ଜ୍ଞାନ ଓ ଜ୍ଞାନୀ

ମନୋଜ ଦାସ

“There are two allied powers in man: Knowledge and Wisdom.Knowledge is so much of the truth, seen in a distorted medium, as the mind arrives at by groping; Wisdom what the eye of divine vision sees in the spirit.” 

“ମଣିଷ ଭିତରେ ରହିଛନ୍ତି ଦୁଇ ପରସ୍ପର ସହଯୋଗୀ ଶକ୍ତି: ଜ୍ଞାନ ଓ ପ୍ରଜ୍ଞା । ଗୋଟିଏ ବିକୃତ ମାଧ୍ୟମ ଦେଇ ଦେଖି ସତ୍ୟର ଯେତିକି ମାତ୍ରାକୁ ମନ ଅଣ୍ଡାଳି ଅଣ୍ଡାଳି ନିରୂପଣ କରିପାରେ, ତାହାହିଁ ଜ୍ଞାନ । ଦିବ୍ୟଦୃଷ୍ଟି ଆତ୍ମା ଜରିଆରେ ଯାହା ଦେଖିପାରେ, ତାହାହିଁ ପ୍ରଜ୍ଞା” ।

ଆମେ ସାଧାରଣତଃ ଜ୍ଞାନ ଶବ୍ଦ ଦ୍ୱାରା ଉଭୟ Knowledge Gaõ Wisdom  କୁ ବୁଝାଇ ଥାଉ । କିନ୍ତୁ Wisdom ପାଇଁ ରହିଛି ଅଧିକ ଉପଯୁକ୍ତ ଶବ୍ଦ: ପ୍ରଜ୍ଞା । ଆମେ ‘ପ୍ରଜ୍ଞା’ ହିଁ ବ୍ୟବହାର କରିବା ।

ଶ୍ରୀମାଙ୍କୁ ଜଣେ ପ୍ରଶ୍ନ କରିଛନ୍ତି, ଜ୍ଞାନ ଓ ପ୍ରଜ୍ଞା ପରସ୍ପର ସଂପର୍କିତ କାହିଁକି? ଶ୍ରୀମା ବୁଝାଇଛନ୍ତି, ଉଭୟ ଶକ୍ତି ଆମକୁ ଅଜ୍ଞାନ-ଅନ୍ଧାରରୁ ଆଲୋକ ଦିଗରେ ନେଇଯିବା ସକାଶେ ଉଦ୍ଧିଷ୍ଟ । ଜ୍ଞାନ ମନ ଦ୍ୱାରା ମିଳିପାରୁଥିବା ସ୍ଥଳେ ପ୍ରଜ୍ଞା ଲାଭ କରିବାର ମାଧ୍ୟମ ଆମର ଆତ୍ମା ।

‘ବିକୃତ ମାଧ୍ୟମ’ ବୋଇଲେ କ’ଣ? ଶ୍ରୀ ଅରବିନ୍ଦଙ୍କ ଅଭିବ୍ୟକ୍ତିର ଅର୍ଥ ଭିନ୍ନ ଭିନ୍ନ ସ୍ତରରେ ଭିନ୍ନ । ମନ ଏକ ଅସଂପୂର୍ଣ୍ଣ ବା ଅପରିଣତ ମାଧ୍ୟମ । ଏହା ସଂପୂର୍ଣ୍ଣ ସତ୍ୟ ଜାଣିବାରେ ଅକ୍ଷମ । ଏହା ଗୋଟିଏ ସ୍ତରର ଅର୍ଥ । ଅନ୍ୟ ଏକ ସ୍ତରରେ-ସମଗ୍ର ଜୀବନହିଁ ଯେହେତୁ ଅଜ୍ଞାନ-ଅଧ୍ୟୁଷିତ, ପୃଥିବୀର ସମଗ୍ର ବାତାବରଣ ମଧ୍ୟ ବିକୃତ ବୋଲି କୁହାଯାଇପାରେ । ପୃଥିବୀର ଘଟଣାବଳିର ବିିଶ୍ଳେଷଣ ଜରିଆରେ ସତ୍ୟରେ ଉପନୀତ ହେବା ସହଜ ନୁହେଁ । ଏଠାରେ ସତ୍ୟ ବୋଇଲେ ଆଧ୍ୟାତ୍ମିକ ସତ୍ୟ-ପରମ ସତ୍ୟକୁ ବୁଝାଯାଉଛି ।

ମନର ଅପାରଗତା ସଂପର୍କରେ ଶ୍ରୀମା ଏକ ଚିତ୍ରକଳ୍ପ ଦେଇଛନ୍ତି । ସୂର୍ଯ୍ୟାଲୋକ  ଶୁଭ୍ର । କିନ୍ତୁ ସେ ଆଲୋକ ବହୁବିଧ ରଙ୍ଗରେ ବିଚ୍ଛୁରିତ ହୋଇପାରେ । ସେତେବେଳେ ଆମ ଦୃଷ୍ଟି ସେସବୁ ରଙ୍ଗକୁ ଏକତ୍ର କରି ତା’ର ପୂର୍ଣ୍ଣର୍ ଅବିଭାଜିତ ରୂପ ଦେଖିପାରିବା ସମ୍ଭବପର ହୁଏ ନାହିଁ । ସତ୍ୟର ପ୍ରକୃତ ରୂପ ସେହି ସୂର୍ଯ୍ୟାଲୋକ ଭଳି । କିନ୍ତୁ ତା’ର ନିଜସ୍ବ ସୀମିତତା, ନିଜସ୍ବ ଧାରଣା, ଅବଚେତନ ପ୍ରଭାବ ଇତ୍ୟାଦି ଜରିଆରେ ଦେଖିବା ବେଳକୁ ତାକୁ ଛିନ୍ନ ଛିନ୍ନ କରି ପକାଏ ।

ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ

ଭାରତର ପ୍ରାଜ୍ଞ ଲୋକକଥା ମନର ଏହି ସୀମାବଦ୍ଧତାକୁ ଯେଉଁ କାହାଣୀ ମାଧ୍ୟମରେ ଦର୍ଶାଇଛି, ତାହା ଅତ୍ୟନ୍ତ ଜନପ୍ରିୟ । କେତେଜଣ ଅନ୍ଧ ହାତୀ କ’ଣ ଜାଣିବାକୁ ଉତ୍ସୁକ । ଜଣେ ତା’ର ପେଟରେ ହାତ ବୁଲାଇ ହାତୀ ଗୋଟାଏ କାନ୍ଥ ଭଳିି ବୋଲି ଧାରଣା କରିବା ବେଳକୁ ଅନ୍ୟ ଜଣେ ତା’ ଗୋଡ଼ କୁଣ୍ଢାଇ ହାତୀକୁ ଖମ୍ବବତ୍ ପ୍ରାଣୀ ଭଳି ଏବଂ ଅନ୍ୟ ଜଣେ ତା’ ଦାନ୍ତରେ ହାତ ବୁଲାଇ ହାତୀ ଏକ ଶକ୍ତ ଗୋଜିଆ ଅସ୍ତ୍ର ଭଳି ବୋଲି ସିଦ୍ଧାନ୍ତରେ ପହôଛନ୍ତି । ଭୁଲ୍ ନ କରିବା ସେ୍ୱ ପ୍ରତ୍ୟେକେ ସତ୍ୟଠାରୁ ବହୁ ଦୂରରେ ।

ଜ୍ଞାନର ମଧ୍ୟ ବହୁ ପର୍ଯ୍ୟାୟ ରହିଛି । ଜଣକର ଜ୍ଞାନ ଥିବା ସେ୍ୱ ସେ ଜ୍ଞାନୀ ହୋଇ ନ ପାରେ । ମୋର ଏ କଥାଟି କାହା କାହାକୁ ବିଚିତ୍ର ଲାଗିପାରେ । ଯାହାର ଧନ ଅଛି ସେ ଧନୀ ନ ହେବା ଯେପରି ଅବାସ୍ତବ, ଯାହାର ଜ୍ଞାନ ଅଛି ସେ ଜ୍ଞାନୀ ନ ହେବା ଅବାସ୍ତବ ନୁହେଁ କି? କଥାଟି ସରଳ କରିଦେବା ନିମନ୍ତେ ଗୋଟାଏ କାହାଣୀର ଆଶ୍ରୟ ନେବି:

ଧରନ୍ତୁ ଲୋକଟିର ନାମ ଜଗୁ । ଫାଶ ବସାଇ ସେ ଥରେ ଥରେ ଶୁଆ ସାରି ଧରେ; ସେଗୁଡ଼ିକୁ ବିକି୍ରକରେ । ଦିନେ ତା’ ଫାଶରେ ପଡ଼ିଲା ଗୋଟାଏ ସୁନ୍ଦର ଶୁଆ । ଜଗୁ ତାକୁ ଧରିବା ମାତ୍ରେ ସେ କହିଲା, “ବାବୁ! ତୁମେ ମୋତେ ଧରି କ’ଣ ଲାଭ ପାଇବ”?

“ବିକି୍ର କରି ଦୁଇ ପଇସା ପାଇବି” । ଉର ଦେଲା ଜଗୁ । “ଦୁଇ ପଇସା ତୁମେ ସୁଖ ପାଇଁ ଆୟ କରିବ ତ? ଠିକ୍ ଅଛି । ମୋତେ ଛାଡ଼ି ଦିଅ । ମୁଁ ତୁମକୁ ଏମିତି ତିନୋଟି ଜ୍ଞାନ ଦାନ କରିବି, ଯାହା ତୁମକୁ ବହୁତ ଦୁଃଖ ଏଡ଼ାଇ ଯିବାରେ ସାହାଯ୍ୟ କରିବ” ।

“ମୋତେ ବୋକା ବୋଲି ଭାବିଲ କି? ବେଶ୍ । ଆଗେ ସେ ତିନୋଟି ଜ୍ଞାନ ଦିଅ । ତେଣିକି ମୁଁ ବିଚାର କରିବି” । କହିଲା ଜଗୁ ।

“ଶୁଣ । ଯାହା ଚାଲିଯାଇଛି, ତାହା ପାଇଁ ପସ୍ତେଇବ ନାହିଁ । ଏହା ପ୍ରଥମ ଜ୍ଞାନ । ଯାହା ଅବାସ୍ତବ ବୋଲି ବୁଝୁଥିବ, ସେଥିରେ ପରତେ ଯିବ ନାହିଁ । ତୃତୀୟରେ, ଯାହା ଅକ୍ତିଆର କରିବା ସମ୍ଭବ ନୁହେଁ, ତାହା ଅକ୍ତିଆର କରିବାକୁ ଚେଷ୍ଟା କରିବ ନାହିଁ”, ପକ୍ଷୀ କହିଲା ।

“ହାଃ ହାଃ”! ହସିଲା ଜଗୁ । “ତୁମେ ମୋତେ ଏହି ଜ୍ଞାନ ଦେଉଛ? ଜ୍ଞାନ କ’ଣ ମୋର ନ ଥିଲା”? ସେ ଏମିତି ଆସ୍ଫାଳନ କରିବା ଭିତରେ ପକ୍ଷୀଟି ତା’ ହାତରୁ ହଠାତ୍ ଖସି ପଳେଇଲା । ଜଗୁ ଚମକି ପଡ଼ି ଅନେଇଲା ବେଳକୁ ପକ୍ଷୀ ଯାଇ ଗୋଟାଏ ଗଛ ଡାଳରେ ବସିଛି ।

“ତୁମକୁ ମୁଁ ଦେଇଥିବା ଜ୍ଞାନ ଆଗରୁ ଜଣାଥିଲା ପରା! ତା’ ହେଲେ ତ ତୁମେ ଟିକିଏ ସତର୍କ ଭାବରେ ମୋତେ ତୁମ କବ୍ଜାରେ ରଖିପାରିଥିଲେ ତୁମ ଭାଗ୍ୟ ବଦଳି ଯାଇଥା’ନ୍ତା । ତୁମକୁ ଜଣା ନାହିଁ, ମୋ ପେଟରେ ଗୋଟାଏ ବଡ଼ ଆତ ଆକାରର ହୀରା ଅଛି । ତା’ର ମୂଲ୍ୟ କୋଟିଏ ଟଙ୍କା” । ପକ୍ଷୀ କହିଲା ।

ଜଗୁ ଆଗକୁ ଖେପିଯାଇ ହାତ ବଢ଼ାଇ ପକ୍ଷୀକୁ ଧରିବାକୁ ଚେଷ୍ଟା କଲା । କିନ୍ତୁ ପକ୍ଷୀ ଗୋଟାଏ ଉପର ଡାଳକୁ ଉଡ଼ିଯାଇ ବସିଲା ଓ ହସିଲା । ଜଗୁ ତହୁଁ ଗଛ ଚଢ଼ିଲା । କିନ୍ତୁ ସେ ଯେତିକି ଉପରକୁ ଉଠୁଥାଏ, ପକ୍ଷୀଟି ସେତିକି ଅଧିକରୁ ଅଧିକ ଉପର ଡାଳକୁ ପଳାଇଯାଉଥାଏ । ଶେଷରେ ପକ୍ଷୀ ଯାଇ ସବା ଉପର ଡାଳରେ ବସିଲା । ଜଗୁ ତାକୁ ଧରିବା ମାନସରେ ଠିକ୍ ତା’ ତଳ ଡାଳକୁ ଉଠନ୍ତେ ସେ ଗୋଟିଏ ଭାଙ୍ଗିଗଲା । ଜଗୁ ଆସି ପଡ଼ିଲା ତଳେ ଗୋଟିଏ କା ବୁଦା ଉପରେ । ଦେହ ହାତ ଚିରିଗଲା ।

ପକ୍ଷୀ ଉଡ଼ିଯାଇ ତା’ ମୁଣ୍ଡ ଉପରେ ଚକ୍କର ଦେଇ କହିଲା, “ତୁମେ ଏଥର କିଛି ବୁଝିଲ? ମୁଁ ଦେଇଥିବା ଜ୍ଞାନ ତୁମର ଅଛି ବୋଲି ତମେ କହୁଥିଲ । ବାସ୍ତବରେ ତୁମର ସେ ଜ୍ଞାନ ଥିଲେ ବି ତୁମେ ସେ ଜ୍ଞାନର ଜ୍ଞାନୀ ନ ଥିଲ । ଯାହା ଚାଲିଯାଇଛି, ତାକୁ ନେଇ ପସ୍ତେଇବା କଥା ନୁହେଁ । ମୁଁ ତୁମ ହାତରୁ ଖସିଯିବା ପରେ ବି ତୁମେ ମୋତେ ଧରିବାକୁ ଚେଷ୍ଟା କରି ପ୍ରମାଣ କଲ ଯେ ତୁମର ସେ ଜ୍ଞାନ ପ୍ରକୃତରେ ନାହିଁ । ଯାହା ଅସମ୍ଭବ, ସେଥିରେ ବିଶ୍ୱାସ କରିବା କଥା ନୁହେଁ । ଅଥଚ ତୁମେ ମୋ ଭଳି ଟିକି ପକ୍ଷୀ ପେଟରେ ଆତ ଆକାରର ହୀରା ଖଣ୍ଡ ଥିବା କଥା ବିଶ୍ୱାସ କଲ । ଯାହା ତୁମ ଅକ୍ତିଆର ବାହାରେ, ତାକୁ ଅକ୍ତିଆର କରିବାକୁ ଚେଷ୍ଟା କରିବା କଥା ନୁହେଁ । ମୁଁ ପକ୍ଷୀ । ସହଜରେ ଗୋଟାଏ ଡାଳରୁ ତହିଁ ଉପର ଡାଳକୁ ଯାଇ ଉଡ଼ି ପଳାଇଯାଇ ପାରିବି । ତୁମେ କେମିତି ଭାବୁଥିଲ ମୋତେ ଗଛ ଚଢ଼ି ଧରିପାରିବ”?

କାହାଣୀଟିର ସମାପ୍ତ ଏହିଠାରେ । ଏ କାହାଣୀର ଶିକ୍ଷା ସାମାଜିକ ଜୀବନ ସହ ପ୍ରଯୁଜ୍ୟ ଆଧ୍ୟାତ୍ମିକ ଜୀବନ ପ୍ରତି ନୁହେଁ । ଜଗୁ ନିଜର ଜ୍ଞାନ ବୋଲି ମନେ କରୁଥିଲା, ତାହା ଜ୍ଞାନର ଏକ ଧାରଣା ମାତ୍ର । ଜ୍ଞାନୀ ସିଏ, ଯିଏ ନିଜ ଜ୍ଞାନ ଉପଲବ୍ଧି କରିଥାଏ । ଅର୍ଥାତ୍ ସେହି ଅନୁସାରେ ଆଚରଣ କରେ । ମିଥ୍ୟା ଓ ଦୁର୍ନୀତି ମନ୍ଦ, ଏ ଜ୍ଞାନ ପ୍ରାୟ ସମସ୍ତ ଲୋକଙ୍କର ରହିଛି । ପୁଣି ଅପେକ୍ଷାକୃତ ଆଉଟିକେ ବିକଶିତ ଚେତନାର ମଣିଷ ମାତ୍ରେ ଜାଣନ୍ତି ଯେ ଯେଉଁ ସୁଖ ଲାଭ ଆଶାରେ ମଣିଷ ମିଥ୍ୟାଚାର ଓ ଦୁର୍ନୀତିର ପଥ ଅନୁସରଣ କରେ, ସେ ସୁଖ ତାକୁ ଫାଙ୍କିଦେଇ ଖସିଯାଏ । ଆହୁରି ମାତ୍ରାଏ ଅଧିକ ବିକଶିତ ଚେତନାର ଲୋକେ ଜାଣନ୍ତି  କି ସେଭଳି ପଥରୁ ସୁଖ ମିଳିବା ଦୂରର କଥା ସେ ପଥରେ ଯାଇ ଚେତନାର ଯେଉଁ ଅଧଃପତନ ଘଟେ ତାହା ଜଣକୁ ଅଜ୍ଞାନ ଅନ୍ଧକାର ଭିତରକୁ ଟାଣି ନେଇଯାଏ । ଅଜ୍ଞାନହିଁ ଅଧିକାଂଶ ଦୁଃଖ ଯନ୍ତ୍ରଣାର ଭିି ହୋଇଥିବା ସ୍ଥଳେ ଜଣେ ଯେଉଁ ଆଶାରେ ମିଥ୍ୟା ଓ ଦୁର୍ନୀତିର ପଥ ଧରିଥାଏ, ସେ ଆଶାର ବିପରୀତ ଫଳହିଁ ତାକୁ ମିଳେ । ଅର୍ଥାତ୍ ସୁଖ ବଦଳରେ ମିଳେ ଦୁଃଖ । କିନ୍ତୁ ଏ ତିନି ପର୍ଯ୍ୟାୟର ଜ୍ଞାନ ମଧ୍ୟ ଜଣକୁ ଜ୍ଞାନୀ ନ କରିପାରେ । ଅନ୍ୟ ଭାଷାରେ କହିଲେ, ଜଣେ ନିଜ ଜ୍ଞାନକୁ ନିଜ ଜୀବନରେ କାର୍ଯ୍ୟକାରୀ କରୁ ନ ଥାଇପାରେ । ତେଣୁ ସେ ଜ୍ଞାନୀ ନୁହେଁ । ଯଦି ସେ କାର୍ଯ୍ୟକାରୀ କରୁଥିବ, ସେ ଅବଶ୍ୟ ଜ୍ଞାନୀ । କିନ୍ତୁ ଶ୍ରୀଅରବିନ୍ଦ ଏଠାରେ ଯେଉଁ ପ୍ରଜ୍ଞା କଥା କହୁଛନ୍ତି, ତାହା ଏପରିକି ଏଭଳି ଜ୍ଞାନୀର ଆୟର ମଧ୍ୟ ଊଦ୍ଧ୍ୱର୍ରେ । କେବଳ ଆତ୍ମଦର୍ଶୀହିଁ ତାହା ଲାଭ କରିପାରେ । ତାହା ପ୍ରତ୍ୟକ୍ଷ ସତ୍ୟଜ୍ଞାନ ।

ସୌଜନ୍ୟ-ପ୍ରଜ୍ଞା-ପ୍ରଦୀପିକା- ଶ୍ରୀ ଅରବିନ୍ଦଙ୍କ, ଭାବନା- କାରିକା: ଏକ ଦୃଷ୍ଟିପାତ (କାରିକା-୧)

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର