ରାଜଯୋଗ ଅଭ୍ୟାସର ବିଧି -- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼

ରାଜଯୋଗ ଅଭ୍ୟାସର ବିଧି

ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼
             ପ୍ରାତଃ କାଳରେ ନିତ୍ୟକର୍ମ ସମାପନ ପରେ ଗୃହର ସବୁଠାରୁ ନିର୍ଜନ ଓ ଆରାମପ୍ରଦ ସ୍ଥାନରେ ଉପବେଶନ କରନ୍ତୁ । ବୁଦ୍ଧିରେ ସ୍ପଷ୍ଟ କରନ୍ତୁ ଯେ ଆପଣ କାହିଁକି ବସିଛନ୍ତି ? ଯେତେ ସମୟ ଆପଣ ରାଜଯୋଗ ଅଭ୍ୟାସ ପାଇଁ ବସିବେ ସେହି ସମୟରେ ଅନ୍ୟ କୌଣସି ବିଷୟ ମନରେ ସ୍ଥାନ ଦେବା ଉଚିତ୍ ନୁହେଁ । ନିଜର ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟହ ଅତି କମ୍ ରେ ୪୫ ମିନିଟ୍ ସମୟ ଦେବାକୁ ପଡ଼ିବ ।
                ମେରୁଦଣ୍ଡକୁ ସିଧା କରି ବସନ୍ତୁ । ଆଖି ଖୋଲା ରଖନ୍ତୁ ଓ ଦୁଇ ଭୃଲତା ମଧ୍ୟରେ (ଭୃକୁଟି) ଦୃଷ୍ଟିକୁ ଏକାଗ୍ର କରନ୍ତୁ । ମନରେ ଆସୁଥିବା ପ୍ରତ୍ୟେକ ସଂକଳ୍ପ ବିକଳ୍ପଗୁଡ଼ିକୁ ଧ୍ୟାନ ପୂର୍ବକ ପରୀକ୍ଷା କରନ୍ତୁ । ଯେଉଁ ସଂକଳ୍ପ ଗୁଡ଼ିକ ମନର ଏକାଗ୍ରତାରେ ବ୍ୟାଘାତ ସୃଷ୍ଟି କରୁଛି ବା ବର୍ମାନ ଯଦି ସେ ଗୁଡ଼ିକର କୌଣସି ଆବଶ୍ୟକତା ନାହିଁ ସେ ଗୁଡ଼ିକୁ ଗୋଟି ଗୋଟି କରି ମନରୁ ବାହାର କରନ୍ତୁ । ଆପଣ ଦେଖିବେ ଏପରି ୨/୩ ମିନିଟ୍ କରିବା ପରେ ଆପଣଙ୍କ ମନରେ ସଂକଳ୍ପ ଗୁଡ଼ିକ ଅନେକ ହ୍ରାସ ହୋଇଯାଇଛି । ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ସହିତ ଆମର ମନ ବୁଦ୍ଧି ସର୍ବଦା ସଂପୃକ୍ତ ଥିବାରୁ ଆମେ କାମ କ୍ରୋଧ, ଲୋଭ, ମୋହ, ଅହଂକାର, ଇର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାର ଗୁଡ଼ିକ ଦ୍ୱାରା ଆକ୍ରାନ୍ତ ହୋଇ ପଡ଼ିଛୁ । ଏହାହିଁ ମନୋଦୈହିକ ଅସୁସ୍ଥତାର ମୂଳ କାରଣ । ତେଣୁ ରାଜଯୋଗର ମୂଳ ଉଦ୍ଧେଶ୍ୟ ହେଉଛି ବ୍ୟକ୍ତିକୁ ଆତ୍ମ ସଚେତନ କରାଇବା ।
ଶରୀରକୁ ଯେଉଁ ଶକ୍ତି ଚେତନା ପ୍ରଦାନ କରି କାର୍ଯ୍ୟକ୍ଷମ କରୁଛି ତାକୁ ଆଧ୍ୟାତ୍ମିକ ଭାଷାରେ ଆତ୍ମା କୁହାଯାଏ । ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଗୁଣର ସ୍ୱରୂପ ଅଟନ୍ତି । ପରମାତ୍ମା ସମସ୍ତ ଈଶ୍ୱରୀୟ ବା ଦୈବୀ ଗୁଣର ସାଗର; ଆତ୍ମା ସେ ସବୁର ସ୍ୱରୂପ ମାତ୍ର  । ସେ ଜ୍ୟୋତିବିନ୍ଦୁ ସ୍ୱରୂପ; ଅଜନ୍ମା, ଅଭୋକ୍ତା, ଅକର୍ତ୍ତା , ଅଶରୀରୀ ଓ ପରମାଧାମ ନିବାସୀ । ସେ ପତିତପାବନ ଓ ଜଗତର କଲ୍ୟାଣକାରୀ ଓ ପରମଧାମ ନିବାସୀ  ତାଙ୍କର କର୍ତ୍ତବ୍ଯବାଚକ ନାମ ଶିବ । କଳିର ଅନ୍ତିମ ଚରଣରେ ସେ ଏକ ବୃଦ୍ଧ ମାନବ ଶରୀରରେ ଅବତରଣ କରି ତା'ର ନାମ ପ୍ରଜାପିତା ବ୍ରହ୍ମା ରଖନ୍ତି  । ପରମାତ୍ମା ଅଶରୀରୀ ହେତୁ ସେ ପ୍ରଜାପିତା ବ୍ରହ୍ମା ମାଧ୍ୟମରେ ଆଗାମୀ ସ୍ୱର୍ଗ ବା ସତ୍ୟଯୁଗର ରଚନା କରନ୍ତି । ବର୍ମାନ ପ୍ରଜାପିତା ବ୍ରହ୍ମା ସ୍ୱୀୟ ସାକାର ଶରୀର ତ୍ୟାଗ କରି ସୂକ୍ଷ୍ମଲୋକରେ ନିବାସ କରୁଛନ୍ତି ଓ ପରମାତ୍ମାଙ୍କ ସହ ଅନ୍ୟ ଏକ ମାନବୀୟ ମାଧ୍ୟମରେ ଭୂପୃଷ୍ଠରେ ଅବତରଣ କରି ରାଜଯୋଗ ଶିକ୍ଷା ଦେଉଛନ୍ତି । ବ୍ୟକ୍ତି ନିଜକୁ ଦେହଠାରୁ ଏକ ପୃଥକ ଆତ୍ମା ରୂପେ ଅନୁଭବ କଲେ ସ୍ୱତଃ ଓ ସହଜ ଭାବରେ ସେ ପରମାତ୍ମାଙ୍କୁ ଅନୁଭବ କରି ପାରିବ । ପ୍ରଜାପିତା ବ୍ରହ୍ମାଙ୍କ ମୁଖ ମାଧ୍ୟମରେ ପରମାତ୍ମା ଶିବ ମଣିଷର ସବୁ ପ୍ରକାର ମନୋବିକାର ଦୂର କରିବା ପାଇଁ ରାଜଯୋଗର ଯେଉଁ ସରଳ ସୂତ୍ରଟି ବତାଇଛନ୍ତି ତାହା ଏଠାରେ ସଂକ୍ଷିପ୍ତ ଭାବରେ ଦିଆଗଲା । ବର୍ମାନ ମନରେ ନିମ୍ନ ପ୍ରକାର ସଂକଳ୍ପ ଗୁଡ଼ିକର ସୃଷ୍ଟି କରନ୍ତୁ ଓ ସେଗୁଡ଼ିକୁ ସ୍ପଷ୍ଟକରି ଚାଲନ୍ତୁ ।
ମୁଁ ଏକ ଆତ୍ମା .... ମୁଁ ଦେହଠାରୁ ପୃଥକ ଏକ ଆତ୍ମା .... ମୁଁ ଆତ୍ମା ଦୁଇ ଭୃଲତା ମଧ୍ୟସ୍ଥ ଭୃକୁଟୀରେ ଅବସ୍ଥାନ କରେ ...  । ମୋର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମହିଁ ମନ, ବୁଦ୍ଧି ଓ ସଂସ୍କାର .. ମୁଁ ଆତ୍ମା, ମନ ମାଧ୍ୟମରେ ସଂକଳ୍ପ କରେ ... ବୁଦ୍ଧି ଦ୍ୱାରା ନିର୍ଣ୍ଣୟ କରେ ... । ମନ ଓ ବୁଦ୍ଧି ଆଧାରରେ ମୁଁ ଆତ୍ମା ଯେଉଁ କର୍ମକରେ ତା'ର ଭଲ ବା ମନ୍ଦ ଫଳର ଆଭିଲେଖନ ପ୍ରକ୍ରିୟାକୁ ସଂସ୍କାର କୁହାଯାଏ ...  । ମୁଁ ଆତ୍ମା ଜ୍ଞାନ ସ୍ୱରୂପ ... ପବିତ୍ର ସ୍ୱରୂପ... ଶାନ୍ତି ସ୍ୱରୂପ .... ସୁଖ ସ୍ୱରୂପ ... ଆନନ୍ଦ ସ୍ୱରୂପ ... ଶକ୍ତି ସ୍ୱରୂପ ... ପ୍ରେମ ସ୍ୱରୂପ ... ।
(ଜ୍ଞାନ, ପବିତ୍ର, ଶାନ୍ତି, ସୁଖ, ଆନନ୍ଦ. ପ୍ରେମ ଓ ଶକ୍ତି - ଏହି ସାତୋଟି ଗୁଣ ହେଉଛି ଆତ୍ମାର ମୂଳ ସ୍ୱରୂପ । ପ୍ରତ୍ୟେକ ସ୍ୱରୂପକୁ କିଛି କ୍ଷଣ ଲେଖାଏଁ ଏକାଗ୍ର ଓ ଗଭୀର ଭାବରେ ଚିନ୍ତନ କରି ଅନୁଭବ କରନ୍ତୁ ।)
ମୁଁ ଆତ୍ମା, ପରମାତ୍ମାଙ୍କ ସନ୍ତାନ ଅଟେ .... ମୋର ପାରଲୌକିକ ପିତା ପରମାତ୍ମା ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ, ନକ୍ଷତ୍ର ମାନଙ୍କଠାରୁ ମଧ୍ୟ ଉଦ୍ଧ୍ୱର୍ରେ ସ୍ଥିତ ପରମଧାମ ନିବାସୀ ଅଟନ୍ତି ... ମୁଁ ଆତ୍ମା ମଧ୍ୟ ସେହି ପରମଧାମରୁ ଏହି ସୃଷ୍ଟିକୁ ଆସିଛି କର୍ମଫଳ ଭୋଗ କରିବା ପାଇଁ ... ମୋର ଏ ଶରୀର ଏକ ବସ୍ତ୍ର ତୁଲ୍ୟ ... ଏହି ଶରୀର ରୂପୀ ବସ୍ତ୍ର ପରିଧାନ କରି ମୁଁ ଆତ୍ମା ପୂର୍ବ ନିର୍ଦ୍ଧାରିତ କର୍ମଫଳ ଅନୁସାରେ ଅଭିନୟ କରୁଛି... । ମୁଁ ଆତ୍ମା, ଏ ଶରୀର ରୂପୀ ବାହନ ଦ୍ୱାରା ଚଳ ପ୍ରଚଳ ହୁଏ ... ସମସ୍ତ ଇନ୍ଦ୍ରିୟଗଣ ମୋର ଆଜ୍ଞାବହ ସେବକ ... । ସେମାନେ ମୋର ଆଦେଶ ଅନୁସାରେ ପରିଚାଳିତ ହୁଅନ୍ତି .... ।
ବର୍ତ୍ତମାନ ମୁଁ ଆତ୍ମା କିଛି ସମୟ ପାଇଁ ଏ ଶରୀର ତ୍ୟାଗ କରି ମୋର ମୂଳ ନିବାସ ସ୍ଥାନ ପରମଧାମ ଅଭିମୁଖେ ସଂକଳ୍ପ ଦ୍ୱାରା ଯାତ୍ରା କରିବି ... ସେଠାରେ ମୋର ପିତା ପରମାତ୍ମାଙ୍କ ସହିତ ସାକ୍ଷାତ କରିବି ... । (ବର୍ତ୍ତମାନ କଳ୍ପନା କରନ୍ତୁ ଯେ ଆପଣଙ୍କ ଭୃକୁଟୀରୁ ଏକ ସୂକ୍ଷ୍ମ ଶରୀରଧାରୀ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଆତ୍ମା ସ୍ଥୂଳ ଶରୀର ତ୍ୟାଗକରି ରକେଟ ସଦୃଶ ଉର୍ଦ୍ଧାଭିମୁଖୀ ହେଉଛି) ମୁଁ ଆତ୍ମା, ଅନାୟାସରେ ରକେଟ ସଦୃଶ ଧୀରେ ଧୀରେ ଉପରକୁ ଉପରକୁ ଉଠୁଛି ... ଏକ ସୂକ୍ଷ୍ମ ଶରୀରାକୃତିର ଆଲୋକବର୍ତ୍ତିକା ମଧ୍ୟରେ ବିରାଜିତ ହୋଇ ମୁଁ ଆତ୍ମା ଅତି ଆରାମରେ ଅନ୍ତରୀକ୍ଷର ଆହୁରି ଆହୁରି ଉପରକୁ ଉଠୁଛି .. ଆଗରେ ଆସିବ ସୂକ୍ଷ୍ମଲୋକ ବା ବ୍ରହ୍ମାପୁରୀ..... । ସେଠାରେ ପ୍ରଜାପିତା ବ୍ରହ୍ମା ସୂକ୍ଷ୍ମଶରୀରରେ ଅବସ୍ଥିତ ।
ମୁୁଁ ଆତ୍ମା, ଚନ୍ଦ୍ର, ସୂର୍ଯ୍ୟ, ତାରାଗଣ ଆଦି ନକ୍ଷତ୍ର ମଣ୍ଡଳ ଅତିକ୍ରମକରି ଅନ୍ତରୀକ୍ଷର ଉଦ୍ଧ୍ୱର୍ରେ ଥିବା ସୂକ୍ଷ୍ମଲୋକରେ ପହୁଞ୍ଚିଲି .....ସ୍ଥୂଳଶରୀର ତ୍ୟାଗକରି ବର୍ତ୍ତମାନ ପ୍ରଜାପିତା ବ୍ରହ୍ମା ଏଠାରେ ନୂତନ ସୃଷ୍ଟି ରଚନା ପାଇଁ ଈଶ୍ୱରୀୟ ଇଚ୍ଛାନୁରୂପ କାର୍ଯ୍ୟରତ ... ଏଠାରେ ସୂକ୍ଷ୍ମ ଶରୀର ଧାରଣ କରି ପ୍ରଜାପିତା ବ୍ରହ୍ମା ଅବସ୍ଥାନ କରୁଥିବାରୁ ଏହି ସୂକ୍ଷ୍ମଲୋକକୁ ବ୍ରହ୍ମାପୁରୀ ବୋଲି କୁହାଯାଏ ..... । ମୋ ପରି ଅନେକ ସୂକ୍ଷ୍ମଶରୀରଧାରୀ ଆତ୍ମା ମାନବ ସମାଜର ଅଲୌକିକ ପିତା ବ୍ରହ୍ମାଙ୍କ (ଆଦିଦେବ ବା ଆଦମ୍) ସହିତ ସାକ୍ଷାତ କରିବାକୁ ଉପସ୍ଥିତ ହୋଇଛନ୍ତି ... ସେମାନେ ସମସ୍ତେ ସଂକଳ୍ପ ବା ଭାବ ବିନିମୟ ଦ୍ୱାରା ବ୍ରହ୍ମା ବାବାଙ୍କ ସହିତ କଥପୋକଥନ କରୁଛନ୍ତି .... ମୁଁ ସ୍ପଷ୍ଟ ଦେଖିପାରୁଛି ତେଜୋଦୀପ୍ତ ସୂକ୍ଷ୍ମ ଶରୀରଧାରୀ ବ୍ରହ୍ମା ମୋତେ ସ୍ୱାଗତ କରିବାପାଇଁ ହସ୍ତ ପ୍ରସାରଣ କରି ମୋ ଆଡ଼କୁ ଆଗେଇ ଆସୁଛନ୍ତି ... ଦେଖୁଁ ଦେଖୁଁ ସେ ମୋତେ ଆଲିଙ୍ଗନ ପାଶରେ ବାନ୍ଧିପକାଇଲେ ... ତାଙ୍କ ପବିତ୍ର ସ୍ପର୍ଶରେ ମୋତେ ଏକ ଅର୍ନିବଚନୀୟ ଅଲୌକିକ ସୁଖର ଅନୁଭବ
ହେଉଛି .... ।
(ମନେରଖନ୍ତୁ ଆପଣ ବ୍ରହ୍ମାପୁରୀର ଆହୁରି ଉଦ୍ଧ୍ୱର୍ରେ ଥିବା ପରମଧାମ ଅଭିମୁଖେ ଯାତ୍ରା କରୁଛନ୍ତି । ଏଠାରୁ ଉଦ୍ଧ୍ୱର୍କୁ ଆଉ ଆପଣ ସୂକ୍ଷ୍ମ ଶରୀର ଧାରଣ କରି ଯାଇ ପାରିବେ ନାହିଁ । ଏଠାରେ ସ୍ୱୀୟ ସୂକ୍ଷ୍ମଶରୀର ତ୍ୟାଗକରି କେବଳ ତାରକା ଭଳି ବିନ୍ଦୁ ସ୍ୱରୂପ ହୋଇ ଆଗକୁ  ବଢ଼ିବାକୁ ପଡିବ । କାରଣ ପରମଧାମରେ ଆତ୍ମା ମୂଳ ବିନ୍ଦୁ ସ୍ୱରୂପରେ ହିଁ ବାସକରେ । ମନରେ କୌଣସି ପ୍ରଶ୍ନଥିଲେ ବ୍ରହ୍ମାଙ୍କ ସହିତ ସଂକଳ୍ପ ବିନିମୟ ପ୍ରକ୍ରିୟାରେ ସ୍ପଷ୍ଟ କରି ତାଙ୍କଠାରୁ ବିଦାୟନେଇ ଆଗକୁ ଚାଲନ୍ତୁ ....)
ବର୍ତ୍ତମାନ ମୁଁ ଆତ୍ମା ମୋର ସୂକ୍ଷ୍ମଶରୀର ସୂକ୍ଷ୍ମପୁରୀରେ ତ୍ୟାଗ କରି ତାରକା ଭଳି ଉଦ୍ଧ୍ୱର୍ଗାମୀ ହେଉଛି ... । ଧୀରେ ଧୀରେ ମୁଁ ପରମଧାମ ଅଭିମୁଖେ ଯାତ୍ରାକରୁଛି .. । ଅନତି ଦୂରରେ ସ୍ୱର୍ଣ୍ଣ ରକ୍ତାଭ ବର୍ଣ୍ଣର ଏକ ସୂକ୍ଷ୍ମ ଆଲୋକ ବଳୟ ମୁଁ ବୁଦ୍ଧି ନେତ୍ର ଦ୍ୱାରା ସ୍ପଷ୍ଟ ଦେଖି ପାରୁଛି ..। ଏହା ପରମ ଧାମ, ... ବ୍ରହ୍ମଲୋକ,... ମୁକ୍ତିଧାମ,... ନିର୍ବାଣଧାମ .. ଶିବଲୋକ... ଆଦି ନାମରେ ନାମିତ .. । ଏଠାରେ ମୋର ପ୍ରିୟ ପାରଲୌକିକ ପିତା ପରମାତ୍ମା ଶିବ ବିରାଜିତ ... ବର୍ତ୍ତମାନ ମୁଁ ବ୍ରହ୍ମଲୋକରେ ପ୍ରବେଶ କଲି ... ମୋ ଭଳି ତାରକା ସଦୃଶ ଆତ୍ମାଗଣ ନିଜନିଜ କକ୍ଷରେ ଅବସ୍ଥିତ ... ସମସ୍ତଙ୍କଠାରୁ ଉପରେ ଯେଉଁ ଜାଜ୍ୱଲ୍ୟମାନ ସୂକ୍ଷ୍ମ ପ୍ରକାଶ ସ୍ୱରୂପ ବିନ୍ଦୁଟିଏ ଅବସ୍ଥିତ, ସିଏ ହେଉଛନ୍ତି ସର୍ବାତ୍ମାଙ୍କ ପିତା ପରମାତ୍ମା .. ମୁଁ ମଧ୍ୟ ଅନ୍ୟ ଆତ୍ମାମାନଙ୍କ ଭଳି ଏକ ନିର୍ଦ୍ଧିଷ୍ଟ କକ୍ଷରେ ପରମାତ୍ମାଙ୍କ ଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରି ସ୍ଥିର ହୋଇଗଲି .... ଆହା ! ପରମାତ୍ମାଙ୍କ ଠାରୁ ସୁଖ, ଶାନ୍ତି, ପ୍ରେମ, ଆନନ୍ଦ ଓ ଶକ୍ତିର କିରଣ ଆସି ମୋଠାରେ ବିଲୀନ ହୋଇ
ଯାଉଛି .... । କ୍ରମେ କ୍ରମେ ମୁଁ ନିଜକୁ ଶକ୍ତିଶାଳୀ ମନେ କରୁଛି .... । ମୋଠାରେ ସୁଖ, ଶାନ୍ତି, ପବିତ୍ରତା ଆନନ୍ଦର ତରଙ୍ଗ ତରଙ୍ଗାୟିତ ହେଉଛି ... । ମୋର ସମସ୍ତ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇଯାଉଛି..... । ମୋର ସମସ୍ତ ମନୋବିକାର ଜଳିପୋଡ଼ି ପାଉଁଶ ହୋଇଯାଉଛି । ଓହୋ ! ମୁଁ ଧନ୍ୟ ହୋଇଗଲି ... । କି ଅର୍ନିବଚନୀୟ ସୁଖ ମିଳୁଛି .... ।
(ପରମାତ୍ମା, ଆମ ସମସ୍ତଙ୍କ ଆତ୍ମିକ ପିତା । ତାଙ୍କର କର୍ତ୍ତବ୍ଯବାଚକ ନାମ ଶିବ । ତାଙ୍କ ସହିତ ଆହୁରି ଆତ୍ମୀୟତା ବା ଘନିଷ୍ଠ ସମ୍ପର୍କର ଅନୁଭବ ପାଇଁ ତାଙ୍କୁ ବର୍ତ୍ତମାନ "ଶିବ ବାବା'' ବୋଲି ସମ୍ବୋଧନ କରନ୍ତୁ ।)
ଶିବ ବାବା ! ତୁମେ ମୋର ସବୁ କିଛି ... । ତୁମେ ମୋର ମାତା, ପିତା, ସଖା, ସହୋଦର, ବନ୍ଧୁ .. । (ଶିବ ପରମାତ୍ମାଙ୍କ ସହିତ ପ୍ରତ୍ୟେକ ସମ୍ବନ୍ଧ ସ୍ଥାପନ କରି ତା'ର ମଧୁରତାକୁ କିଛି କ୍ଷଣ ଅନୁଭବ କରି ଚାଲନ୍ତୁ ।) ହେ ମୋର ପ୍ରାଣ ପ୍ରିୟତମ ! ହୃଦୟେଶ୍ୱର । ଇହ ଓ ପରଲୋକର ସାଥୀ । ତୁମର ସାହଚର୍ଯ୍ୟ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି .... ତୁମ ଶାନ୍ତି ସ୍ପର୍ଶ ପାଇ ମୋର ସମସ୍ତ ଅବସାଦ ଅପସାରିତ ହୋଇ ଯାଇଛି । ବର୍ତ୍ତମାନ ମୋର ମନ ନୀରବ,...ନିଶ୍ଚଳ,...ଶାନ୍ତ,...ଓ ତୁମରି ସ୍ମୃତିରେ ତଲ୍ଲୀନ.... । ଧନ୍ୟବାଦ ବାବା । ତୁମର ଏ ଉପକାର ମୁଁ ଶେଷ ଜୀବନ ପର୍ଯ୍ୟନ୍ତ ମନେ ରଖିବି .. । ତୁମର ନିର୍ଦ୍ଦେଶିତ  ପଥରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଚାଲିବି .. । କବି ଓ ଶାସ୍ତ୍ରକାରଗଣ ତୁମକୁ ନୀଳକଣ୍ଠ ବୋଲି କହନ୍ତି .... । ମୁଁ ମୋର ସମସ୍ତ ବିଷୟ ବିକାର ରୂପୀ ବିଷ ତୁମକୁ ସବୁଦିନ ପାଇଁ ସମର୍ପଣ କରୁଛି.... । ତୁମରି  ଜ୍ଞାନାମୃତ ପାନକରି ଅମୃତତ୍ୱ ପଥରେ ମୁଁ ଆଗେଇଯିବି ... । ଏହି ଦୃଢ଼ ପ୍ରତିଜ୍ଞା କରି ମୁଁ ବର୍ତ୍ତମାନ ମୋର କର୍ମକ୍ଷେତ୍ରକୁ ଫେରି ଯାଉଛି ..... ଓମ୍ ଶାନ୍ତି .. ଓମ୍ ଶାନ୍ତି .. ଶାନ୍ତି .. ଶାନ୍ତି ... ।ା
ବର୍ତ୍ତମାନ ଆପଣ ଧୀରେ ଧୀରେ ତାରକା ସଦୃଶ ପରମଧାମରୁ ବ୍ରହ୍ମାପୁରୀ ବା ସୂକ୍ଷ୍ମଲୋକ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତୁ । ସେଠାରେ ଛାଡ଼ିଆସିଥିବା ନିଜର ସୂକ୍ଷ୍ମଶରୀର ରୂପକ ଯାନରେ ଉପବେଶନ କରନ୍ତୁ । ବ୍ରହ୍ମା ବାବାଙ୍କୁ ନିଜର ପରମଧାମ ଯାତ୍ରାର ଅନୁଭବ ଶୁଣାନ୍ତୁ ।  ତାଙ୍କୁ ଧନ୍ୟବାଦ ଦେଇ ପୁନଶ୍ଚ ଅନ୍ତରୀକ୍ଷ ମଧ୍ୟଦେଇ ଭୂଲୋକରେ ଯୋଗ ମୁଦ୍ରାରେ ଆସୀନ ଆପଣଙ୍କ ସ୍ଥୂଳ ଶରୀରରେ ପ୍ରବେଶ କରନ୍ତୁ। ଏହି ପ୍ରକ୍ରିୟାକୁ ଆପଣ ବ୍ରହ୍ମମୁହୂର୍ତ୍ତ ବ୍ୟତୀତ ଆଉ ଯେତେବେଳେ ସମୟ ପାଉଛନ୍ତି ବାରମ୍ବାର ଅଭ୍ୟାସ କରନ୍ତୁ । ପ୍ରଥମେ ପ୍ରଥମେ ୩୦-୪୫ ମିନିଟ୍ ସମୟ ଲାଗିବ । ବୁଦ୍ଧି ବିଚଳିତ ହେବ । ସଂକଳ୍ପରେ ଏକାଗ୍ରତା ଆସିନପାରେ । ଧୈର୍ଯ୍ୟ ଓ ନିଷ୍ଠା ସହିତ ଅଭ୍ୟାସ କଲେ ୩ ରୁ ୬ ମାସ ମଧ୍ୟରେ ଏହି ରାଜଯୋଗର ଚମତ୍କାରୀ ଫଳ ଅନୁଭବ କରିପାରିବେ । ବର୍ତ୍ତମାନ ଅଭ୍ୟାସ ପାଇଁ ଆପଣମାନଙ୍କୁ ଯାହା ୪୫ ମିନିଟ୍ ସମୟ ଲାଗୁଛି ତାହା ୬ ମାସପରେ ୫ - ୧୦ ମିନିଟ୍ ମଧ୍ୟରେ ସମ୍ପାଦିତ ହେବ । ଗଭୀର ଅନୁଭବ ପାଇଁ ଆପଣଙ୍କ ଖାଦ୍ୟାଭ୍ୟାସର ପରିବର୍ତ୍ତନ କରି ଶୁଦ୍ଧ ସାତ୍ତ୍ବିକ ଭୋଜନ କରିବା ପୂର୍ବକ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ବିସ୍ତୃତ ବିବରଣୀ ଓ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ପାଇଁ ନିକଟସ୍ଥ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଶାଖା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ । ।ା ଓମ୍ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ମୋବାଇଲ - ୯୪୩୭୨୧୦୨୯୬,୭୬୦୯୯୬୯୭୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର