ହୋମିଓ ପ୍ୟାଥି ଚିକିତ୍ସା*

 🌹🌹🌹🌹🌹🌹🌹🌹🌹

ହୋମିଓ ପ୍ୟାଥି ଚିକିତ୍ସା

🥀🥀🥀🥀🥀🥀🥀🥀🥀

 *ଡାକ୍ତର ସୁଧାଂଶ ଶେଖର ମିଶ୍ର,ପାଟଣାଗଡ* 

🪷🪷🪷🪷🪷🪷🪷🪷🪷

 ଯାହା ଜଣାଯାଏ ଯେ ହୋମିଓ ପ୍ୟାଥି ଚିକିତ୍ସା ସମ୍ବନ୍ଧରେ ଅନେକ ଲୋକଙ୍କର ଏଯାବତ୍ ସଠିକ ଧାରଣା ନାହିଁ । ଜନରବ ହେତୁ ଲୋକଙ୍କ ମନରେ କ୍ରମଶଃ ଚିକିତ୍ସା ଜଗତର ସବୁଠାରୁ ବୈଜ୍ଞାନିକ ସମ୍ମତ ଏ ପଦ୍ଧତି ପ୍ରତି ହେୟ ଜ୍ଞାନ ସୃଷ୍ଟି  ହୋଇଛି । ଅନେକଙ୍କ ମୁହଁରୁ ଏଭଳି ବି ମନ୍ତବ୍ୟ ଶୁଣିବାକୁ ମିଳେ ଯେ, “ହୋମଓପ୍ୟାଥି ପିଲାମାନଙ୍କୁ ଭଲ କାମ କରେ, ପାନ,  ବିଡି ଓ ନିଶା ସେବନ କରୁଥିବା ଲୋକଙ୍କୁ ଏହା କାମ କରେ ନାହିଁ ।” ଏ ଧାରଣ ସମ୍ପୂର୍ଣ୍ଣ ଅମୂଳକ । ଏକଥା ସତ୍ୟ ଯେ କେତେକ କ୍ଷେତ୍ରରେ ରୋଗୀର ରୋଗ ଲକ୍ଷଣ ସମୂହକୁ ବିଚାର କରି ଚିକିତ୍ସା ସମୟ ମଧ୍ୟରେ ନିଶା ଦ୍ରବ୍ୟ ସେବନ ନ କରିବାକୁ ପରାମର୍ଶ ଦିଆଯାଇ ଥାଏ । ଏହାକୁ ଭିତ୍ତି କରି କେତେକଙ୍କ ମନରେ ଉପରୋକ୍ତ ଧାରଣ ସୃଷ୍ଟି ହୋଇଛି । ଅନେକ ସମୟରେ ଦେଖାଯାଏ  ଯେ ଅନନ୍ୟୋପାୟ ହୋଇ କେତେକ ରୋଗୀ ହୋମିଓ ପ୍ୟାଥିର ଶରଣାଗତ ହୁଅନ୍ତି । ଏହାକୁ  ଦେଖି କେତେକ ସପକ୍ଷବାଦୀ ମୃଦୁ ଭର୍ସନା କରି କହନ୍ତି- “ଯାହାର ନାହିଁ ଅନ୍ୟ ଗତି ସେ କରଇ ହୋମିଓପ୍ୟାଥି ।”ଏଭଳି କ୍ଷେତ୍ରରେ ରୋଗୀ ଲକ୍ଷଣ ସମୂହ ଏଭଳି ଜଟିଳ ସ୍ତରକୁ ଚାଲି ଆସିଥାଏ  ଯେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଇଁ ସଠିକ ଔଷଧ ନିର୍ଣ୍ଣୟ କରି ପାରିବା ସମ୍ଭବପର ହୁଏ ନାହିଁ ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପାଇଁ ଦୀର୍ଘଦିନ ଲାଗିଯାଏ । କେତେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବପର ହୋଇପାରେ ନାହିଁ । ଏହି ରୋଗୀକୁ ଯଦି ରୋଗର ପ୍ରଥମ ଅବସ୍ଥାରୁ ହୋମିଓ ପ୍ୟାଥି ପ୍ରଣାଳୀରେ  ଚିକିତ୍ସା କରାଯାଇଥାନ୍ତା ହୁଏତ ୨/୩ ଦିନ ଭିତରେ ଆରୋଗ୍ୟ ହୋଇ ପାରିଥାନ୍ତା । ଏପରି ଜଟିଳ ରୋଗର ଦୀର୍ଘସୂତ୍ରୀ ଚିକିତ୍ସା ବା ବିଫଳତା ପାଇଁ କେତେକ ଅଯଥା ଭ୍ରାନ୍ତ ଧାରଣାର ଶିକାର ହୁଅନ୍ତି ଏବଂ ସେମାନଙ୍କଠାରୁ ଏପରି ମନ୍ତବ୍ୟ ଶୁଣିବାକୁ ମିଳେ-“ହୋମିଓ ପ୍ୟାଥି ବହୁତ ଧୀରେ ଧୀରେ କାମ କରେ । ଏହା ହୋମିଓ ପ୍ୟାଥି ବିଷୟରେ ଅଜ୍ଞତାର ପରିଚାୟକ । ଏହି ପରିପ୍ରେକ୍ଷୀରେ ହୋମିଓ ପ୍ୟାଥି ଚିକିତ୍ସା ସମ୍ବନ୍ଧରେ ଜନ ସାଧାରଣଙ୍କୁ ସମ୍ୟକ ଧାରଣା ଦେବା ଉଦ୍ଦେଶ୍ୟରେ ଉକ୍ତ ପ୍ରବନ୍ଧଟି ଉଚିତ । 

       ସୁସ୍ଥାବସ୍ଥାରେ ଆମର ଜୀବନୀ ଶକ୍ତି ବା ଜୈବ ପ୍ରକୃତି ଜଡ ଦେହକୁ ସଞ୍ଜିବିତ କରି ଏପରି ଆଧିପତ୍ୟ ବିସ୍ତାର କରିଥାଏ ଯେ ଦେହରେ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ପରସ୍ପର ମଧ୍ୟରେ ସହଯୋଗିତା ରକ୍ଷା କରି ଶୃଙ୍ଖଳିତ ଭାବରେ ସ୍ବକୀୟ କାର୍ଯ୍ୟ ସମ୍ପାଦନ କରନ୍ତି । ଏହି ଜୀବନୀ ଶକ୍ତି ଯେ ପର୍ଯ୍ୟନ୍ତ ସ୍ବଚ୍ଛନ୍ଦରେ ଥାଏ ସେ ପର୍ଯ୍ୟନ୍ତ  କୌଣସି ଉତ୍ପାତ ବା ଉପଦ୍ରବ ତାକୁ ସ୍ପର୍ଶ କରି ପାରେ ନାହିଁ । ଅନ୍ୟ ଅର୍ଥରେ ରୋଗ ପ୍ରତିରୋଧକ/ ପ୍ରତିକାରକ ଶକ୍ତିରେ ଜୈବ ପ୍ରକୃତିଟି ସମ୍ପନ୍ନ ଥାଏ । ତେଣୁ ଆମେ ଯେତେବେଳେ ରୋଗରେ ପଡୁଁ ସେତେବେଳେ ଆମର ଦେହ ଆକ୍ରାନ୍ତ ହୁଏ ନାହିଁ , ପରନ୍ତୁ ଆମର ଜୈବ ପ୍ରକୃତି ହିଁ  ଆକ୍ରାନ୍ତ ହୁଏ, କାରଣ ଗୃହ ସ୍ବାମୀକୁ ଆକ୍ରମଣ ନ କରି କେହି ଗୃହର କୌଣସି ସ୍ଥାନକୁ ଅଧିକାର କରି ପାରିବ ନାହିଁ ।

 ଅଧିକାଂଶ ଚିକିତ୍ସକ ଜୀବାଣୁବାଦ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ବିଭିନ୍ନ ରୋଗ ପାଇଁ ବିଭିନ୍ନ ଜୀବାଣୁମାନଙ୍କୁ ଦାୟୀ କରନ୍ତି ଓ ସେମାନଙ୍କ ବିନାଶ ନିମିତ୍ତ ବିଭିନ୍ନ ଜୀବାଣୁ ବିନାଶକାରୀ ଔଷଧର ପ୍ରତିବିଧାନ କରନ୍ତି । ତଦ୍ବାରା ହୁଏତ ରୋଗ ଲକ୍ଷଣ କିଛି ସମୟ ଲାଗି ପ୍ରତିହତ ହୋଇପାର, କିନ୍ତୁ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ପାରେ ନାହିଁ । ଅନେକ ସମୟରେ ଏହିପରି ଔଷଧ ସେବନ ଜନିତ କୁଫଳ ମଧ୍ୟ ରୋଗୀକୁ ଭୋଗିବାକୁ ପଡେ । ଆମକୁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ସବୁ ଜୀବାଣୁ ଶତ୍ରୁଭାବାପନ୍ନ ନୁହନ୍ତି । ଆମ ଦେହରେ  ଯେତେ ସଂଖ୍ୟକ ଜୀବାଣୁ ଅଛନ୍ତି ତାଦ୍ଦ୍ବାରା ଆମର ଅସ୍ତିତ୍ୱ ରକ୍ଷା କରିବାକୁ ବି ଆମେ ସମର୍ଥ ହୋଇ ପାରେନ୍ତ ନାହିଁ । ଗୋଟିଏ ଜୀବାଣୁ ୨୪ଘଣ୍ଟା ମଧ୍ୟରେ ତିରିଶ ଲକ୍ଷ  କୋଟି ଜୀବାଣୁକୁ ଜନ୍ମ ଦେଇ ପାରେ । ତେଣୁ  ଏଇ ସବୁ କ୍ଷୁଦ୍ର ଜୀବାଣୁମାନଙ୍କୁ ଶତ୍ରୁଭାବାପନ୍ନ ଓ ରୋଗର କାରଣ ମନେ କରି ସେମାନଙ୍କ ପ୍ରତି ଅଯଥା ଦୋଷାରୋପହିଁ କରାଯାଇଛି ।

 ମହାତ୍ମା ହାନିମ୍ୟାନ ଏସବୁ ବିଷୟ ହୃଦୟଙ୍ଗମ କରି ରୋଗର ମୂଳ କାରଣ ସ୍ବରୂପ ସୋରା (PSORA) ଅର୍ଥାତ୍ ଯୌନ ଚେତନାର ବିକୃତ ପରିଣତି ବା ଅପ୍ରକୃତିସ୍ଥ ଅବସ୍ଥା ବୋଲି ପ୍ରଣାମ କରିଛନ୍ତି । କାରଣ ଯୌନ ଚେତନାର ପ୍ରକୃତିସ୍ଥ ଅବସ୍ଥା ଆମର କଲ୍ୟାଣକାରୀ ଓ ତା’ର ଅପ୍ରକୃତିସ୍ଥ ଅବସ୍ଥା ଅନିଷ୍ଟକାରୀ ହୁଏ । ଏପରି ଅବସ୍ଥାରେ ଯେତେବେଳେ ଜୀବନୀ ଶକ୍ତି ଅସ୍ବଚ୍ଛନ୍ଦ ହୋଇଥାଏ, ସେତେବେଳେ ଜୀବାଣୁ ବା ଅନ୍ୟ ସବୁ ବାହ୍ୟ ବସ୍ତୁ ଆମ ଉପରେ ପ୍ରଭାବ ବିସ୍ତାର କରିବାକୁ ସୁବିଧା ପାଏ । ଏହି ହେତୁରୁ ହୋମିଓ ପ୍ୟାଥି ରୋଗର ଗୌଣ କାରଣ ଅପେକ୍ଷା ମୁଖ୍ୟ କାରଣର ପ୍ରତିକାର ପାଇଁ କହେ  Treat the patient, not the disease ”  ଅର୍ଥାତ ରୋଗର ନୁହେଁ, ରୋଗୀର ଚିକିତ୍ସା କର । କାରଣ ରୋଗ କୌଣସି ଶାରୀରିକ ବ୍ୟାପାର ନୁହେଁ । ଶରୀରରେ ତା’ର ଯେଉଁ ଅଭିବ୍ୟକ୍ତି ପ୍ରକାଶ ପାଏ ତାହା ସ୍ଥୂଳ ଦେହକୁ ଆକ୍ରମଣ କରିଛି ଭାବି ସ୍ଥୂଳ ଔଷଧ ପ୍ରୟୋଗ କଲେ ତାହା ସୂକ୍ଷ୍ମ ରୋଗ ଶକ୍ତିକୁ ଦୂର କରିବା ପରିବର୍ତ୍ତେ କେବଳ ସ୍ଥୂଳ ଶରୀରର କ୍ଷତି ଘଟାଇଥାଏ । ଅନ୍ୟ ପକ୍ଷରେ ରୋଗ ଶକ୍ତି ଦ୍ୱାରା ଆକ୍ରାନ୍ତ ହୋଇ କଷ୍ଟ ପାଉଥିବା ଜୀବନୀ ଶକ୍ତି (Vital energy) ସ୍ଥୂଳ ଔଷଧ ଚାପରେ ଆହୁରି ବିପନ୍ନ ହୋଇପଡେ । ଆରୋଗ୍ୟ ବିଧାନ ହୋଇ ପାରୁ ନ ଥିବାରୁ ଏଭଳି ଚିକିତ୍ସାର ପରିଣାମ କ୍ଷତିକାରକ ହୁଏ । 

 ହ୍ୟାନିମାନ ଯେତେବେଳେ ଏକଥା ବୁଝି ପାରିଲେ ଏକ ନୂତନ ଚିକତ୍ସା ପଦ୍ଧତି ଆବିଷ୍କାର କରିବାକୁ ଗବେଷଣା ରତ ହେଲେ । ବହୁ ଗବେଷଣା ଓ ଅଭିଜ୍ଞତା ପରେ ସେ ହୋମିଓ ପ୍ୟାଥି ବା ସଦୃଶ ବିଧାନ ଚିକିତ୍ସା ପ୍ରଣାଳୀର ସନ୍ଧାନ ପାଇଥିଲେ । ବିଜ୍ଞାନ ଓ ଦର୍ଶନର (Science and Philosophy )ଯୁଗପତ ସମ୍ମେଳନରୁ ଏହି ପ୍ରଣାଳୀ ସୃଷ୍ଟି । ବିଜ୍ଞାନ ଅପେକ୍ଷା ସତ୍ୟ ହିଁ ସର୍ବଶ୍ରେଷ୍ଠ । କାରଣ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଏପରି ଅନେକ କିଛି ଅଛି ଯାହାକୁ ବିଜ୍ଞାନ ପ୍ରତ୍ୟକ୍ଷ ଭାବରେ ପ୍ରମାଣ କରିବାକୁ ସମର୍ଥ ହୋଇପାରିନି । ଏକ ସୂକ୍ଷ୍ମ ବୀଜରୁ ଗୋଟିଏ ମହାଦ୍ରୁମର ଅଭ୍ୟୁଦୟ କିପରି ହେଲା ଏହାକୁ କ’ଣ ପ୍ରତ୍ୟକ୍ଷ କରିବା ସମ୍ଭବପର? ଯଦି ଏହା ସମ୍ଭବପର ନୁହେଁ ତା’ ହେଲେ କ’ଣ ବୃକ୍ଷର ଅସ୍ତିତ୍ୱକୁ ଅସ୍ବୀକାର କରାଯିବ? ତେଣୁ ହୋମିଓପ୍ୟାଥି ଈଶ୍ୱର ବିଶ୍ୱାସ କରେ । ଆତ୍ମାର ଅସ୍ତିତ୍ୱ ବିଷୟକୁ ସ୍ବୀକାର କରେ ଏବଂ ଜୀବନୀ ଶକ୍ତି  ବା ଜୈବ ପ୍ରକୃତି  ଉପରେ ବିଶ୍ୱାସ କରେ । ତେଣୁ ହୋମିଓ ପ୍ୟାଥି ବିଜ୍ଞାନଠାରୁ ମଧ୍ୟ ଶ୍ରେଷ୍ଠ । ସେହି ସୂକ୍ଷ୍ମ ସତ୍ୟର ଅଧିକାରୀ ହୋଇଥିବାରୁ ତା’ର ସଦୃଶ ବିଧାନ ସବୁବେଳେ ସବୁ କ୍ଷେତ୍ରରେ ସୁଫଳ ପ୍ରଦାନ କରେ । 

 *ସଦୃଶ ବିଧାନ ବା ହୋମିଓପ୍ୟାଥି କ’ଣ?* 

ଯେ କୌଣସି ସୁସ୍ଥ ଲୋକ ଦେହରେ ନିର୍ଦ୍ଧିଷ୍ଟ ଏକ ପ୍ରକାର ଔଷଧ ବାରମ୍ବାର ପ୍ରୟୋଗ କଲେ ଭେଷଜ ଲକ୍ଷଣ ଜାତ କେତେଗୁଡିଏ ପୀଡାର  ସଦୃଶ ଲକ୍ଷଣ ପ୍ରକାଶ ପାଏ । କୌଣସି ରୋଗରେ ସେହି ସବୁ ଲକ୍ଷଣ ପ୍ରକାଶିତ ହେଲେ ସେହି ରୋଗରେ ସେହି ଔଷଧର ସୂକ୍ଷ୍ମ ମାତ୍ରା ଦ୍ୱାରା ଚିକିତ୍ସା କରିବାକ ହିଁ ସଦୃଶ ବିଧାନ ବା ହୋମିଓ ପ୍ୟାଥି ଚିକିତ୍ସା କୁହାଯାଏ । ଉଦାହରଣ ସ୍ବରୂପ ସୁସ୍ଥ ଶରୀରରେ ସିଙ୍କାନାର ଛାଲି ସେବନ କଲେ କମ୍ପ ଜ୍ୱର ଉପସ୍ଥତି ହୁଏ । ଅଥଚ ଏହାହିଁ କମ୍ପଜ୍ୱର (ମ୍ୟାଲେରିଆ) ର ପ୍ରାଧନ ଔଷଧ । କିନ୍ତୁ ଏହାକୁ ସ୍ଥୂଳ ମାତ୍ରାରେ ଔଷଧ ହିସାବରେ ପ୍ରୟୋଗ କରିବା ଦ୍ୱାରା ରୋଗ ଆରୋଗ୍ୟ ହୋଇଯାଏ ସତ; କିନ୍ତୁ କିଛି ଦିନ ପରେ ରୋଗୀଠାରେ ପୁନରାୟ କେତେକ ନୂତନ ପ୍ରକାରର କୁଲକ୍ଷଣ ସୃଷ୍ଟି ହୁଏ । ଦେଖାଯାଏ ଯେ କୁଇନାଇନ ସେବନ ଦ୍ୱାରା ଜ୍ୱର ଆରୋଗ୍ୟ ହୁଏ; କିନ୍ତୁ ପରେ ରକ୍ତଶୂନ୍ୟତା, ପ୍ଲୀହା, ଯକୃତ ବୃଦ୍ଧି, ଫୁସ ଫୁସ ପ୍ରଦାହ ଆଦି ନାନା ପ୍ରକାରର ନୂତନ ଉପସର୍ଗ ରୋଗୀଠାରେ ପ୍ରକାଶିତ ହୋଇଥାଏ । ଏହାକୁ ଲକ୍ଷ୍ୟ କରି  ହ୍ୟାନିମ୍ୟାନ ସ୍ଥୂଳ ଔଷଧ ମଧ୍ୟରେ ସୂକ୍ଷ୍ମ ସତ୍ତାର ଉନ୍ମେଷ କଥା ପରିକଳ୍ପନା କଲେ । ସେ ପରୀକ୍ଷା କରି ଦେଖିଲେ ଯେ ଔଷଧ ମାତ୍ରା ଯେତେ ସ୍ବଳ୍ପ ଓ ସୂକ୍ଷ୍ମ ହେଉଛି । ଆରୋଗ୍ୟଦାୟିନୀ ଶକ୍ତି ପୂର୍ବ ପରି ସ୍ଥିର ରହୁଛି; କିନ୍ତୁ ପୂର୍ବ ପରି କୌଣସି ନୂତନ ଉପସର୍ଗ ବା କୁଫଳ ସୃଷ୍ଟି ହେଉ ନାହିଁ । ତା’ ପରେ ସେ ଔଷଧଗୁଡ଼ିକର ପରିମାଣକୁ କ୍ରମଶଃ ଭଗ୍ନାଂଶ ଆକାରରେ ପ୍ରୟୋଗ କରିବାକୁ ଲାଗିଲେ । ଏହାକୁ ସେ  ଫ୍ରେଞ୍ଚ ସ୍ପିରିଟ, ଦୁଗ୍ଧ ଶର୍କରା ଓ ପରିସ୍ରୁତ ଜଳ ସହିତ ମିଶ୍ରଣ କରି ବ୍ୟବହାର କରୁଥିଲେ । ଏହାହିଁ ହୋମିଓ ପ୍ୟାଥି ବା ସଦୃଶ ବିଧାନ ଚିକିତ୍ସା ନାମରେ ବର୍ତ୍ତମାନ ପ୍ରଚଳିତ ହେଉଛି ।

 *ହୋମିଓ ପ୍ୟାଥି ଦର୍ଶନ* 

 ହୋମିଓ ପ୍ୟାଥି କୌଣସି ରୋଗର ନାମ ଅନୁସାରେ ଚିକିତ୍ସା ବ୍ୟବସ୍ଥା କରିବାକୁ ସମୀଚୀନ ମନେ କରେ ନାହିଁ । କାରଣ ହୋମିଓ ପ୍ୟାଥି  ଦର୍ଶନ ଅନୁସାରେ ଭିନ୍ନ ଭିନ୍ନ ଚରିତ୍ରରେ ରୋଗ ମଧ୍ୟ ଭିନ୍ନ ହୁଏ । ତେଣୁ ପ୍ରତ୍ୟେକ ରୋଗୀକୁ ବ୍ୟକ୍ତିଗତ ଭାବରେ ପରୀକ୍ଷଣ କରି ତଦନୁଯାୟୀ ବ୍ୟବସ୍ଥା କରିବା ଯୁକ୍ତି ସଙ୍ଗତ । ବାହ୍ୟିକ ଦୁଷିତ ବାଷ୍ପ ବା ବିଷାକ୍ତ ଜୀବାଣୁକୁ ରୋଗର କାରଣ ବୋଲି ହୋମିଓପ୍ୟାଥିରେ ଗ୍ରହଣ କରାଯାଏ ନାହିଁ । ଏହି ଦର୍ଶନ ଅନୁସାରେ ରୋଗ ଶାରୀରିକ ବ୍ୟାପାର ନୁହେଁ । ଶରୀରର ପ୍ରତ୍ୟେକ ଅଣୁ-ପରମାଣୁ ଉପରେ କ୍ଷମତା ବିସ୍ତାର କରି ଯାହା ସେମାନଙ୍କୁ ସ୍ବ ସ୍ବକାର୍ଯ୍ୟ ସାଧନ କରିବାକୁ ସଞ୍ଜିବୀତ ରଖିଅଛି ସେହି ଜୀବନୀ ଶକ୍ତି ବା ଜୈବ ପ୍ରକୃତି ଯେତେବେଳେ ବିଶୃଙ୍ଖଳ ହୋଇ ପଡେ ବା ବା ତା’ର  ସ୍ବଭାବିକ ନିୟମରେ ଯେତେବେଳେ ବ୍ୟତିକ୍ରମ ଘଟେ । ସେତେବେଳେ ସେହି ବିଶୃଙ୍ଖଳା ବା ବ୍ୟତିକ୍ରମର ଅଭିବ୍ୟକ୍ତିକୁ ହିଁ ରୋଗ ବୋଲି କୁହାଯାଏ । ହୋମିଓପ୍ୟାଥି  ଏହା ମଧ୍ୟ ସ୍ବୀକାର କରେ ଯେ ଶରୀର ଓ ଜୀବନୀ ଶକ୍ତି ବ୍ୟତୀତ ଆମ ମଧ୍ୟରେ ଆଉ ଏକ ସତ୍ତାର ଅସ୍ତିତ୍ୱ ଅଛି ଯାହାକୁ ମୁଁ ବା ଆତ୍ମା ବୋଲି କୁହାଯାଏ । ଏହି ‘ମୁଁ’ ର ଇଚ୍ଛାରେ ହିଁ ଆମେ ଶରୀର ଧାରଣ କରିଛେ ଏବଂ ତାକୁ ବାହ୍ୟ ଉପଦ୍ରବରୁ ରକ୍ଷା କରି ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଯେଉଁ ଶକ୍ତି ନିୟୋଗ ଥାଉଁ, ତା’ର ନାମ ଜୀବନୀ  ଶକ୍ତି  କେବଳ ମାତ୍ର ସେତେବେଳେ ହିଁ ବାଧାପ୍ରାପ୍ତ ହୁଏ । ଯେତେବେଳେ ଆମେ ଅସଂଯତ ଓ ଉଶୃଙ୍ଖଳ ହୋଇ ପଡୁଁ । ହାନିମ୍ୟାନ୍ ବହୁ ଗବେଷଣା କରି ଏହି ସତ୍ୟରେ ଉପନୀତ ହେଲେ ଯେ ହୋମିଓ ପ୍ୟାଥି ହିଁ ଆରୋଗ୍ୟ ସାଧନର ଏକମାତ୍ର ପ୍ରାକୃତିକ ନୀତି । ମନୋବିଜ୍ଞାନ ଏକଥା ସ୍ବୀକାର କରେ ଯେ ଅନ୍ୟର ବ୍ୟଥିତ କାହାଣୀ ବ୍ୟଥିତ ହୃଦୟକୁ ସାନ୍ତ୍ୱନା ପ୍ରଦାନ କରେ । ତେଣୁ ଶାରୀରିକ ଓ ମାନସିକ  ଅସ୍ବଚ୍ଛଳତାର ସମଧାର୍ମିକ ଔଷଧର ସ୍ବରୂପ ବା ଚରିତ୍ର ଜାଣିବା ପାଇଁ ସୁସ୍ଥ ମାନବ ଶରୀରରେ ତାହା ପ୍ରୟୋଗ କରି କିଭଳି କ୍ରିୟା ଏବଂ ପ୍ରତିକ୍ରିୟା ସୃଷ୍ଟି ହେଉଛି ତାହା ଲକ୍ଷ୍ୟ କରାଯାଏ । ତଦୁପରାନ୍ତ  କୌଣସି ଅସୁସ୍ଥ ବ୍ୟକ୍ତି ମଧ୍ୟରେ ସେପରି ଲକ୍ଷଣ ସବୁ ପ୍ରକାଶ ପାଇଲେ ପରୀକ୍ଷିତ ଔଷଧଟିକୁ ରୋଗୀର ସମଧର୍ମିୀ ବୋଲି କୁହାଯାଏ । ଆର୍ୟୁବେଦ ମଧ୍ୟ କହେ,  “ସମଃ ସମଂ ସମୟତି” । ରୌଦ୍ର ତାପରେ ବୁଲି ବୁଲି କ୍ଲାନ୍ତ ଶ୍ରାନ୍ତ ହୋଇ ଗୋଟିଏ ଗ୍ଲାସ ଥଣ୍ଡା ସର୍ବତ ଅପେକ୍ଷା ଗୋଟିଏ କପ୍  ଚା ଖୁବ ଆରାମ ପ୍ରଦାନ ପ୍ରଦାନ କରିଥାଏ । ଏହାହିଁ ସଦୃଶ ବିଧାନ (ହୋମିଓପ୍ୟାଥି) ପ୍ରଣାଳୀ । ହାନିମ୍ୟାନଙ୍କ ଭାଷାରେ ଏହାକୁ “ ସମଲକ୍ଷଣ ବିଶିଷ୍ଟ ରୋଗ ପାଇଁ ସମଲକ୍ଷଣ ବିଶିଷ୍ଟ ଔଷଧ ବିଧାନ ପ୍ରଣାଳୀ ବା ହୋମିଓ ପ୍ୟାଥି)କୁହାଯାଏ । କେବଳ ସମଲକ୍ଷଣ ବିଶିଷ୍ଟ ଔଷଧ ପ୍ରୟୋଗ କଲେ ହେବ ନାହିଁ, ତା’ର ସୂକ୍ଷ୍ମ ମାତ୍ରା ପ୍ରୟୋଗ ମଧ୍ୟ ଅପରିହାର୍ଯ୍ୟ ।

 ହାନିମ୍ୟାନ୍ ଗବେଷଣା ଦ୍ୱାରା ପ୍ରମାଣ କରି ପାରିଛନ୍ତି ଯେ ରୋଗ କୌଣସି  ସ୍ଥୂଳ ପଦାର୍ଥ  ନୁହେଁ । ଏହା ଅତି ସୂକ୍ଷ୍ମ ଭାବରେ ଆମ ଭିତରେ ବିପର୍ଯ୍ୟୟ ସୃଷ୍ଟି କରେ । ତେଣୁ ତା’ର ପ୍ରତିକାର ପାଇଁ ଔଷଧକୁ ମଧ୍ୟ ଅତି ସୂକ୍ଷ୍ମ ଭାବରେ ପ୍ରୟୋଗ କରିବା ଉଚିତ । ଶେଷରେ ସୋରା  ବା ମନଃ  କଣ୍ଡୁୟନର ସଂସ୍କାର ବା ସଂଶୋଧନ ବ୍ୟତୀତ  ସଦୃଶ ବିଧାନ ତାହା ମୋଟେ ସହଜ ବ୍ୟାପାର ନୁହେଁ । କେଉଁ କେବେହେଲେ ଚିରସ୍ଥାୟୀ ଭାବେ କୃତକାର୍ଯ୍ୟ ହୋଇପାରେ ନାହିଁ । କାରଣ ସମଧାର୍ମୀକ ଔଷଧ ନିର୍ବାଚନ ପାଇଁ ଯେଉଁ ଲକ୍ଷଣ ସମଷ୍ଟି ସଂଗ୍ରହ କରିବାକୁ ହୁଏ ଲକ୍ଷଣଟି ପ୍ରୟୋଜନୀୟ, କେଉଁ ଲକ୍ଷଣଟିର ଅର୍ଥ କିପରି ଭାବେ ଗ୍ରହଣ କରିବା ଉଚିତ ଏବଂ ତା’ର ସମଷ୍ଟିଗତ ଅର୍ଥରେ ରୋଗୀର ସମଗ୍ର ରୋଗର ରୂପଟି ପୂର୍ଣ୍ଣମାତ୍ରାରେ ପ୍ରକାଶ ପାଇଛି କି ନାହିଁ-ଏସବୁ ସୂକ୍ଷ୍ମ ଭାବରେ  ଅନୁଧ୍ୟାନ କରିବାକୁ ହେବ । ଏହି ସୂକ୍ଷ୍ମ ଦୃଷ୍ଟି ଅର୍ଜନ କରିବା ପାଇଁ ହୋମିଓ ପ୍ୟାଥି ସମ୍ବନ୍ଧରେ ଗଭୀର ଜ୍ଞାନର ପ୍ରୟୋଜନ ହୁଏ । ସେଥିପାଇଁ ଚିକିତ୍ସକର ଆନ୍ତରିକ ନିଷ୍ଠା ଓ କଠିଣ ଅଧ୍ୟବସାୟ ଏକାନ୍ତ ଅପରିହାର୍ଯ୍ୟ ।  ନଚେତ୍ ହୋମିଓ ପ୍ୟାଥି ଚିକିତ୍ସା ବ୍ୟର୍ଥତାରେ ପର୍ଯ୍ୟବସିତ ହୁଏ । 

🌹🌹🌹🌹🌹🌹🌹🌹🌹

ଯୋଗାଯୋଗ:-

ଶିବ -ଶକ୍ତି ହୋମିଓ ସେବା ସଦନ

କାଦୋପଡା ଗଳି, ବସ ଷ୍ଟାଣ୍ଡ,

ପାଟଣାଗଡ (ବଲାଙ୍ଗିର ) ଓଡିଶା ।

ମୋବାଇଲ- ୯୪୩୭୨୧୦୨୯୬

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,