ଜ୍ଞାନ ପ୍ରବାହ (୧ଠ)-By Dr. Sudhanshu. Sekhar. Mishra

🌹🌹🌹🌹🌹🌹🌹🌹🌹

🌼🌼 *ଜ୍ଞାନ ପ୍ରବାହ (୧ଠ)* 🌼🌼

🌺🌺🌺🌺🌺🌺🌺🌺🌺

 ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ 

🌹🌹🌹🌹🌹🌹🌹🌹🌹

ଧର୍ମର ସ୍ଥାପନା ଏବଂ ଆତ୍ମାର ଉଦ୍ଧାର ନିମନ୍ତେ ପରମାତ୍ମା ଅବତାର ନିଅନ୍ତି ବୋଲି ଶାସ୍ତ୍ର ବର୍ଣ୍ଣନା ଅଛି । ଭଗବାନଙ୍କ ଅବତାର ମନ୍ଦିରରେ ନ ହୋଇ ଆମ ଘରେ ହେବା ଉଚିତ । ମାନବ ଶରୀର ହିଁ ଏହି ଘର ଅଟେ । ଭଗବାନଙ୍କ ଅବତାର ମାନବ ଜୀବନକୁ ସୁଧାରିବା ପାଇଁ ଉଦ୍ଧିଷ୍ଟ । ଭଗବାନଙ୍କ ସମସ୍ତ ଧର୍ମ ଜୀବ ଯେତେବେଳେ ଧାରଣ କରେ ସେତେବେଳେ ଅବତାର ହୁଏ । ଭାଗବତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣିତ ୨୪ ଅବତାରର ଆଧ୍ୟାତ୍ମିକ ରହସ୍ୟ ବୁଝିବା ଆବଶ୍ୟକ । ପ୍ରଥମ ଅବତାର ସନତ୍ କୁମାର ବ୍ରହ୍ମଚର୍ଯ୍ୟର ପ୍ରତୀକ । ବ୍ରହ୍ମଚର୍ଯ୍ୟ ବିନା ମନ ସ୍ଥିର ରହେ ନାହିଁ । ଏହାଦ୍ୱାରା ମନ, ବୁଦ୍ଧି ଓ ସଂସ୍କାର ପବିତ୍ର ହୁଏ ଓ ଅନ୍ତଃକରଣ ଶୁଦ୍ଧ ହୁଏ । ଦ୍ୱିତୀୟ ବରାହ ଅବତାର । ବାରାହ ଅର୍ଥ ଶ୍ରେଷ୍ଠ ଦିନ କେଉଁଟି? ଯେଉଁ ଦିନ ଶ୍ରେଷ୍ଠ କର୍ମ ହୁଏ ସେ ଦିନ ଶ୍ରେଷ୍ଠ । ସତକର୍ମରେ ଲୋଭ ବିଘ୍ନ ସୃଷ୍ଟି କରେ । ଲୋଭକୁ ସନ୍ତୋଷ ଦ୍ୱାରା ଦମନ କରିବା ଉଚିତ । ବରାହ ଅବତାର ସନ୍ତୋଷର ଅବତାର । ଲୋଭକୁ ବିନାଶ କରି ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିବା ବରାହ ଅବତାରର ରହସ୍ୟ । ନାରଦ ହେଉଛନ୍ତି ତୃତୀୟ ଅବତାର । ସେ ହେଉଛନ୍ତି ଭକ୍ତିର ପ୍ରତୀକ । ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ପ୍ରାପ୍ତ ସ୍ଥିତିରେ ସନ୍ତୁଷ୍ଟ ରହିଲେ ନାରଦ ଅର୍ଥାତ ଭକ୍ତି ପ୍ରାପ୍ତ ହୁଏ ।

ଚତୁର୍ଥ ପର୍ଯ୍ୟାୟ ହେଉଛି ନର-ନାରାୟଣ ଅବତାର । ଭକ୍ତିର ପରିଣାମ ସ୍ବରୂପ ଭଗବାନ ମିଳନ୍ତି । ଜ୍ଞାନ ଓ ବୈରାଗ୍ୟ ରହିତ ଭକ୍ତିରେ ଦୃଢ଼ତା ଥାଏ ନାହିଁ । ତେଣୁ ଜ୍ଞାନ ଓ ବୈରାଗ୍ୟର ପରାକାଷ୍ଠା ପାଇଁ ପଞ୍ଚମ ପର୍ଯ୍ୟାୟରେ କପିଳ ଅବତାର । ଷଷ୍ଠରେ ଦତ୍ତାତ୍ରେୟ ଅବତାର । ଉପର୍ଯୁ୍ୟକ୍ତ ପାଞ୍ଚଟି ଗୁଣ, ବ୍ରହ୍ମଚର୍ଯ୍ୟ, ସନ୍ତୋଷ, ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ଜୀବନରେ ଧାରଣ ହେଲେ ଜୀବାତ୍ମା ଗୁଣାତୀତ ଓ ଅତ୍ରି ହୁଏ । ଏହା ଭଗବାନଙ୍କ ନିକଟତର କରାଏ । ଉପଯୁକ୍ତ ଛଅଟି ଅବତାର ବ୍ରାହ୍ମଣ ପାଇଁ ଉଦ୍ଧିଷ୍ଟ । ସପ୍ତମରେ ଯଜ୍ଞ ଅବତାର । ଅଷ୍ଟମ ଅବତାର ଋଷଭ ଦେବଙ୍କର । ନବମରେ ପୃଥୁରାଜା ଅବତାର । ଦଶମ ଅବତାର ମତ୍ସ ନାରାୟଣଙ୍କର । ଏହି ଚାରି ଅବତାର କ୍ଷତ୍ରିୟମାନଙ୍କ ପାଇଁ । ଏହା ଧର୍ମର ଆଦର୍ଶ ବର୍ଣ୍ଣନା କରିବା ପାଇଁ । ଏକାଦଶରେ କୁର୍ମ, ଦ୍ୱାଦଶରେ ଧନ୍ୱନ୍ତରୀ ଓ ତ୍ରୟୋଦଶରେ ମୋହିନୀ ନାରାୟଣ- ଏହି ତିନି ଅବତାର ବୈଶ୍ୟମାନଙ୍କ ପାଇଁ । ଚତୁର୍ଦ୍ଦଶରେ ନରସିଂହ ଅବତାର । ଏହା ପୁଷ୍ଟିର ଅବତାର ।

ଭକ୍ତ ପ୍ରହଲ୍ଲାଦ ପ୍ରତି କୃପା କରିବା ପାଇଁ ଏହି ଅବତାର ହୋଇଥିଲା । ମନ ଶକ୍ତି ବା ବୁଦ୍ଧି ଶକ୍ତି ଦ୍ୱାରା ଈଶ୍ୱର ପ୍ରାପ୍ତ ହୁଅନ୍ତି ନାହିଁ । କେବଳ ପ୍ରେମ ଶକ୍ତି ହିଁ ତାଙ୍କୁ ଆକର୍ଷିତ କରେ । ପଞ୍ଚଦଶରେ ବାମନ ଅବତାର, ଏହା ସମ୍ପୂର୍ଣ୍ଣ ନିଷ୍କାମ ଭାବର ପ୍ରତୀକ । ଯିଏ ନିଷ୍କାମ ଭାବରେ ଭକ୍ତି ଓ ନୀତିର ଛତ୍ର ତଳେ ଥାଏ ଓ ଧର୍ମର କବଚ ଧାରଣ କରିଥାଏ ସିଏ କାଳଜୟୀ ହୁଏ । ଏହା ହେଉଛି ବାମନ ଅବତାରର ରହସ୍ୟ । ଷଷ୍ଠଦଶ ଅବତାର ପର୍ଶୁରାମ ହେଉଛନ୍ତି ଆଦେଶର ପ୍ରତୀକ । ବ୍ୟାସ ହେଉଛନ୍ତି ସପ୍ତଦଶ ଅବତାର । ଏହା ଜ୍ଞାନର ଦ୍ୟୋତକ । ଅଷ୍ଟାଦଶରେ ଶ୍ରୀରାମ ଅବତାର । ସେ ମର୍ଯ୍ୟାଦା ପୁରୁଷୋତ୍ତମ ରୂପେ ପ୍ରଖ୍ୟାତ । ରାମଙ୍କ ମର୍ଯ୍ୟାଦା ପାଳନ କଲେ କାମ ବିନାଶ ହୋଇ ଉନବିଂଶ ଅବତାର ସ୍ବରୂପ ଶ୍ରୀକୃଷ୍ଣ ଆବିର୍ଭାବ ହୁଅନ୍ତି । ଏହାପରେ କ୍ରମାନୁସାରେ ହରି, କଳକି, ବୁଦ୍ଧ ଆଦି ଅବତାର କଥା ବର୍ଣ୍ଣନା କରାଯାଇଛି ।

ଏହି ଶରୀର ହେଉଛି ଧର୍ମକ୍ଷେତ୍ର ଓ କୁରୁକ୍ଷେତ୍ର । ଧର୍ମ ଓ ଅଧର୍ମର ଯୁଦ୍ଧ ଏଥିରେ ହୋଇଥାଏ । ପ୍ରତ୍ୟେକଙ୍କ ମନରେ ଓ ଘରେ ମହାଭାରତ ଯୁଦ୍ଧ ଚାଲୁଛି । ସତ୍ ବୃତ୍ତି ଓ ଅସତ୍ ବୃତ୍ତିର ଯୁଦ୍ଧ ହେଉଛି ମହାଭାରତ । ଜୀବ ଯେତେବେଳେ ଜ୍ଞାନରେ ରମଣ କରେ ସେତେବେଳେ କୌରବ ବିଘ୍ନ ସୃଷ୍ଟି କରନ୍ତି । ଜୀବ ହେଉଛି ଧୃତରାଷ୍ଟ୍ର । ତାକୁ ଅନ୍ଧ ରୂପରେ ଦର୍ଶାଯାଇଛି । କୋ ଅନ୍ଧଃ? ଅନ୍ଧ କିଏ? ଯଃ ବିଷୟାନୁରାଗୀ । ଯାହାର ଦୃଷ୍ଟିରେ କାମ ବାସନା ଅଛି ସେହିଁ ଅନ୍ଧ ଧୃତରାଷ୍ଟ୍ର । ଦୁଃଖ ରୂପୀ କୌରବ ଅନେକ ଥର ଧର୍ମକୁ ନାଶ କରିବାକୁ ଯାଏ । ଯୁଧିଷ୍ଠିର ଓ ଦୁର୍ଯ୍ଯୋଧନ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଦୁର୍ଯ୍ୟୋଧନ ଆଜି ମଧ୍ୟ ବଞ୍ଚିଛି । ପରମାତ୍ମା ପ୍ରତ୍ୟହ ବ୍ରହ୍ମ ମୁହୂର୍ତ୍ତରେ ଆସି ପ୍ରଭୁପ୍ରେମୀମାନଙ୍କୁ ଉଠାନ୍ତି ଓ ସତ୍କର୍ମ ପାଇଁ କହନ୍ତି । କିନ୍ତୁ ଦୁର୍ଯ୍ଯୋଧନ ଆସି କହେ, “ଅନ୍ତିମ ପ୍ରହରର ଏ ଆରାମଦାୟକ ନିଦ ତ୍ୟାଗ କରି ଉଠିବାର କି ଆବଶ୍ୟକତା ଅଛି । ଶୋଇପଡ । କ’ଣ ବା କ୍ଷତି ହୋଇଯିବ?’’ ଦୁଷ୍ଟ ବିଚାର ରୂପୀ ଦୁର୍ଯ୍ଯୋଧନ ମନୁଷ୍ୟକୁ ଉଠିବାକୁ ଦିଏ ନାହିଁ । ନିଦ୍ରା ଏବଂ ନିନ୍ଦା ଉପରେ ବିଜୟ ପ୍ରାପ୍ତ କରିଥିବା ବ୍ୟକ୍ତି କେବଳ ଭକ୍ତି କରିପାରେ । ଦୁର୍ଯ୍ଯୋଧନ ଅଧର୍ମର ପ୍ରତୀକ । ଯୁଧିଷ୍ଠିର ଧର୍ମର ସ୍ବରୂପ । ଧର୍ମ ପରମାତ୍ମା ଅଭିମୁଖେ ନେଇ ଯାଏ । ଅଧର୍ମ ମନୁଷ୍ୟକୁ ସାଂସାରିକ ବିଷୟାନୁରାଗୀ କରି ବିନାଶ ଅଭିମୁଖେ ପ୍ରେରିତ କରେ । ଧର୍ମ ଈଶ୍ୱରଙ୍କ ଶରଣରେ ଆସିଲେ ତା’ର ବିଜୟ ହୁଏ ଓ ଅଧର୍ମର ବିନାଶ ହୁଏ ।

ଅଶାନ୍ତି, ଉଦ୍ବେଗ, ଦୁଃଖ ଆଦିର ମୂଳ ନିଜ ଅନ୍ତରରେ ଥାଏ । ଏହା ବାହାରେ ନଥାଏ । ତେଣୁ ଏହାକୁ ନିଜ ମଧ୍ୟରେ ଖୋଜିବା ହେଉଛି ଜ୍ଞାନୀର ଲକ୍ଷଣ । ଅଜ୍ଞାନତା ଏବଂ ଅଭିମାନ ହେଉଛି ଦୁଃଖର ମୁଖ୍ୟ କାରଣ । ଅଜ୍ଞାନ ବ୍ୟକ୍ତି (ଜ୍ଞାନ ଚକ୍ଷୁ ହୀନ ହେତୁ) ଏହା ଦେଖିପାରେ ନାହିଁ । ତେଣୁ ଏହାର କାରଣଗୁଡ଼ିକୁ ବାହାରେ ଖୋଜେ । ଲୋକେ ଅତୀତରେ କରିଥିବା ପୁଣ୍ୟ କର୍ମଗୁଡ଼ିକୁ ବାରମ୍ବାର ସ୍ମରଣ କରନ୍ତି; କିନ୍ତୁ ପାପ କର୍ମକୁ କେହି ମନେ ପକାନ୍ତି ନାହିଁ । ମନୁଷ୍ୟକୁ ନିଜ ଭୁଲ ସହଜରେ ଦେଖାଯାଏ   ନାହିଁ । ଏଥିପାଇଁ କୁହାଯାଇଛି- “କୃପା ଭଇ ତବ ଜାନିୟେ, ଯବ୍ ଦିଖେ ଅପନା ଦୋଷ ।’’ ଜଗତର କୌଣସି ବ୍ୟକ୍ତିର ଦୋଷ ଦେଖିବା ଉଚିତ ନୁହେଁ । ନିଜ ମନକୁ ସଂଶୋଧନ କରିବା ଆବଶ୍ୟକ । ଆମର ଭୁଲ ଦେଖାଉଥିବା ବ୍ୟକ୍ତିର ଉପକାର ଭୁଲିଯିବା ଉଚିତ ନୁହେଁ । ମନୁଷ୍ୟର ସବୁଠାରୁ ବଡ ଦୋଷ ହେଉଛି ଯେ ସେ ନିଜକୁ ସର୍ବଦା ନିର୍ଦ୍ଧୋଷ ମନେ କରେ । ଏକମାତ୍ର ପରମାତ୍ମା ହିଁ ନିର୍ଦ୍ଧୋଷ । ନିୟମିତ ସତସଙ୍ଗ କଲେ ମନୁଷ୍ୟ ନିଜ ଦୋଷ ଦେଖିପାରେ ।

🌹🌹🌹🌹🌹🌹🌹🌹🌹

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025,ମୋବାଇଲ ନମ୍ବର-

9437210296

🌹🌹🌹🌹🌹🌹🌹🌹🌹

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର