(୮)ଯୋଗ ସନ୍ଦେଶ-- ଯୋଗର ସିଦ୍ଧି ସମୂହ

🌹🌹🌹🌹🌹🌹🌹🌹🌹

*ଯୋଗ ସନ୍ଦେଶ(୮)* 

🌺🌺🌺🌺🌺🌺🌺🌺🌺

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

 *ଯୋଗର ସିଦ୍ଧି ସମୂହ*     

🌹🌹🌹🌹🌹🌹🌹🌹🌹

 ହଠଯୋଗ ଓ ରାଜଯୋଗର ଉଦ୍ଦେଶ୍ୟ ଭିନ୍ନଭିନ୍ନ ହୋଇଥିବା ହେତୁ ଏ ଉଭୟ ଯୋଗର ସିଦ୍ଧି ସମୂହ ସାଧନା ଅନୁରୂପ ହୋଇଥାଏ । ହଠଯୋଗରେ ପ୍ରାପ୍ତି ସ୍ଥୂଳ ହୋଇଥିବା ବେଳେ ରାଜଯୋଗର ପ୍ରାପ୍ତି ଅତ୍ୟନ୍ତ ସୂକ୍ଷ୍ମ ଓ ଚିରନ୍ତନ । ତେଣୁ ରାଜଯୋଗକୁ ସର୍ବଶ୍ରେଷ୍ଠ ବୋଲି ଭଗବାନ ଗୀତାରେ କହିଛନ୍ତି । ହଠଯୋଗୀମାନେ କହନ୍ତି ଯେ ହଠଯୋଗ ସାଧନା ଦ୍ୱାରା ବ୍ୟକ୍ତି ପବନ, ଜଳ ଓ ଅଗ୍ନିରେ ଚାଲିପାରେ । କିନ୍ତୁ ଏହା ଦ୍ୱାରା ଲାଭ କ’ଣ ହୁଏ? ହଠଯୋଗ ଦ୍ୱାରା ଭୌତିକ ସୁଖ ହୁଏତ ସାମୟିକ ଭାବରେ ମିଳିପାରେ, ଶରୀର ଦୃଢ଼ ଓ ଶକ୍ତିଶାଳୀ ହୋଇ ପାରେ, କିନ୍ତୁ ଏହା ଦ୍ୱାରା ଯୋଗୀର ଆତ୍ମିକ କଲ୍ୟାଣ ହୁଏ ନାହିଁ । ଏହା ଦ୍ୱାରା ସମାଜ ଉପକୃତ ହୁଏ ନାହିଁ । ଏହା ଧର୍ମ ସଂସ୍ଥାପନ କରିପାରେ ନାହିଁ । ତେଣୁ ଭଗବାନଙ୍କୁ ରାଜଯୋଗର ପ୍ରଚଳନ କରିବାକୁ ପଡିଲା । ତେଣୁ ଏହି ଯୋଗରେ ସିଦ୍ଧି ସମୂହ ଉପରେ ଏଠାରେ ଆଲୋଚନା କରିବା ପ୍ରାସଙ୍ଗିକ ମନେ ହୁଏ ।


ରାଜଯୋଗୀ ନିଜକୁ ଦେହଠାରୁ ପୃଥକ ଏକ ସ୍ବତନ୍ତ୍ର ଚୈତନ୍ୟ ସତ୍ତା ‘ଆତ୍ମା’ ରୂପେ ଅନୁଭବ କରେ । ତେଣୁ ସେ ନିଶ୍ଚିନ୍ତ ଓ ହାଲୁକା ରହେ । ସର୍ବଦା ଆନନ୍ଦ ଓ ଆତ୍ମା- ଭାବର ପରିଣାମ ସ୍ବରୂପ ପୃଥିବୀର ସ୍ପର୍ଶ ସେ ଅନୁଭବ କରେ ନାହିଁ । କଠିଣ ପରିଶ୍ରମ ସତ୍ତ୍ବେ ସେ ଥକି ପଡେ ନାହିଁ । ଏହି ଅବସ୍ଥାକୁ ରୁଢ଼ି ପ୍ରୟୋଗ କରି କୁହାଯାଏ “ପାଦ ମାଟିରେ ଲାଗୁନାହିଁ” । ନିନ୍ଦା, କୁତ୍ସା, ବିରୋଧ, କ୍ଷତି, ପ୍ରତିକୂଳ ପରିସ୍ଥିତିରେ ସମାନ ରହୁଥିବାରୁ ଏହି ଦାହ ତାଙ୍କୁ ତାପିତ କରିପାରେ ନାହିଁ । ଏହା ସାଧାରଣ ଲୋକ ପାଇଁ ଅଙ୍ଗାରରେ ଚାଲିବା ଭଳି ଅସମ୍ଭବ କାର୍ଯ୍ୟ । ସେହିପରି ଜଳରେ ବସିବା ଓ ଚାଲିବା ସିଦ୍ଧି ରାଜଯୋଗରେ ସୂକ୍ଷ୍ମ ଅର୍ଥରେ ଗ୍ରହଣ କରାଯାଏ । ଆଧ୍ୟାତ୍ମିକ ଭାଷାରେ ସଂସାର ହେଉଛି ଏକ ସାଗର ତୁଲ୍ୟ । ଯୋଗୀ ଏହି ଭବ- ସାଗରରେ ବୁଡ଼ିଯାଏ ନାହିଁ । ଅର୍ଥାତ୍ ମୋହ ମମତାରେ ଆବଦ୍ଧ ହୋଇ ସେ ତା ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଏ ନାହିଁ । ସେ ବିଷୟ ବିକାର ଓ ଚିନ୍ତା ମୁକ୍ତ ହୋଇଥିବାରୁ ଏହି ସଂସାର ସାଗରକୁ ସହଜରେ ଅତିକ୍ରମ କରିଯାଏ ।


ରାଜଯୋଗ ଏକ ମନୋବିଜ୍ଞାନ ହୋଇଥିବାରୁ ମନର ସନ୍ତୁଳନ ରକ୍ଷା କରିବା ପାଇଁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଏ । ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ମଧ୍ୟ ରାଜଯୋଗୀ ସମତ୍ୱ ବଜାୟ ରଖେ । ଅର୍ଥାତ୍ ତା’ର ମାନସିକ ଶାନ୍ତି ବ୍ୟାହତ ହୁଏ ନାହିଁ । ଏହା ହଠଯୋଗୀର ଶୀର୍ଷାସନ ଅପେକ୍ଷା ସହସ୍ରଗୁଣରେ ଉତ୍ତମ । ହଠ ଯୋଗର ପ୍ରତ୍ୟେକ କ୍ରିୟାକୁ ରାଜଯୋଗରେ ଆଧ୍ୟାତ୍ମିକ ବା ସୂକ୍ଷ୍ମ ଅର୍ଥରେ ଗ୍ରହଣ କରାଯାଇଥାଏ । ହଠଯୋଗୀର ପଦ୍ମାସନ ଶାରୀରିକ କ୍ରିୟା । ରାଜଯୋଗୀ ମନକୁ ପଦ୍ମ- ଆସନରେ ସ୍ଥିତ କରେ । ପଦ୍ମର ଆଧ୍ୟାତ୍ମିକ ଭାବ ହେଉଛି ଅନାସକ୍ତି, ଅଲିପ୍ତତା ଓ ପବିତ୍ରତା । ପଦ୍ମ, ପଙ୍କ ଓ ଜଳରେ ଥାଇ ମଧ୍ୟ ଅଲିପ୍ତ ରହେ । ରାଜଯୋଗୀ ମଧ୍ୟ ସଂସାରର ବିଷୟ ବିକାରରୁ ମୁକ୍ତ ରହି ପବିତ୍ର ଜୀବନ ଯାପନ କରେ । ଏହିପରି ଯୋଗୀଙ୍କୁ ପଦ୍ମାସନର ସିଦ୍ଧି ପ୍ରାପ୍ତ ହୋଇଥାଏ ।


ହଠଯୋଗୀ ସର୍ବାଙ୍ଗରେ ବିଭୁତି (ଭସ୍ମ) ଲେପନ କରିଥାନ୍ତି । କେତେକ ରିଦ୍ଧି- ସିଦ୍ଧି ପ୍ରାପ୍ତ ହୋଇଥିବା ଯୋଗୀ ହସ୍ତ ପାପୁଲିରୁ ଭସ୍ମ ବାହାର କରିବା ଭଳି ଚମତ୍କାର ଦେଖାଇ ପାରନ୍ତି । କିନ୍ତୁ ରାଜଯୋଗୀ ସମଗ୍ର ସଂସାରକୁ ଭସ୍ମ ତୁଲ୍ୟ ମନେ କରନ୍ତି । କାରଣ ଅନ୍ତତୋଗତ୍ୱା ସଂସାରର ପ୍ରତ୍ୟେକ ବସ୍ତୁର ଅନ୍ତ ଏହାହିଁ ହୋଇଥାଏ ।  ତାଙ୍କୁ ଏହି କଳିଯୁଗୀ ବିକାରୀ ଏବଂ ଭ୍ରଷ୍ଟାଚାରୀ ସଂସାର ଭସ୍ମୀଭୂତ ହୋଇଥିବା ଦେଖାଯାଏ । ତେଣୁ ବୈରାଗ୍ୟ ରୂପକ ଭସ୍ମ ତାଙ୍କ ସମଗ୍ର ଚେତନାରେ ଲେପିତ ହୋଇଥାଏ । ସ୍ଥୂଳ ବିଭୂତି ମନୁଷ୍ୟର କି କାମରେ ଆସିବ? ରାଜଯୋଗୀ ମନୋବିକାର ସମୂହକୁ ଭସ୍ମ କରିପାରୁଥିବା ଯୋଗର ବରଦାନ ଜନ- ସାଧାରଣଙ୍କୁ ପ୍ରଦାନ କରନ୍ତି ।


ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ପ୍ରକୃତ ରାଜଯୋଗୀ କୌଣସି ସିଦ୍ଧିର କାମନା କରେ ନାହିଁ । ଯୋଗାଭ୍ୟାସରୁ ଅନେକ ସୂକ୍ଷ୍ମ ଓ ମହାନ ସିଦ୍ଧି ପ୍ରାପ୍ତ ହୋଇ ମଧ୍ୟ ସେ ନମ୍ରତା ପୂର୍ବକ ନିଜ ଜୀବନକୁ ସଂପୂର୍ଣ୍ଣ ପବିତ୍ର ବନାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି ନିର୍ବିକାର ଜୀବନ ଯାପନ କରିବା ପାଇଁ ପ୍ରେରଣା ଦିଅନ୍ତି । ଏହି ଈଶ୍ୱରୀୟ ସେବାକୁ ସେ ଜୀବନର ବ୍ରତ ରୂପେ ଗ୍ରହଣ କରନ୍ତି । ପ୍ରାପ୍ତ ସିଦ୍ଧି ଆଧାରରେ କୌଣସି ଚମତ୍କାର   ପ୍ରଦର୍ଶନ ପୂର୍ବକ ଲୋକମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ରାଜଯୋଗରେ ସଂପୂର୍ଣ୍ଣ ନିଷିଦ୍ଧ । ତେଣୁ ରାଜଯୋଗୀ ଏହିପରି ମାୟାବୀ କାର୍ଯ୍ୟ କରିବାର ସଂକଳ୍ପ ମଧ୍ୟ କରନ୍ତି ନାହିଁ । ଏହି  ମନୋସ୍ଥିତି ପ୍ରାପ୍ତ ହେବା ସମସ୍ତ ସିଦ୍ଧିଠାରୁ ମହତ୍ତର । ତେଣୁ ଗୀତାରେ ଭଗବାନ ସତର୍କ କରାଇଛନ୍ତି “ *କର୍ମଣ୍ୟେବାଧିକାରସ୍ତେ ମା’ ଫଳେଷୁ କଦାଚନ” ।* 

💐💐💐💐💐💐💐💐💐

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,