(୨)ଶ୍ରୀକୃଷ୍ଣଙ୍କ ଅଲୌକିକ ଜନ୍ମ ଓ ଜୀବନ

 🌻🌻🌻🌻🌻🌻🌻🌻🌻

 *ଭାରତୀୟ ପର୍ବ ପର୍ବାଣୀ (୨)* 

🌸🌸🌸🌸🌸🌸🌸🌸🌸

 *ଶ୍ରୀକୃଷ୍ଣଙ୍କ ଅଲୌକିକ ଜନ୍ମ ଓ ଜୀବନ* 

🌹🌹🌹🌹🌹🌹🌹🌹🌹     

 *(ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ ପ୍ରସ୍ତୁତ)* 

🌺🌺🌺🌺🌺🌺🌺🌺🌺

 *ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌹🌹🌹🌹🌹🌹🌹🌹🌹

                ସମ୍ପ୍ରତି ବିଭିନ୍ନ ରାଜନେତା, ଧାର୍ମିକନେତା ବା ମହାପୁରୁଷମାନଙ୍କ ଜନ୍ମଦିନ ବଡ ଧୂମଧାମରେ ପାଳନ କରାଯାଉଛି  । ସେମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ, ବିବେକାନନ୍ଦ,ବାଲଗଙ୍ଗାଧର ତିଳକ, ନେତାଜୀ ସୁବାଷଚନ୍ଦ୍ର ବୋଷ, ସନ୍ଥ ତୁଲସୀ ଦାସ,କବୀର,ଦୟାନନ୍ଦ ସରସ୍ୱତୀ,ବର୍ଦ୍ଧମାନ ମହାବୀର,ଗୌତମ ବୁଦ୍ଧ ଆଦି ପ୍ରମୁଖ । ଏମାନଙ୍କ ମଧ୍ୟରୁ କେତେକ ଧର୍ମ କ୍ଷେତ୍ରରେ ଓ ଅନ୍ୟ କେତେକ ରାଜନୀତି କ୍ଷେତ୍ରରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇଥିଲେ । ତେଣୁ ସେମାନଙ୍କ ଜନ୍ମଦିନ ଅବସରରେ  ସମାଜ ପାଇଁ ଥିବା ସୋମାନଙ୍କର ଅବଦାନ ବିଷୟରେ ଲୋକେ ସ୍ମୃତିଚାରଣ କରନ୍ତି । ଏମାନଙ୍କ ମଧ୍ୟରୁ କେହି ହେଲେ ମଧ୍ୟ ଉଭୟ ରାଜନୀତି ଓ ଧର୍ମ କ୍ଷେତ୍ରରେ ସମାନ ଭାବରେ ପ୍ରଭୁତ୍ୱ ବିସ୍ତାର  କରିପାରି ନାହାନ୍ତି । କିନ୍ତୁ ଭାରତୀୟ ଜନମାନସରେ ଶ୍ରୀକୃଷ୍ଣ ଏପରି ଏକ ନିର୍ବିବାଦୀୟ ବ୍ୟକ୍ତି ଯିଏ କି ଉଭୟ ରାଜନୀତି ଓ ଧର୍ମ କ୍ଷେତ୍ରରେ ଶ୍ରେଷ୍ଠ ଓ ମହାନ ନାୟକ ଭାବରେ ଚିର ଉଜ୍ଜୀବିତ ହୋଇ ରହି ଆସିଛନ୍ତି  ।  ଅନ୍ୟ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ମୁକ୍ତାକାଶ ତଳେ ସ୍ଥାପନ କରାଯାଏ  । ପୂଣ୍ୟତିଥି ଓ ଜନ୍ମତିଥି ଅବସରରେ କେବଳ ସେମାନଙ୍କୁ ସ୍ମରଣ କରାଯାଏ । ଶ୍ରୀକୃଷ୍ଣ ଭାରତୀୟମାନଙ୍କ ହୃଦୟ ସିଂହାସନରେ ଏକ ଦିବ୍ୟପୁରୁଷ ରୂପରେ ଅଧିଷ୍ଠିତ ହୋଇ ଚିରପୂଜିତ । ଏହା ବ୍ୟତୀତ ଭାରତର ସର୍ବତ୍ର  ଭବ୍ୟ ମନ୍ଦିରମାନଙ୍କରେ ତାଙ୍କର ବିଗ୍ରହ ସ୍ଥାପନ କରି  ଲୋକେ ନିତ୍ୟ ତାଙ୍କର ପୂଜା-ଉପାସନା କରନ୍ତି ଏବଂ ଭକ୍ତିପୂତ ହୃଦୟରେ ତାଙ୍କୁ ସ୍ତୁତି କରନ୍ତି : ""ହେ କୃଷ୍ଣ ! ଗୋବିନ୍ଦ ହରେ ମୁରାରେ ,  ହେ ନାଥ ନାରାୟଣ ବାସୁଦେବ ।'' ଭାରତର ରାଜାଧିରାଜଙ୍କଠାରୁ ଆରମ୍ଭ କରି ସାଧୁ ସନ୍ଥ ମହାତ୍ମା,ଧନୀ, ଦରିଦ୍ର ସମସ୍ତେ ତାଙ୍କୁ  ମହାନ ଏବଂ ପୂଜ୍ୟ ବୋଲି ମାନନ୍ତି ।


 *ଶ୍ରୀକୃଷ୍ଣ ଜନ୍ମରୁ ମହାନ ଥିଲେ !* 


             ସଂସାରରେ ଯେଉଁସବୁ ମହାପୁରୁଷମାନଙ୍କ ଜୟନ୍ତୀ ଏକ ସାର୍ବଜନୀନ ଉତ୍ସବ ରୂପରେ ପାଳିତ ହୁଏ , ସେମାନେ ସମସ୍ତେ ଜନ୍ମରୁ ମହାନ୍ ଥିଲେ । ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜର ମହାନ କୃତି ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । କିନ୍ତୁ ଶ୍ରୀକୃଷ୍ଣ ଜନ୍ମରୁହିଁ ମହାନ ଥିଲେ । ଜନ୍ମ ପୂର୍ବରୁ ତାଙ୍କ ମାତାଙ୍କୁ ବିଷ୍ଣୁ ତତୁର୍ଭୁଜଙ୍କ ସାକ୍ଷାତକାର ହୋଇଥିଲା । ଜନ୍ମ ସମୟରେ ତାଙ୍କ ଚତୁର୍ଦିଗରେ ଏକ  ଦିବ୍ୟ ପ୍ରଭାମଣ୍ଡଳ ଉଦ୍ଭାସିତ ହେଉଥିଲା । ସର୍ବତ୍ର ତାଙ୍କର ବାଲ୍ୟାବସ୍ଥା ବା କିଶୋରାବସ୍ଥାର ବିଗ୍ରହହିଁ ସ୍ଥାପନ କରି ପୂଜା କରାଯାଏ । ଜନ୍ମାଷ୍ଟମୀ ଅବସରରେ ମାଆମାନେ କୌଣସି ବାଳକକୁ ଶ୍ରୀକୃଷ୍ଣଙ୍କ ବେଶଭୂଷାରେ ସଜ୍ଜିତ କରି ଦୋଳିରେ ଶୁଆଇ ଭାବବିହ୍ୱଳ ହୋଇ ଝୁଲାନ୍ତି । ସେତେବେଳେ  ସେମାନଙ୍କର ମାନସ ଚକ୍ଷୁରେ ସଂପୃକ୍ତ ବାଳକ ଅପେକ୍ଷା ଶ୍ରୀକୃଷ୍ଣଙ୍କର ମଧୁର,ମନୋହର ମଦନମୋହନ ରୂପ ଉଦ୍ଭାସିତ ହେଉଥାଏ ।


 *ଶ୍ରୀକୃଷ୍ଣ ଷୋହଳ କଳା ସମ୍ପୂର୍ଣ୍ଣ ସୁନ୍ଦର ଥିଲେ* 


             ଐତିହାସିକ ଏବଂ ପୌରାଣିକ ପୃଷ୍ଠାରେ ଯେଉଁ ମହାନ୍ ବିଭୂତିମାନଙ୍କର ନାମ ଉଲ୍ଲେଖ କରାଯାଇଛି; ସେମାନଙ୍କ ମଧ୍ୟରୁ କେବଳ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କେହି ୧୬ କଳାରେ  ସଂପୂର୍ଣ୍ଣ ନ ଥିଲେ । ଶ୍ରୀକୃଷ୍ଣ ଉଭୟ ଶାରୀରିକ ଓ ଆତ୍ମିକ ଦୃଷ୍ଟି କୋଣରୁ ସୁନ୍ଦରତାର ପ୍ରତିମୂର୍ତ୍ତି ଥିଲେ । ମନୁଷ୍ୟ ଶରୀରରେ ସର୍ବୋତ୍ତମ ଜନ୍ମ ତାଙ୍କରହିଁ ଥିଲା  । ଚାରିଯୁଗ ମଧ୍ୟରେ ଉଭୟ ଶାରୀରିକ ଓ ଆତ୍ମିକ ରୂପରେ ତାଙ୍କ ସଦୃଶ କେହି ସେପରି ମହାନ୍,ଆକର୍ଷକ,ସୁନ୍ଦର,ପ୍ରଭାବଶାଳୀ ଓ ପ୍ରଭୃତ୍ୱଶାଳୀ ନ ଥିଲେ । ଭବିଷ୍ୟତରେ ମଧ୍ୟ ସେପରି କେହି ହେବେ ନାହିଁ ବୋଲି ବିଶ୍ୱାସ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଏପରି ମହାନ ଓ ଆକର୍ଷକ ଥିଲା ଯେ ଯଦି ଆଜି ସେ କ୍ଷଣିକ ପାଇଁ ମଧ୍ୟ ପୃଥିବୀରେ ଅବିର୍ଭାବ ହୋଇଯାଆନ୍ତି,ଜାତି ଧର୍ମ ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ତା ସମ୍ମୁଖରେ ନତ ମସ୍ତକ ହୋଇ ପଡିବେ ଓ ତାଙ୍କର ସେହି ମନମୋହନ ରୂପକୁ ନିର୍ନିମେଷ ନୟନରେ ଚାହିଁ ରହିବେ ।


 *ଶ୍ରୀକୃଷ୍ଣ ଏପରି ମହାନ କିପରି ହେଲେ ?* 


            ମନୁଷ୍ୟ ନିଜ ନିଜ କର୍ମ  ଅନୁସାରେ ମହାତ୍ମା, ପୁଣ୍ୟାତ୍ମା, ଦେବାତ୍ମା ବା ପାପାତ୍ମା ବୋଲି କଥିତ ହୁଏ । ପ୍ରତ୍ୟେକ ମାନବାତ୍ମା କର୍ମ ଅନୁସାରେ ପ୍ରାରବ୍ଧ ଭୋଗ କରିବାକୁ ବାଧ୍ୟ । ଶ୍ରୀକୃଷ୍ଣ ଜନ୍ମରୁ ମହାନ୍ ଥିଲେ । ଏଥିରୁ ଅନୁମେୟ ହୁଏ ଯେ ସେ ଅବଶ୍ୟ ପୂର୍ବ ଜନ୍ମରେ କୌଣସି ମହାନ ପୁରୁଷାର୍ଥ କରିଥିବେ । ଉକ୍ତି ପ୍ରସିଦ୍ଧ ଅଛି ଯେ""ନର ଐସି କରନି କରେ ଯୋ ନାରାୟଣ ବନ ଯାଏ; ନାରୀ ଐସି କରନି କରେ ଯୋ ଲକ୍ଷ୍ମୀ ବନଯାଏ ।'' ଅନ୍ୟ ଅର୍ଥରେ ଶ୍ରେଷ୍ଠ କର୍ମ ବା ପୁରୁଷାର୍ଥ  ଦ୍ୱାରା ମନୁଷ୍ୟ ନାରାୟଣ ବା ଲକ୍ଷ୍ମୀ ପଦ ମଧ୍ୟ ପ୍ରାପ୍ତି କରିପାରେ।

           ଶ୍ରୀମଦ୍ ଭାଗବତରେ ଉଲ୍ଲେଖ ଅଛି ଯେ, ଶ୍ରୀକୃଷ୍ଣ ଯୋଗୀରାଜ ଥିଲେ । ସେ ନିୟମିତ ଯୋଗାଭ୍ୟାସ କରୁଥିଲେ । ଏଠାରେ ଏହା ବିଚାରଣୀୟ ଯେ ଯୋଗାଭ୍ୟାସ ବା ପରୁଷାର୍ଥ କୌଣସି ଅପ୍ରାପ୍ତ ସିଦ୍ଧିର ପ୍ରାପ୍ତି ପାଇଁହିଁ କରାଯାଏ । ଶ୍ରୀକୃଷ୍ଣ ତ ସ୍ୱୟଂ ସମ୍ପୁର୍ଣ୍ଣ ଥିଲେ । ତାଙ୍କ ପାଇଁ କୌଣସି ବସ୍ତୁ ଅପ୍ରାପ୍ତ ନ ଥିଲା । ତେଣୁ ଯୋଗାଭ୍ୟାସ କଥା ଯାହା ବର୍ଣ୍ଣନା କରାଯାଇଛି , ତାହା ତାଙ୍କର ପୂର୍ବ  ଜନ୍ମର ପୁରୁଷାର୍ଥକୁ ଇଙ୍ଗିତ କରେ  । ପୁରାଣମାନଙ୍କରେ ପୂର୍ବ ଜନ୍ମର ବୃତ୍ତାନ୍ତକୁ ଇହ ଜନ୍ମ ସହିତ ସଂଯୋଗ କରି ତାଙ୍କର ଚରିତ୍ର ଚିତ୍ରଣ କରାଯାଇଥିବାରୁ ମନରେ ବଭିନ୍ନ ପ୍ରଶ୍ନ ସୃଷ୍ଟି ହୁଏ । ଗୀତାରେ ପରମାତ୍ମାଙ୍କ ମହାବାକ୍ୟ  ଅନୁସାରେ ଈଶ୍ୱରୀୟ ଜ୍ଞାନ ଓ ଯୋଗ ଦ୍ୱାରା ବ୍ୟକ୍ତି ରାଜାଧିରାଜ ହୋଇପାରେ । ପୂର୍ବ ଜନ୍ମରେ ଶ୍ରୀକୃଷ୍ଣ ଏହି ଜ୍ଞାନ  ଯୋଗର  ନିରନ୍ତର ସାଧନା ଦ୍ୱାରାହିଁ ପରବର୍ତ୍ତୀ ଜନ୍ମରେ ନାରାୟଣ ପଦର ଅଧିକାରୀ ହୋଇଥିଲେ ।


 *ଶ୍ରୀକୃଷ୍ଣ ଜନ୍ମ ରହସ୍ୟ* 


           ଜନ୍ମାଷ୍ଟମୀ ପାଳନ ଅବସରରେ ଲୋକେ ନିଜ ଘରେ ତଥା ଦେବାଳୟମାନଙ୍କରେ ଶ୍ରୀକୃଷ୍ଣଙ୍କ ବିଗ୍ରହକୁ ଦୋଳିର ବସାଇ ତାଙ୍କର ଗୁଣଗାନ କରନ୍ତି । କିନ୍ତୁ ଯେଉଁ ସର୍ବୋତ୍ତମ ପୁରୁଷାର୍ଥ ଅଥବା ଜ୍ଞାନଯୋଗ ସାଧନା ଦ୍ୱାରା ସେ ଏପରି ମହିମା ବିମଣ୍ଡିତ ସେହି କଥା କେହି ଜାଣନ୍ତି ନାହିଁ । ତାଙ୍କର ଗୁଣ ଗାରିମା ମହିମା ଓ ଅଲୌକିକ ବିଭୁତି ହେତୁ ଲୋକେ ତାଙ୍କୁ ପରମାତ୍ମାଙ୍କ ସାକାର ଅବତାର ରୂପରେ ବିଶ୍ୱାସ କରନ୍ତି । ଭାଗବତକାର ମଧ୍ୟ ""କୃଷ୍ଣାସ୍ତୁ ଭଗବାନ ସ୍ୱୟଂ''ବୋଲି ଭାଗବତରେ ବର୍ଣ୍ଣନା କରିଛନ୍ତି । ଏହାର କାରଣ ହେଲା କୃଷ୍ଣଙ୍କ ପୂର୍ବ ଜନ୍ମର ସାକାର ଶରୀରରେ ପରମାତ୍ମା ଦିବ୍ୟ ଅବତରଣ କରି ଗୀତାଜ୍ଞାନ ଶୁଣାଇ ଥିଲେ । ପରମାତ୍ମା ଅଶରୀରୀ ଓ ସୂକ୍ଷ୍ମାତିସୂକ୍ଷ୍ମ  ଜ୍ୟୋର୍ତିବିନ୍ଦୁ ହୋଇଥବାରୁ ଦେହାଭିମାନୀ ଲୋକେ ତାଙ୍କୁ ଜାଣି ପାରନ୍ତି ନାହିଁ । ଗୀତାରେ ସ୍ୱୟଂ ପରମାତ୍ମା ମଧ୍ୟ କହିଛନ୍ତି ଯେ,""ମୋତେ ପଣ୍ଡିତ,ମୁନି,ଋଷି ତଥା ଦେବଗଣ ମଧ୍ୟ ଜାଣନ୍ତି ନାହିଁ ।'' ନ ମେ ବିଦୁଃ ସୁରଗଣା ପ୍ରଭବା ନ ମହର୍ଷୟଃ । ଶ୍ରୀକୃଷ୍ଣଙ୍କ ପୂର୍ବଜନ୍ମ ସେହି କଳ୍ପର ଅନ୍ତିମ ଜନ୍ମ ଥିଲା । ପରମାତ୍ମା ସେହି ସାକାର ଶରୀରର ଆଧାରରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦେଇଥିଲେ । ପରବର୍ତ୍ତୀ  ଦ୍ୱାପର ଯୁଗରେ ଲୋକସ୍ମୃତିରୁ ସଂଗ୍ରହ କରି  ବା ଯୋଗଦ୍ୱାରା ସାକ୍ଷାତକାର କରି ବ୍ୟାସଦେବ ସଂସ୍କୁତ ଭାଷାରେ ଅନୁଷ୍ଟୁପ ଛନ୍ଦରେ  ପ୍ରସିଦ୍ଧ ଶ୍ରୀଭଗବତ୍ ଗୀତା ରଚନା କଲେ । ଗୀତା ଜ୍ଞାନ ପ୍ରଦାନର ଦୀର୍ଘ ଅବଧି ପରେ ଏହା ଗ୍ରନ୍ଥରୂପ ନେଇଥିବାରୁ ଏଥିରେ ଗୀତା ପ୍ରକରଣର ଯଥାର୍ଥ ସ୍ୱରୂପ ସ୍ଥାନୀତ ହୋଇପାରିନାହିଁ ।

             ଶ୍ରୀକୃଷ୍ଣଙ୍କ ପୂର୍ବ ଜନ୍ମର ସାକାର ଶରୀରର କର୍ତ୍ତବ୍ଯବାଚକ ନାମ ଥିଲା ""ପ୍ରଜାପିତା ବ୍ରହ୍ମା''ା ତାଙ୍କ ମାଧ୍ୟମରେ ପରମାତ୍ମା ମନୁଷ୍ୟମାନଙ୍କ ମଧ୍ୟରେ ଥିବା କଳିଯୁଗୀୟ ସଂସ୍କାରଗୁଡିକୁ ବିନାଶ କରି ଦୈବୀ ଗୁଣର ସଞ୍ଚାର କରାଇଥିଲେ । ଏହାର ପରିଣାମ ସ୍ୱରୂପ ସୃଷ୍ଟିରୁ କଳିଯୁଗ ବିଦାୟ ନେଲା ଓ ସତ୍ୟ ଯୁଗର ଅୟମାରମ୍ଭ ହେଲା । ପରମାତ୍ମାଙ୍କ ସ୍ଥାପନା କାର୍ଯ୍ୟରେ ମୁଖ୍ୟ ସହଯୋଗୀ ଓ ମାଧ୍ୟମ ହୋଇ ଥିବାରୁ ପ୍ରଜାପିତା ବ୍ରହ୍ମା ସତ୍ୟଯୁଗରେ ପ୍ରଥମ ମହାରାଜକୁମାର ରୂପରେ ଜନ୍ମ ନେଇଥିଲେ । ରାଜ୍ୟାଭିଷେକ ପରେ ସେ ଶ୍ରୀ ନାରାୟଣ ରୂପରେ ନାମିତ ହେଲେ । ଲୋକେ ଶ୍ରୀକୃଷ୍ଣଙ୍କ ପ୍ରୌଢ଼ାବସ୍ଥା ଓ ନାରାୟଣଙ୍କ ବାଲ୍ୟାବସ୍ଥା ବିଷୟରେ ଜାଣି ନଥିବାରୁ ତାଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ପୂଜା କରନ୍ତି । ତାଙ୍କର ପୂର୍ବଜନ୍ମ ରହସ୍ୟ କେହି ଜାଣି ନଥିବାରୁ ତାଙ୍କୁହିଁ  ଗୀତା ଜ୍ଞାନଦାତା ରୂପେ ସ୍ୱୀକାର କରାଯାଇଛି । ଇତିହାସ ପୁନରାବୃତ୍ତି ହୁଏ। ଏହି ନ୍ୟାୟରେ ବର୍ତ୍ତମାନ ଗୀତାପ୍ରକରଣର ପୁନରାବୃତ୍ତି ଘଟିଛି । କୃଷ୍ଣଙ୍କର ଅନ୍ତିମ ଜନ୍ମ ପ୍ରଜାପିତା ବ୍ରହ୍ମାଙ୍କ ସାକାର ଶରୀରରେ ପରମପିତା ପରମାତ୍ମା ଅବତରଣ କରି ବର୍ତ୍ତମାନ ସମସ୍ତ ବେଦ ପୁରାଣ ଶାସ୍ତ୍ରଗୁଡିକର ସାରତତ୍ତ୍ବ ଶୁଣାଉଛନ୍ତି । ଜନ୍ମାଷ୍ଟମୀ ପାଳନର ଏହି ପବିତ୍ର ଅବସରରେ ପରମାତ୍ମାଙ୍କ ଦ୍ୱାରା ଉଦ୍ଘାଟିତ ଶ୍ରୀକୃଷ୍ଣ ଜନ୍ମର ସଠିକ ବୃତ୍ତାନ୍ତ ଜାଣି ଓ ତାଙ୍କ ଦିବ୍ୟ ଜୀବନରୁ ପ୍ରେରଣା ଗ୍ରହଣ କରି ତଦନୁରୂପ ପରୁଷାର୍ଥ କଲେ ନର ନାରାୟଣତ୍ୱ ଓ ନାରୀ ଲକ୍ଷ୍ମୀତ୍ୱ ଲାଭ କରିପାରିବ ।


 *ଜନ୍ମାଷ୍ଟମୀ କିପରି  ପାଳନ କରିବା* 


               କୌଣସି ମହାନ ବ୍ୟକ୍ତିଙ୍କ ଜନ୍ମ ତିଥିରେ ସଭାସମିତି କରି ତାଙ୍କ କୃତୀ ଓ କୀର୍ତ୍ତୀର ସ୍ମୃତି ଚାରଣ କରିଦେଲେ ତାହା ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ହୁଏନାହିଁ । ସେହିପରି ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ  ଉତ୍ସବ ପାଳନ କଲେ ତାଙ୍କ ପ୍ରତି ଯଥାର୍ଥ ଭକ୍ତି ପ୍ରଦର୍ଶନ ହେବ ନାହିଁ । ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରିବା ସମୟରେ ଆମକୁ ବିଚାର କରିବାକୁ ହେବ ଯେ ତାଙ୍କ ପରି ଏକ ମହାନ ବିଭୂତିଙ୍କ ଜନ୍ମ କ'ଣ ବର୍ତ୍ତମାନର ଏ ତମୋପ୍ରଧାନ ସୃଷ୍ଟିରେ ସମ୍ଭବ ? ଶ୍ରୀକୃଷ୍ଣଙ୍କୁ ପୁତ୍ର, ସଖା ବା ଅନ୍ୟ କୌଣସି ସମ୍ବନ୍ଧରେ ପାଇବାକୁ ଆମେ କ'ଣ ସେହି  ଅନୁରୂପେ  ନିଜକୁ ଯୋଗ୍ୟ କରିପାରିଛେ ? ଶ୍ରୀକୃଷ୍ଣଙ୍କୁ ମୋହନ କୁହାଯାଏ । ମୋହନ(ମୋହ-ନ) ଅର୍ଥାତ ଯିଏ ସମ୍ପୂର୍ଣ୍ଣ ମୋହମୁକ୍ତ ଥିଲେ । ଆମେ ସ୍ୱୟଂ କ'ଣ ""ମୋହ-ନ''  ହୋଇପାରିଛେ  ? ଏହିପରି ଆତ୍ମସମୀକ୍ଷା ଦ୍ୱାରା ଶ୍ରୀକୃଷ୍ଣଙ୍କ ନିକଟରେ ଥିବା ସମସ୍ତ ଦିବ୍ୟଗୁଣାବଳୀକୁ ସ୍ମରଣ କରିବା ପୂର୍ବକ ସେସବୁକୁ ନିଜ ଜୀବନରେ ଆହରଣ କରିବା ଦ୍ୱାରା ହିଁ ଜନ୍ମାଷ୍ଟମୀ ପାଳନ ସାର୍ଥକ ହେବ । ଓମ୍ ଶାନ୍ତି  ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,