(୧୦)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୦) ---- ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ
🌻🌻🌻🌻🌻🌻🌻🌻🌻
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୧୦)*
🌹🌹🌹🌹🌹🌹🌹🌹🌹
*ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ*
🌸🌸🌸🌸🌸🌸🌸🌸🌸
*ଡା. ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌺🌺🌺🌺🌺🌺🌺🌺🌺
ଦିନକୁ ଦିନ ମଣିଷ ସମାଜରେ ଭ୍ରଷ୍ଟାଚାର ଓ ଦୁଷ୍କର୍ମ ବୃଦ୍ଧି ପାଇ ଚାଲିଛି । ଏଥିରୁ ଅନୁମେୟ ଯେ ପ୍ରଚଳିତ ବିଧି ବିଧାନ ମନୁଷ୍ୟକୁ ଅସତ ପଥରୁ ନିବୃତ୍ତ କରିବା ପାଇଁ ଅସମର୍ଥ । ଅନେକ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଏକ ଭ୍ରଷ୍ଟାଚାରମୁକ୍ତ ସମାଜ ଗଠନରେ ସମର୍ଥ ହୋଇପାରି ନାହାନ୍ତି । ସେଥିପାଇଁ ବିଭିନ୍ନ ଆୟୋଗ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ରାଜନୈତିକ କାରଣରୁ ସରକାର ସେମାନଙ୍କ ପ୍ରସ୍ତାବଗୁଡିକୁ ଲାଗୁ କରିବା ପାଇଁ ସମର୍ଥ ହୋଇପାରି ନାହାନ୍ତି । ସରକାରରେ ଥିବା ରାଜନୈତିକ ଦଳମାନଙ୍କ ତୁଷ୍ଟୀକରଣ ନୀତି ମାନବୀୟ ମୂଲ୍ୟବୋଧ ଅବକ୍ଷୟ ପାଇଁ ଇନ୍ଧନ ତୁଲ୍ୟ କାମ କରୁଛି । ଏକ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ପାଇଁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକତାର ବିକାଶ କରିବା ଅପରିହାର୍ଯ୍ୟ । ଏଥିପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଏକମାତ୍ର ବିକଳ୍ପ ।
ଆଧ୍ୟାତ୍ମିକତାର ବ୍ୟବହାରିକ ପ୍ରୟୋଗ ଦ୍ୱାରା ମୂଲ୍ୟ ଗୁଡିକ ଆମ ଜୀବନରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇ ଥାଏ । ନୈତିକ ସିଦ୍ଧାନ୍ତ ଏବଂ ମୂଲ୍ୟଗୁଡିକୁ ଜଣେ ଯେତେବେଳେ ନିଜ ଜୀବନରେ ପ୍ରଦର୍ଶିତ କରେ, ସେତେବେଳେ ସେ ସଫଳତାର ସର୍ବୋତ୍ତମ ପରିସ୍ଥିତି ନିର୍ମାଣ କରିଥାଏ । ଜଣେ ବ୍ୟକ୍ତିର କଥା ଓ କର୍ମରେ ଯଦି ଅନ୍ତର ନ ରହେ ତେବେ ଲୋକେ ତାଙ୍କୁ ବିଶ୍ୱାସ କରିଥାନ୍ତି । ଏପରି ବ୍ୟକ୍ତି ଲୋକମାନଙ୍କ ସହିତ ନୀତି ପୂର୍ବକ ଆଦରର ସହିତ ବ୍ୟବହାର କରନ୍ତି । ତାଙ୍କର ବୃତ୍ତି ତାଙ୍କର ସିଦ୍ଧାନ୍ତକୁ ପ୍ରକଟ କରେ ।
ଶ୍ରେଣୀ ପ୍ରକୋଷ୍ଠ ଓ ସଭାଗୃହରେ କେବଳ ଭାଷଣ ଦେଇ ଦେଲେ ଶ୍ରୋତାର ବୃତ୍ତିରେ ପରିବର୍ତ୍ତନ ହୁଏ ନାହିଁ । ଶିକ୍ଷକ ବା ବକ୍ତା ସ୍ବୟଂ ମୂଲ୍ୟନିଷ୍ଠ ନହେଲେ ତାଙ୍କର ବକ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ହୁଏ ନାହିଁ । ପ୍ରତ୍ୟେକ ବ୍ୟକ୍ତି ବାତାବରଣ ପ୍ରକମ୍ପନ ଏବଂ ପର୍ଯ୍ୟାବରଣ ପ୍ରତି ସମ୍ବେଦନଶୀଳ ଥାନ୍ତି । ଯଦି ବାତାବରଣ ଶାନ୍ତି ଓ ଅନୁଶାସିତ ନୁହେଁ ତେବେ ଯେତେ ଭଲ କଥା କହିଲେ ମଧ୍ୟ ତା’ର ପ୍ରଭାବ ପଡେ ନାହିଁ । ବର୍ତ୍ତମାନ ଶିକ୍ଷା ପ୍ରଣାଳୀ ପ୍ରତିସ୍ପର୍ଦ୍ଧାମୂଳକ । କେତେକ ଶିକ୍ଷାବିତ୍ ଭାବନ୍ତି ଯେ ଉତ୍କୃଷ୍ଟ ପରିଣାମ ପାଇଁ ଏହା ସର୍ବୋତ୍ତମ । ଅନୁଭବରୁ ଜଣାଯାଏ ଯେ ଏହା ସର୍ବଦା ଉପଯୋଗିତା ଉଦ୍ଦୀପକ ସିଦ୍ଧ ହୁଏ ନାହିଁ । ପ୍ରତିସ୍ପର୍ଦ୍ଧାମୂଳକ ଶିକ୍ଷା ପ୍ରଣାଳୀରେ କିଛି ଲୋକଙ୍କ ଅନୁଚିତ ଲାଭ ପ୍ରାପ୍ତିର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏପରି କ୍ଷେତ୍ରରେ ଅନାଚାର ଓ ଅମାନବୀୟ ବାତାବରଣ ସୃଷ୍ଟି ହୋଇଥାଏ ।
ମୂଲ୍ୟ ଓ ଆଧ୍ୟାତ୍ମିକତା ବିକାଶ ପାଇଁ ଏକ ପ୍ରେରକ ପାଠ୍ୟକ୍ରମ ଆବଶ୍ୟକ । ଏହି ପାଠ୍ୟକ୍ରମ ଏପରି ହେବା ଉଚିତ ଯଦ୍ଦ୍ବାରା ସୌହାର୍ଦ୍ଦ, ସଙ୍ଗତି ଓ ନେତୃତ୍ୱର ବାତାବରଣ ସୃଷ୍ଟି ହେବ । ପାଠ୍ୟକ୍ରମ ପ୍ରାସଙ୍ଗିକ, ସୁବ୍ୟବସ୍ଥିତ, ବିଚାରୋେତ୍ତେଜକ ଏବଂ ଲାଭପ୍ରଦ ହେଲେ ଏଥିପ୍ରତି ବିଦ୍ୟାର୍ଥୀର ଆକର୍ଷଣ ବୃଦ୍ଧି ହୋଇଥାଏ । ଉପଯୁକ୍ତ ପରିଣାମ ପାଇଁ ଉଭୟ ପ୍ରଶିକ୍ଷଣ ଓ ବିଦ୍ୟାର୍ଥୀ ମଧ୍ୟରେ ପରସ୍ପର ଆଦରଭାବ ଓ ପ୍ରେରକ ଚର୍ଚ୍ଚା ଆବଶ୍ୟକ । କୌଣସି ଶୈକ୍ଷଣିକ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସକାରାତ୍ମକ ପରିଚର୍ଚ୍ଚା ଅତ୍ୟନ୍ତ ଆବଶ୍ୟକ । ଏହା ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ । ଯଦି ଜଣେ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ ଅଧ୍ୟୟନ କରେ ତେବେ ତାର ଜୀବନରେ ମୂଲ୍ୟଗୁଡିକର ବିକାଶ ସମ୍ଭବ ନୁହେଁ । ଏହା ତା’ର ମନରେ ନକାରାତ୍ମକ ବୃତ୍ତି ଉତ୍ପନ୍ନ କରି ତା’ର ଆଧ୍ୟାତ୍ମିକ ଚେତନା ବିକାଶରେ ବାଧା ସୃଷ୍ଟି କରିଥାଏ । ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ । ସଂଯମ ଏକ ମୂଲ୍ୟ । କିନ୍ତୁ ଅତ୍ୟଧିକ ସଂଯମାଚରଣ ସ୍ବ ପ୍ରତି କରାଯାଉଥିବା ଏକ ଅତ୍ୟାଚାର ହୋଇଯାଏ । ମୂଲ୍ୟ କେଉଁ ବିନ୍ଦୁରେ ଉପନୀତ ହୋଇ ନକାରାତ୍ମକ ବୃତ୍ତିରେ ପରିବର୍ତ୍ତନ ହୋଇଯାଏ, ତାହା ବୁଝିବା ପାଇଁ ସୂକ୍ଷ୍ମ ଭାବରେ ବିଚାର କରିବା ଦରକାର ।
ଜଣକର କଥା ଓ କାର୍ଯ୍ୟରେ ସମାନତା ନ ରହିଲେ ତା’ର ଅଭିବ୍ୟକ୍ତିରେ ନକାରାତ୍ମକତା ପରିସ୍ଫୁଟ ହୁଏ । ଏଭଳି ବ୍ୟକ୍ତି ଯଦି ନୈତିକତା ଉପରେ ଦୀର୍ଘ ଭାଷଣ ଦିଅନ୍ତି ତେବେ ଶ୍ରୋତାଗଣ ହାଇ ମାରିବା ଆରମ୍ଭ କରନ୍ତି, ହାତଗୋଡ ହଲଚଲ କରୁଥାନ୍ତି କିମ୍ବା ନୋଟଖାତାରେ କିଛି ନିରର୍ଥକ ଲେଖିବା ପ୍ରାରମ୍ଭ କରିଦିଅନ୍ତି । କାରଣ ସେମାନଙ୍କ ମନ-ମସ୍ତିଷ୍କ ସେଠାରେ ନଥାଏ, ବହୁ ଦୂରରେ ବିଚରଣ କରୁଥାଏ । ଏହାର କାରଣ ହେଲା, ସେମାନଙ୍କ ପ୍ରଜ୍ଞା ଶକ୍ତି ଓ ବିବେକ ସେମାନଙ୍କୁ ସୂକ୍ଷ୍ମ ଭାବରେ ସୂଚନା ଦିଏ ଯେ ବକ୍ତାଙ୍କ ଶବ୍ଦ ଏବଂ ଆଚରଣରେ ବହୁତ ଅନ୍ତର ରହିଛି । ସେମାନେ କେବଳ ବିନମ୍ରତା, ସୌଜନ୍ୟ ବା ବ୍ୟକ୍ତିଗତ ବାଧ୍ୟବାଧକତା ହେତୁ ନୈତିକତା ଉପରେ ଦିଆଯାଉଥିବା ଏହି ଦୀର୍ଘ ଭାଷଣ ଶୁଣିବା ପାଇଁ ସଭାଗୃହ ବା ଶ୍ରେଣୀ ଗୃହରେ ବସି ରହନ୍ତି । ସବୁଠାରୁ ବଡ ବିସଙ୍ଗତି ହେଉଛି ଯେ, ଯେଉଁମାନଙ୍କ ପାଇଁ ନୈତିକତା ଆବଶ୍ୟକ ସେମାନେ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଅନ୍ୟପକ୍ଷରେ ଯେଉଁମାନଙ୍କ ଚାରିତ୍ରିକ ଦୁର୍ବଳତା ନାହିଁ ଓ ନିଜ ପ୍ରଗତି ପାଇଁ ସତତ ପ୍ରଯତ୍ନଶୀଳ ସେମାନେ ଶୁଣିବାକୁ ବାଧ୍ୟ ହୁଅନ୍ତି । ଏପରି ଲୋକେ ନୈତିକତାକୁ ନିଜ ସୁବିଧାନୁସାରେ ପରିବର୍ତ୍ତନ କରିଥାନ୍ତି ଏବଂ ଅରୁଚି ପ୍ରଦର୍ଶନ କରନ୍ତି । ସୂକ୍ଷ୍ମତା ଅନୁଭବ ମହତ୍ତ୍ବପୂର୍ଣ୍ଣ ଅଟେ । କିନ୍ତୁ ଅତ୍ୟଧିକ ସମ୍ବେଦନଶୀଳତା ମଧ୍ୟ ଠିକ୍ ନୁହେଁ । ଯଦ୍ଦ୍ବାରା ବ୍ୟକ୍ତି ଭାବପ୍ରବଣ ହୋଇଯାଏ । ସମ୍ବେଦନଶୀଳତାର ସମ୍ବନ୍ଧ ଅନ୍ତର୍ଜ୍ଞାନ ସହିତ ହେବା ଉଚିତ । ଏହାଦ୍ୱାରା ଜଣେ ସତ୍ୟର ସାକ୍ଷାତକାର କରିପାରିବ ।
କଠୋର ବାହ୍ୟ ଅନୁଶାସନ ଦ୍ୱାରା ଆତ୍ମା ଉପରେ ପ୍ରତିକୂଳ ପ୍ରଭାବ ପଡେ । ଏହାଦ୍ୱାରା ବ୍ୟକ୍ତିର ସୂକ୍ଷ୍ମ ମାନସିକ ଶକ୍ତିଗୁଡିକର ବିକାଶ ବାଧାପ୍ରାପ୍ତ ହୁଏ । ତେଣୁ ବିଦ୍ୟାର୍ଥୀ ବା ପୁରୁଷାର୍ଥୀ କୌଣସି ବାଧ୍ୟବାଧକତା ବଶତଃ ପୁରୁଷାର୍ଥ କଲେ ତଦ୍ଦ୍ଵାରା କୌଣସି ଲାଭ ମିଳେ ନାହିଁ । ତେଣୁ ଶିଖିବାର ଆଗ୍ରହ ସୃଷ୍ଟି କରିବାକୁ ପଡିବ । ଆଗ୍ରହ ପୂର୍ବକ କରୁଥିବା କାର୍ଯ୍ୟ ସହଜ ମନେ ହୁଏ ଓ ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପ୍ରାପ୍ତ ହୁଏ ।
ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ ହେଲେ ନେତୃତ୍ୱ ଗୁଣ ଅଭିବ୍ୟକ୍ତ ହୁଏ । କାରଣ ନେତୃତ୍ୱ ବ୍ୟାବହାରିକ ଜୀବନରେ ମୂଲ୍ୟଗୁଡିକର ଅଭିବ୍ୟକ୍ତି, ଯାହା ଅନ୍ୟମାନେ ଅନୁକରଣ କରିବାକୁ ପ୍ରେରଣା ଲାଭ କରନ୍ତି । ଶ୍ରେଷ୍ଠ ଓ ଆଦର୍ଶ ନେତୃତ୍ୱକୁ ଅଧ୍ୟାତ୍ମଠାରୁ ପୃଥକ କରାଯାଇ ପାରିବ ନାହିଁ । ଜଣେ ଶ୍ରେଷ୍ଠ ନେତା ଗମ୍ଭୀର ଚିନ୍ତନ ଦ୍ୱାରା ସୂଚନାଗୁଡିକୁ ନିଜ ଅନ୍ତର୍ଦୃଷ୍ଟି ଅନୁରୂପ ପରିବର୍ତ୍ତନ କରି ତଦନୁରୂପ କାର୍ଯ୍ୟ କରନ୍ତି । ସେ ନିଜକୁ ଠିକ୍ ଭାବରେ ଚିହ୍ନିଥାନ୍ତି । ମୂଲ୍ୟ ଆଧାରିତ ନେତୃତ୍ୱ ମାନବୀୟ ସମ୍ବନ୍ଧକୁ ଉଦାରତା ସମ୍ପନ୍ନ ଓ ସଶକ୍ତ କରିଥାଏ । ଜଣେ ଆଦର୍ଶ ସ୍ଥାନୀୟ ନେତା ଆନ୍ତରିକ ମୂଲ୍ୟଗୁଡିକୁ ସ୍ବୀୟ ଆଚରଣ ଦ୍ୱାରା ପ୍ରଦର୍ଶନ କରନ୍ତି । ଏହିପରି ଆଦର୍ଶ ନେତୃତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନେ ସହଜରେ ପ୍ରଭାବିତ ହୁଅନ୍ତି ଏବଂ ବିଶ୍ୱାସ ପୂର୍ବକ ମୂଲ୍ୟଗୁଡିକୁ ନିଜ ଆଚରଣରେ ଧାରଣ କରିପାରନ୍ତି ।
ମୂଲ୍ୟ ଏବଂ ଆଧ୍ୟାତ୍ମିକତା ପ୍ରତି ପ୍ରତିବଦ୍ଧତା ବିନା ଏହା ଆଚରଣରେ ପ୍ରତିଫଳିତ ହୁଏ ନାହିଁ । ପ୍ରତିବଦ୍ଧତାର ଅର୍ଥ ହେଉଛି ମୂଲ୍ୟ ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ପ୍ରାପ୍ତ ଜ୍ଞାନକୁ ନିୟମିତ, ନିରବଚ୍ଛିନ୍ନ ଓ ନିରଳସ ଭାବରେ ଅଭ୍ୟାସ କରିବା । ଏହାଦ୍ୱାରା ଜଣେ ଦୈନନ୍ଦିନ ଜୀବନରେ ଆସୁଥିବା ପ୍ରତ୍ୟେକ ବାହ୍ୟ ଆହ୍ୱାନ ଏବଂ ସମସ୍ୟାଗୁଡିକର ସଫଳତା ପୂର୍ବକ ସମ୍ମୁଖୀନ ହୋଇପାରିବ । ବାଧ୍ୟବାଧକତା ଓ ଦଣ୍ଡ ବିଧାନ ଦ୍ୱାରା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସୁଫଳ ପ୍ରଦାନ କରି ନଥାଏ । ଅଧ୍ୟୟନ ଦ୍ୱାରା ଜଣାଯାଇଛି ଯେ ଦଣ୍ଡ, ଧମକ, ବଳପ୍ରୟୋଗ, ଉତ୍ପୀଡନ, ଶିକ୍ଷକଙ୍କ ମନମୁଖୀ ଦୃଷ୍ଟିକୋଣ ଏବଂ ଅପମାନିତ କରୁଥିବା ବୃତ୍ତି ଉପରେ ଆଧାରିତ ଶିକ୍ଷା ବିଦ୍ୟାର୍ଥୀ ମଧ୍ୟରେ ହୀନଭାବନା, ଅପରାଧ, ଅନୁଶାସନହୀନତା, ପରିବାର ଓ ସମାଜରେ ବିଭାଜନ ଆଦି ମନୋ ବୈଜ୍ଞାନିକ ସମସ୍ୟାଗୁଡିକୁ ଜନ୍ମ ଦେଇଥାଏ । ତେଣୁ ଏପରି ଶିକ୍ଷା ପଦ୍ଧତି ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପରିପନ୍ଥୀ ।
ମାନବୀୟ ସମ୍ବନ୍ଧରେ ଉତ୍କୃଷ୍ଟତା ପାଇଁ ବ୍ୟକ୍ତିଗତ ଅନୁଶାସନ ନିମନ୍ତେ ସୀମାରେଖା ନିର୍ଦ୍ଧାରଣ କରିବା ଆବଶ୍ୟକ । ସମାଜରେ ଦେଖାଯାଉଥିବା ବିଭିନ୍ନ ନକାରାତ୍ମକ କାର୍ଯ୍ୟକଳାପର ସୂକ୍ଷ୍ମ ଅଧ୍ୟୟନ ପୂର୍ବକ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ ସକାରାତ୍ମକ ଆଲୋଚନା କରିବା ଉଚିତ । କେଉଁ ପ୍ରବୃତ୍ତି ବା ପରିସ୍ଥିତି ସେହି ବ୍ୟକ୍ତିଙ୍କୁ ସମାଜ ବିରୋଧୀ କାର୍ଯ୍ୟ ପାଇଁ ପ୍ରେରିତ କରିଥିଲା ତାହା ତାଙ୍କଠାରୁ ନଶୁଣିବା ପର୍ଯ୍ୟନ୍ତ ତାଙ୍କୁ ସଠିକ ମାର୍ଗଦର୍ଶନ ପ୍ରଦାନ କରାଯାଇପାରିବ ନାହିଁ । ସ୍ବୀକାରୋକ୍ତି ଦ୍ୱାରା ସଂଶୋଧନର ମାର୍ଗ ପ୍ରଶସ୍ତ ହୋଇଥାଏ । ଧ୍ୟାନ ଏବଂ ମନୋବୈଜ୍ଞାନିକ ଉପଚାର ଦ୍ୱାରା ସେହି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ଜାଗ୍ରତ କରାଇ ପାରିଲେ ସେ ମଧ୍ୟ ସମାଜ ପାଇଁ ଉପଯୋଗୀ ହୋଇପାରନ୍ତି । ଲୋକନାୟକ ଜୟପ୍ରକାଶଙ୍କ ଉଦ୍ୟମରେ ଅନେକ ଦସ୍ୟୁ ହୃଦୟରେ ଦେବତ୍ୱର ସଞ୍ଚାର ହୋଇଥିଲା । ସେଥିମଧ୍ୟରୁ ଚମ୍ବଲର ଆତଙ୍କ ପଞ୍ଚମ ସିଂ ଅନ୍ୟତମ । ରାଜଯୋଗ ଅଭ୍ୟାସ ଦ୍ୱାରା ତାଙ୍କ ମଧ୍ୟରେ ଅଲୌକିକ ପରିବର୍ତ୍ତନ ଆସିଥିଲା ଓ ସରକାର ତାଙ୍କୁ ଆଜୀବନ କାରାବାସରୁ ମୁକ୍ତ କରିଥିଲେ । ସେ ତାଙ୍କ ଅନୁଯାୟୀଙ୍କ ସହ ଆଜି ସମ୍ମାନିତ ଜୀବନ ଯାପନ କରୁଛନ୍ତି । ନିୟମିତ ଯୋଗାଭ୍ୟାସ ଦ୍ୱାରା ତୀବ୍ର ଆଧ୍ୟାତ୍ମିକ ବିକାଶ ହୋଇଥାଏ । ଜ୍ଞାନର ଅଧ୍ୟୟନ, ମନନ-ଚିନ୍ତନ ଓ ଆଲୋଚନା ଏହି ବିକାଶର ଧାରାକୁ ଅବ୍ୟାହତ ରଖେ । ଯୋଗ୍ୟାଭ୍ୟାସ ଦ୍ୱାରା ଅନାସକ୍ତ ଭାବରେ ପରିସ୍ଥିତିକୁ ଆକଳନ କରିବା କ୍ଷମତା ପ୍ରାପ୍ତ ହୁଏ । ଅନ୍ୟ ଅର୍ଥରେ ତାଙ୍କର ନିର୍ଣ୍ଣୟ ଶକ୍ତି ବୃଦ୍ଧି ପାଏ ଓ ସେ ମନର ଭାବର ପ୍ରଭାବରୁ ଉଦ୍ଧ୍ୱର୍କୁ ଉଠି ତଥ୍ୟ ଆଧାରରେ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇପାରନ୍ତି । ସେ ପୁରୁଣା ଅଭ୍ୟାସ ଓ ପୂର୍ବ ଧାରଣାରୁ ମୁକ୍ତ ହୋଇ ସ୍ବପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସତ୍ୟତାକୁ ଅନୁଭବ କରିଥାନ୍ତି ।
🙏🙏🙏🙏🙏🙏🙏🙏🙏
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🙏🙏🙏🙏🙏🙏🙏🙏🙏
Comments
Post a Comment