ଶ୍ରୀ ଭଗବାନୁବାଚ (୪) -ପଞ୍ଚମ ଅଧ୍ୟାୟଃ କର୍ମ ସନ୍ୟାସ ଯୋଗଃ

ଶ୍ରୀ ଭଗବାନୁବାଚ (୪)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ପଞ୍ଚମ ଅଧ୍ୟାୟଃ

କର୍ମ ସନ୍ୟାସ ଯୋଗଃ

ଅନୁବାଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

କର୍ମ ତ୍ୟାଗ ଓ କର୍ମଯୋଗ ଉଭୟହିଁ ମୁକ୍ତିର ହେତୁ ; କିନ୍ତୁ ଉଭୟ ମଧ୍ୟରୁ କର୍ମ ତ୍ୟାଗ ଅପେକ୍ଷା କର୍ମଯୋଗ ଶ୍ରେଷ୍ଠ ।ା୨ାା ହେ ମହାବାହୁ ! ଯିଏ କର୍ମ କରିବା ସମୟରେ ମଧ୍ୟ ଦ୍ୱେଷ କରେ ନାହଁ, ଆକାଙ୍କ୍ଷା କରେ ନାହିଁ ,ସେ ଚିର ସନ୍ୟାସୀ ବୋଲି ପରିଗଣିତ ; କାରଣ ସେହି ରାଗଦ୍ୱେଷାଦି ଦ୍ୱନ୍ଦ ରହିତ ପୁରୁଷହିଁ ସହଜରେ ବନ୍ଧନରୁ ମୁକ୍ତ ହୁଅନ୍ତି ।ା୩ାା ଶିଶୁମାନେ(ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତିଗଣ)ସାଂଖ୍ୟ ଓ ଯୋଗକୁ ଭିନ୍ନ ବୋଲି କହନ୍ତି । ପଣ୍ଡିତମାନେ ସେପରି କହନ୍ତି ନାହିଁ । ଏ ଉଭୟରୁ ଗୋଟିଏକୁ ପୂର୍ଣ୍ଣଭାବରେ ଆଚରଣ କଲେ ଉଭୟର ଫଳ ପ୍ରାପ୍ତ ହୁଏ ।ା୪ାା ଜ୍ଞାନ ଦ୍ୱାରା ଯେଉଁ ପଦ ପ୍ରାପ୍ତ  ହୁଏ , ଯୋଗ ଦ୍ୱାରା ମଧ୍ୟ ସେହି ପଦ ପ୍ରାପ୍ତ ହୋଇପାରେ । ଯେଉଁମାନେ ସାଂଖ୍ୟ ଓ ଯୋଗକୁ ଏକ ବୋଲି ଦେଖନ୍ତି ସେମାନେ ଯଥାର୍ଥ ଦର୍ଶନ କରନ୍ତି ।ା୫ାା କିନ୍ତୁ  ହେ ମହାବାହୁ ! ଯୋଗ ବ୍ୟତୀତ ସନ୍ୟାସ ଲାଭ କରିବା କଷ୍ଟକର । ଯେଉଁ ମୁନି ଯୋଗ ପ୍ରାପ୍ତ ହୋଇଛନ୍ତି ସେ ଶୀଘ୍ର ହିଁ ବ୍ରହ୍ମ ଲାଭ କରନ୍ତି ।ା୬ାାଯେଉଁ ଯୋଗୀ ବିଶୁଦ୍ଧ ଚିତ୍ତ ଆତ୍ମଜୟୀ ଇନ୍ଦ୍ରିୟଜୟୀ, ଯାହାର ଆତ୍ମା ସର୍ବଭୂତର ଆତ୍ମା ହୋଇଛି ; ସେ କର୍ମ କରି ମଧ୍ୟ ଆବଦ୍ଧ ହୁଅନ୍ତି ନାହିଁ ।ା୭ାା ପରମାତ୍ମାଙ୍କ ସହିତ ଯୁକ୍ତ ତତ୍ତ୍ବ ଦର୍ଶୀ ବ୍ୟକ୍ତି ଦର୍ଶନ, ଶ୍ରବଣ, ସ୍ପର୍ଶ, ଘ୍ରାଣ, ଭୋଜନ, ଗମନ, ନିଦ୍ରା, ଶ୍ୱାସ ଗ୍ରହଣ, କଥନ, ତ୍ୟାଗ, ଗ୍ରହଣ, ଚକ୍ଷୁ ଉନ୍ମୀଳନ, ନିମେଷ କରି ମଧ୍ୟ ଇନ୍ଦ୍ରିୟଗଣ ଇନ୍ଦ୍ରିୟ ବିଷୟ ସମୂହରେ ପ୍ରବର୍ତ୍ତିତ ହୋଇଛି ଏହା ଧାରଣା କରି ମୁଁ କିଛି ମଧ୍ୟ କରି ନାହିଁ  ଏହିପରି ମନେ କରନ୍ତି ।ା୮/୯ାା ଯିଏ ସମସ୍ତ କର୍ମ ବ୍ରହ୍ମରେ ସ୍ଥାପନ କରି ଆସକ୍ତି ତ୍ୟାଗ ପୂର୍ବକ କର୍ମ କରେ,ସେ ଜଳ ଦ୍ୱାରା ପଦ୍ମ ପତ୍ର ପରି ପାପ ଦ୍ୱାରା କଳଙ୍କିତ  ହୁଅନ୍ତି ନାହିଁ ।ା୧୦ାା ଅତଏବ ଯୋଗୀମାନେ ଆସକ୍ତି ତ୍ୟାଗ କରି ଆତ୍ମଶୁଦ୍ଧି ପାଇଁ ଶରୀର, ମନ, ବୁଦ୍ଧି ଦ୍ୱାରା ଏବଂ କର୍ମେନ୍ଦ୍ରିୟଗୁଡ଼ିକ  ଦ୍ୱାରା କର୍ମ କରିଥାନ୍ତି  ।ା୧୧ାା ପରମାତ୍ମାଙ୍କ ସହିିତ ଯୋଗଯୁକ୍ତ ପୁରୁଷ କର୍ମ ଫଳରେ ଆସକ୍ତି ତ୍ୟାଗ କରି ଦୃଢ଼ ପ୍ରତିଷ୍ଠ ଶାନ୍ତି ପ୍ରାପ୍ତ କରେ । ଅଯୁକ୍ତ ବ୍ୟକ୍ତି ଫଳରେ ଆସକ୍ତ ହୋଇ ବାସନାର କ୍ରିୟା ଦ୍ୱାରା ବାନ୍ଧି ହୋଇ ଯାଏ ।ା୧୨ାା ସଂଯମୀ ଦେହ ଧାରୀ ଜୀବ ମନ ଦ୍ୱାରା ସମସ୍ତ କର୍ମ ପରିତ୍ୟାଗ ପୂର୍ବକ ଚକ୍ଷୁ ଆଦି ନବ ଦ୍ୱାରଯୁକ୍ତ ଶରୀରରେ କିଛି ମଧ୍ୟ ନ କରି ଅନ୍ୟ କାହାକୁ ମଧ୍ୟ କିଛି ନ କରାଇ ସୁଖରେ ଅବସ୍ଥାନ କରେ ।ା୧୩ାା ପରମାତ୍ମା ଲୋକମାନଙ୍କର କର୍ତ୍ତୃତ୍ବ ଭାବ ସୃଷ୍ଟି କରନ୍ତି ନାହିଁ , କର୍ମ ସମୂହ ସୃଷ୍ଟି କରନ୍ତି ନାହିଁ , କର୍ମ ସହିତ ଫଳର ସଂଯୋଗ ସୃଷ୍ଟି କରନ୍ତି ନାହିଁ ; ସ୍ୱଭାବ ବଶତଃ ସେମାନେ ଏ ସମସ୍ତ କରିଥାନ୍ତି ।ା୧୪ାା  ପରମାତ୍ମା କାହାରି ପାପ ଗ୍ରହଣ କରନ୍ତି ନାହିଁ  ଏବଂ ପୁଣ୍ୟ ମଧ୍ୟ ଗ୍ରହଣ  କରନ୍ତି ନାହିଁ । ଅଜ୍ଞାନ ରୂପ ଅନ୍ଧକାର ଦ୍ୱାରା ଆତ୍ମଜ୍ଞାନ ଆଚ୍ଛାଦିତ, ସେହି ହେତୁ ଜୀବଗଣ ବିମୂଢ଼ ହୁଅନ୍ତି ।ା୧୫ାା ପରନ୍ତୁ ଯାହା ଦ୍ବାରା  ସେହି  ପ୍ରାକୃତ ଅଜ୍ଞାନ,ଆତ୍ମ  ଜ୍ଞାନ ଦ୍ୱାରା ବିନଷ୍ଟ ହୋଇଛି , ସେମାନଙ୍କ ଦ୍ୱାରା ସେହି ଆତ୍ମ ଜ୍ଞାନ ସୂର୍ଯ୍ୟ ସଦୃଶ ପରମାତ୍ମାଙ୍କ ସ୍ୱରୂପକୁ ପ୍ରକାଶ କରେ ।ା୧୬ାା ପରମାତ୍ମାଙ୍କ ସହିତ ଯାହାର ବୁଦ୍ଧି ସନ୍ନିବିଷ୍ଟ,ତାଙ୍କ ସହିତ ଯାହାର  ତାଦାତ୍ମ ଭାବ,ପରମାତ୍ମାନିଷ୍ଠ,ଈଶ୍ୱରପରାୟଣା, ଜ୍ଞାନରୂପକ ସଳିଳରେ ଯାହାର ସମସ୍ତ ପାପ ଧୌତ ହୋଇ ସାରିଛି ,ସେହିପରି ବ୍ୟକ୍ତିମାନେ ମୁକ୍ତିପଦ ପ୍ରାପ୍ତ ହୁଅନ୍ତି ।ା୧୭ାା ଜ୍ଞାନୀ ବ୍ୟକ୍ତିମାନେ ବିଦ୍ୟା ବିନୟଯୁକ୍ତ ବ୍ରାହ୍ମଣ,ଗୋରୁ, ହାତୀ,କୁକୁର ଓ ଚଣ୍ଡାଳ - ଏ ସମସ୍ତଙ୍କ ପ୍ରତି ସମଦର୍ଶୀ ଅଟନ୍ତି ।ା୧୮ାା ଯାହାର ମନ ସମ୍ପୁର୍ଣ୍ଣ ରୂପେ ସମଭାବରେ ପ୍ରତିଷ୍ଠିତ, ଏହି ଲୋକରେହିଁ ତାହା ଦ୍ୱାରା ସଂସାର ଜୟ ହୁଏ, ଯେ ହେତୁ ସେ ବ୍ରହ୍ମ ସମ ଦୋଷହୀନ ସେହି ହେତୁ ବ୍ରହ୍ମରେ ସେ ସ୍ଥିତ ହୁଅନ୍ତି ।ା୧୯ାା ପରମାତ୍ମାଙ୍କ  ସ୍ମୃତିରେ ସ୍ଥିତ ଅବିଚଳ ବୁଦ୍ଧିଯୁକ୍ତ ମୋହ ବର୍ଜିତ ବ୍ରହ୍ମଜ୍ଞ ପୁରୁଷ ପ୍ରିୟ ବସ୍ତୁ ପାଇ ପୁଲକିତ   ହୁଅନ୍ତି  ନାହିଁ , ଅପ୍ରିୟ ବସ୍ତୁ ପାଇ ମଧ୍ୟ ଉଦ୍ବିଗ୍ନ ହୁଅନ୍ତି ନାହିଁ ।ା୨୦ାା ଶବ୍ଦାଦିର ବାହ୍ୟ ବିଷୟର ସ୍ପର୍ଶରେ ଆସକ୍ତିଶୂନ୍ୟ ପୁରୁଷ ଆତ୍ମାରେ ଯେଉଁ ସୁଖ ଅଛି ତାହା ଲାଭ କରେ । ସେହି ବ୍ୟକ୍ତି ପରମାତ୍ମା ସହିତ ଯୋଗଯୁକ୍ତ ରହି ଅକ୍ଷୟ  ସୁଖ ଉପଭୋଗ କରେ ।ା୨୦ାା ଯେଉଁ ସୁଖ ଭୋଗ ସମୂହ ଇନ୍ଦ୍ରିୟ ବିଷୟର ସ୍ୱର୍ଶରୁ ଉତ୍ପନ୍ନ ତାହାହିଁ ଦୁଃଖର କାରଣ । ତା'ର ଆଦି ଅଛି, ଅନ୍ତ ଅଛି । ହେ କୌନ୍ତେୟ ! ଜ୍ଞାନୀ ପୁରୁଷ ସେ ସବୁରେ ଆନନ୍ଦିତ  ହୁଅନ୍ତି ନାହିଁ ।ା୨୨ାା ଯିଏ ଶରୀର ତ୍ୟାଗ କରିବା ପୂର୍ବରୁହିଁ କାମ ଓ କ୍ରୋଧରୁ ଉତ୍ପନ୍ନ ବେଗକୁ ଇହଲୋକର ଏହି ଶରୀରରେହିଁ  ସହ୍ୟ କରିବାକୁ ସମର୍ଥ ହୁଅନ୍ତି, ସେହି ବ୍ୟକ୍ତିହିଁ ଯୋଗୀ, ସେହିଁ ସୁଖୀ ।ା୨୩ାା ଯିଏ ଆଭ୍ୟନ୍ତରୀଣ ସୁଖ ଲାଭ କରିଛନ୍ତି, ଆଭ୍ୟନ୍ତରିଣ ଶାନ୍ତି ଓ ସ୍ୱସ୍ତି ଲାଭ କରିଛନ୍ତି ଏବଂ ଯିଏ ଆଭ୍ୟନ୍ତରିଣ ଜ୍ଞାନାଲୋକ ପ୍ରାପ୍ତ ହୋଇଛନ୍ତି ସେହି ଯୋଗୀହିଁ ବ୍ରହ୍ମ ହୋଇ ବ୍ରହ୍ମରେ ଆତ୍ମ ନିର୍ବାଣ ପ୍ରାପ୍ତ ହୁଅନ୍ତି ।ା୨୪ାା ପାପରହିତ, ସଂଶୟରହିତ, ଆତ୍ମଜୟୀ,ସମସ୍ତଙ୍କ କଲ୍ୟାଣ ପାଇଁ କର୍ମରତ ଜ୍ଞାନୀ ବ୍ୟକ୍ତିଗଣହିଁ ବ୍ରହ୍ମନିର୍ବାଣ ଲାଭ କରନ୍ତି ।ା୨୫ାା କାମ କ୍ରୋଧରୁ ମୁକ୍ତ ହୋଇ ସଂଯତ ଚିତ୍ତ ଆତ୍ମଜ୍ଞାନ ସମ୍ପନ୍ନ ଯୋଗୀମାନେ ନିକଟ ଭବିଷ୍ୟତରେ ବ୍ରହ୍ମ ନିର୍ବାଣ ପ୍ରାପ୍ତ ହେବେ ।ା୨୬ାା ବାହ୍ୟ ବିଷୟର ସ୍ପର୍ଶ ଅନ୍ତରରୁ ଦୂର କରି ଦୃଷ୍ଟିକୁ ଭୃଯୁଗଳ ମଧ୍ୟରେ ହିଁ ନିବଦ୍ଧ କରି ନାସାଭ୍ୟନ୍ତରେ ବିଚରଣଶୀଳ ପ୍ରାଣ ଓ ଅପାନ ବାୟୁକୁ ସମାନ କରି ଇନ୍ଦ୍ରିୟ,ମନ ଓ ବୁଦ୍ଧିକୁ ସଂଯତ କରି, ଇଚ୍ଛା ଭୟ ଓ କ୍ରୋଧରୁ ମୁକ୍ତ ହୋଇ ଯିଏ ମୋକ୍ଷରେ  ଅନୁରକ୍ତ ସେହି  ଜ୍ଞାନୀ ବ୍ୟକ୍ତିହିଁ  ଚିର  ମୁକ୍ତ      ଅଟେ  ।ା୨୭ - ୨୮ାା ମୁନୁଷ୍ୟ ମୋତେ ଯଜ୍ଞ ଓ ତପସ୍ୟାର ଭୋକ୍ତା ଜଗତ ସମୂହର ଅଧୀଶ୍ୱର ସକଳ ଜୀବର ବନ୍ଧୁ ଜାଣି ଶାନ୍ତି ଲାଭ କରେ ।ା୨୯ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର