(୬)ଔଷଧ ଉଦ୍ଭିଦ

    ସ୍ବାସ୍ଥ୍ୟ ସୁରକ୍ଷା(୬)

ଔଷଧ ଉଦ୍ଭିଦ

ସଂଗ୍ରାହକ- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ଗଙ୍ଗ ଶିଉଳି:

 ଏହି ପତ୍ରର ରସ ସହିତ ମହୁ ମିଶାଇ ଖାଇଲେ ପୁରାତନ ଜ୍ୱର ଭଲ ହୁଏ । ପତ୍ରକୁ ପାଣିରେ ସିଝାଇ ନିୟମିତ ବ୍ୟବହାର କଲେ ପକ୍ଷାଘାତ ରୋଗ ଭଲ ହୁଏ ।

ଗୁଳୁଚି: 

ଗୁଳୁଚି ପାଳୁଅ ଓ ମିଶ୍ରିଗୁଣ୍ଡ ଏକତ୍ର ଖାଇଲେ ଶରୀର ପୁଷ୍ଟ ହୁଏ ।

ଗେଣ୍ଡୁ: 

ସଦ୍ୟ କଟା ଘା’ରେ ଗେଣ୍ଡୁପତ୍ର ରସ ଦେଲେ ରକ୍ତସ୍ରାବ ବନ୍ଦ ହୁଏ ।
ଘାଆଶୁଖା: କ୍ଷତ ସ୍ଥାନରେ ଏହି ପତ୍ର ଲଗାଇଲେ ଘା’ ଶୀଘ୍ର ଶୁଖିଯାଏ, ଏହାକୁ କ୍ରମାଗତ ଭାବରେ ବ୍ୟବହାର କଲେ ପୁରୁଣା ଘା’ ମଧ୍ୟ ଭଲ ହୋଇଯାଏ ।

ଘି କୁଆଁରୀ: 

ଫୁଲିଥିବା କିମ୍ବା ଦରଜ ହୋଇଥିବା ସ୍ଥାନରେ ଘିକୁଆଁରୀ ରସ ଲଗାଇଲେ ବ୍ୟଥା କମେ । ଏହାର ରସରେ ଚିନି ବା ଦୁଧ ମିଶାଇ ସେବନ କଲେ ଗନେରିଆ ଭଲ ହୁଏ । ହଳଦୀ ସହିତ ଏହାର ରସ ମିଶାଇ ଲଗାଇଲେ ଚର୍ମରୋଗ ଓ କଣ୍ଡୁ ଭଲ ହୁଏ । ଏହାର ଉପର ଚୋପା ବାହାର କରି ୩/୪ ଦିନ ପର୍ଯ୍ୟନ୍ତ ଭାତୁଡ଼ି ଉପରେ ବାନ୍ଧିଲେ ଭାତୁଡ଼ି ମିଳାଇ ଯାଏ । ଏହାର ରସକୁ ମୁଣ୍ଡରେ ଲଗାଇଲେ ମୁଣ୍ଡ ଥଣ୍ଡା ରହେ ଓ ବାତପିତ୍ତ ଶାନ୍ତ ହୁଏ ।

ତୁଳସୀ: 

ଗୁଜୁରାତି ଦାନାକୁ ବାଟି ତୁଳସୀ ରସ ସାଙ୍ଗରେ ମିଶାଇ ଖାଇଲେ ଅମାଶୟ ଭଲ ହୁଏ । ତୁଳସୀ ପତ୍ର ଓ ଗୋଲମରିଚ ଏକାଠି ଖାଇଲେ ବାନ୍ତି ବନ୍ଦ ହୁଏ । ତୁଳସୀ ପତ୍ର ରସ ପକାଇଲେ କାନଟଣା ବନ୍ଦ ହୁଏ । ବିଷାକ୍ତ ଜୀବ ଦଂଶନ କରିଥିଲେ କାମୁଡ଼ା ସ୍ଥାନରେ ତୁଳସୀ ପତ୍ର ରସ ଓ ଲୁଣ ମିଶାଇ ଲଗାଇଲେ ବେଦନା ଦୂର ହୁଏ । ନାକରୁ ରକ୍ତ ପଡୁଥିଲେ ଶୁଖିଲା ତୁଳସୀ ପତ୍ରକୁ ଚୁନା କରି ଶୁଙ୍ଘିଲେ ରକ୍ତ ପଡ଼ିବା ବନ୍ଦ ହୋଇଯାଏ । ପ୍ରତିଦିନ ଦୁଇଟୋପା ତୁଳସୀ ପତ୍ର ରସ ଆଖିରେ ପକାଇଲ, ଦୃଷ୍ଟି ଦୋଷ ଦୂର ହୁଏ । ତୁଳସୀପତ୍ରକୁ ଚୂନା କରି ଲେମ୍ବୁରସରେ ମିଶାଇ ଲଗାଇଲେ ଯାଦୁ, କାଛୁ, କୁଣ୍ଡିଆ, ବିଇଞ୍ଚି ଆଦି ଚର୍ମରୋଗ ଭଲ ହୁଏ । ତୁଳସୀ ମୂଳର ରସ ପିଇଲେ ସର୍ପ ବିଷ ଦୂର ହୁଏ । ତୁଳସୀ ପତ୍ର ଚୋବାଇ ଖାଇଲେ ଶରୀରରେ ପ୍ରବେଶ କରିଥିବା ରୋଗ ଜୀବାଣୁ ନଷ୍ଟ ହୋଇଯାନ୍ତି । ଶୁଖିଲା ତୁଳସୀ ମୂଳ ଏବଂ ମଞ୍ଜରୀ ସମାନ ପରିମାଣରେ ବାଟି ଘିଅ ସହିତ ମିଶାଇ ଉପରେ ଲଗାଇଲେ ଘା’ ଶୀଘ୍ର ପୁରିଯାଏ ଓ ଶୁଖିବାକୁ ଲାଗେ । 

ଥାଲକୁଡ଼ି: 

ଏହାର ପତ୍ର ସହିତ କଅଁଳ ବର ଓହଳ ବାଟି ଖାଇବାକୁ ଦେଲେ ଶିଶୁ ମାନଙ୍କର ନାଳ ଝାଡ଼ା ବନ୍ଦ ହୁଏ ।
ଦୁବ: ଛେଚା ବା କଟା ଘା’ରେ ଦୂବ ରସ ଲଗାଇଲେ ବା ଦୂବ ଛେଚି କରି ବାନ୍ଧିଲେ ରକ୍ତସ୍ରାବ ବନ୍ଦ ହୁଏ ଓ କ୍ଷତ ଶୀଘ୍ର ଶୁଖେ ।

ଧନ୍ୱନ୍ତରୀ: 

ମାଙ୍କଡ଼ସା ଲାଗି ଦେହରେ ଘା’ ହେଲେ ଏହି ପତ୍ର ରସକୁ ଲଗାଇଲେ ଭଲ ହୁଏ । ଗୋରୁ ମାନଙ୍କ ପେଟ ଟାଣିଲେ ଧନ୍ୱନ୍ତରୀ ପତ୍ର, ଅରୁଆ ଚାଉଳ ଓ ଲୁଣ ଏକତ୍ର ବାଟି ଖୁଆଇଲେ ପେଟ ଟଣା ଭଲ ହୁଏ ।

ପାନ: 

ଏହା କଫ ଓ ବାୟୁନାଶକ

ପିପରମେଣ୍ଟ: 

ଏହାର ରସ ଜୀର୍ଣ୍ଣକାରକ ଓ ଚଟଣି ରୁଚିକର

ପୋଟଳ:

 ପୋଟଳ ପତ୍ରର ରସ ଯକୃତ ଜନିତ ଅଗ୍ନିମାନ୍ଦ୍ୟ ରୋଗର ପ୍ରଧାନ ଔଷଧ ।

ପାଳଧୂଆ: 

ଏହି ପତ୍ରର ରସ ଖାଇଲେ କଫ, ବାତ, ପିତ, ମେହ, କୃମି ଓ ଅଗ୍ନିମାନ୍ଦ୍ୟ ପ୍ରଭୃତି ଦୂର ହୁଏ । ନଡ଼ିଆ, ଦୁଧ ଓ ପାଳଧୁଆ ପତ୍ର ଏକତ୍ର ବାଟି ଖାଇଲେ ସ୍ତ୍ରୀ ଲୋକମାନଙ୍କର କ୍ଷୀର ବୃଦ୍ଧି ହୁଏ । ଏହାର ରସ ସହିତ ମଧୁ ମିଶାଇ ଖାଇଲେ କୃମି ନାଶ ହୁଏ ।

ପସାରୁଣୀ:

 ଅଜୀର୍ଣ୍ଣ ବା ପେଟର ଗୋଳମାଳ ଥିଲେ ପସାରୁଣୀ ପତ୍ରର ରସ ବ୍ୟବହାର କଲେ ଉପକାର ମିଳିଥାଏ । ପସାରୁଣୀ ପତ୍ରକୁ ତରକାରି କରି ଖାଇଲେ କୋଷ୍ଠବଦ୍ଧତା ଭଲ ହୁଏ । ଅଣ୍ଟା ଦରଜ ହେଲେ ଏହାର ପତ୍ରକୁ ଅରୁଆ ଚାଉଳ ସହିତ ବାଟି ପିଠାକରି ଖାଇଲେ ଅଣ୍ଟା ଦରଜ ଭଲ ହୁଏ । ପସାରୁଣୀର ତୈଳ ମାଲିସ କଲେ ବାତ ଓ ଫୁଲା କମିଯାଏ ।

ପୋଦିନା:

 ଏହି ପତ୍ରର ରସ ଜୀର୍ଣ୍ଣକାରକ ଅଟେ । ପୋଦିନା ପତ୍ରର ଚଟଣି ଖାଇଲେ ଅରୁଚି ଛାଡ଼ିଯାଏ । ଏହାର ଅର୍କରୁ କେତେ ବୁନ୍ଦା ପାଣିରେ ମିଶାଇ ଖାଇଲେ ଅଜୀର୍ଣ୍ଣ ଓ ପେଟର ଗୋଳମାଳ ଭଲ ହୁଏ ।

ବେଲ: 

ବେଲ ଗଛର ପତ୍ର ଜୀର୍ଣ୍ଣକାରକ । ଏହା ସହିତ ମହୁ ମିଶାଇ ଖାଇଲେ କିମ୍ବା ଶୁଣ୍ଠି ପିପ୍ପଳି ଚୁର୍ଣ୍ଣ ସହିତ ଏକ ସପ୍ତାହ ବ୍ୟବହାର କଲେ ଶୋଥ ଓ କାମଳ ରୋଗ ଭଲ ହୁଏ । କଞ୍ଚା ବେଲକୁ ପୋଡ଼ି ଲାଲ ଶସକୁ ଖାଇଲେ ଅମାଶୟ ରୋଗ ଭଲ ହୁଏ । ପାଚିଲା ବେଲ ନିୟମିତ ସେବନ କଲ ଦେହ ହୃଷ୍ଟପୁଷ୍ଟ ରହେ । ବେଲ ମୂଳର ଛେଲିକୁ ପାଣିରେ ସିଝାଇ ମହୁ ସହିତ ସେବନ କଲେ ବାନ୍ତି ଭଲ ହୁଏ ।

ବଜ୍ରମୂଳୀ:

 ବଜ୍ରମୂଳୀ ଚେରକୁ ଦୁଧ ସଙ୍ଗରେ ନିୟମିତ ରୂପେ ବ୍ୟବହାର କଲେ ଶରୀର ହୃଷ୍ଟପୁଷ୍ଟ ହୁଏ । ପ୍ରତିଦିନ ବଜ୍ରମୂଳୀ ଦାନ୍ତକାଠି ରୂପେ ବ୍ୟବହାର କଲେ ଦାନ୍ତ ମଜବୁତ  ରହେ ।

ବ୍ରାହ୍ମୀ : 

ମସ୍ତିଷ୍କ ଭଲ ରଖିବାର ଏହା ଏକ ଅବ୍ୟର୍ଥ ଔଷଧ । ବ୍ରାହ୍ମୀଘୃତ ସେବନ କଲେ ଶରୀର ହୃଷ୍ଟପୃଷ୍ଟ ଓ ମସ୍ତିଷ୍କ ବିକୃତି ଆରୋଗ୍ୟ ହୁଏ ।

ବାହାଡ଼ା:

 ବାହାଡ଼ା ଫୁଲକୁ ନିୟମିତ ପାଣିରେ ପକାଇ ପିଇଲେ ଝାଡ଼ା ସଫା ହୁଏ । ପେଟର ଗୋଳମାଳ ଭାଙ୍ଗେ । ହରିଡ଼ା-ବାହାଡ଼ା-ଅଁଳା- ଏହା ତ୍ରିଫଳା ନାମରେ ପରିଚିତ । ଏହି ତ୍ରିଫଳାକୁ ଖରାରେ ଶୁଖାଇ ଗୁଣ୍ଡ କରି ପୂର୍ବ ଦିନ ରାତ୍ରିରେ ପାଣିରେ ପକାଇ ପରଦିନ ସକାଳୁ ନିୟମିତ ପିଇଲେ ଝାଡ଼ା ସଫା ହୁଏ । ‘ତ୍ରିଫଳା’ ପାଣି ନିୟମିତ ଆଖିରେ ଲଗାଇଲେ ଦୃଷ୍ଟିଶକ୍ତି ବଢ଼େ ।

ବାସଙ୍ଗ: 

ଶର୍ଦ୍ଦି, କାଶ, ଶ୍ୱାସ ରୋଗର ଏହା ଔଷଧ । ବାସଙ୍ଗ ପତ୍ରର ରସରୁ ପ୍ରସ୍ତୁତ ସିରପ ଓଟରା କାଶର ଔଷଧ । ବାସଙ୍ଗ ପତ୍ର ସିଝାଇ ସେହି ପାଣି ପିଇଲେ ଶୋଷ ଭଲ ହୁଏ ।
ବିସିରିପି ଘା’ ରେ ବଥ ବଢ଼ିଲେ ଏହାର ପତ୍ର ବାଟି ଉଷୁମ କରି ବୋଳି ଦେଲେ ପୀଡ଼ା କମେ ।

ବିଷକପୁରୀ ଗଚ୍ଛ: 

ଘା'ରେ ଏହାର ପତ୍ର ବାଟି ବା କଳାମରିଚ ବା ସ୍ୟାଇ ବାଟି ଦେଲେ ଘା’ର ବେଦନା କମିଯାଏ ।  

ନିର୍ମୁଳି: 

ଏହାକୁ ଛେଚି ତେଲରେ ଭାଜି କିମ୍ବା ଅଳ୍ପ ଗରମ କରି ଘା’ ଯୋଗୁଁ ଫୁଲିଯିବା ସ୍ଥାନରେ ବାନ୍ଧିଦେଲେ ବେଦନା କମିଯାଏ । 

ନିମ୍ବ:

 ନିମ୍ବପତ୍ର ଦେହର ବହୁ ରୋଗ ଭଲ କରେ । ନିମ୍ବପତ୍ର ସହିତ ମହୁ ମିଶାଇ ଖାଇଲେ କୃମି ଦୂର ହୁଏ । ନିମ୍ବତେଲ ଲଗାଇଲେ ଘା’ ଭଲ ହୁଏ । ନିମ୍ବପତ୍ର ସହ ସୁଣ୍ଠି ମିଶାଇ ଖାଇଲେ ବାତ ଜ୍ୱର ଭଲ ହୁଏ । ନିମ୍ବପତ୍ର ଓ ରାଶି ବାଟି ବ୍ରଣରେ ଲେପ ଦେଲେ ବ୍ରଣ ଶୁଖିଯାଏ । କଅଁଳ ନିମ୍ବପତ୍ର ଶାଗ ଖାଇଲେ ବସନ୍ତ ହୁଏ ନାହିଁ ।

ହରିଡ଼ା:

 ହରିଡ଼ା ଚୂର୍ଣ୍ଣ ସୈନ୍ଧବ ଲୁଣ ସହ ମିଶାଇ ଦାନ୍ତ ଘସିଲେ ଦାନ୍ତରୋଗ ଭଲ ହୁଏ, ମୁଖବାସ ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ ।

ହିଡ଼ମି·: 

ଏହା ଏକ ପ୍ରକାର ଶାଗ, ଏହା ପୋଖରୀ ଦାଢ଼ରେ ପାଣି ପାଖରେ ହୁଏ । ଯକୃତ ଜନିତ ହଳଦିଆ କାମଳ ରୋଗରେ ଏହାକୁ ସିଝାଇ ଖାଆନ୍ତି ।

ସପୁରୀ: 

ସପୁରୀ ପତ୍ରର ରସ କୃମି ରୋଗର ଏକ ଔଷଧ

ତୁଳସୀ:

 ତୁଳସୀ ପତ୍ର ଖାଇଲେ କଫ, କାଶ, ବାତ, କୃମି, ବାନ୍ତି ଅଗ୍ନିମାନ୍ଦ୍ୟ ନଷ୍ଟ ହୁଏ । ଲୁଣ ସହିତ ତୁଳସୀ ପତ୍ର ମିଶାଇ ଯାଦୁରେ ଘସିଲେ ଯାଦୁ ଭଲ ହୁଏ । ତୁଳସୀ ପତ୍ର ନ ଚୋବାଇ ଗିଳି ଦେଲେ ଉପଜିହ୍ୱା ଭଲ ହୁଏ ।

ଦୁଦୁରା:

 ସବୁଠାରୁ କଳା ଦୁଦୁରାର ମଞ୍ଜି ବିଷାକ୍ତ ଅଟେ । ଏହି ମଞ୍ଜି ଉପଯୁକ୍ତ ମାତ୍ରାରେ ଖାଇଲେ ଜ୍ୱର, କୁଷ୍ଠ, ବ୍ରଣ, କଫ ଇତ୍ୟାଦି ଭଲ ହୁଏ । ଦୁଦୁରାର ଶୁଖିଲା  ପତ୍ର ଧୂଆଁ ଖାଇଲେ ଶ୍ୱାସ ଯନ୍ତ୍ରଣା ଭଲ ହୁଏ । ଦୁଦୁରା ପତ୍ରର ରସ ଗାଲୁଆ ରୋଗରେ ବ୍ୟବହୃତ ହୁଏ । ଆଖି ଚାରିପାଖେ ଲେପ ଦେଲେ ଆଖିର ତାରା ପ୍ରସାରିତ ହୁଏ ।

ବିଷଲ୍ୟକରଣୀ:

 କଟା ଘା କିମ୍ବା ଛେଚା ଘାରେ ଏହା ଉପଯୁକ୍ତ ଔଷଧ । କଟିଯାଇଥିବା ସ୍ଥାନରେ ଛେଚା ପତ୍ରକୁ ଚିପି ଧରିଲେ ରକ୍ତସ୍ରାବ ବନ୍ଦ ହୁଏ ଓ ଘା’ ଶୁଖିଯାଏ । ଜଖମ ହେବା ସ୍ଥାନରେ ଏହାର ପତ୍ର କିମ୍ବା ଡାଳକୁ ଛେଚି ବାନ୍ଧିଲେ ଦରଜ କମିଯାଏ ।

ମୁଥା: 

ମୁଥା ମୂଳକୁ ଉତ୍ତମ ରୂପେ ବାଟି ପିଇଲେ ନାଳ ରକ୍ତ ଝାଡ଼ା ବନ୍ଦ ହୁଏ । ମୁଥା ମୂଳକୁ ଗୁଳୁଚି ଓ ଅଁଳା ସହିତ ପାଣିରେ ସିଝାଇ ସେବନ କଲେ ପାଳି ଜ୍ୱଳ ଭଲ ହୁଏ । କଫ, ପିତ, କାଶ, ରୋଗୀକୁ ମୁଥା, ଗୋଲମରିଚ ଚୂର୍ଣ୍ଣ ଓ ମହୁ ସହିତ ଖାଇବାକୁ ଦିଆଯାଏ ।

ଡାଳିମ୍ବ: 

ଡାଳିମ୍ବ ପତ୍ରକୁ ବାଟି ଶୋଇବା ସମୟରେ ହାତ ଓ ପାଦରେ ଲେପନ କଲେ ହାତ ପାଦର ଜ୍ୱାଳା କମିଯାଏ । ଡାଳିମ୍ବ ପତ୍ରକୁ ଶୁଖାଇ ଚୂର୍ଣ୍ଣ କରି ସୋରିଷ ତେଲ ମିଶାଇ ଦେହରେ ଲଗାଇଲେ କଣ୍ଡୁରୋଗ ଭଲ ହୁଏ । ଡାଳିମ୍ବ ପତ୍ରକୁ ବାଟି ପିଇଲେ ରକ୍ତ ଝାଡ଼ା ଓ ରକ୍ତ ବାନ୍ତି ନିବାରିତ ହୁଏ । ଏହି ପତ୍ରକୁ ବାଟି ମଥାରେ ଲଗାଇଲେ ମୁଣ୍ଡ ବ୍ୟଥା ଭଲ ହୁଏ । ଡାଲିମ୍ବ ଫୁଲ ଓ ଦୁବରସ ଏକତ୍ର ମିଶାଇ ନାକରେ ପକାଇଲେ ନାକରୁ ରକ୍ତ ପଡ଼ିବା କମିଯାଏ ।

ମଞ୍ଜୁଆତି: 

ମଞ୍ଜୁଆତି ପତ୍ର ବାଟି ନଖ ପଚାଇଲେ କଣନଖା ହୁଏ ନାହିଁ । ମଞ୍ଜୁଆତି ଗଛର କଞ୍ଚା ଚେରକୁ ଉତ୍ତମ ରୂପେ ବାଟି ଚାଉଳ ଧୁଆ ପାଣି ସହିତ ସେବନ କଲେ କାମଳ ରୋଗ ଭଲ ହୁଏ । ଏହାର ପତ୍ରକୁ ବାଟି ବସନ୍ତ ରୋଗୀର ପାଦରେ  ଲଗାଇଲେ ରୋଗୀର ଆଖିରେ ବସନ୍ତ ହୁଏ ନାହିଁ ।

କାକୁଡ଼ି: 

ଖରାକୁ ଚାହିଁ କିମ୍ବା ଆଲୁଅରେ ପଢ଼ିବା ଯୋଗୁଁ ଆଖି ବ୍ୟଥା ହେଉଥିଲେ କଅଁଳ କାକୁଡ଼ିଟିଏ କାଟି ଆଖି ବନ୍ଦକରି ପତା ଉପରେ ରଖିଦେଲେ ଖୁବ୍ ଆରାମ  ଲାଗେ ।
ଖରାଦିନେ ଅତ୍ୟଧିକ ଗରମ ଯୋଗୁଁ ମୁଣ୍ଡ ବିନ୍ଧୁ ଥିଲେ କେତେ ଖଣ୍ଡ କଟା କାକୁଡ଼ି ମୁଣ୍ଡ ଉପରେ ରଖିଦେଲେ ବ୍ୟଥା କମିଯାଏ ।
ଗାଧୋଇ ସାରିବା ପରେ କଟା କାକୁଡ଼ି ଖଣ୍ଡେ ଦି’ଖଣ୍ଡ ମୁହଁରେ ଘସିଦେଲେ ମୁହଁ ଚିକ୍କଣ ଓ ସତେଜ ଦେଖାଯାଏ ।
ଗୋଟିଏ କାକୁଡ଼ି ରସ ସାଙ୍ଗରେ ଅଧ ଚାମଚ ଗୋଲାପ ଜଳ ଓ ଅଧଚାମଚ ଲେମ୍ବୁରସ ମିଶାଇ ମୁହଁରେ ବୋଳିବାକୁ ହେବ । ୧୫ମିନିଟ ପରେ ମୁଁହ ଧୋଇ ସଫା କରିଦେଲେ ମୁହଁର ରଙ୍ଗ ବେଶ୍ ତୋଫା ଦେଖାଯାଏ ।
ଚାରି ଚାମଚ କାକୁଡ଼ି ରସ, ଚାରି ତୋଳା ଲେମ୍ବୁରସ ଏବଂ କିଛି  ବଟା ହଳଦୀକୁ ଏକାଠି କରି ଦେହରେ ଲଗାଇବାକୁ ପଡ଼ିବ । ଅଧଘଣ୍ଟା ପରେ ଗାଧୋଇ ପଡ଼ିଲେ ଦେହର ଚର୍ମ ବେଶ୍ ନରମ ଓ ଉଜ୍ଜ୍ୱଳ ଦିଶିବ ।
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,