ଚିନ୍ତା ଓ ଚେତନା (୬) -ବ୍ୟବହାର ବିଜ୍ଞାନ(ଭାଗ-୨)-- ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା

🌷🌷🌷🌷🌷🌷🌷🌷🌷

*ଚିନ୍ତା ଓ ଚେତନା (୬)* 

🌹🌹🌹🌹🌹🌹🌹🌹🌹

 *ବ୍ୟବହାର ବିଜ୍ଞାନ(୨)* 

(ପୂର୍ବ ପ୍ରକାଶିତ ଉତ୍ତାରୁ)

🌻🌻🌻🌻🌻🌻🌻🌻🌻

 *ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା* 

💐💐💐💐💐💐💐💐💐

ମୂଳ ରଚନା:-

 *ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ* 

ସମ୍ପାଦନା ଓ ଉପସ୍ଥାପନା -

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

(ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। )

🌸🌸🌸🌸🌸🌸🌸🌸🌸

 *ସଜାଗତାପୂର୍ଣ୍ଣ ମାନବୀୟ ସମ୍ବେଦନା ସମୂହ:* 


ସାମାଜିକ ପରିଦୃଶ୍ୟ ଅନ୍ତର୍ଗତ ବ୍ୟକ୍ତିଗତ ଜୀବନର ଅବଧାରଣା ପକ୍ଷ ସ୍ଥାପିତ କରିବା ବିଶିଷ୍ଟ କ୍ଷମତାର ପରିଚାୟକ । ଯେତେବେଳେ ବ୍ୟକ୍ତିଗତ ପ୍ରଚେଷ୍ଟା ସତ୍ତ୍ବେ ସମାଜ ଆଶାନୁରୂପ ନିଜକୁ ପ୍ରସ୍ତୁତ କରି ପାରେ ନାହିଁ ସେତେବେଳେ ବ୍ୟକ୍ତି କେଉଁଠି ନା କେଉଁଠି ନିଜର ଅନନ୍ୟୋପାୟ ପରିସ୍ଥିତିକୁ ଦେଖିବାର ପ୍ରୟାସ କରିଥାଏ । ସହଯୋଗାତ୍ମକ ବ୍ୟବହାରକୁ ସାମାନ୍ୟ ରୂପରେ ପ୍ରାୟ କୌଣସି ସ୍ବାର୍ଥର ଆଖପାଖରେ କେନ୍ଦ୍ରିତ ହେବାର ନିଶ୍ଚିତ ଆଭାଷ ବ୍ୟକ୍ତିକୁ ବିଚଳିତ କରିଦିଏ । ଯଦି ସମ୍ମୁଖରେ ଉପସ୍ଥିତ ବ୍ୟକ୍ତି ଅଥବା ବ୍ୟବସ୍ଥା ଦ୍ୱାରା ସହଯୋଗ ପ୍ରାପ୍ତ ହେଉଛି । ତେବେ ସେହି ସ୍ଥିତିରେ ସାମାନ୍ୟତଃ ଏହା ଅନୁସନ୍ଧାନ କରିବାର ଚେଷ୍ଟା କରାଯାଇଥାଏ ଯେ କୌଣସି ସ୍ବାର୍ଥପୂର୍ଣ୍ଣ ମନୋବୃତ୍ତି ଗୋପନୀୟ ଭାବରେ ନିଜ କାର୍ଯ୍ୟ ତ କରୁ ନାହିଁ । ଏହି ପ୍ରକାର ସନ୍ଦେହାସ୍ପଦ ସ୍ଥିତି ନିର୍ମିତ ହେବା ଦ୍ୱାରା ତୁଳନାତ୍ମକ ଅଧ୍ୟୟନ ଏବଂ ଏହାର ପ୍ରଭାବଶୀଳତା ସମ୍ବନ୍ଧରେ ବିଚାର-ବିମର୍ଶ କ୍ରମ ସାମୂହିକ ଭାବରେ ଆରମ୍ଭ ହୋଇଯାଏ ।


ନିଜ ସମ୍ବନ୍ଧରେ ପରିସ୍ଥିତି ଓ ବାଧ୍ୟବାଧକତା ସ୍ଥିତିକୁ ଯୋଡିବାର ପ୍ରୟାସ କରାଯାଏ, ଯାହାର ପରିଣାମ ସ୍ବରୂପ ଦୁର୍ବଳ ମନୋସ୍ଥିତି ନିର୍ମାଣ ହୋଇଥାଏ । (ଯଦ୍ଦ୍ବାରା ମନ କଠିଣ ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ହାର ମାନିଯାଏ) କୌଣସି ପରିସ୍ଥିତିକୁ ସ୍ବୀକାର କରିଦେବା ତଥା ତାର ଆହ୍ୱାନ ପୂର୍ଣ୍ଣ ରୀତିରେ ସମ୍ମୁଖୀନ ହେବା ଅନ୍ତଃକରଣର ଦୃଢ଼ତାର ଉଦାହରଣ ଅଟେ । ବ୍ୟକ୍ତିଗତ ସ୍ତରରେ ଗ୍ରହଣ କରାଯାଇଥିବା ଆହ୍ୱାନ ପରିସ୍ଥିତି ସମ୍ମୁଖରେ ନତମସ୍ତକ ହେବା ପାଇଁ ବାଧ୍ୟ କରେ ନାହିଁ ବରଂ ମନୋସ୍ଥିତିକୁ ଦୃଢ଼ କରିବାରେ ସହଯୋଗ ପ୍ରଦାନ କରେ । ସଜାଗତାପୂର୍ଣ୍ଣ ମାନବୀୟ ସମ୍ବେଦନା ମାଧ୍ୟମରେ କୌଣସି ମଧ୍ୟ ପରିସ୍ଥିତିର ସାମନା ଦୃଢ଼ତା ପୂର୍ବକ କରାଯାଇପାରେ । ଭାବନା ଦ୍ୱାରା ପ୍ରବାହିତ ହେବା ସ୍ଥିତି ସେତେବେଳେ ଉତ୍ପନ୍ନ ହୁଏ, ଯେତେବେଳେ ବ୍ୟକ୍ତି ଦ୍ୱାରା କେବଳ ସମ୍ବେଦନା ସମୂହକୁ ମହତ୍ତ୍ବ ପ୍ରଦାନ କରାଯାଇଥାଏ ।


ସମ୍ବେଦନଶୀଳ ହେବାର ତାତ୍ପର୍ଯ୍ୟ ହେଉଛି ବ୍ୟକ୍ତି ଦ୍ୱାରା ଭାବ ପକ୍ଷକୁ ପୂର୍ଣ୍ଣ ରୂପରେ ସମ୍ମାନ ପ୍ରଦାନ କରିବା ସହିତ ସ୍ବୀୟ ବିବେକଶୀଳ ମନୋସ୍ଥିତି ଦ୍ୱାରା ସତ୍ୟ ଏବଂ ଅସତ୍ୟର ଚିହ୍ନଟ ପୂର୍ବକ ନିର୍ଣ୍ଣୟ କରିବାର ସାମର୍ଥ୍ୟ । ଜୀବନର ନିର୍ଜନତାର ଅଧିକାଂଶ ଅଂଶ ଯେତେବେଳେ କୌଣସି ବୃହତ ସହଯୋଗ ଦ୍ୱାରା ସଞ୍ଚାଳିତ ହୁଏ, ସେତେବେଳେ ମାନବୀୟ ସମ୍ବେଦନଶୀଳତାର ପ୍ରବାହ ନିଜର ନିୟନ୍ତ୍ରଣରେ ରହିପାରେ ନାହିଁ । କୌଣସି ପରିସ୍ଥିତିର ବାସ୍ତବିକ ଚାପ ସେହି ସମୟରେ ବୃଦ୍ଧି ପାଇବାକୁ ଲାଗେ, ଯେତେବେଳେ ସ୍ବୟଂର ଉତ୍ତରଦାୟିତ୍ୱର ଆକଳନ କରିବା ଆମେ ଭୁଲିଯାଉ । ସଜାଗତାପୂର୍ଣ୍ଣ ମାନବୀୟ ସମ୍ବେଦନା ସମୂହର ଅଧ୍ୟୟନ ବିରୋଧାଭାଷୀ ପରିସ୍ଥିତିରେ ମଧ୍ୟ ବ୍ୟକ୍ତିଗତ କର୍ତ୍ତବ୍ଯ ଏବଂ ଦାୟିତ୍ୱର ଅନୁଭବ କରାଇବା ସହିତ ବାଧ୍ୟବାଧକତା ପରିସ୍ଥିତି ସାମନା କରିବା ଶକ୍ତି ପ୍ରଦାନ କରେ । ଏହିପରି ଜୀବନର ବିପରୀତ ପରିସ୍ଥିତିଗୁଡିକର ସମାଧାନ ଖୋଜିବା ପାଇଁ ସମ୍ବେଦନଶୀଳତାର ଉପଯୋଗ କରିବା ସମୟରେ ନିମ୍ନଲିଖିତ ବିଷୟଗୁଡିକର ଧ୍ୟାନ ରଖିବା ଉଚିତ୍:-


(କ) ଜୀବନର ଅବଧାରଣାକୁ ବୁଝିବାର ପ୍ରୟାସ କରିବା ଉଚିତ ।


(ଖ) ପରିସ୍ଥିତି ଜନିତ ଚାପକୁ ନିଜ ଉପରେ ପ୍ରଭାବ ବିସ୍ତାର କରିବାକୁ ଦେବା ଅନୁଚିତ ।


(ଗ) ସହଯୋଗ ପ୍ରଦାନ ଏବଂ ପ୍ରାପ୍ତ କରିବା ସମୟରେ ସନ୍ତୁଳନ ରକ୍ଷା କରିବା ଉଚିତ ।


(ଘ) ଭାବନାତ୍ମକ ସ୍ତରରେ ନିଃସ୍ବାର୍ଥ ମନୋଭାବ ବଜାୟ ରଖିବା ଉଚିତ ।


(ଙ) ପରିସ୍ଥିତି ସହିତ ବୁଝାମଣା କରିବା ଦୃଷ୍ଟିକୋଣ କୌଣସି ମଧ୍ୟ ସ୍ଥିତିରେ ବିକଶିତ କରିବା ଉଚିତ ନୁହେଁ ।


(ଚ) ଆହ୍ୱାନପୂର୍ଣ୍ଣ ରୀତିରେ ବିରୋଧାଭାଷୀ ପରିସ୍ଥିତିର ସାମନା କରିବା ଉଚିତ ।


(ଛ) ଭାବନା ସହିତ ବିବେକର ଉପଯୋଗ ନିଶ୍ଚିତ ଭାବରେ କରିବା ଉଚିତ ।


(ଜ) ମନୋସ୍ଥିତିରେ ପରିସ୍ଥିତି ଜନିତ ବାଧ୍ୟବାଧକତାକୁ ସ୍ବୀକାର କରିବା ଉଚିତ ନୁହେଁ ।


(ଝ) ସତ୍ୟ ଓ ଅସତ୍ୟ ମଧ୍ୟରେ ପାର୍ଥକ୍ୟ ବାରିବାର ଶକ୍ତି ବଜାୟ ରଖିବା ଉଚିତ ।


(ଞ) ଜୀବନର ନିର୍ଭରତାକୁ ନିଜ କାନ୍ଧ ଉପରେ ନେବାର ପ୍ରୟାସ କରିବା ଉଚିତ ।


(ଟ) ସଜାଗତାପୂର୍ଣ୍ଣ ମାନବୀୟ ସମ୍ବେଦନା ସମୂହ ଦ୍ୱାରା ଉତ୍ତରଦାୟିତ୍ୱର ନିର୍ଦ୍ଧାରଣ କରିବା ଉଚିତ ।


 *କଳ୍ପନାଶୀଳ ବ୍ୟକ୍ତିତ୍ୱ ବିକାଶ:-* 


ଲକ୍ଷ୍ୟ ନିର୍ଦ୍ଧାରଣ ଓ ତା’ର ପ୍ରାପ୍ତି ସନ୍ଦର୍ଭରେ ସଂପ୍ରତି ବ୍ୟକ୍ତିତ୍ୱ ବିକାଶର କଳ୍ପନା ସୁନିଶ୍ଚିତ କରିବା କଥା ପ୍ରଚଳିତ । ବିଭିନ୍ନ ମନୋବୈଜ୍ଞାନିକ ଅଧ୍ୟୟନ ମଧ୍ୟ ଏହା ପ୍ରକଟ କରି ସାରିଛି ଯେ ବ୍ୟକ୍ତି ନିଜ ଅଭିରୁଚି ଓ ପ୍ରବୃତ୍ତି ଅନୁସାରେ ସ୍ବୀୟ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କଲେ ତାର ସଫଳତା ଉପଲବ୍ଧିରେ ପରିବର୍ତ୍ତିତ ହୋଇଯାଏ । ବିକାଶାତ୍ମ କ ପରିବେଶ ଜନିତ ଗତିଶୀଳତାରେ ସ୍ବୟଂକୁ ଜଡିତ କରି ଯେତେବେଳେ ସ୍ବପ୍ନ ବାସ୍ତବତାରେ ପରିବର୍ତ୍ତନ ହେବାର ମନୋସ୍ଥିତି ନିର୍ମିତ ହୋଇଥାଏ, ସେତେବେଳେ ଅନ୍ତଃକରଣର ଦୃଢ଼ତା ରୂପକ ସମ୍ବଳ ଆପଣା ଛାଏଁ ପ୍ରାପ୍ତ ହୋଇଯାଏ ।


ଜୀବନକୁ ନିଜ ମନ ମୁତାବକ ଜିଇଁବାର ଅଭିଳାଷ ବିଭିନ୍ନ ପ୍ରକାରର ବିରୋଧାଭାଷୀ ସ୍ଥିତିଗୁଡିକୁ ନିଜ ପକ୍ଷଭୁକ୍ତ କରିବାରେ ସକ୍ଷମ ହୋଇଥାଏ । ଯଦି କୌଣସି କାରଣରୁ ମନୋସ୍ଥିତି ଦୁର୍ବଳ ହୁଏ ଅଥବା ପରିସ୍ଥିତି ବ୍ୟକ୍ତିକୁ ସାଲିସ କରିବା ପାଇଁ ବାଧ୍ୟ କରେ, ସେହି ସ୍ଥିତିରେ ମଧ୍ୟ ଆହ୍ୱାନପୂର୍ଣ୍ଣ ସମାଧାନର ଲାଳସା ବ୍ୟକ୍ତିର ଅନ୍ତର୍ମନରେ ବଳବତ୍ତର ରହେ । ବ୍ୟକ୍ତିତ୍ୱ ବିକାଶର ଅଧିକାଂଶ ମାମଲାରେ ଯେତେବେଳେ କୌଣସି ପାରିବାରିକ ଏବଂ ସାମାଜିକ ଚାପ ସହିତ ନିଜ ଇଚ୍ଛା ଲଦି ଦେବାର ପ୍ରୟାସ କରାଯାଏ, ତେବେ ବ୍ୟକ୍ତିର ସ୍ଥିତି ଭାରୀ ହୋଇଯାଏ ।


ସାଧାରଣତଃ ବିକାଶ ପରିବେଶରେ ମାର୍ଗଦର୍ଶନ ଏବଂ ପରାମର୍ଶ ତ ପ୍ରଦାନ କରାଯାଇପାରେ, କିନ୍ତୁ ନିଜ ପରି ହୋଇଯିବାକୁ କୁହାଯାଇନପାରେ । ନିଜ ଜୀବନକୁ ନେଇ ଆନ୍ତରିକ ଉତ୍ସାହ-ଉଲ୍ଲାସ ବ୍ୟକ୍ତିକୁ ନୂଆ ନୂଆ କଳ୍ପନା ସମୂହ ମଧ୍ୟରେ ଜିଇଁବା ପାଇଁ ଅଭିପ୍ରେରିତ କରିଥାଏ, ଯାହାର ପରିଣାମ ସ୍ବରୂପ ସକ୍ଷମ ବ୍ୟକ୍ତିତ୍ୱର ନିର୍ମାଣ ସମ୍ଭବ ହୋଇପାରେ । ସମାଧାନ ମୂଳକ ପ୍ରବୃତ୍ଯିଗୁଡିକର ଜନ୍ମ ଅନ୍ତଃକରଣର ଆନନ୍ଦରୁ ଉତ୍ପନ୍ନ ହୋଇଥାଏ, ଯାହା ସକାରାତ୍ମକ ମନୋଭାବରେ ବ୍ୟକ୍ତିର ଜୀବନକୁ ବିକାଶର ଉଚ୍ଚ ଆୟାମ ପର୍ଯ୍ୟନ୍ତ ନେଇଯିବା ପାଇଁ ସର୍ବଦା ପ୍ରେରିତ କରିଥାଏ । ସ୍ବୀୟ ଅଭିଳାଷ ଅନୁସାରେ କର୍ମଗତ ବ୍ୟବସ୍ଥାର ଚୟନ ବ୍ୟକ୍ତିକୁ କାର୍ଯ୍ୟ ଓ ବାତାବରଣ ମଧ୍ୟରେ ଅନ୍ତର୍ସମ୍ବନ୍ଧ ସ୍ଥାପିତ କରିବାର ଶକ୍ତି ପ୍ରଦାନ କରେ, ଯଦ୍ଦ୍ବାରା ତା’ର ମନୋସ୍ଥିତିରେ କାର୍ଯ୍ୟ ପ୍ରତି ନିଷ୍ଠା ଏବଂ ସମର୍ପଣ ଭାବ ଜାଗ୍ରତ ହୋଇଥାଏ ।


ଯେତେବେଳେ ବ୍ୟକ୍ତିତ୍ୱ ବିକାଶର ବିବିଧ ଆୟାମ (ଦିଗ) ମଧ୍ୟରେ ବିରୋଧାଭାବ ସ୍ଥିତି ଉତ୍ପନ୍ନ ହୋଇଥାଏ ସେହି ସମୟରେ କୌଣସି ନିର୍ଣ୍ଣାୟାତ୍ମକ ପକ୍ଷର ନିର୍ଦ୍ଧାରଣ ସହଜ ଭାବରେ କରାଯାଇପାରେ ନାହିଁ । ଜୀବନର ବାସ୍ତବିକତାକୁ ହୃଦୟଙ୍ଗମ କରିବା ପଶ୍ଚାତ୍ ଏହା ଜ୍ଞାତ ହୋଇଯାଏ ଯେ ବ୍ୟକ୍ତିତ୍ୱ ବିକାଶର କଳ୍ପନା କେତେ ଆବଶ୍ୟକ । କାରଣ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଯିବା ପରେ ବ୍ୟକ୍ତିର ପଥ ହୁଡିବା ସ୍ବତଃ ସମାପ୍ତ ହୋଇଯାଏ । ଏଣୁ ବ୍ୟକ୍ତିତ୍ୱ ବିକାଶର କଳ୍ପନାଶୀଳତାକୁ ବ୍ୟାବହାରିକ ଜୀବନରେ କ୍ରିୟାନ୍ୱିତ କରିବା ପାଇଁ ନିମ୍ନଲିଖିତ ବିଷୟ ଗୁଡିକ ଉପରେ ଧ୍ୟାନ ରଖିବା ଉଚିତ-


(କ) ବ୍ୟକ୍ତିଗତ ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ମୁଖ୍ୟ ପ୍ରାଥମିକତା ହେବା ଉଚିତ ।


(ଖ) ସ୍ବୀୟ ଅଭିରୁଚି ଅନୁସାରେ ବ୍ୟକ୍ତିତ୍ୱ ବିକାଶ କରିବା ଉଚିତ ।


(ଗ) ଯୋଜନାବଦ୍ଧ କ୍ରିୟାକଳାପଗୁଡିକ ଦ୍ୱାରା ଉପଲବ୍ଧି ପ୍ରାପ୍ତ କରିବାର ପ୍ରୟାସ କରିବା ଉଚିତ ।


(ଘ) ଅନ୍ତଃକରଣର ଦୃଢ଼ତା ଦ୍ୱାରା ସ୍ବପ୍ନକୁ ସାକାର କରିବାର ପ୍ରୟାସ କରିବା ଉଚିତ ।


(ଙ) ବିରୋଧାଭାଷୀ ସ୍ଥିତିଗୁଡିକୁ ନିଜ ପକ୍ଷାଭୁକ୍ତ କରିବାର ପ୍ରୟାସ କରିବା ଉଚିତ ।


(ଚ) ଜୀବନର ଅଭିଳାଷ ପ୍ରତି ସର୍ବଦା ପୂର୍ଣ୍ଣ ନିଷ୍ଠାବାନ ହେବା ଉଚିତ ।


(ଛ) ବ୍ୟକ୍ତିତ୍ୱ ବିକାଶ ପାଇଁ ଇଚ୍ଛା ବିରୁଦ୍ଧ କୌଣସି ବ୍ୟବସ୍ଥାକୁ ସ୍ବୀକାର କରିବା ଉଚିତ ନୁହେଁ ।


(ଜ) ମାର୍ଗଦର୍ଶନ ଏବଂ ପରାମର୍ଶ ପ୍ରତି ନିଜ ଦୃଷ୍ଟିକୋଣ ସକାରାତ୍ମକ ରଖିବା ଉଚିତ ।


(ଝ) ସମାଧାନମୂଳକ ପ୍ରବୃତ୍ତିଗୁଡିକର ବିକାଶ ଆନ୍ତରିକ ଆନନ୍ଦ ଜନିତ ଶକ୍ତି ଆଧାରରେ କରିବା ଉଚିତ ।


(ଞ) ଜୀବନର ସତ୍ୟତା ଏବଂ ବିକାଶର କଳ୍ପନାର ରହସ୍ୟକୁ ସ୍ବୀକାର କରିବା ଉଚିତ ।


 *ବିଶ୍ୱସନୀୟ ଜୀବନ ଶୈଳୀ :* 


ସଂଘର୍ଷ ସହିତ ଜୀବନର ଗତିଶୀଳତାର ଆକଳନ ବାସ୍ତବିକ ସ୍ଥିତିର ବୋଧ କରାଇବା ପାଇଁ ସକ୍ଷମ ହୋଇଥାଏ । ସମ୍ପୂର୍ଣ୍ଣ ଜୀବନ ସହଜତା ପୂର୍ବକ ବ୍ୟତୀତ ହେବା ଏବଂ ବ୍ୟକ୍ତିକୁ କୌଣସି କଠିଣ ପରିସ୍ଥିତିର ସମ୍ମୁଖୀନ ହେବାକୁ ନ ପଡିବା ପରି ସ୍ଥିତି ପ୍ରାୟ ସମ୍ଭବ ନୁହେଁ । ଅନୁଭୂତି ସ୍ତରକୁ ଯାଇ ଦେଖିଲେ ଏହା ଜଣାଯାଏ ଯେ ଜୀବନରେ କୌଣସି ଘଟଣା ଅଥବା ପରିସ୍ଥିତିର ସମ୍ମୁଖୀନ ନହୋଇ ବସ୍ତୁସ୍ଥିତିର ଜ୍ଞାନ ହୋଇପାରେ ନାହିଁ । ଯଦି ମନୁଷ୍ୟର କ୍ଷମତାର ବିଶ୍ଳେଷଣ କରାଯାଏ ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ଏହାର ଉପଯୋଗ ବିରୋଧାତ୍ମକ ପରିସ୍ଥିତିରେ କେଉଁ ପ୍ରକାର କରାଯିବା ଉଚିତ । କୌଣସି କାର୍ଯ୍ୟ ଅଥବା ଉଦ୍ଦେଶ୍ୟର ପ୍ରାପ୍ତି ପାଇଁ ଯେତେବେଳେ ବ୍ୟକ୍ତିଗତ ଗୁଣଗୁଡିକୁ କ୍ରମବଦ୍ଧ ରୀତିରେ ନିୟୋଜିତ କରାଯାଏ ସେତେବେଳେ କାର୍ଯ୍ୟ ସିଦ୍ଧି ଓ ଉପଲବ୍ଧି ଅର୍ଜିତ ହୋଇପାରେ ।


ଜୀବନର ଗୁଣବତ୍ତା ସନ୍ଦର୍ଭରେ ମନୋବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଏ ଯେ ବ୍ୟକ୍ତି କେବଳ ନିଜର ବିକାଶ ପାଇଁ କାର୍ଯ୍ୟ କରି ନ ଥାଏ, ଅପିତୁ ତା’ ଦ୍ୱାରା ପରିବାର ତଥା ସମ୍ବନ୍ଧୀମାନଙ୍କ ସହ ସମାଜର କଲ୍ୟାଣ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରାଯାଇଥାଏ । ନିଜ ଅତିରିକ୍ତ କରିବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟ ସମ୍ପନ୍ନ କରିବା ପରେ ମଧ୍ୟ ତାକୁ ପରମ ସନ୍ତୋଷ ପ୍ରାପ୍ତ ହୋଇଥାଏ, ଯାହାକୁ ସେ ଆତ୍ମାନୁଭୂତି ସ୍ତରରେ ବୁଝିବାକୁ ପ୍ରୟାସ କରେ । ବର୍ତ୍ତମାନ ଙମୂଲ୍ୟାଙ୍କନ ଦୃଷ୍ଟିରେ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ପ୍ରତୀତ ହୁଏ ଯେ, ବ୍ୟକ୍ତି ନିକଟରେ ଅସୀମ ଗୁଣ ଏବଂ ଶକ୍ତିର ଭଣ୍ଡାର ଥାଏ କିନ୍ତୁ ସୂଚନା ଅଭାବରୁ ସେ ଏହାର ପ୍ରୟୋଗ କରିପାରେ ନାହିଁ ।


ବ୍ୟକ୍ତିଗତ ଓ ସାମାଜିକ ଜୀବନର କ୍ରିୟାକଳାପ ଗୁଡିକର ଆକଳନ କରିବା ଦ୍ୱାରା ଏହା ଜଣାଯାଏ ଯେ ଜୀବନର ଆବଶ୍ୟକତା, ଇଚ୍ଛା, ପରିସ୍ଥିତି, ବିରୋଧାଭାଷ, ମନୋସ୍ଥିତି, ଦୃଢ଼ତା, ଆହ୍ୱାନ ଏବଂ ବିଭିନ୍ନ ପ୍ରକାରର ସମସ୍ୟା ବ୍ୟକ୍ତି ମଧ୍ୟରେ ବଞ୍ଚିବାର ଶକ୍ତି ଉତ୍ପନ୍ନ କରେ । ଜୀବନର ଗରିମାମୟୀ ପ୍ରସ୍ତୁତି ଗୁଡିକ ବିଷୟରେ ଯେତେବେଳେ ପରୀକ୍ଷଣ କରାଯାଏ ସେତେବେଳେ ଜଣାଯାଏ ଯେ ଅପେକ୍ଷା ରହିତ ହୋଇ ପୂର୍ଣ୍ଣ ନିଃସ୍ବାର୍ଥ ଭାବରେ କରାଯାଇଥିବା କର୍ମ ବ୍ୟକ୍ତିଗତ ଜୀବନ ପାଇଁ ଆନନ୍ଦର ଅବିସ୍ମରଣୀୟ ଉଦାହରଣ ହୋଇଯାଏ ।


ମନୁଷ୍ୟର ଚେତନା ସମ୍ବନ୍ଧରେ ଏହି ଧାରଣାପ୍ରକଟ ହୋଇଥାଏ, ଯାହାର ଅନ୍ତର୍ଗତ ସ୍ବୟଂର ବିକାଶ ପାଇଁ ତାଦ୍ୱାରା ନ୍ୟୁନତମ ପ୍ରୟାସ କରାଯାଇଥାଏ । କିନ୍ତୁ ବିଭିନ୍ନ ପରିସ୍ଥିତିରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟଗୁଡିକୁ ଚାପବଶତଃ ସମ୍ପନ୍ନ କରିବାର ନିରନ୍ତର ପ୍ରୟାସ କରୁଥାଏ । ସାମାଜିକ ପ୍ରତିଷ୍ଠାର ଇଚ୍ଛା ଦ୍ୱାରା ଅଭିପ୍ରେରିତ ବ୍ୟକ୍ତି କିଛି ସମୟ ପର୍ଯ୍ୟନ୍ତ ନିଜର ଗତିଶୀଳତା ବଜାୟ ରଖେ, ପରନ୍ତୁ ଧୀରେ ଧୀରେ ସେ ସ୍ବୀୟ ଦୃଢ଼ତା ହରାଇବାକୁ ଲାଗେ । ଶକ୍ତିଶାଳୀ ମନୋସ୍ଥିତି ବଜାୟ ରଖିବା ପାଇଁ ବ୍ୟକ୍ତିଗତ ଜୀବନର ପବିତ୍ରତାକୁ ସୂକ୍ଷ୍ମ ଭାବରେ ବୁଝିବାକୁ ହେବ । କାରଣ ଏହିଠାରୁ ହିଁ ସ୍ବ-ପ୍ରେରଣାର ଜନ୍ମ ହୋଇଥାଏ । ସ୍ବୟଂ ବିକାଶ ଅବଧାରଣାର ପରିଣାମ ବିପରୀତ ପରିସ୍ଥିତି ଉପୁଜିବା ସତ୍ତ୍ବେ ମଧ୍ୟ ବ୍ୟକ୍ତିକୁ ବିଚଳିତ ହେବାକୁ ଦିଏ ନାହିଁ । ଏହିପରି ଅନ୍ତଃକରଣର ଦୃଢ଼ତା ଦ୍ୱାରା ବିଭିନ୍ନ ଆହ୍ୱାନର ସମାଧାନ କରୁଁ କରୁଁ ବିଶ୍ୱସନୀୟ ଜୀବନ ଶୈଳୀର ନିର୍ମାଣ କରିବାକୁ ହେବ । ତେବେ ଯାଇ ମାନବୀୟ ସମ୍ବେଦନା ଗୁଡିକର ରକ୍ଷା କରାଯାଇ ପାରିବ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796 

🙏🙏🙏🙏🙏🙏🙏🙏  🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,