ଜ୍ଞାନ ନିର୍ଝର (୧୩) ----ସଫଳତାର ସୂତ୍ର

🌹🌹🌹🌹🌹🌹🌹     
   ଜ୍ଞାନ ନିର୍ଝର (୧୩)
🌺🌺🌺🌺🌺🌺🌺🌺

    🌼    ସଫଳତାର ସୂତ୍ର  🌼
🌻🌻🌻🌻🌻🌻🌻🌻🌻

 ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ

💐💐💐💐💐💐💐💐💐

ବିଜ୍ଞାନର ଆଶୀର୍ବାଦ ଫଳରେ ମଣିଷ ଉଭୟ ସଭ୍ୟତା ଓ ଭୌତିକ ସମୃଦ୍ଧିର ଚରମ ସୀମାରେ ଉପନୀତ ହୋଇଛି । କିନ୍ତୁ ଚିନ୍ତାର ବିଷୟ ଏହି ଯେ ଏହା ସହିତ ମାନବ ସମାଜରେ ଘୋର ଚାରିତ୍ରିକ ସଂକଟ ମଧ୍ୟ ଦେଖା ଦେଇଛି । ଏହାର କାରଣ ଭୋଗବାଦୀ ଦୃଷ୍ଟିକୋଣରେ ସଫଳତାର ପରିଭାଷା ନିର୍ଣ୍ଣୟ କରିବା । ଭୌତିକ ସମ୍ପତ୍ତି , ପଦ, ମର୍ଯ୍ୟାଦା ଓ ପ୍ରତିଷ୍ଠା ପ୍ରାପ୍ତିକୁ ସମ୍ପ୍ରତି ସଫଳତାର ମାପଦଣ୍ଡ ମନେ କରାଯାଇଛି । ନିତ୍ୟ ନୂତନ ବୈଜ୍ଞାନିକ ଆବିଷ୍କାର ଘୃତ ଭଳି ମଣିଷର କାମନାଗ୍ନିକୁ ଆହୁରି ପ୍ରଜ୍ଜ୍ୱଳିତ କରି ଚାଲିଛି । ଅନନ୍ତ କାମନାର ଜାଲରେ ଛନ୍ଦି ହୋଇ ମଣିଷ ଦୁଃଖ ଓ ଅଶାନ୍ତିରେ କାଳାତିପାତ କରୁଛି । ଭୋଗ ବିଳାସ ମନୁଷ୍ୟକୁ କ୍ଷଣିକ ଭୌତିକ ସୁଖ ପ୍ରଦାନ କରେ; କିନ୍ତୁ ତା’ର ଅନ୍ତିମ ପରିଣତି ଯେ ବିଷମୟ ତାହା ସେ ଯେତେବେଳେ ବୁଝେ ସେତେବେଳେ କରିବାକୁ ଆଉ କିଛି ନ ଥାଏ । ଆଧୁନିକତାର ନାମରେ ମଣିଷ ନୈତିକ ଓ ଚାରିତ୍ରିକ ମୂଲ୍ୟକୁ ମହତ୍ତ୍ବ ଦେଉ ନାହିଁ । ଅଧିକାଂଶ ପାଶ୍ଚାତ୍ୟାନୁକରଣକୁ ଆଧୁନିକତା ବୋଲି ଭାବନ୍ତି । ପାଶ୍ଚାତ୍ଯ ଲୋକେ ଭୌତିକବାଦର କୁପରିମାଣ ବୁଝି ଭାରତର ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହେଉଥିବାବେଳେ ଆମେ ସେମାନଙ୍କର କୁ-ସଂସ୍କୃତିକୁ ଆଧୁନିକ ସଭ୍ୟତାର ନାମ ଦେଇ ଆପଣେଇବାରେ ଲାଗିଛୁ । ଏହାହିଁ ସମୟର ବିଡ଼ମ୍ବନା ।


ସଂପ୍ରତି ମଣିଷର ମାନସିକ ସ୍ଥିତି ଦେଖିଲେ ଜଣାଯାଏ ଯେ ସେ ପ୍ରକୃତ ସୁଖ ଶାନ୍ତିଠାରୁ ବହୁ ଦୂରରେ । ମରୁଭୂମିରେ ତୃଷାର୍ତ୍ତ ପଥିକ ମରୀଚିକା ପଛରେ ଧାଇଁଲା ଭଳି ମଣିଷ ସୁଖ-ଶାନ୍ତି ପାଇଁ ଇତଃସ୍ତତଃ ଭ୍ରମୁଛି । ହତାଶ, ନିରାଶ ଓ ମାନସିକ ଚାପଗ୍ରସ୍ତ ହୋଇ ତହିଁରୁ ମୁକୁଳିବା ପାଇଁ ସେ ଔଷଧ ଓ ମାଦକ ଦ୍ରବ୍ୟର ଆଶ୍ରୟ ନେଉଛି । ଏହାଦ୍ୱାରା ତା’ର ଆତ୍ମିକ ଓ ବୌଦ୍ଧିକ ଶକ୍ତି କ୍ଷୀଣ ହେବାରେ ଲାଗିଛି । ପରିଣାମ ସ୍ବରୂପ ମଣିଷ ମଧ୍ୟରେ କ୍ରମଶଃ ସାମାଜିକ ମୂଲ୍ୟ ଓ ନୈତିକ ମୂଲ୍ୟର ହ୍ରାସ ହୋଇ ଚାଲିଛି । ତେଣୁ ସେ କୌଣସି କାର୍ଯ୍ୟରେ ପ୍ରକୃତ ଅର୍ଥରେ ସଫଳତା ପ୍ରାପ୍ତ ହୋଇ ପାରୁନାହିଁ । ନିରନ୍ତର ଉଦ୍ୟମ ଦ୍ୱାରା ମାନବୀୟ ମୂଲ୍ୟର ବିକାଶ ହେଲେ ସଫଳତା ଆମର ପଦ ଚୁମ୍ବନ କରିବ ।


ସମୟର ଅପଚୟ ଲକ୍ଷ ପ୍ରାପ୍ତିରେ ପ୍ରଧାନ ବାଧକ । ପ୍ରତ୍ୟେକ କାର୍ଯ୍ୟର ସଫଳ ପରିଣାମ ପାଇଁ ଏକ ନିର୍ଦ୍ଧିଷ୍ଟ ଅବଧି ଆବଶ୍ୟକ ହୁଏ । ଗୋଟିଏ ବର୍ଷର ପାଠ ଗୋଟିଏ ମାସରେ ଆୟତ୍ତ କରି ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ କରିବା ସଂଭବ ନୁହେଁ । ଫୁଲରୁ ଫଳଟିଏ ହେବା ପାଇଁ ମଧ୍ୟ କିଛି ସମୟ ଆବଶ୍ୟକ କରେ । ତେଣୁ ମଣିଷ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସଦୁପଯୋଗ କରିବାକୁ ହେବ । ବୋହିଗଲା ପାଣି ଓ ବିତି ଗଲା ସମୟ ଆଉ ଲେଉଟେ ନାହିଁ । ସଫଳତା ପ୍ରାପ୍ତି ପାଇଁ ନିରନ୍ତର କର୍ମ କରିବାକୁ ପଡିବ । କର୍ମ ହିଁ ମନୁଷ୍ୟର ଭାଗ୍ୟ ନିର୍ଦ୍ଧାରଣ କରେ । ଗୋପବନ୍ଧୁଙ୍କ ଭାଷାରେ, “ମାନବ ଜୀବନ ନୁହଇ କେବଳ ବର୍ଷମାସ ଦିନ ଦଣ୍ଡ, କର୍ମେ ଜିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।” ମଣିଷର ଲକ୍ଷ୍ୟ ତାର କର୍ମ ଚୟନ କରେ, କର୍ମ ଆଧାରରେ ସେ ସୁଖ ବା ଦୁଃଖ ଭୋଗ କରେ । ଶ୍ରୀମଦଭାଗବତ କହନ୍ତି, “କର୍ମଟି ସୁଖ ଦୁଃଖ ଦାତା ବିଶ୍ୱସଂସାରେ ବଳବନ୍ତା ।”


ସଫଳତା ପାଇଁ କେବଳ ଭୌତିକ ସମୃଦ୍ଧି ପର୍ଯାପ୍ତ ନୁହେଁ । ଏଥିପାଇଁ ମାନସିକ, ନୈତିକ ଓ ଆଧ୍ୟାତ୍ମିକ ବିକାଶ ମଧ୍ୟ ଆବଶ୍ୟକ । ଆଚାର ଓ ବିଚାରରେ ଦିବ୍ୟତା ସଫଳତାର ମାର୍ଗକୁ କୁସୁମିତ କରେ । ଜୀବନରେ ସଫଳତା ପ୍ରାପ୍ତ ହେବା ଏବଂ ସଫଳ ଜୀବନ ଯାପନ କରିବା ଭିନ୍ନ ଭିନ୍ନ ବିଷୟ । ଭୌତିକ ସୁଖ, ସାମାଜିକ ପ୍ରତିଷ୍ଠା ଓ ନାନା ପ୍ରକାର କାମନାର ପୂରଣ ପାଇଁ ଜଣେ ପ୍ରଯତ୍ନ କରି ସଫଳତା ଲାଭ କରିପାରେ । କିନ୍ତୁ ଏହାଦ୍ୱାରା ଯେ ଜୀବନରେ ସର୍ବଦା ଆନନ୍ଦ ଓ ଖୁସି ପ୍ରାପ୍ତ ହେବ ଏହାର କିଛି ନିଶ୍ଚିତତା ନାହିଁ । କାରଣ ଅନେକ ସମୟରେ ଭୌତିକ ଉପଲବ୍ଧି ଅହଂକାର ଓ ମିଥ୍ୟାଭିମାନର କାରଣ ହୁଏ । ପରିଣାମ ସ୍ବରୂପ ଜୀବନ ନୀରସ, ରୁକ୍ଷ ଓ କର୍କଶ ହେବାର ସଂଭାବନା ଥାଏ । ଜୀବନକୁ ଜଟିଳ ଅଙ୍କରେ ପରିଣତ ନ କରି ବିବିଧ ରଂଗ ସମ୍ପନ୍ନ କଳାତ୍ମକ ଚିତ୍ର ରୂପ ଦେବା ଉଚିତ । ଏହାଦ୍ୱାରା ଜୀବନ ସରସ, ସୁନ୍ଦର ଓ ଦିବ୍ୟ ହେବ ।


ମହାତ୍ମାଗାନ୍ଧୀଙ୍କ ଅନୁସାରେ ବିବେକ, ଶ୍ରେଷ୍ଠ ଚରିତ୍ର ବଳ ଏବଂ ବ୍ୟବହାରିକତା ଏହି ଚାରି ସାଧନାରେ ହିଁ ସଫଳତାର ରହସ୍ୟ ନିହିତ । ଈପ୍ସିତ ଫଳପ୍ରାପ୍ତି ଜନିତ ଖୁସିକୁ ସଫଳତା କୁହାଯାଇ ପାରିବ ନାହିଁ । ସଫଳତାର ସମ୍ବନ୍ଧ ବ୍ୟକ୍ତିର ଦୈନନ୍ଦିନ ଜୀବନ ସହିତ ଓତଃ ପ୍ରୋତ ଭାବେ ଜଡ଼ିତ । ଅନୈତିକ ଉପାୟରେ ଧନ ଅର୍ଜନ କରି ଧନୀ ବୋଲାଉଥିବା ବ୍ୟକ୍ତିଙ୍କୁ ସଫଳ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ । କଳୁଷିତ ଭାବନାଗ୍ରସ୍ତ ବ୍ୟକ୍ତି କୌଣସି ଅସତ କର୍ମ କରି ଈପ୍ସିତ ଲକ୍ଷ୍ୟ ପ୍ରାପ୍ତ ହେଲେ ମଧ୍ୟ ସେ ଆଦୌ ସଫଳତା ସୂଚୀ ମଧ୍ୟରେ ତାଲିକାଭୁକ୍ତ ହୋଇ ନ ପାରନ୍ତି । ଜୀବନରେ ଆଧ୍ୟାତ୍ମିକ ମୂଲ୍ୟ ଗୁଡ଼ିକର ସମାବେଶ ନ ହେବା ପର୍ଯ୍ୟନ୍ତ ମନୁଷ୍ୟ ଜୀବନ ସଫଳ ହୁଏନାହିଁ । ସୁଫଳ ପ୍ରାପ୍ତି ସଫଳତାର ପରିଚାୟକ । କର୍ମର ପ୍ରକାର ହିଁ ତଦନୁରୂପ ଫଳର କାରଣ ହୋଇଥାଏ । ସତ୍କର୍ମ ଦ୍ୱାରା ସୁଫଳ ଓ ଅସତ୍କର୍ମ ଦ୍ୱାରା କୁଫଳ । ଅସତ୍କର୍ମ ଦ୍ୱାରା ପ୍ରାପ୍ତ ଫଳ ପ୍ରାରମ୍ଭରେ ସୁଖକାରକ ମନେ ହେଉଥିଲେ ମଧ୍ୟ ପରିଣାମରେ ବିଷମୟ ହୋଇଯାଏ । ମନରୂପୀ କ୍ଷେତ୍ରରେ କର୍ମ ବୀଜ ବପନ ହୁଏ ଓ ଏହା ଅଙ୍କୁରିତ ହୋଇ କ୍ରମେ ବିଶାଳ ଦ୍ରୁମରେ ପରିଣତ ହୁଏ । ଏଥିରୁ ଯେଉଁ ଫଳ ଜାତ ହୁଏ ତାକୁ ଭୋଗ କରିବା ପାଇଁ ମନୁଷ୍ୟ ବାଧ୍ୟ ହୁଏ ।


ଭୌତିକ ସମ୍ପନ୍ନତା ଜୀବନ ଯାତ୍ରାକୁ ଆକର୍ଷକ, ମନୋରଂଜକ, ଆନନ୍ଦ ବର୍ଦ୍ଧକ ଓ ସ୍ଫୃର୍ତ୍ତି ପ୍ରଦାନକାରୀ ଏକ ସାଧନ ମାତ୍ର ବୋଲି କୁହାଯାଇପାରେ । ଏହା ମାନବ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ନୁହେଁ । ସଫଳତା ଜୀବନ ଯାତ୍ରାର ଏକ ଅସ୍ଥାୟୀ ରହଣୀ ମାତ୍ର । ତେଣୁ ଏହା ବହୁ ଆୟାମୀ ସମସ୍ତ ପ୍ରାଣୀଙ୍କ ପ୍ରତି ଶୁଭ ଚିନ୍ତନ; ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ, ସୃଜନାତ୍ମକ କର୍ମ, ମର୍ଯ୍ୟାଦିତ ସ୍ବତନ୍ତ୍ରତା, ମାନସିକ ଶକ୍ତି ଓ ଶାନ୍ତି ଆଦି ସଫଳତାର ବିଭିନ୍ନ ଆୟାମ ।

🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌷🌷🌷🌷🌷🌷🌷🌷🌷

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର