ମୁଣ୍ଡବ୍ୟଥା

 ମୁଣ୍ଡବ୍ୟଥା

       

               ମୁଣ୍ଡବ୍ୟଥା କୌଣସି ସ୍ବତନ୍ତ୍ର ରୋଗନୁହେଁ । ଏହା କୌଣସି ଛୋଟ ବା ବଡ ରୋଗର ଲକ୍ଷଣ । ଗୋଟିଏ ଦିଗରେ ଏହା ମସ୍ତିଷ୍କର କୌଣସି ଭୟଙ୍କର ରୋଗର ସୂଚକ ଏବଂ ଅନ୍ୟ ଦିଗରେ ଏହା ମାତ୍ର ଶାରୀରିକ କ୍ଲାନ୍ତି ଓ ମାନସିକ ଉଦ୍ବେଗର କାରଣ ।

ମୁଣ୍ଡବ୍ୟଥା ମୁଣ୍ଡର ବେଦନାକୁ ଅନୁଭବ କରୁଥିବା ଶିରାପ୍ରଶିରା ବା ସ୍ନାୟୁର ଉଉତ୍ତେଜନା ଦ୍ୱାରା ଉତ୍ପନ୍ନ ହୁଏ । ମୁଣ୍ଡରେ ଥିବା ସ୍ନାୟୁତନ୍ତ୍ର, କଫ ସୃଷ୍ଟି କରୁଥିବା ଝିଲ୍ଲୀ, ରକ୍ତ ବାହିନୀ, ମାଂସପେଶୀ, ଅସ୍ଥି, ଝିଲ୍ଲୀ ଦନ୍ତଝିଲ୍ଲୀ ଓ ଆଖିର ପୁତଳି ଆଦି ଉପରେ ଏ ବ୍ୟଥାର ପ୍ରଭାବ ପଡେ । ଏଣୁ ଏଗୁଡିକରେ ଉତ୍ତେଜନା ସୃଷ୍ଟି ହେଲେ ମୁଣ୍ଡବ୍ୟଥା ଆରମ୍ଭ ହୁଏ ।

ଏଗୁଡିକରେ ଉତ୍ତେଜନା ସୃଷ୍ଟି ନ ହୋଇ ମଧ୍ୟ ସମୟ ସମୟରେ ମୁଣ୍ଡ ବ୍ୟଥା ହୁଏ । ଯଥା-ଗୋଳମାଳ, କ୍ଲାନ୍ତି, ଉଦ୍ବେଗ ଓ ଅପ୍ରିୟ ବାତାବରଣରେ ରହିବା ଦ୍ୱାରା ବା ମନୋବୈଜ୍ଞାନିକ କାରଣରୁ ମଧ୍ୟ ମୁଣ୍ଡ ବ୍ୟଥା ସୃଷ୍ଟି ହୁଏ ।

ବେଦନା ଅନୁଭବ କରୁଥିବା ଶରୀରର କେନ୍ଦ୍ର ଦିଗକୁ ଯାଇଥିବା ସ୍ନାୟୁତନ୍ତୁ ସୁଷୁମ୍ନା ନାଡିର ଉପରି ଭାଗରେ ସ୍ଥିତ ବେକ ଓ ମୁଣ୍ଡର ବେଦନା କେନ୍ଦ୍ରରେ ଆସି ମିଶିଯାଏ । ପୁଣି ଏହା ମସ୍ତିଷ୍କର ଉକ୍ତ ବେଦନା କେନ୍ଦ୍ର ଦିଗକୁ ଅଗ୍ରସର ହୁଏ । ଯେତେବେଳେ ଦାନ୍ତରେ ବେଦନା ହୁଏ ତାରି ପ୍ରକୋପରେ ଆଖି ଓ ମୁଣ୍ଡରେ ମଧ୍ୟ ବ୍ୟଥା ହୁଏ । କିମ୍ବା କାନରେ ମଧ୍ୟ ବ୍ୟଥା ହୁଏ । ବେଦନା ତନ୍ତୁର ସମ୍ମିଶ୍ରଣ ଦ୍ୱାରା ଏପରି ହୋଇଥାଏ । ଏଣୁ ଦାନ୍ତର ଉପଯୁକ୍ତ ଚିକିତ୍ସା ହେଲେ ଅନ୍ୟ ଅଙ୍ଗର ବ୍ୟଥା ଦୁର ହୋଇଯାଏ  ।

ମୁଣ୍ଡବ୍ୟଥାର ବିଭିନ୍ନ କାରଣ:

ଦୈନିକ ଜୀବନରେ ଅଧିକ କ୍ଲାନ୍ତି, ଉଦ୍ବେଗ ବା ଚିନ୍ତା ଦ୍ୱାରା ଉତ୍ପନ୍ନ ମୁଣ୍ଡବ୍ୟଥା ସହିତ ସମସ୍ତେ ପରିଚିତ । କୌଣସି କାରଣରୁ ଜ୍ୱରହେଲେ ମଧ୍ୟ ମୁଣ୍ଡ ବ୍ୟଥା ହୁଏ ।

ମୁଣ୍ଡବ୍ୟଥାର ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାରଣ ଗୁଡିକ ହେଲା:-

ସାଇନସ୍ ଶୋଥ: 

ଏହାର ଲକ୍ଷଣ ହେଲା- ସର୍ବଦା ସର୍ଦ୍ଦି ଲାଗି ରହିବା,  କାଶ, ଆଳସ୍ୟ, କ୍ଲାନ୍ତି, ମୁହଁରୁ ଅପ୍ରିୟ ସ୍ବାଦ ଓ କମ ଶୁଣାଯିବା

ଚକ୍ଷୁରୋଗ: 

ଦୁର୍ବଳ ଦୃଷ୍ଟିଦ୍ୱାରା,ଅଧିକ ପଢ଼ିବାଦ୍ୱାରା କିମ୍ବା ଜୋରଦେଇ ପଢ଼ିବା ଦ୍ୱାରା ମୁଣ୍ଡ ବ୍ୟଥା ହୁଏ । ମୋତିଆ ବିନ୍ଦୁ ହେଲେ ଅସହନୀୟ ମୁଣ୍ଡବ୍ୟଥା ସହିତ ଆଖି ଆଗରେ ଲାଲ ଓ ହଳଦୀ ରଙ୍ଗର ଚକ୍ର ଦେଖାଯାଏ ।

ଅଧାକପାଳି ବିନ୍ଧା:

 ଏଥିରେ ରାତିର ଶେଷ ପ୍ରହର ବା ପ୍ରାତଃ ଅଧାକପାଳି ବିନ୍ଧା, ବାନ୍ତି ଓ ଦୃଷ୍ଟିଗତ ଉପଦ୍ରବ ସହିତ ଅସହନୀୟ ଯନ୍ତ୍ରଣା ଦିଏ ।

ଦନ୍ତରୋଗ: 

ମୁଣ୍ଡବ୍ୟଥା ଓ ଦନ୍ତ ବେଦନା ଯେବେ ଏକ ସାଙ୍ଗରେ ଆରମ୍ଭ ହୁଏ, ତାହାହେଲେ ଦାନ୍ତରେ ଛିଦ୍ର ମୁଣ୍ଡ ବ୍ୟଥାର କାରଣ ହୋଇପାରେ ।

ମସ୍ତିଷ୍କ ସ୍ଥାନକୁ ଘେରି ରହିଥିବା ବ୍ୟାଧି ଗୁଡିକ:

 ଏଥିରେ ମସ୍ତିଷ୍କରେ ପାଣି ଜମିବା ଓ ବଥ ପ୍ରଭୃତି ରୋଗ ସମ୍ମିଳିତ । ଏହା ହେଲେ ମୁଣ୍ଡବ୍ୟଥା ସହିତ ବାନ୍ତି, ଝାଡା, କମ ଦେଖାଯିବା ଓ ଶୁଣାଯିବା ଦୋଷ ପ୍ରଭୃତି ଲକ୍ଷଣ ରୂପେ ଦେଖାଯାଏ ।

ମସ୍ତିଷ୍କ ସୁଷୁମ୍ନାଜଳର ଅଧିକତା: 

ପ୍ରବଳ ଜ୍ୱର, ମସ୍ତିଷ୍କ ଶୋଥ ଆଦିରେ ମସ୍ତିଷ୍କ ସୁଷୁମ୍ନାଜଳ ଅଧିକ ହୋଇଯାଏ । ଏହାର ଅଧିକତା ହେତୁ ମୁଣ୍ଡବ୍ୟଥା ସହିତ ବେକରେ ବେଦନା, ବାନ୍ତି, ଜ୍ୱର ଓ ଅନ୍ୟ ଲକ୍ଷଣ ଦେଖାଯାଏ ।

ଏହାବ୍ୟତୀତ ମୁଣ୍ଡ ବ୍ୟଥାର ବିଭିନ୍ନ କାରଣ ଭିତରେ ସ୍ନାୟୁ ବେଦନା ଅନ୍ତର୍ଭୁକ୍ତ । ଏହା ହେଲେ ବାରମ୍ବାର ମୁଣ୍ଡରେ ବେଦନା ହୁଏ ।

ମୁଣ୍ଡ ବ୍ୟଥା ରୋଗୀଙ୍କୁ ଉପଦେଶ:

ଡାକ୍ତର ପରାମର୍ଶ ବିନା ରୋଗୀ କୌଣସି ଔଷଧ ସେବନ କରିବା ଉଚିତ ନୁହେଁ । ପେଟେଣ୍ଟ ମେଡିସିନ ଖାଇବା ଯେଉଁଥିରେ ଆସ୍ପିରିନ ନାମକ ବିଷାକ୍ତ ପଦାର୍ଥ ରହିଛି ବଡ କ୍ଷତି କାରକ । ଅଧିକ ମାତ୍ରା ଏସ୍ପିରିନ ସେବନ ଦ୍ୱାରା ପେଟରେ ଅଲସର, କୀଟ ଓ ଅଧିକ ଏସିଡ ହେବାର ଆଶଙ୍କା ରହିଛି । ଏହାଦ୍ୱାରା ରୋଗୀକୁ ସାଧାରଣ ମୁଣ୍ଡବ୍ୟଥା ଅପେକ୍ଷା ଅଧିକ କଷ୍ଟ ହୁଏ । ଯେବେ ବାରମ୍ବାର ମୁଣ୍ଡବ୍ୟଥା ହେଉଥାଏ-ବ୍ୟଥା ନିବାରକ ଔଷଧ ଖାଇ ଏଥିରୁ ମକ୍ତି ପାଇବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ । ହୁଏତ ଏ ମୁଣ୍ଡବ୍ୟଥା ଏପରି ମାରାତ୍ମକ ରୋଗର ସୂଚକ ଯାହା ତୁରନ୍ତ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରେ । ହୁଏତ ଆପଣଙ୍କର ସନ୍ତାନର ମୁଣ୍ଡବ୍ୟଥା ଦୃଷ୍ଟି ଦୋଷରୁ ହେଉଛି ଓ ସେଇଥିପାଇଁ ସେ ଭଲ ପଢ଼ି ପାରୁନାହିଁ । ହୁଏତ ଆପଣ ଓ ଆପଣଙ୍କର ସନ୍ତାନର ନିରନ୍ତର ମୁଣ୍ଡବ୍ୟଥା ସର୍ଦ୍ଦି ଓ ସାଇନସ୍ ଶୋଥରୁ ହୋଇପାରେ । ଏଣୁ ମୁଣ୍ଡବ୍ୟଥା ହେଲେ ଚିକିତ୍ସକଙ୍କର ଉଚିତ ପରାମର୍ଶ ଦ୍ୱାରା ଚିକିତ୍ସା କରାନ୍ତୁ ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,