ଜ୍ଞାନ ନିର୍ଝର (୩୦) ----ଉତ୍ତର ଦାୟିତ୍ୱ

🌺🌺🌺🌺🌺🌺🌺🌺🌺 

   *ଜ୍ଞାନ ନିର୍ଝର (୩୦)*   

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*   

🌻🌻🌻🌻🌻🌻🌻🌻🌻 

🌼  *ଉତ୍ତର ଦାୟିତ୍ୱ*🌼

🌹🌹🌹🌹🌹🌹🌹🌹🌹

ସୁଚାରୁ ରୂପେ ଉତ୍ତର ଦାୟିତ୍ୱ ନିର୍ବାହ ଦ୍ୱାରା ଆମର ଅଧିକାର ସୁରକ୍ଷିତ ରହିପାରେ । ଉତ୍ତରଦାୟିତ୍ୱଠାରୁ ଅଧିକାର ଆଦୌ ବଡ ହୋଇ ନ ପାରେ । ଉତ୍ତରଦାୟିତ୍ୱ ପ୍ରତି ଅଙ୍ଗୀକାରବଦ୍ଧତା ଦ୍ୱାରା ଉତ୍ତମ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ । ଯେତେବେଳେ ଆମେ ନିଜ ଜୀବନର କୌଣସି ମହତ୍ତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ନିର୍ଦ୍ଧାରଣ ପୂର୍ବକ ତାକୁ କ୍ରିୟାନ୍ୱିତ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ହୋଇଥାଉଁ ସେତେବେଳେ ଆମ ସମ୍ମୁଖରେ ଅନେକ ପ୍ରକାର ବାଧାବିଘ୍ନ ଉପସ୍ଥିତ ହୋଇଯାଏ । ଆମକୁ ବିବିଧ ଅନାକାଂକ୍ଷିତ ଆହ୍ୱାନର ସାମନା କରିବାକୁ ପଡିଥାଏ । ଏସବୁରେ ଭୟଭୀତ ନ ହୋଇ ଯେତେବେଳେ ଆମେ ମହତ ଉଦ୍ଦେଶ୍ୟ ପୂର୍ତ୍ତି ମାର୍ଗରେ ଆଗେଇ ଯାଉ ସେତେବେଳେ ଆମ ଆତ୍ମା ମଧ୍ୟରେ ସୁଷୁପ୍ତ ଭାବରେ ଥିବା ଆନ୍ତରିକ ଶକ୍ତି ସମୂହ ଜାଗ୍ରତ ହୋଇ ଉଠନ୍ତି । ସଫଳତାର ଅନ୍ତିମ ବିନ୍ଦୁ ପର୍ଯ୍ୟନ୍ତ ପହଞ୍ଚିବାରେ ଏହିଗୁଡ଼ିକ ଆମର ସହାୟକ ହୋଇଥାନ୍ତି । ଏହି ଆନ୍ତରିକ ସାମର୍ଥ୍ୟ ବୋଧ ବ୍ୟକ୍ତି ମଧ୍ୟରେ ଏକ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱର ନିର୍ମାଣ କରିଥାଏ । ସଫଳତାର ଏହି ବୋଧ ବ୍ୟକ୍ତିଠାରେ ପ୍ରବଳ ଆତ୍ମ ବିଶ୍ୱାସ ସୃଷ୍ଟି କରେ । ଆନ୍ତରିକ ସାମର୍ଥ୍ୟର କ୍ରମିକ ଅଭିବର୍ଦ୍ଧନ ଦିନେ ନା ଦିନେ ଆମକୁ ଆମର ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ କରିବାର ସୁଅବସର ପ୍ରଦାନ କରିଥାଏ । ଏହିପରି ସଫଳତା ପ୍ରାପ୍ତ କରିଥିବା ବ୍ୟକ୍ତି ମାନବ ସମାଜ ପାଇଁ ଏକ ଆଦର୍ଶ ଅଟନ୍ତି । ଏହି ସ୍ଥିତି କୌଣସି ବ୍ୟକ୍ତି ପାଇଁ ସୁଖ, ଶାନ୍ତି, ଆନନ୍ଦ ଓ ସନ୍ତୋଷର ଚରମ ଏବଂ ପରମ ବିନ୍ଦୁରେ ପରିଣତ ହୋଇଯାଏ ।


ଜୀବନ ଏବଂ ବସ୍ତୁ ମଧ୍ୟରେ ଗୁଣବତ୍ତାର ଆଧାର ହେଉଛି  ଉତ୍ତରଦାୟିତ୍ୱ । କୌଣସି ପ୍ରକାର ବାହାନା ନ କରି ତଥା କାହା ଉପରେ ଦୋଷାରୋପ ନ କରି ଯିଏ ନିଜର ଦାୟିତ୍ୱ ସୁଚାରୁ ଭାବରେ ସମ୍ପାଦନ କରିଥାନ୍ତି ତାଙ୍କୁ ଲୋକେ ଏକ ମହାନ ବ୍ୟକ୍ତି ରୂପେ ଗ୍ରହଣ କରନ୍ତି । ତେଣୁ କୁହାଯାଏ ମହାନତାର ମୂଲ୍ୟ ହେଉଛି ଉତ୍ତରଦାୟିତ୍ୱ । The price of greatness is responsibility. 


ଆମକୁ ନିଜର ଉତ୍ତର ଦାୟିତ୍ୱ ବିଷୟରେ ପୂର୍ଣ୍ଣଜ୍ଞାନ ହେବା ଆବଶ୍ୟକ ଓ ତାହା ସୁଚାରୁ ରୂପେ ନିର୍ବାହ କରିବା ଉଚିତ । ସମାଜ ଓ ରାଷ୍ଟ୍ର ପ୍ରତି, କାର୍ଯ୍ୟାଳୟ ବା ନିଜ ବ୍ୟବସାୟ ପ୍ରତିଷ୍ଠାନରେ ସହଯୋଗୀ କର୍ମଚାରୀଙ୍କ ପ୍ରତି, ପରିବାର ପ୍ରତି, ପର୍ଯ୍ୟାବରଣ ଓ ପ୍ରଦୂଷଣ ପ୍ରତି ଓ ସ୍ବୟଂ ପ୍ରତି ଆମ ପ୍ରତ୍ୟେକଙ୍କ ନୈତିକ କର୍ତ୍ତବ୍ଯ ରହିଛି । କିଛି ସୁରକ୍ଷିତ ଶକ୍ତି ଥାଏ ଯାହାକି ସମୟକ୍ରମେ ସ୍ବତଃ ପ୍ରକଟ ହୋଇଥାଏ । ଉଦାହରଣ ସ୍ବରୂପ ଏକ ସନ୍ତାନ ବତ୍ସଳା ମା’ କଥା ବିଚାର କରାଯାଉ । ଅଚାନକ ଘରେ ଅଗ୍ନି ଦାହ ହୋଇଗଲା । ମା’ ଅଗଣାରେ କୌଣସି କାମରେ ବ୍ୟସ୍ତ । ଯେତେବେଳେ ସେ ଦେଖିବ ଯେ ତା’ ପ୍ରିୟ ସନ୍ତାନ ଅଗ୍ନିଘେର ମଧ୍ୟରେ ସଂକଟା ବସ୍ଥାରେ ଅଛି, ସେତେବେଳେ ସେ ନିଜ ଜୀବନକୁ ଭୃକ୍ଷେପ ନ କରି ନିଅାଁ ମଧ୍ୟକୁ ଡେଇଁ ପଡିବ ଓ ତା ସନ୍ତାନକୁ ଧରି ବିଜୁଳି ବେଗରେ ବାହାରି ମଧ୍ୟ ଆସିବ । ଏହି ଶକ୍ତି ଓ ସ୍ଫୁର୍ତ୍ତି ସେ ପାଇଲା କେଉଁଠୁ? ଏହା ପୂର୍ବରୁ ତା’ ମଧ୍ୟରେ ସୁରକ୍ଷିତ ଥିଲା । ଯେତେବେଳେ ତା’ର ଆବଶ୍ୟକତା ପଡ଼ିଲା ସେ ସ୍ବତଃ ପ୍ରକଟ ହୋଇଗଲା । ଏହି ସମୟରେ ଉତ୍ତରଦାୟିତ୍ଵର ଭାବ ଅଦ୍ଭୁତ ଆନ୍ତରିକ ସାମର୍ଥ୍ୟ ବା ଶୌଯ୍ୟ ପ୍ରକଟ କରିଦିଏ । ଏହି ପ୍ରକାର ସଫଳତାରୁ ଆତ୍ମ ବିଶ୍ୱାସ ଏବଂ ଆତ୍ମ ବିଶ୍ୱାସରୁ ପୁନଃ ବଡ ଉତ୍ତରଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟ କରିବାର ସାହସ ଓ ସାହସରୁ କଠିଣ ଆହ୍ୱାନକୁ ଅତିକ୍ରମ କରି ପୁନଃ ସଫଳତା ଦ୍ୱାରା ଆତ୍ମ ବିଶ୍ୱାସରେ ଅଭିବୃଦ୍ଧିର ଏକ ଶୁଭ ଓ ଶକ୍ତିଶାଳୀ ଚକ୍ରିୟ ଶୃଙ୍ଖଳା ବ୍ୟକ୍ତି ଜୀବନରେ ପ୍ରାରମ୍ଭ ହୋଇଯାଏ । ଏହି ପ୍ରକାର ସେ ନିଜ ଜୀବନର ମହାନ ଉଦ୍ଦେଶ୍ୟ ପ୍ରାପ୍ତ କରିବାରେ ସଫଳ ହୋଇଥାଏ ।


ଦାୟିତ୍ୱବାନ ବ୍ୟକ୍ତି ନିଜର କୌଣସି ତ୍ରୁଟିର ଉପେକ୍ଷା କରନ୍ତି ନାହିଁ । ସେ ନିଜର ଭୁଲକୁ ଆନ୍ତରିକ ଭାବରେ ସ୍ବୀକାର  କରି ସଂଶୋଧନ ପୂର୍ବକ ସଫଳତା ପ୍ରାପ୍ତି ମାର୍ଗରେ ଦୃଢ଼ ଭାବରେ ଆଗେଇ ଚାଲନ୍ତି । ବ୍ୟକ୍ତି ଯଦି ଥରେ ନିଜ ଭୁଲ ଓ ଅଜ୍ଞତାକୁ ଉପେକ୍ଷା କରେ ତେବେ ସାରାଜୀବନ ତାହା ବିଭିନ୍ନ ସମସ୍ୟା ରୂପେ ଉଭା ହୋଇ ତାର ସମୟ ଓ ଶକ୍ତିକୁ ନଷ୍ଟ କରିବାର କାରଣ ହୁଏ । ଜଣେ ଚରିତ୍ରବାନ ବ୍ୟକ୍ତି ଆବଶ୍ୟକତା ଅନୁସାରେ ନିଜର ସମସ୍ତ ଉତ୍ତରଦାୟିତ୍ୱକୁ ଏକ ଆହ୍ୱାନ ରୂପେ ସ୍ବୀକାର କରିଥାଏ । ଏହାକୁ ସେ ନିଜର ପରମ କର୍ତ୍ତବ୍ଯ ମନେ କରି ସୁଚାରୁ ରୂପେ ମନ ପ୍ରାଣ  ଦେଇ ସମ୍ପାଦନ କରେ । ନିଜ କର୍ତ୍ତବ୍ଯ ପ୍ରତି ପ୍ରେମ ଭାବ ବ୍ୟକ୍ତିକୁ ଆନ୍ତରିକ ସନ୍ତୁଷ୍ଟତା ଓ ପ୍ରସନ୍ନତା ପ୍ରଦାନ କରିବା ସହିତ ସଂକଟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଅଦ୍ଭୁତ ସାମର୍ଥ୍ୟ ପ୍ରଦାନ କରିଥାଏ । କାପୁରୁଷ, ଦୁର୍ବଳ ଓ ଅଳସୁଆ ବ୍ୟକ୍ତି କୌଣସି ଦାୟିତ୍ୱ ଗ୍ରହଣ କରିବାକୁ କୁଣ୍ଠିତ ହୁଅନ୍ତି । ଏପରି କର୍ମକୋଢ଼ି ଓ କର୍ତ୍ତବ୍ଯ ହୀନ ବ୍ୟକ୍ତି ଅନୁକୂଳ ଅବସରର ପ୍ରତୀକ୍ଷା କରି ଶେଷ ପର୍ଯ୍ୟନ୍ତ କିଛି କରି ପାରନ୍ତି ନାହିଁ । ତେଣୁ ଯଦି ଜୀବନରେ କାହାକୁ ଅଚାନକ କୌଣସି ଦାୟିତ୍ୱ ନିର୍ବାହ କରିବାର ସୁଯୋଗ ମିଳେ ତେବେ ଏହାକୁ ଶ୍ରେଷ୍ଠ ଓ ଶୁଭ ଲକ୍ଷଣ ବିଚାର ପୂର୍ବକ ସ୍ବୀକାର କରିନେବା ଉଚିତ । ପ୍ରାରମ୍ଭିକ ସ୍ତରରେ ଦେଖା ଦେଉଥିବା ଅସୁବିଧା ଓ ବାଧାବିଘ୍ନଗୁଡ଼ିକୁ ଭୃକ୍ଷେପ ନ କରି ଆଗେଇ ଚାଲିଲେ ଅବଶ୍ୟ ସଫଳତା ପଦାଚୁମ୍ବନ କରିବ ।

🙏🙏🙏🙏🙏🙏🙏🙏🙏

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର