ଶ୍ରୀ ଭଗବାନୁବାଚ (୧୦) ---ଦ୍ୱାଦଶ ଅଧ୍ୟାୟଃ ଭକ୍ତି ଯୋଗଃ

ଶ୍ରୀ ଭଗବାନୁବାଚ (୧୦)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

ଦ୍ୱାଦଶ ଅଧ୍ୟାୟଃ

ଭକ୍ତି ଯୋଗଃ

ଅନୁବାଦ-- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ଯେଉଁମାନେ ମୋ'ଠାରେ ମନୋନିବେଶ କରି,ନିତ୍ୟ ନିରନ୍ତର ମୋ ସହିତ ଯୋଗାଭିଳାଷୀ ହୋଇ ପରମ ଶ୍ରଦ୍ଧା ସହିତରେ ମୋତେ ସ୍ମରଣ କରନ୍ତି ମୋ ମତରେ ସେମାନେ ଯୋଗଯୁକ୍ତ ଅଟନ୍ତି ।ା୨ାା ଯେଉଁମାନେ ସର୍ବତ୍ର ସମଦର୍ଶୀ ହୋଇ  ଇନ୍ଦ୍ରିୟଗୁଡିକୁ ସଂଯମପୂର୍ବକ ସର୍ବଭୂତ ହିତ ପାଇଁ କର୍ମ କରିବା ସହିତ ଅଚିନ୍ତ୍ୟ, ସର୍ବଗମ୍ୟ, ଅଦୃଶ୍ୟ, ନିର୍ବିକାର, ଅଚଳ, ଧ୍ରୁବ,ଅକ୍ଷର ଓ ଅବ୍ୟକ୍ତ ସ୍ୱରୂପ ପରମାତ୍ମାଙ୍କୁ ତତ୍ପରତା ପୂର୍ବକ ସ୍ମରଣ କରନ୍ତି ସେହି ଯୋଗୀମାନେ ମୋତେ ପ୍ରାପ୍ତ ହୁଅନ୍ତି ।ା୩-୪ାାଅବ୍ୟକ୍ତ ପ୍ରତି ଆସକ୍ତ ଚିତ୍ତ ବ୍ୟକ୍ତିମାନଙ୍କର ଅଧିକତର କଷ୍ଟ ହୋଇଥାଏ : କାରଣ ଦେହାଭିମାନୀମାନଙ୍କୁ ଅତି କଷ୍ଟରେ ଅବ୍ୟକ୍ତଗତି ପ୍ରାପ୍ତ ହୋଇଥାଏ ।ା୫ାା ହେ ପାର୍ଥ ! ଯେଉଁମାନେ ସମସ୍ତ କର୍ମ ମୋଠାରେ ଅର୍ପଣ କରି,ମତ୍ପରାୟଣ ହୋଇ ଅନନ୍ୟ ଯୋଗରେ ମୋତେ ଏକନିଷ୍ଠ ଭାବରେ ସ୍ମରଣ କରନ୍ତି, ମୋଠାରେ ସମର୍ପିତ ଚିତ୍ତ ସେମାନଙ୍କୁ ମୁଁ ଶୀଘ୍ର ମୃତ୍ୟୁ ରୂପକ ସଂସାର ସାଗରରୁ ଉଦ୍ଧାର       କରେ ।  ।ା୬-୭ାା ମୋଠାରେ ମନ ସ୍ଥିର କର ; ମୋଠାରେ ହିଁ ବୁଦ୍ଧି ନିବେଶ କର । ଏହାପରେ (ଦେହାନ୍ତ ପରେ) ମୋଠାରେହିଁ ଅବସ୍ଥାନ କରିବ- ଏ ବିଷୟରେ ସଂଶୟ ନାହିଁ ।ା୮ାା ହେ ଧନଞ୍ଜୟ! ଯଦି ମୋଠାରେ ଚିତ୍ତକୁ  ଅବିଚଳିତଭାବେ ସ୍ଥିର ରଖିବାରେ ସମର୍ଥ ହେଉ ନାହଁ,ତେବେ ଅଭ୍ୟାସ ଯୋଗ ଦ୍ୱାରା ମୋତେ ପାଇବାକୁ ଇଚ୍ଛା କର ।ା୯ାା ଯଦି ତୁମେ ଅଭ୍ୟାସରେ ମଧ୍ୟ ଅସମର୍ଥ ଅଟ ତା' ହେଲେ ମତ୍ କର୍ମ ପରାୟଣ ହୁଅ । ମୋ ପାଇଁ କର୍ମ କରି ମଧ୍ୟ ସିଦ୍ଧି ଲାଭ କରି ପାରିବ ।ା୧୦ାା ଯଦି ମୋ ଯୋଗର ଆଶ୍ରିତ ହୋଇ ଏହା କରିବାରେ ମଧ୍ୟ ଅସମର୍ଥ ଅଟ;ତେବେ ସଂଯତ ଚିତ୍ତ ହୋଇ ସମସ୍ତ କର୍ମର ଫଳ ତ୍ୟାଗ କର ।ା୧୧ାା ଅଭ୍ୟାସ ଅପେକ୍ଷା ଜ୍ଞାନ ଶ୍ରେଷ୍ଠ, ଜ୍ଞାନ ଅପେକ୍ଷା ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନଠାରୁ କର୍ମଫଳ ତ୍ୟାଗ ଶ୍ରେଷ୍ଠ । ଏହି ତ୍ୟାଗ ପରେ ତତ୍କାଳ ଶାନ୍ତି ପ୍ରାପ୍ତି ହୋଇଥାଏ ।ା୧୨ାା ଯେ ସମସ୍ତ ପ୍ରାଣୀଙ୍କ ପ୍ରତି ଦୋଷ ଶୂନ୍ୟ, ମିତ୍ର ଭାବାପନ୍ନ, କୃପାଳୁ, ମମତାହୀନ, ଅହଙ୍କାରଶୂନ୍ୟ, ସୁଖଦୁଃଖରେ ସମଭାବାପନ୍ନ, କ୍ଷମାଶୀଳ, ନିରନ୍ତର ସନ୍ତୁଷ୍ଟ, ଯୋଗୀ, ସଂଯତେନ୍ଦ୍ରିୟ, ଦୃଢ଼ନିଶ୍ଚୟ ଏବଂ ମୋଠାରେ ମନ ବୁଦ୍ଧି ସମର୍ପଣକାରୀ,ଏହିପରି ମୋର ସେହି ଭକ୍ତ ମୋର ପ୍ରିୟ ।ା୧୩-୧୪ାା ଯାହାଠାରୁ ଲୋକେ ଉଦ୍ବେଗ ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ଯିଏ ଲୋକମାନଙ୍କଠାରୁ ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ତଥା ଯେ ହର୍ଷ, ପରଶ୍ରୀକାତରତା,ଭୟ ଏବଂ ଉଦ୍ବେଗଶୂନ୍ୟ ସେ ମୋର ପ୍ରିୟ ।ା୧୫ାା ଯିଏ ସ୍ପୃହାହୀନ, ପବିତ୍ର, ଆଳସ୍ୟରହିତ, ପକ୍ଷପାତଶୂନ୍ୟ, ବ୍ୟଥାରହିତ, ସର୍ବବିଧ ଉଦ୍ୟମ ତ୍ୟାଗୀ ସେହିପରି ଭକ୍ତ ମୋର ପ୍ରିୟ ଅଟନ୍ତି ।ା୧୬ାା ଯେ ହର୍ଷିତ ହୁଏ ନାହିଁ, ବିଷଣ୍ଣ ହୁଏ ନାହିଁ, ଦୁଃଖିତ ହୁଏ ନାହିଁ  , କାମନା କରେ ନାହିଁ ଏବଂ ଶୁଭାଶୁଭ କର୍ମ ତ୍ୟାଗୀ ସେହି ଭକ୍ତିମାନ ବ୍ୟକ୍ତି  ମୋର ପ୍ରିୟ ।ା୧୭ାା ଯେ ଶତ୍ରୁ ଓ ମିତ୍ରଠାରେ ତଥା ମାନ ଓ ଅପମାନରେ ସମଭାବାପନ୍ନ, ଶୀତ,ଗ୍ରୀଷ୍ମ, ସୁଖ ଓ ଦୁଃଖରେ ସମଭାବାପନ୍ନ,ଆସକ୍ତିରହିତ,ନିନ୍ଦା ଓ ପ୍ରଶଂସାରେ ସମଭାବାପନ୍ନ,ମୌନୀ, ଯଥାଲବ୍ଧ ଅର୍ଥରେ ସନ୍ତୁଷ୍ଟ; ନିଜ ବାସସ୍ଥାନ ପ୍ରତି ନିସ୍ପୃହ, ସ୍ଥିରଚିତ୍ତ, ଏହିପରି ଭକ୍ତିମାନ୍ ବ୍ୟକ୍ତି ମୋର ପ୍ରିୟ ।ା୧୮-୧୯ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,