ଅନ୍ତର୍ଦୃଷ୍ଟି - 2- -ସତ୍ୟଂ ପରଂ ଧୀମହି

    🌷🌹🌺🌸🌻💐🌷🌹🌺

       *ଅନ୍ତର୍ଦୃଷ୍ଟି -2 

       🌻🌻🌻🌻🌻🌻🌻🌻🌻 

       *ସତ୍ୟଂ ପରଂ ଧୀମହି* 

   🌹🌹🌹🌹🌹🌹🌹🌹🌹                                                      

 *ଡା. ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌸🌸🌸🌸🌸🌸🌸🌸🌸

    ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦ୍ ଇତରଶ୍ଚାର୍ଥେଷୁ ଅଭିଜ୍ଞଃ ସ୍ବରାଟ୍


    ତେନେ ବ୍ରହ୍ମହୃଦା ଯ ଆଦି କବୟେ ମୁହ୍ୟନ୍ତି ଯତ୍-ସୂରୟଃ ।


    ତେଜୋ-ବାରି-ମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୂଷା


    ଧାମ୍ନାସ୍ବେନ ସଦା ନିରସ୍ତ-କୁହକଂ ସତ୍ୟ ପରଂ ଧୀମହି


                “ଶ୍ରୀମଦ ଭାଗବତ ୧/୧ । ।”


(ଅନୁବାଦ :- ଯିଏ ଜଗତର ଆଦି ମୂଳ, ପ୍ରତ୍ୟକ୍ଷ, ପରୋକ୍ଷ ସମସ୍ତ ବିଷୟର ଜ୍ଞାତା; ଯିଏ ସ୍ବୟଂ ସିଦ୍ଧ, ଆଦି କବି ବେଦଜ୍ଞ ବ୍ରହ୍ମାଙ୍କ ହୃଦୟରେ ଯେ ବେଦର ଜ୍ଞାନ ପ୍ରକଟ କରିଥିଲେ; ମୁନି ଋଷିମାନେ ଯାହାଙ୍କ ସ୍ବରୂପ ଜାଣିବା ପାଇଁ ଭ୍ରମିତ ହୁଅନ୍ତି; ତେଜ, ଜଳ ଓ ମୃତ୍ତିକା ପରସ୍ପର ଯୋଗରେ ଭିନ୍ନ ରୂପ ଧାରଣ କରିବା ପରି ଏହି ତ୍ରିଗୁଣାତ୍ମକ ସୃଷ୍ଟି ଯାହାଙ୍କ ଯୋଗେ ବାସ୍ତବ ବୋଲି ମନେ ହୁଏ; ସ୍ବଧାମରେ ସଦା ବିଦ୍ୟମାନ କପଟ ରହିତ ସେହି ପରମ ସତ୍ୟ ପରମାତ୍ମାଙ୍କୁ ମୁଁ ଧ୍ୟାନ କରୁଛି)


ଜୀବନକୁ ମଙ୍ଗଳମୟ କରିବା ପାଇଁ ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ଧ୍ୟାନ କରିବା ଉଚିତ୍ । କାରଣ ଧ୍ୟାତା ଯାହାକୁ ଧ୍ୟାନ କରନ୍ତି ସେହି ଧ୍ୟେୟର ସ୍ବରୂପ ପ୍ରାପ୍ତ ହୁଏ । ସାକ୍ଷାତ ପରମାତ୍ମାଙ୍କୁ ପ୍ରାପ୍ତ କରିବାକୁ ଇଚ୍ଛୁକ ବ୍ୟକ୍ତି କେବଳ ଏକମାତ୍ର ତାଙ୍କୁ ସ୍ମରଣ କରିବା ଉଚିତ । ଦେବାନ୍ଦେବଯଜୋ ଯାନ୍ତି ମଭକ୍ତା ଯାନ୍ତି ମାମପି (ଗୀ୭/୨୩) ସାଂସାରିକ ବ୍ୟକ୍ତି, ବସ୍ତୁ, ବୈଭବ ଓ ବିଷୟ ଭୋଗ ଚିନ୍ତନରେ ମନ ବିକୃତ ହୋଇ ଯାଏ । ଈଶ୍ୱରୀୟ ଚିନ୍ତନ ଦ୍ୱାରା ସମସ୍ତ ମନୋବିକାର ଅପସରି ଯାଏ । ଶାସ୍ତ୍ର କହେ, “ଶହେ କାମ ଛାଡ଼ି ଭୋଜନ କର, ହଜାରେ କାମ ଛାଡ଼ି ସ୍ନାନ କର, ଲକ୍ଷେ କାମ ଛାଡ଼ି ଦାନ କର ଏବଂ କୋଟିଏ କାମ ଛାଡ଼ି ପରମାତ୍ମାଙ୍କ ସ୍ମରଣ କର ।” ଶତଂ ବିହାୟ ଭୋକ୍ତବ୍ୟଂ ସହସ୍ରଂ ସ୍ନାନଂ ଆଚରେତ୍ । ଲକ୍ଷ୍ୟଂ ବିହାୟ ଦାତବ୍ୟଂ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ୍ । ଈଶ୍ୱରୀୟ ସ୍ମୃତି ଯୁକ୍ତ କର୍ମକୁ ଗୀତାରେ ଯୋଗ ବୋଲି କୁହାଯାଇଛି । ଏଭଳି ଯୋଗ ଯୁକ୍ତ କର୍ମରେ କୁଶଳତା ଆସେ । ଯୋଗଃ କର୍ମସୁ କୌଶଳଂ ।

ପରମାତ୍ମାଙ୍କ ସ୍ବରୂପ କ’ଣ? ପରମାତ୍ମା ଏକ ଓ ଅଦ୍ୱିତୀୟ । ତାଙ୍କୁ ସତ୍ୟ ସ୍ବରୂପ କୁହାଯାଏ । କାରଣ ଯାହା ସତ୍ୟ ତାହା ତିନି କାଳରେ ଅପରିବର୍ତ୍ତନୀୟ ଅଟେ । ପରମାତ୍ମା ଅଜର, ଅମର, ଅବିନାଶୀ ହେତୁ କାଳାତୀତ ଅଟନ୍ତି । ଯିଏ ସର୍ବମାନ୍ୟ ସିଏ ହିଁ ପରମାତ୍ମ ପଦବାଚ୍ୟ । ସେ ସମସ୍ତ ଆତ୍ମାର ପରମ ପିତା ଅଟନ୍ତି । ଋଗବେଦ ମଧ୍ୟ ତାଙ୍କୁ ପିତା ରୂପରେ ସ୍ବୀକାର କରି କହେ - “ପିତା ଯେପରି ପୁତ୍ର ପାଇଁ ସୁଲଭ ହୁଏ । ତୁମେ ମଧ୍ୟ ଆମ ପାଇଁ ସେପରି (ସୁଲଭ) ହୁଅ ।” ସନଃ ପିତବେ ସୁନବେଗ୍ନେ ସୁପାୟନୋ ଭବ । ସଚ ସ୍ବାନଃ ସ୍ବସ୍ତୟେ (ଋଗବେଦ ୧/୧/୯) । ଯର୍ଜୁବେଦରେ କୁହାଯାଇଛି, “ହେ ପ୍ରଭୁ! ଆପଣ ଆମର ପିତା ଅଟନ୍ତି, ପିତାଙ୍କ ପରି ଆମକୁ ଶିକ୍ଷା ଦିଅ ।” ପିତାନୋସି ପିନୋବୋଧି ନମସ୍ତେ ଅସ୍ତୁ ମା ମା ହିଂସୀ (ଯଜୁଃର୍ବେଦ ୩୭/୨୦) ହେ ଜଗଦୀଶ୍ୱର! ଆପଣ ଆମର ପିତା ଅଟନ୍ତି; ରକ୍ଷକ ଅଟନ୍ତି; ଆପଣ ଆମକୁ ଶିକ୍ଷା ଦିଅନ୍ତୁ; ଆପଣଙ୍କୁ ଆମର ନମସ୍କାର । ଗୀତାରେ ମଧ୍ୟ କୁହାଯାଇଛି, “ତୁମେ ଏହି ସମସ୍ତ ଚରାଚର ଜଗତର ପିତା ଅଟ ।” ପିତାଲୋକସ୍ୟ ଚରାଚରସ୍ୟ (ଗୀ୧୧/୩) ପରମାତ୍ମା ଇନ୍ଦ୍ରିୟାତୀତ ହୋଇଥିବାରୁ ତାଙ୍କୁ ସ୍ଥୂଳ ନେତ୍ର ଦ୍ୱାରା ପ୍ରତ୍ୟକ୍ଷ କରିବା ସମ୍ଭବ ନୁହେଁ । ଗୀତାରେ ତାଙ୍କୁ ଅଜନ୍ମା, ଅକର୍ତ୍ତା ଓ ଅବ୍ୟକ୍ତ ମୂର୍ତ୍ତ କୁହାଯାଇଛି । ଅବ୍ୟକ୍ତାଦିନି ଭୂତାନି ... (ଗୀ୮/୨୧)

ପରମାତ୍ମା ଜ୍ଞାନ ଓ ଗୁଣର ମହାସାଗର ଅଟନ୍ତି । ପ୍ରତ୍ୟେକ ଗୁଣର ଆଧାର ଓ ଆକାର ଥାଏ । ତେଣୁ ସେ ନିରାକାର ଓ ନିରାଧାର ନୁହନ୍ତି । ଫୁଲରେ ସୁଗନ୍ଧି ଥାଏ । ସୁଗନ୍ଧିର କୌଣସି ଆକାର ନାହିଁ; କିନ୍ତୁ ଫୁଲ ନ ଥିଲେ ସୁଗନ୍ଧି ନ ଥାନ୍ତା । ସେହିପରି ପରମାତ୍ମା ସୂକ୍ଷ୍ମାତିସୂକ୍ଷ୍ମ ହେଲେ ମଧ୍ୟ ଆଧାର ଓ ଆକାର ରହିତ ନୁହନ୍ତି । ସେ ଏକଦେଶୀୟ, ବହୁଦେଶୀୟ ନୁହନ୍ତି । ବ୍ରହ୍ମ ଲୋକ ହେଉଛି ତାଙ୍କର ସ୍ବଧାମ । ଏଠାରେ ସେ ନିତ୍ୟ ବିଦ୍ୟମାନ । ମୁଣ୍ଡକୋପନିଷଦ କହେ, “ଦିବ୍ୟ ବ୍ରହ୍ମପୁରେ ହ୍ୱେଷ ବ୍ୟୋମ୍ନ୍ୟାତ୍ମା ପ୍ରତିଷ୍ଠିତଃ ।” ପରମଧାମ (ବ୍ରହ୍ମଲୋକ)ରେ ସର୍ବତ୍ର ଅଖଣ୍ଡ ଜ୍ୟୋତି ଏବଂ ଦିବ୍ୟ ପ୍ରକାଶ ଉଦ୍ଭାସିତ ହେଉଥାଏ । “ନ ତତ୍ର ସୂର୍ଯୟୋଭାତି ନ ଚନ୍ଦ୍ର ତାରକା,  ନେମା ବିଦ୍ୟୁତୋଭାନ୍ତି କୁତୋ ଯମଗ୍ନିଃ । ତମେବଭାନ୍ତମନୁଭାତି ସର୍ବ, ତସ୍ୟଭାସା ସର୍ବମିଦଂ ବିଭାତି ।” (ମୁଣ୍ଡକୋପ: ୨/୨/୧୦) ବ୍ରହ୍ମ ଏକ ଦିବ୍ୟ ପ୍ରକାଶମୟ ମହତତ୍ତ୍ବ ଅଟେ । ଏହି ବ୍ରହ୍ମ ମହ ତତ୍ତ୍ବରେ ପରମାତ୍ମାଙ୍କ ଅବିନାଶୀ ଦିବ୍ୟଧାମ ଅଛି । ଏଥିପାଇଁ ତାଙ୍କୁ ପର ବ୍ରହ୍ମ ପରମେଶ୍ୱର କୁହାଯାଏ । ଏହିପରି ପରମାତ୍ମାଙ୍କ ସତ୍ୟ ସ୍ବରୂପକୁ ସ୍ମରଣ କରିବା ଉଚିତ ।

ଧ୍ୟାନ, ଧ୍ୟାତା ଓ ଧ୍ୟେୟ ମଧ୍ୟରେ ଏକତ୍ୱ ହେଲେ ପରମାନନ୍ଦ ପ୍ରାପ୍ତି ହୁଏ । ଜନ୍ମ ଜନ୍ମାନ୍ତରର ସଂସ୍କାର ହେତୁ ମନରେ ବିକ୍ଷେପ ସୃଷ୍ଟି ହୁଏ । ତେଣୁ ଧ୍ୟାନ (ପରମାତ୍ମାଙ୍କ ସ୍ମରଣ) ସମୟରେ ପ୍ରଥମେ ସାଂସାରିକ ବିଷୟ ମନେ ପଡ଼େ । ସେଥିରେ ବ୍ୟସ୍ତ ନ ହୋଇ ପରମାତ୍ମାଙ୍କ ସତ୍ୟ ସ୍ବରୂପକୁ ବାରମ୍ବାର ସ୍ମରଣ କରି ତାଙ୍କ ସହିତ ସମସ୍ତ ସମ୍ବନ୍ଧ ଯୋଡ଼ି ଦେଲେ ସାଂସାରିକ ସଂକଳ୍ପ ବିକଳ୍ପ ବିନାଶ ହୁଏ । “ହେ ପ୍ରିୟ ପିତା! ତୁମେ ହିଁ ମୋର ସବୁ କିଛି । ମୋର ସବୁ କିଛି ତୁମର! ତ୍ୱମେବ ମାତାଶ୍ଚ ପିତା ତ୍ୱମେବ... । ଏହିପରି ଈଶ୍ୱରୀୟ ସ୍ମୃତି ମନକୁ ବିଶୁଦ୍ଧ କରେ । ଦାନ ବା ସ୍ନାନରେ ମନ ଶୁଦ୍ଧ ହୁଏ ନାହିଁ । ସାଂସାରିକ ଚିନ୍ତନରେ ବିକୃତ ହୋଇଥିବା ମନ ଈଶ୍ୱରୀୟ ଚିନ୍ତନର ନିରବଚ୍ଛିନ୍ନ ଅଭ୍ୟାସ ଦ୍ୱାରା ହିଁ ଶୁଦ୍ଧ ହୁଏ । ତେଣୁ ମଙ୍ଗଳାଚରଣରେ ବ୍ୟାସଜୀ ଯଥାର୍ଥରେ କହିଛନ୍ତି - “ସତ୍ୟଂ ପରଂଧୀମହି ।” ଏକମାତ୍ର ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ସତତ ସ୍ମରଣ କରିବାହିଁ ହେଉଛି ମଙ୍ଗଳାଚରଣ । ଏହିପରି ମଙ୍ଗଳାଚରଣ କରିବା ଦ୍ୱାରା ବ୍ୟକ୍ତିର ପ୍ରତିଟି କର୍ମ ସତ୍କର୍ମ ହୋଇଯାଏ ।

🌺🌺🌺🌺🌺🌺🌺🌺🌺

 ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🌹🌹🌹🌹🌹🌹🌹🌹🌹

                                                                                                


                                                                                               


                                                                                         

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,