(୧୧)ଯୋଗ ସନ୍ଦେଶ- ଯୋଗ: ଏକ ଶ୍ରେଷ୍ଠ ଜୀବନ ପଦ୍ଧତି

🌹🌹🌹🌹🌹🌹🌹🌹🌹  

*ଯୋଗ ସନ୍ଦେଶ(୧୧)* 

🌺🌺🌺🌺🌺🌺🌺🌺🌺

ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

🌸🌸🌸🌸🌸🌸🌸🌸🌸

 *ଯୋଗ: ଏକ ଶ୍ରେଷ୍ଠ ଜୀବନ ପଦ୍ଧତି* 

🌷🌷🌷🌷🌷🌷🌷🌷🌷

ଏକ ନିର୍ଦ୍ଧିଷ୍ଟ ସମୟାବଧି ମଧ୍ୟରେ ସମ୍ପନ୍ନ ହେଉଥିବା କୌଣସି କ୍ରିୟା ସମ୍ପୂର୍ଣ୍ଣ ଯୋଗ ପଦବାଚ୍ୟ ନୁହେଁ । ଯୋଗ ହେଉଛି ଜୀବନ ପ୍ରତି ଏକ ବିଶେଷ ଦୃଷ୍ଟିକୋଣ ଓ. ଏକ ଶ୍ରେଷ୍ଠ ଜୀବନ ପଦ୍ଧତିର ନାମ । କାରଣ ଜଣେ ସାଧାରଣ ଭୋଗୀ ମନୁଷ୍ୟ ଅପେକ୍ଷା ଯୋଗୀର ଜୀବନ ଦିବ୍ୟ ଓ ଅଲୌକିକ ହୋଇଥାଏ । ଦିବ୍ୟ ଓ ଅଲୌକିକ ଜୀବନ ନିର୍ମାଣର କଳା ଓ ବିଧି-ବିଧାନ ମଧ୍ୟ ଯୋଗ ପର୍ଯ୍ୟାୟଭୁକ୍ତ । ଗୀତାରେ ଯୋଗୀର ଜୀବନକୁ ପଦ୍ମ ପତ୍ର ସହିତ ତୁଳନା କରାଯାଇଛି । ପଦ୍ମପତ୍ର ଯେପରି ଜଳରେ ରହି ମଧ୍ଯ ସିକ୍ତ ହୁଏ ନାହିଁ ସେହିପରି ଯୋଗୀ ସାଂସାରିକ ଜୀବନ ଯାପନ କରେ; କିନ୍ତୁ ସଂସାରର ସମସ୍ତ ପ୍ରକାର ଅଶୁଦ୍ଧିର ପ୍ରଭାବ ତା’ ଉପରେ ପଡେ ନାହିଁ । ପଦ୍ମର ଜନ୍ମ ପଙ୍କରୁ ହୋଇଥାଏ! କିନ୍ତୁ ଏହା ତା’ର ସୌନ୍ଦର୍ଯ୍ୟ ଓ ସୁଗଦ୍ଧି ଦ୍ୱାରା ଜନ ମନ ହରଣ କରିଥାଏ । ସାମ୍ପ୍ରତିକ କଳିଯୁଗୀୟ ତମୋଗୁଣୀ ସଂସାର ପଙ୍କ ସଦୃଶ ହିଁ ତ ଅଟେ । ଏହି ପଙ୍କିଳ ସଂସାରରୁ ଉଦ୍ଧ୍ୱର୍ଳୁ ଉଠି ଯେଉଁ ବ୍ୟକ୍ତି ଅନାସକ୍ତ ଓ ନିର୍ମଳ ଜୀବନ ଯାପନ କରେ ସେହିଁ ପ୍ରକୃତ ଯୋଗୀ । ସେ କାମ କ୍ରୋଧାଦି ମନୋବିକାର ସମୂହ ଦ୍ୱାରା ଦୂଷିତ ବାତାବରଣରୁ ନିଜକୁ ମୁକ୍ତ ରଖିବାର କଳା ଜାଣନ୍ତି ।


ଯୋଗର ଅନ୍ୟ ନାମ ଅନ୍ତରାବଲୋକନ । ସ୍ଥୂଳ ଚକ୍ଷୁ ଦ୍ୱାରା କେବଳ ସ୍ଥୂଳ ପଦାର୍ଥ ଦେଖି ହୁଏ । ସାଧାରଣ ମନୁଷ୍ୟ ଜାଣେ ନାହିଁ ଯେ ତା’ର ଏହି ନେତ୍ର ଦ୍ୱୟ ବ୍ୟତୀତ ଆଉ ଏକ ସୂକ୍ଷ୍ମ ନେତ୍ର ଅଛି । ଏହାକୁ ତୃତୀୟ ନେତ୍ର ବା ଅନ୍ତର୍ଦୃଷ୍ଟି କୁହାଯାଏ ଏହି ନେତ୍ର ଉନ୍ମୀଳନ ହେଲେ ତା’ର ଜୀବନର ପଥ ସ୍ପଷ୍ଟ ପ୍ରତିଭାତ ହୁଏ । ଏହି ନେତ୍ର ଦ୍ୱାରା ସେ ନିଜର ବାସ୍ତବିକ ସ୍ବରୂପ, ତା’ର ମୂଳ ନିବାସ ସ୍ଥାନ ଓ ତା’ର ପାରଲୌକିକ ପିତା ପରମାତ୍ମାଙ୍କୁ ଦର୍ଶନ କରିପାରେ । ଈଶ୍ୱରୀୟ ଜ୍ଞାନ ଦ୍ୱାରା ଏହି ନେତ୍ର ଖୋଲିଥାଏ । ତେଣୁ ଏହାକୁ ଜ୍ଞାନ-ନେତ୍ର ମଧ୍ୟ କୁହାଯାଇଥାଏ । ପରଂବ୍ରହ୍ମ ପରମାତ୍ମା ହେଉଛନ୍ତି ଜ୍ଞାନର ମହା ସମୁଦ୍ର । ଯିଏ ନିଜକୁ ଶରୀରଠାରୁ ପୃଥକ ଏକ ଚୈତନ୍ୟ ଆତ୍ମା ନିଶ୍ଚୟ ପୂର୍ବକ ମନ-ବୁଦ୍ଧିକୁ ନିରନ୍ତର ପରମାତ୍ମାଙ୍କ ସହିତ ଯୁକ୍ତ କରିବାର ଅଭ୍ୟାସ କରେ ତା’ର ଏହି ଜ୍ଞାନ-ନେତ୍ର ଖୋଲିଥାଏ । ଆତ୍ମା ପରି ପରମାତ୍ମା ମଧ୍ୟ ଅଶରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ମନୋମିଳନ ହୋଇପାରେ । ପରମାତ୍ମାଙ୍କ ସହିତ ମନୋମିଳନର ଅଭ୍ୟାସ କ୍ରିୟା ହେଉଛି ଯୋଗ । ଏହା ଦ୍ୱାରା ବ୍ୟକ୍ତିର, ବୃତ୍ତି, ସ୍ଥିତି ଓ କୃତି ଅଲୌକିକ ହୋଇଯାଏ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,