ଶ୍ରୀ ଭଗବାନୁବାଚ (୨) ତୃତୀୟ ଅଧ୍ୟାୟଃ କର୍ମ ଯୋଗଃ
ଶ୍ରୀ ଭଗବାନୁବାଚ
(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ)
ତୃତୀୟ ଅଧ୍ୟାୟଃ
କର୍ମ ଯୋଗଃ
ଅନୁବାଦ-ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ହେ ଅନଘ(ନିଷ୍ପାପ)! ଏହି ସଂସାରରେ ଦୁଇ ପ୍ରକାର ସାଧନା ମୋ ଦ୍ୱାରା ପୂର୍ବରୁ କଥିତ ହୋଇଛି ; ସାଂଖ୍ୟବାଦୀ ବା ଜ୍ଞାନୀମାନଙ୍କ ପାଇଁ ଜ୍ଞାନଯୋଗ (ଏବଂ) ଯୋଗାଭ୍ୟାସୀମାନଙ୍କ ପାଇଁ କର୍ମଯୋଗ ।ା୩ାା କର୍ମର ଅନୁଷ୍ଠାନ ନ କରି କେହି (ବ୍ୟକ୍ତି) ନିଷ୍କାମତା ପ୍ରାପ୍ତ ହୁଏ ନାହିଁ ଏବଂ କେବଳ କର୍ମ ତ୍ୟାଗ କରି (ଚିତ୍ତ ଶୁଦ୍ଧି ବିନା) ସଫଳତା ବା ସିିଦ୍ଧି ଲାଭ କରେ ନାହିଁ ।ା୪ ।ା କେହି କ୍ଷଣେ ସୁଦ୍ଧା କର୍ମ ନ କରି ରହିପାରେ ନାହିଁ; କାହିଁକି ନା ପ୍ରକୃତିଜାତ ଗୁଣ ଦ୍ୱାରା ପ୍ରେରିତ ହୋଇ ସମସ୍ତେ କର୍ମ କରିବାକୁ ବାଧ୍ୟ ହୁଅନ୍ତି ।ା୫ ।ା ଯିଏ କର୍ମେନ୍ଦ୍ରିମାନଙ୍କୁ ସଂଯମ କରି ମନରେ ଭୋଗ୍ୟ ବିଷୟ ସମୂହ ଚିନ୍ତନ କରି ରହୁଥାଏ ସେହି ମୂଢ଼(ମୁର୍ଖ) କପଟାଚାରୀ ବୋଲି କଥିତ ହୁଏ ।ା୬ାା ହେ ଅର୍ଜୁନ ! କିନ୍ତୁ ଯିଏ ମନରେ ଇନ୍ଦ୍ରିୟମାନଙ୍କୁ ସଂଯତ କରି ଅନାସକ୍ତ ହୋଇ କର୍ମେନ୍ଦ୍ରିୟମାନଙ୍କ ସାହାଯ୍ୟରେ କର୍ମଯୋଗ ଆରମ୍ଭ କରନ୍ତି ସେ ଶ୍ରେଷ୍ଠ ଅଟନ୍ତି ।ା୭ାା ତୁମେ ବିଧିସମ୍ମତ(ନିୟତମ୍) କର୍ମ କର, କାହିଁକି ନା କର୍ମ ନ କରିବା ଅପେକ୍ଷା କର୍ମ କରିବା ଶ୍ରେଷ୍ଠ ଅଟେ ; କର୍ମ ନ କଲେ ତୁମର ଶରୀର ନିର୍ବାହ ହୋଇ ପାରିବ ନାହିଁ ।ା୮ ।ା ଯଜ୍ଞ ନିମିତ୍ତ କର୍ମ କରିବାକୁ ହେବ । ଅନ୍ୟଥା ମନୁଷ୍ୟ କର୍ମ ବନ୍ଧନରେ ପଡେ । ହେ କୌନ୍ତେୟ ! ତୁମେ ଅନାସକ୍ତ ଭାବରେ ତାଙ୍କ(ପରମାତ୍ମା) ପାଇଁ କର୍ମ କର ।ା୯ାା ପୂର୍ବେ,କଳ୍ପ ଆରମ୍ଭରେ ପ୍ରଜାପିତା ବ୍ରହ୍ମା ଯଜ୍ଞ ସହିତ ପ୍ରଜା ସୃଷ୍ଟି କରି କହିଥିଲେ ; ଏହାଦ୍ୱାରା ବୃଦ୍ଧି ପ୍ରାପ୍ତ ହୁ୍ରଅ ;ଏହି ଯଜ୍ଞ ତୁମ୍ଭମାନଙ୍କର ଅଭୀଷ୍ଟ ମନୋବାଞ୍ଛା ପୂରଣକାରୀ ହେଉ ।ା୧୦ାା ଏହି ଯଜ୍ଞ ଦ୍ୱାରା ତୁମେ ଦେବତାମାନଙ୍କୁ ସମ୍ବର୍ଦ୍ଧିତ(ସନ୍ତୁଷ୍ଟ, ଖୁସି) କର,ସେହି ଦେବଗଣ ତୁମ୍ଭମାନଙ୍କୁ ସମ୍ବର୍ଦ୍ଧିତ କରନ୍ତୁ । ପରମାତ୍ମାଙ୍କୁ ସନ୍ତୁଷ୍ଟ କରି ଶ୍ରେଷ୍ଟ କଲ୍ୟାଣକାରୀ ଅଲୌକିକ ସମୃଦ୍ଧି(ପରମ କଲ୍ୟାଣ) ପ୍ରାପ୍ତ ହେବ ।ା୧୧ାା ଦେବତାମାନେ ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ବାଞ୍ଛିତ ଭୋଗ୍ୟବସ୍ତୁ ସମୂହ ତୁମ୍ଭମାନଙ୍କୁ ପ୍ରଦାନ କରିବେ । ସେମାନଙ୍କ ଦ୍ୱାରା ପ୍ରଦତ୍ତ ଭୋଗ୍ୟ ପଦାର୍ଥ ସେମାନଙ୍କୁ ନ ଦେଇ ଯିଏ ଭୋଗ କରେ ସେ ନିଶ୍ଚୟ ହିଁ ଚୋର ।ା୧୨ାା ଯଜ୍ଞାବଶେଷ ଭୋଜନକାରୀ ଜ୍ଞାନୀ ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହୁଅନ୍ତି । କିନ୍ତୁ ଯିଏ ନିଜ ପାଇଁ ଅନ୍ନ ପାକ କରେ ସେହି ପାପୀମାନେ ପାପ ଭୋଜନ କରନ୍ତି ।ା୧୩ ।ା ଅନ୍ନରୁ ପ୍ରାଣୀଗଣ ଉତ୍ପନ୍ନ ହୁଅନ୍ତି । ବର୍ଷାରୁ ଅନ୍ନର ଉତ୍ପତ୍ତି ହୁଏ ଯଜ୍ଞରୁ ବର୍ଷା ଉତ୍ପନ୍ନ ହୁଏ; କର୍ମରୁ ଯଜ୍ଞର ଉତ୍ପତ୍ତି ହୁଏ ।ା୧୪ ।ା କର୍ମକୁ ବ୍ରହ୍ମରୁ ଉତ୍ପତ୍ତି ବୋଲି ଜାଣ । ବ୍ରହ୍ମ ଅକ୍ଷର ପରମାତ୍ମାଙ୍କଠାରୁ ଉତ୍ପନ୍ନ, ତେଣୁ ସମସ୍ତ ଭୂତ ପ୍ରାଣୀରେ ଅବସ୍ଥିତ ଆତ୍ମା ସଦା ସର୍ବଦା ଯଜ୍ଞରେ ପ୍ରତିଷ୍ଠିତ ହୋଇଛନ୍ତି ।ା୧୫ାା ହେ ପାର୍ଥ ! ଯିଏ ଏହି ପ୍ରକାରେ ପ୍ରବର୍ତ୍ତିତ ଚକ୍ର ଏହି ଲୋକରେ ଅନୁସରଣ କରେ ନାହିଁ; ସେହି ପାପୀ ଓ ଇନ୍ଦ୍ରିୟାସକ୍ତ ବ୍ୟକ୍ତି ବୃଥା ଜୀବନ ଧାରଣ କରେ ।ା୧୬ ।ା ଯେଉଁ ମନୁଷ୍ୟ ଆତ୍ମାରେ ହିଁ ପ୍ରୀତ, ଆତ୍ମାରେ ହିଁ ପରିତୃପ୍ତ, ଆତ୍ମାରେ ହିଁ ସନ୍ତୁଷ୍ଟ ହୁଏ ତାହାର କର୍ମ ରହେ ନାହିଁ ।ା୧୭ାା ଏହି ଜଗତରେ କର୍ମାନୁଷ୍ଠାନ ଦ୍ୱାରା ତା'ର ପ୍ରୟୋଜନ ନାହିଁ; କର୍ମ ନ କରିବାର କୌଣସି ପ୍ରୟୋଜନ ନାହିଁ; ସର୍ବ ଭୂତରେ ଏହାର କୌଣସି ପ୍ରୟୋଜନୀୟ ସମ୍ବନ୍ଧ ନାହିଁ ; ନିର୍ଭରଶୀଳ ହେବାର ଆବଶ୍ୟକତା ନାହିଁ ।ା୧୮ାା ତେଣୁ ଅନାସକ୍ତ ଭାବରେ ସର୍ବଦା କର୍ତ୍ତବ୍ଯ କର୍ମ କର । (ଯେହେତୁ) ମନୁଷ୍ୟ ଅନାସକ୍ତ ହୋଇ କର୍ମ କଲେ ଶ୍ରେଷ୍ଠ ପଦ ପ୍ରାପ୍ତ ହୁଏ ।ା୧୯ ।ା ଜନକାଦି ମହାତ୍ମାମାନେ କର୍ମାନୁଷ୍ଠାନ ଦ୍ୱାରାହିଁ ପୂର୍ଣ୍ଣ ସିଦ୍ଧି ଲାଭ କରିଥିଲେ । ତୁମେ ମଧ୍ୟ ଲୋକ ସଂଗ୍ରହକୁ ଦୃଷ୍ଟିରେ ରଖି କର୍ମ କରିବା ଉଚିତ ।ା୨୦ ।ା ଶ୍ରେଷ୍ଠ ବ୍ୟକ୍ତି ଯାହା ଆଚରଣ କରନ୍ତି ସାଧାରଣ ଲୋକେ ତାହା ଅନୁସରଣ କରନ୍ତି ।ା୨୧ାା ହେ ପାର୍ଥ ! ତ୍ରିଲୋକ ମଧ୍ୟରେ ମୋର କୌଣସି କର୍ତ୍ତବ୍ଯ ନାହିଁ, ଅପ୍ରାପ୍ତ ପ୍ରାପ୍ତବ୍ୟ ନାହିଁ; ତଥାପି ମୁଁ କର୍ମରେ ବ୍ୟାପୃତ ରହିଛି ।ା୨୨ାା ହେ ପାର୍ଥ ! କାରଣ ଯଦି ମୁଁ ଆଳସ୍ୟ ରହିତ ହୋଇ କଦାଚିତ କର୍ମ ପଥରେ ପ୍ରବୃତ୍ତ ହେବି ନାହିଁ , ମନୁଷ୍ୟମାନେ ମଧ୍ୟ ସବୁ ପ୍ରକାରେ ମୋ'ରି କଥା ଅନୁସରଣ କରିବେ ।ା୨୩ାା ଯଦି ମୁଁ କର୍ମ ନ କରେ ତାହାହେଲେ ଏହି ଲୋକ ସମୂହ ଧ୍ୱଂସ ମୁଖରେ ପତିତ ହେବେ ଏବଂ ମୁଁ ବିଶୃଙ୍ଖଳାର ସ୍ରଷ୍ଟା ହୋଇଯିବି ଏବଂ ଏହି ପ୍ରଜାମାନଙ୍କ ବିନାଶର କାରଣ ହେବି ।ା୨୪ ।ା ହେ ଭାରତ! କର୍ମଫଳରେ ଆସକ୍ତ ହୋଇ ଅଜ୍ଞାନ ବ୍ୟକ୍ତିମାନେ ଯେପରି କର୍ମ କରନ୍ତି; ଜ୍ଞାନୀ ବ୍ୟକ୍ତି ଆସକ୍ତି ଶୂନ୍ୟ ହୋଇ ଲୋକ ସଂଗ୍ରହ (ଶିକ୍ଷା) ଉଦ୍ଦେଶ୍ଯରେ ସେହିପରି କର୍ମ କରିବା ଉଚିତ ।ା୨୫ାା କର୍ମଫଳାସକ୍ତ ଅଜ୍ଞାନୀ ବ୍ୟକ୍ତିଙ୍କର ବୁଦ୍ଧିକୁ ବିଚଳିତ କରାଇବା ଉଚିତ ନୁହେଁ; ଜ୍ଞାନୀ ବ୍ୟକ୍ତି ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ହୋଇ ସଂସାରରେ ପ୍ରୟୋଜନୀୟ ଯାବତୀୟ କର୍ମ ସମ୍ୟକ ଅନୁଷ୍ଠାନ କରି ସେମାନଙ୍କୁ କର୍ମ ମାର୍ଗରେ ପ୍ରବୃତ୍ତ କରିବେ ।ା୨୬ାା ପ୍ରକୃତିର ଗୁଣ ଦ୍ୱାରା ସମସ୍ତ କର୍ମ ସଂପନ୍ନ ହୁଏ; କିନ୍ତୁ ଅହଙ୍କାର ଦ୍ୱାରା ବିଭ୍ରାନ୍ତ ବ୍ୟକ୍ତି "ମୁଁ କର୍ତ୍ତା'' ଏପରି ମନେ କରେ ।ା୨୭ାା କିନ୍ତୁ ହେ ମହାବାହୁ ! ଗୁଣ ବିଭାଗ ଓ କର୍ମ ବିଭାଗ ମଧ୍ୟରେ ତତ୍ତ୍ବ ଜ୍ଞାନୀ""ଗୁଣ ଗୁଡିକ ଗୁଣଗୁଡିକରେ ପ୍ରବୃତ୍ତ ରହିଅଛି ''-(ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନ ସମ୍ପାଦିତ ହେଉଛି ) ଏହା ଜାଣି ଆସକ୍ତି ଦ୍ୱାରା ସେଥିରେ ବାନ୍ଧି ହୁଅନ୍ତି ନାହିଁ ।ା୨୮ାା ପ୍ରକୃତିର ଗୁଣରେ ବିମୋହିତ ମନୁଷ୍ୟମାନେ ଗୁଣର କର୍ମରେ ଆସକ୍ତ ହୋଇ ପଡନ୍ତି; ପ୍ରକୃତ ଜ୍ଞାନୀବ୍ୟକ୍ତି ସେହି ସମସ୍ତ ଜ୍ଞାନ ରହିତ କ୍ଷୁଦ୍ର ବୁଦ୍ଧି ସମ୍ପନ୍ନ ମନୁଷ୍ୟମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।ା୨୯ାା ନିଜକୁ ଆତ୍ମା ମନେ କରି ବା ଚେତନାକୁ ଆତ୍ମାରେ କେନ୍ଦ୍ରିତ କରି(ଆଧ୍ୟାତ୍ମଚେତସା) ମୋତେ ସମସ୍ତ କର୍ମ ଅର୍ପଣ କରି ନିଷ୍କାମ ଓ ଅହଂଭାବଶୂନ୍ୟ ହୋଇ ତଥା ଆନ୍ତରିକ ସନ୍ତାପରୁ ମୁକ୍ତ ହୋଇ(ବିଗତ ଜ୍ୱରଃ) ଯୁଦ୍ଧ କର ।ା୩୦ାାଯେଉଁ ବ୍ୟକ୍ତି ଶ୍ରଦ୍ଧା ସହକାରେ ଦୋଷ ଦୃଷ୍ଟି ବର୍ଜିତ ହୋଇ ମୋର ଏହି ମତ ସର୍ବଦା ନିୟମିତ ଭାବରେ ଅନୁସରଣ କରନ୍ତି ସେମାନେ ମଧ୍ୟ କର୍ମ ବନ୍ଧନରୁ ମୁକ୍ତ ହୁଅନ୍ତି । କିନ୍ତୁ ଯେଉଁମାନେ ଦୋଷଦୃଷ୍ଟି ହେତୁ ମୋର ଏହି ମତ ଅନୁସରଣ କରନ୍ତି ନାହିଁ ସେମାନଙ୍କୁ ମୂର୍ଖ,ସର୍ବଜ୍ଞାନ ବିମୂଢ଼, ନଷ୍ଟ ଅର୍ଥାତ୍ ଆତ୍ମ କଲ୍ୟାଣ ମାର୍ଗରୁ ଭ୍ରଷ୍ଟ ବୋଲି ଜାଣ ।ା୩/୩୧-୩୨ ।ାଏହା କାମ,ଏହା କ୍ରୋଧ, ଏହା ରଜୋଗୁଣରୁ ଉତ୍ପନ୍ନ; ସର୍ବଗ୍ରାସୀ ଅତ୍ୟନ୍ତ ପାପପୂର୍ଣ୍ଣ; ଏହି ସଂସାରରେ ଏହାକୁ ମହାଶତ୍ରୁ ବୋଲି ଜାଣ ।ା୩୭ ।ା ଯେପରି ଅଗ୍ନି ଧୂଆଁ ଦ୍ୱାରା ଆବୃତ୍ତ ହୋଇଥାଏ, ଦର୍ପଣ ମଇଳା ଦ୍ୱାରା ଆବୃତ୍ତ ହୁଏ ଓ ଜରାୟୁ ଦ୍ୱାରା ଗର୍ଭ ଆବୃତ୍ତ ହୁଏ, ସେହିପରି ସେହି କାମ ଦ୍ୱାରା ଏହି ଜ୍ଞାନ ଆବୃତ୍ତ ହୁଏ ।ା୩୮ାା ହେ କୌନ୍ତେୟ ! ଜ୍ଞାନୀର ଚିର ଶତ୍ରୁ ଏହି କାମରୂପ ଆଦୌ ସନ୍ତୁଷ୍ଟ ହେଉ ନଥିବା ଅଗ୍ନି ଦ୍ୱାରା ଜ୍ଞାନ ଆବୃତ୍ତ ହୋଇଥାଏ ।ା୩୯ ।ା ଇନ୍ଦ୍ରିୟ ସମୂହ,ମନ ଓ ବୁଦ୍ଧି ଏହି କାମର ଆଶ୍ରୟ ସ୍ଥଳ ବୋଲି କଥିତ ହୁଏ ;ଏହି କାମ ଏମାନଙ୍କ ଦ୍ୱାରା ଜ୍ଞାନକୁ ଆବୃତ୍ତ କରି ଜୀବାତ୍ମାକୁ ବିମୋହିତ କରେ ।ା୪୦ାା ହେ ଭାରତ ଶ୍ରେଷ୍ଠ ! ତେଣୁ ତୁମେ ପ୍ରଥମେ ଇନ୍ଦ୍ରିୟମାନଙ୍କୁ ସଂଯତ କରି ଜ୍ଞାନ ବିଜ୍ଞାନର ନାଶକାରୀ ପାପ ସ୍ୱରୂପ ଏହି କାମକୁ ବିନଷ୍ଟ କର ।ା୪୧ ।ା ଇନ୍ଦ୍ରିୟଗୁଡିକୁ ବିଷୟ ଭୋଗଠାରୁ ଶ୍ରେଷ୍ଠ ବୋଲି କୁହାଯାଏ; ଇନ୍ଦ୍ରିୟମାନଙ୍କଠାରୁ ମନ ଶ୍ରେଷ୍ଠ; ମନଠାରୁ ବୁଦ୍ଧି ଶ୍ରେଷ୍ଠ । ଯିଏ ବୁଦ୍ଧିର ଉପରେ ସେହିଁ ଚୈତନ୍ୟ ସ୍ୱରୂପ ଆତ୍ମା ।ା୪୨ ।ା ଏହିପରି ବୁଦ୍ଧିର ଉର୍ଦ୍ଧରେ ଥିବା ଆତ୍ମାକୁ ଜାଣି ଆତ୍ମା ଦ୍ୱାରା ଆତ୍ମାକୁ ନିଶ୍ଚୟ କରି କାମ ରୂପ ଦୁର୍ଜେୟ ଶତ୍ରୁକୁ ବିନାଶ କର ।ା୪୩ାା
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
Comments
Post a Comment