🌹🌹🌹🌹🌹🌹🌹🌹🌹
🌼🌼 *ଜ୍ଞାନ ପ୍ରବାହ (୫)* 🌼🌼
🌹🌹🌹🌹🌹🌹🌹🌹🌹
ଡାକ୍ତର ସୁଧାଂଶୁ ଶେଖରମିଶ୍ର,ପାଟଣାଗଡ
🌹🌹🌹🌹🌹🌹🌹🌹🌹
ଶରୀରକୁ ପିଣ୍ଡ କୁହାଯାଏ । ଏହାକୁ ପରମାତ୍ମାଙ୍କୁ ଅର୍ପଣ କରିବା ହେଉଛି ପିଣ୍ଡଦାନ । ସ୍ବୀୟ ଜୀବନକୁ ଈଶ୍ୱରାର୍ପିତ କରିବା ପାଇଁ ମନରେ ଦୃଢ଼ ନିଶ୍ଚୟ ହେବା ଦରକାର । ଏପରି ବ୍ୟକ୍ତିର ଜୀବନ ସାର୍ଥକ ହୁଏ । ଜୀବନ-ମୃତ୍ୟୁ ଭୟରୁ ମୁକ୍ତ ହେବାକୁ ଚାହୁଁଥିଲେ ସତକର୍ମ କରିବା ଆବଶ୍ୟକ । ସ୍ବୟଂ ହିଁ ସ୍ବ ଆତ୍ମାର ଉଦ୍ଧାର କର । ଗୀତାରେ କୁହାଯାଇଛି-
ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମ ବସାଦୟେତ୍ ।ା୬/୫ାା
ସ୍ବୟଂହିଁ ସ୍ବୀୟ ଆତ୍ମାକୁ ସଂସାର ସମୁଦ୍ରରୁ ଉଦ୍ଧାର କରିବା ଉଚିତ୍ । ସ୍ବ ଆତ୍ମାକୁ ଅଧୋଗତି ଆଡ଼କୁ ନେଇଯାଅନାହିଁ । ଜୀବ ସ୍ବୟଂ ନିଜର ଉଦ୍ଧାର ନ କରିବ ତ ଆଉ କିଏ କରିବ? ମନୁଷ୍ୟର ନିଜ ବ୍ୟତୀତ ଆଉ କିଏ ବଡ଼ ହିତକାରୀ ଅଛି? ଯଦି ସେ ସ୍ବୟଂ ନିଜ ଶ୍ରେୟ ନ କରିବ ତେବେ ପୁତ୍ରାଦି କ’ଣ କରିବେ? ଈଶ୍ୱରଙ୍କ ପାଇଁ ଯିଏ ଜୀବନ ଧାରଣ କରେ ସିଏ ଅବଶ୍ୟ ସଦ୍ଗତି ପ୍ରାପ୍ତ ହୁଏ । ମୃତ୍ୟୁ ପୂର୍ବରୁ ଯିଏ ଭଗବାନଙ୍କୁ ଅନୁଭବ କରେ ତାକୁ ମୁକ୍ତିମିଳେ । ‘ତମେବ ବିଦିତ୍ୱାଦି ମୃତ୍ୟୁମେତି ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ” । ତାଙ୍କୁ ଜାଣି ହିଁ ମନୁଷ୍ୟ ମୃତ୍ୟୁର ଉଲଙ୍ଘନ କରିଯାଏ । ପରମପଦ ପ୍ରାପ୍ତି ପାଇଁ ଏହା ବ୍ୟତୀତ ଅନ୍ୟକୌଣସି ମାର୍ଗ ନାହିଁ ।
ସତସଙ୍ଗଦ୍ୱାରା ବିବେକ ଜାଗ୍ରତ ହୁଏ । ବିବେକ ଆତ୍ମାକୁ ଆନନ୍ଦିତ କରେ । ସ୍ବୟଂ ଦେବ ହେବା ପାଇଁ ଓ ଅନ୍ୟକୁ ଦେବ ବନାଇବା ଶକ୍ତି ଆତ୍ମାରେ ଅଛି । ଏହି ଆତ୍ମଶକ୍ତିକୁ ଜାଗ୍ରତ କରିବା ଆବଶ୍ୟକ । ସତ୍ସଙ୍ଗ ବିନା ଜୀବନରେ ଦିବ୍ୟତା ଆସେନାହିଁ । ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ ଏହି ପାଞ୍ଚ ବିଷୟ ଜୀବକୁ ବନ୍ଧନରେ ପକାଏ । ଏଗୁଡ଼ିକର ମୋହ ତ୍ୟାଗ କରିବା ଉଚିତ୍ । ସବୁକିଛି ବୁଝି ବିଚାରି ସ୍ବୟଂ ତ୍ୟାଗ ନ କଲେ କାଳ ଜୋର କରି ଛଡ଼େଇ ନେବ । ଭାଗବତ ମାହାତ୍ମ୍ୟରେ ଉଲ୍ଲେଖ ଅଛି,-
ଦେହେଽସ୍ଥିମାଂସଋଧିରେଽଭିମତଂ ତ୍ୟଜ ତ୍ୱଂ
ଜାୟା ସୁତାଦିଷୁ ସଦା ମମତାଂ ବିମୁଞ୍ଚ ।
ପଶ୍ୟାନିଶଂ ଜଗଦିଦଂ କ୍ଷଣଭଙ୍ଗ ନିଷ୍ଠଂ ।ା
ବୈରାଗ୍ୟରାଗରସିକୋ ଭବ ଭକ୍ତି ନିଷ୍ଠଃ ।ା
- ଭାଗବତ ମାହାତ୍ମ୍ୟ ୪/୭୯
ଅର୍ଥାତ୍ ଏହି ଦେହ ହାଡ଼, ମାଂସ ଏବଂ ରୁଧିରର ଏକ ପିଣ୍ଡ ଅଟେ । ଏହାକୁ ମୋର ବୋଲି ଭାବିବା ଛାଡ଼ିଦିଅ । ସ୍ତ୍ରୀ ପୁତ୍ରାଦିର ମମତା ତ୍ୟାଗ କର । ଏହି ସଂସାର କ୍ଷଣ ଭଙ୍ଗୁର ଅଟେ । ଏଠାରେ କୌଣସି ବସ୍ତୁକୁ ସ୍ଥାୟୀ ବିଚାରି ସେଥିରେ ରାଗ ଓ ମୋହ ରଖନାହିଁ । କେବଳ ବୈରାଗ୍ୟ ରସିକ ହୁଅ ଏବଂ ଭଗବତ୍ ପ୍ରୀତିରେ ମଗ୍ନ ହୋଇଯାଅ । ସଂସାରର ମୋହ ତ୍ୟାଗ ବିନା ଈଶ୍ୱରୀୟ ପ୍ରୀତି ଜାଗ୍ରତ ହୁଏନାହିଁ ।
ଆତ୍ମା ପରମାତ୍ମା ସହିତ ମିଳିତ ହେଲେ ଦେବତା ହୋଇଯାଏ । ଈଶ୍ୱରୀୟ ସେବା ପାଇଁ ସଂସାରର ସ୍ନେହ ଓ ମୋହ ତ୍ୟାଗ କରିବାକୁ ପଡ଼ିବ । ସାଂସାରିକ ବିଷୟ ପ୍ରତି ସ୍ନେହ ବିବେକ ପୂର୍ବକ କରିବା ଉଚିତ୍ । ଯେଉଁ ମନ ମାୟାକୁ ସ୍ପର୍ଶ କରେ ତାହା ମନମୋହନଙ୍କ ସେବାରେ ଲାଗିପାରେନାହିଁ । ବାରମ୍ବାର ମାୟାର ବିଚାର ଚାଲିଲେ ମନ ମଳିନ ହୋଇଯାଏ । ଈଶ୍ୱରୀୟ ସ୍ମୃତିହିଁ ମନକୁ ଶୁଦ୍ଧ କରିପାରେ । ମନରେ ଅନେକ ଜନ୍ମର ମଇଳା ସଂସ୍କାର ରୂପେ ଜମାହୋଇଛି । ନିରନ୍ତର ଈଶ୍ୱରୀୟ ଚିନ୍ତନଦ୍ୱାରା ତାହା ପରିଷ୍କାର କରିବାକୁ ହେବ ।
ବାସନା ସାତ ପ୍ରକାର । (୧) ନାରୀ ପ୍ରତି ଆସକ୍ତି (୨) ପୁତ୍ର ପ୍ରତି ଆସକ୍ତି (୩) ବ୍ୟବସାୟିକ ଆସକ୍ତି (୪) ଦ୍ରବ୍ୟର ଆସକ୍ତି (୫) କୁଟୁମ୍ବ ପ୍ରତି ଆସକ୍ତି (୬) ଘରଦ୍ୱାର ପ୍ରତିଆସକ୍ତି (୭) ନିଜଗ୍ରାମ ପ୍ରତି ଆସକ୍ତି । ଶାସ୍ତ୍ରରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମତ୍ସର ଏବଂ ଅବିଦ୍ୟାକୁ ସାତ ଗଣ୍ଠି ବୋଲି କୁହାଯାଇଛି । ଏଥିରେ ଆତ୍ମା ବାନ୍ଧିହୋଇ ଦୁଃଖପାଏ । ବାସନା ଉପରେ ବିଜୟପ୍ରାପ୍ତ କରିବାହିଁ ସୁଖୀ ହେବାର ଉପାୟ । ଯେ ପର୍ଯ୍ୟନ୍ତ ବାସନାର ଗ୍ରନ୍ଥି ସମୂହ ତୁଟେନାହିଁ ସେ ପର୍ଯ୍ୟନ୍ତ ଆତ୍ମା ମୁକ୍ତାବସ୍ଥା ପାଏ ନାହିଁ । ଈଶ୍ୱରୀୟ ପ୍ରୀତି ହିଁ ଏସବୁ ଗ୍ରନ୍ଥିକୁ ଛିନ୍ନ କରାଇବା ପାଇଁ ଏକମାତ୍ର ପନ୍ଥା । ଏଥିପାଇଁ ନିତ୍ୟ ପ୍ରଭୁ ସ୍ମୃତିରେ ମନକୁ ସ୍ଥିର ରଖିବା ସହିତ ଜ୍ଞାନର ମନନ ଚିନ୍ତନ କରିବା ଆବଶ୍ୟକ । ଶ୍ରବଣ, ମନନ ଏବଂ ନିଦିଧ୍ୟାସନ ଦ୍ୱାରା ଜ୍ଞାନ ଦୃଢ଼ ହୁଏ ।
ଅଦୃଢ଼ ଚ ହତଂ ଜ୍ଞାନଂ
ପ୍ରମାଦେନ ହତଂ ଶୁ୍ରତମ୍ ।
ସଂଦିଗ୍ଧୋହି ହତୋ ମନ୍ତ୍ରୋ
ବ୍ୟଗ୍ରଚିତ୍ତୋହତୋ ଜପଃ ।ା
ଅର୍ଥାତ୍ ଦୃଢ଼ତା ବିନା ଜ୍ଞାନ ବ୍ୟର୍ଥ । ଏକାଗ୍ରତା ବିନା ଶୁଣିଥିବା କଥା ବ୍ୟର୍ଥ । ସନ୍ଦେହଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ରଚିତ୍ତରେ କରାଯାଉଥିବା ଜପ ନିଷ୍ପଳ ।
(କ୍ରମଶଃ...)
🌹🌹🌹🌹🌹🌹🌹🌹🌹
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର:-
9437210296,7609969796
🌹🌹🌹🌹🌹🌹🌹🌹🌹
Comments
Post a Comment