ଶ୍ରୀ ଭଗବାନୁବାଚ (3)-- ଚତୁର୍ଥ ଅଧ୍ୟାୟଃ- ଜ୍ଞାନ ଯୋଗଃ
ଶ୍ରୀ ଭଗବାନୁବାଚ (3)
(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ)
ଚତୁର୍ଥ ଅଧ୍ୟାୟଃ
ଜ୍ଞାନ ଯୋଗଃ
ଅନୁବାଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
""ହେ ଅର୍ଜୁନ ! ମୋର ଏବଂ ତୁମର ମଧ୍ୟ ବହୁ ଜନ୍ମ ବ୍ୟତୀତ ହୋଇଛି ; ମୁଁ ସେହି ସବୁ ଜାଣେ; କିନ୍ତୁ ତୁମେ ଜାଣ ନାହିଁ ।ା୫ାା ମୁଁ ଜନ୍ମରହିତ ଅବିନଶ୍ୱର ସ୍ୱପ୍ରତିଷ୍ଠ ସତ୍ତା ହୋଇ ମଧ୍ୟ ଓ ସର୍ବ ଭୂତର ଅଧୀଶ୍ୱର ହୋଇ ମଧ୍ୟ ନିଜ ପ୍ରକୃତିକୁ ନିୟନ୍ତ୍ରିତ କରି ନିଜ ମାୟା ଦ୍ୱାରା ଆର୍ବିଭୂତ ହୋଇଥାଏଁ ।ା୬ାା ହେ ଭାରତ ! ଯେଉଁ ଯେଉଁ ସମୟରେ ଧର୍ମର ହାନି ଏବଂ ଅଧର୍ମର ବୃଦ୍ଧି ହୁଏ ସେହି ସମୟରେ ର୍ମୁଁ ନିଜକୁ ପ୍ରକଟ କରେଁ ।ା୭ାା ସାଧୁମାନଙ୍କର ରକ୍ଷା ପାଇଁ, ପାପୀମାନଙ୍କର ବିନାଶ ପାଇଁ ଏବଂ ଧର୍ମ ସଂସ୍ଥାପନ ପାଇଁ ମୁଁ ଯୁଗେ ଯୁଗେ ଅବତୀର୍ଣ୍ଣ ହୁଏ ।ା୮ାା ହେ ଅର୍ଜୁନ ! ଯିଏ ମୋର ଏହି ପ୍ରକାରେ ଦିବ୍ୟ ଜନ୍ମ ଓ କର୍ମ ସ୍ୱରୂପ ଜାଣେ,ସେ ଦେହ ତ୍ୟାଗ କରି ପୁନର୍ବାର ଜନ୍ମ ପ୍ରାପ୍ତ ହୁଏ ନାହିଁ; ପରନ୍ତୁ ମୋତେ ହିଁ ପ୍ରାପ୍ତ ହୁଏ ।ା୯ାା ଆସକ୍ତି, ଭୟ ଓ କ୍ରୋଧ ବର୍ଜିତ ମୋଠାରେ ଏକ ଚିତ୍ତ ମୋତେ ଆଶ୍ରୟ କରି ଅନେକ ଜ୍ଞାନ ଓ ତପସ୍ୟା ଦ୍ୱାରା ପବିତ୍ର ହୋଇ ମୋର ଭଗବତ୍ ସତ୍ତା, ଭଗବତ୍ ପ୍ରକୃତି ଲାଭ କରିଛନ୍ତି ।ା୧୦ ।ା ଯିଏ ଯେଉଁ ଭାବେ ମୋ ନିକଟକୁ ଆସେ ମୁଁ ତାଙ୍କୁ ସେହି ଭାବରେ ହିଁ ମୋ ପ୍ରେମରେ ଗ୍ରହଣ କରେ ; ହେ ପାର୍ଥ ! ମନୁଷ୍ୟଗଣ ସର୍ବ ପ୍ରକାରେ ମୋରି ପଥ ଅନୁସରଣ କରନ୍ତି ।ା୧୧ାା ଏହି ଲୋକରେ କର୍ମ ସମୂହର ସଫଳତା ଆକାଙ୍କ୍ଷାକାରୀ ବ୍ୟକ୍ତିଗଣ ଦେବଗଣଙ୍କ ଉଦ୍ଦେଶ୍ଯରେ ଯଜ୍ଞ କରନ୍ତି। କର୍ମ ଜନିତ ସିଦ୍ଧିଲାଭ ଶୀଘ୍ର ହିଁ ହୁଏ ।ା୧୨ାା ମୋ ଦ୍ୱାରା ଗୁଣ ଓ କର୍ମର ବିଭାଗ ଅନୁସାରେ ବ୍ରାହ୍ମଣାଦି ଚାରିବର୍ଣ୍ଣ ସୃଷ୍ଟି ହୋଇଛି । ତା'ର କର୍ତ୍ତା ହେଲେ ହେଁ ମୋତେ ଅବିନାଶୀ ଅକର୍ତ୍ତା ବୋଲି ଜାଣ ।ା୧୩ାା କର୍ମ ସମୂହ ମୋତେ ଲିପ୍ତ କରେ ନାହିଁ ; କର୍ମ ଫଳରେ ମୋର ବାସନା ନାହିଁ ; ଏହି ରୂପେ ଯିଏ, ମୋତେ ଜାଣନ୍ତି ସେ କର୍ମ ସମୂହ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ ।ା୧୪ାା ଏହିପରି ଜାଣି ପ୍ରାଚୀନ ମୁକ୍ତିକାମୀ ଗଣ ମଧ୍ୟ କର୍ମ ଅନୁଷ୍ଠାନ କରିଥିଲେ ; ଅତଏବ ତୁମେ ପରବର୍ତ୍ତୀ ମନିଷୀମାନଙ୍କ ପରି କର୍ମ କର ।ା୧୫ାା କର୍ମ କ'ଣ ? ଅକର୍ମ କଣ?ଏହି ବିଷୟରେ ଜ୍ଞାନୀ ବ୍ୟକ୍ତିଗଣ ମଧ୍ୟ ବିମୂଢ଼ ଓ ବିଭ୍ରାନ୍ତ ହୁଅନ୍ତି । ମୁଁ ତୋତେ ସେହି କର୍ମ କହିବି ଯାହା ଜାଣି ତୁ ସମସ୍ତ ଅମଙ୍ଗଳରୁ ମୁକ୍ତ ହେବୁ ।ା୧୬ ।ା ଅକର୍ମର ସ୍ୱରୂପ ବୁଝିବାକୁ ହେବ କାରଣ କର୍ମର ଗତି ଅତି ଗହନ ଅଟେ ।ା୧୭ାା ଯିଏ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ ଯିଏ କର୍ମ ଦର୍ଶନ କରେ ସେ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତ ବୁଦ୍ଧିମାନ ଓ ବିବେକୀ ପୁରୁଷ । ସେ ଯୋଗଯୁକ୍ତ ହୋଇ ସମସ୍ତ କର୍ମ କରେ ।ା୧୮ ।ା ବାସନାଶୂନ୍ୟ ଓ ଜ୍ଞାନରୂପ ଅଗ୍ନି ଦ୍ୱାରା ଯାହାର ସମସ୍ତ କର୍ମ ଦଗ୍ଧ ହୋଇଛି ଜ୍ଞାନୀଗଣ ଏହିପରି ବ୍ୟକ୍ତିଙ୍କୁ ପଣ୍ଡିତ କହନ୍ତି ।ା୧୯ ।ା ସେ କର୍ମଫଳରେ ଆସକ୍ତି ତ୍ୟାଗ ପୂର୍ବକ ସର୍ବଦା ଆତ୍ମାରେ ତୁଷ୍ଟ ରହନ୍ତି କାହାରି ଉପରେ ନିର୍ଭର ନ କରି କର୍ମରେ ସମ୍ୟକ ରୂପେ ପ୍ରବୃତ୍ତ ହେଲେ ମଧ୍ୟ କିଛିହିଁ କରନ୍ତି ନାହିଁ ।ା୨୦ାା ନିଷ୍କାମ ସଂଯମଶୀଳ ସମସ୍ତ ପ୍ରକାର ପରିଗ୍ରହ ତ୍ୟାଗୀ ପୁରୁଷ କେବଳ ମାତ୍ର ଶାରୀରିକ କର୍ମ କରି ପାପ ପ୍ରାପ୍ତ ହୁଅନ୍ତି ନାହିଁ ।ା୨୧ାା ଆପଣା ନିକଟରୁ ଯେଉଁ ଲାଭ ଆସେ ସେଥିରେ ହିଁ ପରିତୁଷ୍ଟ ହର୍ଷଶୋକାଦି ଦ୍ୱନ୍ଦର ଅତୀତ ବୈରଭାବ ଶୂନ୍ୟ,ସିଦ୍ଧି ଓ ଅସିଦ୍ଧିରେ ସମଭାବାପନ୍ନ ପୁରୁଷ କର୍ମ କରି ମଧ୍ୟ ବନ୍ଧନ ପ୍ରାପ୍ତ ହୁଅନ୍ତି ନାହିଁ ।ା୨୨ାା ଆସକ୍ତିଶୂନ୍ୟ, ମୁକ୍ତ, ଆତ୍ମଜ୍ଞାନରେ ସୁପ୍ରତିଷ୍ଠିତ, ଯଜ୍ଞ ପାଇଁ କର୍ମାନୁଷ୍ଠାନକାରୀ ବ୍ୟକ୍ତିର ସମସ୍ତ କର୍ମ ବିଲୀନ ହୋଇଯାଏ ।ା୨୩ାା ଆହୁତି ପାଇଁ ବ୍ୟବହୃତ ଶ୍ରୁବାଦି ବ୍ରହ୍ମ, ଘୃତ ବ୍ରହ୍ମ ବ୍ରହ୍ମରୂପ ଅଗ୍ନିରେ ବ୍ରହ୍ମଦ୍ୱାରା ହୋମ କରିଥାନ୍ତି; ବ୍ରହ୍ମରୂପ କର୍ମରେ ସମାଧିସ୍ଥ ସେଇ ବ୍ୟକ୍ତି ଦ୍ୱାରା ବ୍ରହ୍ମହିଁ ଲକ୍ଷ୍ୟ ହୁଅନ୍ତି ।ା୨୪ ।ାକେହି କେହି ଯୋଗୀମାନେ ଦୈବ ଯଜ୍ଞହିଁ ଅନୁଷ୍ଠାନ କରନ୍ତି ; ଅନ୍ୟ କେହି କେହି ବ୍ରହ୍ମରୂପ ଅଗ୍ନିରେ ଯଜ୍ଞର ଦ୍ୱାରା ହିଁ ଯଜ୍ଞକୁ ଅର୍ପଣ କରନ୍ତି ।ା୨୫ାା ଅନ୍ୟ କେହି ଚକ୍ଷୁ କର୍ଣ୍ଣାଦି ଇନ୍ଦ୍ରିୟଗଣକୁ ସଂଯମରୂପ ଅଗ୍ନିରେ ଆହୁତି ଦିଅନ୍ତି ; ଅନ୍ୟାନ୍ୟ ଲୋକେ ଶବ୍ଦାଦି ବିଷୟ ସମୂହକୁ ଇନ୍ଦ୍ରିୟ ମାନଙ୍କ କର୍ମ ଓ ପ୍ରାଣ ଶକ୍ତିର କର୍ମ ଜ୍ଞାନ କର୍ତ୍ତୁକ ପ୍ରଦୀପିତ ଆତ୍ମ ସଂଯମରୂପ ଅଗ୍ନିରେ ହୋମ କରିଥାନ୍ତି ।ା୨୭ାା କେହି କେହି ବ୍ୟକ୍ତି ଦ୍ରବ୍ୟ ଯଜ୍ଞ ପରାୟଣ,ତପୋଯଜ୍ଞ ପରାୟଣ,ଯୋଗ ଯଜ୍ଞ ପରାୟଣ ହୁଅନ୍ତି । ଆଉ ମଧ୍ୟ ଅନ୍ୟାନ୍ୟ ଯୋଗୀଗଣ ଅପାନ ବାୟୁରେ ପ୍ରାଣକୁ; ପ୍ରାଣ ବାୟୁରେ ଅପାନ ବାୟୁକୁ ହୋମ କରନ୍ତି; ଅନ୍ୟ କେହି କେହି ପ୍ରାଣ ଓ ଅପାନର ଗତିରୋଧ ପୂର୍ବକ ପ୍ରାଣାୟମ ପରାୟଣ ହୋଇଥାନ୍ତି ।ା୨୯ାା ଅନ୍ୟ କେହି କେହି ପରିମିତାହାରୀ ହୋଇ ପ୍ରାଣବାୟୁ ସମୂହକୁ ପ୍ରାଣବାୟୁରେ ହୋମ କରନ୍ତି; ଏହି ସମସ୍ତ ଯଜ୍ଞକର୍ତ୍ତାଗଣ ଯଜ୍ଞ ଦ୍ୱାରା ନିଷ୍ପାପ ହୁଅନ୍ତି ।ା୩୦ାା ଅମୃତ ସ୍ୱରୂପ ଯଜ୍ଞଶେଷ ଭୋଜନକାରୀ ବ୍ୟକ୍ତିଗଣ ସନାତନ ବ୍ରହ୍ମଙ୍କୁ ବା ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି । ହେ କୁରୁଶ୍ରେଷ୍ଠ ଅର୍ଜୁନ ! ଯଜ୍ଞାନୁଷ୍ଠାନହୀନ ପୁରୁଷର ଏହି ଲୋକହିଁ ନାହିଁ; ପରଲୋକ କଥା କ'ଣ ବା କହିବା ? ।ା୩୧ାା ଏହି ପରି ଅନେକ ପ୍ରକାର ଯଜ୍ଞ ବ୍ରହ୍ମାଙ୍କ ମୁଖରେ ବିସ୍ତୃତ ହୋଇଛି । ସେହି ସବୁକୁ କର୍ମରୁ ଉଦ୍ଭୂତ ବୋଲି ଜାଣ । ଏହିପରି ଜାଣି ମୁକ୍ତିଲାଭ କରିବ ।ା୩୨ାା ହେ ପରନ୍ତପ ! ଦ୍ରବ୍ୟ ସାଧିତ ଯଜ୍ଞ ଅପେକ୍ଷା ଜ୍ଞାନରୂପ ଯଜ୍ଞ ଶ୍ରେଷ୍ଠ । ହେ ପାର୍ଥ ! ନିରବଶେଷ ସମସ୍ତ କର୍ମ ଜ୍ଞାନରେ ପରିସମାପ୍ତ ହୁଏ ।ା୩୩ାା- ପ୍ରମାଣ ଦ୍ୱାରା; ପ୍ରଶ୍ନ ଦ୍ୱାରା ଓ ସେବା ଦ୍ୱାରା ସେହି ଜ୍ଞାନ ଶିକ୍ଷା କର ; ତତ୍ତ୍ବଦର୍ଶୀଜ୍ଞାନୀମାନେ ତୁମକୁ ଜ୍ଞାନ ଉପଦେଶ କରିବେ ।ା୪/୩୪ାା ହେ ପାଣ୍ଡବ ! ଯାହା ଜାଣି ପୁର୍ନବାର ଏହିପରି ମୋହ ପ୍ରାପ୍ତ ହେବ ନାହିଁ ; ଯେଉଁ ଜ୍ଞାନ ଦ୍ୱାରା କାହାକୁ ମଧ୍ୟ ବାଦ୍ ନ ଦେଇ ସର୍ବଭୂତକୁ ନିଜ ଆତ୍ମାରେ, ତତ୍ପରେ ମୋ ଠାରେ ଦେଖିବ ।ା୪ /୩୫ ।ା ଯଦି ସମସ୍ତ ପାପୀଙ୍କଠାରୁ ମଧ୍ୟ ଅଧିକ ପାପୀ ଅଟ ; ଜ୍ଞାନରୂପ ନୌକା ଦ୍ୱାରା ସକଳ ପାପରୁ ଉତ୍ତୀର୍ଣ୍ଣ ହୋଇଯିବ ।ା୩/୩୬ାା ହେ ଅର୍ଜୁନ ! ଯେପରି ପ୍ରଜ୍ଜଳିତ ଅଗ୍ନି କାଷ୍ଠଗୁଡିକୁ ଭସ୍ମୀଭୂତ କରେ; ସେହିପରି ଜ୍ଞାନରୂପ ଅଗ୍ନି ସମସ୍ତ କର୍ମକୁ ଭସ୍ମରେ ପରିଣତ କରେ ।ା୩୭ାା ଏହି ଜଗତରେ ଜ୍ଞାନ ପରି ପବିତ୍ର ଆଉ କିଛି ନାହିଁ ; ଯୋଗ ସିଦ୍ଧ ପୁରୁଷ କାଳକ୍ରମେ ସ୍ୱୟଂ ନିଜେ ସେହି ଜ୍ଞାନ ପ୍ରାପ୍ତ ହୁଅନ୍ତି ।ା୩୮ାାଶ୍ରଦ୍ଧାଯୁକ୍ତ, ତତ୍ପରଶୀଳ ଜିତେନ୍ଦ୍ରିୟ ପୁରୁଷ ଜ୍ଞାନ ଲାଭ କରନ୍ତି; ଜ୍ଞାନ ଲାଭ କରି ଶୀଘ୍ର ପରମ ଶାନ୍ତି ଲାଭ କରନ୍ତି ।ା୩୯ାାଯେଉଁ ଅଜ୍ଞାନ ବ୍ୟକ୍ତି ଶ୍ରଦ୍ଧାହୀନ ଓ ସଂଶୟଯୁକ୍ତ ସେ ବିନଷ୍ଟ ହୁଅନ୍ତି; ସଂଶୟଯୁକ୍ତ ବ୍ୟକ୍ତିର ଏହି ଲୋକ ନାହିଁ; ପରଲୋକ ନାହିଁ ; ସୁଖ ମଧ୍ୟ ନାହିଁ ।ା୪୦ାା ହେ ଧନଞ୍ଜୟ ! ଯିଏ ଯୋଗ ଦ୍ୱାରା କର୍ମ ତ୍ୟାଗ କରିଛି; ଜ୍ଞାନ ଦ୍ୱାରା ଯାହାର ସମସ୍ତ ସଂଶୟ ବିନଷ୍ଟ ହୋଇଛି ; ଯିଏ ଆତ୍ମାନୁଭୂତି କରିଛି; ତାହାଙ୍କୁ କର୍ମ ସମୂହ ଆବଦ୍ଧ କରି ପାରେ ନାହିଁ ।ା୪୧ାା ଅତଏବ ଜ୍ଞାନରୂପ ଖଡ୍ଗ ଦ୍ୱାରା ନିଜର ଅଜ୍ଞାନରୁ ଜାତ ହୃଦୟ ସ୍ଥିତ ଏହି ସଂଶୟକୁ ଛେଦନ କରି ଯୋଗ ସାଧନ କର; ଏବଂ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କର ।ା୪୨ାା
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
Comments
Post a Comment