(୨)ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (2)----ମୂଲ୍ୟର ମାନକ ବିନ୍ଦୁ

 🌹🌹🌹🌹🌹🌹🌹🌹🌹

 *ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (୨)* 

💐💐💐💐💐💐💐💐💐

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

🌷 *ମୂଲ୍ୟର ମାନକ ବିନ୍ଦୁ* 🌷

🌹🌹🌹🌹🌹🌹🌹🌹🌹

ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ବିଭିନ୍ନ ମୂଲ୍ୟ କମ୍ ବା ବେଶି ଥାଏ । କେଉଁ ବ୍ୟକ୍ତି ପାଖରେ କେଉଁ ମୂଲ୍ୟ କେତେ ମାତ୍ରାରେ ଅଛି ତାହା କିପରି ମପା ଯାଇପାରିବ? ସମୁଦ୍ରରେ ଗତିପଥ ନିର୍ଣ୍ଣୟ ପାଇଁ ଧ୍ରୁବ-ତାରାର ସାହାଯ୍ୟ ନିଆଯାଏ । ଦୂରତ୍ୱ ମାପିବା ପାଇଁ ମିଟର, ମିଲିମିଟର, ସେଣ୍ଟିମିଟର, ଇଞ୍ଚ , ଗଜ ଆଦି ମାନକ ବ୍ୟବହାର କରାଯାଏ । ଭୂଗୋଳରେ ସ୍ଥାନ ନିରୂପଣ ପାଇଁ ଅକ୍ଷାଂଶ ଓ ଦ୍ରାଘିମା ରେଖାର ପରିକଳ୍ପନା କରାଯାଇଛି । ସେହିପରି ମନୁଷ୍ୟର ମୂଲ୍ୟ ବା ଗୁଣ ମାପିବା ପାଇଁ ‘କଳା’ (Degree) ମାନକର ବ୍ୟବହାର ପ୍ରଚଳିତ । ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ନର ଓ ନାରୀ ମଧ୍ୟରେ ସତ୍ୟଯୁଗୀୟ ଶ୍ରୀ ନାରାୟଣ ଓ ଶ୍ରୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ସ୍ବୀକାର କରି ସେମାନଙ୍କୁ ସର୍ବୋଚ୍ଚ ୧୬କଳା (16 Degree) ସମ୍ପନ୍ନ ବୋଲି ବର୍ଣ୍ଣନା କରାଯାଇଛି । ଏହି କ୍ରମରେ ତ୍ରେତାଯୁଗୀୟ ଶ୍ରୀରାମ ଶ୍ରୀ ସୀତାଙ୍କୁ ୧୪କଳା ସମ୍ପନ୍ନ ବୋଲି କୁହାଯାଇଛି । ଅମାବାସ୍ୟା ପରଠାରୁ ପ୍ରତି ରାତ୍ରୀରେ ଚନ୍ଦ୍ରମାର ପ୍ରକାଶ ୧କଳା ଲେଖାଏଁ ବଢ଼ି ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ୧୬କଳା ସମ୍ପନ୍ନ ହୁଏ । ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ  (Human Resource Development) କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟ ବା ଗୁଣକୁ ମାପିବା ପାଇଁ ଏହିପରି କଳା (Degree) ର ପରିକଳ୍ପନା କରାଯାଇଛି ।


 *ମୂଲ୍ୟର ଉତ୍ସ* 


ମୂଲ୍ୟ କୌଣସି ଭୌତିକ ବିଷୟ ନୁହେଁ । ଏହା ଏକ ସୂକ୍ଷ୍ମ ଆଧ୍ୟାତ୍ମିକ ଗୁଣ । ମନୁଷ୍ୟର ବ୍ୟବହାର ଦ୍ୱାରା ଏହା ପରିସ୍ଫୁଟ ହୁଏ । ଏହା ମନୁଷ୍ୟ ଜୀବନକୁ ସୁଗନ୍ଧିତ କରେ । ଏହି ମୂଲ୍ୟ ମନୁଷ୍ୟ ନିକଟକୁ କେଉଁଠାରୁ ଓ କିପରି ଆସେ? ପ୍ରତ୍ୟେକ ଅସ୍ତିତ୍ୱର ଉତ୍ସ ଥାଏ । ସେହିପରି ମୂଲ୍ୟର ଉତ୍ସ ମଧ୍ୟ ଅଛି । ମନୁଷ୍ୟ ସର୍ବଗୁଣ ସମ୍ପନ୍ନ କିପରି ହୁଏ? ଏହାରି ଉତ୍ତର ବିଜ୍ଞାନ ବା ଭୌତିକ ଜ୍ଞାନରେ ନାହିଁ । ଆଧ୍ୟାତ୍ମିକ ବ୍ୟକ୍ତି ଜାଣେ ଯେ ପ୍ରତ୍ୟେକ ଗୁଣ ବା ମୂଲ୍ୟର ଉତ୍ସ ହେଉଛନ୍ତି ସର୍ବାତ୍ମାଙ୍କ ପିତା ପରମାତ୍ମା । ତାଙ୍କୁ ସର୍ବ ଦିବ୍ୟ ଗୁଣ ଓ ଦିବ୍ୟ ଜ୍ଞାନର ମହା ସମୁଦ୍ର ବୋଲି କୁହାଯାଏ । ତାଙ୍କୁ ବାଦ୍ ଦେଇ ସଦ୍ଗୁଣ ବା ନୈତିକ ମୂଲ୍ୟ ପ୍ରାପ୍ତ ହେବା ଏକ ଦୁରାଶା ମାତ୍ର । ମନୁଷ୍ୟ ଏକ ଚୈତନ୍ୟ ପ୍ରାଣୀ । ତା’ମଧ୍ୟରେ ଭଲ ବା ମନ୍ଦର ଇଚ୍ଛା ଉତ୍ପନ୍ନ ହୋଇପାରେ । ସେ ଚିନ୍ତା କରିପାରେ । ଭାବ ପ୍ରବଣତା ଓ ଜିଜ୍ଞାସା ପ୍ରବୃତ୍ତି କେବଳ ମନୁଷ୍ୟାତ୍ମା ଦ୍ୱାରାହିଁ ସମ୍ଭବ ହୁଏ । ମୁନଷ୍ୟ ବ୍ୟତୀତ ନୈତିକ ଯୋଗ୍ୟତା ଅନ୍ୟ କାହାଠାରେ ନାହିଁ । ପ୍ରକୃତିର କୌଣସି ବସ୍ତୁ ବା ତତ୍ତ୍ଵରେ ଏହି କ୍ଷମତା ନାହିଁ । ତେଣୁ ତାହା ଜଡ଼ ବା ଅଚେତନ । ନୈତିକତା ସହିତ ତା’ର କୌଣସି ସମ୍ବନ୍ଧ ନାହିଁ । ମନୁଷ୍ୟ ଚେତନଶୀଳ ହୋଇଥିବାରୁ ସୁଖ ଦୁଃଖର ଅନୁଭବ କରିପାରେ । କେଉଁ କର୍ମ ଦ୍ୱାରା ସୁଖ ଓ କେଉଁ କର୍ମ ଦ୍ୱାରା ଦୁଃଖ ପ୍ରାପ୍ତ ହେବ ଏହା ବିଚାର କରି ଉଚିତ କର୍ମ କରିବାର କ୍ଷମତା କେବଳ ମନୁଷ୍ୟଠାରେ ଦେଖାଯାଏ । ଏହି କାରଣରୁ ନୈତିକ ମୂଲ୍ୟ ପ୍ରସଙ୍ଗରେ ଚୈତନ୍ୟ ଆତ୍ମା ବିଷୟରେ ଚର୍ଚ୍ଚା ଅତ୍ୟାବଶ୍ୟକ ମନେ ହୁଏ । ଚେତନା  (Consciousness) ବିନା ନୈତିକତାର ଚର୍ଚ୍ଚା ବ୍ୟର୍ଥ ।


ଗୋଟିଏ ପରିବାରରେ ପ୍ରତ୍ୟେକଙ୍କ ସ୍ବଭାବ ସଂସ୍କାର ଭିନ୍ନ ଭିନ୍ନ ଥାଏ । ଗୋଟିଏ ପିତାର ଦୁଇଟି ସନ୍ତାନ ମଧ୍ୟରେ ସ୍ବଭାବ, ଗୁଣ ଓ କର୍ମ ମଧ୍ୟରେ ପ୍ରଭେଦ ଦେଖାଯାଏ । ନୈତିକ ଶିକ୍ଷା ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା କୁସଂସ୍କାର ଓ ଅବଗୁଣଗୁଡ଼ିକୁ ସଂଶୋଧନ କରି ତାକୁ ନୈତିକତା ସମ୍ପନ୍ନ କରାଯାଇପାରେ । କର୍ମ ଦ୍ୱାରା ସଂସ୍କାର ହୁଏ । ସଂସ୍କାର ଅନୁସାରେ ବ୍ୟକ୍ତିର ପ୍ରକୃତି ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହୋଇ ବୟସ ବୃଦ୍ଧି ସହିତ ମାନବ ଶିଶୁଠାରେ ବିଭିନ୍ନ ପ୍ରକାର ସଂସ୍କାର ପରିଲକ୍ଷିତ ହୁଏ । ଏହା ତା’ର ପୁନର୍ଜନ୍ମକୁ ପ୍ରମାଣ କରେ । ପୁନର୍ଜନ୍ମ ସିଦ୍ଧାନ୍ତ ଉପରେ ଯଥାର୍ଥ ଆଲୋଚନା ବିନା ନୈତିକ ଶିକ୍ଷା ଦ୍ୱାରା ପୂର୍ଣ୍ଣ ଲାଭ ପ୍ରାପ୍ତ ହୁଏ ନାହିଁ । ଯେଉଁମାନେ ପୁନର୍ଜନ୍ମ ସିଦ୍ଧାନ୍ତକୁ ସ୍ବୀକାର କରନ୍ତି ନାହିଁ ସେମାନେ ଇହ ଜନ୍ମରେ ଯେକୌଣସି ଉପାୟରେ ଧନ ଉପାର୍ଜନ କରି ସୁଖ ସ୍ବାଚ୍ଛନ୍ଦ୍ୟ, ଭୋଗ, ବିଳାସ ଓ ବ୍ୟସନରେ ଜୀବନ ଯାପନ ପାଇଁ ପଶ୍ଚାତ୍ତପଦ ହୁଅନ୍ତି ନାହିଁ । ସେମାନେ ଚାର୍ବାକଙ୍କ ନୀତି ଅନୁସରଣ ପୂର୍ବକ ଋଣ କରି ଘିଅ ଖାଇଲେ ଓ ଜୀବନକୁ ଭୌତିକ ସୁଖ ମଧ୍ୟରେ ବ୍ୟତୀତ କରିବାର ସମସ୍ତ ପ୍ରକାର ପ୍ରଯତ୍ନ କରିବେ । କାରଣ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ସେମାନେ କହନ୍ତି, “ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’’ । ଏପରି ଲୋକଙ୍କ ପାଇଁ ନୈତିକତା, ସଦ୍କର୍ମ, ନୈତିକ ମୂଲ୍ୟ ଧାରଣ, ଆତ୍ମାର ଶୁଦ୍ଧିକରଣ ଆଦି ଅର୍ଥହୀନ । ତେଣୁ ଆତ୍ମା ଓ ପରମାତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ । (କ୍ରମଶଃ) 

🌸🌸🌸🌸🌸🌸🌸🌸🌸

ବି:ଦ୍ର:- ଆଗାମୀ ସଂଖ୍ୟାରେ “ମୂଲ୍ୟର ମୂଲ୍ୟାଙ୍କନ’’ ଓ ‘ମୂଲ୍ୟ ସଂକଟ’ ବିଷୟରେ ଆଲୋଚନା କରାଯିବା ।

🌺🌺🌺🌺🌺🌺🌺🌺🌺

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌸🌸🌸🌸🌸🌸🌸🌸🌸

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,