🌹🌹🌹🌹🌹🌹🌹🌹🌹
🌼🌼 *ଜ୍ଞାନ ପ୍ରବାହ (୭)* 🌼🌼
ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ
🌹🌹🌹🌹🌹🌹🌹🌹🌹
ଆମର ଶରୀରର ସୃଷ୍ଟି କାମ ବିକାରରୁ ହୋଇଛି । ଏହାଠାରୁ ମଳିନ ବସ୍ତୁ ଆଉ କିଛି ନାହିଁ । ପରମାତ୍ମା ଇନ୍ଦ୍ରିୟାତୀତ । ତେଣୁ ତାଙ୍କ ସହିତ କେବଳ ମନୋମିଳନ ହୋଇପାରେ । ଏଥିପାଇଁ ସତତ ଈଶ୍ୱରୀୟ ସ୍ବରୂପ ଚିନ୍ତନ କରିବା ଆବଶ୍ୟକ । ନିରନ୍ତର ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ଆତ୍ମାରେ ସଂଚିତ ତମୋଗୁଣୀ ସଂସ୍କାର (ପାପ)କୁ ଧ୍ୱଂସ କରେ ଓ ଧୀରେ ଧୀରେ ପରମାତ୍ମାଙ୍କ ଶକ୍ତି ଆତ୍ମାରେ ସଂଚାରିତ ହୋଇ ସଂଚିତ ହୁଏ । ଈଶ୍ୱରୀୟ ସ୍ମୃତିର ପରିପକ୍ୱ ଅବସ୍ଥା ହେଉଛି ସମାଧି । ଏହି ଅବସ୍ଥାରେ କୌଣସି ସାଂସାରିକ ସଂକଳ୍ପ-ବିକଳ୍ପ ମନକୁ ହଲଚଲ କରେ ନାହିଁ । ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନତା ହେତୁ ସମସ୍ତ ପ୍ରକାର ବନ୍ଧନ ଛିନ୍ନ ହୋଇଯାଏ । ତେଣୁ ସମାଧି ସ୍ତର ପର୍ଯ୍ୟନ୍ତ ପହଞ୍ଚିଥିବା ଯୋଗୀକୁ ଜୀବନ୍ମୁକ୍ତ କୁହାଯାଏ ।
କ୍ରିୟା ଏବଂ ଲୀଳା ମଧ୍ୟରେ ଅନ୍ତର ଅଛି । ପରମାତ୍ମା ଯାହା କରନ୍ତି ବା କରାନ୍ତି ତାହା “ଲୀଳା” । ଜୀବ ଯାହା କରେ ତାହା “କ୍ରିୟା” । କ୍ରିୟା ବନ୍ଧନ ରୂପ ଅଟେ । କାରଣ ଏହା ସହିତ କର୍ତ୍ତାର ଆସକ୍ତି, ସ୍ବାର୍ଥ ଏବଂ ଅହଂକାରର ସମ୍ବନ୍ଧ ଥାଏ । ଈଶ୍ୱରଙ୍କ ଲୀଳା ବନ୍ଧନମୁକ୍ତ କରାଏ । କାରଣ ଈଶ୍ୱରଙ୍କୁ ସ୍ବାର୍ଥ ଏବଂ ଅଭିମାନ ସ୍ପର୍ଶ କରିପାରେ ନାହିଁ । ଯେଉଁ କାର୍ଯ୍ୟରେ କର୍ତ୍ତୃତ୍ୱର ଅଭିମାନ ହୁଏ ନାହିଁ ତାହା “ଲୀଳା” ଅଟେ । ମାନବାତ୍ମାକୁ ତମୋପ୍ରଧାନରୁ ସତୋ ପ୍ରଧାନ କରିବା ପାଇଁ ପରମାତ୍ମା ଏ ଧରାଧାମରେ ଅବତୀର୍ଣ୍ଣ ହୋଇ “ଲୀଳା” କରନ୍ତି ।
ଭଗବତ୍ ଧ୍ୟାନରେ ତନ୍ମୟତା ନ ଆସିଲେ ସାଂସାରିକ ବିଷୟ ସ୍ମୃତିରେ ଆସିବ । ସତ୍କର୍ମ କଲାବେଳେ ଅନେକ ବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ । ଈଶ୍ୱରୀୟ ସ୍ମୃତି ଦ୍ୱାରା ସେଗୁଡ଼ିକୁ ସୁଗମତା ପୂର୍ବକ ଅତିକ୍ରମ କରିବାର ସାହସ ଓ ସାମର୍ଥ୍ୟ ମିଳେ । ମଂଗଳାଚରଣରେ ବ୍ୟାସଜୀ ଲେଖିଛନ୍ତି “ସତ୍ୟମ୍ ପରଂ ଧମୀହି ।” ଅର୍ଥାତ ସତ୍ୟସ୍ବରୂପ ପରମାତ୍ମାଙ୍କୁ ଧ୍ୟାନ କର । ସେ କୌଣସି ବିଶିଷ୍ଟ ସ୍ବରୂପ ବା ଆକୃତିର ଧ୍ୟାନ କରିବାକୁ କହି ନାହାନ୍ତି । ସଂସାରରେ ମନୁଷ୍ୟମାନଙ୍କ ରୁଚି ଏକ ପ୍ରକାର ନୁହେଁ । ଶିବ ମହିମ୍ନ ସ୍ତୋତ୍ରରେ କୁହାଯାଇଛି-
ତ୍ରୟୀ ସାଂଖ୍ୟଂ ଯୋଗଃ ପଶୁପତିମତଂ ବୈଷ୍ଣବମିତି
ପ୍ରଭିନ୍ନେ ପ୍ରସ୍ଥାନେ ପରମିଦମଦଃ ପଥ୍ୟମିତି ଚ ।
ରୁଚିନାଂ ବୈଚିତ୍ର୍ୟାଦୃବୃକୁଟିଳ ନାନା ପଥତୁଷାଂ
ନୃଣାମେ କୋ ଗମ୍ୟସ୍ତ୍ୱମସି ପୟସାମର୍ଣ୍ଣବ ଇବ ।ା
ଅର୍ଥାତ, “ସାେଙ୍ଗାପାଙ୍ଗ ବେଦ, ସାଂଖ୍ୟ ଶାସ୍ତ୍ର, ଯୋଗ ଶାସ୍ତ୍ର, ପାଶୁପତ ଶାସ୍ତ୍ର, ବୈଷ୍ଣବ ଶାସ୍ତ୍ର ଆଦି ଭିନ୍ନ ଶାଖାରେ ଆସ୍ଥାବାନ ଲୋକେ ସ୍ବ ସ୍ବ ଶାସ୍ତ୍ରଗୁଡ଼ିକୁ ସର୍ବୋତ୍ତମ ମାନନ୍ତି ଏବଂ ସ୍ବ ସ୍ବ ମନୋବୃତ୍ତି ଅନୁସାରେ ସରଳ କିମ୍ବା କଠିଣ ମାର୍ଗର ଉଲ୍ଲେଖ କଥା କହନ୍ତି । କିନ୍ତୁ ସତ୍ୟ ଏହା ଯେ ଏହି ସମସ୍ତ ଶାସ୍ତ୍ରାନୁସାରୀ ମତଗୁଡ଼ିକର ପ୍ରାପ୍ତି ସ୍ଥାନ ଓ ଲକ୍ଷ୍ୟ ଏକହିଁ ଅଟେ ଯେପରି ଅଂକାବଂକା ସମସ୍ତ ନଦୀ ସେହି ଏକ ସମୁଦ୍ରରେ ହିଁ ମିଳିତ ହୁଅନ୍ତି ।” ପ୍ରତ୍ୟେକଙ୍କ ରୁଚି ଏବଂ ଆସ୍ଥା ଭିନ୍ନ ଭିନ୍ନ ହୋଇଥିବା ହେତୁ ମଣିଷ ବିବିଧ ସ୍ବରୂପରେ ସେହି ଏକ ପରମାତ୍ମାଙ୍କୁ ହିଁ ସ୍ମରଣ କରିଥାଏ । ସତ୍ୟ; ଅବିନାଶୀ, ଅବାଧିତ ଓ ଅପରିବର୍ତ୍ତନଶୀଳ ଅଟେ । ସୁଖ, ଦୁଃଖ, ଲାଭ, ହାନି ଆଦି କାରଣରୁ ପରମେଶ୍ୱରଙ୍କ ସ୍ବରୂପରେ କୌଣସି ପରିବର୍ତ୍ତନ
ହୋଇ ନଥାଏ । ସେ ସର୍ବଦା ସ୍ଥିତ ପ୍ରଜ୍ଞ । ସ୍ଥିତପ୍ରଜ୍ଞର ଲକ୍ଷଣ କଥା ଗୀତାରେ କୁହାଯାଇଛି, “ଦୁଃଖେଷ୍ୱନୁଦ୍ ବିଗ୍ନମନାଃ ସୁଖେଷୁ ବିଗତ ସ୍ପୃହଃ.... ।” ଦୁଃଖ ସମୟରେ ଯାହାର ମନ ଉଦ୍ବେଗ ରହିତ ଏବଂ ସୁଖ ସମୟରେ ଯାହାର ମନ ସ୍ପୃହା ରହିତ ସେହିଁ ସ୍ଥିତପ୍ରଜ୍ଞ ଅଟେ ।
ଜଗତ ଅନିତ୍ୟ ଅଟେ । ଭୁତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ପରମାତ୍ମା ଏକ ସ୍ବରୂପରେ ସ୍ଥିତ ରହୁଥିବାରୁ ସେହିଁ କେବଳ ସତ୍ୟ ଅଟନ୍ତି । ଯଦି ସୁଖୀ ହେବାକୁ ଚାହୁଁଛ ତେବେ ସେହି ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ପ୍ରେମ କର । କାର୍ଯ୍ୟ ବ୍ୟବହାରରେ ଜଗତ ନିତ୍ୟ ବୋଲି ପ୍ରତୀତ ହୁଏ, କିନ୍ତୁ ପରମାର୍ଥ ଓ ତାତ୍ତ୍ଵିକ ଦୃଷ୍ଟିରେ ଦେଖିଲେ ଏହା ନିତ୍ୟ ନୁହେଁ । ସ୍ବପ୍ନ ଭାଂଗିଗଲା ପରେ ଯେପରି ତାହା ମିଥ୍ୟା ଲାଗେ, ସେହିପରି ଈଶ୍ୱରାନୁଭୂତି ହେଲା ପରେ ଜାଗତିକ ପଦାର୍ଥ ସମୂହ ଅନିତ୍ୟ ଲାଗେ । ଈଶ୍ୱରଙ୍କ ବ୍ୟତୀତ ଆମେ ଯାହା ଦେଖୁଁ ସେ ସବୁ ଅନିତ୍ୟ ଅଟେ । ଏହି ଅନିତ୍ୟ ସଂସାର ପ୍ରତି ମୋହ ରଖ ନାହିଁ । ସ୍ତ୍ରୀ-ପୁରୁଷର ମିଳନ ସୁଖଦ; କିନ୍ତୁ ବିୟୋଗ ଅତି ଦୁଃଖଦ । ବିୟୋଗ ଅବଶ୍ୟମ୍ଭାବୀ ମନେ କରି କୌଣସି ଦେହଧାରୀ ପ୍ରତି ପ୍ରେମ କର ନାହିଁ । କେବଳ ଅବିନାଶୀ ପରମାତ୍ମାଙ୍କୁ ପ୍ରେମ କରିବା ଉଚିତ । ଅନ୍ଧକାରରେ ଦଉଡ଼ି ମଧ୍ୟ ସର୍ପ ପରି ପ୍ରତୀତ ହୁଏ । ଆଲୋକରେ ତାର ଯଥାର୍ଥ ସ୍ବରୂପର ଜ୍ଞାନ ହୁଏ । ଏହି ସର୍ପ-ରଜ୍ଜୁ ନ୍ୟାୟ ଦୃଷ୍ଟିରେ ଅନିତ୍ୟ ସଂସାରକୁ ଅଜ୍ଞାନଗଣ ନିତ୍ୟ ବୋଲି ମନେ କରନ୍ତି । ମନେ ରଖ, ଯଦ୍ ଦୃଷ୍ଟମ୍ ତତ୍ ନଷ୍ଟମ୍ ।” ଦୃଶ୍ୟବାନ ବସ୍ତୁ ସମୂହ ନାଶବାନ୍ ଅଟନ୍ତି । ତେଣୁ ଜଗତରେ ରହି ମଧ୍ୟ ଏହାକୁ ଅନିତ୍ୟ ବୋଲି ମନେ କର । (କ୍ରମଶଃ...)
🌹🌹🌹🌹🌹🌹🌹🌹🌹
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296,7609969796
🌹🌹🌹🌹🌹🌹🌹🌹🌹
Comments
Post a Comment