ଜ୍ଞାନ ନିର୍ଝର (୮) ---ମୂଲ୍ୟ ଶିକ୍ଷାର ଆବଶ୍ୟକତା

🌸🌸🌸🌸🌸🌸🌸🌸🌸

   🌼  ଜ୍ଞାନ ନିର୍ଝର (୮) 🌼

🌺🌺🌺🌺🌺🌺🌺🌺🌺

 ମୂଲ୍ୟ ଶିକ୍ଷାର ଆବଶ୍ୟକତା  

🌹🌹🌹🌹🌹🌹🌹🌹

ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ପାଟଣାଗଡ 

🌻🌻🌻🌻🌻🌻🌻🌻🌻

ସଂପ୍ରତି ମାନବ ସମାଜରେ ମୂଲ୍ୟ ହ୍ରାସ ଏକ ଚିନ୍ତାର ବିଷୟ । ତେଣୁ ବୁଦ୍ଧିଜୀବୀ, ସମାଜଶାସ୍ତ୍ରୀ, ଶିକ୍ଷାବିତ୍ ଆଦି ସମାଜର ପ୍ରମୁଖ ବର୍ଗ ଜନସାଧାରଣଙ୍କ ପାଇଁ ମୂଲ୍ୟ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । ଏହି ଶିକ୍ଷା ଦ୍ୱାରା ମନୁଷ୍ୟ ସତ୍ୟ, ଶାନ୍ତି, ପ୍ରେମ, ସହଯୋଗ, ନ୍ୟାୟ ଆଦି ବୈଶ୍ୱିକ ଓ ମାନବୀୟ ମୂଲ୍ୟଗୁଡ଼ିକୁ ଜୀବନରେ ଧାରଣ କରିବାକୁ ସକ୍ଷମ ହେବ ।

ସମାଜରେ ଦିନକୁ ଦିନ ଭ୍ରଷ୍ଟାଚାର, ଅନୈତିକତା,  ହିଂସା, ଠକାମି, ବିଭିନ୍ନ ପ୍ରକାର ସାମାଜିକ ଦୁଷ୍କର୍ମ, ଅପରାଧ ଆଦି ବୃଦ୍ଧି ପାଇ ଚାଲିଛି । ଏଗୁଡ଼ିକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରୁଛନ୍ତି । ତଥାପି ମଧ୍ୟ ଆଶାନୁରୂପ ଫଳ ମିଳୁ ନାହିଁ । କାରଣ ସମାଜର ପ୍ରତ୍ୟେକ ସ୍ତରରେ ମୂଲ୍ୟହ୍ରାସ ଘଟିଛି । କେବଳ ଆଇନ ପ୍ରଣୟନ ଦ୍ୱାରା ଏଗୁଡ଼ିକୁ ସମାପ୍ତ କରାଯାଇ ପାରିବ ନାହିଁ । ମୂଲ୍ୟ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରାହିଁ ଭ୍ରଷ୍ଟାଚାର ମୁକ୍ତ ନିର୍ମଳ ସମାଜ ଗଠନ ସମ୍ଭବ । ଏଥିପାଇଁ ମୂଲ୍ୟନିଷ୍ଠ ଜୀବନ ଯାପନ କରୁଥିବା ସମାଜର ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ସ୍ବେଚ୍ଛାପୂର୍ବକ ଆଗେଇ ଆସି ଯୋଜନା ବଦ୍ଧ ଭାବରେ କାର୍ଯ୍ୟ କରିବାକୁ ହେବ ।


ବର୍ତ୍ତମାନ ଶିକ୍ଷା ଭୌତିକ ବିକାଶ ଏବଂ ଧନ ଉପାର୍ଜନ ଉପରେ ବିଶେଷ ଭାବରେ କେନ୍ଦ୍ରିତ । ଉଚ୍ଚ ପଦପଦବୀରେ ଚାକିରି ପାଇବା ପାଇଁ ବିଶ୍ୱ ବିଦ୍ୟାଳୟର ସର୍ବୋଚ୍ଚ ଉପାଧି ଆବଶ୍ୟକ । ବହୁଦେଶୀୟ କମ୍ପାନୀମାନଙ୍କରେ ମୋଟା ଅଂକର ଦରମା ଯୁକ୍ତ ଚାକିରୀ ତଥା ସହଜରେ ରୋଜଗାର ପାଇବା ପାଇଁ କେବଳ କାରିଗରୀ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଭୌତିକ ବିକାଶର ପ୍ରତିସ୍ପର୍ଦ୍ଧାରେ ବ୍ୟସ୍ତ ମଣିଷ ପାଇଁ ବ୍ୟବହାରିକ ଜୀବନରେ ମୂଲ୍ୟ ଧାରଣ ଅପ୍ରାସଙ୍ଗିକ ବିଷୟ ହୋଇଯାଇଛି । ସମାଜରେ ଦିନକୁ ଦିନ ମାନବୀୟ ମୂଲ୍ୟ ଏବଂ ନୈତିକ ମୂଲ୍ୟ ହ୍ରାସର ଏହାହିଁ କାରଣ ।


ଅଧିକାଂଶ ଲୋକ ଭାବନ୍ତି ଯେ ବର୍ତ୍ତମାନର ଆଧୁନିକ ଯୁଗରେ ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷାର କୌଣସି ଆବଶ୍ୟକତା ନାହିଁ । ଏହି ଶିକ୍ଷା ପ୍ରତି ଉପେକ୍ଷା ମନୋଭାବ ହେତୁ ସମାଜରେ ଚାରିତ୍ରିକ ଓ ଭୌତିକ ସଂକଟ ଦେଖାଯାଉଛି । କଳହ, କ୍ଳେଶ, ହିଂସା, ବ୍ୟଭିଚାର, ଭ୍ରଷ୍ଟାଚାର, ରାଜନୈତିକ, ଆର୍ଥିକ ଓ ସାମାଜିକ ଅପରାଧ, ଆତଙ୍କବାଦୀ କାର୍ଯ୍ୟକଳାପ ଆଦିର ଏହା ହେଉଛି ମୂଳ କାରଣ । ଆଇନ ପ୍ରଣୟନ କରି ମଣିଷର ଏହି ନକାରାତ୍ମକ ଆଚରଣ ଓ ମନୋବିକାରଗୁଡ଼ିକୁ ଦୂର କରାଯାଇ ପାରିବ ନାହିଁ । ତେଣୁ ପ୍ରାଥମିକ ସ୍ତରରୁ ମୂଲ୍ୟ ଓ ନୈତିକ ଶିକ୍ଷାକୁ ପାଠ୍ୟକ୍ରମରେ ସଂଯୋଗ କରିବା ଉଚିତ । କାରଣ ଏହି ଶିକ୍ଷା ବ୍ୟକ୍ତିର ବ୍ୟକ୍ତିତ୍ୱକୁ ସୁଦୃଢ଼ କରେ ଏବଂ ସ୍ତ୍ରୀ-ପୁରୁଷ ମଧ୍ୟରେ ଭେଦଭାବ ଦୂର କରି ପ୍ରତ୍ୟେକଙ୍କୁ ଉତ୍ତମ ନାଗରିକ ଜୀବନ ଯାପନ କରିବା ମାର୍ଗ ପ୍ରଶସ୍ତ କରେ ।


ଆଧ୍ୟାତ୍ମିକତା ମଣିଷକୁ ମୂଲ୍ୟ ନିଷ୍ଠ କରେ । ଅନ୍ୟ ଅର୍ଥରେ ଆଧ୍ୟାତ୍ମିକତା ଓ ମୂଲ୍ୟନିଷ୍ଠତା ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଆଧ୍ୟାତ୍ମିକତା ବିନା ମୂଲ୍ୟ ଧାରଣ ସମ୍ଭବ ନୁହେଁ । ଆଧ୍ୟାତ୍ମିକ ଶକ୍ତି କ୍ଷୀଣ ହେଲେ ମୂଲ୍ୟ ହ୍ରାସ ହୁଏ ଓ ବ୍ୟକ୍ତି ମନୋବିକାରଗୁଡ଼ିକ ଦ୍ୱାରା ଆକ୍ରାନ୍ତ ହୋଇ ଅନୈତିକ କର୍ମ କରିବାକୁ କୁଣ୍ଠିତ ହୁଏ ନାହିଁ । ପ୍ରାକୃତିକ ସମ୍ପଦର ଅପଚୟ ଓ ଅନାବଶ୍ୟକ ଉପଯୋଗ, ବିଭିନ୍ନ ମାଦକ ଦ୍ରବ୍ୟର ବ୍ୟାପକ ପ୍ରୟୋଗ, ଯୌନ ବ୍ୟଭିଚାର, ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଆଦି ମାନବୀୟ ମୂଲ୍ୟ ହ୍ରାସର ନିଦର୍ଶନ । ଏଗୁଡ଼ିକର ଦୁରୀକରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଜନ ସଚେତନତା କାର୍ଯ୍ୟକ୍ରମ ହେଉଥିବା ସତ୍ତ୍ବେ ମଧ୍ୟ ସୁଫଳ ମିଳୁ ନାହିଁ । ତା’ର କାରଣ ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ପ୍ରତି ସରକାର ତଥା ସ୍ବେଚ୍ଛାସେବୀ ଓ ଧାର୍ମିକ ଅନୁଷ୍ଠାନମାନଙ୍କର ଉପେକ୍ଷା ଏବଂ ଉଦାସୀନ ମନୋବୃତ୍ତି। ଅଧିକାଂଶ ଲୋକ ଆଧ୍ୟାତ୍ମିକତାକୁ ଧର୍ମର ପର୍ଯ୍ୟାୟବାଚୀ ରୂପେ ମନେ କରନ୍ତି । ତେଣୁ ସେମାନେ ପାଠ୍ୟକ୍ରମରେ ମୂଲ୍ୟ ଓ ଆଧ୍ୟାତ୍ମିକ (ନୈତିକ) ଶିକ୍ଷା ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ବିରୋଧ କରନ୍ତି । ସେମାନେ ଭାବନ୍ତି ଯେ ଏହା ଦ୍ୱାରା ଧର୍ମ ନିରପେକ୍ଷତା ନୀତି ଉପରେ ଆଞ୍ଚ ଆସିବ ଓ ସମାଜରେ ସାଂପ୍ରଦାୟିକତା ବୃଦ୍ଧି ପାଇବ ।


ବର୍ତ୍ତମାନ ଯୁବ ସମାଜ ଭୌତିକବାଦୀ ଚିନ୍ତାଧାରା ଓ ନକାରାତ୍ମକ ପ୍ରବୃତ୍ତିଗୁଡ଼ିକ ଦ୍ୱାରା ପ୍ରଭାବିତ । ସେମାନଙ୍କୁ ମୂଲ୍ୟ ଶିକ୍ଷା ଦେବା ଏକ ବଡ଼ ଆହ୍ୱାନ । ଛାତ୍ର ସଂଗଠନଗୁଡ଼ିକୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରନ୍ତି । ରାଜନୈତିକ ପ୍ରଶ୍ରୟ, ପ୍ରୋତ୍ସାହନ ଓ ସହଯୋଗ ପାଇ କେତେକ ଛାତ୍ର ଉଶୃଙ୍ଖଳ ହୋଇ ହିଂସା ଆଚରଣ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ସେମାନେ ବିଦ୍ୟାଳୟ ବା ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମରେ ମୂଲ୍ୟ ଶିକ୍ଷା ଅନ୍ତର୍ଭୁକ୍ତ କରିବାକୁ ବିରୋଧ କରନ୍ତି । ଏହିପରି ପରିସ୍ଥିତିରେ ଯୁବ ସମାଜକୁ ମୂଲ୍ୟ ଧାରଣାର ଆବଶ୍ୟକତା ପ୍ରତି ସଚେତନ ଓ ଶିକ୍ଷିତ କରିବା ଏକାନ୍ତ ଅପରିହାର୍ଯ୍ୟ । ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ପ୍ରତି ଯୁବ ସମାଜ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଲୋକପ୍ରିୟ, ସଚ୍ଚରିତ୍ର, ନିର୍ମଳ ଭାବ ମୂର୍ତ୍ତି ସଂପନ୍ନ ନେତୃ ସ୍ଥାନୀୟ ଆଧ୍ୟାତ୍ମିକ ବ୍ୟକ୍ତିଗଣ ସ୍ବେଚ୍ଛା ପୂର୍ବକ ଦାୟିତ୍ୱ ଗ୍ରହଣ କରିବା ଉଚିତ ।


ମୂଲ୍ୟ ହ୍ରାସର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଲୋକ କଥା । ବିଶ୍ୱର ବିଭିନ୍ନ ଦେଶରେ ପ୍ରଚଳିତ ପୌରାଣିକ କିମ୍ବଦନ୍ତୀ ଓ କାହାଣୀ ମନୁଷ୍ୟର ଆଚାର ଏବଂ ବିଚାରକୁ ପ୍ରଭାବିତ କରିଥାଏ । ଭାରତରେ ଏହାର ପ୍ରଭାବ ସର୍ବାଧିକ । ବାଲ୍ୟକାଳରୁ ବ୍ୟକ୍ତି ପରିବାରର ବୟସ୍କ ବ୍ୟକ୍ତିମାନଙ୍କଠାରୁ କଥା ଓ କାହାଣୀ ମାଧ୍ୟମରେ ଅନେକ ବିଷୟ ଶିକ୍ଷା କରିଥାଏ । ସୂକ୍ଷ୍ମ ଅଧ୍ୟୟନରୁ ଜଣାଯାଏ ଯେ ଅନେକ ଲୋକକଥା ଓ କାହାଣୀଗୁଡ଼ିକ ବ୍ୟକ୍ତି ମନରେ ପିଲାଦିନରୁ ଅନ୍ଧ ବିଶ୍ୱାସ, ଅସଂଗତ ବିଚାର ଧାରା ଓ ବୈଶ୍ୱିକ ମୂଲ୍ୟ ବିରୋଧୀ ଅବଧାରଣ ସୃଷ୍ଟି କରେ ।


ଭାରତୀୟ ପୌରାଣିକ ଗ୍ରନ୍ଥମାନଙ୍କରେ ନାରୀକୁ ଦେବୀର ମର୍ଯ୍ୟାଦା  ପ୍ରଦାନ କରାଯାଇଥିଲେ ମଧ୍ୟ ଅନେକ ଆଖ୍ୟାନ ଓ ଉପାଖ୍ୟାନରେ ତାକୁ ପୁରୁଷର ଭୋଗ୍ୟା ଓ ଚରଣ ସେବିକା ରୂପେ ଦର୍ଶାଯାଇଛି । କେତେକ ପୌରାଣିକ ଗ୍ରନ୍ଥରେ ସ୍ବର୍ଗ-ନର୍କର ତଥା ଦେବୀ-ଦେବତାଙ୍କ ଚରିତ୍ରର ଅଦଭୂତ ଓ ଅଯୌକ୍ତିକ ବର୍ଣ୍ଣନା କରାଯାଇଛି । ଏହିପରି ଅନେକ କାହାଣୀ ଓ କିମ୍ବଦନ୍ତୀ ଦ୍ୱାରା ଭାରତୀୟ ଜନମାନସ ବିଭ୍ରାନ୍ତ ହୋଇଛି । ଏହାର କୁପରିମଣାମ ସ୍ବରୂପ ଭାରତର ଅଧିକାଂଶ ଗ୍ରାମାଞ୍ଚଳରେ ଲିଙ୍ଗ ଭେଦ, ଅନ୍ଧ ବିଶ୍ୱାସ, କୁ ରୀତି-ନୀତି, କୁସଂସ୍କାର, କୁପ୍ରଥା ଆଦି ବହୁଳ ଭାବରେ ପ୍ରଚଳିତ । ମୂଲ୍ୟ ହ୍ରାସର ଏ ସଂକଟ କାଳରେ ପ୍ରତ୍ୟେକ ପୌରାଣିକ କାହାଣୀ ଓ ଲୋକ କଥା ଗୁଡ଼ିକର ଯଥାର୍ଥ ମୂଲ୍ୟାଙ୍କନ ହେବା ଉଚିତ । ଜନସାଧାରଣଙ୍କୁ ମୂଲ୍ୟ ଧାରଣା ପ୍ରତି ଆକୃଷ୍ଟ କରିବା ପାଇଁ ନୂତନ ଭାବରେ କାହାଣୀ ଲେଖିବାକୁ ହେବ ।

🙏🙏🙏🙏🙏🙏🙏🙏🙏

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର