ଜ୍ଞାନ ନିର୍ଝର (୨୭) ---ସଚ୍ଚରିତ୍ରତା - ସଫଳ ଜୀବନର ଆଧାର ଶିଳା

  🌸🌸🌸🌸🌸🌸🌸🌸🌸 

 *ଜ୍ଞାନ ନିର୍ଝର (୨୭)* 

🌺🌺🌺🌺🌺🌺🌺🌺🌺

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌷🌷🌷🌷🌷🌷🌷🌷🌷    

 *ସଚ୍ଚରିତ୍ରତା - ସଫଳ ଜୀବନର ଆଧାର ଶିଳା* 

🌹🌹🌹🌹🌹🌹🌹🌹🌹

ଜୀବନ ହେଉଛି ବହୁ ତଳ ବିଶିଷ୍ଟ ଏକ ଭବନ ସଦୃଶ । ଶ୍ରେଷ୍ଠ ଚରିତ୍ର ହେଉଛି ଏହାର ଆଧାର ଶିଳା । ସଚ୍ଚରିତ୍ର ବ୍ୟକ୍ତି ସ୍ବଜନ  ମିତ୍ର ସହ ସମାଜର ପ୍ରତ୍ୟେକବର୍ଗଙ୍କୁ ନିଜ ପ୍ରତି ଆକର୍ଷିତ କରି ପାରେ । ସମସ୍ତଙ୍କ ସହଯୋଗ ଓ ଶୁଭେଚ୍ଛା ହେତୁ ତାଙ୍କ ପାଇଁ ସଫଳତାର ମାର୍ଗ ସୁଗମ ଓ ପ୍ରଶସ୍ତ ହୋଇଯାଏ ।


ବ୍ୟକ୍ତିକୁ ନେଇ ସମାଜ ନିର୍ମାଣ ହୁଏ । ଶ୍ରେଷ୍ଠ ବ୍ୟକ୍ତି ଦ୍ୱାରା ଶ୍ରେଷ୍ଠ ସମାଜ ନିର୍ମାଣ ହୁଏ । ଶ୍ରେଷ୍ଠ ବ୍ୟକ୍ତି ଦ୍ୱାରା ଶ୍ରେଷ୍ଠ ସମାଜ ନିର୍ମାଣ ହୁଏ । ଶ୍ରେଷ୍ଠ ସମାଜ ଏକ ଶ୍ରେଷ୍ଠ ସଭ୍ୟତା ଓ ସଂସ୍କୃତିକୁ ଜନ୍ମ ଦିଏ । କିନ୍ତୁ ସମୟର ବିଡମ୍ବନା ଏହି ଯେ ଆଜି ମାନବ ସମାଜ ମାନବୀୟ ମୁଖ୍ୟ ଓ ତା’ର ଚରିତ୍ର ପତନ ଦିଗରେ ଗତି କରୁଛି । ସଂପ୍ରତି ବିଶ୍ୱର ପ୍ରତ୍ୟେକ  ଦେଶରେ ଚରିତ୍ର ‘ହୀନତା’ ଜନିତ ସଂକଟ ଓ ସମସ୍ୟାଗୁଡିକ ବୃଦ୍ଧିପାଇବାରେ ଲାଗିଛି ।  ସେ ଗୁଡିକ ହେଲା ଚୋରୀ, ମିଥ୍ୟା, ଠକାମୀ, ହିଂସା, ଭ୍ରଷ୍ଟାଚାର, ପାପାଚାର, ଅନୀତି, ଧାର୍ମିକ ଉନ୍ମାଦ, ପାଶବିକ ଯୌନ ପ୍ରବୃତ୍ତି, ବିଳାସ ବ୍ୟସନ, ଆତଙ୍କବାଦୀ କାର୍ଯ୍ୟ କଳାପ, ଦ୍ୱେଷ, ସାଂପ୍ରଦାୟିକତା, ଧର୍ମାନ୍ଧତା, ଲକ୍ଷ୍ୟ ହୀନ ଅନ୍ଧ ଦୌଡ ଇତ୍ୟାଦି । ନିଜର ଇଚ୍ଛା ପୁର୍ତ୍ତି ବା ଲକ୍ଷ୍ୟ ପ୍ରାପ୍ତି ପାଇଁ ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ଲୋକେ କୁଣ୍ଠିତ ହେଉ ନାହାନ୍ତି । ଏହାର ପରିଣାମ ସ୍ବରୂପ ସେମାନେ ଅନନ୍ତ ଦୁଃଖ ଭୋଗ କରନ୍ତି । ଏଥିପ୍ରତି କ୍ୱଚିତ ଲୋକ ସଚେତନ ଥିବା ଦେଖାଯାଏ । ଦିନକୁ ଦିନ ମନୁଷ୍ୟ ଦୁଃଖୀ ଓ ଅଶାନ୍ତ ହେବାକୁ ଲାଗିଛି । ଅଧିକାଂଶ ଲୋକ ମାନସିକ ଚାପ ଗ୍ରସ୍ତ । ପ୍ରତ୍ୟେକ ଦେଶର ଲୋକମାନେ କ୍ରୋଧ, ହିଂସା ଓ ଅହଂକାରର ବଶବର୍ତ୍ତୀ।


ମନୁଷ୍ୟର ଏହି ପ୍ରବୃତ୍ତି ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ଭିତ୍ତି ଭୂମି ପ୍ରସ୍ତୁତ କରୁଛି । ଯଦି ଅନ୍ୟାୟ ଉପାୟରେ ଅର୍ଜିତ ସଫଳତା ହେତୁ ମାନବୀୟ ସଭ୍ୟତା ଓ ସଂସ୍କୃତି ବିନଷ୍ଟ ହୋଇଯାଏ ତେବେ ଏହାର ଅର୍ଥ କ’ଣ? କୌଣସି କାର୍ଯ୍ୟ ସିଦ୍ଧିର ଅନ୍ତିମ ପରିଣାମ ଯଦି ଦୁଃଖ କାରକ ହୁଏ ତାକୁ କ’ଣ ସଫଳତା କୁହାଯିବ? ସଫଳତାର ପ୍ରଚଳିତ ପରିଭାଷା ପରିବର୍ତ୍ତନ ପୂର୍ବକ ନୂତନ ପରିଭାଷା ରଚନା କରିବା ହେଉଛି ବର୍ତ୍ତମାନ ସମୟର ଆହ୍ୱାନ । ଏକ ଉଚ୍ଚ ଆଦର୍ଶ ଚରିତ୍ର ନିର୍ମାଣ କାର୍ଯ୍ୟକ୍ରମକଗୁଡିକୁ ପ୍ରାଥମିକତା ଦେବାକୁ ହେବ । ଏହାକୁ ଲକ୍ଷ୍ୟ ମାନି ଯଦି ସଫଳତା ପ୍ରାପ୍ତି ପାଇଁ ଉଦ୍ୟମ କରାଯାଏ ତେବେ ମନୁଷ୍ୟ ଅବଶ୍ୟ ଭୌତିକ ସମୃଦ୍ଧି ସହ ପ୍ରକୃତ ସୁଖ, ଶାନ୍ତି ଓ ଆନନ୍ଦ ପ୍ରାପ୍ତ କରି ପାରିବ ।


ସଫଳ ଜୀବନର ଆଧାର ଶିଳା ହେଉଛି “ସଚ୍ଚରିତ୍ରତା” । ସଂସାରର ସମସ୍ତ ମହାପୁରୁଷଙ୍କ ଜୀବନୀ ପାଠ କଲେ ଜଣାଯାଏ ଯେ ସେମାନେ ବିଷମ ପରିସ୍ଥିତିରେ ମଧ୍ୟ ନିଜର ସ୍ବାଭିମାନ ବା ଆତ୍ମ ସମ୍ମାନ ବଜାୟ ରଖିଛନ୍ତି । ସେମାନଙ୍କ ଚରିତ୍ରର ଏହି ଶ୍ରେଷ୍ଠ ଗୁଣ ପାଇଁ  ସେମାନେ ବିଶ୍ୱ ବନ୍ଦ୍ୟ ହୋଇପାରିଛନ୍ତି । ଅନ୍ୟ ପକ୍ଷରେ ଦେଖାଯାଏ ଯେ ଯେଉଁମାନେ ଅନୀତି ପୂର୍ଣ୍ଣ ଉପାୟରେ କୌଣସି କାର୍ଯ୍ୟରେ ସଫଳତା ଲାଭ କରିଛନ୍ତି କାଳାନ୍ତରରେ ସେମାନେ ସମାଜରେ ନିନ୍ଦିତ, ଭର୍ସିତ ଓ ଉପେକ୍ଷିତ ହେବା ସହ ଆଇନ ଦ୍ୱାରା ଦଣ୍ଡିତ ମଧ୍ୟ ହୋଇଛନ୍ତି । ଅନୈତିକତା ଓ ଚରିତ୍ର ହୀନତାର  ଭିତ୍ତି ଭୂମି ଉପରେ ପ୍ରତିଷ୍ଠିତ ବହୁତଳ ବିଶିଷ୍ଟ ସଫଳତାର ଭବ୍ୟ ପ୍ରାସାଦ ଖୁବ୍ ଶ୍ରୀଘ୍ର ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଏ ।  ଆତ୍ମ ସମ୍ମାନ ରାସ୍ତାରେ ହିଁ ଜୀବନର ମହାନ୍ ଉଦ୍ଧେଶ୍ୟ ପ୍ରାପ୍ତ ହୁଏ । ଏତଦ୍ ବ୍ୟତୀତ ବିକଳ୍ପ ପନ୍ଥା ନାହିଁ ।


 *ଆଦର୍ଶ ଚରିତ୍ର କ’ଣ?* 


ଯାହାର ଅନ୍ତଃକରଣ, ମନ, ବାଣୀ, କର୍ମ ଓ ସମ୍ବନ୍ଧ ସମ୍ପର୍କରେ ସମସ୍ତ ଦିବ୍ୟ ମାନବୀୟ ଗୁଣଗୁଡିକ, ସତ୍ୟ - ନିଷ୍ଠା ଏବଂ ଅଟଳ ବିଶ୍ୱାସରେ ପ୍ରତିଷ୍ଠିତ ହୋଇଛି ତାକୁ ହିଁ ଆଦର୍ଶ ଚରିତ୍ର କୁହାଯାଏ ଏବଂ ଏହି ସମସ୍ତ ଲକ୍ଷଣ ସର୍ବଦା ଯା’ର ଆଚରଣରେ ବିଶ୍ୱ କଲ୍ୟାଣ ଭାବ ସହିତ କ୍ରିୟାନ୍ୱିତ ହେଉଥାଏ ସେହି ବ୍ୟକ୍ତିକୁ ଚରିତ୍ରବାନ କୁହାଯାଏ । ଏହି ମୂଲ୍ୟଗୁଡିକ ଆଧାରରେ ପ୍ରାପ୍ତ ଉପଲବ୍ଧି ସମୂହ ପ୍ରକୃତ ସଫଳତା ପଦବାଚ୍ୟ ।


ବିଶ୍ୱର ସମସ୍ତ ମହାପୁରୁଷଙ୍କ ଜୀବନ ଗାଥା ଅଧ୍ୟୟନ କଲେ ସମସ୍ତଙ୍କ ମଧ୍ୟରେ ଏକ ଗୁଣ ସମାନ ଭାବରେ ଥିବା ଦେଖାଯାଏ । ତାହା ହେଉଛି ସ୍ବାଭିମାନ ବା ଆତ୍ମ ସମ୍ମାନ । ସେମାନେ ନିଜ ଜୀବନର ବିଷମ ପରିସ୍ଥିତିରେ ମଧ୍ୟ ସ୍ବାଭିମାନ ତ୍ୟାଗ କରି ନାହାନ୍ତି । ଏଥି ପାଇଁ ସେମାନଙ୍କୁ ନାନାପ୍ରକାର ଅସୁବିଧା, ଏବଂ ଭୌତିକ ସୁଖ ସମ୍ପତ୍ତିର ଅଭାବ ସ୍ବୀକାର କରିବାକୁ ପଡିଛି । ଏହା ତାଙ୍କ ଆତ୍ମ ଶକ୍ତିର ବିକାଶ କରିଛି । ସେମାନଙ୍କର ଜ୍ୟୋର୍ତିମୟ ବ୍ୟକ୍ତିତ୍ୱକୁ ଜନ ସାଧାରଣ ହାର୍ଦ୍ଦିକ ସମ୍ମାନ ଜଣାଇଛନ୍ତି ଏବଂ କେତେକ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଅନେକ ହିତ ସାଧନ କରିଛନ୍ତି । ବାଧା ବିଘ୍ନ ଏକ କଷଟି ପଥର ଭଳି ତାଙ୍କ ଚରିତ୍ର ରୂପକ ସୁବର୍ଣ୍ଣକୁ ପରଖି ସମ୍ପୂର୍ଣ୍ଣ ଶୁଦ୍ଧତାର ପ୍ରମାଣ ଦେଇଛି


ଗଭୀର ଅନୁଶୀଳନ କଲେ ଜଣାଯାଏ ଯେ ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ଚରିତ୍ର ହେତୁ ମହାନ ହୋଇଛନ୍ତି । ଏଥିପାଇଁ ଯାହାର ବ୍ୟକ୍ତିତ୍ୱରେ ଚରିତ୍ର ଗତ ବିଶେଷତ୍ୱ ନାହିଁ ସେ କେବେ ମଧ୍ୟ ସଫଳତା ପ୍ରାପ୍ତ କରି ପାରିବେ ନାହିଁ । ବିଶ୍ୱର ସମସ୍ତ ବିଶିଷ୍ଟ ଚିନ୍ତକ ଭାରତର ସାଧୁ ସନ୍ଥମାନଙ୍କ ଚାରିତ୍ରିକ ବିକାଶର ମହତ୍ତକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଅତ୍ୟଧିକ ଧନ ସମ୍ପତ୍ତି ପ୍ରାପ୍ତ ହେଉ ବା କୌଣସି ଉଚ୍ଚ ପଦବୀରେ ଆସୀନ ହେବା ସଫଳତାର ଅର୍ଥ ନୁହେଁ । କାରଣ ଆଜି ଅନେକ ଲୋକ ଭ୍ରଷ୍ଟାଚାର, କର ଚୋରୀ, ଜାଲିଆତ କରି ବିତ୍ତଶାଳୀ ହୋଇଥିବା ଆମେ ବିଭିନ୍ନ ସୂତ୍ରରୁ ଜାଣୁଛୁ । ସେମାନଙ୍କ ମଧ୍ୟରୁ କେତେକ ଆଇନ ଦ୍ୱାରା ଦଣ୍ଡିତ ମଧ୍ୟ ହେଉଛନ୍ତି । ଆତ୍ମ ସନ୍ତୋଷ, ପ୍ରକୃତ ସୁଖ ଓ ଶାନ୍ତିଠାରୁ ବଳି ସମ୍ପିତ୍ତି ନାହିଁ । ତେଣୁ ଆମକୁ ସର୍ବଗୁଣରେ ସମ୍ପନ୍ନ ହେବାକୁ ପଡିବ ଯଦ୍ଦ୍ବାରା ଆମର ଉଦାତ୍ତ ଚରିତ୍ର ସମାଜ ପାଇଁ ଏକ ପ୍ରକାଶ ସ୍ତମ୍ଭ ଭଳି ଅନ୍ୟମାନଙ୍କୁ ଚରିତ୍ରବାନ ହେବାକୁ ପ୍ରେରଣା ଦେବ ।

🙏🙏🙏🙏🙏🙏🙏🙏🙏

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌻🌻🌻🌻🌻🌻🌻🌻🌻

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର