(୨୧)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୨୧) --- ବ୍ୟକ୍ତିଗତ ମାନବୀୟ ସମ୍ବନ୍ଧର ବିକାଶ

 🌸🌸🌸🌸🌸🌸🌸🌸🌸

 *ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୨୧)* 

🌷🌷🌷🌷🌷🌷🌷🌷🌷

 *ବ୍ୟକ୍ତିଗତ ମାନବୀୟ ସମ୍ବନ୍ଧର ବିକାଶ* 

🙏🙏🙏🙏🙏🙏🙏🙏🙏

ଡା. ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

🌹🌹🌹🌹🌹🌹🌹🌹🌹

ଆଧ୍ୟାତ୍ମିକତା ଏବଂ ମୂଲ୍ୟବୋଧର ବିକାଶ ପାଇଁ ବ୍ୟକ୍ତିଗତ ମାନବୀୟ ସମ୍ବନ୍ଧର ସଂଶୋଧନ ଏକାନ୍ତ ଅପରିହାର୍ଯ୍ୟ । ଧର୍ମିକ ଗ୍ରନ୍ଥ ବ୍ୟତୀତ ପୁରାଣ, କାହାଣୀ, କିମ୍ବଦନ୍ତୀ, ଆଦି ମଧ୍ୟ ଏ ଦିଗରେ ଯଥା ସମ୍ଭବ ପ୍ରୟାସ କରିଛନ୍ତି । କିନ୍ତୁ ସାମାଜିକ ଜୀବନରେ ପରମ୍ପରାଗତ ପୌରାଣିକ ବ୍ୟବହାରର ପ୍ରଚଳନ ନୈତିକ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଅଧିକ ଜଟିଳ କରି ଦେଇଛି । ବର୍ତ୍ତମାନ ସମୟାନୁସାରେ ସେଗୁଡିକର ପୁନର୍ମୁଲ୍ୟାଙ୍କନ ପୂର୍ବକ ବ୍ୟବହାରିକ ଜୀବନରେ ପ୍ରୟୋଗ କରାଗଲେ ବ୍ୟକ୍ତିଗତ ସମ୍ବନ୍ଧରେ ସଂଶୋଧନ ହୋଇ ପାରିବ । ଅନେକ ସମୟରେ ଆମର କାର୍ଯ୍ୟ ବ୍ୟବହାର ଅନ୍ୟମାନଙ୍କ ପାଇଁ ସମସ୍ୟାର କାରଣ ହୋଇଥାଏ । ଏଣୁ ସତର୍କତା ପୂର୍ବକ ଆଧ୍ୟାତ୍ମିକ ମୂଲ୍ୟଗୁଡିକୁ ଦୃଷ୍ଟିରେ ରଖି ଆପଣା ବ୍ୟକ୍ତିତ୍ୱକୁ ସଂଶୋଧନ କରିବାକୁ ହେବ । ବିପରୀତ ପରିସ୍ଥିତିରେ ଅପ୍ରଭାବିତ ହୋଇ ନିଜକୁ ସଂଯତ ରଖିବା ଦ୍ୱାରା ଶ୍ରେଷ୍ଠ ବ୍ୟବହାର କରିବାର କ୍ଷମତା ବିକଶିତ ହୋଇଥାଏ । ଏଠାରେ ଇଂରାଜୀର ଏକ ପ୍ରବାଦ ଉଲ୍ଲେଖନୀୟ; “When the going get tough, the tough gets going ” ଅର୍ଥାତ୍ କୌଣସି କାର୍ଯ୍ୟ କରିବା ଯେତେବେଳେ କଠିଣ ମନେ ହୁଏ ସେତେବେଳେ କଠିଣ କାମ ସମ୍ପନ୍ନ ହୋଇଥାଏ । ଆଧ୍ୟାତ୍ମିକ ମୂଲ୍ୟର ବିକାଶ ଓ ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ମଧ୍ୟରେ ସକାରାତ୍ମକ ଦୃଷ୍ଟିକୋଣ ଉଦ୍ଭବ ହୋଇଥାଏ । ବ୍ୟକ୍ତିଗତ ମାନବୀୟ ସମ୍ବନ୍ଧର ବିକାଶ ପାଇଁ ନିମ୍ନରେ ଦଶଟି ବିନ୍ଦୁ ଉପରେ ଆଲୋଚନା କରାଯାଇଛି । 


 *୧. ଅନ୍ୟର ଦୋଷକୁ ନିଜର ଦୋଷ ମନେ କରନ୍ତୁ* 


ସଂପ୍ରତି ଅନ୍ୟର ଦୋଷ ଦେଖିବା ମଣିଷ ପାଇଁ ଏକ ସ୍ବଭାବିକ କଥା ହୋଇଗଲାଣି । କାରଣ ସେ ଅହଂକାର ଦ୍ୱାରା ବଶୀଭୂତ । ଅହଂକାରୀ ବ୍ୟକ୍ତି ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିକୃଷ୍ଟ ଭାବେ । ତେଣୁ ତା’ର ଦୋଷ ଦେଖେ । ଏହାଦ୍ୱାରା ବ୍ୟକ୍ତିଗତ ମାନବୀୟ ସମ୍ବନ୍ଧର କଟୁତା ସୃଷ୍ଟି ହୁଏ । ମନୋବିଜ୍ଞାନ ଅନୁସାରେ ଜଣେ ନିଜର ଦୋଷ ତ୍ରୁଟିକୁ ଅନ୍ୟପାଖରେ ଦେଖିଥାଏ । ନୈତିକ ଦାୟିତ୍ୱରୁ ଓହରି ଯିବା ପାଇଁ ସେ ଅନ୍ୟ ମୁଣ୍ଡରେ ନିଜ ଦୋଷ ଲଦି ଦିଏ । ଏହି ଦୋଷ ଦୃଷ୍ଟିର ସଂଶୋଧନ ପାଇଁ ଗଭୀର ଆତ୍ମ-ମନ୍ଥନ ଆବଶ୍ୟକ । ଦୃଷ୍ଟି ପରିବର୍ତ୍ତନ ହେଲେ ବୃତ୍ତି ପରିବର୍ତ୍ତନ ହୁଏ ଓ ବ୍ୟକ୍ତି ଅନ୍ୟର ଦୋଷ ପରିବର୍ତ୍ତନ ତା’ର ଭାବନା, ଗୁଣ ଓ ଖ୍ୟାତି ପ୍ରତି ବିଶେଷ ଦୃଷ୍ଟି ଦିଏ ଓ ତା’ର ଦୋଷକୁ ନିଜର ଦୋଷ ମନେ କରି ଆଲୋଚନାରୁ ନିବୃତ୍ତ ହୁଏ । 


 *୨. ନିନ୍ଦୁକକୁ ମିତ୍ର ମନେ କରନ୍ତୁ* 


ନିନ୍ଦା କିମ୍ବା ଅପମାନଜନକ ବାଣୀ ଶୁଣିଲେ ଅଧିକାଂଶ ବ୍ୟକ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରନ୍ତି । ଏଥିରୁ ବାଦ ବିବାଦ ସୃଷ୍ଟି ହୁଏ ଓ ପରସ୍ପର ମଧ୍ୟରେ ସମ୍ବନ୍ଧ କ୍ଷୁଣ୍ଣ ହୁଏ । ନିନ୍ଦା ଶୁଣି କ୍ରୋଧିତ ହେବା ଓ ଚାଟୁ ବଚନରେ ଉତଫୁଲ୍ଲିତ ହେବା ଏକ ମାନବୀୟ ଦୁର୍ବଳତା । ଏହାର ସମାଧାନ ପାଇଁ ଅପମାନ ଦେଉଥିବା ବ୍ୟକ୍ତିକୁ ମିତ୍ର ଦୃଷ୍ଟିରେ ଦେଖନ୍ତୁ । ଯଦି ନିନ୍ଦୁକର ଆରୋପ ମିଥ୍ୟା ପ୍ରମାଣିତ ହୁଏ ସେ ତା’ର ଭୁଲ ବୁଝିଯିବ। ଯଦି ତା’ର ଅପବାଦରେ ସତ୍ୟତା ଥାଏ ତେବେ ତାକୁ ସହଜ ରୀତିରେ ସ୍ବୀକାର କରି ନେବା ଦ୍ୱାରା ଆପଣଙ୍କ ସହନଶୀଳତାର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସଂପୃକ୍ତ ବ୍ୟକ୍ତି ତା’ର ପ୍ରତିକ୍ରିୟାତ୍ମକ ବ୍ୟବହାରରୁ କ୍ଷାନ୍ତ ହେବ । ସତ୍ୟକୁ ସ୍ବୀକାର କଲେ ମିଥ୍ୟା ସମାପ୍ତ ହୋଇଥାଏ । ଏଠାରେ ମନେ ରଖିବାକୁ ହେବ ଯେ ମିଥ୍ୟା ଅହଂକାରରୁ ମୁକ୍ତ ହୋଇ ଆତ୍ମ ସମ୍ମାନ ଯୁକ୍ତ ଜୀବନ ଯାପନ କରିବା ମନୁଷ୍ୟ ଜୀବନର ସର୍ବୋତ୍ତମ ଲକ୍ଷ୍ୟ ।


 *୩. ନକାରାତ୍ମକ ଓ ସକାରାତ୍ମକ ଉଭୟ ପରିସ୍ଥିତିରେ ମନକୁ ସମରସ ରଖନ୍ତୁ* 


ମଣିଷ ଜୀବନରେ ସଫଳତା -ବିଫଳତା, ନିନ୍ଦା-ସ୍ମୁତି ଏବଂ ଜୟ-ପରାଜୟ ଏକ ଦୈନନ୍ଦିନ ଘଟଣା । ଏହିପରି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ନିଜ ମନକୁ ସମରସ ରଖିବା ଦ୍ୱାରା ଉଭୟ ବ୍ୟକ୍ତିଗତ ଓ ସାମାଜିକ ଜୀବନ ସୁଖମୟ ତଥା ପାରସ୍ପରିକ ସମ୍ବନ୍ଧ ମଧୁର ହୁଏ । କିନ୍ତୁ ଭୌତିକବାଦୀ ଚେତନାର ବଶବର୍ତ୍ତୀ ବ୍ୟକ୍ତିର ସଂବେଦନାଶୀଳତାର ଅଭାବ ହେତୁ ମାନସିକ ସମତା ସମ୍ଭବ ହୁଏ ନାହିଁ । ସେ ସକାରାତ୍ମକ ପରିସ୍ଥିତିରେ ଯେତିକି ଉତଫୁଲ୍ଲିତ   ହୋଇ ଉଠେ ନକାରାତ୍ମକ ପରିସ୍ଥିତିରେ ସେତିକି ବିମର୍ଷ ହୋଇ ପଡେ । ଗୀତାରେ ସମତାକୁ ଯୋଗ କୁହାଯାଇଛି । ନିରନ୍ତର ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ଜ୍ଞାନେନ୍ଦ୍ରିୟଗୁଡିକର ଭ୍ରମପୂର୍ଣ୍ଣ ପ୍ରଭାବରୁ ମୁକ୍ତ ହୋଇ ଅନାସକ୍ତ ରହିପାରିବ । 


 *୪. ବ୍ୟକ୍ତି ଓ ବସ୍ତୁ ସହିତ ସମ୍ବନ୍ଧିତ ପରିସ୍ଥିତି ଏବଂ ଘଟଣାକୁ ଅନ୍ତଦୃଷ୍ଟିରେ ଦେଖିବାର ଅଭ୍ୟାସ କରନ୍ତୁ ।* 


ସ୍ଥୂଳ ଦୃ୍ଷ୍ଟିରେ ଯାହା ଦୃଶ୍ୟମାନ ତାହା ସବୁବେଳେ ସତ୍ୟ  ହୋଇ ନ ଥାଏ  । ପ୍ରତ୍ୟେକ ନକାରାତ୍ମକ ପରିସ୍ଥିତିି ଓ ଘଟଣାରେ ମଧ୍ୟ କିଛି ନା କିଛି ଈଶ୍ୱରୀୟ ବରଦାନ ଲୁକ୍ଲାୟିତ ଥାଏ । ଏପରି ପରିସ୍ଥିତିରେ ପ୍ରତିକ୍ରିୟାଶୀଳ ହେବା ଅନୁଚିତ! ଅନ୍ତର୍ଦୃଷ୍ଟି ଅଥବା ଜ୍ଞାନ ଦୃଷ୍ଟିରେ ଦେଖିଲେ ଏହାରି ପଛରେ ଲୁକ୍ଲାୟିତ ସତ୍ୟକୁ ବୁଝି ହେବ । ତେଣୁ ଭାବନା ଦ୍ୱାରା ପ୍ରଭାବିତ ନ ହୋଇ ବିବେକ ଓ ଅନ୍ତରାତ୍ମାର ଆବାଜକୁ ଶୁଣନ୍ତୁ ଓ ତଦନୁସାରେ କର୍ମ କରନ୍ତୁ । ଭାବନା ସର୍ବଦା ଅସ୍ଥିର । କିନ୍ତୁ ଜ୍ଞାନ ସର୍ବଦା ସ୍ଥିର । ଅର୍ନ୍ତଜ୍ଞାନ ପ୍ରାପ୍ତ ମଣିଷ ଇନ୍ଦ୍ରିୟାତୀତ ହୋଇଯାଏ । ଆଧ୍ୟାତ୍ମିକ ଚେତନାର ବିକାଶ ନ ହେବା ପର୍ଯ୍ୟନ୍ତ ସତ୍ୟ ନିର୍ଣ୍ଣୟ ସମ୍ଭବ ନୁହେଁ । ପ୍ରତ୍ୟେକ ଘଟଣା ପଛରେ କଲ୍ୟାଣ ନିହିତ, ଏହି ଜ୍ଞାନରେ ବୁଦ୍ଧିକୁ ନିଶ୍ଚୟ କରାଇଲେ ତନ୍ମଧ୍ୟରେ ଲୁକ୍ଲାୟିତ ସତ୍ୟର ହୃଦବୋଧ କରିବାର ପଥ ପ୍ରଶସ୍ତ ହୋଇଥାଏ । ଧୈର୍ଯ୍ୟତା ଓ ସକାରାତ୍ମକ ବିଚାର ବ୍ୟକ୍ତିର ଜ୍ଞାନ ନେତ୍ର ଖୋଲି ଦିଏ । 


 *୫. ନକାରାତ୍ମକତା ମଧ୍ୟରେ ସକାରାତ୍ମକତା ଦର୍ଶନ କରନ୍ତୁ* 


ନକାରାତ୍ମକତାର କୌଣସି ଅସ୍ତିତ୍ୱ ନାହିଁ । ସକାରାତ୍ମକତାର ଅଭାବକୁ ନକାରାତ୍ମକତା କୁହାଯାଏ । ନକାରାତ୍ମକତାକୁ ଅନ୍ଧକାର ଓ ସକାରାତ୍ମକତାକୁ ଆଲୁଅ ସହିତ ତୁଳନା କରାଯାଇ ପାରେ । ଅନ୍ଧକାରର ମଧ୍ୟ କୌଣସି ଅସ୍ତିତ୍ୱ ନାହିଁ । ଆଲୁଅର ଅଭାବ ହିଁ ଅନ୍ଧକାର । ଅନ୍ୟ ଅର୍ଥରେ ଅନ୍ଧକାର ମଧ୍ୟରେ ଆଲୋକର ସମ୍ଭାବନା ଥାଏ । ସେହିପରି ନକାରାତ୍ମକ ଗୁଣରେ ସକରାତ୍ମକ ଗୁଣ ଲୁକ୍ଲାୟିତ ଥାଏ । ପ୍ରତ୍ୟେକ ଜୀବତ୍ମା ମୌଳିକ ଭାବରେ ସକାରାତ୍ମକ । ଭୌତିକ ଚେତନାରେ ରହିଲେ ଅନ୍ୟର ଅବଗୁଣ ଏବଂ ଚାରିତ୍ରିକ ଦୁର୍ଗୁଣ ଦେଖାଯାଏ । କିନ୍ତୁ ସେହି ବ୍ୟକ୍ତି ମୌଳିକ ରୂପରେ ଜ୍ଞାନ ସ୍ବରୂପ, ପ୍ରେମ ସ୍ବରୂପ, ଆନନ୍ଦ ସ୍ବରୂପ, ପବିତ୍ର ସ୍ବରୂପ ଶକ୍ତି ସ୍ବରୂପ ଓ ସୁଖ ସ୍ବରୂପ । ଏହି ସ୍ବରୂପ ଦର୍ଶକୁ ଆତ୍ମଦର୍ଶନ କୁହାଯାଏ । କୌଣସି ଫଟୋର ନେଗେଟିଭ ଫିଲ୍ମରୁ ତାହାର ଯଥାର୍ଥ ଚିତ୍ର ପ୍ରାପ୍ତ ହୋଇଥାଏ । ଏହି ନ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିର ନକାରାତ୍ମକ ଗୁଣରେ ଥିବା ସକାରାତ୍ମକ ପକ୍ଷକୁ ଦେଖିଲେ ପାରସ୍ପରିକ ସମ୍ବନ୍ଧରେ ବ୍ୟାପକ ସୁଧାର ଆସିଥାଏ । ଆମର ସମ୍ବନ୍ଧ ସମ୍ପର୍କରେ    ଆସୁଥିବା ଲୋକମାନଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ । ନିରବଚ୍ଛିନ୍ନ ଓ ନିୟମିତ ଯୋଗାଭ୍ୟାସ ଦ୍ୱାରା ନକାରାତ୍ମକତା ମଧ୍ୟରେ ସକାରାତ୍ମକତା ଦର୍ଶନ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ । 


 *୬. ବିଶ୍ୱକୁ କୁଟୁମ୍ବ ରୂପେ ଗ୍ରହଣ କରନ୍ତୁ* 


“ଅୟଂନିଜ ପରୋବେତି ଗଣନା ଲଘୁ ଚେତସାଂ । ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ ।” ଏହା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର । ଏହି ବୈଶ୍ୱିକ ଦୃଷ୍ଟିକୋଣକୁ ଆପଣେଇଲେ ‘ତୋର’ ଓ ‘ମୋର’ ଭେଦଭାବ ଦୂର ହେବ ଓ ମାନବୀୟ ସମ୍ବନ୍ଧ ଶକ୍ତ ଓ ସୁନ୍ଦର ହେବ । ଆଧ୍ୟାତ୍ମିକ ଦୃଷ୍ଟିରେ ଆମେ ଶରୀର ନୁହେଁ, ଆମେ ପ୍ରତ୍ୟେକ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା । ଏହି ହିସାବରେ ପ୍ରତ୍ୟେକ ମନୁଷ୍ୟାତ୍ମା ମଧ୍ୟରେ ଭ୍ରାତୃତ୍ୱର ସମ୍ବନ୍ଧ ରହିଛି । ଆତ୍ମିକ ଦୃଷ୍ଟିକୋଣ ହିଁ ‘ବିଶ୍ୱଭ୍ରାତୃତ୍ୱ’ ବା ‘ବସୁଧୈବ କୁଟୁମ୍ବକମ’ର ଆଧାର । ଏହାର ଅନ୍ୟ କୌଣସି ବିକଳ୍ପ ଆଧାର ନାହିଁ । ଦୈହିକ ଦୃଷ୍ଟିକୋଣ ମନୁଷ୍ୟକୁ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଲିଙ୍ଗ ଓ ରାଷ୍ଟ୍ରୀୟତା ମଧ୍ୟରେ ବାନ୍ଧି ରଖେ ଓ ଦ୍ୱେଷଭାବ ଉତ୍ପନ୍ନ କରେ । ଏହାଦ୍ୱାରା ବ୍ୟକ୍ତି  ପୂର୍ବଧାରଣା ବା ମାନବୀୟ ଦୁର୍ବଳତାକୁ ଆଧାରି କରି ଅନ୍ୟମାନଙ୍କ ବ୍ୟବହାରର ମୂଲ୍ୟାଙ୍କନ କରେ । ସଂପ୍ରତି ଦୁନିଆରେ ପରିବ୍ୟାପ୍ତ କଳହ, କ୍ଲେଶ, ହିଂସା, ଆତଙ୍କବାଦ, ସଘଂର୍ଷ ଆଦିର ଏହାହିଁ ମୂଳ କାରଣ । ଯୋଗାଭ୍ୟାସ ଦ୍ୱାରା ଆନ୍ତରିକ ଶକ୍ତିର ବିକାଶ ହେଲେ ଆନ୍ତରିକ ଗୁଣ ଓ ବିଶେଷତା ଆଧାରରେ ଆମେ ଅନ୍ୟମାନଙ୍କ ବ୍ୟବହାରର ମୂଲ୍ୟାଙ୍କନ କରିବାକୁ ସମର୍ଥ ହେବା । 


 *୭. ଦରଦ ଅନିବାର୍ଯ୍ୟ; କିନ୍ତୁ ଦୁଃଖ ଆପଣଙ୍କ ଇଚ୍ଛାଧୀନ ।* 


ଦରଦ ଦୁଇ ପ୍ରକାର; ଶାରୀରିକ ଓ ମାନସିକ । ଏହା ଯେକୌଣସି ପ୍ରକାରେ ଆସିପାରେ । ଏହା ଆସିବାର ଥିଲେ ଅବଶ୍ୟ ଆସିବ; ଏହାକୁ ଏଡାଇ ହେବ ନାହିଁ ବା ଏହାର କୌଣସି ବିକଳ୍ପ ମଧ୍ୟ ନାହିଁ । କିନ୍ତୁ ଦରଦ ପ୍ରତି ଜଣକର ପ୍ରତିକ୍ରିୟା ତା’ର ମାନସିକ ସ୍ଥିତି  ଉପରେ ନିର୍ଭର କରିଥାଏ । ଯେଉଁ ଦରଦ ଜଣକ ପାଇଁ ଅସହ୍ୟ ଦୁଃଖର କାରଣ ହୁଏ, ତାହା ଅନ୍ୟ ପାଇଁ ସାମାନ୍ୟ ହୋଇପାରେ । ସହନଶୀଳତା ଶକ୍ତିର ତାରତମ୍ୟ ଅନୁସାରେ ଦରଦ ଜନିତ ଦୁଃଖ କମ ବା ବେଶୀ ଅନୁଭବ ହୋଇଥାଏ । ନିଜକୁ ଦେହ ମନେ କଲେ ଦୁଃଖ କମ ବା ଅସହ୍ୟ ହୁଏ । କିନ୍ତୁ ଯୋଗାଭ୍ୟାସ ଦ୍ୱାରା ଆତ୍ମାନୁଭୂତି ପ୍ରାପ୍ତ ବ୍ୟକ୍ତି ଶାରୀରିକ, ମାନସିକ ଏବଂ ଭାବନାତ୍ମକ ପୀଡାରେ ଦୁଃଖୀ ହୁଅନ୍ତି ନାହିଁ । ଦରଦ ବ୍ୟକ୍ତିର ସହନଶୀଳତା ପରୀକ୍ଷା କରେ; ତେଣୁ ଏହାକୁ ଏକ ମହାନ ଶିକ୍ଷକ ରୂପେ ଗ୍ରହଣ କରନ୍ତୁ ।


 *୮. ଯଦି ଆପଣ ଅନ୍ୟମାନଙ୍କ ଆଡକୁ ଏକ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି, ତେବେ ତିନି ଅଙ୍ଗୁଳି ସ୍ବତଃ ଆପଣଙ୍କ ଆଡକୁ ନିର୍ଦ୍ଦେଶ କରିଥାଏ ।* 


ମନସ୍ତତ୍ତ୍ବ ଅନୁସାରେ ବ୍ୟକ୍ତି ନିଜ ଅନୁରୂପ ହିଁ ଅନ୍ୟମାନଙ୍କୁ ଦେଖେ । ସେ ଅନ୍ୟମାନଙ୍କ ଦୋଷ ଦୁର୍ବଳତା ଆଲୋଚନା କରିବା ବେଳେ ଜାଣିପାରେ ନାହିଁ ଯେ ତାହା ତା’ ମଧ୍ୟରେ ହିଁ ବିଦ୍ୟମାନ । ଏଥିପାଇଁ ଉଦାହରଣ ଦିଆଯାଏ ଯେ ଯଦି ଆପଣ ଅନ୍ୟମାନଙ୍କ ଆଡକୁ ଏକ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି ତେବେ ତିନି ଅଙ୍ଗୁଳି ସ୍ବତଃ ଆପଣଙ୍କ ଆଡକୁ ନିର୍ଦ୍ଦେଶ କରିଥାଏ । ଅର୍ଥାତ ଅନ୍ୟମାନଙ୍କୁ ଦୋଷାରୋପଣ କରିବା ପରିବର୍ତ୍ତେ ନିଜ ମଧ୍ୟରେ ଥିବା ଦୋଷ ଦୁର୍ବଳତାଗୁଡିକୁ ଖୋଜି ସମାପ୍ତ କରିବା ଉଚିତ । ଦେହ ଅଭିମାନରୁ ମୁକ୍ତ ହୋଇ ଅନ୍ତର୍ମୁଖୀ ହେଲେ ଜଣେ ନିଜ କାର୍ଯ୍ୟର ଯଥାର୍ଥ ମୂଲ୍ୟାଙ୍କନ କରିପାରିବ । ଅନ୍ୟମାନଙ୍କ କାର୍ଯ୍ୟ ଓ ଗତିବିଧି ଉପରେ କୌଣସି ମନ୍ତବ୍ୟ ପ୍ରଦାନ ନ କରି ସାକ୍ଷୀ ଭାବରେ ଦେଖିବା ଉଚିତ । ପ୍ରତ୍ୟେକଙ୍କ କାର୍ଯ୍ୟ  କରିବାର ଧାରା ଭିନ୍ନ ଭିନ୍ନ । ତେଣୁ କାହାରି କାର୍ଯ୍ୟକରିବାର ସ୍ବତନ୍ତ୍ରତାରେ ହସ୍ତକ୍ଷେପ କରିବା ଓ ସମାଲୋଚନା କରିବା ଅନୁଚିତ । ପ୍ରତ୍ୟେକଙ୍କ ନିଜ ନିଜ କାର୍ଯ୍ୟ ବ୍ୟବହାରର ମୂଲ୍ୟାଙ୍କନ କରିବାର ଅଧିକାର ଅଛି ଓ ସେଥିପାଇଁ ସେମାନେ ଉତ୍ତରଦାୟୀ ହୋଇଥାନ୍ତି, ଅନ୍ୟମାନେ ନୁହେଁ ।


 *୯. ଆପଣ କରିଆସୁଥିବା କାର୍ଯ୍ୟର ଧାରା ଯଦି ସେହି ପରି ଚାଲୁ ରହେ ତେବେ ପ୍ରାପ୍ତି ମଧ୍ୟ ପୂର୍ବବତ୍ ରହିବ* 


କୌଣସି କାର୍ଯ୍ୟର ମାନ ଉପରେ ତା’ର ପରିଣାମ ନିର୍ଭର କରିଥାଏ । ଅନେକ ସମୟରେ ବ୍ୟକ୍ତି ଏକଥା ଭୁଲିଯାଏ । ସେ ତା’ର କାର୍ଯ୍ୟର ଧାରାରେ କୌଣସି ପରିବର୍ତ୍ତନ କରେ ନାହିଁ; ଅଥଚ ଉନ୍ନତତର ପରିଣାମ ଆଶା କରିଥାଏ । ଏହା କଦାପି ସମ୍ଭବ ନୁହେଁ । ପ୍ରଚଳିତ ବିଧି ବ୍ୟବସ୍ଥା ଓ ପରମ୍ପରାର ଅନୁସରଣ କରି ଆଜି ଆମର ବ୍ୟକ୍ତିଗତ ପାରିବାରିକ ଓ ସାମାଜିକ ସ୍ଥିତି ଯାହା, ସେଗୁଡିକର ପୁନର୍ମୁଲ୍ୟାଙ୍କନ ପୂର୍ବକ ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଏହାଠାରୁ ଉନ୍ନତ ସ୍ଥିତିରେ ଉପନୀତ ହେବା ସମ୍ଭବ ନୁହେଁ । କାର୍ଯ୍ୟ ଶୈଳୀର ପରିବର୍ତ୍ତନ ବିନା ପରିଣାମରେ ପରିବର୍ତ୍ତନ ଆଶା କରିବା ବୃଥା । କାର୍ଯ୍ୟଶୈଳୀର ସମ୍ପୂଣ୍ଣ ପରିବର୍ତ୍ତନ ପାଇଁ ଜଣେ ତାଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଏଥିପାଇଁ ଦରକାର ଉପଯୁକ୍ତ ଜ୍ଞାନ କୌଶଳ, ସାହସ, ଅନାସକ୍ତ ଭାବ, ବୁଦ୍ଧିମତ୍ତା ଏବଂ ଅଧ୍ୟାତ୍ମ ବଳ ।


 *୧୦. ଘଟଣା ପ୍ରବାହ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ* 


ଘଟଣା ପ୍ରବାହ ଉପରେ କାହାରି ନିୟନ୍ତ୍ରଣ ନାହିଁ । କିନ୍ତୁ ବ୍ୟକ୍ତି ଚାହିଁଲେ ନିଜକୁ ନିୟନ୍ତ୍ରଣ କରି ପାରିବ । ବେଳେ ବେଳେ ପ୍ରତିକୂଳ ପରିସ୍ଥିତିରେ ମଣିଷ ଭାଙ୍ଗି ପଡେ । ପରିସ୍ଥିତିକୁ ପରୀକ୍ଷା ରୂପରେ ଗ୍ରହଣ କଲେ ଆମ ମଧ୍ୟରେ ସାହସ ବୃଦ୍ଧି ପାଇବ ଓ ଆମେ ତାକୁ ଠିକଭାବରେ ମୁକାବିଲା କରି ପାରିବା । ଘଟଣାଟି ସତ୍ୟ, ତେଣୁ ତାକୁ ସ୍ବୀକାର       କରନ୍ତୁ । କିନ୍ତୁ ମନେ କରନ୍ତୁ ଯେ ତାହା ଆପଣଙ୍କ ସାଥିରେ ଘଟୁ ନାହିଁ । ଏହା ଆପଣଙ୍କୁ ସଶକ୍ତ କରିବା ପାଇଁ ଘଟୁଛି । ଏହିପରି ଅପ୍ରଭାବିତ ରଖିବାରେ ସହାୟକ ହେବ ।

🌻🌻🌻🌻🌻🌻🌻🌻🌻

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🌺🌺🌺🌺🌺🌺🌺🌺🌺

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,