ଶ୍ରୀ ଭଗବାନୁବାଚ (୧୧) ---ତ୍ରୟୋଦଶୋଽଧ୍ୟାୟଃ କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗଃ

ଶ୍ରୀ ଭଗବାନୁବାଚ (୧୧)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ତ୍ରୟୋଦଶୋଽଧ୍ୟାୟଃ

କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗଃ 

ଅନୁବାଦ-ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ହେ କୌନ୍ତେୟ! ଏହି ଶରୀରକୁ କ୍ଷେତ୍ର କୁହାଯାଏ । ଏହାକୁ(କ୍ଷେତ୍ରକୁ) ଯିଏ ଜାଣେ ଜ୍ଞାନୀଲୋକେ ତାହାକୁ            "କ୍ଷେତ୍ରଜ୍ଞ' କହନ୍ତି ।ା୧ାାହେ ଭାରତ ! ସମସ୍ତ କ୍ଷେତ୍ରରେ ମୋତେହିଁ କ୍ଷେତ୍ରଜ୍ଞ ବୋଲି ଜାଣ; ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ ବିଷୟକ ଜ୍ଞାନହିଁ ପ୍ରକୃତ ଜ୍ଞାନ, ଏହା ମୋର ଅଭିମତ ।ା୨ାାାଏହି କ୍ଷେତ୍ର କଣ, କିପରି, କେଉଁ ବିକାରଯୁକ୍ତ, କେଉଁଠାରୁ ଆସିଛି ତଥା କ୍ଷେତ୍ରଜ୍ଞ କିଏ ଏବଂ ତା'ର ଶକ୍ତି(ପ୍ରଭାବ) କେଉଁ ପ୍ରକାର , ସେସବୁ ତୁ ମୋଠାରୁ ସଂକ୍ଷେପରେ ଶୁଣ ।ା୩ାା ବିଭିନ୍ନ ପ୍ରକାରର ଛନ୍ଦ ଦ୍ୱାରା, ବିବିଧ ପ୍ରକାରେ ଋଷିଗଣ ଏହି ବିଷୟକୁ ଖୁବ୍ ଗାନ କରିଛନ୍ତି ଏବଂ ଉଦାହରଣ ତଥା ତର୍କ ଦ୍ୱାରା ନିଶ୍ଚୟପୂର୍ଣ୍ଣ ବ୍ରହ୍ମସୂଚକ ବାକ୍ୟମାନଙ୍କ ଦ୍ୱାରା ମଧ୍ୟ ଏହି ବିଷୟରେ ନିରୁପଣ  କରାଯାଇଛି ।ା୪ାା ମହାଭୂତ, ଅହଙ୍କାର, ବୁଦ୍ଧି,ପ୍ରକୃତି, ଦଶ ଇନ୍ଦ୍ରିୟ, ଏକ ମନ, ପଞ୍ଚ ବିଷୟ;ତଥା ଇଚ୍ଛା,ଦ୍ୱେଷ, ସୁଖ,ଦୁଃଖ ,ସଙ୍ଘାତ, ଚେତନ ଶକ୍ତି, ଧୃତି - ଏସବୁ ଗୁଡିକୁ ସେମାନଙ୍କର ବିକାର ସହିତ ସଂକ୍ଷେପରେ କ୍ଷେତ୍ର କୁହାଯାଇଛି ।ା୫-୬ାାଅଭିମାନଶୂନ୍ୟତା , ଅଦାମ୍ଭିକତା, ଅହିଂସା, କ୍ଷମା, ସରଳତା, ଜ୍ଞାନୀମାନଙ୍କୁ ଯଥୋଚିତ ସମ୍ମାନ;ଶୁଦ୍ଧତା; ସ୍ଥିରତା, ଆତ୍ମ ସଂଯମ,ଇନ୍ଦ୍ରିୟମାନଙ୍କ ବିଷୟରୁ ବୈରାଗ୍ୟ ହେବା; ଅହଙ୍କାର ନ ହେବା ; ଜନ୍ମ, ମୃତ୍ୟୁ ,ବୃଦ୍ଧାବସ୍ଥା ଓ ବ୍ୟାଧିରେ ବାରମ୍ବାର ଦୁଃଖରୂପକ ଦୋଷ ଦର୍ଶନ କରିବା; ଆସକ୍ତିରହିତ ହେବା ; ପୁତ୍ର , ସ୍ତ୍ରୀ, ଗୃହାଦିରେ  ଏକାତ୍ମ ଭାବ ନ ହେବା; ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ଚିତ୍ତ ନିତ୍ୟ ସ୍ଥିର ରହିବା;ଅନନ୍ୟ ଯୋଗ ଦ୍ୱାରା ମୋ ପ୍ରତି ଅବ୍ୟଭିଚାରିଣୀ ଭକ୍ତି ଜାତ ହେବା; ଏକାନ୍ତ ବାସ କରିବାର ସ୍ୱଭାବ ହେବା; ଜନ ସମୁଦାୟରେ ପ୍ରୀତି ନ ହେବା ;ଅଧ୍ୟାତ୍ମ ଜ୍ଞାନରେ ନିତ୍ୟ ନିରନ୍ତର ସ୍ଥିତ ହେବା  ; ତତ୍ତ୍ବ  ଜ୍ଞାନର ଅର୍ଥ ସ୍ୱରୂପ ପରମାତ୍ମାଙ୍କୁହିଁ କେବଳ ଦେଖିବା - ଏହି ସବୁକୁ ଜ୍ଞାନ କୁହାଯାଇଛି । ଏହାର ବିପରୀତ ଅଜ୍ଞାନ ଅଟେ ।ା୭-୧୧ ।ା ଯାହା ଜ୍ଞାତବ୍ୟ ଓ ଯାହା ଜାଣିଲେ ଜୀବାତ୍ମା ଅମୃତତ୍ୱ ଉପଭୋଗ କରେ ତାହା କହୁଛି । ତାହା  ଅନାଦି ଓ ନିର୍ବିଶେଷ ପରବ୍ରହ୍ମ ପରମାତ୍ମା; ତାହା ସତ୍ ନୁହେଁ କି ଅସତ୍ ନୁହେଁ ।ା୧୨ାା ତାଙ୍କର ହସ୍ତ,ପଦ, ମସ୍ତକ, ଚକ୍ଷୁ, ମୁଖ ଓ କର୍ଣ୍ଣ ସର୍ବତ୍ର ବିଦ୍ୟମାନ । ସଂସାରର ସର୍ବସ୍ଥାନକୁ ବ୍ୟାପ୍ତକରି ସେ ରହିଛନ୍ତି ।ା୧୩ାା ସେ ସମସ୍ତ ଇନ୍ଦ୍ରିୟରୁ ରହିତ ହୋଇ ମଧ୍ୟ ସମସ୍ତ ଇନ୍ଦ୍ରିୟ ବିଷୟର ପ୍ରକାଶକ ; ସେ ଆସକ୍ତିରହିତ ହୋଇ ମଧ୍ୟ ସମସ୍ତ ଭୂତର ଆଧାରଭୂତ । ସ୍ୱୟଂ ଗୁଣାତୀତ ଅଥଚ ସମସ୍ତ ଗୁଣର ପାଳକ ।ା୧୪ାା ସେ ସମସ୍ତ ପ୍ରାଣୀ ଭିତରେ ଓ ବାହାରେ ସର୍ବତ୍ର ଅବସ୍ଥିତ । ସେ ଗତିମାନ ଓ ସ୍ଥିର ଅଟନ୍ତି । ସେ ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ଅବିଜ୍ଞେୟ । ସେ ଦୂୂରସ୍ଥ ଓ ଅତି ନିକଟସ୍ଥ ମଧ୍ୟ ।ା୧୫ାା ସେ ଅବିଭକ୍ତ ହୋଇଥିଲେ ମଧ୍ୟ ପ୍ରାଣୀମାନଙ୍କଠାରେ ବିଭକ୍ତ ପରି ରହନ୍ତି । ସେହି ଜ୍ଞେୟହିଁ(ପରମାତ୍ମା) ଭୂତ ପ୍ରାଣୀମାନଙ୍କର ପାଳନକାରୀ,  ବିନାଶକାରୀ ଓ ସ୍ଥାପନା କାରୀ  ।ା୧୬ାା ତାଙ୍କୁ ଜ୍ୟୋତିମାନଙ୍କର ମଧ୍ୟ ଜ୍ୟୋତି ଏବଂ ଅନ୍ଧକାରର(ଅଜ୍ଞାନ) ଅତୀତ କୁହାଯାଇଛି । ସେ ଜ୍ଞାନ ଜ୍ଞେୟ, ଜ୍ଞାନ ଦ୍ୱାରା ପ୍ରାପ୍ତବ୍ୟ ଓ ସମସ୍ତଙ୍କ ହୃଦୟରେ ଅଧିଷ୍ଠିତ ।ା୧୭ାାପ୍ରକୃତି ଓ ପୁରୁଷ ଉଭୟକୁ ଅନାଦି ବୋଲି ଜାଣିବ । ବିକାର ଓ ଗୁଣ ସମୂହ ପ୍ରକୃତିରୁ ଉତ୍ପନ୍ନ  ବୋଲି ଜାଣିବ ।ା୧୯ାା ପ୍ରକୃତି କାର୍ଯ୍ୟ ଓ କରଣର କର୍ତ୍ତୃତ୍ୱ ଭାବର ସ୍ରଷ୍ଟା ; ପୁରୁଷ ସୁଖ ଓ ଦୁଃଖର ଭୋକ୍ତା କଥିତ ହୁଏ ।ା୨୦ାା ପୁରୁଷ ପ୍ରକୃତିରେ ଅବସ୍ଥିତ ହୋଇ ପ୍ରକୃତିଜାତ ଗୁଣ ସମୂହ ଭୋଗ କରେ । ଗୁଣଗୁଡିକ ପ୍ରତି ଆସକ୍ତିହିଁ ଏହାର ସତ୍ ଓ ଅସତ୍ ଯୋନିରେ ଜନ୍ମ ଗ୍ରହଣ କରିବାର କାରଣ ।ା୨୧ାାଏହି ଶରୀରରେ ଅବରିତ ପରମପୁରୁଷ ସମସ୍ତଙ୍କ ସାକ୍ଷୀ, ଅନୁମନ୍ତ.ଭର୍ତ୍ତା,ଭୋକ୍ତା, ମହେଶ୍ୱର ଓ ପରମେଶ୍ୱର ବୋଲି କଥିତ ହୁଅନ୍ତି ।ା୨୨ା ଯେଉଁ ମନୁଷ୍ୟ ଏହି ପରି ପୁରୁଷକୁ ଓ ଗୁଣମୟୀ ପ୍ରକୃତିକୁ ଜାଣେ, ସେ ସବୁପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ସେହି କର୍ମର ବନ୍ଧନ ତାଙ୍କର ପୁର୍ନଜନ୍ମର କାରଣ ହୁଏ ନାହିଁ (ଅର୍ଥାତ ଜନ୍ମମରଣ ତାଙ୍କ ପାଇଁ ବନ୍ଧନ ନୁହେଁ ) ।ା୨୩ାାକେତେକ ମନୁଷ୍ୟ ଧ୍ୟାନ ମାର୍ଗ ଦ୍ୱାରା, କେହି କେହି ଜ୍ଞାନ ମାର୍ଗ (ସାଂଖ୍ୟ) ଦ୍ୱାରା ଏବଂ ଅନ୍ୟ କେହି କେହି କର୍ମଯୋଗ ଦ୍ୱାରା ନିଜକୁ ନିଜେ ଆତ୍ମା ରୂପରେ ଦର୍ଶନ କରନ୍ତି ।ା୨୪ାା ଆଉ ମଧ୍ୟ କେହି ଏହି ସମସ୍ତ ଯୋଗର ମାର୍ଗ ନ ଜାଣି ଅନ୍ୟମାନଙ୍କଠାରୁ  ପରମାତ୍ମାଙ୍କ ବିଷୟରେ ଶ୍ରବଣ କରି ଉପାସନା କରନ୍ତି ।  ସେହି ଶ୍ରବଣ ପରାୟଣ ମନୁଷ୍ୟ ମଧ୍ୟ ମୃତ୍ୟୁକୁ ଅତିକ୍ରମ କରି ପାରନ୍ତି ।ା୨୫ାାହ ଭରତର୍ଷଭ ! ଯାହା କିଛି ସ୍ଥାବର ଓ ଜଙ୍ଗମ ପଦାର୍ଥ ଉତ୍ପନ୍ନ ହୁଏ ତାହା କ୍ଷେତ୍ର ଓ କ୍ଷେତ୍ରଜ୍ଞର ମିଳନରୁ ହୋଇଥାଏ  ବୋଲି ଜାଣ ।ା୨୬ାା ଯିଏ, ବିନାଶଶୀଳ ପ୍ରାଣୀମାନଙ୍କଠାରେ ପରମାତ୍ମାଙ୍କୁ ସମଭାବାପନ୍ନ ଓ ବିନାଶ ରହିତ ଦେଖେ ସେ ବାସ୍ତବରେ ଠିକ ଦେଖେ ।ା୨୭ାା କାରଣ ସମସ୍ତ  ପ୍ରାଣୀଠାରେ ପରମାତ୍ମାଙ୍କୁ ସମଭାବାପନ୍ନ ବୋଲି ଦେଖୁଥିବା  ବ୍ୟକ୍ତି ନିଜ ଦ୍ୱରା ନିଜର ହିଂସା କରେ ନାହିଁ ; ତେଣୁ ସେ ପରମ ଗତି ପ୍ରାପ୍ତ ହୁଏ ।ା୨୮ାା ପ୍ରକୃତି ଦ୍ୱାରାହିଁ ସମସ୍ତ କର୍ମ ସମ୍ପାଦିତ ହେଉଥିବା ଯିଏ ଦେଖେ ଏବଂ ନିଜକୁ ଅକର୍ତ୍ତା ବା ସାକ୍ଷୀ ରୂପରେ ଦେଖେ , ସେ ଯଥାର୍ଥ ଦେଖେ ।ା୨୯ାା ଯେତେବେଳେ ସେ ଭୂତ ସମୂହର ପୃଥକ ଭାବ ଏକତ୍ର ଅବସ୍ଥିତ ଦେଖନ୍ତି ଏବଂ ତାଠାରୁହିଁ ବିସ୍ତାର ଦର୍ଶନ କରନ୍ତି ସେତେବେଳେ ସେ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି ।ା ୩୦ାାହେ କୌନ୍ତେୟ! ଏହି ଅବିନାଶୀ ପରମାତ୍ମା ଅନାଦି ଏବଂ ନିର୍ଗୁଣ ହୋଇଥିବାରୁ ଶରୀରରେ ଅବତରିତ ହୋଇ ମଧ୍ୟ କିଛି କରେ ନାହିଁ କି କୌଣସିଥିରେ ଲିପ୍ତ ହୁଏ ନାହିଁ ।ା୩୧ାା ଯେପରି ସର୍ବତ୍ର ବ୍ୟାପକ ଥିବା ଆକାଶ  ଅତ୍ୟନ୍ତ ସୂକ୍ଷ୍ମତା ହେତୁ କେଉଁଠାରେ ଲିପ୍ତ ହୁଏ ନାହିଁ ସେହିପରି ସମସ୍ତ ଶରୀରରେ ଥାଇ ମଧ୍ୟ ଆତ୍ମା ଲିପ୍ତ ହୁଏ ନାହିଁ ।ା୩୨ାା  ହେ ଭାରତ ! ଯେପରି ଏକ ସୂର୍ଯ୍ୟ ସମସ୍ତ ପୃଥିବୀକୁ ଆଲୋକିତ କରେ ସେହିପରି କ୍ଷେତ୍ରୀ ସମଗ୍ର କ୍ଷେତ୍ରକୁ ପ୍ରକାଶିତ କରେ ।ା୩୩ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,