ସଂସ୍କାର ଲୋଡ଼ା
ସର୍ବପଲ୍ଲି ରାଧାକ୍ରିଷ୍ଣନ
ସ୍ବାଧୀନତା ହାସଲ କରିବା ଦିନରୁ ଏଇ କେତେ ବର୍ଷ ଧରି ଆମେ ଆମ ଜନସାଧାରଣଙ୍କ ନିମନ୍ତେ ରାଜନୈତିକ ସ୍ବାଧୀନତା କହିଲେ ଯାହା ବୁଝାଏ-ସେତିକି କେବଳ ନୁହେଁ, ବରଂ ଏକ ପୂର୍ଣ୍ଣତର ତଥା ମହର ସ୍ବାଧୀନତା ଅର୍ଜନ କରିବା ନିମନ୍ତେ ଉଦ୍ୟମ କରୁଥାଉଁ । ଗାନ୍ଧିଜୀ ଥରେ କହିଥିଲେ, ଦେଶର ଗୋଟାଏ ପ୍ରାନ୍ତରୁ ଅନ୍ୟ ଏକ ପ୍ରାନ୍ତ ଯାଏଁ ମୁଁ ସର୍ବତ୍ର ବୁଲିଚି ଏବଂ ଦେଖିଚି ଅଗଣିତ ଜ୍ୟୋତିହୀନ ଆଖି, ମଣିଷର ଦୟନୀୟ ପ୍ରତିଚ୍ଛବି । ସେମାନେ ଭାରତ । ଏଇ ସବୁ କୁଡ଼ିଆ ଘରେ, ଘତଗଦା ମଝିରେ ଯେଉଁ ଦୀନ ଅକିନ ଲୋକେ ବାସ କରିଛନ୍ତି ସେମାନଙ୍କ ଭିତରେ ଜ୍ଞାନର ନିର୍ଯ୍ୟାସ କିନ୍ତୁ ଗାଢ଼ତା ପ୍ରାପ୍ତ ହୋଇ ରହିଛି”
ଏହି ଉକ୍ତିରେ ଗାନ୍ଧୀଜୀ ଆମ ଜନସାଧାରଣଙ୍କର ବୈଷୟିକ ଦରିଦ୍ରତା ଓ ଆଧ୍ୟାତ୍ମିକ ସମ୍ପଦ କଥା ଦର୍ଶାଇଛନ୍ତି । ଏଇ ବୈଷୟିକ ଦରିଦ୍ରତା ଦୂର କରିବା ପାଇଁ ଏବଂ ଆଧ୍ୟାତ୍ମିକ ଜୀବନରେ ବିଶ୍ୱାସ ଦୃଢ଼ତର କରିବା ପାଇଁ ଆମକୁ ସବୁମନ୍ତେ ଉଦ୍ୟମ କରିବାକୁ ପଡ଼ିବ ।
ଆମ ଦୀନ ଜନତାର ଅବସ୍ଥା ଆମ ଦେଶର ଅବସ୍ଥାର ପ୍ରତୀକ । ସେମାନେ ଯେଉଁ ଖାଦ୍ୟ ଖାଆନ୍ତି ତାହା ଶରୀରର ପୁଷ୍ଟି ପକ୍ଷରେ ଯଥେଷ୍ଟ ନୁହେଁ । ତେଣୁ ସହଜରେ ସେମାନେ ରୋଗ କବଳରେ ପଡ଼ନ୍ତି । ଦରିଦ୍ର ଓ ନିରାଶ୍ରୟ ଲୋକେ ଯେଭଳି ଭାବରେ ଜୀବନ ଅତିବାହିତ କରନ୍ତି ତାହା ମଣିଷ ଉପଯୋଗୀ ନୁହେଁ । ଅତଏବ ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଆମ ଲୋକଙ୍କର ପ୍ରଥମ ଓ ପ୍ରଧାନ ଆବଶ୍ୟକତା ।
ଯୋଜନାକୃତ ଅର୍ଥନୈତିକ ଉନ୍ନୟନ ଦ୍ୱାରା ଆମେ ଜନସାଧାରଣଙ୍କର ଏବଂ ଶିଳ୍ପ ଓ ରପ୍ତାନୀ ବାଣିଜ୍ୟର ଆବଶ୍ୟକତା ପୂରଣ କରିବା ଉଦ୍ଧେଶ୍ୟରେ କୃଷି ଉପôାଦନ ବୃଦ୍ଧି କରିବା ପାଇଁ ଉଦ୍ୟମ କରୁଥାଇଁ । ଏଇ ପ୍ରକ୍ରିୟାରେ ବୟନ ଶିଳ୍ପର ପ୍ରସାର ହେବ; ଲୋକଙ୍କୁ ଉଚିତ ମୂଲ୍ୟରେ ବସ୍ତ୍ର ମିଳିପାରିବ । ଗୃହ ନିର୍ମାଣ ଯୋଜନାମାନ କାର୍ଯ୍ୟକାରୀ କରି ସ୍ବଳ୍ପବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ବାସଗୃହ ଯୋଗାଇ ଦିଆଯିବ ।
ଯୋଜନାଗୁଡ଼ିକ ଯେତେ ପରିମାଣରେ କାର୍ଯ୍ୟକାରୀ ହେବାର କଥା, ବହୁ କ୍ଷେତ୍ରରେ ତାହା ହେଇ ନ ପାରିବାର ପ୍ରଧାନ କାରଣ ହେଉଛି, ଏ ପ୍ରକାର ଜାତୀୟ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କର ଭାଗବତ ଆନ୍ତରିକତାର ଅଭାବ । ସରକାରୀ କ୍ଷେତ୍ରରେ ହେଉ କି ଅନ୍ୟତ୍ର ହେଉ, ଯେଉଁଠି ଲୋକେ ଏ ପ୍ରକାର ଦାୟିତ୍ୱରେ ନିଯୁକ୍ତ ହେଇଛନ୍ତି ସେମାନଙ୍କ ମନରେ ଏକ ଜାତୀୟ ଅଭିମାନ ଜାଗ୍ରତ ରହିବା ଅତ୍ୟନ୍ତ ଆବଶ୍ୟକ ।
ସେମାନେ ଅନୁଭବ କରିବା ଉଚିତ, ୪୪ କୋଟି ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ଓ ସେମାନଙ୍କର ନୈତିକ ତନ୍ତୁ ଦୃଢ଼ତର କରିବା ପାଇଁ ସେମାନେ ଏକ ଶାନ୍ତିପୂର୍ଣ୍ଣ ବିପ୍ଲବ ସଙ୍ଗଠିତ କରିବାରେ ନିୟୋଜିତ ହେଇଛନ୍ତି । ଜନସାଧାରଣଙ୍କ ଭିତରେ ରହି ଯେଉଁ କାର୍ଯ୍ୟ କରିବେ ସେମାନେ ବିନୟୀ, ଦୟାଳୁ ଓ ବିଚାରବାନ୍ ହେବା ଦରକାର । କହିବା ବାହୁଲ୍ୟ, ଅର୍ଥନୈତିକ ଉନ୍ନୟନ ଓ ଦୁର୍ନୀତିହୀନ ପ୍ରଶାସନ ଜାତୀୟ ସଂହତିକୁ ଶକ୍ତିଶାଳୀ କରିବା ଦିଗରେ ନିଶ୍ଚିତ ଭାବରେ ସହାୟକ ହେବ ।
ଆମ ଦେଶରେ ଆମେ କୃଷି-କର୍ମରେ ଯନ୍ତ୍ରର ପ୍ରୟୋଗ ଓ ଦ୍ରୁତ ଶିଳ୍ପୀକରଣ କରି ଚାଲିବୁ । ଆମ ଜୀବନରେ ମୁକ୍ତି ଓ ଗଣତନ୍ତ୍ରର ମହ୍ୱ ଯଦି ଆମେ ଉପଲବ୍ଧି କରିବାକୁ ଚାହୁଁ, ତାହା ହେଲେ ଆମର ଚରିତ୍ର ଓ ଆଚରଣରେ ସଂସ୍କାର ଆଣିବାକୁ ପଡ଼ିବ; ଏକ ନୂତନ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ଅଭ୍ୟାସ କରିବାକୁ ପଡ଼ିବ । ଗାନ୍ଧିଜୀ ଯେଉଁ ଜ୍ଞାନ ବିଷୟ ଉଲ୍ଳେଖ କରିଛନ୍ତି ତାହା ଚିରଜାଗ୍ରତ ଓ ଚିରକ୍ରିୟାତ୍ମକ ହେଇ ରହିଛି । ବାହାର ଦୁନିଆ ସେଙ୍ଗ ତାର ପ୍ରତ୍ୟକ୍ଷ ସାମଞ୍ଜସ୍ୟ ନ ଥିଲେ ମଧ୍ୟ, ସେ ଜ୍ଞାନ ସଂସାରଛଡ଼ା ନୁହେଁ । ସଙ୍ଗତି ବିଧାନ କରିବାରେ ଓ ଦାୟାମୁକ୍ତ କରିବାରେ ସମାଜ ପକ୍ଷରେ ତାହା ବିଶେଷ ସହାୟକ ହେଇଛି ।
ଜ୍ଞାନ ଉଦୟ ହେଲେ ମଣିଷ ହୃଦୟରେ କ୍ଷମା, ତିତିକ୍ଷା ଓ କରୁଣା ବାସ କରନ୍ତି । କିନ୍ତୁ ଦୁର୍ଭାଗ୍ୟ, ଯେପରି ଦେଖା ଯାଉଛି, ଆମେ ଆତ୍ମସମାଲୋଚନା ନ କରି ଅନ୍ୟକୁ ସମାଲୋଚନା କରିବାରେ ବେଳକୁ ବେଳ ଅଧିକ ଉତ୍ସାହ ପ୍ରକାଶ କରୁଛୁ । ଉଚ୍ଚ ମ ଉପରୁ ଆମେ ସହିଷ୍ଣୁତା ଓ ବୁଝାମଣା ଉପରେ ଲମ୍ବା ଲମ୍ବା ବ୍ୟାଖ୍ୟାନ ଶୁଣାଇ ଥାଉଁ କିନ୍ତୁ ଦୈନନ୍ଦିନ ଜୀବନରେ ଅନ୍ୟର ସଂସ୍ପର୍ଶରେ ଆସିଲା ବେଳେ ଆମେ ନିଜେ ସେ କଥା ଭୁଲି ବସୁ ।
ଆମେ ଯଦି ଜାତିଆଣ ପ୍ରଥାକୁ ଜାବୁଡ଼ି ରହୁଁ, ମଣିଷକୁ ଯଦି ଶ୍ରଦ୍ଧା ଓ ସମ୍ମାନ ଚକ୍ଷୁରେ ନ ଦେଖୁ, ଯୁକ୍ତିଯୁକ୍ତ ବିଚାର ଓ ମାନସିକ ଅନୁଭୂତି ଆମର ନାଇଁ- ଏ ଭାବରେ ଯଦି ଆମେ ନିଜର ପରିଚୟ ଦେବାକୁ ଯାଉଁ ଏବଂ ଏଥିଦ୍ୱାରା ଯଦି ଆମେ ପରମେଶ୍ୱରଙ୍କୁ ପ୍ରୀତ କରୁଛୁ ବୋଲି ମନେ କରୁଁ, ତାହା ହେଲେ ଆମେ ମସ୍ତବଡ଼ ଭୁଲ୍ କରୁଛୁ । ଏ ପ୍ରକାର ଆଚରଣରେ ଈଶ୍ୱର ପ୍ରୀତ ହେବା ପରିବେର୍ ଅପମାନିତ ହୁଅନ୍ତି ଏବଂ ଆମର ମଧ୍ୟ ଯଥେଷ୍ଟ ପରିମାଣରେ ଅନିଷ୍ଟ ଘଟେ ।
‘ନିର୍ଦ୍ଧୋଷଂ ହି ସମଂ ବ୍ରହ୍ମ’- ବ୍ରହ୍ମ ଗୁଣହୀନ ଓ ସମ । ସେ ସମସ୍ତଙ୍କ ପାଇଁ ସମାନ । ଏଇ ସତ୍ୟ ଉପଲବ୍ଧି କରିବାରେ ଏବଂ ଆମର ବଂଶ, ସମ୍ପ୍ରଦାୟ କି ଧର୍ମର ହୁଅନ୍ତୁ ବା ନ ହୁଅନ୍ତୁ, ସମସ୍ତଙ୍କର ପ୍ରତି ପ୍ରୀତିପୂର୍ଣ୍ଣ ବ୍ୟବହାର କରିବାରେ ଯାହା ବାଧା ଉପୁଜାଏ ତାହା ଧର୍ମସମ୍ମତ ନୁହେଁ । ତାହା ଅଧର୍ମତ୍ୱ ।
ଗଣତନ୍ତ୍ରରେ ବିଶ୍ୱାସ କେବଳ ଆମ ସମାଜକୁ ସଂହତ କରିପାରିବ । ଆଧୁନିକତା ପାଇଁ ପଥ ଉନ୍ମୁକ୍ତ କରିବ ଗଣତନ୍ତ୍ର । ଆମେ ଯଦି ଅତୀତ ଯୁଗର ସାମାଜିକ ଅନୁଷ୍ଠାନ ଓ ବ୍ୟବସ୍ଥାମାନଙ୍କ ଦ୍ୱାରା ଛନ୍ଦି ହୋଇ ରହୁଁ, ବିଂଶ ଶତାବ୍ଦୀରେ ତିଷ୍ଠି ରହିବା ଆମ ପକ୍ଷରେ ଅସମ୍ଭବ ହୋଇ ପଡିବ । ଅନାବଶ୍ୟକ ଅତୀତରେ ଜଡିତ ରହିବାହିଁ ଆମ ଜାତୀୟ ଅସଙ୍ଗତିର ମୁଖ୍ୟ ହେତୁ । ଆମେ ଯଦି ଗଣତାନ୍ତ୍ରିକ ନୀତି ଓ ଆଚରଣ ଅଭ୍ୟାସ କରୁଁ, ପ୍ରତିକ୍ରିୟାଶୀଳ, ଅସାମାଜିକ ତଥା ବିଭେଦକାରୀ ଶକ୍ତିମାନେ ଆମକୁ ଅତିକ୍ରମ କରି ଆଗକୁ ନେଇ ଯାଇପାରିବେନି ।
ଗତ ନିର୍ବାଚନରେ ଦେଖାଯାଇଛି ଯେ, ଜାତିଆଣ ଭାବ, ଭାଷା ଓ ସାମ୍ପ୍ରଦାୟିକ ଭାବ କବଳରୁ ଆମ ଲୋକେ ମୁକ୍ତ ହେଇ ପାରି ନାହାନ୍ତି । ଆମ ଗଣତାନ୍ତ୍ରିକ ଜୀବନକୁ ଏହା ଅସୁସ୍ଥ କରିଛି । ଆମକୁ ବରାବର ସାବଧାନ ରହିବାକୁ ହେବ, ପତନ୍ତ୍ର ଶାସନରେ ଜାତିଆଣ ପାୟତ ଭାବନା ଆମର ଏତେ ବଡ଼ ସଦୁଦ୍ଧେଶ୍ୟକୁ ଯେପରି ବ୍ୟାହତ କରି ନ ବସେ । ଶୀଳସମ୍ମତ ଉଦ୍ଗତି ମହାନୁଭବତାର ଚିହ୍ନ । ଏହାର ଅଭାବରେ ମଣିଷର ନୀଚମନର ବହିଃ ପ୍ରକାଶ ଘଟିଥାଏ । ‘କୁଳଂ କୁଳଂ ଏହୁ ଆଚରମ୍ କୁଳ ମୁଚ୍ୟତେ ।’
ଆମର ସାମାଜିକ ତଥା ପ୍ରଶାସନିକ ଜୀବନରେ ଆମେ ଯଦି ପ୍ରକୃତ ଗଣତାନ୍ତ୍ରିକ ଆଚରଣ ଅଭ୍ୟାସ କରୁଁ, ଧ୍ୟାନ ରହିବା ଉଚିତ, ବଂଶ, ଜାତି, ଭାଷା, ଲିଙ୍ଗ, ଜାତିଆଣ, ଧର୍ମବିଶ୍ୱାସ ଓ ରାଜନୈତିକ ବିଚାର ଲାଗି କାହା ପାଖରେ ହେଲେ ଆମର ନିରପେକ୍ଷତା ଯେପରି ନିନ୍ଦିତ ନହୁଏ ।
ମୁକ୍ତ ଭାବରେ ନିଜର ଅଭିବ୍ୟକ୍ତି କରିବା ଦିଗରେ ଓ ନିଜର ଉନ୍ନତି ବିଧାନ କରିବା ଦିଗରେ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ଯେତେ ପ୍ରକାର ସୁବିଧା ସୁଯୋଗ ସବୁ ଦିଆଯାଇପାରେ, କିନ୍ତୁ ମଣିଷ ମଣିଷ ଭିତରେ ବିଭେଦର ପ୍ରାଚୀର ଠିଆ କରିବା ପାଇଁ କୌଣସି ପ୍ରକାର ଉତ୍ସାହ ଯୋଗାଇବା ସଙ୍ଗତ ନୁହେଁ ।
ସମାଜରେ ଅର୍ଥନୈତିକ ବିଧି ନିଷେଧ ଯୋଗୁଁ ଯେଉଁମାନେ ପଛରେ ପଡ଼ିଛନ୍ତି ସେମାନଙ୍କୁ ଅତିରିକ୍ତ ସାହାଯ୍ୟ ଯୋଗାଇ ଅନ୍ୟମାନଙ୍କ ସମକକ୍ଷ କରିବା ଚେଷ୍ଟା ତ ଧର୍ମ କିନ୍ତୁ ସେପରି କ୍ଷେତ୍ରରେ ଜାତିଆଣ କିମ୍ବା ସାମ୍ପ୍ରଦାୟିକ ବିଚାର ଯେପରି ପ୍ରବେଶ ନକରେ ସେଥି ପ୍ରତି ସଜାଗ ରହିବା ଦରକାର ।
ପ୍ରତିଯୋଗିତାର ଏ ବିଶ୍ୱରେ ତିଷ୍ଠି ରହିବାକୁ ହେଲେ ଆମର ବଛା ବଛା ଦକ୍ଷଲୋକଙ୍କ ହାତରେ କେବଳ ବଡ଼ ବଡ଼ ଦାୟିତ୍ୱ ନ୍ୟସ୍ତ କରାଯିବା ଉଚିତ । ସରକାରୀ ନିଯୁକ୍ତିରେ କର୍ମପଟୁତାକୁ ମୁଖ୍ୟ କରାଯାଇ ଏବଂ ଯେଉଁ ସବୁ ବାଧା ପ୍ରତିବନ୍ଧକ ଅନୁନ୍ନତବର୍ଗ ଲୋକଙ୍କ ଅଗ୍ରଗତିକୁ ପଛରୁ ଟାଣି ଧରୁଛି, ସେ ସବୁ, ଯେତେ ଶୀଘ୍ର ସେତେ ଭଲ, ଦୂର କରାଯାଉ ।
ବିଶ୍ୱ ପରିସ୍ଥିତି ପ୍ରତି ଦୃଷ୍ଟି ଦେଲେ ଆମେ ଦେଖିବାକୁ ପାଉଁ, ସମଷ୍ଟିଭୂତ ଆବେଗ ଆଜି ବିଶ୍ୱକୁ ଧ୍ୱଂସ ମୁଖକୁ ଟାଣି ଦେବାର ଉପକ୍ରମ କରୁଛି । ତ୍ୱ ଦିଗରୁ ଆମେ ଶାନ୍ତିର ଅଭେଦତ୍ୱ ଓ ବିଶ୍ୱର ଏକତ୍ୱ ହୃଦ୍ବୋଧ କରିପାରିଥିଲେ ମଧ୍ୟ କାର୍ଯ୍ୟରେ ସଂକୀର୍ଣ୍ଣ ରାଷ୍ଟ୍ରୀୟ ମନୋଭାବ କେବଳ ପ୍ରକାଶ କରିଥାଉଁ ।
ଆମ ଜୀବନ ଓ ଚିନ୍ତାରୁ ଏ ଦ୍ୱୈତ ଭାବନା ଦୂର କରିବାକୁ ହେବ । ବିଶ୍ୱ ପରିସ୍ଥିତି ଆଜି ଆମକୁ ଏକ ବିଶ୍ୱ ବିଚାର ଉପରେ ନିର୍ଭର କରିବା ପାଇଁ ଏକ ପ୍ରକାର ବାଧ୍ୟ କରୁଛି । ସୁତରାଂ ଆନ୍ତର୍ଜାତିକ କ୍ଷେତ୍ରରେ ବିଭେଦର ପ୍ରାଚୀର ଭାଙ୍ଗିବା, ଉେଜନା ହ୍ରାସ କରିବା ଓ ବିଶ୍ୱର ଏକତ୍ୱ ପ୍ରତିଷ୍ଠା କରିବା ଦିଗରେ ଆମେ ଉଦ୍ୟମ କରିବୁ ।
ମଣିଷର ଭବିଷ୍ୟତ ଉପରେ ଆମର ବିଶ୍ୱାସ ଅଛି । ତାର ସ୍ବଭାବ ବହୁବାର ବଦଳିଛି ଏବଂ ପୁଣି ବଦଳିବ । ବର୍ମାନର ଅବସ୍ଥା ତାର ଅନ୍ତିମ କାଳ ନୁହେଁ । ମଣିଷ ଭବିଷ୍ୟତରେ ଯାହା ହେବ, ଆଜିର ମଣିଷ ତାର ଏକ ନକ୍ସା ମାତ୍ର । ପରିସ୍ଥିତିର ପ୍ରତିରୋଧ ଅତିକ୍ରମ କରି ସେ କେଉଁ ଅନାଦି କାଳରୁ ଅଗ୍ରଗତି କରି ଆସିଛି । ତାର ଅଗ୍ରଗତି ବଜାୟ ରହିବ ।
ଚେତନା ଭିତରକୁ ଲ¶ ପ୍ରଦାନ କରିବା ଆଜି ତା’ ନିମନ୍ତେ ନିତାନ୍ତ ଆବଶ୍ୟକ ହେଉ ପଡ଼ିଛି । ବ୍ୟକ୍ତି, ଜାତି ଓ ସଭ୍ୟତା ଏକ ବିପୁଳ ବିବର୍ନ ପ୍ରକ୍ରିୟାର, ପୂର୍ଣ୍ଣତାପ୍ରାପ୍ତି ସାଧନାର ଅଂଶ ମାତ୍ର । ମଣିଷର ସମ୍ବେଦନଶୀଳତା ବୃଦ୍ଧି ପାଉଛି; ସେ ସଂସ୍କୃତ ହେଉଛି, ମହର ହେଉଛି ।
ଅତଏବ, ଏକତା, ମୁକ୍ତି, ନ୍ୟାୟ ଓ ସହଯୋଗ ଉପରେ ଭିି କରି ଗୋଟାଏ ଗତିଶୀଳ ତଥା ସଂହତ ସମାଜ ନିର୍ମାଣ କରିବା ପାଇଁ ଆମେ ପୁନର୍ବାର ନିଜକୁ ନିୟୋଜିତ କରୁ ।
(ସ୍ବାଧୀନତା ଦିବସ ବାର୍ାରୁ ‘ସ୍ବରୂପ’ ପତ୍ରିକାର ସଂପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ପଣ୍ଡାଙ୍କ ଦ୍ୱାରା ସଂଗୃହୀତ ।)
Comments
Post a Comment