(୧)ଜ୍ଞାନ ପ୍ରବାହ--ଭାଗ - ଏକ

🌹🌹🌹🌹🌹🌹🌹🌹🌹

 *🌷🌷ଜ୍ଞାନ ପ୍ରବାହ* 🌷🌷

🌹🌹🌹🌹🌹🌹🌹🌹🌹

ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ 

🌹🌹🌹🌹🌹🌹🌹🌹🌹

*****ଭାଗ - ଏକ*****

🌹🌹🌹🌹🌹🌹🌹🌹🌹

ମନୁଷ୍ୟ ଆନନ୍ଦକୁ ବାହାରେ ଖୋଜେ । ସେ ନାରୀ ଦେହ, ଧନ ସମ୍ପତ୍ତି ଆଦିରେ ଆନନ୍ଦକୁ ଖୋଜିବୁଲେ । କିନ୍ତୁ ଆନନ୍ଦ ହେଉଛି ମାନବାତ୍ମାର ନିଜସ୍ବ ସ୍ବରୂପ । ଏ କଥା ସେ ଜାଣିନଥାଏ । ପ୍ରତ୍ୟେକଙ୍କ ମଧ୍ୟରେ ଆନନ୍ଦ ବିଦ୍ୟମାନ । ଦୁଧରେ ଥିବା ଲହୁଣି ସାଧାରଣ ଆଖିକୁ ଦେଖାଯାଏ ନାହିଁ । ଦୁଧରୁ ଦହି ତିଆରି କରି ତାକୁ ମନ୍ଥନ କଲେ ଲହୁଣି ବାହାରେ । ଠିକ୍ ଏହିପରି ମାନବକୁ ମନୋମନ୍ଥନ କରି ନିଜ ଭିତରେ ଥିବା ଆନନ୍ଦକୁ ପ୍ରକଟିତ କରିବା ଉଚିତ । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ । ତଥାପି ମାନବାତ୍ମା ପରମାତ୍ମାଙ୍କୁ ଚିହ୍ନିବାର ପ୍ରଯତ୍ନ କରେ ନାହିଁ । ଏଣୁ ସେ ଆନନ୍ଦ ଅନୁଭବ କରିପାରିନଥାଏ । ଈଶ୍ୱର (ପରମାତ୍ମା) ଜଗତର ଉତ୍ପତ୍ତି (ସ୍ଥାପନା), ସ୍ଥିତି (ପାଳନା) ଓ ବିନାଶର କର୍ତ୍ତା ଅଟନ୍ତି । ସେ ତ୍ରିତାପ ବିନାଶ କର୍ତ୍ତା ଓ ସଚ୍ଚିଦାନନ୍ଦ ସ୍ବରୂପ ଅଟନ୍ତି । ମହାବିନାଶ ସମୟରେ ପ୍ରତ୍ୟେକ ଆତ୍ମାଙ୍କୁ ପରମାତ୍ମାଙ୍କ ସହିତ ମିଳିତ ହେବାକୁ ପଡିବ । ନାସ୍ତିକ ମଧ୍ୟ ଶେଷରେ କ୍ଲାନ୍ତ ହୋଇ ଶାନ୍ତି ଖୋଜେ ।

ଆନନ୍ଦର ଅନେକ ପ୍ରକରଣ ତୈତ୍ତରୀୟ ଉପନିଷଦରେ କୁହାଯାଇଛି । କିନ୍ତୁ ସେ ସବୁ ମଧ୍ୟରୁ ଦୁଇଟି ମୁଖ୍ୟ ଆନନ୍ଦ ହେଉଛି (୧) ସାଧନ ଜନ୍ୟ (୨) ସ୍ବୟଂ ସିଦ୍ଧ ଆନନ୍ଦ । ବିଷୟ ଜନ୍ୟ ଆନନ୍ଦକୁ ସାଧନ ଜନ୍ୟ କୁହାଯାଏ । ସାଧନ ବା ବିଷୟର ସମାପ୍ତି ପରେ ତଦ୍ ଜନ୍ୟ ଆନନ୍ଦର ନାଶ ହୁଏ । ଯୋଗୀମାନଙ୍କ ନିକଟରେ କିଛି ନଥାଏ । ତଥାପି ମଧ୍ୟ ସେମାନେ ଆନନ୍ଦରେ ଥାଆନ୍ତି । ଏଥିରୁ ସିଦ୍ଧ ହୁଏ ଯେ ଆନନ୍ଦ ମନୁଷ୍ୟାତ୍ମା ମଧ୍ୟରେ ଥାଏ । ପରମାତ୍ମା (ଈଶ୍ୱର) ସତ୍, ଚିତ୍ ଓ ଆନନ୍ଦରେ ପରିପୂର୍ଣ୍ଣ । ସତ୍, ନିତ୍ୟ ଓ ଚିତ୍, ଜ୍ଞାନ ଅଟେ । ସ୍ବୀୟ ସ୍ବରୂପରେ ଅବସ୍ଥାନ କରୁନଥିବାରୁ ମନୁଷ୍ୟ ଆନନ୍ଦ ପ୍ରାପ୍ତିରୁ ବଞ୍ଚିତ ହୁଏ । ଅଧିକାଂଶ ସମୟ ମନୁଷ୍ୟର ବୁଦ୍ଧି (ବିବେକ) ବାହ୍ୟାମୁଖୀ ହୁଏ । ତା’ର ବୁଦ୍ଧି ଅନ୍ତର୍ମୁଖୀ ହୁଏ ନାହିଁ । ତେଣୁ ଆନନ୍ଦ ଅନୁଭବ କରିପାରେ ନାହିଁ । ଯାହାର ଜ୍ଞାନ ନିତ୍ୟ ଲାଖି ରହେ ତାକୁ ହିଁ ଆନନ୍ଦ ମିଳେ । ସେ ହିଁ ଆନନ୍ଦମୟ ହୁଏ । ଆନନ୍ଦ ସ୍ବରୂପ ହେବା ପାଇଁ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ଆଶ୍ରୟ ନେବାକୁ ପଡିବ । ଅନ୍ୟଥା ଆନନ୍ଦ ପ୍ରାପ୍ତି ସମ୍ଭବ ନୁହେଁ । ଜୀବାତ୍ମା ପରିପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତାକୁ ଶାନ୍ତି ଓ ଆନନ୍ଦ ମିଳେନାହିଁ । ସଂସାରର ପ୍ରତ୍ୟେକ ପଦାର୍ଥ ପରିଣାମରେ ଧ୍ୱଂସ ପ୍ରାପ୍ତ ହେଉଥିବାରୁ ପରିପୂର୍ଣ୍ଣ ନୁହେଁ । ପରିଣାମ ସ୍ବରୂପ ପରମାତ୍ମାଙ୍କୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ଯିଏ ତଦାକାର କରେ ତାର ମନ ହିଁ ପରମାତ୍ମାଙ୍କ ସହିତ ଏକ ହୁଏ । ସେହି ଜୀବାତ୍ମା ପୂର୍ଣ୍ଣତା ପ୍ରାପ୍ତ ପୂର୍ବକ ଶ୍ରୀ ନାରାୟଣ ରୂପ ହୁଏ । ତାଙ୍କ ଜୀବନ ସଫଳ ହୁଏ । ଅପୂର୍ଣ୍ଣ ଥିବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ (ଜୀବ) ଶାନ୍ତିମିଳେ ନାହିଁ । ପରମାତ୍ମା ମିଳନ ଦ୍ୱାରା ଜୀବ ପରିପୂର୍ଣ୍ଣ ହୁଏ । ମାନବାତ୍ମା କେବଳ ପରମାତ୍ମା ମିଳନ ପାଇଁ ଯୋଗ୍ୟ । ନିଜ ସ୍ବରୂପ ବିଷୟରେ ଜ୍ଞାନ ନଥିବାରୁ ପଶୁ ଏଥିପାଇଁ ଯୋଗ୍ୟ ନୁହେଁ । ପରମାତ୍ମାନୁଭୂତି ବିନା ଜୀବନ ସଫଳ ହୁଏନାହିଁ । ମାନବାତ୍ମା ଜନ୍ମ ଜନ୍ମାନ୍ତରୁ ଭୋଗ ଉପଭୋଗ କରି ଆସୁଥିଲେ ମଧ୍ୟ ଶାନ୍ତି ପାଇ ପାରିନାହିଁ । ଶାନ୍ତି ସେତେବେଳେ ମିଳେ ଯେତେବେଳେ ପରମାତ୍ମାନୁଭୂତି ହୁଏ ।

ବିକାରଗସ୍ତ ମନ ପରମାତ୍ମାନୁଭୂତି କରିପାରିବ ନାହିଁ । ଯେଉଁମାନେ କାମ ସୁଖର ଉପଭୋଗ କରନ୍ତି ସେମାନେ ଯୋଗାଭ୍ୟାସ କରିପାରିବେ ନାହିଁ । ଭୋଗୀ ଯଦି ଯୋଗୀ ହୁଏ ତେବେ ସେ ରୋଗୀ ହୋଇଯିବ । ଜ୍ଞାନ ମାର୍ଗରେ ଯା’ର ପତନ ହୁଏ ସେ ନାସ୍ତିକ ହୁଏ । ଯୋଗମାର୍ଗରେ ଯା’ର ପତନ ହୁଏ ସେ ରୋଗୀ ହୁଏ । ଭକ୍ତି ମାର୍ଗରେ ଯା’ର ପତନ ହୁଏ ସେ ଆସକ୍ତ ହୁଏ । କଳିଯୁଗୀ ମାନବ କଠୋର ହଠ ଯୋଗ କରି ପାରିବ ନାହିଁ । ସବୁ ତ୍ୟାଗ କରି ଜଙ୍ଗଲକୁ ଯିବାର (ଅର୍ଥାତ୍ ସନ୍ୟାସ ନେବା) ଆବଶ୍ୟକତା ନାହିଁ । କେବଳ ଜଙ୍ଗଲକୁ ଚାଲିଗଲେ ଯେ ଆନନ୍ଦ ମିଳିବ ତାହା ନୁହେଁ । ନିବୃତ୍ତି ମାର୍ଗରେ ବି ହଠ କ୍ରିୟା ବେଳେ ମନରେ ପ୍ରବୃତ୍ତି ବିଚାର ଆସେ । ଗୋପୀମାନେ ଘର ଛାଡି ନଥିଲେ । ସେମାନେ ସ୍ବଧର୍ମ ତ୍ୟାଗ କରିନଥିଲେ । ସବୁ ପ୍ରକାର ଘରକାମ କରୁଥିଲେ । ଜଙ୍ଗଲକୁ ନଯାଇ ମଧ୍ୟ ଈଶ୍ୱରାନୁଭୂତି କରି ପାରିଥିଲେ । ସେମାନେ ଘରଗୃହସ୍ଥରେ ଥାଇ ମଧ୍ୟ ସମାଧିସ୍ଥ ଯୋଗୀ ଭଳି ଆନନ୍ଦ ପାଉଥିଲେ । ସେମାନଙ୍କର ପ୍ରତ୍ୟେକ ବ୍ୟବହାର ଭକ୍ତିମୟ ଥିଲା । ସେମାନଙ୍କ ମନ ଈଶ୍ୱରୀୟ ପ୍ରେମରେ ଭରପୁର ଥିଲା । କାର୍ଯ୍ୟବ୍ୟବହାରରେ ମଧ୍ୟ ସେମାନେ ଈଶ୍ୱରଙ୍କୁ ମନରୁ ଦୂରେଇ ପାରୁନଥିଲେ । ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଈଶ୍ୱରଙ୍କୁ ନିଜ ପାଖରେ ଅନୁଭବ କରୁଥିଲେ । ଏଥିରୁ ଆମକୁ ଶିକ୍ଷା ମିଳେ ଯେ ଘରେ ରହିବା ପାପ ନୁହେଁ, କିନ୍ତୁ ଘରକୁ ମନରେ ରଖିବା ପାପ । ଘରେ ରହି ଓ ଶାରିରୀକ ପୋଷଣ ପାଇଁ କାର୍ଯ୍ୟ ବ୍ୟବହାର କରି ମଧ୍ୟ ଯେଉଁମାନେ ମନବୁଦ୍ଧିକୁ ଈଶ୍ୱରାର୍ପିତ କରି ଦିଅନ୍ତି ସେମାନେ ପରମାନନ୍ଦ ପ୍ରାପ୍ତ ହୁଅନ୍ତି । (କ୍ରମଶଃ...)

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ 

ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲନମ୍ବର-

9437210296(Whatsapp)

7609969796(Jio)

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,