*ଜ୍ଞାନ ନିର୍ଝର (୧୬)--- ଜାତୀୟ ସଂହତି

🌷🌷🌷🌷🌷🌷🌷🌷🌷

    🌸 *ଜ୍ଞାନ ନିର୍ଝର (୧୬)* 🌸

🌹🌹🌹🌹🌹🌹🌹🌹🌹

    🌼 *ଜାତୀୟ ସଂହତି*  🌼


🌺🌺🌺🌺🌺🌺🌺🌺🌺  

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

ଭାରତ ଏକ ଅଧ୍ୟାତ୍ମ ପ୍ରଧାନ ଦେଶ । ସମଗ୍ର ବିଶ୍ୱରେ ଏହା ଏପରି ଏକ ରାଷ୍ଟ୍ର ରୂପେ ପରିଚିତ, ଯେଉଁଠି ବିବିଧ ସଂସ୍କୃତି, ଭାଷା, ରଂଗ-ରୂପ ଓ ସଂପ୍ରଦାୟ ମଧ୍ୟରେ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ । ଭାରତର ପ୍ରାଚୀନ ଋଷିମୁନିଗଣଙ୍କ “ବସୁଧୈବ କୁଟୁମ୍ବକମ୍” ଉଦଘୋଷଣାରେ ଉଦବୁଦ୍ଧ ଜନସମାଜ ଅନେକତା ମଧ୍ୟରେ ଏକତା ବଜାୟ ରଖିବାକୁ ସକ୍ଷମ ହୋଇ ପାରୁଥିଲେ । ଅନ୍ୟ ଅର୍ଥରେ କରିବାକୁ ଗଲେ ଆଧ୍ୟାତ୍ମିକ ତା ହିଁ ଜାତୀୟସଂହିତି (National Intrigation) ର ଆଧାର ଥିଲା । ଆଜି ଆଧୁନିକତା ନାମରେ ପାଶ୍ଚାତ୍ୟ ସଂସ୍କୃତି (ଭୌତିକ ବାଦ)ର ଅନ୍ଧ ଅନୁସରଣହେତୁ ବିଶ୍ୱଗୁରୁ ଆସନରେ ଅଳଂକୃତ ଆମ ଭାରତବର୍ଷରେ ପ୍ରାଚୀନ ମୂଲ୍ୟଗୁଡ଼ିକ ହ୍ରାସ ହେବାକୁ ଲାଗିଛି । ଏହାର ପରିମାଣ ସ୍ବରୂପ ଆମ ଜାତୀୟ ସଂହତି ଏକ ସଂକଟଜନକ ସ୍ଥିତିରେ ଉପନୀତ । ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଧର୍ମର ବ୍ୟାପକ ଅର୍ଥ କରାଯାଇଛି । ଧର୍ମର ପ୍ରତ୍ୟକ୍ଷ ସଂପର୍କ ଆତ୍ମା ସହିତ । ଆତ୍ମବିସ୍ମୃତି (ଆତ୍ମାର ଯଥାର୍ଥ ପରିଚୟର ଅଭାବ) ହେତୁ ମଣିଷ ନିଜକୁ ଦେହ ବୋଲି ମନେ କରେ । ଭୌତିକ ଚେତନାରୁ ସେ ଉଦ୍ଧ୍ୱର୍କୁ ଉଠି ପାରେନାହିଁ । ଆଜି ବ୍ୟକ୍ତିଗତ, ସାମାଜିକ ଓ ରାଷ୍ଟ୍ରୀୟ ସ୍ତରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଆତ୍ମବିସ୍ମୃତି ଜନିତ ବିସଙ୍ଗତି ହିଁ  ଅଟେ । ଭାରତର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ହେଉଛି ଶ୍ରୀମଦ୍ଭାଗବତ ଗୀତା ଏଥିରେ ଆତ୍ମା ଓ ଶରୀର ମଧ୍ୟରେ ପାର୍ଥକ୍ୟ ନିରୂପଣ କରି ଆଧ୍ୟାତ୍ମିକ ଉତ୍ତରଣର ପଥ ପ୍ରଦର୍ଶିତ ହୋଇଛି । ଗୀତାକୁ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ବାଣୀର ସଂକଳନ ରୂପ ସ୍ବୀକାର କରାଯାଏ । କିନ୍ତୁ ଏହାକୁ ଏକ ଧାର୍ମିକ ସଂପ୍ରଦାୟର ଧର୍ମଗ୍ରନ୍ଥ ରୂପେ ପ୍ରଚାର ତଥା ବିଭିନ୍ନ ମତାବଲମ୍ବୀଙ୍କ ଦ୍ୱାରା ସ୍ବ ସ୍ବ ମତ ଅନୁକୂଳ ଭାଷାଟୀକା ସମ୍ବଳିତ ପୁସ୍ତକ ପ୍ରଣୟନ କରି ବ୍ୟାପକ ପ୍ରସାର କରାଯାଇଥିବାରୁ ଜନ ମାନସ ବିଭ୍ରାନ୍ତ । ଏଠାରେ ଆମକୁ ମନେ ରଖିବାକୁ ହେବ ଯେ ପରମାତ୍ମାଙ୍କ ଉପାସନା ପଦ୍ଧତି ଆଧାରରେ ବିଭିନ୍ନ ଧାର୍ତ୍ମକ ସଂପ୍ରଦାୟ ସୃଷ୍ଟି ହୋଇଥିଲେ ମଧ୍ୟ ସେ ଏସବୁର ଉର୍ଦ୍ଧ୍ୱରେ। ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଜାତୀୟ ସଂହତି ରକ୍ଷା କରିବା ପାଇଁ ମୂଲ୍ୟବୋଧ ଭିତ୍ତିକ ଆଧ୍ୟାତ୍ମିକ ଶିକ୍ଷା ହିଁ ଏକମାତ୍ର ସଶକ୍ତ ମାଧ୍ୟମ ତଥା ସମସ୍ତ ସମସ୍ୟା ନିବାରଣର ରଚନାତ୍ମକ ବିକଳ୍ପ ।


 *ସାଂପ୍ରତିକ ବିଶ୍ୱର ଦୃଶ୍ୟ* 


ବ୍ୟକ୍ତିଗତ ସମସ୍ୟା: କୁପୋଷଣ, ଚିନ୍ତା, ଭୟ, ଦାରିଦ୍ର୍ୟ, ନକାରାତ୍ମକ ଭାବନା, ହୀନ ମାନସିକତା ।


ଶୈକ୍ଷଣିକ ସମସ୍ୟା: ଶିକ୍ଷାର ବ୍ୟବସାୟୀକରଣ, ଗୁରୁ-ଶିଷ୍ୟ ଓ ଅଭିଭାବକଙ୍କ ସମ୍ବନ୍ଧରେ କଟୁତା, ଅଧ୍ୟାପକମାନଙ୍କ ମଧ୍ୟରେ ପାରସ୍ପରିକ ସ୍ନେହଭାବନାର ଅଭାବ, ବିଦ୍ୟାଳୟରେ ସମ୍ମାନଭାବରେ ଅଭାବ, ପରୀକ୍ଷାମାନଙ୍କରେ ଅନୁଚିତ ସାଧନ ସମୂହର ପ୍ରୟୋଗ, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମୂଲ୍ୟାବଳୀର ହ୍ରାସ ।


ସାମାଜିକ ସମସ୍ୟା: ଦାରିଦ୍ର୍ୟ, ଯୌତୁକ ପ୍ରଥା, କୁପୋଷଣ, ସାଂପ୍ରଦାୟିକତା, ଆଂଚଳିକବାଦ ଇତ୍ୟାଦି ।


ରାଷ୍ଟ୍ରୀୟ ସମସ୍ୟା: ସାଂପ୍ରଦାୟିକତା, ମାଦକ ଦ୍ରବ୍ୟଗୁଡ଼ିକର ସେବନ, ସଂକ୍ରାମକ ରୋଗ, ରାଜ୍ୟମାନଙ୍କ ମଧ୍ୟରେ ସୀମା ବିବାଦ, ଚୋରୀ, ଡକାୟତି, ଭ୍ରଷ୍ଟାଚାରର ଠକାମି ଇତ୍ୟାଦି ।


ଅନ୍ତର୍ରାଷ୍ଟ୍ରୀୟ ସମସ୍ୟା: ଶୀତଳ ଯୁଦ୍ଧ, ଜନସଂଖ୍ୟା ବିସ୍ଫୋଟ, ଦାରିଦ୍ର୍ୟ, କୁପୋଷଣ, ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ମତଭେଦ, ବର୍ଣ୍ଣ ବୈଷମ୍ୟ, ଦୁଃଖ- ଅଶାନ୍ତି ।


ସୂକ୍ଷ୍ମ ଅଧ୍ୟୟନ ଦ୍ୱାରା ଜଣାଯାଏ ଯେ ଉପଯୁକ୍ତ ସମସ୍ତ ସମସ୍ୟାର ମୂଳ କାରଣ ହେଉଛି ସଂକୀର୍ଣ୍ଣତା । ମାନବ ସମାଜ ଧର୍ମ,ଜାତି, ଭାଷା, ବର୍ଗ, ବର୍ଣ୍ଣ, ପ୍ରାନ୍ତ ଓ ପନ୍ଥା ଆଦିରେ ବିଭାଜିତ । ବିଭିନ୍ନ ସାଂପ୍ରଦାୟିକ ଧର୍ମର ବ୍ୟାପକ ପ୍ରଚାର ଓ ପ୍ରସାର ହେତୁ ସମାଜରେ ବୈଚାରିକ ଓ ସିଦ୍ଧାନ୍ତୀୟ ଭିନ୍ନତା ଉଗ୍ର ରୂପ ଧାରଣ କଲା । ସାଂପ୍ରଦାୟିକ ହିଂସା ଓ ଗୋଷ୍ଠୀକଦଳ ପଛରେ ଏହାହିଁ କାରଣ । ଏଥିରୁ ସ୍ପର୍ଷ୍ଟ ହୁଏ ଯେ ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଦୁଃଖ, ଅଶାନ୍ତି, ଚିନ୍ତା ଆଦିର ଜନକ ହେଉଛି ସଂକୀର୍ଣ୍ଣତା ଓ ଭେଦ ଦୃଷ୍ଟି ।


ବର୍ତ୍ତମାନ ବିଶ୍ୱରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଆତଙ୍କବାଦ । ଏହାର ମୂଳରେ ରହିଛି ତୀବ୍ର ସାଂପ୍ରଦାୟିକତା ଓ ଧାର୍ତ୍ମକ ଅସହିଷ୍ଣୁତା । ଈଶ୍ୱରଏକ ହେଲେ ମଧ୍ୟ ତାଙ୍କ ନାମ, ରୂପ ଓ ଉପାସନା ପଦ୍ଧତିକୁ ନେଇ ମାନବ ସମାଜ ବିଭିନ୍ନ ସଂପ୍ରଦାଇରେ ବିଭାଜିତ । ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ସାଂପ୍ରଦାୟିକ ଧର୍ମ ସହିତ ଅବଶ୍ୟ ଜଡ଼ିତ ଥାଏ । ପାଞ୍ଚଟି ଅନ୍ଧ ହାତୀର ବିଭିନ୍ନ ଅଂଗ ସ୍ପର୍ଶ କରି ତଦନୁସାରେ ତାର ସ୍ବରୂପ ବର୍ଣ୍ଣନା କଲା ଭଳି ପରମାତ୍ମାଙ୍କ ବିଷୟରେ ନାନା ପ୍ରକାର ମଦବାଦ ପ୍ରଚଳିତ । ଧର୍ମର ଲକ୍ଷ୍ୟ ହେଉଛି ମନୁଷ୍ୟକୁ ସତ୍କର୍ମ ଅଭିମୁଖେ ପ୍ରେରିତ କରିବା । କିନ୍ତୁ ମନୁଷ୍ୟ ନିଜକୁ ତଥା ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣି ନଥିବାରୁ ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ । ବିଶ୍ୱରେ ଧର୍ମକୁ ଆଧାର କରି ଯେତିକି ଯୁଦ୍ଧ, ସଂଘର୍ଷ ଓ ଦଙ୍ଗା ଆଦି ହୋଇଛି, ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ସେତିକି ହୋଇନାହିଁ । କୌଣସି ମନୁଷ୍ୟ  ଜାତି ଓ ଧର୍ମକୁ ନେଇ ଜନ୍ମ ହୋଇ ନଥାଏ । ଏହି ସଂସାରରେ ତଥାକଥିତ ଧର୍ମ ତାକୁ ଉତ୍ତରାଧିକାର ସ୍ବରୂପ ପ୍ରାପ୍ତ ହୋଇଥାଏ । ଏହା ଏପରି ମିଥ୍ୟା ସତ୍ୟ ଯାହାକୁ କେନ୍ଦ୍ର କରି ସଂସାରରେ ଅନେକ ରକ୍ତପାତ ହୋଇଛି । ଆଧ୍ୟାତ୍ମିକ ଶିକ୍ଷା ମନୁଷ୍ୟକୁ ଆତ୍ମା ଓ ପରମାତ୍ମାଙ୍କ ଯଥାର୍ଥ ପରିଚୟ ପ୍ରଦାନ କରେ । ଏହା ଦ୍ୱାରା ରାଷ୍ଟ୍ରୀୟ ଏକତା ପାଇଁ ବାଧକ ତତ୍ତ୍ବଗୁଡ଼ିକର ନିବାରଣ ହୋଇଥାଏ ଓ ମନୁଷ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ଆତ୍ମିକ ସ୍ନେହ ବୃଦ୍ଧି ପାଇ ସେମାନଙ୍କୁ କର୍ତ୍ତବ୍ଯପରାୟଣ କରେ ।


ରାଷ୍ଟ୍ରୀୟ ଏକତା ଭାବନା ବଢ଼ାଇବା ଓ ସଶକ୍ତ କରିବା ଆଜି ଏକ ରାଷ୍ଟ୍ରୀୟ ଆବଶ୍ୟକତା । ବିବିଧତାକୁ ଏକ ରାଷ୍ଟ୍ରୀୟ ସୂତ୍ରରେ ବାନ୍ଧି ରଖୁଥିବା ପ୍ରାଚୀନ ସାଂସ୍କୃତିକ ମୂଲ୍ୟ କ୍ରମଶଃ ହ୍ରାସ ପାଇବାକୁ ଲାଗୁଛି । ରାଷ୍ଟ୍ରୀୟ ଏକତା ଭାବନାକୁ ସଶକ୍ତ କରିବା ପାଇଁ ଆଲୋଚନା ଚକ୍ର, କର୍ମଶାଳାଏବଂ ପାଠ୍ୟପୁସ୍ତକ ଗୁଡ଼ିକରେ ଅନେକ ପ୍ରେରକ ପ୍ରସଙ୍ଗକୁ ସମ୍ମିଳିତ କରାଯାଇଛି । ପରନ୍ତୁ ଏହି ମୂଲ୍ୟ ନୈତିକ ଚେତନାର ମାନସିକ ସ୍ତରରେ ନ ପହଂଚିବା ପର୍ଯ୍ୟନ୍ତ ସ୍ଥାୟୀତ୍ୱ ପ୍ରାପ୍ତ କରିପାରେ ନାହିଁ । ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ହେତୁ ରାଷ୍ଟ୍ର ପ୍ରେମ ଓ ସମାଜ ପ୍ରତି ଉତ୍ତରଦାୟିତ୍ୱର ଭାବନା ବ୍ୟାବହାରିକ ଜୀବନରେ ପ୍ରତିଫଳିତ ହୋଇ ପାରୁ ନାହିଁ । ରାଜନୈତିକ କାରଣରୁ ଶିକ୍ଷାନୀତିରେ ମୂଲ୍ୟବୋଧ ଭିତ୍ତିକଶିକ୍ଷା ପ୍ରଣାଳୀକୁ ଗ୍ରହଣ କରାଯାଇ ପାରିନାହିଁ । ଅଧ୍ୟାତ୍ମିକ ଜ୍ଞାନ ଅଭାବରେ ମଣିଷ ମଧ୍ୟରେ ଆତ୍ମିକ ଚେତନା କ୍ଷୀଣ ହୋଇ ଦୈହିକଚେତନା ବୃଦ୍ଧି ପାଇଛି । ଏହାର ପରିମାଣ ସ୍ବରୂପ ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଜାତି, ସଂପ୍ରଦାୟ, ଭାଷା ଏବଂ ଆଂଚଳିକବାଦ ଭାବନା ବୃଦ୍ଧି ପାଉଛି ।


ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବ ହେତୁ ବିଭିନ୍ନ ସାଂପ୍ରଦାୟିକ ଧର୍ମର ସୃଷ୍ଟି । ସେହିପରି ଆତ୍ମାକୁ ଗୌଣ ଓ ଦେହକୁ ପ୍ରାଧାନ୍ୟ ଦେବା ଫଳରେ ଜାତି, ବର୍ଣ୍ଣ, ଭାଷା ଓ ଆଚଂଳିକବାଦ କ୍ରମଶଃ ବୃଦ୍ଧି ପାଇଛି । ଏହି ବିବିଧତା ମାନବ ମଧ୍ୟରେ ବିଭେଦ ସୃଷ୍ଟି କରି ବିଭିନ୍ନ ସାମାଜିକ ସମସ୍ୟାର କାରଣ ହୋଇଛି । ପରମାତ୍ମା ଏକ ଓ ଅଦ୍ୱିତୀୟ ଏକଥା ସମସ୍ତେ ସ୍ବୀକାର କରନ୍ତି । ଏହା ସତ୍ତ୍ବେ ମଧ୍ୟ ତାଙ୍କ ନାମ, ରୂପ, ଗୁଣ, କର୍ତ୍ତବ୍ଯ ଓ ସୃଷ୍ଟିରେ ଆବିର୍ଭାବ ସମୟକୁ ନେଇ ଅନେକ ମତମତାନ୍ତର ଦେଖାଯାଏ । ଦୈହିକ ଚେତନାରୁ ଉଦ୍ଧ୍ୱର୍କୁ ନ ଉଠିବା ପର୍ଯ୍ୟନ୍ତ ପରମାତ୍ମାଙ୍କ ଯଥାର୍ଥ ସ୍ବରୂପବୋଧ ହେବ ନାହିଁ । ପରମାତ୍ମା ସମସ୍ତ ମୂଲ୍ୟ ଓ ଦିବ୍ୟଗୁଣର ଉତ୍ସ ହୋଇଥିବାରୁ ତାଙ୍କ ସହିତ ମନ ଓ ବୁଦ୍ଧିକୁ ଯୁକ୍ତ କଲେ ଜୀବନରେ ମୂଲ୍ୟଧାରଣ ସହଜ ହୋଇଥାଏ । ଏଥିପାଇଁ ପରମାତ୍ମାଙ୍କ ବିଷୟରେ ପରମ୍ପପରାକ୍ରମେ ପ୍ରାପ୍ତ ବିଦ୍ୱେଷ-ସୃଷ୍ଟିକାରୀ ମନୋକଳ୍ପିତ ଅବଧାରଣାଗୁଡ଼ିକୁ ପରିହାର ପୂର୍ବକ ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ତତ୍ପର ହେବାକୁ ପଡ଼ିବ । ଏହା ବ୍ୟତୀତ ଆଉ ଅନ୍ୟ ପନ୍ଥା ନାହିଁ ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର