ଜ୍ଞାନ ନିର୍ଝର (୩୧) -- ଆଶା, ସଫଳ ଜୀବନର ପ୍ରକାଶ ପୁଞ୍ଜ
🌹🌺🌻🌷💐🌸🌹🌺🌻
🌼 *ଜ୍ଞାନ ନିର୍ଝର (୩୧)* 🌼
🌻🌻🌻🌹🌹🌹🌺🌺🌺
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
💐💐💐🌹🌹🌹🌷🌷🌷
*ଆଶା, ସଫଳ ଜୀବନର ପ୍ରକାଶ ପୁଞ୍ଜ*
🌹🌹🌹🌹🌹🌹🌹🌹🌹
ମନୁଷ୍ୟ ସୃଷ୍ଟି ଈଶ୍ୱରଙ୍କ ଅମୂଲ୍ୟ କୃତି । ଏହି ସଂସାର- ବଗିଚାରେ ମନୁଷ୍ୟାତ୍ମା ହେଉଛି ଏକ ସୁରଭିତ ପୁଷ୍ପ ତୁଲ୍ୟ । ତା’ର ସୌନ୍ଦର୍ଯ୍ୟ ସୁରଭି ଓ ଅକପଟ ହାସ୍ୟର ମଧୁର ସ୍ପନ୍ଦନ ଜୀବନରେ ସର୍ବଦା ଆଶାର କିରଣ ସଞ୍ଚାର କରିଥାଏ । କିନ୍ତୁ ବିଡମ୍ବନା ଏହି ଯେ ମନୁଷ୍ୟ ଏହି ଗୌରବ ରକ୍ଷା କରିବାରେ ଅସମର୍ଥ ହୋଇଯାଇଛି । ପରିଣାମ ସ୍ବରୂପ ଜୀବନ ସୁନ୍ଦର ବଗିଚା ପରିବର୍ତ୍ତେ ଏକ ନିର୍ଜନ କଣ୍ଟକିତ ଓ ହିଂସକ ବୃତ୍ତି ସମ୍ପନ୍ନ ଏକ ଭୟଙ୍କର ଜଙ୍ଗଲରେ ପରିଣତ ହୋଇଯାଇଛି । ଅନେକ ସମୟରେ ମୁନଷ୍ୟ ଜୀବନ ନର୍କ ତୁଲ୍ୟ ହୋଇଯାଏ । ସେ କିଂକର୍ତ୍ତବ୍ୟବିମୂଢ ; ଅସହାୟ ଓ ବିଷମ ପରିସ୍ଥିତିର କୁ-ଚକ୍ରରେ ଛନ୍ଦି ହୋଇ ଜୀବନର ଦୁଃଖଦ ଅନ୍ତ ଦେଖିବାକୁ ବାଧ୍ୟ ହୋଇଯାଏ ।
ମନୁଷ୍ୟ ଜୀବନ ଆମ ପାଇଁ ଓ ସମଗ୍ର ବିଶ୍ୱପାଇଁ ଈଶ୍ୱରଙ୍କ ଏକ ଅମୂଲ୍ୟ ଉପହାର । ନିର୍ମଳ ବିବେକ- ଆଲୋକରେ ତାହାକୁ ସଜ୍ଜିତ କରି, ଦିବ୍ୟ ଆଦର୍ଶ ଓ ଗୁଣସମୂହ ଦ୍ୱାରା ଏଥିରେ ଆକର୍ଷକ ରଙ୍ଗ ବୋଳି, ଚତୁର୍ଦ୍ଦିଗରେ ଲୋକମାନଙ୍କ ମଧ୍ୟରେ ସୁଗନ୍ଧ ଓ ସୁନ୍ଦରତା ପ୍ରସାରିତ ପୂର୍ବକ ଦିବ୍ୟ ଓ ଆନନ୍ଦିତ ଜୀବନର ପ୍ରେରଣା ସ୍ତମ୍ଭ ବନିବା ଆମର ନୈତିକ କର୍ତ୍ତବ୍ଯ । କୌଣସି କାର୍ଯ୍ୟରେ ଅସଫଳତା ସତ୍ତ୍ବେ ଜୀବନରେ ସଦା-ସର୍ବଦା ଆଶା ବଳବତୀ ହେଉଥିବା ଉଚିତ । ମନ-ଭୂମିରେ ସର୍ବଦା ସଦଗୁଣ ଓ ସଦବିଚାରର ସମୂହର ବୀଜବପନ କରିବା ଦ୍ୱାରା ଜୀବନ ବହୁମୂଲ୍ୟ ଆନ୍ତରିକ ଗୁଣଗୁଡ଼ିକ ଦ୍ୱାରା ସମୃଦ୍ଧ ହୋଇଯାଏ । ଆଶା ହେଉଛି ଏକ ମହତ୍ତ୍ଵପୂର୍ଣ୍ଣ ଆନ୍ତରିକ ଗୁଣ ଓ ଶକ୍ତି । ଆଶାରେ ଅତୁଟ ଆସ୍ଥାବାନ ବ୍ୟକ୍ତି ପାଇଁ ସଫଳତା ସହଜ ଲଭ୍ୟ କାରଣ ଆଶାବାଦୀ ପ୍ରତ୍ୟେକ କଠିଣ ପରିୁସ୍ଥିତିକୁ ଆହ୍ୱାନ ରୂପେ ସ୍ବୀକାର କରି ସଫଳତାର ମାର୍ଗ ଖୋଜି ନିଏ ।
ଇପ୍ସିତ ଫଳ ପ୍ରାପ୍ତିରେ ଅସଫଳ ହେବା ସତ୍ତ୍ବେ ମଧ୍ୟ ତାକୁ ପୁନଃ ଲାଭ କରିବାର ଇଚ୍ଛା ବା ସଂକଳ୍ପକୁ ଆଶା କୁହାଯାଏ । କୌଣସି ବ୍ୟକ୍ତି ପାଇଁ ଆନନ୍ଦ ଲାଭ ହେଉଛି ସବୁଠାରୁ ମହତ୍ତ୍ଵପୂର୍ଣ୍ଣ । ଏହି ଆନନ୍ଦ ଇନ୍ଦ୍ରିୟ ଜନିତ, ମାନସିକ ବା ଆତ୍ମିକ (ଅତିନ୍ଦ୍ରିୟ) ହୋଇପାରେ । ଯେତେବେଳେ କୌଣସି ବ୍ୟକ୍ତି ସୁଖ ସୁବିଧାର ସମସ୍ତ ସାଧନରେ ସମ୍ପନ୍ନ ହୋଇଥାଏ ସେତେବେଳେ ତାର ଜୀବନକୁ ସୁଖମୟ କୁହାଯାଏ । ଅନ୍ୟପକ୍ଷରେ ଯେତେବେଳେ ସେ ତାର ଇପ୍ସିତ ଫଳ ପ୍ରାପ୍ତି ମାର୍ଗରେ କୌଣସି ଅବରୋଧର ସମ୍ମୁଖୀନ ହୁଏ ଏବଂ ଅଳ୍ପ ପ୍ରଯନôରେ ତାହା ଦୂର କରିବାକୁ ଅସମର୍ଥ ହୁଏ ଯଦ୍ୱାରା ତାକୁ ମନେ ହୁଏ ଯେ ସେହି ଅବରୋଧ ପାର ହେବା ତା’ ପକ୍ଷରେ ସମ୍ଭବ ନୁହେଁ ବା ତା ପାଖରେ ଅନ୍ୟ ମାନଙ୍କ ପରି ଯୋଗ୍ୟତା ନାହିଁ ବା ଭାଗ୍ୟ ତା’ର ଅନୁକୂଳ ନୁହେଁ; ସେତେବେଳେ ସେ ନିଜକୁ ଦୁର୍ବଳ ଓ ଅସହାୟ ମନେ କରେ । ଏହିପରି ମନୋସ୍ଥିତି ବ୍ୟକ୍ତିର ଆଶାକୁ ଚୂର୍ଣ୍ଣବିଚୂର୍ଣ୍ଣ କହିଦିଏ ଓ ସେ ନିରାଶାର ଘୋର ଅନ୍ଧକାର ମଧ୍ୟରେ ସର୍ବଦା ଦୁଃଖମୟ ଜୀବନ ଯାପନ କରେ ।
ନିରାଶା ମନୁଷ୍ୟ ଜୀବନରେ ଖୁବ ଭୟଙ୍କର ପରିଣାମର କାରଣ ହୁଏ । ନିରାଶ ବ୍ୟକ୍ତି ମୃତବତ ଜୀବନ ଯାପନ କରେ । ନିରାଶା, ବ୍ୟକ୍ତିକୁ ଚିନ୍ତାର ଗଭୀର କୂପ ମଧ୍ୟରେ ଠେଲି ଦିଏ । ଏହାଦ୍ୱାରା ତାର ସଂସାରର ସମସ୍ତ ସୌନ୍ଦର୍ଯ୍ୟ ବୋଧ ସମାପ୍ତ ହୋଇଯାଏ । ମନୁଷ୍ୟାତ୍ମ ମଧ୍ୟରେ ନୈସର୍ଗିକ ମାନସିକ ଶକ୍ତି ଭଣ୍ଡାର ସହିତ ସମ୍ବନ୍ଧ ବିଚ୍ଛେଦ ହୋଇଯାଏ । ଏପରି ବ୍ୟକ୍ତି ଦୀନ-ହୀନ, ଚିନ୍ତିତ ଓ ବିଷାଦିତ ଜୀବନ ଯାପନ କରି ଅସମୟରେ ଇହଲୀଳା ସମାପ୍ତ କରନ୍ତି । ନିରାଶା ଏକ ଭ୍ରମ ମାତ୍ର । ଆଶା ଅମର । ତା’ର ଆରାଧନା କେବେ ନିଷ୍ଫଳ ହୁଏ ନାହିଁ । ତେଣୁ ନିରାଶ ଭାବ ତ୍ୟାଗ କରିବା ଉଚିତ । ଏହା ଏକ ଅନ୍ଧକାର ସଦୃଶ । ଅନ୍ଧକାରର ନିଜ ଅସ୍ତିତ୍ୱ ନ ଥାଏ । ପ୍ରକାଶର ନିଜ ଅସ୍ତିତ୍ୱ ଥାଏ । ସହସ୍ର ବର୍ଷ ଆବଦ୍ଧ କୌଣସି ଅନ୍ଧକାର ଗୁମ୍ଫାକୁ ଯଦି ଆଲୋକିତ କରିବାକୁ ପଡେ ତେବେ କ’ଣ ଏଥିପାଇଁ ସେତିକି ସମୟ ପ୍ରଯତ୍ନ କରିବାକୁ ପଡିବ? ଆଦୌ ନୁହେଁ । ସାମାନ୍ୟ ଦୀପଟିଏ ସେଠାରେ ପ୍ରଜ୍ଜ୍ୱଳନ କରି ନିମିଷକେ ଅନ୍ଧକାର ଦୂର କରାଯାଇ ପାରେ । ପ୍ରକାଶର ଗୁଣ ଏପରି ଯେ ତାକୁ ଯେଉଁଠିକି ଇଚ୍ଛା ସେଠିକି ନିଆଯାଇ ପାରେ; କିନ୍ତୁ ଅନ୍ଧକାରକୁ ନୁହେଁ । ପ୍ରକାଶର ଅଭାବର ନାମ ଅନ୍ଧକାର । ଅନେକ ସମୟରେ ଅନ୍ଧକାରରେ ରଜ୍ଜୁ ଦେଖି ସର୍ପ ଭ୍ରମ ହୁଏ । ଏକ ମିଥ୍ୟା ମଧ୍ୟ ଜୀବନରେ ପରିଣାମ ନେଇ ଆସେ । ଅନ୍ଧକାର ଭୟ ଜାତ କରିବା ସହିତ ଅନ୍ୟ ବସ୍ତୁ ଗୁଡ଼ିକୁ ଠିକ ଠିକ ଦେଖିବାକୁ ଦିଏ ନାହିଁ । ଏହାର ପରିଣାମ ସ୍ବରୂପ ଭୁଲ ନିର୍ଣ୍ଣୟ ହେତୁ ଆମକୁ ନକାରାତ୍ମକ ପରିଣାମ ଭୋଗିବାକୁ ହୋଇଥାଏ । ଏକ ସଳଖ ଦଣ୍ଡକୁ ଜଳପୂର୍ଣ୍ଣ ପାତ୍ରରେ ରଖିଦେଲେ ଏହା ବକ୍ର ଦେଖାଯାଏ । ଯାହା ଦୃଶ୍ୟ ହୁଏ ତାହା ଭ୍ରମ । ପାଣିରୁ ଦଣ୍ଡଟିକୁ ବାହାର କରିଦେଲେ ତାହା ସଳଖ ହିଁ ଦିଶେ । ଗୋଟିଏ ଭ୍ରମ ସେହି ସତ୍ୟ ପ୍ରତି ଅସତ୍ୟ ବୋଧ ସୃଷ୍ଟିର କାରଣ ହୁଏ । ସେହିପରି ଆଶା ଜୀବନର ପ୍ରକାଶ ଅଟେ । ଆଶାବାନ ବ୍ୟକ୍ତି ଅନ୍ତତୋଗତ୍ୱା ନିଜର ଲକ୍ଷ୍ୟ ଅବଶ୍ୟ ଲାଭ କରେ । ତେଣୁ ଆମ ସମସ୍ତଙ୍କ ଜୀବନରେ ସଦା ଆଶାର ସୂର୍ଯ୍ୟ ସର୍ବଦା ଜାଜ୍ୱଳ୍ୟମାନ ରହିବା ରଚିତ । ଏଥିପାଇଁ ସତତ ସତର୍କ ରହିବା ଉଚିତ ଯେ ନିରାଶାର ବାଦଲ ଯେପରି ଏହାକୁ ଢ଼ାଙ୍କି ନ ଦିଏ ।
ଏ ବିଶ୍ୱ ଏକ ନାଟକ ସଦୃଶ୍ୟ । ନାଟକ ପରି ଏଠାରେ ମଧ୍ୟ ସମସ୍ତ ପରିସ୍ଥିତି କ୍ଷଣକୁ କ୍ଷଣ ବଦଳୁଥାଏ । କେତେବେଳେ ସୁଖଦ; କେତେବେଳେ ଦୁଃଖଦ । ଆମେ ଦୁଃଖମୟ ପରିସ୍ଥିତିକୁ ରୋକିବାକୁ ଚାହିଁଲେ ମଧ୍ୟ ରୋକି ପାରିବା ନାହିଁ । ଏହା ମଧ୍ୟ ସମୟାନୁକ୍ରମେ ପରିବର୍ତ୍ତେ ହୋଇଯିବ । ତେଣୁ ଚିନ୍ତିତ ଓ ନିରାଶ ହେବାର କୌଣସି କାରଣହିଁ ନାହିଁ । ସମସ୍ତ ପରିବର୍ତ୍ତିତ ଦୃଶ୍ୟ ପ୍ରତି ଆମକୁ ଆତ୍ମିକ ଦ୍ରଷ୍ଟାଭାବ ପୋଷଣ କରିବା ଉଚିତ । ଏଥିପାଇଁ ଅଭ୍ୟାସ ଦରକାର ।
ଜୀବନରେ ସଫଳତା ପାଇଁ ପ୍ରବଳ ଇଚ୍ଛା ଶକ୍ତି ଆବଶ୍ୟକ । ଏଥିପାଇଁ ପ୍ରଥମେ ଆଶା ଗୁଣ ଧାରଣ କରିବାକୁ ହେବ । ମନରେ ସଦା ଆଶାର ଦୀପ ପ୍ରଜ୍ଜ୍ୱଳିତ ରହିବା ଉଚିତ । ସ୍ବୀୟ ମହତ୍ତ୍ବାକାଂକ୍ଷାର କିରଣ ଦ୍ୱାରା ଆଶାକୁ ସଦା ଆଲୋକିତ ରଖିବାକୁ ହେବ । ଆଶାର ଏହି ଜ୍ୟୋତିର୍ମୟ ସ୍ବରୂପ ସ୍ବତଃ ସାହସ, ନିଷ୍ଠା, ସୃଜନ କ୍ଷମତା ଏବଂ ସଫଳତା ପ୍ରାପ୍ତିର ସମସ୍ତ ପ୍ରେରକ ତତ୍ତ୍ବର କାରକ ଅଟେ ।
ଆଶା ଉତ୍ସାହର ଜନନୀ । ଆଶା ତେଜ, ବଳ ଓ ଜୀବନରେ ପରିପୂର୍ଣ୍ଣ ଏକ ଶକ୍ତି ଅଟେ । ଅନ୍ୟ ଅର୍ଥରେ ଆଶା ହିଁ ସଂସାରର ସଞ୍ଚାଳକ ଶକ୍ତି ଅଟେ । ଯଦି ଜଣେ କୌଣସି ମହତ୍ତ୍ଵପୂର୍ଣ୍ଣ ଲକ୍ଷ୍ୟ ପ୍ରାପ୍ତ କରିବାକୁ ଇଚ୍ଛୁକ ଏବଂ ସେହି ଆଶାକୁ ଯୋଜନାବଦ୍ଧ ଭାବରେ କ୍ରିୟାନ୍ୱିତ କରେ ନାହିଁ ତେବେ କେବେ ମଧ୍ୟ ଇଚ୍ଛିତ ଫଳ ପ୍ରାପ୍ତି ହୁଏ ନାହିଁ । ଯଦି ଗୋଟିଏ ପକ୍ଷରେ ଜଣେ ଧନ ପ୍ରାପ୍ତିର କାମନା କରେ ଓ ଅନ୍ୟ ପକ୍ଷରେ ଏହା ଭାବେ ଯେ ସେ ଗରିବ, ଦରିଦ୍ର, ଏହା କିପରି ପାଇବି, କେଜାଣି ମୋତେ ଧନ ମିଳିବ କି ନାହଁ, ବ୍ୟବସାୟିକ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ କି ନାହିଁ; ମୂଳଧନ ବୁଡିଯିବ ନାହିଁ ତ? ଏହି ପ୍ରକାର ଅସମଞ୍ଜସ୍ୟ, ସନ୍ଦେହ, ଭୟ ଓ ମୂଢ଼ତାପୂର୍ଣ୍ଣ ବିଚାର ନିଶ୍ଚିତ ଜଣକୁ ଅସଫଳତା ପ୍ରଦାନ କରିବ । ତେଣୁ ଏଭଳି ବିଚାର ମନରେ ଆଣିବା ସର୍ବଥା ଅନୁଚିତ । ନିରାଶାବାଦୀ ବିଚାର ମନୁଷ୍ୟର ସୃଜନାତ୍ମକତା ଓ ତା’ର ଉତ୍ପାଦକତା ଉଭୟ ଶକ୍ତିକୁ ନଷ୍ଟ କରିଦେଇ ଥାଏ । ଏ କଥା ସର୍ବଦା ମନେ ରଖିବା ଉଚିତ ଯେ ଆଶାରେ ଅପାର ଶକ୍ତି ଥାଏ । ଏହି ଜଗତରେ ଶ୍ରେଷ୍ଠତମ ଭାବଗୁଡ଼ିକ ମଧ୍ୟରୁ ଆଶା ଓ ବିଶ୍ୱାସ ହେଉଛି ଅନ୍ୟତମ । କୌଣସି କାର୍ଯ୍ୟକୁ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବ୍ୟକ୍ତିକୁ ସର୍ବଦା ଆଶାବାଦୀ ହେବା ଉଚିତ । ଇଚ୍ଛିତ ଫଳ ପ୍ରାପ୍ତି ପାଇଁ ଯେତେବେଳେ ଆମେ ଏକ ଆଦର୍ଶ ମୂଲ୍ୟକୁ ସମ୍ମୁଖରେ ରଖି ସେହି କାର୍ଯ୍ୟର ସଫଳତା ପାଇଁ ପ୍ରଯତ୍ନଶୀଳ ହୋଇଥାଉ ସେତେବେଳେ ଆମର ପୁରୁଷାର୍ଥ ମାର୍ଗରେ କଠିଣ ପ୍ରତିରୋଧ ଦେଖାଯାଇଥାଏ । ବାରମ୍ବାର ଏଭଳି ପ୍ରତିରୋଧର ସମ୍ମୁଖୀନ ହେବା ଦ୍ୱାରା ଆମେ ଉଦାସ ଓ ନିରାଶ ହୋଇଯାଉଁ ଓ ପୁରୁଷାର୍ଥହୀନ ହୋଇପଡ଼ୁଁ । ମନେରଖନ୍ତୁ ସଫଳତା ଆମର ଜନ୍ମସିଦ୍ଧ ଅଧିକାର । ଆମେ ସମସ୍ତେ ଆତ୍ମା; ପରମାତ୍ମାଙ୍କ ଅମର ସନ୍ତାନ । ସର୍ବ ଶକ୍ତିମାନ ପରମାତ୍ମାଙ୍କ ବରଦାନୀ ହସ୍ତ ଓ ତାଙ୍କର ଅନନ୍ତ ଶକ୍ତି ମୋ ସହିତ ଅଛି । ଅନୁଭବ କରନ୍ତୁ ସେହି ଜ୍ୟୋର୍ତିମୟଙ୍କ ପ୍ରକାଶ, ସେହି କରୁଣାମୟଙ୍କ କରୁଣା ଓ ସେହି ମଙ୍ଗଳମୟଙ୍କ ଶୁଭଭାବ ମୋ ସହିତ ଅଛି । ତାଙ୍କର ଅଲୌକିକ ଶକ୍ତି ମୋ ମନରେ ସଞ୍ଚାରିତ ହେଉଛି । ଏହାଦ୍ୱାରା ମୋର ମନ- ପ୍ରାଣର ସମସ୍ତ ଶିଥିଳତା ଓ କ୍ଳାନ୍ତି ଅପନୋଦନ ହୋଇ ଅଲୌକିକ ଉତ୍ସାହ ଓ ସ୍ଫୁର୍ତ୍ତି ଅନୁଭବ କରୁଛି । ଏହିପରି ନିରନ୍ତର ଅଭ୍ୟାସ ମନର ନିରାଶା ଭାବକୁ ନଷ୍ଟ କରି ଆଶାକୁ ବଳବତୀ କରାଏ ।
💐💐💐🙏🙏🙏💐💐💐
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🙏🙏🙏🌹🌹🌹🙏🙏🙏
Comments
Post a Comment