ୱରରେ ନିମଜ୍ଜିତ ହୋଇଯାଏ । ତାର ଦୈହିକ ସ୍ମୃତି ଆଦୌ ରହେ ନାହିଁ । ସେ ନିଜକୁ ପ୍ରକାଶ ଓ ଶକ୍ତି ସମ୍ପନ୍ନ ଏକ ଜାଜ୍ୱଲ୍ୟମାନ ପିଣ୍ଡ ମନେ କରେ ଓ ଅନୁଭବ କରିବାକୁ ଲାଗେ ଯେ ତା ମଧ୍ୟରୁ ପ୍ରକାଶ, ପ୍ରେମ, ଶକ୍ତି, ଶାନ୍ତି ଆଦି କିରଣ ସମୂହ ନିର୍ଗତ ହୋଇ ଚତୁର୍ଦ୍ଦିଗରେ ପ୍ରସାରିତ ହେବାକୁ ଲାଗିଛି । ନିଜର ଚତୁର୍ଦ୍ଦିଗରେ ସେ ଏକ ଉଜ୍ଜ୍ୱଳ ପୁଞ୍ଜ (ବଳୟ) ଘେରି ରହିଥିବା ଅନୁଭବ କରେ । ସେ ଆହୁରି ମଧ୍ୟ ଅନୁଭବ କରିବାକୁ ଲାଗେ ଯେ ତା’ ମାଧ୍ୟମରେ ପରମାତ୍ମାଙ୍କଠାରୁ ପ୍ରକାଶ, ପବିତ୍ରତା, ଶକ୍ତି ଆଦି ଅବରୋହଣ ପୂର୍ବକ ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୋଇ ସମସ୍ତ ସଂସାରରେ ପ୍ରସାରିତ ହେଉଛି । ଏହି ଅନୁଭବ ପ୍ରାପ୍ତିର ସୌଭାଗ୍ୟ ପ୍ରାପ୍ତ ହୋଇ ସେ ନିଜକୁ କୃତ୍ୟ କୃତ୍ୟ ଓ ଧନ୍ୟ ମନେ କରି ପରମାତ୍ମା ପ୍ରେମରେ ପ୍ଲାବିତ ଏକ ବିଚିତ୍ର ସ୍ଥିତିରେ ଅବସ୍ଥାନ କରେ । ଏହି ସ୍ଥିତିରୁ ନିମ୍ନଗାମୀ ହେବାକୁ ତା’ର ଆଦୌ ଇଛା ହୁଏ ନାହିଁ ।

ଏହି ସ୍ଥିତିରେ ଯୋଗୀ ପ୍ରଭୁ ମିଳନର ଦିବ୍ୟ ଅନୁଭବ କରିଥାଏ । ମନରେ କୌଣସି ଅଭାବ ବୋଧ ରହେ ନାହିଁ । ଭଗବାନଙ୍କୁ ପାଇଲା ପରେ ଆଉ ବାକି କ’ଣ ଅଛି ଯେ ମନ ଚାହିଁବ? ତେଣୁ ଏହି ଅନୁଭବ ସମ୍ମୁଖରେ ସଂସାରର ସମସ୍ତ ଆକର୍ଷଣ ସମାପ୍ତ ହୋଇଯାଏ । ଏହି ସ୍ଥିତିରେ ଯୋଗୀ ଶରୀର ଓ ତତ୍ ସମ୍ବନ୍ଧିତ ପ୍ରତ୍ୟେକ ବିଷୟରୁ ଉଦ୍ଧ୍ୱର୍କୁ ଉଠି ଅଶରୀରୀ  ଅବସ୍ଥାରେ ପହଞ୍ଚିଯାଏ । ଏହା ହେଉଛି କର୍ମାତୀତ ସ୍ଥିତି, ବୀଜ ରୂପ ସ୍ଥିତି ଓ ସମାଧି ସ୍ଥିତି । ଯୋଗୀର ମନେ ହୁଏ ଯେ ସେ ଭୌତିକ ଦୁନିଆର ବହୁ ଉର୍ଦ୍ଧକୁ ଉଠିଯାଇଛି ଓ ଏକ ଅବ୍ୟକ୍ତ ପ୍ରକାଶମୟ ଦୁନିଆରେ ଚୈତନ୍ୟ ତାରକା ଭଳି ବିଚରଣ କରୁଛି । ମନରେ କୌଣସି ସଂକଳ୍ପ-  ବିକଳ୍ପ ନାହିଁ । ସେ ନିଜ ସ୍ବରୂପରେ ସ୍ଥିତ ହୋଇ ଶାନ୍ତ, ଶୁଦ୍ଧ ଶକ୍ତିମାନ ଅନୁଭବ କରେ । ଏହିପରି ରାଜଯୋଗ ଏକ ଯାତ୍ରା । ଏହି ଯାତ୍ରା ମାନସିକ । ତେଣୁ ଏଥିରେ ମନ ଶୂନ୍ୟ କରିବାର ବିଧି ନାହିଁ । କାରଣ ଏଥିରେ ମନକୁ କ୍ରମାଗତ ଭାବରେ ଜ୍ଞାନର ବିବିଧ ସଂକଳ୍ପ ମନନ କରିବାକୁ ଦିଆଯାଏ । ଏହିପରି ମନନ ଚିନ୍ତନ କରୁ କରୁଁ ଯୋଗୀର ଚେତନା ଜାଗ୍ରତ ହୁଏ ଓ ପ୍ରତ୍ୟେକ ସଂକଳ୍ପ ଅନୁଭବରେ ପରିବର୍ତ୍ତନ ହୋଇଯାଏ । (କ୍ରମଶଃ)

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର