(୨୦)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୨୦)--- ମୂଲ୍ୟ କ’ଣ?

🌺🌺🌺🌺🌺🌺🌺🌺🌺

 *ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୨୦)* 

🌻🌻🌻🌻🌻🌻🌻🌻🌻

🌼🌼 *ମୂଲ୍ୟ କ’ଣ?* 🌼🌼

🌹🌹🌹🌹🌹🌹🌹🌹🌹

 *ଡା: ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌷🌷🌷🌷🌷🌷🌷🌷🌷

ପ୍ରତ୍ୟେକ ବସ୍ତୁର ମୂଲ୍ୟ ତା’ର ଲାଭ କାରିତା, ଆବଶ୍ୟକତା ତଥା ଉପଯୋଗିତା ଉପରେ ନିର୍ଭର କରେ । ସାଧାରଣତଃ କୌଣସି ବସ୍ତୁର କ୍ରୟ ବା ବିକ୍ରୟ ପାଇଁ ଆବଶ୍ୟକ ହେଉଥିବା ଧନ-ରାଶିକୁ ମୂଲ୍ୟ କୁହାଯାଏ । କିନ୍ତୁ କୌଣସି କାର୍ଯ୍ୟର ସଫଳତା ତଥା ସିଦ୍ଧି ପାଇଁ କରାଯାଉଥିବା ପୁରୁଷାର୍ଥ ବା ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଇଥାଏ । କାରଣ ସିଦ୍ଧି ବା ସଫଳତା ପାଇଁ ଉଦ୍ୟମ, ପରିଶ୍ରମ, ସମୟ, ବୋଧଶକ୍ତି ଇତ୍ୟାଦି ବିନିଯୋଗ କରିବାକୁ ପଡେ । 


 *ଭୌତିକ ମୂଲ୍ୟ ଏବଂ ଆଧ୍ୟାତ୍ମିକ ମୂଲ୍ୟ* 


ସଂସାରିକ ଓ ଶାରୀରିକ ସୁଖକୁ ପ୍ରାଥମିକତା ଦେଉଥିବା ବ୍ୟକ୍ତିକୁ ଭୌତିକବାଦୀ କୁହାଯାଏ । ତାଙ୍କ ପାଇଁ ଧନ ଭବ୍ୟ ବାସଗୃହ, ଭୋଗ୍ୟ ପଦାର୍ଥ ଇତ୍ୟାଦି ଅଧିକ ମୂଲ୍ୟ ମନେ ହୁଏ । ଏହିପରି ଭୌତିକ ପଦାର୍ଥ ସମୂହକୁ ମହତ୍ତ୍ବ ପ୍ରଦାନ କରିବା ହେଉଛି ଭୌତିକ ମୂଲ୍ୟ କିନ୍ତୁ ଏହା ବିନାଶଶୀଳ ଏବଂ ଦୁଃଖ ପ୍ରଦାୟକ ଅଟେ । ସଂପ୍ରତି ଅଧିକାଂଶ ବ୍ୟକ୍ତି ଭୌତିକ ମୂଲ୍ୟକୁ ପ୍ରାଥମିକତା ଦେଉଥିବା ହେତୁ ମାନବ ସମାଜର ଅଧୋପତନ ହେଉଛି । ସହନଶୀଳତା, ସନ୍ତୁଷ୍ଟତା, ପରୋପକାରୀତା, ଦାନଶୀଳତା ଆଦି ଆଧ୍ୟାତ୍ମିକ ମୂଲ୍ୟ ବ୍ୟବହାରିକ ଜୀବନରେ ପ୍ରୟୋଗ କରୁଥିବା ବ୍ୟକ୍ତିକୁ ଅଧ୍ୟାତ୍ମବାଦୀ କୁହାଯାଏ । ତାଙ୍କ ପାଇଁ ଭୌତିକ ସାମଗ୍ରୀ, ଇନ୍ଦ୍ରିୟ ସୁଖ ପ୍ରଦାନକାରୀ ପଦାର୍ଥ ଏବଂ ଇହ ଲୌକିକ ପ୍ରାପ୍ତି କ୍ଷଣ ଭଙ୍ଗୁର, ପରିଣାମୀ, ଅସ୍ଥାୟୀ, ବିନାଶଶୀଳ ଏବଂ  କାମନା ଭଦ୍ରେକକାରୀ ଅଟେ । ସମ୍ୟକ (ସଂପୂର୍ଣ୍ଣ) ଆତ୍ମାନୁଶୀଳନକୁ ଆଧ୍ୟାତ୍ମିକତା କୁହାଯାଏ । ବ୍ୟବହାରିକ ଜୀବନରେ ଆଧ୍ୟାତ୍ମିକତାକୁ ଅଙ୍ଗୀକାର କଲେ ଆଧ୍ୟାତ୍ମିକ ମୂଲ୍ୟ ସମୂହ ଧାରଣ କରିବା ସହଜ ହୋଇଥାଏ । 


 *ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା କାହିଁକି ଆବଶ୍ୟକ?* 


ସଂପ୍ରତି ମାନବ ସମାଜ ଭୟଙ୍କର ମୂଲ୍ୟ ସଂକଟ ମଧ୍ୟ ଦେଇ ଗତି କରୁଛି । ସାମାଜିକ, ରାଜନୈତିକ, ଧାର୍ମିକ, ପାରିବାରିକ, ଶୈକ୍ଷିକ ପ୍ରତ୍ୟେକ ସ୍ତରରେ ମୂଲ୍ୟ ସଂକଟ ସ୍ପଷ୍ଟ ପ୍ରତିଭାତ ହୁଏ । ପରିଣାମ ସ୍ବରୂପ ସମାଜରେ ଭ୍ରଷ୍ଟାଚାର ଏବଂ ଅନୈତିକ କାର୍ଯ୍ୟ, ହିଂସା, ମାଦକ ଦ୍ରବ୍ୟଗୁଡିକର ବ୍ୟବହାର ଲିଙ୍ଗ ଭେଦ, ଅପମିଶ୍ରଣ, ସାଂପ୍ରଦାୟିକତା ଆଦି ଦିନକୁ ଦିନ ବୃଦ୍ଧି ପାଉଛି । ମୂଲ୍ୟ ରହିତ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ହେତୁ ଉପଭୋକ୍ତାବାଦ ପ୍ରତି ମଣିଷର ଆକର୍ଷଣ ବଢି ଚାଲିଛି । ଏହି କାରଣରୁ ତା’ ମଧ୍ୟରେ ଲୋଭ ବୃତ୍ତି ବଢୁଛି । ଅତ୍ୟଧିକ ପରିଶ୍ରମ ବା ଲାଞ୍ଚ ଏବଂ ଭ୍ରଷ୍ଟାଚାର ଦ୍ୱାରା ପର୍ଯ୍ୟାପ୍ତ ଧନ ସଂଗ୍ରହ କରିବା ମନୁଷ୍ୟର ଏକମାତ୍ର ଧ୍ୟେୟ ହୋଇ ଯାଇଛି । ସଂପ୍ରତି ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କେବଳ ଭୌତିକ ବିକାଶ ଏବଂ ଧନୋପାର୍ଜନ । 


ଏକଦା ଏହି ବିଶ୍ୱର ପ୍ରତ୍ୟେକ ମାନବ ସୁଖ, ଶାନ୍ତି, ସମୃଦ୍ଧି ଏବଂ ପବିତ୍ରତା ସମ୍ପନ୍ନ ଥିଲେ । କାରଣ ତତ୍କାଳୀନ ସମାଜରେ ସମସ୍ତେ ମୂଲ୍ୟ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ଥିଲେ । ଆଜି ସଂସାର ଭୟ, ଆତଙ୍କ ଓ ଦୁଃଖରେ ତ୍ରସ୍ତ । ଏହାର ଏକମାତ୍ର କାରଣ ମୂଲ୍ୟ ହ୍ରାସ । ପ୍ରତ୍ୟେକ ସ୍ତରରେ ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷାର ବ୍ୟାପକ ପ୍ରଚଳନ ଦ୍ୱାରା ସେ ବ୍ୟସନ ମୁକ୍ତ ହୋଇ ମାନସିକ ଚାପମୁକ୍ତ ହୁଏ । ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା ଭଲ ମନ୍ଦର ଜ୍ଞାନ ଦିଏ! ବ୍ୟକ୍ତିକୁ ମନୋବିକାରରୁ ମୁକ୍ତ ହେବାର କୌଶଳ ଶିଖାଏ ଯଦ୍ଦ୍ବାରା ସୂକ୍ଷ୍ମ ସ୍ତରରେ ସାମାଜିକ ପରିବର୍ତ୍ତନ ହୁଏ । ଏକଥା ଏବେ ଶିକ୍ଷାବିତମାନେ ମଧ୍ୟ ସ୍ବୀକାର କଲେଣି । ବ୍ୟକ୍ତିଗତ ସ୍ତରରେ ମୂଲ୍ୟ ଶିକ୍ଷା ପ୍ରତ୍ୟେକ ବ୍ୟକ୍ତିର ଆନ୍ତରିକ ଶକ୍ତିକୁ ବୃଦ୍ଧି କରେ । ଏହାଦ୍ୱାରା ନକାରାତ୍ମକ ଗୁଣଗୁଡିକ ହ୍ରାସ ପାଇବାକୁ ଲାଗେ । ବ୍ୟକ୍ତି ସୁଧୁରିଲେ ସମାଜ ସୁଧୁରେ । ସମାଜ ସୁଧୁରିଲେ ବିଶ୍ୱର ସମସ୍ତ ସମସ୍ୟା ସ୍ବତଃ ସମାପ୍ତ ହୋଇଯିବ । ତେଣୁ ସାଂପ୍ରତିକ ସମୟରେ ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା ଏକାନ୍ତ ଆବଶ୍ୟକ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର