ଅନ୍ତର୍ଦୃଷ୍ଟି-3-ଆତ୍ମାର ସ୍ବରୂପ*
🌺🌺🌺🌺🌺🌺🌺🌺🌺
*ଅନ୍ତର୍ଦୃଷ୍ଟି--3*
🌹🌹🌹🌹🌹🌹🌹🌹🌹
*ଆତ୍ମାର ସ୍ବରୂପ*
🌹🌹🌹🌹🌹🌹🌹🌹🌹
*ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌹🌹🌹🌹🌹🌹🌹🌹🌹
ପ୍ରକୃତିଂ ପୁରୁଷଂ ଚୈବ ବିଦ୍ଧ୍ୟନାଦି ଉଭାବପି ।
ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତି ସମ୍ଭବାତ୍।
।।ଗୀ ୧୩/୧୯ ।।
“ପ୍ରକୃତି ଏବଂ ଆତ୍ମା ଉଭୟକୁ ହିଁ ଅନାଦି ବୋଲି ଜାଣ ଏବଂ କାମ କ୍ରୋଧାଦି ବିକାର ସମୁହକୁ ତଥା ଗୁଣଗୁଡିକୁ ମଧ୍ୟ ପ୍ରକୃତିରୁ ଉତ୍ପନ୍ନ ବୋଲି ଜାଣ ।ା ଏଠାରେ ଆତ୍ମାର ସ୍ବରୂପକୁ ଅନାଦି ବୋଲି କୁହାଯାଇଛି । ସାଂଖ୍ୟ ଯୋଗରେ ଆତ୍ମାର ସ୍ବରୂପକୁ ଅବିନାଶୀ ବୋଲି ଭଗବାନ କହିଛନ୍ତି । ତାହା ହେଲା,
ଦେହୀ ନିତ୍ୟମ ବଧ୍ୟାଽୟଂ ଦେହେ ସର୍ବସ୍ୟ ଭାରତ । ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂଶୋଚିତୁମର୍ହସି ।
।। ଗୀ ୨/୩୦ ।।
“ହେ ଅର୍ଜୁନ! ସମସ୍ତ ପ୍ରାଣୀମାନଙ୍କ ଦେହରେ ଏହି ଜୀବାତ୍ମା ଅବିନାଶୀ ଅଟେ । ଆତ୍ମାର ମୃତ୍ୟୁ ନାହିଁ । ଏଣୁ ତୁ ସମସ୍ତଙ୍କ ପାଇଁ ଶୋକ ସନ୍ତପ୍ତ ହେବା ଅନୁଚିତ ।” ଏଠାରେ ଆତ୍ମାର ଅମରତ୍ୱକୁ ସ୍ବୀକାର କରାଯାଇଛି । ଶରୀର ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ହେତୁ ବିନାଶୀ ବା କ୍ଷଣସ୍ଥାୟୀ ଅଟେ ।
ସର୍ବକର୍ମାଣି ମନସା ସନ୍ୟସ୍ୟାସ୍ତେ ସୁଖଂ ବଶୀ
ନବ ଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ।
।। ଗୀ - ୫/୧୩।।
(ଯେତେବେଳେ ଦେହୀ ତା’ର ପ୍ରକୃତିକୁ ସଂଯତ କରେ ଏବଂ ମାନସିକ ସ୍ତରରେ ସମସ୍ତ କର୍ମ ତ୍ୟାଗ କରେ ସେତେବେଳେ ସେ ନ’ଟି ଦ୍ୱାର ଥିବା ଏ ପୁରରେ (ଶରୀରରେ) କିଛି ନ କରି କିମ୍ବା କରିବାର କାରଣ ନ ହୋଇ ଆନନ୍ଦରେ ବାସ କରେ ।”
ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ ।
ବିମୁଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।
।।ଗୀ ୧୫/୧୦ାା
ଅର୍ଥାତ୍, କିପରି ଆତ୍ମା ତା’ର ଶରୀର ତ୍ୟାଗ କରିପାରେ ଏକଥା ମୁର୍ଖମାନେ ବୁଝି ପାରନ୍ତି ନାହିଁ କିମ୍ବା ଭୁତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ଆତ୍ମା କି ପ୍ରକାର ଶରୀରରେ ରହି (ଜୀବନ) ଉପଭୋଗ କରୁଛି ଏ କଥା ମଧ୍ୟ ସେମାନେ ବୁଝି ପାରନ୍ତି ନାହିଁ । କେବଳ ଚକ୍ଷୁ ଦ୍ୱାରାହିଁ ଆତ୍ମାକୁ ଦେଖାଯାଇ ପାରେ ।
ନ ଜାୟତେ ମ୍ରିୟତେ ବା କଦାଚିନ୍
ନାୟଂ ଭୁତ୍ୱା ଭବିତା ବା ନ ଭୁୟଃ,
ଅଜୋ ନିତ୍ୟଃ ଶାଶ୍ୱତୋ ଽୟଂ ପୁରାଣୋ,
ନ ହନ୍ୟତେ ହନ୍ୟମାନେ ଶରୀରେ।
।। ଗୀ ୨/୨୦ ।।
ଅର୍ଥାତ, ଆତ୍ମାର ଜନ୍ମ ନାହିଁ ବା ମୃତ୍ଯୁ ନାହିଁ । ଏପରି ସମୟ ନ ଥିଲା ଯେତେବେଳେ ତାହା ନ ଥିଲା, ପୁଣି ଏପରି ସମୟ ହେବ ନାହିଁ ଯେତେବେଳେ ତାହା ନ ଥିବ । ତାହା ଅଜ, ଶାଶ୍ୱତ, ସର୍ବଦା ବିଦ୍ୟମାନ, ଅମର ଏବଂ ପୁରାତନ ଅଟେ । ଶରୀରର ମୃତ୍ୟୁରେ ତାହାର ମୃତ୍ୟୁ ହୁଏ ନାହିଁ ।
ଅଚ୍ଛେଦ୍ୟୋଽୟମ୍ ଅଦାହ୍ୟୋଽୟମ୍
ଅକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁର୍
ଅଚଳୋଽୟଂ ସନାତନଃ ।
।। ଗୀ ୨/୨୪ ।।
ଅର୍ଥାତ୍, ଏହି ଆତ୍ମା ଅଚ୍ଛେଦ୍ୟ ଏବଂ ଅକ୍ଳେଦ୍ୟ ଅଟେ ଏବଂ ଏହାକୁ ପୋଡି ଦିଆଯାଇପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇପାରିବ ନାହିଁ, ଏହା ଚିରନ୍ତନ, ସମସ୍ତ ଜୀବରେ ବ୍ୟାପକ, ଅପରିବର୍ତ୍ତନୀୟ, ସ୍ଥାଣୁ ଏବଂ ସନାତନ ଅଟେ ।
ଉପର୍ଯ୍ୟୁକ୍ତ ଶ୍ଳୋକଗୁଡିକୁ ସୂକ୍ଷ୍ମ ଭାବରେ ତର୍ଜମା କଲେ ସାରାଂଶ ସ୍ବରୂପ ନିମ୍ନଲିଖିତ ତଥ୍ୟଗୁଡ଼ିକ ପ୍ରାପ୍ତ ହୁଏ ।
୧) ଆତ୍ମା ଓ ପ୍ରକୃତି ଏ ଦୁହେଁ ଅନାଦି ପୃଥକ ସତ୍ତା ଅଟନ୍ତି ।
୨) ଶରୀର ପ୍ରକୃତିରୁ ସୃଷ୍ଟି (ଜାତ) ହୋଇଛି । ଏହାକୁ କ୍ଷେତ୍ର କୁହାଯାଏ । ଆତ୍ମା କ୍ଷେତ୍ରଜ୍ଞ ଅଟେ ।
୩) ଦେହ ରୂପକ ପୁରୀରେ ରହୁଥିବା ଆତ୍ମା ହେଉଛି ପୁରୁଷ, ଏହି ପୁରୀର ନବ ଦ୍ୱାର ଅଛି ।
୪) ଆତ୍ମାକୁ କେବଳ ଜ୍ଞାନ ଚକ୍ଷୁ ଦ୍ୱାରା ଦେଖାଯାଇପାରେ । ଚର୍ମ ଚକ୍ଷୁ ଦ୍ୱାରା ଆତ୍ମାକୁ ଏଥିପାଇଁ ଦେଖାଯାଇପାରେ ନାହିଁ ଯେ ଏହା ପ୍ରକୃତିରୁ ଭିନ୍ନ, ଦିବ୍ୟ, ଅବ୍ୟକ୍ତ, ଚୈତନ୍ୟ, ସୂକ୍ଷ୍ମାତି ସୂକ୍ଷ୍ମ ଦ୍ରଷ୍ଟା ଅଟେ ।
୫) ଏହି ଆତ୍ମାର କେବେ ଜନ୍ମ ହୁଏ ନାହିଁ, କେବେ ମୃତ୍ୟୁ ହୁଏ ନାହିଁ । ଯେଉଁ ଶରୀରରେ ଏହା ନିବାସ କରେ ତାହା ନାଶବାନ ଅଟେ ପରନ୍ତୁ ଆତ୍ମା ଅନାଦି ଓ ଅବିନାଶୀ ଅଟେ ।
୬) ଏହାକୁ ଶସ୍ତ୍ର କାଟିପାରେ ନାହିଁ, ଜଳ ଭିଜାଇ ପାରେ ନାହିଁ ଓ ପବନ ଶୁଖାଇ ପାରେନାହିଁ ।
୭) ଏହି ଆତ୍ମା ମୂଳତଃ ପବିତ୍ର ସ୍ବରୂପ । କିନ୍ତୁ ଆବାଗମନ ଚକ୍ରରେ ବାରମ୍ବାର ଆସିବା ହେତୁ ଦେହାଭିମାନୀ ହୋଇଯାଏ । ଦେହ ଅଭିମାନରୁ ବିକାରଗୁଡ଼ିକ
ଜନ୍ମ ନିଅନ୍ତି ।
ମନ, ବୁଦ୍ଧି ଏବଂ ଆତ୍ମା
ଗୀତାରେ ଅନେକ ଶ୍ଳୋକରେ ଏକଥା ସ୍ପଷ୍ଟଭାବରେ କୁହାଯାଇଛି ଯେ ମନ ଓ ବୁଦ୍ଧି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ଅଟେ । ଆତ୍ମାର ସଂକଳ୍ପ ଶକ୍ତିର ନାମ ହେଉଛି ମନ ଓ ନିର୍ଣ୍ଣୟ ଶକ୍ତିର ନାମ ହେଉଛି ବୁଦ୍ଧି । କେତେକ ଟୀକାକାର ମନ, ବୁଦ୍ଧି ଏବଂ ଆତ୍ମାକୁ ଭିନ୍ନ ଭିନ୍ନ ସତ୍ତା ବୋଲି ବିଶ୍ୱାସ କହନ୍ତି । କିନ୍ତୁ ଗୀତାର ନିମ୍ନୋକ୍ତ ଶ୍ଳୋକ ସମୂହର ସୂକ୍ଷ୍ମ ବିଶ୍ଳେଷଣ କଲେ ପ୍ରକୃତ ତଥ୍ୟ ଜଣାପଡେ ।
ବନ୍ଧୁରାତ୍ମା ତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେତାତ୍ମୈବ ଶତ୍ରୁ ବତ୍ ।
।।ଗୀ ୬/୬ ।।
ଭାବାର୍ଥ, ଯିଏ ବୁଦ୍ଧି ଦ୍ୱାରା ମନକୁ ଜୟ କରିଛି ତାହାର ମନ ହେଉଛି ଉତ୍ତମ ବନ୍ଧୁ । ଯିଏ ମନକୁ ଜୟ କରି ପାରି ନାହିଁ ତାପକ୍ଷରେ ସେହି ମନହିଁ ଏକ ସାଘାଂତିକ ଶତ୍ରୁ ପରି ଆଚରଣ କରେ । ଏଠାରେ ଯେଉଁ ଆତ୍ମାକୁ ଆତ୍ମା ଦ୍ୱାରା ଜିତିବା କଥା କୁହାଯାଇଛି,ଏହାର ସ୍ପଷ୍ଟ ଅଭିପ୍ରାୟ ମନକୁ ବୁଦ୍ଧି ଦ୍ୱାରା ଜିତିବା । ପ୍ରଥମ ଥର ଆତ୍ମା ଶବ୍ଦ ‘ମନ’ ପାଇଁ ଓ ଦ୍ୱିତୀୟ ଥର ‘ବୁଦ୍ଧି’ ପାଇଁ ପ୍ରଯୁକ୍ତ ହୋଇଛି । ଏହିପରି ଅନ୍ୟ ଏକ ସ୍ଥାନରେ କୁହାଯାଇଛି ଯେ ଆତ୍ମାକୁ ଆତ୍ମା ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ । ଅର୍ଥାତ ମନକୁ ବୁଦ୍ଧି ବା ବିବେକ ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ ।
ଇନ୍ଦ୍ରିୟାଣି ପରାଣ୍ୟା ହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋବୁଦ୍ଧେଃ ପରତସ୍ତୁ ସଃ ।।
।। ଗୀ ୩/୪୨ ।।
ଭାବାର୍ଥ, କର୍ମେନ୍ଦି୍ରୟ ସମୂହକୁ ଶ୍ରେଷ୍ଠ, ବଳବାନ ଏବଂ ସୂକ୍ଷ୍ମ ବୋଲି କୁହାଯାଇଛି । କିନ୍ତୁ ସେହି ଇନ୍ଦ୍ରିୟମାନଙ୍କଠାରୁ ମନ ଅଧିକ ଉନ୍ନତ ଅଟେ । ବୁଦ୍ଧି, ମନ ଅପେକ୍ଷା ଅଧିକ ଉନ୍ନତ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଅଧିକ ଉନ୍ନତ ଅଟେ ।
ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନ ମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ।
।। ଗୀ ୩/୪୩ ।।
ଭାବାର୍ଥ, ଏହିପରି ନିଜ ଆତ୍ମାକୁ ବୁଦ୍ଧିଠାରୁ ଶ୍ରେଷ୍ଠ ବୋଲି ଜାଣି ବୁଦ୍ଧି ଦ୍ୱାରା ମନକୁ ବଶୀଭୂତ କରି, ହେ ମହାବାହୁ ଦୁର୍ଜୟ କାମ ରୂପୀ ଶତ୍ରୁକୁ ଜୟ କର ।
ସଂକଳ୍ପକୁ ଅନୁଭବ କରିବା ବା ଇଛା କରିବାର ନାମ ମନ ଅଟେ । ଜାଣିବା, ମାନିବା, ଚିହ୍ନିବା, ସ୍ମରଣ ରଖିବା, ନିର୍ଣ୍ଣୟ କରିବା ଆଦି ବୁଦ୍ଧିର କାମ । ଗୀତାରେ ମନ ଓ ବୁଦ୍ଧିକୁ ଏହି ଅର୍ଥରେ ପ୍ରୟୋଗ କରାଯାଇଛି । ଆତ୍ମାହିଁ ସୁଖ ଓ ଶାନ୍ତି ପାଇଁ ଇଛାକରେ ଏବଂ ଅନୁଭବ ମଧ୍ୟ କରେ । ଆତ୍ମା ଯେଉଁ ଜ୍ଞାନ ଆହରଣ କରେ ସେହି ଜ୍ଞାନ, ବୁଝିବା ଶକ୍ତି ଏବଂ ବିଚାର ଶକ୍ତି ହିଁ ବୁଦ୍ଧି ଅଟେ । ଗୀତାରେ ଭଗବାନ କହିଛନ୍ତି, “ମୋଠାରେ ମନ ଲଗାଅ, ବୁଦ୍ଧିକୁ ମୋଠାରେ ଯୁକ୍ତକର, ବୁଦ୍ଧିକୁ ମୋତେ ଅର୍ପଣ କର ।” ମୟେବ ମନ ଆଧସ୍ତ୍ୱ ମୟି ବୁଦ୍ଧିଂ ନିବେଶ୍ୟ ।।ଗୀ ୧୨/୮ ।। ମୟାବେଶ୍ୟ ମନୋ..।। ଗୀ ୧୨/୨ ।।ମନ୍ମନା ଭବ ମଦ୍ ଭକ୍ତୋ ... ଗୀ ୯/୩୪ ।। ଇତ୍ୟାଦି ଶ୍ଳୋକଗୁଡିକରେ ଭଗବାନ ଉପର୍ଯ୍ୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବୋକ୍ତ ୩/୪୨ ଶ୍ଳୋକରେ କୁହାଯାଇଛି ଯେ ଇନ୍ଦ୍ରିୟ ସମୂହଠାରୁ ମନ ଉନ୍ନତ ଅଟେ, ମନଠାରୁ ବୁଦ୍ଧି ଉନ୍ନତ ଅଟେ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଶ୍ରେଷ୍ଠ ଅଟେ । କେତେକ ଟୀକାକାର ଏହି ଶ୍ଳୋକକୁ ଏପରି ଅର୍ଥ କରନ୍ତି ଯେ ମନ, ବୁଦ୍ଧି ଏବଂ ଆତ୍ମା ଭିନ୍ନ ଭିନ୍ନ ଅଟନ୍ତି ଏବଂ ଏକ ଆରେକଠାରୁ ଉନ୍ନତ ଅଟନ୍ତି । ଏହାକୁ ଏପରି ବୁଝିବା ବା ଅର୍ଥ କରିବା ଭ୍ରମାତ୍ମକ ମନେ ହୁଏ । କାରଣ ଇନ୍ଦ୍ରିୟ ସମୂହ ଆମ ସଂକଳ୍ପର ଅଧିନ ଅଟନ୍ତି ଏବଂ ଏହି ସଂକଳ୍ପଗୁଡିକୁ ନିୟନ୍ତ୍ରଣ କରିବା ବା ଭଲ ମନ୍ଦର ନିର୍ଣ୍ଣୟ କରିବା କାମ ହେଲା ବୁଦ୍ଧିର । ଯେତେବେଳେ ଆମେ ଜ୍ଞାନ ଦ୍ୱାରା ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରୁ ସେତେବେଳେ ଆମକୁ ଆତ୍ମାର ମଧ୍ୟ ଅନୁଭବ ହୁଏ । ଆତ୍ମାନୁଭୁତି ପାଇଁ ପ୍ରଥମେ ମନରେ ଜ୍ଞାନ ଯୁକ୍ତ ସଂକଳ୍ପ ସୃଷ୍ଟି କରିବାକୁ ହୁଏ । ଏହାକୁ ମନନ କୁହାଯାଏ । ଏହା ଦ୍ୱାରା କ୍ରମଶଃ ମନରେ ସଂକଳ୍ପ ସମୂହର ଗତି ହ୍ରାସ ପାଏ ଓ ବୁଦ୍ଧି ଆତ୍ମା ନିଶ୍ଚୟ ସ୍ମୃତିରେ ସ୍ଥିତ ହୋଇଯାଏ । ଏଥିପାଇଁ କୁହାଯାଇଛି ମନଠାରୁ ଉନ୍ନତ ବା ସୂକ୍ଷ୍ମ ବୁଦ୍ଧି ଅଟେ । ଅନ୍ୟ ଅର୍ଥରେ ଅନୁଭୂତି ପାଇଁ କେବଳ ସଂକଳ୍ପ ସ୍ତରରେ ସ୍ଥିର ନ ରହି ସୂକ୍ଷ୍ମ ରୂପରେ ସେହି ସ୍ମୃତିରେ ସ୍ଥିତ ରହିବାକୁ ହୁଏ । ଏପରି ହେଲେ ଯାଇ ଆମେ ଆତ୍ମାନୁଭୂତି କରି ପାରିବା ।
ମନ ଓ ବୁଦ୍ଧି ସମ୍ବନ୍ଧିତ କେତେକ ଶ୍ଳୋକ ଗୀତାରେ ଦେଖାଯାଏ ଯାହାକି ଉପରେ ଉଦ୍ଧୃତ କରାଯାଇଥିବା ଶ୍ଳୋକର ଭାବ ବିପରୀତ ଅର୍ଥକୁ ବୁଝାଏ । ସେଥିରେ କୁହାଯାଇଛି ମନ ପ୍ରକୃତି କୃତ, ମନ ଓ ବୁଦ୍ଧି ମଧ୍ୟ କ୍ଷେତ୍ର ଅଟେ ଏବଂ ଏହା ମଧ୍ୟ ଏକ ଇନ୍ଦ୍ରିୟ ଅଟେ । ଏହି ଶ୍ଳୋକଗୁଡିକ ପ୍ରକ୍ଷିପ୍ତ ହୋଇ ପାରେ ନତୁବା ଏହାକୁ ଭିନ୍ନ ଅର୍ଥରେ ବୁଝିବା ଦରକାର । ଏହି ପ୍ରସଙ୍ଗରେ ନିମ୍ନରେ କେତୋଟି ଶ୍ଳୋକର ଅବତାରଣା କରାଗଲା ।
ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବଚ
ଅହଂକାର ଇତୀୟମେ ଭିନ୍ନା ପ୍ରକୃତିର ଷ୍ଟଧା ।
।। ଗୀ ୭/୪ ।।
(ଅର୍ଥ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର ଏହିପରି ଆଠ ପ୍ରକାରରେ ମୋ ପ୍ରକୃତିକୁ ବିଭକ୍ତ କରାଯାଇଛି ।)
ମହା ଭୂତାନ୍ୟହଂକାରୋ ବୁଦ୍ଧିରବ୍ୟକ୍ତ ମେବ ଚ,
ଇନ୍ଦ୍ରିୟାଣି ବଶୈକଂ ଚ ପଞ୍ଚ ଚେନ୍ଦ୍ରିୟଗୋଚରାଃ ।
।। ଗୀ ୧୩/୫ ।।
ଇଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତ ଶ୍ଚେତନା ଧୃତିଃ ।
ଏତତ୍ କ୍ଷେତ୍ରଂ ସମାସେନ ସବିକାର ମୁଦାହୃତମ୍ ।
।। ଗୀ ୧୩/୬ ।।
(ଅର୍ଥ: ପଞ୍ଚ ମହାଭୂତ, ଅହଂକାର, ବୁଦ୍ଧି, ମୂଳ ପ୍ରକୃତି ଅର୍ଥାତ ତ୍ରିଗୁଣମୟୀ ମାୟା, ଦଶ ଇନ୍ଦ୍ରିୟ, ମନ, ପଞ୍ଚ ଇନ୍ଦ୍ରିୟ, ଭୋଗ୍ୟ ବିଷୟ ବସ୍ତୁ, ଇଛା, ଦ୍ୱେଷ, ସୁଖ, ଦୁଃଖ, ସ୍ଥୂଳ ଦେହର ପିଣ୍ଡ, ଚେତନା ଏବଂ ଧୈର୍ଯ୍ୟ ସଂକ୍ଷେପରେ ଏ ସବୁକୁ କ୍ଷେତ୍ର ଓ ତା’ର ବିକାର ବୋଲି ବିବେଚନା କରାଯାଏ (।। ଗୀ ୧୩/୫-୬ ।।)
ବେଦାନାମ୍ ସାମବେଦୋଽସ୍ମି ଦେବାନାମସ୍ମି ବାସବଃ । ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଭୂତାନାମ ସ୍ମିଚେତନା ।
।। ଗୀ ୧୦/୨୨ ।।
(ଅର୍ଥ: ବେଦମାନଙ୍କ ମଧ୍ୟରେ ସାମବେଦ ଅଟେ; ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର ଅଟେ; ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ ଅଟେ ଏବଂ ଜୀବମାନଙ୍କ ମଧ୍ୟରେ ଚେତନା ଅର୍ଥାତ ଜ୍ଞାନଶକ୍ତି ଅଟେ ।)
ଉପର୍ଯ୍ୟୁକ୍ତ ଶ୍ଳୋକଗୁଡିକରେ ଯାହା କୁହାଯାଇଛି ଯେ ମନ ପ୍ରକୃତିକୃତ ଅଟେ ଅଥବା ମନ ଏବଂ ବୁଦ୍ଧି ମଧ୍ୟ କ୍ଷେତ୍ର ଅଟେ ଅଥବା ଏହା ମଧ୍ୟ ପଞ୍ଚେନ୍ଦ୍ରିୟ ପରି ଏକ ଇନ୍ଦ୍ରିୟ ଅଟେ; ଏହା ପୂର୍ବରୁ ଆଲୋଚିତ ଶ୍ଳୋକ ସମୂହର ବିପରୀତ ଭାବ ପ୍ରକାଶ କରୁଛି । ଏଣୁ ଏଗୁଡିକୁ ପ୍ରକ୍ଷିପ୍ତ ବୋଲି ମନେ କରାଯାଇପାରେ । ଅଥବା ଏଗୁଡିକର ଆକ୍ଷରିକ ଅର୍ଥ ନ କରି ନିମ୍ନ ପ୍ରକାରେ ଆଖ୍ୟା କରାଯାଇ ପାରେ । ଆତ୍ମା ଯେତେବେଳେ ଅବ୍ୟକ୍ତ (ବ୍ରହ୍ମଲୋକ) ରୁ ଶରୀର ରୂପକ କ୍ଷେତ୍ରରେ ପ୍ରକଟ ହୁଏ, ସେତେବେଳେ ତା’ର ସଂକଳ୍ପ ଉତ୍ପନ୍ନ ହୁଏ ଏବଂ ସେହି ସମୟରେ ସେ ନିର୍ଣ୍ଣୟ କରେ ବା ସ୍ମୃତିଯୁକ୍ତ ହୁଏ । ଏଣୁ ଆତ୍ମାର ଅଭିବ୍ୟକ୍ତିର ସାଧନ ହୋଇଥିବା ହେତୁ ଏହାକୁ କ୍ଷେତ୍ର ବା ଆତ୍ମାର ଇନ୍ଦ୍ରିୟ ମଧ୍ୟ କୁହାଯାଇଥିବ । ନଚେତ୍ ଶରୀରର ଇନ୍ଦ୍ରିୟ ଯେପରି କାନ, ନାକ ଆଦି ସେହିପରି ଅର୍ଥରେ ଏହାକୁ ଇନ୍ଦ୍ରିୟ କୁହାଯାଇ ପାରିବ ନାହିଁ । ମନ ଓ ବୁଦ୍ଧି ଆତ୍ମାଠାରୁ ଅଭିନ୍ନ ହୋଇଥିବା ହେତୁ ଏବଂ ଏହା ସ୍ବୟଂ ଆତ୍ମାର ଯୋଗ୍ୟତା ହୋଇଥିବା ହେତୁ ଏ ଉଭୟଙ୍କ ପାଇଁ ଆତ୍ମା ଶବ୍ଦର ପ୍ରୟୋଗ ହୋଇଛି ।
ଜ୍ଞାନକୁ ଆତ୍ମାର ତୃତୀୟ ନେତ୍ର ବା ଦିବ୍ୟ ଚକ୍ଷୁ ବୋଲି କୁହାଯାଏ । ବାସ୍ତବରେ ଜ୍ଞାନ ଆଖି ଭଳି କୌଣସି ଇନ୍ଦ୍ରିୟ ନୁହେଁ ତଥାପି ମଧ୍ୟ ଏହାକୁ ଚକ୍ଷୁର ଉପମା ଦିଆଯାଇଛି । କାରଣ ଜ୍ଞାନ ଦ୍ୱାରା ଆତ୍ମା ସତ୍ୟତାର ପ୍ରତ୍ୟକ୍ଷ ଦର୍ଶନ କରିପାରେ । ଏଣୁ ମନକୁ ଉପମା ହିସାବରେ ସୂକ୍ଷ୍ମ ଇନ୍ଦ୍ରିୟ ବୋଲି କୁହାଯାଇପାରେ । କାରଣ ଇନ୍ଦ୍ରିୟ ସମୂହ ଯେପରି ଅଭିବ୍ୟକ୍ତି ବା ଜ୍ଞାନର ସାଧନ ଅଟନ୍ତି, ସେହିପରି ମନ ମଧ୍ୟ ଆତ୍ମାର ଅଭିବ୍ୟକ୍ତିର ସାଧନ ଅଟେ । ଏହା ମଧ୍ୟ ଅଧ୍ୟୟନ ପାଇଁ ଏକ ଦ୍ୱାର ଅଟେ । ଏହାର ଅର୍ଥ ନୁହେଁ ଯେ ମନ ଓ ବୁଦ୍ଧିକୁ ଆତ୍ମାଠାରୁ ଭିନ୍ନ ବୋଲି ମାନିବା । ଯେତେବେଳେ ଆତ୍ମା ପରମଧାମରୁ ଏହି ଭୂପୃଷ୍ଠକୁ ଆସେ ସେତେବେଳେ ପ୍ରକୃତି ସମ୍ପର୍କରେ ଆସିଲା ପରେ ହିଁ ପ୍ରଥମେ ତାକୁ ନିଜ ଅସ୍ତିତ୍ୱର ଅନୁଭବ ହୁଏ । ଏହି କଥାକୁ ହିଁ କୁହାଗଲା ଯେ ପ୍ରକୃତିରୁ ପ୍ରଥମେ ଅହଂକାର (ଅହଂ ଭାବ)ର ଉତ୍ପତ୍ତି ହେଲା । ଯେତେବେଳେ ମନୁଷ୍ୟକୁ ନିଜ ଅସ୍ତିତ୍ୱର ଅନୁଭବ ହୁଏ ସେତେବେଳେ ହିଁ ସେ ତା’ର ପାରିପାଶ୍ୱିର୍କ ବାତାବରଣ ବିଷୟରେ ଜାଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରେ । ଏହି ବିଷୟରେ କୁହାଗଲା ଯେ ଅହଂକାରରୁ ବୁଦ୍ଧିର ଉତ୍ପନ୍ନ ହେଲା । ଯେହେତୁ ଏହି ଅବସ୍ଥା ହେଲେ ଯାଇ ମନୁଷ୍ୟ ଚେଷ୍ଟା, ଅଭିଳାଷ ତଥା ପ୍ରଯତ୍ନ ଆଦି କରେ । ତେଣୁ କୁହାଗଲା ବୁଦ୍ଧି ପରେ ମନର ଉତ୍ପନ୍ନ ହେଲା । ଏହା ଉପସ୍ଥାପନାର ଏକ ଭିନ୍ନ ପ୍ରକ୍ରିୟା ଅଟେ । କିନ୍ତୁ ବାସ୍ତବରେ ମନ, ବୁଦ୍ଧି ଏବଂ ଅହଂଭାବ କ୍ରମଶଃ ଆତ୍ମାର ହିଁ ଇଛା, ବିଚାରଶୀଳତା ତଥା ସ୍ବ ଅନୁଭବର ନାମ ଅଟେ ।
ଏହି ଜ୍ଞାନ ହୃଦୟଙ୍ଗମ ହେଲେ ଆମେ ନିଜକୁ ଶରୀରଠାରୁ ଭିନ୍ନ ଏକ ଅନାଦି ଓ ଅବିନାଶୀ ଚୈତନ୍ୟ ସତ୍ତା ଆତ୍ମା ବୋଲି ଅନୁଭବ କରିବା । ଏହା ଦ୍ୱାରା ନିଜ ନିଜ ବ୍ୟବହାରିକ ଜୀବନରେ ଆମେ ସ୍ବ ସ୍ବ କର୍ମରେ ପ୍ରବୃତ୍ତ ରହି ମଧ୍ୟ ଆତ୍ମିକ ସ୍ମୃତିରେ ସ୍ଥିତ ରହିବାର ଅଭ୍ୟାସ କରି ପାରିବା । ମନ ଓ ବୁଦ୍ଧି ପ୍ରକୃତିର କାର୍ଯ୍ୟ ନୁହେଁ । ଏହି ଦୃଷ୍ଟିରୁ ଏହାକୁ ଆତ୍ମାଠାରୁ ଭିନ୍ନ ବିଚାର କରି ନିଜ ସଂକଳ୍ପକୁ ଶୁଦ୍ଧ ତଥା ବିବେକକୁ ଦିବ୍ୟ କରି ଗଢ଼ି ତୋଳିବା ଆବଶ୍ୟକ । କାହିଁକିନା ମନ ଓ ବୁଦ୍ଧିର ଶୁଦ୍ଧି ହିଁ ଆତ୍ମ ଶୁଦ୍ଧି ଅଟେ । ଏହିପରି ଆତ୍ମ ଶୁଦ୍ଧ ବ୍ୟକ୍ତିଙ୍କୁ ମହାତ୍ମା ଓ ଯାହାର ମନ ଓ ବୁଦ୍ଧି ଦୋଷଯୁକ୍ତ ତାକୁ ପାପାତ୍ମା କୁହାଯାଏ । କାରଣ ପାପ ଓ ପୁଣ୍ୟ, ଇଛା ଓ ପ୍ରଯନ୍ତ୍ର ତଥା ସଦ୍ ବିବେକ ଓ ଭ୍ରଷ୍ଟ ବିବେକର ସମ୍ବନ୍ଧ ଆତ୍ମା ସହିତ ସଂପର୍କିତ ।
ଆତ୍ମା ଏକ ଚୈତନ୍ୟ ସତ୍ତା ଅଟେ । ବିଜୁଳିକୁ ଯେପରି ଆମେ ଆଲୁଅ ହିସାବରେ, କଳକାରଖାନାର ସଞ୍ଚାଳନ ପାଇଁ ଶକ୍ତି ହିସାବରେ ଏବଂ ବିଭିନ୍ନ ବସ୍ତୁକୁ ଗରମ କରିବା ପାଇଁ ତାପ ଶକ୍ତି ହିସାବରେ ବ୍ୟବହାର କରୁ, ସେପରି ଭିନ୍ନ ଭିନ୍ନ ଅଭିବ୍ୟକ୍ତି କାରଣରୁ ଆତ୍ମା ବା ଚୈତନ୍ୟ ଶକ୍ତିର ଭିନ୍ନ ଭିନ୍ନ ନାମ-ମନ, ବୁଦ୍ଧି, ଚିତ୍ତ ଏବଂ ଅହଂକାର ଅଟେ । ଯେତେବେଳେ ଏହା ସଂକଳ୍ପ ରୂପରେ ପ୍ରକଟିତ ହୁଏ ତାକୁ ମନ; ବିବେକ ବା ନିର୍ଣ୍ଣୟ ଶକ୍ତି ରୂପରେ ପ୍ରକଟିତ ହେଲେ ବୁଦ୍ଧି ଏବଂ ଅହଂତ୍ୱ ପରିପ୍ରକାଶ କରେ ସେତେବେଳ ଅହଂକାର ବୋଲି କୁହାଯାଏ ।
🌹🌹🌹🌹🌹🌹🌹🌹🌹
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment