ଗୀତାର ମୁଖ୍ୟ ପ୍ରୟୋଜନ


ତପସ୍ବୀଭ୍ୟେଽଧିକୋ ଯୋଗୀ ଜ୍ଞାନିଭ୍ୟୋପି ମତୋଽଧିକଃ

କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନ ।  (ଗୀ ୬/୪୬)

ଅର୍ଥ: ଯୋଗୀ ତପସ୍ବୀମାନଙ୍କଠାରୁ ଶ୍ରେଷ୍ଠ ଅଟେ ଏବଂ ବେଦାଦି ଶାସ୍ତ୍ର ଜ୍ଞାତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ; ସକାମ କର୍ମ କରୁଥିବା ବ୍ୟକ୍ତିମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ଏଥିପାଇଁ  ହେ ଅର୍ଜୁନ  ତୁ ଯୋଗୀ ହୁଅ ।

ଏଠାରେ କେବଳ ତପଶ୍ଚର୍ଯ୍ୟା ଆଚରଣ କରୁଥିବା ତପସ୍ବୀ, କେବଳ ବେଦାଦି ଶାସ୍ତ୍ରରେ ପାଣ୍ଡିତ୍ୟ ଥିବା ଜ୍ଞାନୀ ଏବଂ ସକାମ କର୍ମ କରୁଥିବା ବ୍ୟକ୍ତି (କର୍ମି) ମାନଙ୍କଠାରୁ ମଧ୍ୟ ଯୋଗୀକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ଏହି ଶ୍ଳୋକରେ ସ୍ପଷ୍ଟ କୁହାଯାଇଛି ଯେ, ତପସ୍ବୀ ଓ ଜ୍ଞାନୀମାନଙ୍କ ପାଇଁ ‘ଯୋଗୀ’ ଶବ୍ଦ ଉଦ୍ଧିଷ୍ଟ ନୁହେଁ । ଯୋଗୀ ଏ ତିନି ଜଣଙ୍କଠାରୁ ଭିନ୍ନ ଅଟନ୍ତି । ଏଠାରେ ଗୀତାର ସ୍ପଷ୍ଟ ନିର୍ଦ୍ଧେଶ ହେଲା “ଯୋଗୀ” ହୁଅ ।

ଯୋଗୀ କିପରି ହେବା ଉଚିତ?

ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବଚ ।

ନିର୍ମମୋ ନିରହଙ୍କାରଃ ସମଦୁଃଖ ସୁଖଃ କ୍ଷମା ।ା  (ଗୀ ୧୨/୧୩)

ଅର୍ଥ: ଯେଉଁ ବ୍ୟକ୍ତି କୌଣସି ପ୍ରାଣୀ ପ୍ରତି ଦ୍ୱେଷଭାବ ରଖେ ନାହିଁ, ସ୍ବାର୍ଥ ରହିତ ସମସ୍ତଙ୍କ ପ୍ରେମୀ ଏବଂ କରୁଣାଯୁକ୍ତ, ମମତା ଏବଂ ଅହଂକାର ରହିତ, ସୁଖ ଦୁଃଖ ପ୍ରାପ୍ତିରେ ସମାନ ଏବଂ କ୍ଷମାବାନ ଅଟେ ।

ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼ନିଶ୍ଚୟଃ

ମୟର୍ପିତ ମନୋବୁଦ୍ଧିର୍ୟୋମ ଦ୍ଭକ୍ତିଃ ସମେପି୍ରୟଃ ।   (ଗୀ ୧୨/୧୪) ।

ଅର୍ଥ: ନିରନ୍ତର ଲାଭ ହାନି ଆଦିରେ ସନ୍ତୁଷ୍ଟ ଥିବା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ବ୍ୟକ୍ତି ଯନôଶୀଳ ଦୃଢ଼ନିଶ୍ଚୟକାରୀ ଏବଂ ଯିଏ ମୋତେ ମନ (ଆତ୍ମାର ସଂକଳ୍ପ ଶକ୍ତି) ଓ ବୁଦ୍ଧି (ଆତ୍ମାର ନିର୍ଣ୍ଣୟ ଶକ୍ତି) ଅର୍ପିତ କରି ଦେଇଛି ସେହିଁ ମୋର ଭକ୍ତ ଏବଂ ପି୍ରୟ ଅଟେ ।

ଯସ୍ମାନ୍ନୋଦ୍ବିଜତେ ଲୋକେଲୋକାନ୍ନୋଦ୍ ବିଜତେ ଚ ଯଃ

ହର୍ଷାମର୍ଷ ଭୟୋଦ୍ବେଗୈର୍ମୁକ୍ତୋ ଯଃ ସଚମେ ପ୍ରିୟଃ  (ଗୀ ୧୨/୧୫) ।

ଅର୍ଥ: ଯାହାଦ୍ୱାରା କୌଣସି ଜୀବ ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ଏବଂ ଯିଏ (ସ୍ବୟଂ ମଧ୍ୟ) କୌଣସି ଜୀବ ଦ୍ୱାରା ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ତଥା ଯିଏ ହର୍ଷ, ଅମର୍ଷ (ଅନ୍ୟର ଉନ୍ନତି ଦେଖି ଦୁଃଖୀ ହେବା) ଭୟ, ଉଦ୍ବେଗାଦି ରହିତ ଅଟେ ସେହି ଭକ୍ତ ମୋର ପ୍ରିୟ ଅଟେ ।

ଅନପେକ୍ଷଃ ଶୁଚିର୍ଦଷ ଉଦାସୀନୋ ଗତବ୍ୟଥଃ ।

ସର୍ବାରମ୍ଭ ପରିତ୍ୟାଗୀ ଯୋ ମଦ୍ଭକ୍ତଃ ସ ମେ ପ୍ରିୟଃ ।  (ଗୀ ୧୨/୧୬) ।

ଅର୍ଥ: ଯେଉଁ ପୁରୁଷ କାହାରି ଆବଶ୍ୟକତା ରଖେ ନାହିଁ ଅଥବା ଆକାଂଡ୍କ୍ଷା ରହିତ ତଥା କାୟମନୋବାକ୍ୟରେ ଶୁଦ୍ଧ, ଚତୁର (ଅର୍ଥାତ ଯେଉଁ କାମ ପାଇଁ ଆସିଥିଲା ତାକୁ ପୂର୍ଣ୍ଣ କରିସାରିଛି), ପକ୍ଷପାତ ରହିତ ଏବଂ ଦୁଃଖ ସମୂହରୁ ମୁକ୍ତ ହୋଇଛି, ସେହି ପରିଗ୍ରହ ଯୁକ୍ତ ସମସ୍ତ ପ୍ରାରମ୍ଭଗୁଡିକର  ପରିତ୍ୟାଗକାରୀ ମୋର ଭକ୍ତ ମୋତେ ପ୍ରିୟ ଅଟେ ।

ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଂକ୍ଷତି ।

ଶୁଭାଶୁଭ ପରିତ୍ୟାଗୀ ଭକ୍ତିମାନ୍ ଯଃ ସ ମେ ପ୍ରିୟଃ ।  (ଗୀ ୧୨/୧୭) ।

ଅର୍ଥ: ଯିଏ ହର୍ଷିତ ହୁଏ ନାହିଁ, ଦ୍ୱେଷ କରେ ନାହିଁ, ଅନୁଶୋଚନା କରେ ନାହିଁ, ଆକାଙ୍କ୍ଷା ରଖେ ନାହିଁ ଏବଂ ଯିଏ ଶୁଭ ଅଶୁଭ ସମ୍ପୂର୍ଣ୍ଣ ଫଳ ତ୍ୟାଗୀ ଅଟେ ସେହି ଭକ୍ତିଯୁକ୍ତ ପୁରୁଷ ମୋର ପ୍ରିୟ ଅଟେ ।

ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ ।

ଶୀତୋଷ୍ଣ ସୁଖ ଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ ।   (ଗୀ ୧୨/୧୮)

ଅର୍ଥ: ଯିଏ ଶତ୍ରୁ ମିତ୍ରଠାରେ ଏବଂ ମାନ ଅପମାନରେ ସମ (ଅଟେ) ତଥା ଶୀତ ଗ୍ରୀଷ୍ମ ଓ ସୁଖ ଦୁଃଖରେ ସମାନ ଏବଂ ଆସକ୍ତ ରହିତ (ଅଟେ)- 

ତୁଲ୍ୟ ନିନ୍ଦାସ୍ତୁତି ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ ।

ଅନିକେତଃ ସ୍ଥିର ମତିର୍ଭକ୍ତିମାନ୍ମେ ପି୍ରୟୋ ନରଃ ।ା ଗୀ-୧୨/୧୯ ।ା

ଅର୍ଥ: ନିନ୍ଦାସ୍ତୁତି ଉଭୟରେ ସମାନ ସ୍ଥିତି ଯୁକ୍ତ, ମନନଶୀଳ (ପରମାତ୍ମାଙ୍କ ସ୍ବରୂପକୁ ଯିଏ ନିରନ୍ତର ମନନ କରେ), ଯେ କୌଣସି ପ୍ରକାରେ ଶରୀରର ନିର୍ବାହ ହେଲେ ମଧ୍ୟ ସନ୍ତୁଷ୍ଟ ଭକ୍ତିମାନ ପୁରୁଷ ମୋର ପ୍ରିୟ ଅଟେ ।

ସାରାଂଶରେ, ଯିଏ ସର୍ବଭୂତରେ ଦ୍ୱେଷ ରହିତ, ସମସ୍ତଙ୍କ ପ୍ରତି ମିତ୍ର ଓ ଦୟାଳୁ , ମମତା ଓ ଅହଂଙ୍କାର ଶୂନ୍ୟ, ସୁଖ ଦୁଃଖରେ ସମାନ, କ୍ଷମାଶୀଳ, ସନ୍ତୁଷ୍ଟ, ନିତ୍ୟଯୋଗୀ, ସଂଯତମନୋବୃି, ଆତ୍ମ ତ୍ୱରେ ଦୃଢ଼ ନିଶ୍ଚୟ, ଈଶ୍ୱରଙ୍କଠାରେ ମନବୁଦ୍ଧି ବରାବର ଲଗାଇଥାନ୍ତି, ଯାହାଙ୍କଠାରୁ ସଂସାରର ଲୋକେ ଉଦ୍ବେଗ, ଭୟ, ଆଶଙ୍କା, କ୍ଷୋଭ ପାଆନ୍ତି ନାହିଁ, ଯେ  ନିଜେ ମଧ୍ୟ ସଂସାରର ଲୋକଙ୍କଠାରୁ ସେସବୁ ପାଆନ୍ତି ନାହିଁ, ଯେ ହର୍ଷ, ଅମର୍ଷ, ଭୟ, ଉଦ୍ବେଗରୁ ମୁକ୍ତ, ଲବ୍ଧାର୍ଥରେ ମଧ୍ୟ ନିଃସ୍ପୃହ, ବାହ୍ୟ ଅଭ୍ୟନ୍ତର ସବୁ ପବିତ୍ର, ନିରଳସ ଅର୍ଥାତ ଯେତେ କାମ ପଡିଲେ ମଧ୍ୟ ଶୀଘ୍ର ନିଷ୍ପନ୍ନକାରୀ, ଶତ୍ରୁ ମିତ୍ର ପକ୍ଷପାତ ନ କରିବା ବ୍ୟକ୍ତି । ନିନ୍ଦାସ୍ତୁତି ସୁଖ ଦୁଃଖରେ ଗତ ଭୟ,  ଫଳଲାଭାର୍ଥ କାମ୍ୟ କର୍ମ ତ୍ୟାଗୀ, ଯିଏ ଇଷ୍ଟ ପାଇଲେ ହୃଷ୍ଟ ହୁଏ ନାହିଁ, ଅନିଷ୍ଟ ଘଟିଲେ ଦ୍ୱେଷ ବା ବିରକ୍ତ ହୁଏ ନାହିଁ, ପ୍ରିୟ ବିୟୋଗରେ ଶୋଚନା କରେ ନାହିଁ, ଶୁଭ ଅଶୁଭ ସମ୍ପୂର୍ଣ୍ଣ ଫଳତ୍ୟାଗୀ, ଯିଏ ଶତ୍ରୁ ତଥା ମିତ୍ରରେ ସମଭାବ ରଖେ, ମାନ ଓ ଅପମାନରେ ସମାନ ରହେ, ଯିଏ ଶୀତ, ଉଷ୍ଣ, ସୁଖ, ସୁଃଖରେ ସମାନ ଅଟେ, କାହାରି ସଙ୍ଗ କରେ  ନାହିଁ ଅର୍ଥାତ୍ ଏକାନ୍ତ ରହେ, ଯିଏ ନିନ୍ଦା ସ୍ତୁତିରେ ସମାନ  ସ୍ଥିତି ଯୁକ୍ତ, ମନନଶୀଳ, ଯେ କୌଣସି ପ୍ରକାରେ ଶରୀର ନିର୍ବାହ ହେଲେ ମଧ୍ୟ ସନ୍ତୁଷ୍ଟ ଅଟେ ଏବଂ ଯିଏ ରହୁଥିବା ସ୍ଥାନରେ ମମତା ରଖେ ନାହିଁ, ସେହି ସ୍ଥିର ବୁଦ୍ଧି ଯୁକ୍ତ ଭକ୍ତିମାନ ପୁରୁଷ ପରମାତ୍ମାଙ୍କ ପ୍ରିୟ ଅଟନ୍ତି ।

ଉପର୍ଯୁ୍ୟକ୍ତ ବର୍ଣ୍ଣନାରୁ ଏହା ସ୍ପଷ୍ଟ ହୁଏ ଯେ ଗୀତା ମାନବ ସମାଜକୁ ଯୋଗୀ ହେବାକୁ ନିର୍ଦ୍ଧେଶ ଦିଏ । ତେଣୁ ଯୋଗୀର ଲକ୍ଷଣ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରିଛି । ଗୀତାଜ୍ଞାନ ପ୍ରଦାନର ପ୍ରୟୋଜନ ବିଷୟରେ ମନନ କଲା ବେଳେ କେତେକ ଶ୍ଳୋକ ମଧ୍ୟ ଚିନ୍ତନର ପରିସରକୁ ଆସେ ଯେଉଁଥିରେ ଭଗବାନ ଯୋଗଯୁକ୍ତ ଅଥବା ସ୍ଥିତପ୍ରଜ୍ଞ ମାନବର ଲକ୍ଷଣ ବ୍ୟାଖ୍ୟା କରିଛନ୍ତି । ସେଗୁଡିକ ହେଲା-

ତାନି ସର୍ବାଣି ସଂଯମ ଯୁକ୍ତ ଆସୀତ ମପôରଃ ।

ବଶେ ହି ଯସ୍ୟେନ୍ଦ୍ରିୟାଣି ତସ୍ୟପ୍ରଜ୍ଞା ପ୍ରତିଷ୍ଠିତ ।ା  (ଗୀ ୨/୬୧) ।

ଅର୍ଥାତ ଯେଉଁ ଯୋଗୀ ନିମଗ୍ନ କରେ ତା’ର ବୁଦ୍ଧି ସ୍ଥିର ରହେ,

ତସ୍ମାଦ୍ୟସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।

ଇନ୍ଦ୍ରିୟାଣୀକ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତ ।ା  (ଗୀ ୨/୬୮) ।

ଅର୍ଥାତ୍: ହେ ମହାବାହୋ! ଯେଉଁ ପୁରୁଷାର୍ଥୀର ଇନ୍ଦି୍ରୟଗଣ ବିଷୟାସକ୍ତ ହୁଏ ନାହିଁ ତା’ର ବୁଦ୍ଧି ସ୍ଥିର ରହେ ।

ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ର୍ବିଶିଷ୍ୟତେ

ପ୍ରିୟୋହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।ା  (ଗୀ ୭/୧୭)

ଅର୍ଥାତ୍, ଯେଉଁ ପୁରୁଷାର୍ଥୀ ଯୋଗୀ ମୋତେ ନିଶ୍ଚଳ ଅନନ୍ୟ ପ୍ରେମ କରେ ସେହିଁ ଅତି ଉମ ଅଟେ । କାରଣ ଜ୍ଞାନ ଦ୍ୱାରା ଜାଣି ପାରୁଥିବା ଜ୍ଞାନୀମାନଙ୍କୁ ମୁଁ ଅତ୍ୟନ୍ତ ପ୍ରିୟ ଅଟେ । ଆଉ ମଧ୍ୟ ସେପରି ଜ୍ଞାନୀ ମୋର ଅତ୍ୟନ୍ତ ପ୍ରିୟ ଅଟେ ।

ଉଦାରାଃ ସର୍ବ ଏବୈତେ ଜ୍ଞାନୀ ତ୍ୱାତ୍ମୈବ ମେ ମତମ୍ ।

ଆସ୍ଥିତଃ ସହି ଯୁକ୍ତାତ୍ମା ମାମେବାନୁମାଂ ଗତିମ୍ ।ା  (ଗୀ ୭/୧୮) ।

ଅର୍ଥାତ୍, ଏସମସ୍ତ ହିଁ ଶ୍ରେଷ୍ଠ ଅଟନ୍ତି । ମୋ ମତରେ ଜ୍ଞାନୀ ମୋର ସ୍ବରୂପ ଅଟେ । କାହିଁକି ନା ସେହି ସ୍ଥିର ବୁଦ୍ଧି ଆତ୍ମା ଅତି ଉମ ଗତି ସ୍ବରୂପ ମୋଠାରେ ହିଁ ଆଶ୍ରିତ ହୁଏ ।

ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।

ଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେହିତମ୍ ।  (ଗୀ ୧୮/୬୪) ।

ଅର୍ଥାତ୍, ମୋର ଅତି ଗୋପନୀୟ କଥାକୁ ଆଉ ଥରେ ଶୁଣ । ତୁ ମୋର ଅତିଶୟ ମିତ୍ର ହୋଇଥିବାରୁ ତୋର ମଙ୍ଗଳ ପାଇଁ ହିଁ ଏହି ହିତକାରୀ କଥା ତୋତେ କହିବି ।

ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।

ଯେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।ା  (ଗୀ ୧୦/୧)

ଅର୍ଥାତ୍, ହେ ମହାବୀର! ତଥାପି ସୁଦ୍ଧା ତୁ ମୋର ପରମ କଥା ଶୁଣ । ତୁ ମୋର ଅତି ପ୍ରିୟ ହୋଇଥିବା ହେତୁ ତୋର ହିତ କାମନା କରି ମୁଁ ତୋତେ ଏହା କହିବି ।

ଉପର୍ଯୁ୍ୟକ୍ତ ଶ୍ଳୋକ ସମୂହରୁ ଜଣାପଡେ ଯେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ମାନବ ସମାଜକୁ ଯୋଗଯୁକ୍ତ ଅଥବା ସ୍ଥିତ ପ୍ରଜ୍ଞ ହେବାକୁ ନିଦ୍ଧେର୍ଶ ଦେଇଛନ୍ତି । ଯୋଗୀ ଆତ୍ମା ପରମାତ୍ମାଙ୍କ ପି୍ରୟ ଅଟେ । କାରଣ ଯୋଗୀ କର୍ମେନ୍ଦି୍ରୟ ଉପରେ ସଂପୂର୍ଣ୍ଣ ବିଜୟ ପ୍ରାପ୍ତ କରେ; ଇଛା, ତୃଷ୍ଣା ରହିତ ହୋଇଯାଏ; ନିନ୍ଦା, ସ୍ତୁତି, ହାନି ଲାଭ, ସଫଳତା ବିଫଳତା ଉଭୟରେ ସମାନ ରହେ । ତାର କେହି ଶତ୍ରୁ ନ ଥାନ୍ତି ଓ କାହା ପ୍ରତି ତାର ଆସକ୍ତି ରହେ ନାହିଁ । ତା’ର ଚି ଦ୍ୱେଷ ରହିତ, ସନ୍ତୁଷ୍ଟ, ନିର୍ବିକାର,  ନିଶ୍ଚଳ ଏବଂ ନିର୍ମଳ ରହେ । ସେ ଭଗବାନଙ୍କ ଆତ୍ମା ସଦୃଶ ଅଟେ । ଅର୍ଜୁନ ଭଗବାନଙ୍କ ପ୍ରିୟ ସଖା ହୋଇଥିବାରୁ ସେ ତାଙ୍କୁ ଅତି ଗୁହ୍ୟ, ଗୋପନୀୟ ଓ ଉମ ଜ୍ଞାନ ଶୁଣାଇଛନ୍ତି । ଭଗବାନଙ୍କୁ ଯୋଗୀ ଏବଂ ଜ୍ଞାନୀ ବ୍ୟକ୍ତି ହିଁ ପ୍ରିୟ ଅଟନ୍ତି । ତେଣୁ ମନୋବିକାର ଉପରେ ବିଜୟ ପ୍ରାପ୍ତ ପୁର୍ବକ ମନକୁ ପରମାତ୍ମାଙ୍କ ସହିତ ସତତ ଯୋଗଯୁକ୍ତ ରଖିବା ପାଇଁ ଗୀତାରେ ଭଗବାନ ନିର୍ଦ୍ଧେଶ ଦେଇଛନ୍ତି, ଏହାହିଁ ଗୀତାର ମୁଖ୍ୟ ପ୍ରୟୋଜନ ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର