ଜ୍ଞାନ ନିର୍ଝର (୨୯) ----ଆତ୍ମ ବିଶ୍ୱାସ

      🌹 🌹🌹🌹🌹🌹🌹🌹

       *ଜ୍ଞାନ ନିର୍ଝର (୨୯)* 

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

  🌼    *ଆତ୍ମ ବିଶ୍ୱାସ*  🌼

🌺🌺🌺🌺🌺🌺🌺🌺🌺

ଯେତେ କଠିଣ ହେଲେ ମଧ୍ୟ କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଯେଉଁ ଆନ୍ତରିକ ସାମର୍ଥ୍ୟ ସାହସ ଓ ଦୃଢ଼ ନିଶ୍ଚୟ ଆବଶ୍ୟକ ତାହାକୁ ଆତ୍ମ ବିଶ୍ୱାସ କୁହାଯାଏ । ଆତ୍ମ ବିଶ୍ୱାସ ସମ୍ପନ୍ନ ବ୍ୟକ୍ତି ବିପରୀତ ପରିସ୍ଥିତିରେ ମଧ୍ୟ କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସକ୍ଷମ ଅଟନ୍ତି । ଆତ୍ମ ବିଶ୍ୱାସୀ ବ୍ୟକ୍ତି ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । କୌଣସି କାର୍ଯ୍ୟକୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସବୁଠାରୁ ଆବଶ୍ୟକ ଗୁଣ ଓ ଶକ୍ତି ହେଉଛି ଆତ୍ମ ବିଶ୍ୱାସ । ଏହା ଏପରି ଏକ ଯାଦୁକାରୀ ଶକ୍ତି ଯାହା ଆବଶ୍ୟକ ସମସ୍ତ ସାଧନଗୁଡିକୁ ନିଜ ଆଡକୁ ଆକର୍ଷିତ କରିପାରେ । ଇତିହାସ ପୃଷ୍ଠା ଅବଲୋକନ କଲେ ଆମେ ଜାଣି ପାରିବା ଯେ ଶିକ୍ଷା, କଳା, ସାହିତ୍ୟ, ସଂଗୀତ, ଅଧ୍ୟାତ୍ମ, ବିଜ୍ଞାନ, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ଉପନୀତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସଫଳତାର ଅନ୍ତରାଳରେ ସେମାନଙ୍କ ଆତ୍ମ ବିଶ୍ୱାସ ହିଁ ପ୍ରଧାନ କାରଣ ଅଟେ ।


ସେମାନଙ୍କ ମଧ୍ୟରେ ପରିପୂର୍ଣ୍ଣ ଆତ୍ମ ବିଶ୍ୱାସ ଶକ୍ତି ବଳରେ ହିଁ ସେମାନେ ଅସମ୍ଭବ ପ୍ରତୀୟମାନ ହେଉଥିବା କାର୍ଯ୍ୟକୁ ସମ୍ଭବ କରିବା ପାଇଁ ସକ୍ଷମ ହୋଇଥିଲେ । ବ୍ୟକ୍ତି ମଧ୍ୟରେ ଥିବା ଆନ୍ତରିକ ପ୍ରେରଣା ଶକ୍ତି ଓ ସାମର୍ଥର ପରିମାଣ ନିରୂପଣ କରିବାର ଏକମାତ୍ର ପରିମାପକ ହେଉଛି ଆତ୍ମ ବିଶ୍ୱାସ । 


କାର୍ଯ୍ୟ କରିବାର କ୍ଷମତା ଓ ଯୋଗ୍ୟତା ଥାଇ ମଧ୍ୟ କେତେକ ବ୍ୟକ୍ତି ନିଜ ଉପରେ ଦୃଢ଼ ବିଶ୍ୱାସ ଅଭାବ ହେତୁ ସଫଳତା ଲାଭ କରି ପାରନ୍ତି ନାହିଁ । ଅନ୍ୟ ପକ୍ଷରେ ଗୁଣ ଓ ସାମର୍ଥ ନ ଥାଇ ମଧ୍ୟ ଦୃଢ଼ ଆତ୍ମ ବିଶ୍ୱାସ ବଳରେ ଜଣେ ସେହି କାର୍ଯ୍ୟକୁ ସୁଚାରୁ ରୂପରେ ସମ୍ପନ୍ନ କରି ପାରନ୍ତି । କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ହେଉଥିବା କ୍ଷମତା ଓ ଯୋଗ୍ୟତାର ଅଭାବକୁ ଆତ୍ମ ବିଶ୍ୱାସ ପୂରଣ କରିଥାଏ । 


ମନୁଷ୍ୟାତ୍ମା ମଧ୍ୟରେ ଅତୁଳନୀୟ ଶକ୍ତି, ସମୁଦ୍ର ତୁଲ୍ୟ ଜ୍ଞାନ, ଗୁଣ ଓ ଶ୍ରେଷ୍ଠ ଚରିତ୍ର ରୂପକ ସମ୍ପତ୍ତି ସୁଷୁପ୍ତାବସ୍ଥାରେ ଥାଏ । ଏହି ଅବସ୍ଥାକୁ ସାଗର ମଧ୍ୟରେ ଭାସମାନ ଛୋଟ ଛୋଟ ବରଫ ପାହାଡ ସହିତ ତୁଳନା କରାଯାଇପାରେ । ଏହି ବରଫ ପାହାଡର ଏକ ଅଂଶ ସାଗରର ପୃଷ୍ଠ ଭାଗରେ ଦୃଶ୍ୟମାନ ହୁଏ ଓ ବାକି ନଅ ଅଂଶ ଜଳ ମଧ୍ୟରେ ଲୁକ୍କାୟିତ ଥାଏ । ଠିକ ଏହିପରି ମନୁଷ୍ୟର ଏକ ଅଂଶ ଚେତନାବସ୍ଥାରେ ଥାଏ । ଏହାକୁ ବ୍ୟବହାର କରି ମନୁଷ୍ୟ ଚିନ୍ତା କରେ ଓ କାର୍ଯ୍ୟକରେ । ବାକି ନଅ ଅଂଶ ଅଚେତନ ସୁଷୁପ୍ତାବସ୍ଥାରେ ଥାଏ । ମନ ମଧ୍ୟରେ ଥିବା ଏହି ସୁଷୁପ୍ତ ଶକ୍ତିକୁ ମନୁଷ୍ୟ ଜାଗ୍ରତ କରି ଆଶ୍ଚର୍ଯ୍ୟଜନକ ଆବିଷ୍କାର ଦ୍ୱାରା ଜନ ସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ମନ ମଧ୍ୟରେ ଅନେକ ଶକ୍ତିର ଖଣି ବିଦ୍ୟମାନ । ଏଗୁଡିକୁ ଖନନ କରି ସେଥିରୁ ଆବଶ୍ୟକ ଗୁଣ ଓ ଶକ୍ତିକୁ ନିଜ ମଧ୍ୟରେ ସମାହିତ କରିବା ଆବଶ୍ୟକ ।


ସନ୍ଦେହ ଓ ଅବିଶ୍ୱାସରୁ ମୁକ୍ତ ହୋଇ ଆତ୍ମ ବିଶ୍ୱାସ ପୂର୍ବକ କାର୍ଯ୍ୟ କଲେ ସଫଳତା ଅବଶ୍ୟ ପଦଚୁମ୍ବନ କରିବ । ପ୍ରଖର ଆତ୍ମବିଶ୍ୱାସ ଶକ୍ତି ବଳରେ ମହାତ୍ମାଗାନ୍ଧୀ ଆମ ଦେଶକୁ ପରାଧିନତାର ଶୃଙ୍ଖଳରୁ ମୁକ୍ତ କରିପାରିଥିଲେ । ଅଦ୍ଭୁତ ସାହସ ଓ ଆତ୍ମବିଶ୍ୱାସରେ ଭରପୁର ସ୍ବାମୀ ବିବେକାନନ୍ଦ ସୁଉଚ୍ଚ ଉତ୍ତାଳ ସମୁଦ୍ର ତରଙ୍ଗକୁ ଭୃକ୍ଷେପ ନ କରି କନ୍ୟାକୁମାରୀ ସ୍ଥିତ ଏକ ବିଶାଳ ପ୍ରସ୍ତର ଶକ୍ତି ପର୍ଯ୍ୟନ୍ତ ସନ୍ତରଣ ପୂର୍ବକ ପହଞ୍ଚି ସେଠାରେ ତପସ୍ୟା କରିଥିଲେ । ଆଜି ସେହି ପ୍ରସ୍ତର ଖଣ୍ଡ ବିବେକାନନ୍ଦ ଶିଳା  (Rock) ନାମରେ ପ୍ରଖ୍ୟାତ । ଦୁର୍ଦ୍ଦଷ ମୋଗଲ ଶାସକକୁ ପରାସ୍ତ କରି ବିଶାଳ ମରାଠା ରାଜ୍ୟ ସ୍ଥାପନା କରିବାରେ ଶିବାଜୀଙ୍କ ଆତ୍ମ ବିଶ୍ୱାସ ବଳହିଁ ପ୍ରମୁଖ କାରଣ ।


ଆମକୁ ନିଜ ମଧ୍ୟରେ ଥିବା ଶକ୍ତି ସମୂହକୁ ଜାଗ୍ରତ କରିବାର କଳା ଶିଖିବା ଉଚିତ । ଯଦି କେବଳ ଥରେ ମାତ୍ର ସେହି ମହାନ ଶକ୍ତି ସହିତ ଆମର ସମ୍ପର୍କ ହୋଇଯାଏ ତେବେ ଜୀବନରେ ସଫଳତା ଅବଶ୍ୟମ୍ଭାବୀ । ଏଥିପାଇଁ ଏକାନ୍ତରେ ଆତ୍ମ ଚିନ୍ତନ କରିବା ଆବଶ୍ୟକ । ଆତ୍ମ ବିଶ୍ୱାସରେ ପରିପୂର୍ଣ୍ଣ ସେହି ମହାନ ଓ ସଫଳ ବ୍ୟକ୍ତିମାନଙ୍କ ଜୀବନ ଚରିତ୍ର ଅଧ୍ୟୟନ କରିବା ଉଚିତ । ଯଦି ସେମାନେ ଆତ୍ମ ବିଶ୍ୱାସକୁ ଜାଗ୍ରତ କରି ମହାନତାର ଲକ୍ଷ୍ୟ ବିନ୍ଦୁ ପର୍ଯ୍ୟନ୍ତ ଉପନୀତ ହେବାକୁ ସକ୍ଷମ ହୋଇପାରିଛନ୍ତି ତେବେ ଆମେ କାହିଁକି ପାରିବା ନାହିଁ? ପରମାତ୍ମା ସମସ୍ତଙ୍କୁ ଏକ ପ୍ରକାର ପ୍ରକୃତି ପ୍ରଦାନ କରିଛନ୍ତି । ସଂସାରର ସମସ୍ତ ସଫଳ ଲୋକଙ୍କ ଜୀବନ ବୃତ୍ତାନ୍ତ ଅଧ୍ୟୟନ କଲେ ଜଣାଯାଏ ଯେ ସେମାନେ ଘୋର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସାହସର ସହିତ ସମସ୍ତ ଆହ୍ୱାନକୁ ସ୍ବୀକାର କରି ନିରନ୍ତର ସଂଘର୍ଷ ଓ ପ୍ରବଳ ଆତ୍ମବିଶ୍ୱାସ ବଳରେ ସଫଳତା ପ୍ରାପ୍ତ କରିପାରିଥିଲେ । 


ଧନବଳ, ଜନବଳ ଓ ବିଦ୍ୟା ବଳଠାରୁ ମଧ୍ୟ ଆତ୍ମବିଶ୍ୱାସ ବଳ ସର୍ବ ଶ୍ରେଷ୍ଠ । କୌଣସି ଏକ ମହାନ ଉଦ୍ଧେଶ୍ୟ ନେଇ ସଂକଳ୍ପିତ କାର୍ଯ୍ୟକୁ ସଚ୍ଚୋଟତା ପୂର୍ବକ ପ୍ରାପ୍ତ କରିବାର ଆନ୍ତରିକ ଇଚ୍ଛା ହେବା ଉଚିତ । ଦୃଢ଼ ନିଶ୍ଚୟ ଅଟଳ ବିଶ୍ୱାସ ଓ ଧୈର୍ଯ୍ୟ ସହିତ ସେହି କାର୍ଯ୍ୟକୁ କ୍ରିୟାନ୍ୱିତ କଲେ ଦୁଇଟି ଅଦ୍ଭୁତ ସତ୍ୟର ଦର୍ଶନ ହେବ । ପ୍ରଥମତଃ ଆମର ଆନ୍ତରିକ ତଥା ବାହ୍ୟ ଶକ୍ତିଗୁଡିକ ସକ୍ରିୟ ହୋଇଯିବ । ଦ୍ୱିତୀୟତଃ ଏପରି ଘଟଣା ଘଟିବ ଯଦ୍ୱାରା ସମସ୍ତ ଅଦୃଶ୍ୟ ସକାରାତ୍ମକ ଶକ୍ତି ସମୂହ ଚୁମ୍ବକ ତୁଲ୍ୟ ସଫଳତା ପ୍ରାପ୍ତିରେ ଆମର ସହାୟକ ହେବ । ଏହା ଆମର ପ୍ରଯତ୍ନ ଆହୁରି ସକ୍ରିୟ ଓ ଶକ୍ତିଶାଳୀ କରିବ ।  


ଅଦୃଶ୍ୟ ମାନସିକ ଶକ୍ତି ସହିତ ସମ୍ପର୍କ ଦୃଢ଼ ହେବାକୁ ଲାଗିଲେ ଅଦୃଶ୍ୟ ସାଧନଗୁଡ଼ିକ ଆପେ ଆପେ ଦୃଶ୍ୟମାନ ହେବାକୁ ଲାଗିବ । ଦ୍ୱନ୍ଦ୍ୱ ଓ ଶଙ୍କାଗ୍ରସ୍ତ ଅନିର୍ଣ୍ଣୟ ସ୍ଥିତିରୁ ମୁକ୍ତ ହୋଇ ଆମେ ଆତ୍ମବିଶ୍ୱାସକୁ ଆହୁରି ଶାକ୍ତିଶାଳୀ କରିବାରେ ଲାଗିଯିବା ଉଚିତ । ପୁରୁଷାର୍ଥ ମାର୍ଗରେ ବେଳେ ବେଳେ ଏପରି ଲୋକଙ୍କ ସମ୍ମୁଖୀନ ହେବାକୁ ପଡିଥାଏ ଯେଉଁମାନେ ନକାରାତ୍ମକ  ବଚନ ଦ୍ୱାରା ନିରୁତ୍ସାହିତ କରିଥାନ୍ତି । କାରଣ ସେହି ବ୍ୟକ୍ତିଗଣ ଆତ୍ମ ବିଶ୍ୱାସ ଅଭାବରୁ ଅସଫଳ ହୋଇଥାନ୍ତି । ସେମାନେ ନିଜର ଅସଫଳତାର କାରଣ ଗୁଡିକର ପୁନର୍ମୁଲ୍ୟାଙ୍କନ ପୂର୍ବକ ସଫଳତା ପାଇଁ ଆବଶ୍ୟକ ସୂତ୍ର ଗୁଡିକର ଅନ୍ୱେଷଣ ନ କରି ପୁରୁଷାର୍ଥ ତ୍ୟାଗ କରନ୍ତି । ତେଣୁ ଏପରି ନକାରାତ୍ମକ ବି·ର ସମ୍ପନ୍ନ ବ୍ୟକ୍ତିମାନଙ୍କ ପରାମର୍ଶଗୁଡିକୁ ପ୍ରତ୍ୟାଖାନ କରିଦେବା ଉଚିତ । ଦିନ ଆସିବ ସେହି ବ୍ୟକ୍ତିହିଁ ଆପଣଙ୍କ ସଫଳତାରେ ପ୍ରଭାବିତ ହୋଇ ଆପଣଙ୍କ ମାର୍ଗଦର୍ଶନ କାମନା କରିବ ।


“ମୁଁ ଯେପରି କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ ସେପରି କରିବେ ।” ଆମେ ଯଦି ଆତ୍ମ ବିଶ୍ୱାସରେ ଭରପୁର ତେବେ ଆମ ଚତୁଃପାଶ୍ୱର୍ରେ ସେହିପରି ବାୟୁମଣ୍ଡଳ ନିର୍ମାଣ ପ୍ରାରମ୍ଭ ହୋଇଯିବ । କାରଣ ଆମର ବିଚାର ଓ ଭାବନାର ତରଙ୍ଗ ଆମ ସମ୍ବନ୍ଧ- ସମ୍ପର୍କରେ ଆସୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରବେଶ କରି ସେମାନଙ୍କୁ ମଧ୍ୟ ଆମ ଭଳି ସକ୍ରିୟ କରିଦେବ । ତେଣୁ ଆମେ ଆତ୍ମବିଶ୍ୱାସୀ ବନିବାର ଅର୍ଥ ସ୍ବତଃ ଅନ୍ୟମାନଙ୍କ କଲ୍ୟାଣ ପାଇଁ ପ୍ରେରଣା ସ୍ତମ୍ଭ ରୂପେ କାର୍ଯ୍ୟ  କରିବା ।

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌻🌻🌻🌻🌻🌻🌻🌻🌻

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର