ଶ୍ରୀ ଭଗବାନୁବାଚ (୧୬ --ଅଷ୍ଟାଦଶ ଅଧ୍ୟାୟଃ ମୋକ୍ଷ ଯୋଗଃ

ଶ୍ରୀ ଭଗବାନୁବାଚ (୧୬/୧୮)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ଅଷ୍ଟାଦଶ ଅଧ୍ୟାୟଃ

ମୋକ୍ଷ ଯୋଗଃ


 ହେ ଭରତ ଶ୍ରେଷ୍ଠ ! ଏହି ତ୍ୟାଗ ବିଷୟରେ ମୋର ନିର୍ଣ୍ଣୟ ତୁମେ ଶୁଣ । ହେ  ପୁରୁଷ ବ୍ୟାଘ୍ର ! ତ୍ୟାଗ ତିନି ପ୍ରକାର ବୋଲି କୁହାଯାଇଛି ।ା୪ାା ଯଜ୍ଞ, ଦାନ ଓ ତପସ୍ୟା- ଏହି ତିନି ପ୍ରକାର କର୍ମ ତ୍ୟାଗ କରିବା ଅନୁଚିତ ; ଏହା କରଣୀୟ ଅଟେ । ଯଜ୍ଞ, ଦାନ ଏବଂ ତପସ୍ୟା ବିବେକୀ ମନୁଷ୍ୟମାନଙ୍କୁ ପବିତ୍ର କରେ ।ା୫ାା ହେ ପାର୍ଥ ! ଏହି କର୍ମ ମଧ୍ୟ ଆସକ୍ତି ଏବଂ ଫଳାକାଂକ୍ଷା ତ୍ୟାଗ ପୂର୍ବକ କରିବା ଉଚିତ ; ଏହା ମୋର  ନିଶ୍ଚିତ ଓ ଉତ୍ତମ ମତ  ଅଟେ ।ା୬ାା  ନିୟତ କର୍ମର ତ୍ୟାଗ ଉଚିତ ନୁହେଁ । ମୋହବଶତଃ ଯଦି ସେହି କର୍ମ ତ୍ୟାଗ କରାଯାଏ ତେବେ ସେହି ତ୍ୟାଗକୁ ତାମସ ବୋଲି କୁହାଯାଏ ।ା୭ାା ଯେଉଁ ମନୁଷ୍ୟ ଦୁଃଖ କାରକ ମନେ କରି ବା ଶାରୀରିକ କଷଣ ଭୟ ହେତୁ କୌଣସି କର୍ମର ତ୍ୟାଗ କରେ ତେବେ ସେହି ତ୍ୟାଗ ରାଜସ ଅଟେ ଏବଂ ଏଥିପାଇଁ ତାକୁ କର୍ମ ତ୍ୟାଗର ଫଳ ପ୍ରାପ୍ତ ହୁଏ ନାହିଁ ।ା୮ାା ହେ ଅର୍ଜୁନ ! ""ଏହା କରିବା ମୋର କର୍ତ୍ତବ୍ଯ ''- ଏପରି ମନେ କରି ଆସକ୍ତି ଏବଂ ଫଳକାମନା ତ୍ୟାଗ ପୂର୍ବକ ଯଦି ନିୟତ କର୍ମ କରାଯାଏ, ତେବେ ତାକୁ ସାତ୍ତ୍ଵିକ ତ୍ୟାଗ ବୋଲି ମନେ କରାଯାଏ ।ା୯ାାସଂଶୟ ରହିତ, ଶୁଦ୍ଧ ଭାବନାଯୁକ୍ତ; ବୁଦ୍ଧିମାନ ଓ ତ୍ୟାଗୀ ପୁରୁଷ ଅକଲ୍ୟାଣକାରକ ଧର୍ମରେ ଦ୍ୱେଷ କରେ ନାହିଁ ଏବଂ କଲ୍ୟାଣ କାରକ କର୍ମରେ ପ୍ରସନ୍ନ ହୁଏ ନାହିଁ ।ା୧୦ାା ସମସ୍ତ କର୍ମକୁ ସର୍ବଥା ତ୍ୟାଗ କରିବା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ଯେଉଁ ମନୁଷ୍ୟ କର୍ମ ଫଳକୁ ତ୍ୟାଗ କରେ, ସେ ତ୍ୟାଗୀ ବୋଲି କଥିତ ହୁଏ ।ା୧୧ାା  ଯେଉଁ ମନୁଷ୍ୟ  ତ୍ୟାଗ  କରେ ନାହିଁ, ମୃତ୍ୟୁ ପରେ ସେ ଶୁଭ, ଅଶୁଭ ଓ  ଶୁଭ-ଅଶୁଭ ମିଶ୍ରିତ - ଏହି ପରି ତିନି ପ୍ରକାର କର୍ମଫଳ ଭୋଗ କରନ୍ତି । କିନ୍ତୁ ତ୍ୟାଗୀ ମନୁଷ୍ୟମାନଙ୍କର ଏପରି କେବେହେଲେ ହୁଏ ନାହିଁ ।ା୧୨ାା- ହେ ମହାବାହୁ !  ପ୍ରତ୍ୟେକ କର୍ମର ସିଦ୍ଧି ପାଇଁ ସାଂଖ୍ୟ ଶାସ୍ତ୍ରରେ ଏହି ପାଞ୍ଚ  କାରଣ ବର୍ଣ୍ଣିତ ହୋଇଛି । ସେଗୁଡିକ  ତୁମେ ମୋଠାରୁ ଜାଣି ନିଅ ।ା୧୩ାା ସେହି ପାଞ୍ଚ କାରଣ ହେଲା: କ୍ଷେତ୍ର,କର୍ତ୍ତା, ଭିନ୍ନ ଭିନ୍ନ ସାଧନ; ଭିନ୍ନ ଭିନ୍ନ କ୍ରିୟା ଏବଂ ପଞ୍ଚମ ହେଉଛି ଦୈବ ।ା୧୪ାା ଶରୀର , ବାଣୀ ଅଥବା ମନ ଦ୍ୱାରା ମନୁଷ୍ୟ ଯାହା ସବୁ ଉଚିତ ବା ଅନୁଚିତ କର୍ମ କରେ;  ଏହି ପାଞ୍ଚ  କାରଣ ତାହାର ହେତୁ ଅଟନ୍ତି ।ା୧୫ାାଏହିପରି ହେଉଥିଲେ ମଧ୍ୟ ଅସଂସ୍କାରୀ ବୁଦ୍ଧି ହେତୁ ଯେଉଁ ମନୁଷ୍ୟ କେବଳ ନିଜକୁ ହିଁ କର୍ତ୍ତା ବୋଲି ମନେ କରେ,  ସେହି ମୂଢ଼ ବୁଦ୍ଧି ମନୁଷ୍ୟ କିଛି ଜାଣେନାହିଁ ।ା୧୬ାା ଯେଉଁ ମନୁଷ୍ୟର (ମୁଁ କର୍ତ୍ତା ଅଟେ ଏହିପରି) ଅହଙ୍କାର ଭାବ ନାହିଁ ; ଯାହାର ବୁଦ୍ଧି(ଆସକ୍ତି ହେତୁ) ମଳିନ ହୋଇ ନାହିଁ; ସେ ଏହି ସଂସାରକୁ ମାରି ମଧ୍ୟ ମାରେ ନାହିଁ ଏବଂ ବନ୍ଧନରେ ଆବଦ୍ଧ ହୁଏ ନାହିଁ ।ା୧୭ାା କର୍ମ ପ୍ରେରଣାରେ ତିନୋଟି ତତ୍ତ୍ବ ସମାହିତ ଥାଏ ; ଜ୍ଞାନ, ଜ୍ଞେୟ ଓ ପରିଜ୍ଞାତା । ଏହିପରି କର୍ମର ଅଙ୍ଗ ମଧ୍ୟ ତିନି ପ୍ରକାର ହୋଇଥାଏ ; କରଣ, କର୍ମ ଓ କର୍ତ୍ତା ।ା୧୮ାାଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ ସମସ୍ତ ଭୂତରେ ଏକମାତ୍ର  ଅବିନାଶୀ ଭାବର ତଥା ବିବିଧତା ମଧ୍ୟରେ ଏକତାର ଦର୍ଶନ କରେ , ସେହି ଜ୍ଞାନକୁ ସାତ୍ତ୍ଵିକ ଜ୍ଞାନ ବୋଲି ଜାଣ ।ା୨୦ାା ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ ପୃଥକ୍ ପୃଥକ୍ ରୂପେ ସମସ୍ତ ଭୂତରେ ବିଭିନ୍ନ ପ୍ରକାରର ନାନାଭାବକୁ ଜାଣେ , ସେହି ଜ୍ଞାନକୁ ରାଜସିକ ବୋଲି ଜାଣ ।ା୨୧ାା ଯେଉଁ ଜ୍ଞାନ ଦ୍ୱାରା ବିନା କାରଣରେ କୌଣସି ଏକ ବସ୍ତୁରେ ସବୁ କିଛି ସମାହିତ ହୋଇଛି ମାନି ମନୁଷ୍ୟ ଆସକ୍ତ ହୁଏ ଏବଂ ଯେଉଁ ଜ୍ଞାନ ରହସ୍ୟହୀନ ତଥା ତୁଚ୍ଛ ଅଟେ, ସେହି ଜ୍ଞାନକୁ ତାମସ କୁହାଯାଏ ।ା୨୨ାାଫଳାକାଂକ୍ଷା ରହିତ ପୁରୁଷ ଦ୍ୱାରା ଆସକ୍ତି ଓ ରାଗଦ୍ୱେଷ ଶୂନ୍ୟ ହୋଇ ଅନୁଷ୍ଠିତ ହେଉଥିବା ନିୟତ କର୍ମକୁ ସାତ୍ତ୍ଵିକ କୁହାଯାଏ ।ା୨୩ାା କର୍ତ୍ତୃତ୍ତ୍ବାଭିମାନୀ ଫଳକାମୀ ମନୁଷ୍ୟ ଦ୍ୱାରା ଶକ୍ତିର ବୃଥା ଅପଚୟ କରି ଯେଉଁ ଆୟାସପୂର୍ଣ୍ଣ ଓ କ୍ଳେଶ ଯୁକ୍ତ କର୍ମ ଅନୁଷ୍ଠିତ ହୁଏ ତାକୁ ରାଜସ କର୍ମ କୁହାଯାଏ ।ା୨୪ାା ପରିଣାମ , କ୍ଷୟ-କ୍ଷତି,ହିଂସା ତଥା ନିଜ ସାମର୍ଥ୍ୟର ବିଚାର ନ କରି ମୋହ ବଶତଃ ମନୁଷ୍ୟ ଯେଉଁ କର୍ମ ଆରମ୍ଭ କରେ ତାହାକୁ ତାମସ କର୍ମ କୁହାଯାଏ ।ା୨୫ାାଯିଏ ଆସକ୍ତି ଓ ଅହଙ୍କାର ରହିତ ଅଟନ୍ତି ;ଯାହାଙ୍କଠାରେ ଦୃଢ଼ତା ଓ ଉତ୍ସାହ ଅଛି ଏବଂ ଯିଏ ସଫଳତା ବା ଅସଫଳତାରେ ହର୍ଷ ବା ବିଷାଦଯୁକ୍ତ ହୁଅନ୍ତି ନାହିଁ, ସେ ସାତ୍ତ୍ଵିକ କର୍ତ୍ତା ବୋଲି କଥିତ ହୁଅନ୍ତି ।ା୨୬ାା ରାଗୀ(ଆସକ୍ତିଯୁକ୍ତ);ଫଳାକାଙ୍କ୍ଷୀ; ଲୋଭୀ, ହିଂସ୍ରକ; ଅପବିତ୍ର ତଥା ହର୍ଷ ଓ ଶୋକଯୁକ୍ତ ବ୍ୟକ୍ତିକୁ ରାଜସ କର୍ତ୍ତା ବୋଲି କୁହାଯାଏ ।ା୨୭ାା ଯିଏ ଅସ୍ଥିରମନା(ଅବ୍ୟସ୍ଥିତ) , ଅସଂସ୍କାରୀ, ଉଦ୍ଧତ, ଧୂର୍ତ୍ତ, ଦୁଷ୍ଟ,କ୍ରୁର, ଅଳସୁଆ; ବିଷାଦୀ ଓ ଦୀର୍ଘସୂତ୍ରୀ , ତାଙ୍କୁ ତାମସ କର୍ତ୍ତା କୁହାଯାଏ ।ା୨୮ାାହେ ଧନଞ୍ଜୟ ! ଏବେ ମୁଁ ଗୁଣ ଅନୁସାରେ ତିନି ପ୍ରକାର ବୁଦ୍ଧି ଓ ଧୃତି ବିଷୟରେ ବିସ୍ତାର ପୂର୍ବକ ପୃଥକ ପୃଥକ ଭାବରେ କହୁଛି , ତାହା ତୁମେ ଶୁଣ ।ା୨୯ାା ହେ ପାର୍ଥ ! ପ୍ରବୃତ୍ତି ଓ ନିବୃତ୍ତି, କାର୍ଯ୍ୟ ଓ ଅକାର୍ଯ୍ୟ, ଭୟ ଓ ଅଭୟ ତଥା ବନ୍ଧନ ଓ ମୋକ୍ଷର ଭେଦ ଯେଉଁ ବୁଦ୍ଧି ସମୁଚିତ ଭାବରେ ଜାଣେ , ତାହା ସାତ୍ତ୍ଵିକୀ ବୁଦ୍ଧି ଅଟେ ।ା୩୦ାା ହେ ପାର୍ଥ ! ଯେଉଁ ବୁଦ୍ଧି ଧର୍ମ ଓ ଅଧର୍ମ ତଥା କାର୍ଯ୍ୟ ଓ ଅକାର୍ଯ୍ୟର ଭେଦ ବୃଥାରେ କରେ ସେହି ବୁ୍ଦ୍ଧି ରାଜସୀ ଅଟେ ।ା୩୧ାାା ହେ ପାର୍ଥ ! ଯେଉଁ ବୁଦ୍ଧି ତମୋଗୁଣ ଦ୍ୱାରା ଆବୃତ୍ତ ହୋଇଥିବା ହେତୁ ଅଧର୍ମକୁହିଁ ଧର୍ମ ମନେ କରେ ଏବଂ ସବୁ ବିଷୟକୁ ବିପରୀତ ଦୃଷ୍ଟିରେ ଦେଖେ , ସେହି ବୁଦ୍ଧି ତାମସୀ ଅଟେ ।ା୩୨ାା ହେ ପାର୍ଥ ! ଯେଉଁ ଏକନିଷ୍ଠ ଧୃତି ଦ୍ୱାରା ମନୁଷ୍ୟ  ମନ, ପ୍ରାଣ ଓ ଇନ୍ଦ୍ରିୟମାନଙ୍କର କ୍ରିୟାଗୁଡିକୁ  ସାମ୍ୟ ବୁଦ୍ଧିରେ ଧାରଣ କରେ, ସେହି ଧୃତି ସାତ୍ତ୍ଵିକୀ ଅଟେ ।ା୩୩ାା ହେ ପାର୍ଥ ! ଯେଉଁ ଧୃତି ଦ୍ୱାରା ମନୁଷ୍ୟ ଫଳକାମନା ପୂର୍ବକ ଧର୍ମ, ଅର୍ଥ ଓ କାମକୁ ଆସକ୍ତି ବଶତଃ ଧାରଣ କରେ, ସେହି ଧୃତି ରାଜସୀ ଅଟେ ।ା୩୪ାା ହେ ପାର୍ଥ ! ଯେଉଁ ଧୃତି ଦ୍ୱାରା ଦୁଷ୍ଟବୁଦ୍ଧି ମନୁଷ୍ୟ ନିଦ୍ରା, ଭୟ, ଚିନ୍ତା, ଦୁଃଖ ଓ ମଦ(ଅହଙ୍କାର) ତ୍ୟାଗ କରିପାରେ ନାହିଁ , ତାହା ତାମସୀ  ଧୃତି  ଅଟେ ।ା୩୫ାାହେ ଭରତ ଶ୍ରେଷ୍ଠ! ଏବେ ତିନି ପ୍ରକାର ସୁଖ ବିଷୟରେ କହୁଛି ଶୁଣ । ଅଭ୍ୟାସ ଦ୍ୱାରାହିଁ, ଯହିଁରୁ ମନୁଷ୍ୟ ଆନନ୍ଦିତ ହୁଏ, ଯଦ୍ୱାରା ତା'ର ଦୁଃଖର ଅବସାନ ହୁଏ ; ଯାହା ଆରମ୍ଭରେ ବିଷତୁଲ୍ୟ ପ୍ରତୀତ ହୁଏ ଏବଂ ପରିଣାମରେ ଅମୃତ ସଦୃଶ ସିଦ୍ଧ ହୁଏ ତଥା ଯାହା ଆତ୍ମଜ୍ଞାନର ପ୍ରସନ୍ନତାରେ ଉତ୍ପନ୍ନ ହୁଏ , ସେହି ସୁଖକୁ ସାତ୍ତ୍ଵିକ କୁହାଯାଏ ।ା୩୬-୩୭ ।ା ବିଷୟ ଏବଂ ଇନ୍ଦ୍ରିୟର ସଂଯୋଗ ହେତୁ ଯେଉଁ ସୁଖ ପ୍ରଥମରୁହିଁ ଅମୃତ ଭଳି ମନେ ହୁଏ କିନ୍ତୁ ପରିଣାମରେ ବିଷତୁଲ୍ୟ ସିଦ୍ଧ ହୁଏ , ସେହି ସୁଖକୁ ରାଜସ କୁହାଯାଏ ।ା୩୮ାା ଯେଉଁ ସୁଖ ଆରମ୍ଭ ଓ ପରିଣାମରେ ଆତ୍ମାକୁ ମୋହଗ୍ରସ୍ତ କରାଏ ଏବଂ ନିଦ୍ରା ଆଳସ୍ୟ ତଥା ପ୍ରମାଦରୁ ଉତ୍ପନ୍ନ ହୋଇଥାଏ ତାହା ତାମସ ଦୁଃଖ ବୋଲି କଥିତ ହୁଏ ।ା୩୯ାାହେ ପରନ୍ତପ! ବ୍ରାହ୍ମଣ, କ୍ଷତ୍ରିୟ,ବୈଶ୍ୟ ଓ ଶୂଦ୍ରର କର୍ମଗୁଡିକ ମଧ୍ୟ ସେମାନଙ୍କ ସ୍ୱାଭାବଜନ୍ୟ ଗୁଣମାନଙ୍କ ଭେଦରେ ବିଭକ୍ତ କରାଯାଇଛି ।ା୪୧ାା ଶମ, ଦମ, ତପ, ଶୌଚ, କ୍ଷମା, ସରଳତା, ଜ୍ଞାନ, ବିଜ୍ଞାନ ଏବଂ ଆସ୍ତିକତା- ଏସବୁ ବ୍ରାହ୍ମଣମାନଙ୍କର ସ୍ୱଭାବଜନ୍ୟ କର୍ମ ଅଟେ ।ା୪୨ାା ଶୌର୍ଯ୍ୟ, ତେଜ, ଧୃତି. ଦକ୍ଷତା, ଯୁଦ୍ଧରେ ପଶ୍ଚାଦପଦ ନ ହେବା, ଦାନ ଓ ପ୍ରଭୁତ୍ୱ- ଏସବୁ କ୍ଷତ୍ରିୟର ସ୍ୱାଭାବଜନ୍ୟ କର୍ମ ଅଟେ ।ା୪୩ାା କୃଷି, ଗୋରକ୍ଷା, ବ୍ୟବସାୟ-ବାଣିଜ୍ୟ- ଏସବୁ ବୈଶ୍ୟର ସ୍ୱଭାବଜନ୍ୟ କର୍ମ ଅଟେ ଏବଂ ସେବା-ଚାକରୀ କରିବା ହେଉଛି ଶୂଦ୍ରର ସ୍ୱଭାବଜନ୍ୟ କର୍ମ ।ା୪୪ାାନିଜ ନିଜ କର୍ମରେ ରତ ହୋଇ ମନୁଷ୍ୟ ସିଦ୍ଧି ପ୍ରାପ୍ତ ହୁଏ । ନିଜ କର୍ମରେ ରତ ରହୁଥିବା ମନୁଷ୍ୟକୁ ସିଦ୍ଧି କିପରି ମିଳେ ତାହା ବର୍ତ୍ତମାନ ତୁମେ ଶୁଣ ।ା୪୫ାା ଯାହା ଦ୍ୱାରା ପ୍ରାଣୀମାନଙ୍କର ପ୍ରବୃତ୍ତି ହୁଏ; ଯାହାଦ୍ୱାରା ଏହି ସମସ୍ତ ବିଶ୍ୱ ପରିବ୍ୟାପ୍ତ ତାହାଙ୍କୁ(ପରମାତ୍ମାଙ୍କୁ) ଯେଉଁ ମନୁଷ୍ୟ ନିଜ କର୍ମ ଦ୍ୱାରା ଅର୍ଚ୍ଚନା କରେ ସେ ସିଦ୍ଧି ଲାଭ କରେ ।ା୪୬ାା ପରଧର୍ମ ସରଳ ହୋଇଥିଲେ ମଧ୍ୟ ଗୁଣ ରହିତ ସ୍ୱଧର୍ମ ତା'ଠାରୁ ଶ୍ରେୟସ୍କର ଅଟେ । ସ୍ୱଭାବ ଅନୁସାରେ ନିଶ୍ଚିତ ହୋଇଥିବା କର୍ମ କରିବା ଦ୍ୱାରା ମନୁଷ୍ୟ ପାପଭାଗୀ ହୁଏ ନାହିଁ ।ା୪୭ାା ହେ କୌନ୍ତେୟ ! ଯଦି ସହଜ ପ୍ରାପ୍ତ କର୍ମ  ଦୋଷଯୁକ୍ତ ହୋଇଥାଏ ତଥାପି ମଧ୍ୟ ତାହାକୁ ତ୍ୟାଗ କରିବା ଉଚିତ ନୁହେଁ । ଯେପରି ନିଆଁ ସହିତ ଧୂଆଁ ଥାଏ ସେହିପରି ପ୍ରତ୍ୟେକ କର୍ମ ସହିତ ଦୋଷ ଲାଗି ରହିଥାଏ ।ା୪୮ାା ସମସ୍ତ ବିଷୟରେ ଅନାସକ୍ତ ବୁଦ୍ଧି, ନିସ୍ପୃହ ଓ ଜିତେନ୍ଦ୍ରିୟ ବ୍ୟକ୍ତି ସନ୍ୟାସ ଦ୍ୱାରା ନୈଷ୍କର୍ମ୍ୟ-ରୂପ ପରମ ସିଦ୍ଧିକୁ ପ୍ରାପ୍ତ ହୁଏ ।ା ୪୯ାା ହେ କୌନ୍ତେୟ ! ଏହି ସିଦ୍ଧି ଲାଭ କରିଥିବା ବ୍ୟକ୍ତି କିପରି ବ୍ରହ୍ମକୁ (ପରାମାତ୍ମାଙ୍କୁ) ପ୍ରାପ୍ତ ହୁଏ ; ତାହା ତୁମେ ମୋଠାରୁ ସଂକ୍ଷେପରେ ଶୁଣ । ଏହା ଜ୍ଞାନର ଚରମ ସୀମା ଅଟେ ।ା୫୦ାା ବିଶୁଦ୍ଧ ବୁଦ୍ଧିଯୁକ୍ତ ଯୋଗୀ ଦୃଢ଼ତା ପୂର୍ବକ ନିଜକୁ ସକ୍ଷମ ରଖି;ଶବ୍ଦ ରୂପ ରସ ଆଦି ବିଷୟକୁ ତ୍ୟାଗ କରି; ରାଗ-ଦ୍ୱେଷ ଉପରେ ବିଜୟ ପ୍ରାପ୍ତ କରି; ଏକାନ୍ତ ବାସ କରି ; ପରିମିତ ଆହାର ଗ୍ରହଣ କରି; ବାଣୀ-ଶରୀର ମନକୁ ସଂଯତ କରି; ନିତ୍ୟ ଧ୍ୟାନଯୋଗ ପରାୟଣ ହୋଇ ; ବୈରାଗ୍ୟର ଆଶ୍ରୟ ନେଇ ; ଅହଙ୍କାର-ବଳ-ଦର୍ପ-କାମ-କ୍ରୋଧ ଓ ପରିଗ୍ରହର ତ୍ୟାଗ କରି ତଥା ମମତାରହିତ ଓ ଶାନ୍ତ ହୋଇ ପରମାତ୍ମାନୁଭୂତି(ବ୍ରହ୍ମଭାବ) ପାଇଁ ଯୋଗ୍ୟହୁଏ ।ା ୫୧-୫୨-୫୩ ।ା ଏହିପରି ବ୍ରହ୍ମଭାବ(ପରମାତ୍ମାନୁଭୂତି) ପ୍ରାପ୍ତ ପ୍ରସନ୍ନ ଚିତ୍ତ ମନୁଷ୍ୟ ଶୋକ କରେ ନାହିଁ କିମ୍ବା କୌଣସି ବିଷୟରେ ଆକାଙ୍କ୍ଷା ରଖେ ନାହିଁ । ସେ ସମସ୍ତ ପ୍ରାଣୀମାନଙ୍କଠାରେ ସମଭାବ ରଖି ମୋର ପରମ ଭକ୍ତିକୁ ପ୍ରାପ୍ତ ହୁଏ ।ା ୫୪ାା ମୁଁ କେତେ ମହାନ ଓ କିଏ ଅଟେ , ଏ ବିଷୟ ସେ ଭକ୍ତି ଦ୍ୱାରା ଯଥାର୍ଥ ଭାବରେ ଜାଣେ ଏବଂ ଏହିପରି ମୋତେ ତତ୍ତ୍ବତଃ ଜାଣି ମୋଠାରେ ପ୍ରବେଶ କରେ ।ା ୫୫ାାମୋର ଆଶ୍ରିତ ମନୁଷ୍ୟ ସମସ୍ତ କର୍ମ କରି ମଧ୍ୟ ମୋ କୃପାରୁ ଶାଶ୍ୱତ, ଅବ୍ୟୟ ପଦକୁ ପ୍ରାପ୍ତ ହୁଏ । ୫୬ାା ମନ ଦ୍ୱାରା ସମସ୍ତ କର୍ମ ମୋଠାରେ ଅର୍ପଣ କରି, ମତ୍ପରାୟଣ ହୋଇ, ବୁଦ୍ଧିଯୋଗର ଆଶ୍ରୟ କରି ସର୍ବଦା ମୋଠାରେ ତୁମର ଚିତ୍ତକୁ ନିବିଷ୍ଟ କର ।ା୫୭ାା ମୋଠାରେ ଚିତ୍ତ ନିବିଷ୍ଟ କରିବା ଦ୍ୱାରା ତୁମେ ସମସ୍ତ ପ୍ରକାର ବାଧାବିଘ୍ନକୁ ମୋର ଅନୁଗ୍ରହରୁ ପାର ହୋଇଯିବ । କିନ୍ତୁ ଯଦି ତୁମେ ଅହଂକାରବଶତଃ ମୋର କଥା ଶୁଣିବ ନାହିଁ ତେବେ ତୁମେ ବିନଷ୍ଟ ହେବ ( ଅର୍ଥାତ ଦୁର୍ଗତି ଲାଭ କରିବ ) ।ା୫୮ାା ହେ ଭାରତ ! ତୁମେ ସର୍ବତୋଭାବରେ ତାଙ୍କର ଶରଣାପନ୍ନ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଓ ଅମର ପଦ ପ୍ରାପ୍ତ ହେବ ।ା୬୨ାା ତୁମେ ମୋଠାରେ ଚିତ୍ତ ନିବେଶ କର ; ମୋର ଭକ୍ତ ହୁଅ ;ମୋର ଅର୍ଚ୍ଚନା କର । ମୋତେ ନମସ୍କାର କର । ତୁମେ ମୋତେହିଁ ପ୍ରାପ୍ତ ହେବ ; ଏହା ମୋର ସତ୍ୟ ପ୍ରତିଜ୍ଞା । ତୁମେ ମୋର ପ୍ରିୟ ଅଟ ।ା୬୫ାା ସମସ୍ତ ଧର୍ମ ତ୍ୟାଗ କରି ତୁମେ କେବଳ ମୋର ଶରଣାପନ୍ନ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିବି । ଏଥିପାଇଁ ତୁମେ ଅନୁଶୋଚନା କର ନାହିଁ ।ା୬୬ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   




Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,