ଶ୍ରୀ ଭଗବାନୁବାଚ (୬) ---ସପ୍ତମ ଅଧ୍ୟାୟଃ --ଜ୍ଞାନ ବିଜ୍ଞାନ ଯୋଗଃ

ଶ୍ରୀ ଭଗବାନୁବାଚ (୬)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

ସପ୍ତମ ଅଧ୍ୟାୟଃ

ଜ୍ଞାନ ବିଜ୍ଞାନ ଯୋଗଃ

ଅନୁବାଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ  

 ହେ ପାର୍ଥ ! ମୋଠାରେ ମନ ଲଗାଇ ମୋତେ ଆଶ୍ରୟ କରି ଯୋଗ ସାଧନା କଲେ ମୋତେ ସମଗ୍ର  ଭାବରେ ଯେଉଁପରି ନିଃସଂଶୟ  ଭାବରେ ଜାଣି ପାରିବ ତାହା ଶୁଣ ।ା୧ାା ମୁଁ ତୁମକୁ ବିସ୍ତାରିତ ବ୍ୟାପକ ଜ୍ଞାନ (ବିଜ୍ଞାନ) ସହିତ ଏହି ମୂଳ ତତ୍ତ୍ବ ଜ୍ଞାନ କୌଣସି ପ୍ରକାର ଅବଶେଷ ନ ରଖି କହିବି, ଯାହା ଜାଣିଲେ ଏହି ସଂସାରରେ  ଆଉ କିଛି ଜାଣିବା ପାଇଁ ଅବଶିଷ୍ଟ ରହିବ ନାହିଁ ।ା୨ାା ହଜାର ହଜାର ମନୁଷ୍ୟ ମଧ୍ୟରେ କ୍ୱଚିତ ଜଣେ ଦୁଇଜଣ ସିଦ୍ଧି ଲାଭ ପାଇଁ ଯତ୍ନ କରନ୍ତି, ଆଉ ମଧ୍ୟ ଯେଉଁମାନେ ଏହିପରି ଯତ୍ନ କରି ସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ କ୍ୱଚିତ ଜଣେ ଦୁଇଜଣ ମୋତେ ମୋର ସମସ୍ତ ତତ୍ତ୍ବରେ ଜାଣନ୍ତି ।ା୩ାା ପୃଥିବୀ,ଜଳ, ଅଗ୍ନି, ବାୟୁୁ, ଆକାଶ, ମନ, ବୁଦ୍ଧି,ଅହଙ୍କାର ଏହି ମୋର ଅଷ୍ଟଧା ବିଭକ୍ତ ପ୍ରକୃତି ।ା୪ାା  ହେ ମହାବାହୁ ! ଏହା ଅପରା ପ୍ରକୃତି; କିନ୍ତୁ ଏହାଠାରୁ ଭିନ୍ନ  ମୋର ପରା ପ୍ରକୃତିକୁ ଜାଣ । ସେହି ପ୍ରକୃତିହିଁ ଜୀବ ହୋଇଛି ,ଯାହା ଦ୍ୱାରା ଏହି ଜଗତ ଧୃତ ହୋଇଛି ।ା୫ାା ସମସ୍ତ ଭୂତ ଏହି ପ୍ରକୃତିରୁ ଜାତ ଏହା ଜାଣ; ମୁଁ ପୁରୁଷୋତ୍ତମ ସମସ୍ତ   ଜଗତର ଉତ୍ପତ୍ତିସ୍ଥଳ ଏବଂ ପ୍ରଳୟ ସ୍ଥଳ ।ା୬ାା ହେ ଧନଞ୍ଜୟ ! ମୋଠାରୁ ଶ୍ରେଷ୍ଠ ଅନ୍ୟ କିଛି ନାହିଁ ; ସୂତାରେ ଗୁନ୍ଥା ହୋଇଥିବା ମଣି ସମୂହ ପରି ଏହି ସମସ୍ତ ଜଗତ ମୋଠାରେ ଗ୍ରଥିତ ହୋଇଛି ।ା୭ାା ହେ କୌନ୍ତେୟ ! ମୁଁ ଜଳ ମଧ୍ୟରେ ରସ,ଆକାଶରେ ଶବ୍ଦ,ପୃଥିବୀରେ ପବିତ୍ର ଗନ୍ଧ, ଅଗ୍ନିରେ ତେଜ, ମୁଁ ଚନ୍ଦ୍ରର  ଓ ସୂର୍ଯ୍ୟର ଜ୍ୟୋତି, ମନୁଷ୍ୟ ମଧ୍ୟରେ ପୌରୁଷ, ତପସ୍ୱୀମାନଙ୍କର ତପ, ସମସ୍ତ ପ୍ରାଣୀମାନଙ୍କର ଜୀବନ , ସମସ୍ତ ବେଦରେ ପ୍ରଣବ  ବା ଓଁକାର ଅଟେ ।ା୮/୯ାା ହେ ପାର୍ଥ ! ମୋତେ ସର୍ବ ଭୂତର ସନାତନ ବୀଜ ବୋଲି ଜାଣ । ମୁଁ ବୁଦ୍ଧିମାନଙ୍କର ବୁଦ୍ଧି , ତେଜସ୍ୱୀମାନଙ୍କର ତେଜ ଅଟେ ।ା୧୦ାା ହେ ଭରତର୍ଷଭ ! ମୁଁ ବଳବାନ ମନୁଷ୍ୟର ବାହ୍ୟ ବିଷୟ, ସୁଖ ପ୍ରତି କାମନା ଓ ଆସକ୍ତି ରହିତ ସାମର୍ଥ୍ୟ ଅଟେ ; ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଧର୍ମର ଅବିରୋଧୀ କାମନା ଅଟେ ।ା୧୧ାା ଅନ୍ୟାନ୍ୟ ଯେଉଁ ସବୁ ସାତ୍ତ୍ଵିକ,.ରାଜସିକ ଭାବ ସମୂହ ସେହି ସବୁକୁ ମୋଠାରୁ ଉତ୍ପନ୍ନ , ଅନ୍ୟ କେଉଁଠାରୁ ନୁହେଁ; ଏହା ଜାଣ । କିନ୍ତୁ ସେ ସବୁ ମୁଁ ନୁହେଁ , ସେଗୁଡିକହିଁ ମୋଠାରେ ଅବସ୍ଥିତ ।ା୧୨ାା ସ୍ତ୍ରୀ ପୁତ୍ର,ଧନ, ଯଶ,ପ୍ରତିପତ୍ତି ଇତ୍ୟାଦି କାମନା ସମୂହ ଦ୍ୱାରା ହତଜ୍ଞାନ ପୁରୁଷଗଣ ବିବିଧି ବିଧି ଓ ଧର୍ମାନୁଷ୍ଠାନ ପ୍ରଣାଳୀ ଅବଲମ୍ବନ ପୂର୍ବକ ନିଜ ପ୍ରକୃତି ଦ୍ୱାରା ନିୟନ୍ତ୍ରିତ ହୋଇ ଅନ୍ୟାନ୍ୟ ଦେବତାମାନଙ୍କର ସେବା କରନ୍ତି ।ା୨୦ାା ଯେଉଁ ଯେଉଁ ଭକ୍ତ ଶ୍ରଦ୍ଧାଯୁକ୍ତ ହୋଇ ଯେଉଁ ଯେଉଁ ଦେବରୂପ ପୂଜା କରିବାକୁ ଇଚ୍ଛା କରନ୍ତି, ସେହି ସେହି ଭକ୍ତର ସେହି ଅଚଳା ଶ୍ରଦ୍ଧାକୁହିଁ ମୁଁ ବିଧାନ କରେ ।ା୨୧ାା ସେହି ଭକ୍ତ ସେହି ଶ୍ରଦ୍ଧାଯୁକ୍ତ ହୋଇ ସେହି ଦେବତାର ଆରାଧନା କରନ୍ତି ଏବଂ ସେହି ଦେବତାଙ୍କଠାରୁ କାମ୍ୟ ଫଳ ସମୂହ ଲାଭ କରନ୍ତି । ସେହି ସବୁ ଫଳ ମୋ ଦ୍ୱାରାହିଁ ପ୍ରଦତ୍ତ ହୁଏ ।ା୨୨ାା କିନ୍ତୁ ଅଳ୍ପ ବୁଦ୍ଧି ସେହି ବ୍ୟକ୍ତିମାନଙ୍କର ସେହି ଫଳ ଅଳ୍ପକାଳ  ସ୍ଥାୟୀ ହୁଏ । ଦେବ ଉପାସକଗଣ ଦେବତାମାନଙ୍କୁ ପ୍ରାପ୍ତ ହୁଅନ୍ତି । ମୋର ଭକ୍ତମାନେ ମୋତେହିଁ ପ୍ରାପ୍ତ ହୁଅନ୍ତି ।ା୨୩ାାଅପରିଣତ ବୁଦ୍ଧି ସଂପନ୍ନ ବ୍ୟକ୍ତିମାନେ ମୋର ନିତ୍ୟ ସର୍ବୋତ୍ତମ ପରମ ସ୍ୱରୂପକୁ ନ ଜାଣି ଅବ୍ୟକ୍ତ ସ୍ୱରୂପ ମୋତେ ବ୍ୟକ୍ତ ଶରୀରଧାରୀ ବୋଲି ମନେ କରନ୍ତି ।ା୨୪ାା ମୁଁ ନିଜକୁ ଯୋଗମାୟା ଦ୍ୱାରା ଆବୃତ୍ତ କରି ରଖିଛି , ସମସ୍ତଙ୍କର ନିକଟରେ ପ୍ରକାଶିତ ହୁଏନା   । ଏହି ସମସ୍ତ ମୂଢ଼ ବ୍ୟକ୍ତିମାନେ ମୋତେ ଅଜନ୍ମା,ଅବ୍ୟୟ ବୋଲି ଜାଣି ପାରନ୍ତି ନାହିଁ ।ା୨୫ାା ହେ ଅର୍ଜୁନ ! ମୁଁ ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ - ଏହି ଭୂତମାନଙ୍କୁ ଜାଣେ , କିନ୍ତୁ ମୋତେ କେହି ଜାଣନ୍ତି ନାହିଁ ।ା୨୬ାା ହେ ପରନ୍ତପ ଭାରତ ! ଇଚ୍ଛା ଓ ଦ୍ୱେଷରୁ ଉତ୍ପନ୍ନ ସୁଖଦୁଃଖାଦି ଦ୍ୱନ୍ଦର ମୋହ ଦ୍ୱାରା ଜଗତରେ ଜୀବାତ୍ମାମାନେ ବିମୂଢ଼ ଅବସ୍ଥାରେ ପତିତ ହୁଅନ୍ତି ।ା୨୭ାା କିନ୍ତୁ ଯେଉଁ ସବୁ ପୂଣ୍ୟକର୍ମା ବ୍ୟକ୍ତିମାନଙ୍କ ପାପ ସବୁ ବିନଷ୍ଟ ହୋଇ ଯାଇଛି , ସେମାନେ ଦ୍ୱନ୍ଦ ଜନିତ  ମୋହରୁ ମୁକ୍ତ  ହୋଇ ସୁଦୃଢ଼ ଭକ୍ତି ସହିତ ବା ଏକାଗ୍ର ଚିତ୍ତରେ ମୋତେ ଉପାସନା (ଭଜନା) କରନ୍ତି ।ା୨୮ାା ଯେଉଁମାନେ ଜରା ଓ ମୃତ୍ୟୁରୁ ମୁକ୍ତି ପାଇବା ପାଇଁ ମୋତେ ଆଶ୍ରୟ କରି ଯତ୍ନ  କରନ୍ତି ସେମାନେ ସେହି ବ୍ରହ୍ମକୁ, ସମସ୍ତ ଅଧ୍ୟାତ୍ମ ପ୍ରକୃତିକୁ ଏବଂ ସମସ୍ତ କର୍ମକୁ ଜାଣି ପାରନ୍ତି ।ା୨୯ାା ଆଉ ମଧ୍ୟ ଯେଉଁମାନେ ଅଧିଭୂତ ଓ ଅଧିଦୈବ ଏବଂ ଅଧିଯଜ୍ଞ ସହିତ ମୋତେ ଜାଣନ୍ତି ସେହି ଯୋଗଯୁକ୍ତ ବ୍ୟକ୍ତିଗଣ ମୃତ୍ୟୁ ସମୟରେ ମଧ୍ୟ ମୋର ଜ୍ଞାନ ରକ୍ଷା କରନ୍ତି ।ା୩୦ ।ା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   




Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,