ଶ୍ରୀ ଭଗବାନୁବାଚ (୫) --ଷଷ୍ଠ ଅଧ୍ୟାୟଃ ଅଭ୍ୟାସ(ଧ୍ୟାନ )ଯୋଗଃ

ଶ୍ରୀ ଭଗବାନୁବାଚ (୫)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

ଷଷ୍ଠ ଅଧ୍ୟାୟଃ

ଅଭ୍ୟାସ(ଧ୍ୟାନ )ଯୋଗଃ 

ଅନୁବାଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

କର୍ମଫଳକୁ ଅପେକ୍ଷା ନ କରି ଯିଏ କର୍ତ୍ତବ୍ଯ କର୍ମ କରେ ସେହିଁ ସନ୍ୟାସୀ ଓ ଯୋଗୀ ଅଟନ୍ତି । ସେ ଅଗ୍ନିତ୍ୟାଗୀ ଓ କର୍ମ ତ୍ୟାଗୀ ବ୍ୟକ୍ତି ନୁହନ୍ତି ।ା୧ାା ହେ ପାଣ୍ଡବ ! ଯାହାକୁ ସନ୍ୟାସ କୁହାଯାଏ, ତାହାକୁ ଯୋଗ ବୋଲି ଜାଣ । କାରଣ ସଂକଳ୍ପଗୁଡିକୁ ପରତ୍ୟାଗ ନ କଲେ କେହି ଯୋଗୀ ହୁଏ ନାହିଁ ।ା୨ାା ଯୋଗାରୁଢ଼ ହେବାକୁ ଚାହୁଁଥିବା ମୁନିର କର୍ମହିଁ ସିଦ୍ଧିଲାଭର କାରଣ ବୋଲି କଥିତ ହୁଏ । ସେହି ଯୋଗାରୂଢ଼ ମନୁଷ୍ୟର ଶାନ୍ତିହିଁ ପରମାତ୍ମା ପ୍ରାପ୍ତିର କାରଣ ବୋଲି କୁହାଯାଇଛି ।ା୩ାା ଯେତେବେଳେ ମନୁଷ୍ୟ ଇନ୍ଦ୍ରିୟ ଭୋଗ୍ୟ ବିଷୟରେ ଆସକ୍ତ ହୁଏ ନାହିଁ ଏବଂ ସମସ୍ତ ବାସନାତ୍ମକ ସଂକଳ୍ପ ପରିତ୍ୟାଗ କରେ, ସେତେବେଳେ ତାହାକୁ ଯୋଗାରୂଢ଼ (ଯୋଗଶିଖରରେ ଅଧିଷ୍ଠିତ) କୁହାଯାଏ ।ା୪ାା ଆତ୍ମା ଦ୍ୱାରା ଆତ୍ମାକୁ ଉଦ୍ଧାର କର; ଆତ୍ମାକୁ ଅବସନ୍ନ କର ନାହିଁ ; କାରଣ ଆତ୍ମାହିଁ ଆତ୍ମାର ବନ୍ଧୁ ; ଆତ୍ମାହିଁ  ଆତ୍ମାର ଶତ୍ରୁ ।ା୫ାା ଯେଉଁ ଆତ୍ମା କର୍ତ୍ତୁକ ଆତ୍ମା ବଶୀଭୂତ ହୋଇଛି ସେହି ଆତ୍ମା ନିଜର ବନ୍ଧୁ; ଅଜିତାତ୍ମା(ଯେ ନିଜକୁ ଜୟକରି ନାହିଁ ) ବ୍ୟକ୍ତିର ଆତ୍ମାହିଁ ଶତ୍ରୁ ପରି ଶତ୍ରୁତା ଆଚରଣରେ ପ୍ରବୃତ୍ତ ହୁଏ ।ା୬ାା ଜିତାତ୍ମା ଓ ପ୍ରଶାନ୍ତ ବ୍ୟକ୍ତି ତଥା ଶୀତ-ଉଷ୍ଣ,ସୁଖ-ଦୁଃଖ ଏବଂ ମାନ-ଅପମାନରେ ସମାନ ସ୍ଥିତି ଯୁକ୍ତ ବ୍ୟକ୍ତି ପରମାତ୍ମାଙ୍କ ସହିତ ସମାହିତ ଥାଏ ।ା୭ାା ଜ୍ଞାନ ବିଜ୍ଞାନ  ଦ୍ୱାରା ପରିତୃପ୍ତ, ନିର୍ବିକାର, ଇନ୍ଦ୍ରିୟଜୟୀ ତଥା ଟେକା, ପଥର ଓ ସୁବର୍ଣ୍ଣରେ ସମଭାବାପନ୍ନ;ଏଭଳି ଯୋଗୀଙ୍କୁ ଯୁକ୍ତ (ଯୋଗରୁଢ଼) କୁହାଯାଏ ।ା୮ାା ସୁହୃତ୍, ମିତ୍ର, ଉଦାସୀନ, ମଧ୍ୟସ୍ଥ, ଈର୍ଷାଳୁ, ସାଧୁ ଓ ପାପୀମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ବ୍ୟକ୍ତି ଶ୍ରେଷ୍ଠ ଅଟନ୍ତି ।ା୯ାାଯୋଗୀ ନିର୍ଜନ ସ୍ଥାନରେ ଅବସ୍ଥାନ କରି ସଙ୍ଗ ଶୂନ୍ୟ ସଂଯତ ଚିତ୍ତ,ଆକାଙ୍କ୍ଷାଶୂନ୍ୟ, ପରିଗ୍ରହଶୂନ୍ୟ ହୋଇ ନିରନ୍ତର ଆତ୍ମାକୁ (ପରମାତ୍ମାଙ୍କ ସହିତ) ଯୋଗଯୁକ୍ତ  କରିବା ଉଚିତ ।ା୧୦ାା ନିର୍ମଳ ସ୍ଥାନରେ ନିଶ୍ଚଳ ଅନତିଉଚ୍ଚ,  ଅନତି ନିମ୍ନ, କ୍ରମାନ୍ୱୟରେ କୁଶ ମୃଗଚର୍ମ ଓ ବସ୍ତ୍ର ଦ୍ୱାରା ରଚିତ ନିଜର ଆସନ ସ୍ଥାପନ ପୂର୍ବକ ସେହି ଆସନରେ ଉପବିଷ୍ଟ ହୋଇ, ଚିତ୍ତ ଓ ଇନ୍ଦ୍ରିୟଗଣର କ୍ରିୟା ସଂଯତ କରି; ମନକୁ ଏକାଗ୍ର କରି, ଆତ୍ମଶୁଦ୍ଧି ପାଇଁ ଯୋଗ ଅଭ୍ୟାସ  କରିବ ।ା୧୧-୧୨ାା ଶରୀର,ମସ୍ତକ ଓ ଗ୍ରୀବାକୁ ସରଳ ଭାବେ ଓ ନିଶ୍ଚଳ ଭାବରେ ରଖି ସ୍ଥିର ହୋଇ ନିଜ ନାସିକାର ଅଗ୍ରଭାଗ ଦର୍ଶନ କରି ଓ ଦିଗମାନଙ୍କୁ ଅବଲୋକନ ନ କରି ପ୍ରଶାନ୍ତ ଚିତ୍ତ  ନିର୍ଭୟ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ  କରି ମନ ସଂଯମ କରି,  ମଦ୍ଗତଚିତ୍ତ,ମତ୍ପରାୟଣ ହୋଇ ଯୋଗଯୁକ୍ତ ହେବ ।ା୧୩-୧୪ାା ଯୋଗୀ ଏହି ପ୍ରକାରେ ନିରନ୍ତର ମନକୁ ସଂଯତ କରି ନିଜକୁ  ଯୋଗଯୁକ୍ତ କରି ମୋଠାରେ ପ୍ରତିଷ୍ଠିତ ନିର୍ବାଣର ପରମ ଶାନ୍ତି ଲାଭ କରେ ।ା୧୫ାା ହେ ଅର୍ଜୁନ ! କିନ୍ତୁ ଅତି ଭୋଜନକାରୀର ଯୋଗ ହୁଏ ନାହିଁ । ଏକାନ୍ତ  ଅନାହାରୀର ମଧ୍ୟ ହୁଏ ନାହିଁ । ଅତ୍ୟନ୍ତ ନିଦ୍ରାଳୁର ମଧ୍ୟ ହୁଏ ନାହିଁ । ଅନିଦ୍ରାଭ୍ୟାସୀର ମଧ୍ୟ ହୁଏ ନାହିଁ ।ା୧୬ାା ଆହାର ବିିହାରରେ ଯୁକ୍ତ, କର୍ମ ଚେଷ୍ଟାରେ ଯୁକ୍ତ , ନିଦ୍ରା ଓ ଜାଗରଣରେ ଯୁକ୍ତ ବ୍ୟକ୍ତିର ଯୋଗ ସାଧନା ଦୁଃଖ ନାଶକ ହୁଏ ।ା୧୭ାାଯେତେବେଳେ  ସମ୍ପୂର୍ଣ୍ଣ ଭାବେ ବଶୀକୃତ ମାନସ ଚୈତନ୍ୟ ଆତ୍ମାରେହିଁ ସ୍ଥିର ହୋଇ ଅବସ୍ଥାନ କରେ ସେତେବେଳେ ସକଳ କାମନାରୁ ମୁକ୍ତ ପୁରୁଷ ଯୋଗସିଦ୍ଧ ବୋଲି କଥିତ ହୁଅନ୍ତି ।ା୧୮ାା ଯେପରି ବାୟୁ ପ୍ରବାହ ଶୂନ୍ୟ ସ୍ଥାନରେ ପ୍ରଦୀପର ଶିଖା ବିଚଳିତ ହୁଏ ନାହିଁ, ସେହିପରି ଆତ୍ମା ବିଷୟକ ଯୋଗ ସାଧନାରେ ରତ ସଂଯତ ଚିତ୍ତ ଯୋଗୀର ତାହାହିଁ ଦୃଷ୍ଟାନ୍ତ ଜାଣିବ ।ା୧୯ାା ଯେଉଁ ଅବସ୍ଥାରେ  ଯୋଗାଭ୍ୟାସ ଦ୍ୱାରା ନିରୁଦ୍ଧ ଚିତ୍ତ ବାହ୍ୟ କ୍ରିୟାରୁ ବିରତ ହୁଏ ଏବଂ ଯେଉଁ ଅବସ୍ଥାରେ ଆତ୍ମା ଦ୍ୱାରା ଆତ୍ମାକୁ, ଆତ୍ମାରେ ଦର୍ଶନ କରି ଜୀବ ତୃପ୍ତି ଲାଭ କରେ ।ା୨୦ାା ଏହି ଯୋଗୀ ବୁଦ୍ଧି ଦ୍ୱାରା ଗ୍ରହଣୀୟ ଇନ୍ଦ୍ରିୟବୋଧର ଅତୀତ ଅତ୍ୟନ୍ତ ଯେଉଁ ସୁଖ ତାହା ଅନୁଭବ କରେ । ଯେଉଁ ଅବସ୍ଥାରେ ଅବସ୍ଥିତ ହୋଇ ଆତ୍ମ ସ୍ୱରୂପରୁ (ତତ୍ତ୍ବତଃ)ବିଚଳିତ ହୁଏ ନାହିଁ ।ା୨୧ାା ଯେଉଁ ଅବସ୍ଥା ଲାଭ କରି ଯୋଗୀ ଅନ୍ୟ କୌଣସି ଲାଭକୁ ତାହା ଅପେକ୍ଷା ଅଧିକ ବୋଲି ମନେ କରେ ନାହିଁ  ଯେଉଁଥିରେ ଅବସ୍ଥିତ ହୋଇ ଭୀଷଣ ଦୁଃଖ ଦ୍ୱାରା ମଧ୍ୟ ବିଚଳିତ ହୁଏ ନାହିଁ ।ା୨୨ାାସେହି ମନର ସହିତ ଦୁଃଖର ବିଚ୍ଛେଦ ରୂପ ଅବସ୍ଥାକୁ ଯୋଗ ବୋଲି ଜାଣିବ ; ଅବସାଦ ଶୂନ୍ୟ ହୃଦୟରେ ଦୃଢ଼ ସଂକଳ୍ପ ସହିତ ସେହି ଯୋଗ ଅଭ୍ୟାସ କରିବା ଉଚିତ ।ା୨୩ ।ା ସଂକଳ୍ପରୁ ଜାତ ସମସ୍ତ କାମନା ନିଃଶେଷ ରୂପେ ତ୍ୟାଗ କରି ମନ ଦ୍ୱାରାହିଁ ଇନ୍ଦ୍ରିୟ ସମୂହକୁ ସବୁ ଦିଗରୁ ନିବୃତ୍ତ କରି ଦୃଢ଼ ଭାବରେ ଧୃତ(ଧୃତି ଗୃହୀତୟା) ବୁଦ୍ଧିଦ୍ୱାରା ଧୀରେ ଧୀରେ ମନର କ୍ରିୟାରୁ ବିରତ ହେବ । ମନକୁ ଆତ୍ମିକ ସ୍ଥିତିରେ ସ୍ଥିତ କରାଇ କୌଣସି ଚିନ୍ତା କରିବା ଉଚିତ ନୁହେଁ ।ା୨୪-୨୫ାା ଚଞ୍ଚଳ ଓ ଅସ୍ଥିର ମନ ଯେଉଁ ଯେଉଁ ବିଷୟ ଅଭିମୁଖେ ଧାବିତ ହୁଏ ସେହି ସେହି ବିଷୟରୁ ପ୍ରତ୍ୟାହାର କରି ଆତ୍ମାରେହିଁ ବଶୀଭୂତ କରିବ ।ା୨୬ାା ପ୍ରଶାନ୍ତ ଚିତ୍ତ ରଜୋଗୁଣ ଜନିତ ବିକ୍ଷୋଭଶୂନ୍ୟ ନିର୍ମଳ ବ୍ରହ୍ମଭାବ ପ୍ରାପ୍ତ ଏହି ଯୋଗୀକୁ ଉତ୍ତମ ସୁଖ ଆଶ୍ରୟ କରେ ।ା୨୭ ।ା ଏହି ପ୍ରକାରେ କାମକ୍ରୋଧାଦିରୁ ମୁକ୍ତ ହୋଇ ଯୋଗୀ ସ୍ୱଯଂକୁ ସର୍ବଦା ଯୋଗଯୁକ୍ତ ରଖି ଅନାୟାସରେ ନିରତିଶୟ ସୁଖ ରୂପ ବ୍ରହ୍ମର ସ୍ପର୍ଶ ଉପଭୋଗ କରେ ।ା୨୮ାା ଯୋଗଯୁକ୍ତ ଆତ୍ମା, ଆତ୍ମାକୁ ସର୍ବଭୂତରେ ଅବସ୍ଥିତ ଏବଂ ସର୍ବ ଭୂତକୁ ଆତ୍ମାରେ ଅବସ୍ଥିତ ଦର୍ଶନ କରେ ସେ ସମସ୍ତ ବସ୍ତୁକୁହିଁ ସମାନ ଦୃଷ୍ଟିରେ ଦେଖେ ।ା୨୯ାା ଯିଏ ମୋତେ ସମସ୍ତ ପଦାର୍ଥରେ ଦେଖେ ଏବଂ ସମସ୍ତ ପଦାର୍ଥ ହିଁ ମୋଠାରେ ଦେଖେ , ମୁଁ ତା'ର ପରୋକ୍ଷ ହୁଏ ନାହିଁ (ନ ପ୍ରଣଶ୍ୟାମି) ସେ ମଧ୍ୟ ମୋର ପରୋକ୍ଷ ହୁଏ ନାହିଁ  ।ା୩୦ାା ଯେଉଁ ଯୋଗୀ  ଏକତ୍ୱରେ ପ୍ରତିଷ୍ଠିତ ହୋଇ ସର୍ବଭୂତରେ ଅବସ୍ଥିତ ମୋତେ ହୃଦୟର ପ୍ରେମ ଓ ଭକ୍ତି ନିବେଦନ କରେ ସେହି ଯୋଗୀ ଯେଉଁ ଭାବରେ ବାସ କରନ୍ତୁ ବା କର୍ମ କରନ୍ତୁ ମୋଠାରେ ହିଁ  ବାସ କରନ୍ତି ଓ କର୍ମ କରନ୍ତି ।ା୩୧ାା ହେ ଅର୍ଜୁନ ! ଯେଉଁ ବ୍ୟକ୍ତି ନିଜ ପରି ସମସ୍ତଙ୍କୁ ସମାନ ଦେଖେ ,ତାହା ସୁଖହିଁ ହେଉ ବା ଦୁଃଖହିଁ ହେଉ,ସେହି ଯୋଗୀ ସର୍ବାପେକ୍ଷା ଶ୍ରେଷ୍ଠ ।ା୩୨ାାହେ ମହାବାହୁ ! ଚଞ୍ଚଳ ମନ ସହଜରେ ବଶୀଭୂତ ହୁଏ ନାହିଁ । ସେଥିରେ ସନ୍ଦେହ ନାହିଁ । କିନ୍ତୁ ହେ କୌନ୍ତେୟ ! ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ଏହା ବଶୀଭୂତ ହୁଏ  ।ା୩୫ାା ଅସଂଯତ ବ୍ୟକ୍ତି କର୍ତ୍ତୁକ ଯୋଗ ସିଦ୍ଧି ଦୁଷ୍ପ୍ରାପ୍ୟ । ଏହାହିଁ ମୋର ମତ । କିନ୍ତୁ ବିହିତ ଉପାୟ ଦ୍ୱାରା ସାଧନରେ ଯତ୍ନଶୀଳ ସଂଯତ ଚିତ୍ତ ବ୍ୟକ୍ତି  କର୍ତ୍ତୁକ ଯୋଗ ଲାଭ କରାଯାଇ ପାରେ ।ା୩୬ାାହେ ପାର୍ଥ ! ତାହାର ଇହ ଲୋକ ବା ପରଲୋକରେ ମଧ୍ୟ ବିନାଶ ନାହିଁ; କାରଣ ହେ ପ୍ରିୟ ! ଶୁଭ କର୍ମକାରୀ କେହି ହେଲେ ଦୁର୍ଗତି ପ୍ରାପ୍ତ ହୁଏ ନାହିଁ ।ା୪୦ାା ଯୋଗ ଭ୍ରଷ୍ଟ ବ୍ୟକ୍ତି ପୁଣ୍ୟ କର୍ମକାରୀ  ମାନଙ୍କର ଲୋକ ଲାଭ କରି ଅନେକ ବର୍ଷ ସେଠାରେ ବାସ କରି ଶୁଚି ଓ ଲକ୍ଷ୍ମୀବନ୍ତ ବ୍ୟକ୍ତିଙ୍କ ଗୃହରେ ଜନ୍ମ ଲାଭ କରନ୍ତି ।ା୪୧ାା ଅଥବା ବୁଦ୍ଧିମାନ ଯୋଗୀଙ୍କ କୁଳରେ ଜନ୍ମଗ୍ରହଣ କରନ୍ତି ; ଏହିପରି ଜନ୍ମ ଏହି ଜଗତରେ ଦୁର୍ଲଭତର ଅଟେ ।ା୪୨ାା ହେ କୁରୁ ନନ୍ଦନ !(ସେହି ଯୋଗ ଭ୍ରଷ୍ଟ ବ୍ୟକ୍ତି) ସେହି ଯୋଗୀଙ୍କ ଗୃହରେ ପୂର୍ବ ଜନ୍ମରେ ଜାତ ସେହି ଯୋଗବୁଦ୍ଧି ଲାଭ କରନ୍ତି; ତଦନ୍ତର ପୁନରାୟ ସିଦ୍ଧି ପାଇଁ ଯତ୍ନ କରନ୍ତି ।ା୪୩ାା ସେ ସେହି ପୂର୍ବାଭ୍ୟାସ ବଶତଃ ବାଧ୍ୟ ହୋଇ ଯୋଗ ମାର୍ଗରେ ପ୍ରବୃତ୍ତ ହୁଅନ୍ତି । ଯୋଗର ସ୍ୱରୂପ ଜିଜ୍ଞାସୁ ବ୍ୟକ୍ତି ମଧ୍ୟ ବେଦକୁ ଅତିକ୍ରମ କରେ ।ା୪୪ାା  କିନ୍ତୁ  ପୂର୍ବକୃତ ଯତ୍ନ ଅପେକ୍ଷା ମଧ୍ୟ ଅଧିକତର ଯତ୍ନ କରି ନିଷ୍ପାପ ହୋଇ ଅନେକ ଜନ୍ମରେ ସିଦ୍ଧ ହୋଇ ତା'ପରେ ପରମ ଗତି ଲାଭ କରେ ।ା୪୫ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,