(୬)ଯୋଗ ସନ୍ଦେଶ---- ଈଶ୍ୱରୀୟ ପ୍ରେମ
🌺🌺🌺🌺🌺🌺🌺🌺🌺
*ଯୋଗ ସନ୍ଦେଶ(୭)*
🌹🌹🌹🌹🌹🌹🌹🌹🌹
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌷🌷🌷🌷🌷🌷🌷🌷🌷
*ଈଶ୍ୱରୀୟ ପ୍ରେମ*
🌻🌻🌻🌻🌻🌻🌻🌻🌻
ପ୍ରେମ ଏକ ପବିତ୍ର ଭାବନା । ଏହା ଦୁଇଟି ମନକୁ ପରସ୍ପର ସହିତ ଯୋଡି ଦିଏ । ଏହା ଏପରି ଏକ ସୂକ୍ଷ୍ମ ରଜ୍ଜୁ ଯାହାଦ୍ୱାରା ଜଣକ ଅନ୍ୟ ଜଣକ ସହ ଯୋଡି ହୋଇଯାଏ । ପ୍ରେମହିଁ ଦୁଇଟି ସତ୍ତାକୁ ମିଳନ କରାଏ ଯହିଁରୁ ଆନନ୍ଦ ରସ ସୃଷ୍ଟି ହୋଇଥାଏ । ପିତା-ପୁତ୍ର, ଭାଇ-ଭଉଣୀ, ସଖା-ମିତ୍ର, ମାତା-ପୁତ୍ର, ଗୁରୁ-ଶିଷ୍ୟ , ଶିକ୍ଷକ ଛାତ୍ର-ଏ ସମସ୍ତ ସମ୍ବନ୍ଧ ପ୍ରେମ ବିନା ନୀରସ, । ଏହିପରି ପ୍ରେମ ବିନା ସାଧନା ମଧ୍ୟ ଶୁଷ୍କ । ଯେଉଁ ମନୁଷ୍ୟ ମନରେ ଈଶ୍ୱରଙ୍କ ପ୍ରତି ପ୍ରେମ ଭାବ ନାହିଁ ତା’ର ମନ ଚାଷ ଅନୁପୋଯୋଗୀ ପାହାଡ଼ିଆ ଜମି ତୁଲ୍ୟ । ପ୍ରେମ ରଜ୍ଜୁ ଦ୍ୱାରା ଆତ୍ମାର ସମ୍ବନ୍ଧ ପରମାତ୍ମାଙ୍କ ସହ ଯୋଡି ଥାଏ । ଈଶ୍ୱରୀୟ ପ୍ରେମ ବିନା ମନ ପରମାତ୍ମାଙ୍କ ସହିତ ତଲ୍ଲୀନ ହୋଇପାରେ ନାହିଁ । ପରମାତ୍ମାଙ୍କ ସହିତ ଆତ୍ମାର ଆଧ୍ୟାତ୍ମିକ ସମ୍ବନ୍ଧ ରହିଛି । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଆତ୍ମିକ ସନ୍ତାନ । ଈଶ୍ୱରୀୟ ପ୍ରେମୀ ପରମାତ୍ମାଙ୍କୁ ନିଜର ସର୍ବସ୍ବ ମନେ କରେ । ତେଣୁ ସାଂସାରିକ ସମ୍ବନ୍ଧ ଅପେକ୍ଷା ତା’ର ପ୍ରେମ ଭାବ ସର୍ବାଧିକ ରହିଥାଏ । ପ୍ରେମ ବିନା ପ୍ରଭୁ ମିଳନ ସମ୍ଭବ ନୁହେଁ ।
ପ୍ରେମର ଆକର୍ଷଣ ଶକ୍ତି ଅତ୍ୟନ୍ତ ପ୍ରବଳ । ଯାହା ପ୍ରତି ପ୍ରେମ ଭାବ ଉତ୍ପନ୍ନ ହୋଇଥାଏ ତା’ପ୍ରତି ମନ ସ୍ବତଃ ଆକର୍ଷିତ ହୋଇଯାଏ । ସ୍ବୀୟ ପ୍ରେମ-ପାତ୍ରକୁ ସ୍ମରଣ କରିବା ପାଇଁ ପ୍ରେମୀକୁ କୌଣସି ପ୍ରଯତ୍ନ କରିବାକୁ ପଡିନଥାଏ । ସ୍ବତଃସ୍ଫୁର୍ତ୍ତ ଭାବରେ ସେ ମନେ ପଡିଯାଆନ୍ତି । ଏହିପରି ଯଦି ଆତ୍ମାର ପ୍ରେମ ପରମାତ୍ମା ସହିତ ହୋଇଯାଏ ତେବେ ତାକୁ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ଚେଷ୍ଟାକରିବାକୁ ପଡିବ ନାହିଁ । ଈଶ୍ୱରୀୟ ସ୍କୃତି ତା’ ପାାଇଁ ଏକ ସହଜ ଓ ସ୍ବଭାବିକ ପ୍ରକ୍ରିୟା ମନେ ହେବ । ତାକୁ ପ୍ରାଣାୟାମ, ଆସନ ଆଦି ହଠକ୍ରିୟା ଦ୍ୱାରା ମନକୁ ଏକାଗ୍ର କରିବାର ଆବଶ୍ୟକତା ରହିବ ନାହିଁ । ଅନନ୍ୟ ଈଶ୍ୱରୀୟ ପ୍ରେମ ହେତୁ ତା’ର ମନ ପ୍ରଭୁଙ୍କୁ ଭୁଲି ପାରେ ନାହିଁ । କଳଙ୍କି ଲାଗିଥିବା ଲୁହା ଚୁମ୍ବକର ଆକର୍ଷଣ କ୍ଷେତ୍ର ମଧ୍ୟରେ ଥିଲେ ମଧ୍ୟ ଏହା ପ୍ରତି ଆକର୍ଷିତ ହୁଏ ନାହିଁ । ଏହିପରି ଆଜି ଆତ୍ମାର ପ୍ରେମ ମଧ୍ୟ କଳଙ୍କି ଯୁକ୍ତ ହୋଇଯାଇଛି । ଏଣୁ ପ୍ରେମ ମୋହ, କାମ କିମ୍ବା ଲୋଭ ରୂପ ଧାରଣ କରି ସାରିଛି । ଏହି କାରଣ ହେତୁ ସାଧକ ଯେତେବେଳେ ପରମାତ୍ମାଙ୍କୁ ସ୍ମରଣ କରିବା ପାଇଁ ଆସୀନ ହୁଏ ସେତେବେଳେ ତା’ର ମନ ଈଶ୍ୱରୀୟ ସ୍ମୃତିରେ ସ୍ଥିତ ହୋଇ ପାରେ ନାହିଁ । କାରଣ ମନର ସମ୍ପର୍କ ପ୍ରଭୁଙ୍କଠାରୁ ତୁଟି ସାରିଛି ଓ ଦେହଧାରୀମାନଙ୍କ ସହିତ ଯୁକ୍ତ ହୋଇସାରିଛି । ଅନ୍ୟ ଅର୍ଥରେ ଆତ୍ମା ପ୍ରକୃତିର ଆକର୍ଷଣ କ୍ଷେତ୍ରରେ ଏପରି ଜଡିତ ହୋଇଛି ଯେ ସେଥିରୁ ମୁକ୍ତ ହେବା ତା’ ପାଇଁ ସମ୍ଭବ ହୋଇ ହୋଇ ପାରୁ ନାହିଁ । ବାସ୍ତବରେ ସାଂସାରିକ ସମ୍ପର୍କି ନଶ୍ୱର, ପରିବର୍ତ୍ତନଶୀଳ ଓ ସ୍ବାର୍ଥ ଆଧାରିତ । ପରମାତ୍ମାଙ୍କ ସହିତ ହିଁ ଆତ୍ମାର ଶାଶ୍ୱତ ଓ ଚିରନ୍ତନ ସମ୍ପର୍କି ହୋଇ ପାରେ । କିନ୍ତୁ ଆଜି ସ୍ନେହ ସମ୍ପର୍କିରେ ବିଚ୍ଛେଦ ଘଟିଛି । ଏହାର ପୁନର୍ସ୍ଥାପନା ପାଇଁ ଅନନ୍ୟ ଈଶ୍ୱରୀୟ ପ୍ରେମ ଆବଶ୍ୟକ । ଏହାଦ୍ୱାରା ସାଂସାରିକ ପଦାର୍ଥ ସମୂହରୁ ଆସକ୍ତି,ସମ୍ବନ୍ଧରୁ ମୋହ ଓ ବିଷୟ ବସ୍ତୁରୁ ଲୋଭ ସମାପ୍ତ ହେବ ଓ ଆତ୍ମା ପ୍ରକୃତିର ସମସ୍ତ ଆକର୍ଷଣରୁ ମୁକ୍ତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ ।
ପରମାତ୍ମାଙ୍କ ସହିତ ଆତ୍ମାର ବାସ୍ତବିକ ସମ୍ପର୍କ ବିଷୟ ଅଜ୍ଞତା ହେତୁ ମନରେ ଈଶ୍ୱରୀୟ ପ୍ରେମ ଜାଗୃତ ହେଉ ନାହିଁ । ଯାହା ସହିତ ଆତ୍ମା ମିଳିତ ହେବାକୁ ଚାହେଁ ତାଙ୍କ ସହିତ ତା’ର ସମ୍ବନ୍ଧ କ’ଣ ନ ଜାଣିଲେ ମିଳନ ପାଇଁ ମନ କିପରି ଆତୁର ହେବ? ପାରସ୍ପରିକ ସମ୍ବନ୍ଧ ହିଁ ସଂସାରର ବ୍ୟବହାର ଏବଂ ବ୍ୟାପାରର ନିୟନ୍ତ୍ରକ ଓ ସଂଚାଳକ । ପୁତ୍ର ସହିତ ଥିବା ସମ୍ବନ୍ଧ କାରଣରୁ ହିଁ ମାତାର ବାତ୍ସଲ୍ୟ ମମତା ଉତ୍ପନ୍ନ ହୁଏ ଓ ସେ ସ୍ବଭାବିକ ଭାବରେ ତା’ର ସେବା ଓ ପାଳନ ପୋଷଣରେ ମଗ୍ନ ରହେ । ଦୁଇଜଣ ମଧ୍ୟରେ ଥିବା ବନ୍ଧୁତ୍ୱ ସମ୍ବନ୍ଧ ହେତୁ ଉଭୟେ ଉଭୟଙ୍କୁ ହୃଦୟର ଗୋପନ କଥା କହିବାକୁ ଦ୍ୱିଧା ପ୍ରକାଶ କରନ୍ତି ନାହିଁ । ପତ୍ନୀ ସହିତ ଥିବା ଆନ୍ତରିକ ସମ୍ବନ୍ଧ ହେତୁ ପତି ସ୍ନେହ ପୂର୍ବକ ତା’ର ସମସ୍ତ ଆବଶ୍ୟକତା ପୂରଣ କରିଥାଏ । ଏହି ସମ୍ବନ୍ଧ ହେତୁ ହିଁ ମନୁଷ୍ୟ ସମସ୍ତ ନକାରାତ୍ମକ ବା ପ୍ରତିକୂଳ ଅବସ୍ଥାକୁ ସହନ କରିବା ପାଇଁ ଶକ୍ତି ପାଏ ଓ ଏହାହିଁ ଜଣଙ୍କର ଅନ୍ୟ ଜଣକ ପାଇଁ ଉତ୍ସର୍ଗ ଓ ସେବା ଭାବନା ଉଦ୍ରେକ କରିଥାଏ । ଆତ୍ମା ଏକ ଆଧ୍ୟାତ୍ମିକ ସତ୍ତା ହୋଇଥିବା ହେତୁ ପରମାତ୍ମାଙ୍କ ସହିତ ଏହାର ସମ୍ବନ୍ଧ ସାମଗ୍ରିକ । ତେଣୁ ପରମାତ୍ମା ପ୍ରେମୀ ବନ୍ଦନା କରେ “ତ୍ୱମେବ ମାତାଶ୍ଚ ପିତା.... । ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧର ପୁନର୍ସ୍ଥାପନାର ନାମ ହେଉଛି ଯୋଗ । ଏହାଦ୍ୱାରା ମନରେ ଈଶ୍ୱରୀୟ ପ୍ରେମ ଜାଗ୍ରତ ହୁଏ ଓ ମନକୁ ଈଶ୍ୱରଙ୍କ ସ୍ମୃତିରେ ମଗ୍ନ କରିବାର ଏକମାତ୍ର ସାଧନ ହେଉଛି ପ୍ରେମ । ପରମାତ୍ମାଙ୍କ ସହିତ ମାତା ପିତାର ସମ୍ବନ୍ଧ ସ୍ଥାପନ କଲେ ଏକାଧାରରେ ସୁଖ-ଶାନ୍ତି ଓ ପବିତ୍ରତା ପ୍ରାପ୍ତ ହୁଏ । ଏ ତିନି ହେଉଛି ସର୍ବୋତ୍ତମ ଈଶ୍ୱରୀୟ ସମ୍ପତ୍ତି । ସେହିପରି ଈଶ୍ୱରୀୟ ବିଦ୍ୟା ପ୍ରାପ୍ତି ପାଇଁ ଶିକ୍ଷକ ବିଦ୍ୟାର୍ଥୀର ସମ୍ବନ୍ଧ ସ୍ଥାପନ କରିବାକୁ ହେବ । କୁହାଯାଏ” ସା ବିଦ୍ୟା ଯା ବିମୁକ୍ତୟେ” । ଏହାହିଁ ସେ ବିଦ୍ୟା ଯାହା ମନୁଷ୍ୟକୁ ଉଚିତ ମାର୍ଗ ପ୍ରଦର୍ଶନ ପୂର୍ବକ ସତ୍ଗତି ପ୍ରଦାନ କରିଥାଏ । ପରମାତ୍ମାଙ୍କ ସହିତ ବିଭିନ୍ନ ସମ୍ବନ୍ଧରେ ସ୍ନେହାସିକ୍ତ ହୋଇ ସ୍ମୃତିଯୁକ୍ତ ହେବା ହିଁ ପ୍ରକୃତ ଯୋଗ ।
🌸🌸🌸🌸🌸🌸🌸🌸🌸
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment