ଜ୍ଞାନ ନିର୍ଝର (୨୦)--- ଅସଫଳତା; ସଫଳତାର ଆଧାର ସ୍ତମ୍ଭ
🌸🌸🌸🌸🌸🌸🌸🌸🌸
*ଜ୍ଞାନ ନିର୍ଝର (୨୦)*
🌺🌺🌺🌺🌺🌺🌺🌺🌺
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*
🌻🌻🌻🌻🌻🌻🌻🌻🌻
*ଅସଫଳତା; ସଫଳତାର ଆଧାର ସ୍ତମ୍ଭ*
🌻🌻🌻🌻🌻🌻🌻🌻🌻
ଇତିହାସ ଅବଲୋକନ କଲେ ଜଣାଯାଏ ଯେ କୌଣସି ସଫଳ ବ୍ୟକ୍ତି ଏକା ଥରକେ ସଫଳତା ପ୍ରାପ୍ତ କରି ନାହାନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି Failure is the pillar of success ଅସଫଳତା ପାଇଁ ଚିନ୍ତିତ ହେବା ଅନାବଶ୍ୟକ । କାରଣ ଏହା ଆତ୍ମ ବିଶ୍ଳେଷଣ ପାଇଁ ସୁଯୋଗ ଦିଏ । କୌଣସି କର୍ମ ବ୍ୟର୍ଥ ଯାଏ ନାହିଁ । ବିଧି ପୂର୍ବକ କର୍ମ କରିଗଲେ ସିଦ୍ଧି ଅବଶ୍ୟ ମିଳିବ । ଗୀତାରେ କୁହାଯାଇଛି, କର୍ମ କର ଫଳ ଆଶା କରନାହିଁ । କର୍ମ ଅନୁରୂପ ଫଳ ମିଳେ । ଅସଫଳତା ଆମକୁ ଆମର ତ୍ରୁଟି ସୁଧାରିବାକୁ ସତର୍କ କରାଏ । ତେଣୁ ଅସଫଳତାକୁ ଆଦୌ ସ୍ବୀକାର ନ କରି ସଫଳତା ପ୍ରାପ୍ତି ପର୍ଯ୍ୟନ୍ତ ପୁନଃ ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ । କଠିଣ ପ୍ରସ୍ତର ପ୍ରଥମ ଆଘାତରେ ଭାଙ୍ଗେ ନାହିଁ; ବାରମ୍ବାର ଆଘାତ ଦେଲେ ଶେଷରେ ତାହା ଖଣ୍ଡ ବିଖଣ୍ଡିତ ହୁଏ । ସ୍ବାମୀ ବିବେକାନନ୍ଦ କହନ୍ତି, “ଅସଫଳତା ପାଇଁ ଚିନ୍ତାକର ନାହିଁ । ଏହା ଏକଦମ୍ ସ୍ବାଭାବିକ । ଅସଫଳତା ଜୀବନର ସୌନ୍ଦର୍ଯ୍ୟ ଅଟେ । ଜୀବନରେ ଯଦି ସଂଘର୍ଷ ରହିବ ନାହିଁ ତେବେ ଜୀବିତ ରହିବା ବ୍ୟର୍ଥ । ସଂଘର୍ଷ ଜୀବନରେ କାବ୍ୟ । ସଂଘର୍ଷ ଏବଂ ତ୍ରୁଟି ପାଇଁ ବ୍ୟସ୍ତ ହୁଅ ନାହିଁ । ଆଦର୍ଶକୁ ସମ୍ମୁଖରେ ରଖି ଆଗକୁ ବଢ଼ିବାର ପ୍ରଯତ୍ନ କର । ଯଦି ତୁମେ ହଜାର ଥର ମଧ୍ୟ ଅସଫଳ ହୋଇଛ ତେବେ ଆଉ ଥରେ ପୁନଶ୍ଚ ପ୍ରଯତ୍ନ କର ।”
ମଣିଷ ପ୍ରାଣୀ ଜଗତରେ ସର୍ବଶ୍ରେଷ୍ଠ ଏଥିପାଇଁ ଯେ ତା’ର ଭଲ ମନ୍ଦ ବିଚାର କରିବା କ୍ଷମତା ଅଛି । ଏହା ମନୁଷ୍ୟମାନଙ୍କୁ ପରମାତ୍ମାଙ୍କ ଶ୍ରେଷ୍ଠ ବରଦାନ । ଏଭଳି କ୍ଷମତା ଅନ୍ୟ ପ୍ରାଣୀମାନଙ୍କଠାରେ ଦେଖାଯାଏ ନାହିଁ । ପରମାତ୍ମାଙ୍କ ଏହି ବରଦାନକୁ ଆମେ କେତେ ଉପଯୋଗ କରୁଛୁ ତାହା ନିଜକୁ ନିଜେ ପଚାରିବା ଉଚିତ । କେତେକ ଲୋକ ବିନା ବୁଝି ବିଚାରି କାମ କରନ୍ତି ଓ ପରେ ପଶ୍ଚାତାପ କରନ୍ତି । ଆଉ କେତେକ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତି । ନିଜ ନିଜ ପ୍ରତିଭାକୁ ବିଧି ପୂର୍ବକ ଉପଯୋଗ କରିବା ଦ୍ୱାରା ସଫଳତା ମିଳେ । ଲକ୍ଷ୍ୟହୀନ ପୁରୁଷାର୍ଥ ବା ଉଦ୍ୟମ ପାଣିରେ ଗାର କାଟିବା ସଦୃଶ । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ପ୍ରାରବ୍ଧ ଜନିତ ଫଳ, ଆକସ୍ମିକ ଦୁର୍ଘଟଣା, ଶାରୀରିକ ବ୍ୟାଧି ଆଦି ପ୍ରଭାବକୁ ଆମେ ଚାହିଁଲେ ମଧ୍ୟ ପ୍ରତିହତ କରି ପାରିବା ନାହିଁ । ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନହୋଇ ସାହସର ସହିତ ମୁକାବିଲା କରିବାକୁ ହେବ ।
ସଂପ୍ରତି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ପ୍ରତିସ୍ପର୍ଦ୍ଧାର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ଦୃଢ଼ ସଂକଳ୍ପ ସହିତ ନିଜ ମନୋଭାବକୁ ନିୟନ୍ତ୍ରଣ ରଖିବା ଏକାନ୍ତ ଆବଶ୍ୟକ । ପ୍ରତିସ୍ପର୍ଦ୍ଧାର ଏହି ଦୌଡରେ ସମସ୍ତେ ଯେ ସଫଳ ହେବେ ଏହା ସମ୍ଭବ ନୁହେଁ । ଅସଫଳତା, ସଫଳତା ମାର୍ଗର ଏକ ଅବରୋଧ ସଦୃଶ । ପ୍ରତ୍ୟେକ ଅସଫଳତା ଦ୍ୱାରା ଏହା ଶିକ୍ଷା କରିବାକୁ ହେବ ଯେ ସଫଳତା ମାର୍ଗର ଗୋଟିଏ ଅବରୋଧକୁ ଆମେ ଅତିକ୍ରମ କରି ଆଗକୁ ବଢ଼ିଛୁ । ପ୍ରତ୍ୟେକ ସଫଳ ବ୍ୟକ୍ତି ନିଜ ନିଜ ଅସଫଳତାକୁ ବାରମ୍ବାର ପୁର୍ନମୁଲ୍ୟାଙ୍କ କରି ସଫଳତା ପ୍ରାପ୍ତି ପାଇଁ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଛନ୍ତି । ସକାରାତ୍ମକ ଦୃଷ୍ଟିକୋଣ ବିନା ସଫଳତା ପ୍ରାପ୍ତି ସମ୍ଭବ ନୁହେଁ । ଜୀବନର ଚଲା ପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତରେ ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ଆଗେଇ ଗଲେ ସଫଳତା ବିଜୟମାଳା ସହିତ ଆମକୁ ସ୍ବାଗତ କରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।
ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଜୀବନ ହେଉଛି ସଫଳତା ଓ ବିଫଳତାର ଏକ ଅଦ୍ଭୁତ ମିଶ୍ରଣ । ଜୀବନର ବାଧା ଦୌଡରେ ବାରମ୍ବାର ବିଫଳତାର ଅବରୋଧ ସମ୍ମୁଖରେ ଉପସ୍ଥିତ ହେବ । ଏଥିରେ ଅଟକି ନଯାଇ ଆଗକୁ ସାହସର ସହିତ ଲମ୍ଫ ପ୍ରଦାନ କରିବାକୁ ହେବ । ପ୍ରତ୍ୟେକ ଅବରୋଧକୁ ଏକ ମନୋରଞ୍ଜନ ଖେଳ ଭାବି ଲଙ୍ଘନ କରି ଚାଲିଲେ ଅନ୍ତିମରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ସଂଘର୍ଷ ଓ ପ୍ରଯତ୍ନର ପରିଣାମ ସ୍ବରୂପ ପ୍ରାପ୍ତ ସଫଳତା ପରମ ସୁଖ ପ୍ରଦାନ କରେ ।
ଭୟ ହେଉଛି ସଫଳତା ମାର୍ଗର ପ୍ରଧାନ ଅନ୍ତରାୟ । ଏହା ଭିନ୍ନ ରୂପରେ ଭୂତ ଭଳି ମଣିଷ ପଛରେ ଲାଗିଥାଏ । ଅସଫଳତା, ମୃତ୍ୟୁ, ନିନ୍ଦା ବଦନାମ, ଅସୁରକ୍ଷା, ଅନିଶ୍ଚିତତା ଆଦି ଭୟ ମଣିଷକୁ ନିଷ୍କ୍ରିୟ କରି ଦିଏ । ଅନେକ ସମୟରେ ଦେଖାଯାଏ ଯେ କେହି କେହି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୋଜନା ବଦ୍ଧ ଭାବରେ ଉତ୍ସାହର ସହିତ କାର୍ଯ୍ୟ ପ୍ରାରମ୍ଭ କରନ୍ତି । ପରେ ଯେତେବେଳେ ସେମାନେ ବିଭିନ୍ନ ବାଧା ବିଘ୍ନର ସମ୍ମୁଖୀନ ହୁଅନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଉଦ୍ଦୀପନା ସମାପ୍ତ ହୋଇଯାଏ । ଭୟଭୀତ ହୋଇ ସେମାନେ ଧୈର୍ଯ୍ୟହରା ହୋଇ ପଡନ୍ତି ଓ କାର୍ଯ୍ୟକୁ ଅଧାରେ ଛାଡି ପଳାୟନ କରନ୍ତି । ଏହି ପଳାୟନ ପ୍ରବୃତ୍ତି କାପୁରୁଷତାର ଲକ୍ଷଣ । ଏପରି ବ୍ୟକ୍ତି କେବେ କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । କେବଳ ପ୍ରତିଭା ଓ ସଂସାଧନ ଦ୍ୱାରା ବ୍ୟକ୍ତି ସଫଳ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିବାର ମାନସିକ ଦୃଢ଼ତା, ଆତ୍ମ ବିଶ୍ୱାସ ଓ ସାହସ । ପଳାୟନବାଦୀ ପ୍ରବୃତ୍ତି ଉପରେ ବିଜୟ ପ୍ରାପ୍ତି ପାଇଁ ସତତ ପ୍ରଯତ୍ନ ଓ ପ୍ରତିରୋଧକ କ୍ଷମତାର ବିକାଶ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ଆଧାତ୍ମିକ ଚେତନାର ବିକାଶ କରିବାକୁ ହେବ ।
ସୁଖ, ଶାନ୍ତି ଓ ସମୃଦ୍ଧି ଜୀବନ ପାଇଁ ନୈତିକ ଓ ଆଧ୍ୟତ୍ମିକ ମୂଲ୍ୟର ବିକାଶ ଅତ୍ୟନ୍ତ ଆବଶ୍ୟକ । ଲକ୍ଷ୍ୟ ପ୍ରତି ଦୃଢ଼ ନିଶ୍ଚୟ, ଆତ୍ମ ବିଶ୍ୱାସ, ସକରାତ୍ମକ ଚିନ୍ତନ, ପ୍ରସନ୍ନତା ଓ ନିରବଚ୍ଛିନ୍ନ ପୁରୁଷାର୍ଥ ସଫଳତାର ମାର୍ଗକୁ ପ୍ରଶସ୍ତ କରେ । ପ୍ରତ୍ୟେକ ସଫଳତା ଚାହାନ୍ତି; କିନ୍ତୁ ଅଧିକାଂଶ ବ୍ୟକ୍ତି ନିଜ ପୁରୁଷାର୍ଥ ଉପରେ ଦୃଢ଼ ଆସ୍ଥା ରଖନ୍ତି ନାହିଁ । ସଫଳତା ପ୍ରତି ସେମାନଙ୍କ ମନରେ ଆଶଙ୍କା ଜାତ ହୁଏ । ସ୍ବୀୟ ଆନ୍ତରିକ ଶକ୍ତି ପ୍ରତି ଯାର ଅବିଶ୍ୱାସ ଜାତ ହୁଏ ସେ କିପରି ନିଜ ଅଭୀଷ୍ଟ ସାଧନରେ ସଫଳ ହେବେ? ପୁରୁଷାର୍ଥରେ ଦୃଢ଼ତା, ଅସଫଳତାର ସଂପୂର୍ଣ୍ଣ ମୂଲ୍ୟାଙ୍କନ, ମନରୁ ଅସଫଳତା ଓ ପ୍ରତିକୂଳ ପରିସ୍ଥିତି ଜନିତ ନିରାଶା ଭାବକୁ ଦ୍ୱର କରି ଉତ୍ସାହ ପୂର୍ବକ ବାରମ୍ବାର ପ୍ରଯତ୍ନଶୀଳତା ଦ୍ୱାରା ବ୍ୟକ୍ତି ସଫଳତାର ଅମୃତ ଆସ୍ବାଦନ କରିପାରେ । ଏପରି ସଫଳକାମୀ ବ୍ୟକ୍ତି ଯେକୌଣସି ପ୍ରତିକୂଳ ପରିସ୍ଥି୍ିତିରେ ମଧ୍ୟ ପ୍ରସନ୍ନ ରହି ପାରନ୍ତି । ଏଠାରେ ମନେ ରଖିବାକୁ ହେବ ଯେ ସମ୍ପୂର୍ଣ୍ଣ ପ୍ରଯତ୍ନର ଅଭାବହିଁ ଅସଫଳତାର କାରଣ । ଅସଫଳତାରେ ନିରାଶ ନ ହୋଇ ପୁନଃ ପ୍ରଯତ୍ନ କରିବାର ଦୃଢ଼ ସଂକଳ୍ପ ବ୍ୟକ୍ତିକୁ ନିଶ୍ଚିତ ବିଜୟଶ୍ରୀ ପ୍ରଦାନ କରେ । ସମ୍ୟକ ଓ ସକରାତ୍ମକ ଚିନ୍ତନ ସଫଳତାର ମୂଳ ମନ୍ତ୍ର । ପରାଜୟ ସତ୍ତ୍ବେ ମଧ୍ୟ ହତୋତ୍ସାହିତ ନ ହୋଇ ବିଜୟର ସଂକଳ୍ପ ନେଇ ପୁନଃ ପ୍ରୟାସ କରୁଥିବା ବ୍ୟକ୍ତି ହିଁ ଯଥାର୍ଥରେ ଗୌରବଶାଳୀ । ଯେକୌଣସି ପରିସ୍ଥିତିରେ ମଧ୍ୟ ମାନସିକ ପ୍ରସନ୍ନତା ଯେମିତି ବଜାୟ ରହେ ସେଥି ପ୍ରତି ଯତ୍ନବାନ ହେବା ବିଧେୟ । କାରଣ ପ୍ରସନ୍ନତା ବୁଦ୍ଧିକୁ ଶାନ୍ତ ଓ ଏକାଗ୍ର ହେବାରେ ସହାୟକ ହୁଏ ଯାହାକି ସଫଳତା ପାଇଁ ସର୍ବାଧିକ ମୂଲ୍ୟବାନ ।
🌹🌹🌹🌹🌹🌹🌹🌹🌹
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment