ଜ୍ଞାନ ନିର୍ଝର (୧୪) ---ସଫଳତାର ରହସ୍ୟ

 💐💐💐💐💐💐💐💐💐   
    🌼   ଜ୍ଞାନ ନିର୍ଝର (୧୪)  🌼
🌸🌸🌸🌸🌸🌸🌸🌸🌸

 🌹 ସଫଳତାର ରହସ୍ୟ 🌹
🌻🌻🌻🌻🌻🌻🌻🌻🌻

ଡାକ୍ତର ସୁଧାଂଶୁ ଶେଖର   ମିଶ୍ର ,      ପାଟଣାଗଡ
🌺🌺🌺🌺🌺🌺🌺🌺🌺

ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତ ଆସେ । ଏଗୁଡିକୁ ସାହସର ସହିତ ମୁକାବିଲା କରିବାକୁ ହେବ । ଯେଉଁଠି ସଂଘର୍ଷ ଥାଏ ସେଇଠି ଉପଲବ୍ଧି ମଧ୍ୟ ତାଠାରୁ ଅଧିକ ଥାଏ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରାସ୍ତା ଅତିକ୍ରମ କରିବାକୁ ପଡିବ: ଦୁର୍ଘଟଣାକୁ ଭୟ କରି ଘରେ ବସି ରହିଲେ ଲକ୍ଷ୍ୟ ପ୍ରାପ୍ତି ହେବ କିପରି? ସୁପ୍ତ ସିଂହର ମୁହଁକୁ ଶିକାର ଆପେ ଆପେ ଆସେ ନାହିଁ । ସେଥିପାଇଁ ତାକୁ ପୁରୁଷାର୍ଥ କରିବାକୁ ପଡେ । ଶିକାର ଖୋଜୁଁ ଖୋଜୁଁ ହୁଏତ ସେ ଶିକାରୀର ଗୁଳିରେ ବିଦ୍ଧ ହେବାର ଭୟ ଥାଏ । ଏହାକୁ ଭୟ କରି ସେ ଯଦି ପର୍ବତ ଗୁମ୍ଫା ମଧ୍ୟରେ ଆତ୍ମଗୋପନ କରି ପଡ଼ି ରହିବ ତେବେ ଜୀବନ ଧାରଣ କରିବ କିପରି?


ଅନେକ ବ୍ୟକ୍ତି ପୁରୁଣା କ୍ଷତିକାରକ ଅଭ୍ୟାସ ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନେକ ସମୟରେ ପରିବର୍ତ୍ତନ ହୁଏତ କେତେକ ଅସୁବିଧା ସୃଷ୍ଟି କରିପାରେ । କିନ୍ତୁ ଜୀବନରେ ଉତ୍ତରୋତ୍ତର ଉନ୍ନତି ପାଇଁ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ପରିବର୍ତ୍ତନ ଜନିତ ସାମୟିକ ଅସୁବିଧାକୁ ଭୟକରି ଯଦି ଜଣେ ନିଷ୍କ୍ରିୟ ଭାବରେ ବସି ରହେ ସେ ଆଗକୁ ବଢ଼ିପାରେ ନାହିଁ । ଉଚିତ ସମୟରେ ଉଚିତ ନିର୍ଣ୍ଣୟ ମନୁଷ୍ୟର ବ୍ୟକ୍ତିତ୍ୱରେ ବିଭିନ୍ନ ପ୍ରକାର ସାମର୍ଥ୍ୟ ଉତ୍ପନ୍ନ କରିବାରେ ସହାୟକ ହୁଏ । ଜୀବନ ଏକ ଆହ୍ୱାନ । ଦୈନନ୍ଦିନ ଜୀବନରେ ପ୍ରତ୍ୟେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ । କୌଣସି ସମସ୍ୟା ପ୍ରତି ନିର୍ଣ୍ଣୟ ନେବା ଏକ ସାହସିକ ପଦକ୍ଷେପ । ବ୍ୟକ୍ତି ଯେତେବେଳେ ସାହସର ସହିତ ଜୀବନର ପ୍ରତିଟି ଆହ୍ୱାନକୁ ସାହସର ସହିତ ସ୍ବୀକାର କରେ ତାପାଇଁ ସଫଳତା ପ୍ରାପ୍ତି ସୁଗମ ହୋଇଯାଏ । ତା’ମଧ୍ୟରେ ଦୃଢ଼ ଆତ୍ମ ବିଶ୍ୱାସ, କର୍ମଠତା, ଉତ୍ସାହ, ଏକାଗ୍ରତା ଆଦି ସକାରାତ୍ମକତା ଗୁଣାବଳୀର ବିକାଶ ଘଟେ ।


ଉପଭୋକ୍ତାବାଦୀ ସଂସ୍କୃତିର ବଶବର୍ତ୍ତୀ ହୋଇ ମଣିଷ ନୈତିକତା ଓ ଆଧ୍ୟାତ୍ମିକତାଠାରୁ କ୍ରମଶଃ ଦୂରେଇ ଯାଉଛି । ଏହାହିଁ ସଂପ୍ରତି, ହିଂସା, ଦ୍ୱେଷ, କଳହ, କ୍ଳେଶ ଆଦିର କାରଣ । ଏହି ପରିପ୍ରେକ୍ଷୀରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟ ତଥା ସକାରାତ୍ମକ ବିଚାର ଏବଂ ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ । ବିବିଧ ପ୍ରକାର ସୁଖ-ସୁବିଧା ସମ୍ପନ୍ନ ଚାକଚକ୍ୟ ପୂର୍ଣ୍ଣ ଜୀବନ ଯାପନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଲାଳାୟିତ । ସେଥିପାଇଁ ସେମାନେ ନାନାପ୍ରକାର ଭୋଗ୍ୟ ବସ୍ତୁ ସଂଗ୍ରହ ପାଇଁ ଚିନ୍ତିତ । ଗୋଟିଏ କାମନା ପୂରଣ ହେଲେ ଅନ୍ୟ ଶହେଟି କାମନାର ଉଦ୍ରେକ ହୁଏ । କାମନା ପୂରଣ ନ ହେଲେ ବ୍ୟକ୍ତି ପରାଜୟର ଗ୍ଳାନିରେ ମର୍ମାହତ ହୋଇ ହତାଶାର ଶିକାର ହୁଏ । ସଂପ୍ରତି ଏହିପରି ନକାରାତ୍ମକ ବିଚାର ପରିବର୍ତ୍ତନ କରିବା  ଅତ୍ୟନ୍ତ ଆବଶ୍ୟକ । ଏକଥା ମନେ ରଖିବାକୁ ହେବ ଯେ ସଫଳତାର ସର୍ବୋଚ୍ଚ ଶିଖରରେ ପହଞ୍ଚିବାକୁ ହେଲେ କୌଣସି ନା କୌଣସି ମୂଲ୍ୟ ଦେବାକୁ ପଡିବ । ଆନ୍ତରିକ ଉଦ୍ୟମ ଓ ସ୍ବୀୟ ଶକ୍ତିର ଯଥାର୍ଥ ବିନିଯୋଗର ଅଭାବ ହିଁ ଅସଫଳତାର ମୂଳ କାରଣ । ତେଣୁ ନିରାଶ ହେବା ଆଦୌ ଉଚିତ ନୁହେଁ । ସଫଳତାର ମାର୍ଗରେ ଆସୁଥିବା ସମସ୍ତ ପ୍ରକାର ଆହ୍ୱାନକୁ ସ୍ବୀକାର କରିନେଲେ ସ୍ବତଃସ୍ଫୁର୍ତ୍ତ ଭାବରେ ଆନ୍ତରିକ ଶକ୍ତିର ସ୍ଫୁରଣ ହୁଏ ଓ ବ୍ୟକ୍ତି ଅନାୟାସରେ ବାଧାବିଘ୍ନଗୁଡ଼ିକୁ ଅତିକ୍ରମ କରିପାରେ ।


ଇତିହାସ ଅବଲୋକନ କଲେ ଜଣାଯାଏ ଯେ କୌଣସି ସଫଳ ବ୍ୟକ୍ତି ଏକା ଥରକେ ସଫଳତା ପ୍ରାପ୍ତ କରି ନାହାନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି- Failure is the pillar of success. ଅସଫଳତା ପାଇଁ ଚିନ୍ତିତ ହେବା ଅନାବଶ୍ୟକ । କାରଣ ଏହା ଆତ୍ମ ବିଶ୍ଳେଷଣ ପାଇଁ ସୁଯୋଗ ଦିଏ । କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ । ବିଧି ପୂର୍ବକ କର୍ମ କରିଗଲେ ସିଦ୍ଧି ଅବଶ୍ୟ ମିଳିବ । ଗୀତାରେ କୁହାଯାଇଛି, କର୍ମକର ଫଳ ଆଶା କର ନାହିଁ । କର୍ମ ଅନୁରୂପ ଫଳ ମିଳେ । ଅସଫଳତା ଆମକୁ ଆମର ତ୍ରୁଟି ସୁଧାରିବାକୁ ସତର୍କ କରାଏ । ତେଣୁ ଅସଫଳତାକୁ ଆଦୌ ସ୍ବୀକାର ନ କରି ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ପୁନଃ ପୁନଃ ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ । କଠିଣ ପ୍ରସ୍ତର ପ୍ରଥମ ଆଘାତରେ ଭାେଙ୍ଗ ନାହିଁ; ବାରମ୍ବାର ଆଘାତ ଦେଲେ ଶେଷରେ ତାହା ଖଣ୍ଡ ବିଖଣ୍ଡିତ ହୁଏ । ସ୍ବାମୀ ବିବେକାନନ୍ଦ କହନ୍ତି, “ଅସଫଳତା ପାଇଁ ଚିନ୍ତାକର ନାହିଁ । ଏହା ଏକଦମ୍ ସ୍ବାଭାବିକ । ଅସଫଳତା ଜୀବନର ସୌନ୍ଦର୍ଯ୍ୟ ଅଟେ । ଜୀବନରେ ଯଦି ସଂଘର୍ଷ ରହିବ ନାହିଁ, ତେବେ ଜୀବିତ ରହିବା ବ୍ୟର୍ଥ । ସଂଘର୍ଷ ଜୀବନର କାବ୍ୟ । ସଂଘର୍ଷ ଏବଂ ତ୍ରୁଟି ପାଇଁ ବ୍ୟସ୍ତ ହୁଅ ନାହିଁ । ଆଦର୍ଶକୁ ସମ୍ମୁଖରେ ରଖି ଆଗକୁ ବଢ଼ିବାର ପ୍ରଯତ୍ନ କର । ଯଦି ତୁମେ ହଜାର ଥର ମଧ୍ୟ ଅସଫଳ ହୋଇଛି ତେବେ ଆଉ ଥରେ ପୁନଶ୍ଚ ପ୍ରଯତ୍ନ କର ।’’


ମଣିଷ ପ୍ରାଣୀ ଜଗତର ସର୍ବଶ୍ରେଷ୍ଠ ଏଥିପାଇଁ ଯେ ତା’ର ଭଲମନ୍ଦ ବିଚାର କରିବା କ୍ଷମତା ଅଛି । ଏହା ମନୁଷ୍ୟମାନଙ୍କୁ ପରମାତ୍ମାଙ୍କ ଶ୍ରେଷ୍ଠ ବରଦାନ । ଏଭଳି କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏ ନାହିଁ । ପରମାତ୍ମାଙ୍କ ଏହି ବରଦାନକୁ ଆମେ କେତେ ଉପଯୋଗ କରୁଛୁ ତାହା ନିଜକୁ ନିଜେ ପଚାରିବା ଉଚିତ । କେତେକ ଲୋକ ବିନା ବୁଝି ବିଚାରି କାମ କରନ୍ତି ଓ ପରେ ପାଶ୍ଚାତାପ କରନ୍ତି । ଆଉ କେତେକ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି । ନିଜ ନିଜ ପ୍ରତିଭାକୁ ବିଧି ପୂର୍ବକ ଉପଯୋଗ କରିବା ଦ୍ୱାରା ସଫଳତା ମିଳେ । ଲକ୍ଷ୍ୟହୀନ ପୁରୁଷାର୍ଥ ବା ଉଦ୍ୟମ ପାଣିରେ ଗାର କାଟିବା ସଦୃଶ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାରବ୍ଧ ଜନିତ ଫଳ, ଆକସ୍ମିକ ଦୁର୍ଘଟଣା, ଶାରୀରିକ ବ୍ୟାଧି ଆଦି ପ୍ରଭାବକୁ ଆମେ ଚାହିଁଲେ ମଧ୍ୟ ପ୍ରତିହତ କରିପାରିବା ନାହିଁ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ସାହସର ସହିତ ମୁକାବିଲା କରିବାକୁ ହେବ ।


ସଂପ୍ରତି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପ୍ରତିସ୍ପର୍ଦ୍ଧାର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ଦୃଢ଼ ସଂକଳ୍ପ ସହିତ ନିଜ ମନୋଭାବକୁ ନିୟନ୍ତ୍ରଣ ରଖିବା ଏକାନ୍ତ ଆବଶ୍ୟକ । ପ୍ରତିସ୍ପର୍ଦ୍ଧାର ଏହି ଦୌଡ଼ରେ ସମସ୍ତେ ଯେ ସଫଳ ହେବେ ଏହା ସମ୍ଭବ ନୁହେଁ । ଅସଫଳତା, ସଫଳତା ମାର୍ଗର ଏକ ଅବରୋଧ ସଦୃଶ । ପ୍ରତ୍ୟେକ ଅସଫଳତା ଦ୍ୱାରା ଏହା ଶିକ୍ଷା କରିବାକୁ ହେବ ଯେ ସଫଳତା ମାର୍ଗର ଗୋଟିଏ ଅବରୋଧକୁ ଆମେ ଅତିକ୍ରମ କରି ଆଗକୁ ବଢ଼ିଛୁ । ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ନିଜ ଅସଫଳତାକୁ ବାରମ୍ବାର ପୁନର୍ମୁଲ୍ୟାଙ୍କ କରି ସଫଳତା ପ୍ରାପ୍ତି ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଛନ୍ତି । ସକାରାତ୍ମକ ଦୃଷ୍ଟିକୋଣ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ଜୀବନର ଚଲାପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତରେ ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ଆଗେଇ ଗଲେ ସଫଳତା ବିଜୟମାଳା ସହିତ ଆମକୁ ସ୍ବାଗତ କରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।


ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଜୀବନ ହେଉଛି ସଫଳତା ଓ ବିଫଳତାର ଏକ ଅଦ୍ଭୁତ ମିଶ୍ରଣ । ଜୀବନର ବାଧା ଦୌଡ଼ରେ ବାରମ୍ବାର ବିଫଳତାର ସମ୍ମୁଖରେ ଉପସ୍ଥିତ ହେବ । ଏଥିରେ ଅଟକି ନଯାଇ ଆଗକୁ ସାହସର ସହିତ ଲମ୍ଫ ପ୍ରଦାନ କରିବାକୁ ହେବ । ପ୍ରତ୍ୟେକ ଅବରୋଧକୁ ଏକ ମନୋରଞ୍ଜନ ଖେଳ ଭାବି ଲଙ୍ଗନ କରି ଚାଲିଲେ ଅନ୍ତିମରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ସଂଘର୍ଷ ଓ ପ୍ରଯତ୍ନ ପରିଣାମ ସ୍ବରୂପ ପ୍ରାପ୍ତ ସଫଳତା ପରମ ସୁଖ ପ୍ରଦାନ କରେ ।


ଭୟ ହେଉଛି ସଫଳତା ମାର୍ଗର ପ୍ରଧାନ ଅନ୍ତରାୟ । ଏହା ଭିନ୍ନ ଭିନ୍ନ ରୂପରେ ଭୂତ ଭଳି ମଣିଷ ପଛରେ ଲାଗିଥାଏ । ଅସଫଳତା, ମୃତ୍ୟୁ, ନିନ୍ଦା ବଦନାମ, ଅସୁରକ୍ଷା, ଅନିଶ୍ଚିତତା ଆଦି ଭୟ ମଣିଷକୁ ନିଷ୍କ୍ରିୟ କରିଦିଏ । ଅନେକ ସମୟରେ ଦେଖାଯାଏ ଯେ କେହି କେହି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୋଜନାବଦ୍ଧ ଭାବରେ ଉତ୍ସାହର ସହିତ କାର୍ଯ୍ୟ ପ୍ରାରମ୍ଭ କରନ୍ତି । ପରେ ଯେତେବେଳେ ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଉଦ୍ଦୀପନା ସମାପ୍ତ ହୋଇଯାଏ । ଭୟଭୀତ ହୋଇ ସେମାନେ ଧୈର୍ଯ୍ୟହରା ହୋଇ ପଡନ୍ତି ଓ କାର୍ଯ୍ୟକୁ ଅଧାରେ ଛାଡ଼ି ପଳାୟନ କରନ୍ତି । ଏହି ପଳାୟନ ପ୍ରବୃତ୍ତି କାପୁରୁଷତାର ଲକ୍ଷଣ । ଏପରି ବ୍ୟକ୍ତି କେବେ କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । କେବଳ ପ୍ରତିଭା ଓ ସଂସାଧନ ଦ୍ୱାରା ବ୍ୟକ୍ତି ସଫଳ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିବାର ମାନସିକ ଦୃଢ଼ତା, ଆତ୍ମ ବିଶ୍ୱାସ ଓ ସାହସ । ପଳାୟନବାଦୀ ପ୍ରବୃତ୍ତି ଉପରେ ବିଜୟ ପ୍ରାପ୍ତି ପାଇଁ ସତତ ପ୍ରଯତ୍ନ ଓ ପ୍ରତିରୋଧକ କ୍ଷମତାର ବିକାଶ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ଆଧ୍ୟାତ୍ମିକ ଚେତନାର ବିକାଶ କରିବାକୁ ହେବ ।


ସୁଖ, ଶାନ୍ତି ଓ ସମୃଦ୍ଧି ଜୀବନ ପାଇଁ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ବିକାଶ ଅତ୍ୟନ୍ତ ଆବଶ୍ୟକ । ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, ଆତ୍ମ ବିଶ୍ୱାସ, ସକାରାତ୍ମକ ଚିନ୍ତନ, ପ୍ରସନ୍ନତା ଓ ନିରବଚ୍ଛିନ୍ନ ପୁରୁଷାର୍ଥ ସଫଳତାର ମାର୍ଗକୁ ପ୍ରଶସ୍ତ କରେ । ପ୍ରତ୍ୟେକେ ସଫଳତା ଚାହାନ୍ତି, କିନ୍ତୁ ଅଧିକାଂଶ ବ୍ୟକ୍ତି ନିଜ ପୁରୁଷାର୍ଥ ଉପରେ ଦୃଢ଼ ଆସ୍ଥା ରଖନ୍ତି ନାହିଁ । ସଫଳତା ପ୍ରତି ସେମାନଙ୍କ ମନରେ ଆଶଙ୍କା ଜାତ ହୁଏ । ସ୍ବୀୟ ଆନ୍ତରିକ ଶକ୍ତି ପ୍ରତି ଯାର ଅବିଶ୍ୱାସ ଜାତ ହୁଏ ସେ କିପରି ନିଜ ଅଭୀଷ୍ଟ ସାଧନରେ ସଫଳ ହେବେ? ପୁରୁଷାର୍ଥରେ ଦୃଢ଼ତା, ଅସଫଳତାର ସଂପୂର୍ଣ୍ଣ ମୂଲ୍ୟାଙ୍କନ, ମନରୁ ଅସଫଳତା ଓ ପ୍ରତିକୂଳ ପରିସ୍ଥିତି ଜନିତ ନିରାଶା ଏବଂ ହତାଶା ଭାବକୁ ଦୂର କରି ଉତ୍ସାହ ପୂର୍ବକ ବାରମ୍ବାର ପ୍ରଯତ୍ନଶୀଳତା ଦ୍ୱାରା ବ୍ୟକ୍ତି ସଫଳତାର ଅମୃତ ଆସ୍ବାଦନ କରିପାରେ । ଏପରି ସଫଳକାମୀ ବ୍ୟକ୍ତି ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପ୍ରସନ୍ନ ରହିପାରନ୍ତି । ଏଠାରେ ମନେ ରଖିବାକୁ ହେବ ଯେ ସମ୍ପୂର୍ଣ୍ଣ ପ୍ରଯତ୍ନର ଅଭାବହିଁ ଅସଫଳତାର କାରଣ । ଅସଫଳତାରେ ନିରାଶ ନହୋଇ ପୁନଃ ପ୍ରଯତ୍ନ କରିବାର ଦୃଢ଼ ସଂକଳ୍ପ ବ୍ୟକ୍ତିକୁ ନିଶ୍ଚିତ ବିଜୟଶ୍ରୀ ପ୍ରଦାନ କରେ । ସମ୍ୟକ ଓ ସକାରାତ୍ମକ ଚିନ୍ତନ ସଫଳତାର ମୂଳ ମନ୍ତ୍ର । ପରାଜୟ ସତ୍ତ୍ବେ ମଧ୍ୟ ହତୋତ୍ସାହିତ ନହୋଇ ବିଜୟର ସଂକଳ୍ପ ନେଇ ପୁନଃ ପ୍ରୟାସ କରୁଥିବା ବ୍ୟକ୍ତି ହିଁ ଯଥାର୍ଥରେ ଗୌରବଶାଳୀ । ଯେକୌଣସି ପରିସ୍ଥିତିରେ ମଧ୍ୟ ମାନସିକ ପ୍ରସନ୍ନତା ଯେମିତି ବଜାୟ ରହେ ସେଥିପ୍ରତି ଯତ୍ନବାନ ହେବା ବିଧେୟ । କାରଣ ପ୍ରସନ୍ନତା ବୁଦ୍ଧିକୁ ଶାନ୍ତ ଓ ଏକାଗ୍ର ହେବାରେ ସହାୟକ ହୁଏ ଯାହା ସଫଳତା ପାଇଁ ସର୍ବାଧିକ ମୂଲ୍ୟବାନ ।

❤️❤️❤️❤️❤️❤️❤️❤️❤️

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର