(୨୨)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୨୨)--- ବିଜ୍ଞାନ ଓ ଆଧ୍ୟାତ୍ମିକତା

 🌺🌺🌺🌺🌺🌺🌺🌺🌺

 *ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୨୨)* 

🌻🌻🌻🌻🌻🌻🌻🌻🌻

 *ବିଜ୍ଞାନ   ଓ ଆଧ୍ୟାତ୍ମିକତା* 

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ* 

🌷🌷🌷🌷🌷🌷🌷🌷🌷

ସାଧାରଣତଃ ବିଜ୍ଞାନ ଓ  ଆଧ୍ୟାତ୍ମବାଦକୁ ଭିନ୍ନ ତଥା ପରସ୍ପର ବିରୋଧୀ ବିଷୟ ବୋଲି ବିଶ୍ୱାସ କରାଯାଏ । ଭୋଗ ବିଳାସ ପ୍ରଧାନ ପାଶ୍ଚାତ୍ୟ ଦେଶରେ ଆଧ୍ୟାତ୍ମ୍ୟବାଦକୁ ପ୍ରତିକ୍ରିୟାବାଦ (Reactionary) ତଥା ପଳାୟନବାଦ ରୂପେ ମନେ କରାଯାଏ । ଦ୍ୱିତୀୟ ବିଶ୍ୱ-ଯୁଦ୍ଧର ପୂର୍ବ ସମୟ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦେଶରେ ଏହାକୁ ପ୍ରତୀକବାଦ, ରହସ୍ୟ ବାଦ ଏବଂ ପ୍ରବଞ୍ଚନା ମାନି ପ୍ରତ୍ୟାଖ୍ୟାନ କରାଯାଉଥିଲା । କିନ୍ତୁ କାଳକ୍ରମେ ସେଠାରେ ମଧ୍ୟ ଏହା ଅନୁଭବ ଗରାଗଲା ଯେ ମନୁଷ୍ୟ ଚନ୍ଦ୍ରରେ ପଦାର୍ପଣ ଓ କମ୍ପୁଟର ନିର୍ମାଣ କରିସାରିଥିଲେ ମଧ୍ୟ ନିଜ ବିଷୟରେ ତା’ର ଜ୍ଞାନ ଅତ୍ୟନ୍ତ ନଗଣ୍ୟ । ମନୁଷ୍ୟର ସଂରଚନା, ତେଚନା-ଶକ୍ତ, ମାନସିକ ଗ୍ରନ୍ଥି ସମୂହ, କୁଣ୍ଠା ଆଦି ଆଜି ମଧ୍ୟ ବିଜ୍ଞାନର ଜ୍ଞାତସାରକୁ ଆସି ପାରି ନାହିଁ । ମନୁଷ୍ୟ ଶରୀର ମଧ୍ୟରେ ନିଜର ବ୍ୟକ୍ତିତ୍ୱର ଅଭିବ୍ୟକ୍ତ କରୁଥିବା ସେହି ଚୈତନ୍ୟ ସତ୍ତାଟି ପ୍ରକୃତରେ କିଏ? କାହିଁକି ଜଣେ ବ୍ୟକ୍ତି କ୍ରୁର, ଅନ୍ୟ ଜଣେ ଦୟାଳୁ? ପ୍ରକୃତରେ କ’ଣ ଆଖି ଦେଖିପାରେ ଓ କାନ ଶୁଣି ପାରେ?


ମନୁଷ୍ୟ ମସ୍ତିଷ୍କରେ ୧୦ରୁ ୧୫ କୋଟି ସଂଖ୍ୟକ କୋଷିକା ବିଦ୍ୟମାନ । ଏଗୁଡିକ ମନୁଷ୍ୟର କ୍ରିୟାକଳାପକୁ ନିୟନ୍ତ୍ରଣ କରେ । ଚିକିତ୍ସା ବିଜ୍ଞାନର ଉତ୍କର୍ଷତା ସତ୍ତ୍ବେ କ’ଣ ମନୁଷ୍ୟ ନିଜ ଶରୀର ତଥା ଏହାର କ୍ରିୟାସମୂହକୁ ପୂର୍ଣ୍ଣ ଭାବରେ ଜାଣିବାକୁ ସକ୍ଷମ ହୋଇ ପାରିଛି?


ଏହିପରି, ବିଶ୍ୱ ବ୍ରାହ୍ମାଣ୍ଡ ବିଷୟରେ ଆମେ କ’ଣ ଜାଣୁ? ଆମେ କେତେ ଦୂର ପହଞ୍ଚି ପାରିଛୁ? କେବଳ ସୌର-ମଣ୍ଡଳର କେତେକ ଗ୍ରହର ବର୍ହିଭାଗ ପର୍ଯ୍ୟନ୍ତ! କିନ୍ତୁ ଏହା ସତ୍ୟ ଯେ ଅନ୍ତରୀକ୍ଷରେ ଆମ ସୌର-ମଣ୍ଡଳ ଭଳି ଅରବ ସଂଖ୍ୟକ ସୌର-ମଣ୍ଡଳ ବିଦ୍ୟମାନ । ଆଜିକାଲି ଖଗୋଳ ଶାସ୍ତ୍ରୀମାନେ ମଧ୍ୟ ଏକଥା ସ୍ବୀକାର କଲେଣି । ଆଜି ଉଭୟ ମନୁଷ୍ୟ ସ୍ବୟଂ ଓ ବ୍ରହ୍ମାଣ୍ଡ ଏକ ବିରାଟ ପ୍ରଶ୍ନବାଚୀ । ଏହି ବିଷୟରେ ଅଧିକରୁ ଅଧିକ ଜାଣିବାହିଁ ତ ବିଜ୍ଞାନର ଲକ୍ଷ୍ୟ ଅଟେ ।


ଅନ୍ୟପକ୍ଷରେ ଆଧ୍ୟାତ୍ମବାଦର ଲକ୍ଷ୍ୟ ହେଉଛି ଆତ୍ମା, ପରମାତ୍ମା । ପରମଧାମ (ପରମାତ୍ମାଙ୍କ ନିବାସ ସ୍ଥାନ) ଆଦି ବିଷୟରେ ତଥ୍ୟ ପ୍ରଦାନ କରିବା । କୌଣସି ବିଷୟରେ, ଶୃଙ୍ଖଳିତ ଜ୍ଞାନ (Trained Skill)ପ୍ରଦାନ କରିବାହିଁ ତ ବିଜ୍ଞାନର ପରିଭାଷା (ଅର୍ଥ) । ତେବେ ଆଧ୍ୟାତ୍ମ୍ୟ ଓ ବିଜ୍ଞାନ ବିଷୟରେ ପାର୍ଥକ୍ୟ କେଉଁଠି ରହିଲା?  ଅପିତୁ ଏହା ସତ୍ୟଯେ ଉଭୟଙ୍କ ଲକ୍ଷ୍ୟ ଏକ ଅଟେ । ଏହାକୁ ଯଥାର୍ଥ ଭାବରେ ଏହିପରି ବ୍ୟକ୍ତ କରାଯାଇ ପାରେ; Sprit of science and science of Sprituality explore the same field, the field of human and Cosmic consciousness ଅର୍ଥାତ ବିଜ୍ଞାନର ମୂଳ ଭାବ ଏବଂ ଆଧ୍ୟାତ୍ମର ବିଜ୍ଞାନ-ଉଭୟଙ୍କ ଲକ୍ଷ୍ୟ ଗୋଟିଏ କ୍ଷେତ୍ରର ଅନ୍ୱେଷଣ ଅଟେ । ଏ ସୃଷ୍ଟିର ନିୟନ୍ତା କିଏ? ଜନ୍ମ ପରେ ମୃତ୍ୟୁ ଓ ମୃତ୍ୟୁ ପରେ ଜନ୍ମ-ଏହି ଆବାଗମନର ରହସ୍ୟ କ’ଣ? ଏହିସବୁ ପଛରେ ଥିବା ମେକାନିକଲ (Mechanical) ନିୟମ   କ’ଣ? ଅନ୍ୟ ଅର୍ଥରେ । କ’ଣ, କିଏ, କିପରି, କାହିଁକି-ଏହା ଜାଣିବାପାଇଁ ବୈଜ୍ଞାନିକମାନେ ପ୍ରୟାସ ରତ ଏବଂ ଏହି ପ୍ରଶ୍ନ ଜାଣିବା ପରେ ମାନବ ଯୋଗୀ ହୁଏ ।


ଖୁସିର କଥା ଯେ ଏହି ସତ୍ୟକୁ ଆଜିକାଲି ବୈଜ୍ଞାନିକମାନେ ମଧ୍ୟ ବୁଝିପାରିଲେଣି । ଏହା ଫଳରେ ସେମାନେ ମାନବ ବିକାଶ କ୍ରମର ଅନ୍ୱେଷଣ ସନ୍ଦର୍ଭରେ ଆଧ୍ୟାତ୍ମବାଦର ସାର୍ଥକତାକୁ ସ୍ବୀକାର କରିବା5 ସଙ୍ଗେ ସଙ୍ଗେ ସ୍ବୟଂ  ମଧ୍ୟ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେଉଛନ୍ତି । ପାଶ୍ଚାତ୍ୟ ତଥା ସୋଭିଏ ରାଷ୍ଟ୍ର ଭଳି ସମାଜବାଦୀ ଦେଶମାନଙ୍କରେ ମଧ୍ୟ ସଂପ୍ରତି ଆତ୍ମଜ୍ଞାନ ଏବଂ ଆତ୍ମାର ଅସ୍ତିତ୍ୱ  ସମ୍ପର୍କରେ ପରୀକ୍ଷଣ ହେଉଛି । ଏପରି ସ୍ଥଳେ ଆଧ୍ୟାତ୍ମବାଦକୁ ବିଜ୍ଞାନଠାରୁ ପୃଥକ ବା ଏହାର ବିରୋଧୀ ବୋଲି ମନେ କରିବା ବିଜ୍ଞାନ ସମ୍ମତ ନୁହେଁ । କେତେକ ସ୍ଥୂଳ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି କେବଳ ପ୍ରତ୍ୟକ୍ଷ ପ୍ରମାଣ ହୋଇ ପାରୁଥିବା ବିଷୟକୁ ସତ୍ୟ ମାନନ୍ତି । ସେମାନଙ୍କ ଦୃଷ୍ଟିରେ ଯାହା ନିରୀକ୍ଷଣ (Observation) । ଗଣନା (Calculation)ଏବଂ ପ୍ରୟୋଗର (Experiment) କଷଟି ପଥରରେ ପ୍ରମାଣିତ ହୋଇପାରେ ତାହାହିଁ କେବଳ ସତ୍ୟ । ଏକଥାରେ କାହାରି ଦ୍ୱିମତ ହେବ ନାହିଁ । କିନ୍ତୁ ଏହାକୁ ଆଧାର କରି ଆତ୍ମା ଓ ପରମାତ୍ମାଙ୍କ ଅସ୍ତିତ୍ୱ ଉପରେ ସେମାନେ ଯେଉଁ ନକାରାତ୍ମକ ଦୃଷ୍ଟିକୋଣ ଉପସ୍ଥାପନ କରନ୍ତି ତାହା ପ୍ରମାଦ ପୂର୍ଣ୍ଣ । ଯାହା ଆଖିକୁ ଦେଖାଯାଏ ନାହିଁ ବା  ଯାହା ବିଜ୍ଞାନାଗାରରେ ପରୀକ୍ଷଣ ହୋଇପାରେ ନାହିଁ ତାକୁ ମିଥ୍ୟା ବୋଲି କହିବା  ଯଥାର୍ଥ ନୁହେଁ । 


ଉପର୍ଯ୍ୟୁକ୍ତ ପ୍ରସଙ୍ଗରେ ଏକ ଉଦାହରଣ ପ୍ରଣିଧାନଯୋଗ୍ୟ । ଦୁଇଜଣ ବନ୍ଧୁ ଜ୍ଞାନ ଆହରଣ ପାଇଁ ବିଭିନ୍ନ ସ୍ଥାନ ପରି ଭ୍ରମଣରେ ବାହାରିଲେ । ଏକଦା ସେମାନେ ଗୋଟିଏ ପର୍ବତର ପାଦଦେଶ ଦେଇ ଯାଉଥାନ୍ତି । ଉଭୟଙ୍କ ମଧ୍ୟରୁ  ଜଣେ ପର୍ବତ ଉପରକୁ ଉଠି ସେଠାରେ କ’ଣ ଅଛି ଦେଖିବାକୁ ଇଚ୍ଛା ବ୍ୟକ୍ତ କଲେ ଅନ୍ୟ ଜଣକ ପର୍ବତାରୋହଣ ପାଇଁ ମନା କରିଦେଲେ । ପ୍ରଥମ ଜଣକ ବହୁତ କଷ୍ଟ  ସ୍ବୀକାର କରି ଶୀର୍ଷ ଦେଶରେ ପହଞ୍ଚିଲେ । ସେଠାରେ ସେ ଏକ ସୁନ୍ଦର ଫଳ-ପୁଷ୍ପ ଭରା ମନୋରମ ଉପବନ ତଥା କମଳ ପୁଷ୍ପ ସୁଶୋଭିତ ସୁଶୀତଳ ସ୍ବଚ୍ଛ ଜଳରେ ପରିପୂର୍ଣ୍ଣ ଏକ ହୃହତ୍ ଜଳାଶୟ ଦେଖିଲେ । ଦ୍ୱିତୀୟ ବ୍ୟକ୍ତି ଜଣକ ପର୍ବତର ନିମ୍ନ ଦେଶରେ ଥିବାରୁ ପ୍ରକୃତିର ସେହି ଅପୂର୍ବ ଦୃଶ୍ୟରାଜି ସନ୍ଦର୍ଶନରୁ ବଞ୍ଚିତ ହେଲେ । ତଳକୁ ଓହ୍ଲାଇ ଆସି ପ୍ରଥମ ବ୍ୟକ୍ତିଟି ଯେତେବେଳେ ତା’ର ଆଖି ଦେଖା କଥା ବର୍ଣ୍ଣନା କରିବ ସେତେବେଳେ ଦ୍ୱିତୀୟ ବ୍ୟକ୍ତିଟି ଏହାର ସତ୍ୟତା ଉପରେ କିପରି ବିଶ୍ୱାସ କରିବ? ଏହି କଥାର ବାସ୍ତବତାକୁ କିପରି ପ୍ରମାଣ ବା ପରୀକ୍ଷା କରାଯିବ? ଏଥିପାଇଁ ଦ୍ୱିତୀୟ ବ୍ୟକ୍ତି ପାଖରେ କେବଳ ଦୁଇଟି ବିକଳ୍ପ ରହିଛ । ପ୍ରଥମତଃ ସେ ପର୍ବତର ଶୀର୍ଷ ଦେଶରେ ପହଞ୍ଚି ସେହି ଦୃଶ୍ୟକୁ ପ୍ରତ୍ୟକ୍ଷ ଦର୍ଶନ କରିବ ।  ଦ୍ୱିତୀୟରେ ସାକ୍ଷାତ ଦର୍ଶନ କରି ଆସିଥିବା ନିଜ ସାଙ୍ଗର କଥାକୁ ବିଶ୍ୱାସ କରିବ । ଏ ଉଭୟରୁ କୌଣସି କଥା ନ କରି ଦ୍ୱିତୀୟ ବ୍ୟକ୍ତିଟି ଯଦି ପ୍ରତ୍ୟକ୍ଷ  ବିଦ୍ୟମାନ ଥିବା ଉକ୍ତ ଦୃଶ୍ୟର ଅସ୍ତିତ୍ୱକୁ ଅସ୍ବୀକାର ବା ଅବିଶ୍ୱାସ କରେ ତେବେ  ତାହା ତା’ର ହଠବାତୀତା ବ୍ୟତୀତ ଆଉ କ’ଣ ହୋଇପାରେ? ସେ ଅସ୍ବୀକାର କରିବା ଦ୍ୱାରା ତ ତାହା ଅସ୍ତିତ୍ୱହୀନ ହୋଇଯିବ ନାହିଁ । ସେହିପରି ଯେଉଁମାନେ ଆଧ୍ୟାତ୍ମିକତାର ଶୀର୍ଷଦେଶରେ ପହଞ୍ଚି ଯେଉଁ ସତ୍ୟ ଉପଲବ୍ଧ କରିଛନ୍ତି ତା’ହା ପ୍ରତ୍ୟକ୍ଷ କରିବା ପାଇଁ ଆମକୁ ସେମାନଙ୍କ ମାର୍ଗ ଅନୁସରଣ କରିବାକୁ ପଡିବ ଅଥବା ତାହା ବିଶ୍ୱାସ କରିବାକୁ ପଡିବ । ଏହା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।


ଆତ୍ମା; ଶରୀରଠାରୁ ଭିନ୍ନ ଏକ ଚୈତନ୍ୟ ସତ୍ତା ଓ ପରମାତ୍ମା; ପ୍ରକୃତିଠାରୁ ଭିନ୍ନ ଏକ ଚୈତନ୍ୟ ସତ୍ତା-ଏହିପରି ଏହି ଦୁଇ ଅଦୃଶ୍ୟ ସତ୍ତାର ଅସ୍ତିତ୍ୱ ପ୍ରତ୍ୟେକ ରାଜଯୋଗୀ ଅନୁଭବ କରନ୍ତି । ଏହି ଉଭୟ ସତ୍ତା ଚକ୍ଷୁ ଦ୍ୱାରା ଦୃଶ୍ୟ ହେଉ ନ ଥିବାରୁ ସେମାନଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରିବା ବା ସନ୍ଦେହ କରିବା ସମ୍ପୂର୍ଣ୍ଣ ହଠ ଧର୍ମ ଅଟେ । ଆମେ ଜାଣି ନାହୁଁ; ଦେଖି ପାରୁ ନାହୁଁ ବା ଅନୁଭବ କରି ପାରୁ ନାହୁଁ; ତେଣୁ ଏହା ମିଥ୍ୟା -ଏପରି କହିବା ବିଜ୍ଞାନ ସମ୍ମତ ନୁହେଁ । ଏହା ଅଜ୍ଞାନଡା ।  ରାଜଯୋଗ ଆଧ୍ୟାତ୍ମବାଦ ଉପରେ ପର୍ଯ୍ୟବସିତ ମନୋବିଜ୍ଞାନ ଅଟେ । ଯେପରି କୌଣସି ବୈଜ୍ଞାନିକ ସତ୍ୟକୁ ପ୍ରମାଣ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରାଯାଏ; ସେପରି ଆତ୍ମା, ପରମାତ୍ମା, ପରମଧାମ-ଏହି ଆଧ୍ୟାତ୍ମିକ ସତ୍ତାକୁ ଅନୁଭବ କରିବା ପାଇଁ ନିୟମିତ ରାଜଯୋଗ ଅଭ୍ୟାସ ପୂର୍ବକ କେତେକ ନୀତି ନିୟମର ପାଳନ ଏକାନ୍ତ ଅପରିହାର୍ଯ୍ୟ । ଯେକୌଣସି ବୈଜ୍ଞାନିକ ଉଦ୍ଭାବନ ପଛରେ ରହିଛି ସଂପୃକ୍ତ ବୈଜ୍ଞାନିକଙ୍କ କଠୋର ଅଧ୍ୟବସାୟ ଓ ଦୃଢ ମନୋବଳ । ଭାରତର ପ୍ରାଚୀନ ମୁନି ଋଷିମାନେ ମଧ୍ୟ ଜଣେ ଆଧ୍ୟାତ୍ମବାଦୀ ବୈଜ୍ଞାନିକ ଥିଲେ । ସେମାନେ ମଧ୍ୟ  କଠୋର ସାଧନା ଦ୍ୱାରା ଉଭୟ ଭୌତିକ ଓ ଆଧ୍ୟାତ୍ମ ଜଗତର ଯେଉଁ ସବୁ ରହସ୍ୟ  ଉନ୍ମୋଚନ କରିପାରିଛନ୍ତି ତାହା ଏବେ ଆଧୁନିକ ବିଜ୍ଞାନ ଦ୍ୱାରା ପ୍ରମାଣ ହେଉଛି । ତେଣୁ କେବଳ ଭୌତିକ ବିକାଶ ଦିଗରେ ତତ୍ପର ହେବା ବୈଜ୍ଞାନିକମାନଙ୍କର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ନୁହେଁ । ବିଜ୍ଞାନକୁ ଦୃଶ୍ୟ ଜଗତର ଚାରିକାନ୍ଥ ମଧ୍ୟରେ  ଆବଦ୍ଧ ନ ରଖି ସେମାନେ ଦୃଶ୍ୟାତୀତ ଜଗତର ଅଦୃଶ୍ୟ ସତ୍ତା ବିଷୟରେ ମଧ୍ୟ ଗବେଷଣା କରିବା ଉଚିତ । ଏଥିପାଇଁ ଆଧ୍ୟାତ୍ମ ଜ୍ଞାନ ହିଁ ସେମାନଙ୍କ ଏହି ଭଗୀରଥ ପ୍ରୟାସର ମାର୍ଗକୁ ପ୍ରଶସ୍ତ କରିବା


ବୈଜ୍ଞାନିକମାନେ ଆଧ୍ୟାତ୍ମବାଦୀ ହେବା ଉଚିତ । ଆଇନଷ୍ଟାଇନଙ୍କ ଅନୁସାରେ ଆଧ୍ୟାତ୍ମିକତା ବିନା ବିଜ୍ଞାନ ପଙ୍ଗୁ ଅଟେ । (Science without Spirituality is lame ) ବ୍ୟକ୍ତି ନିଜ ମଧ୍ୟରେ ଥିବା କାମ କ୍ରୋଧାଦି ମନୋବିକାର ଉପରେ ବିଜୟ ପ୍ରାପ୍ତ କରିବା ସମ୍ଭବ ନୁହେଁ । ଏହି ମନୋବିକାର ସମୂହହିଁ ସମସ୍ତ କଳହ, କ୍ଲେଶ ଓ ଅଶାନ୍ତିର ମୂଳ କାରଣ । ନିୟମିତ ରାଜଯୋଗ ଅଭ୍ୟାସ କରିବା ଦ୍ୱାରା ବ୍ୟକ୍ତି କ୍ରମଶଃ ମନୋବିକାରଗୁଡିକରୁ ମୁକ୍ତ ହୋଇ ଶାନ୍ତି ଈଶ୍ୱରୀୟ ଆଶିର୍ବାଦ ପ୍ରାପ୍ତ ହୁଏ । ବୈଜ୍ଞାନିକମାନେ ବିଜ୍ଞାନ ଶକ୍ତି (Science power) ପ୍ରକୃତି  (Nature)କୁ ନିୟନ୍ତ୍ରଣ କରିପାରୁଛନ୍ତି; କିନ୍ତୁ ସେମାନେ ଯଦି ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ (Spiritual power) ହେବେ ତେବେ ସ୍ବ ପ୍ରକୃତିକୁ ନିଜ ଅଧିନରେ ରଖି ପାରିବେ ।


ଆମକୁ ଏକଥା ସ୍ମରଣ ରଖିବାକୁ ହେବ ଯେ ଏପରି ଅନେକ ବିଷୟ ଅଛି ଯାହାକି ଆମେ ଇନ୍ଦ୍ରିୟ ସମୂହ ଦ୍ୱାରା ଅନୁଭବ କରି ପାରିବା ନାହିଁ । ସେଗୁଡିକୁ ଅନୁଭବ କରିବା ପାଇଁ ଅତି ମାନସ ଶକ୍ତିର ଆବଶ୍ୟକ । ଏହି ଶକ୍ତି ପ୍ରାପ୍ତ ପାଇଁ ମନରେ ଥିବା ସମସ୍ତ ପ୍ରକାର ମଇଳାକୁ (କାମକ୍ରୋଧାଦି) ଦୂର କରି ସ୍ବଚ୍ଛ କରିବାକୁ ପଡିବ । ଦର୍ପଣରେ ଧୂଳି ଜମିଥିଲେ ଯେପରି ଆମର ପ୍ରତିବିମ୍ବ ସ୍ପଷ୍ଟ ଦିଶେ ନାହିଁ ସେହିପରି ମନୋବିକାର ସମୂହ ଦ୍ୱାରା ଆଚ୍ଛାଦିତ ମନ ଇନ୍ଦ୍ରିୟାତୀତ ବା ଦୃଶ୍ୟାତୀତ (Metaphysical)  ବାସ୍ତବତାକୁ ଗ୍ରହଣ କରି ପାରେ ନାହିଁ । ଆତ୍ମା, ପରମାତ୍ମା ଓ ପରମଧାମ-ଏହି ତିନି ଅପାର୍ଥିବ ସତ୍ତା ଇନ୍ଦ୍ରିୟ ବର୍ହିଭୁତ ବିଷୟ । ଅଧ୍ୟାତ୍ମ ଜ୍ଞାନ ଅନୁସାରେ ଆତ୍ମା ଏକ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ସ୍ବରୂପ ଚୈତନ୍ୟ ସତ୍ତା । ପରମଧାମ; ପୃଥିବୀ, ଅନ୍ତରୀକ୍ଷ, ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣଠାରୁ ମଧ୍ୟ ଅନନ୍ତ ଦୂରରେ ଥିବା ଏକ ସୂକ୍ଷ୍ମ ରକ୍ତିମ ପ୍ରକାଶ ତତ୍ତ୍ବ । ଏହାକୁ ବୈଦିକ ଶାସ୍ତ୍ରରେ ବ୍ରହ୍ମ ମହତ୍ତତ୍ବ ବୋଲି କୁହାଯାଇଛି । ରାଜଯୋଗ ଦ୍ୱାରା ଅତିମାନସ ଶକ୍ତିର (ଆତ୍ମିକ ଶକ୍ତି) ବିକାଶ ହେଲେ ଏହି ସୂକ୍ଷ୍ମ ତତ୍ତ୍ବଗୁଡିକୁ ଜାଣିବା । ବୁଝିବା ଓ ଅନୁଭବ କରିବା ସହଜ ହୁଏ । ଏହା ଦ୍ୱାରା ବ୍ୟକ୍ତିର ଜୀବନ ସ୍ବଭାବିକ ହୁଏ ଓ ସେ ଚେତନାର ଉଚ୍ଚତମ ସୋପାନକୁ ଉନ୍ନୀତ ହୁଏ । ବିଜ୍ଞାନର ଚରମ ଉତ୍କର୍ଷତା ସତ୍ତ୍ବେ ମଧ୍ୟ ଆମେ ହିଂସା, ଦ୍ୱେଷ, ଆତଙ୍କବାଦ, ପ୍ରାକୃତିକ ବିପର୍ଯ୍ୟୟ, ଗୃହଯୁଦ୍ଧ ଆଦି ଅନେକ ସମସ୍ୟାବଳୀର ସମାଧାନ କରିବାକୁ ଅସମର୍ଥ । ଏହାର ମୂଳକାରଣ ଆଧ୍ୟାତ୍ମିକ ଜ୍ଞାନର ଅଭାବ ।


ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବିଜ୍ଞାନର ଦୁରୁପଯୋଗକୁ ରୋକାଯାଇ ପାରିବ । ଏହା ଦୃଶ୍ୟାତୀତ ବିଜ୍ଞାନର (Metaphysic) ନିୟମ ଏବଂ ମନର ଗଠନ ଓ ଧର୍ମ (Chemistry of mind) ବିଷୟରେ ସମ୍ୟକ ଧାରଣା ଦିଏ । ଏହାଦ୍ୱାରା ବ୍ୟକ୍ତି ମନକୁ ନିଜ ନିୟନ୍ତ୍ରଣରେ ରଖିପାରେ । ବିଜ୍ଞାନ ମନୁଷ୍ୟକୁ ଭୌତିକ ସୁଖ ସ୍ବାଚ୍ଛନ୍ଦ୍ୟର ଉପକରଣ ସହିତ ବିନାଶକାରୀ ମାରଣାସ୍ତ୍ରରେ ସମର୍ଥ କରିଛି । ଆଧ୍ୟାତ୍ମଜ୍ଞାନ ତାକୁ ଶାନ୍ତି ପ୍ରାପ୍ତିପାଇଁ ପରିଚାଳିତ କରିବ । ବୈଜ୍ଞାନିକମାନେ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କଲେ ବିଜ୍ଞାନ ଓ ଆଧ୍ୟାତ୍ମଜ୍ଞାନର ସମନ୍ୱୟ କରିପାରିବେ ଓ ସେମାନଙ୍କ ଗବେଷଣା ଏବଂ ପ୍ରୟୋଗ ଏକ ସୁଖମୟ ସଂସାର ନିର୍ମାଣ ପାଇଁ ଉଦ୍ଦିଷ୍ଟ ହେବ ।


ବିଜ୍ଞାନ ଓ ଆଧ୍ୟାତ୍ମ ସମ୍ବନ୍ଧରେ କେତେକ ବୈଜ୍ଞାନିକଙ୍କ ଚିନ୍ତାଧାର;-


୧) ବର୍ତ୍ତମାନ ପର୍ଯ୍ୟନ୍ତ ବିଜ୍ଞାନ ପ୍ରାକୃତିକ ଅନୁସନ୍ଧାନ ପର୍ଯ୍ୟନ୍ତ ସୀମିତି ରହିଛି । ବର୍ତ୍ତମାନ ସମୟ ଆସିଛି ଯେ ବିଜ୍ଞାନ ଶରୀର ଓ ଆତ୍ମା ମଧ୍ୟରେ ଥିବା ସମ୍ବନ୍ଧ ମଧ୍ୟରେ ଦୃଷ୍ଟିପାତ କରୁ ଏବଂ ଏହା ଉପରେ ଅନୁସନ୍ଧାନ କରୁ     (-ନିବିଲି, ଲଣ୍ଡନ) 


୨) ଦୈବୀ ଯୋଜନା ତଥା ସ୍ଥୂଳ ଦ୍ରବ୍ୟଗୁଡିକର ନିୟମ ବିଷୟରେ ଅଧିକ ଜାଣିବାକୁ ବିଜ୍ଞାନ ପ୍ରୟାସ କରିବା ଉଚିତ ।

- (ଡା. ବେଲିରିଓ, ଡାଇରେକ୍ଟର ବାୟୋଏନର୍ଜି ଫିଲଡ୍ ଲେବୋରେଟରୀ; ସାନ୍-ଫ୍ରାନସିସ୍କୋ)


୩) ବିଜ୍ଞାନ କେବଳ ସ୍ଥୂଳ ଜଗତ ବିଷୟରେ ସୂଚନା ଦେଉଛି; କିନ୍ତୁ ଶରୀରକୁ ପରିଚାଳିତ କରୁଥିବା ଶକ୍ତି (ଆତ୍ମା) ବିଷୟରେ କୌଣସି ତଥ୍ୟ ଦେଉ ନାହିଁ । ଏ ଶରୀରକୁ ପରିଚାଳିତ କରୁଥିବା ଶକ୍ତ କିଏ ତଥା ମାନସିକ ରୋଗ ସମୂହର ନିରାକରଣ ବିଷୟରେ ବିଜ୍ଞାନ ସ୍ପଷ୍ଟ ତଥ୍ୟ ପ୍ରଦାନ କରିବା  ଉଚିତ ।         (ଜୁଲିୟନ ବୋଲ୍ଜ୍, ବୈଜ୍ଞାନିକ, ଲଣ୍ଡନ)


୫) ବିଜ୍ଞାନ ବର୍ତ୍ତମାନର ପ୍ରକୃତିର ବିନାଶଲୀଳା ଘଟାଇବା ପାଇଁ ବେଶୀ ଧ୍ୟାନ ହେଉଛି । ହଜାର ହଜାର ବର୍ଷ ଧରି ଆଧ୍ୟାତ୍ମବାଦୀ ମନୁଷ୍ୟ ହୃଦୟଙ୍ଗମ କରିଆସିଥିବା ତଥ୍ୟ ବଳୀକୁ ବିଜ୍ଞାନ କେବଳ ସମାଧାନ କରୁଛି 

(ଡା-ୱାଲଟର ଫ୍ରେଙ୍କ୍, ପ.ଜର୍ମାନୀ) 


୬) ଅଧିକାଂଶ ମାନସିକ କ୍ରିୟା  ଅଚେତନ ମନ ଦ୍ୱାରା କ୍ରିୟାନ୍ୱିତ ହୁଏ । ଏହା ଆମର ବିଚାର ଅଟେ ।  କିନ୍ତୁ ଆମେ ଆମର ବିଚାର ଧାରା ପରିବର୍ତ୍ତନ କରିପାରିବା ।  ନିଜ ଉପରେ ତଥା ଅନ୍ୟମାନଙ୍କ ଉପରେ ଆମକୁ ବିଶ୍ୱାସ କରିବା ଶିଖିବାକୁ ହେବ । ଯାହା ମୋ ସହିତ ଘଟୁଛି ତା’ ପାଇଁ ମୁଁ ସ୍ବୟଂ ଦାୟୀ ଏବଂ ନିଜକୁ ଜାଣିବା ଓ ବୁଝିବା ମୋର ଇଚ୍ଛା ଅଟେ । ( -ଡା.ବିଲିୟନ ହର୍ମନ, ସାନଫ୍ରାନସିସ୍କୋ)


୭) ଆମକୁ ଆମ ନୈତିକ ଏବଂ ଆଧ୍ୟାତ୍ମିକ ପରିସରକୁ ଏପରି ବିଶାଳ କରିବାକୁ ହେବ ଯେପରି ସମାଜର ପ୍ରତ୍ୟେକ ପ୍ରାଣୀ କେବଳ ମାନବ ମୂଲ୍ୟର ବର୍ଣ୍ଣନା ନ କରି ଆଚରଣ କରିବେ ।

(ଡା: ଏଲ . ଏସ. ମାଥୁର, ଡାଇରେକ୍ଟର ଜେନେରାଲ (ଅବସରପ୍ରାପ୍ତ), (ଅବଜରବେଟି୍ର)

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🌸🌸🌸🌸🌸🌸🌸🌸🌸

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର