ଜ୍ଞାନ ନିର୍ଝର (୧୮)---- ବ୍ରହ୍ମଚର୍ଯ୍ୟ

🌺🌺🌺🌺🌺🌺🌺🌺🌺

      *ଜ୍ଞାନ ନିର୍ଝର (୧୮)* 

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

  🌻🌻🌻🌻🌻🌻🌻🌻🌻     

     🌼    *ବ୍ରହ୍ମଚର୍ଯ୍ୟ*   🌼                                                               

🌹🌹🌹🌹🌹🌹🌹🌹🌹

“ *ବ୍ରହ୍ମଚର୍ଯେଣ ତପସା ଦେବା ମୃତୁ୍ୟମୁପାଘ୍ନତ* ।” ଅର୍ଥାତ୍ ବ୍ରହ୍ମଚର୍ଯ୍ୟ ଏବଂ ତପସ୍ୟା ବଳରେ ଦେବତାଗଣ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିଛନ୍ତି । ବ୍ରହ୍ମଚର୍ଯ୍ୟର ଶକ୍ତି ବଡ଼ ବିଲକ୍ଷଣ । ଏହା ମନୁଷ୍ୟ ଜୀବନର ଆଧାର । ଏହା ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ମୂଳଦୁଆ । ବ୍ରହ୍ମଚର୍ଯ୍ୟ ଦ୍ୱାରା ହିଁ ମନୁଷ୍ୟ ଜୀବନରେ ମହାନ ଶକ୍ତି ପ୍ରାପ୍ତ କରିବାକୁ ସକ୍ଷମ ।ଏହାଦ୍ୱାରା ଆମର ସ୍ମରଣଶକ୍ତି ସ୍ଥିର, ବୁଦ୍ଧି ଉର୍ବର ଓ ଇଚ୍ଛା-ଶକ୍ତି ବଳବାନ ହୋଇଥାଏ । ବ୍ରହ୍ମଚର୍ଯ୍ୟ ପାଳନ କରୁ ନଥିବା ବ୍ୟକ୍ତିର ଶରୀର କ୍ଷୀଣ, ମନ, ମସ୍ତିଷ୍କ ଓ ହୃଦୟ ଦୁର୍ବଳ ହୋଇଯାଏ ।


ବ୍ରହ୍ମଚର୍ଯ୍ୟର ଆକ୍ଷରିକ ଅର୍ଥ ହେଉଛି ‘ବ୍ରହ୍ମ’ (ପରମାତ୍ମା)ଙ୍କ ଅଭିମୁଖେ ଅଗ୍ରସର ହେବା । କିନ୍ତୁ ଏହାର ଆଶୟ କିମ୍ବା ଗୂଢ଼ ଅଭିପ୍ରାୟ ଥିଲା ତନୁ, ମନ, ବଚନ ଓ କର୍ମରେ ସଂପୂର୍ଣ୍ଣ ପବିତ୍ରତା ପାଳନ । ହଠ ପୂର୍ବକ ବୀର୍ଯ୍ୟପାତରୁ ନିବୃତ୍ତ ରହିବା ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ନୁହେଁ । ଉପଯୁକ୍ତ ଶିକ୍ଷା ଦ୍ୱାରା ସମସ୍ତ ଇନ୍ଦ୍ରିୟର ରାଜା ମନର ଶୁଦ୍ଧିକରଣ ଦ୍ୱାରା ବ୍ରହ୍ମଚର୍ଯ୍ୟର ମାର୍ଗ ସହଜ ଓ ସ୍ବାଭାବିକ ହୋଇଥାଏ । ପ୍ରାଚୀନ କାଳରେ ମନୁଷ୍ୟର ହାରାହାରି ଆୟୁ ଏକଶତ ବର୍ଷ ବୋଲି ସ୍ବୀକାର କରାଯାଇଥିଲା ଓ ଏହି ଅବଧିକୁ ସମାନ ଚାରି ଭାଗରେ ବିଭକ୍ତ କରାଯାଇଥିଲା । ଏହି ଚାରି ଭାଗ ଚାରିଟି ଆଶ୍ରମ ନାମରେ ନାମିତ । ସେଗୁଡ଼ିକ ହେଲା, ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ୟାସ । ପ୍ରଥମ ପଚିଶ ବର୍ଷ ଅବଧି ବ୍ରହ୍ମଚର୍ଯ୍ୟ ଆଶ୍ରମ ହେଉଛି ବିଦ୍ୟାଧ୍ୟୟନର ସମୟ । ଏହି ଆଶ୍ରମ ସୁଚାରୁ ରୂପେ ବ୍ୟତୀତ କଲା ପରେ ପରବର୍ତ୍ତୀ ତିନି ଆଶ୍ରମ ବ୍ୟକ୍ତି ପାଇଁ ଆନନ୍ଦଦାୟକ ହେଉଥିଲା ।


ବ୍ରହ୍ମଚର୍ଯ୍ୟର ଭିତ୍ତି ଉପରେ ମନୁଷ୍ୟର ସଂପୂର୍ଣ୍ଣ ଜୀବନ ନିର୍ଭର କରେ । ଏହା ହେଉଛି ଜୀବନର ପ୍ରଥମ ଅବସ୍ଥା । ବାଳକ ଯେତେବେଳେ କିଶୋରାବସ୍ଥାରେ ଉପନୀତ ହୁଏ ସେତେବେଳେ ତାର ଶାରୀରିକ ବିକାଶ ତ୍ୱରାନ୍ୱିତ ହୁଏ ଓ ତାକୁ ନୂଆ ନୂଆ ଅନୁଭବ ହେବାକୁ ଲାଗେ । ମନରେ ନୂଆ ନୂଆ ବିଚାର ତରଙ୍ଗ ଉଠିବାକୁ ଲାଗେ । ଏହି ଅବସ୍ଥାରେ ବ୍ୟକ୍ତିର ଉତ୍ଥାନ ବା ପତନ ପ୍ରାରମ୍ଭ ହୋଇଥାଏ । ତେଣୁ ଘରେ ପିତାମାତାଙ୍କୁ ଓ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ବୟସରେ ଯଦି କିଶୋର-କିଶୋରୀଗଣ ଭଲ ପୁସ୍ତକ ଅଧ୍ୟୟନ କରନ୍ତି, ଭଲ ଅଭ୍ୟାସ ଶିଖନ୍ତି, ଭଲ ପିଲାଙ୍କ ସହିତ ସାଙ୍ଗ ହୁଅନ୍ତି, ବୟସ୍କମାନଙ୍କୁ ଆଦର ସମ୍ମାନ ସହ ସେବା କରନ୍ତି, ବ୍ୟାୟାମ ଓ ପ୍ରାଣାୟାମ କରନ୍ତି, ସାମୂହିକ କ୍ରୀଡ଼ାରେ ଅଂଶ ଗ୍ରହଣ କରନ୍ତି ଓ ସଂଯମିତ ଜୀବନ ବ୍ୟତୀତ କରନ୍ତି, ତେବେ ସେମାନଙ୍କ ମନ ବ୍ୟର୍ଥ ବିଚାର କରିବାକୁ ଅବକାଶ ପାଏ ନାହିଁ । ଅନ୍ୟଥା ପଥ ଭ୍ରଷ୍ଟ ହେବାର ବହୁତ ସଂଭାବନା ଥାଏ । ଏଥିପାଇଁ ପିତା-ମାତାମାନେ ନିଜର ସନ୍ତାନ-ସନ୍ତତିଙ୍କ ଦିନଚର୍ଯ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।


କୌଣସି ଭଲ କାମ କରିବା ପାଇଁ ଯତ୍ନପୂର୍ବକ ପରିଶ୍ରମ କରିବାକୁ ପଡ଼ିଥାଏ । କିନ୍ତୁ ଖରାପ କାମ ପାଇଁ ଯତ୍ନ ଓ ଶ୍ରମର ଆବଶ୍ୟକତା ନ ଥାଏ । ତେଣୁ କୌଣସି ଖରାପ ଅଭ୍ୟାସଗ୍ରସ୍ଥ କିଶୋର-କିଶୋରୀ ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରନ୍ତି । ଏହାର ପରିଣାମ ସ୍ବରୂପ ଆଜି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଅନେକ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୈତିକ ଓ ଚାରିତ୍ରିକ ମୂଲ୍ୟାବଳୀର ଅଭାବ ଦେଖାଯାଏ । ସେମାନଙ୍କୁ ସ୍ନେହ ପୂର୍ବକ ସଂଯମ ଜୀବନଯାପନ ପାଇଁ ମାର୍ଗଦର୍ଶନ ଦେବାକୁ ହେବ । କୁଅଭ୍ୟାସରେ ପୀଡ଼ିତ ଯୁବକ-ଯୁବତୀମାନଙ୍କ ପାଇଁ ବ୍ରହ୍ମଚର୍ଯ୍ୟ ଓ ସଂଯମ ହେଉଛି ଏକମାତ୍ର ଉପଚାର ।


ବର୍ତ୍ତମାନ ମାନବ ସମାଜ ଆଧୁନିକତାର ଦ୍ୱାହି ଦେଇ ଇନ୍ଦ୍ରିୟୋଦ୍ଦୀପକ ଭୋଗ ବିଳାସରେ ବିମୋହିତ । ଉପଭୋକ୍ତା ସାମଗ୍ରୀଗୁଡ଼ିକର ବିକ୍ରି ବୃଦ୍ଧି ପାଇଁ ବିଜ୍ଞାପନ ମାଧ୍ୟମରେ ସୁନ୍ଦରୀ ଯୁବତୀମାନଙ୍କ ଅର୍ଦ୍ଧନଗ୍ନ ଅଂଗ ପ୍ରଦର୍ଶନ କିଶୋରମାନଙ୍କ ମନରେ ଯୌନୋଦ୍ଦୀପନା ସୃଷ୍ଟି କରେ । ଏହିପରି ବାତାବରଣ ମଧ୍ୟରେ ବ୍ରହ୍ମଚର୍ଯ୍ୟ ପାଳନ ଏକ କଠିନ କାର୍ଯ୍ୟ । ମନୁଷ୍ୟ ମନର ସ୍ବଭାବ ହେଉଛି ଚଂଚଳତା । ନିରନ୍ତର ଅଭ୍ୟାସ ବିନା ଏହାକୁ ବଶ କରିବା ସହଜ ନୁହେଁ । ନୈତିକ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ଜନ-ମାନସ ପରିବର୍ତ୍ତନ କରିବାକୁ ହେବ ।


ବ୍ରହ୍ମଚର୍ଯ୍ୟକୁ ଏକ ବ୍ରତ ରୂପେ ଗ୍ରହଣ କରିବାକୁ ହେବ । ମନୁଷ୍ୟର ମନ ନ ସୁଧୁରିବା ପର୍ଯ୍ୟନ୍ତ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ସଂଭବ ନୁହେଁ । ସମାଜରେ ବ୍ୟାପ୍ତ ଦୂଷିତ ବାତାବରଣ ସୁଧାରିବା ପାଇଁ ଜନ ସଚେତନ କାର୍ଯ୍ୟକ୍ରମଗୁଡ଼ିକ ବ୍ୟାପକ ଭାବରେ ଆୟୋଜନ କରିବା ଆବଶ୍ୟକ । ଏଥିପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ହେବ । ସମାଜରେ ସରଳ ଜୀବନ, ଉଚ୍ଚ ବିଚାର ଆଦର୍ଶର ପ୍ରତିଷ୍ଠା କରିବାକୁ ହେବ । ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ ଏକାନ୍ତ ଆବଶ୍ୟକ । ରସନେନ୍ଦ୍ରିୟର ତୃପ୍ତି ପାଇଁ ନୁହେଁ, ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଭୋଜନ କରିବା ଉଚିତ । ଆଜିକାଲି ଲୋକେ ଘରେ ଭୋଜନ ପ୍ରସ୍ତୁତ କରି ଖାଇବା ଅପେକ୍ଷା ହୋଟେଲ ଓ ରେଷ୍ଟୁରାଣ୍ଟରେ  ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । ସେମାନେ ଭୁଲିଗଲେଣି ଯେ ମଣିଷ ବଂଚିବାକୁ ଖାଏ, ଖାଇବାକୁ ବଂଚେ ନାହିଁ । ଅଧିକାଂଶ ଲୋକ ସ୍ବାଦ ପାଇଁ ଖାଆନ୍ତି ଓ ସେଥିପାଇଁ ଖାଦ୍ୟର ଗୁଣବତ୍ତା, ଶୁଦ୍ଧତା, ଖାଇବାର ସମୟ, ସ୍ଥାନ, ଆବଶ୍ୟକତା ଆଦିର କୌଣସି ବିଚାର କରନ୍ତି ନାହିଁ । ସେହିପରି ଲୋକେ ନ ଦେଖିବା କଥା ଦେଖନ୍ତି ଓ ନ ଶୁଣିବା କଥା ଶୁଣନ୍ତି । ଲଜ୍ଜା ନିବାରଣ ପାଇଁ ବସ୍ତ୍ର ଦରକାର । କିନ୍ତୁ ଆଜିକାଲି ସୌନ୍ଦର୍ଯ୍ୟ ପ୍ରଦର୍ଶନ ପାଇଁ ଏହାର ଉପଯୋଗ କରାଯାଉଛି । ଏହି ସବୁ କାହିଁକି ହେଉଛି? କାହିଁକି ନା କୁସଙ୍ଗ ଓ କୁସଂସ୍କୃତିର ପ୍ରଭାବ ବଶତଃ କୁଅଭ୍ୟାସରେ ଅଭ୍ୟସ୍ତ ମଣିଷ ମନ ଉପରେ ନିୟନ୍ତ୍ରଣ କରି ପାରୁନାହିଁ । କିନ୍ତୁ ଥରେ ଯଦି ମନକୁ ସଂଯମ କରି ଆଚରଣରେ ପରିବର୍ତ୍ତନ ଆଣି ପବିତ୍ର ଜୀବନଯାତ୍ରା ପଥରେ ମଣିଷ ଅଗ୍ରସର ହୁଏ, ସଫଳତା ତାକୁ ସ୍ବାଗତ କରିଥାଏ । ଏହା ହେଉଛି ପ୍ରକୃତିର ଶାଶ୍ୱତ ନିୟମ ।


ସଂକ୍ଷେପରେ, ବ୍ରହ୍ମଚର୍ଯ୍ୟ ମଣିଷର ସ୍ମରଣଶକ୍ତି ବୃଦ୍ଧି କରେ, ବୁଦ୍ଧି ପ୍ରଖର କରେ, କ୍ରୋଧ ଉପରେ ବିଜୟ ପ୍ରାପ୍ତ କରାଏ, ମନନ ଶକ୍ତି ବୃଦ୍ଧି କରେ । ଆତ୍ମିକ ଶକ୍ତି ବୃଦ୍ଧି ପୂର୍ବକ ଆତ୍ମନିର୍ଭରତା, ସାହସ, ନିର୍ଭିକତା ଏବଂ ମହାନ ଗୁଣଗୁଡ଼ିକର ବିକାଶ କରେ । ତେଣୁ ପ୍ରାଚୀନ ଋଷିଗଣ ବ୍ରହ୍ମଚର୍ଯ୍ୟକୁ ତପ ବୋଲି କହିଛନ୍ତି-


 *ନ ତପସ୍ତପ ଇତ୍ୟାହୁ ର୍ବ୍ରହ୍ମଚର୍ଯ ତପୋସ୍ତପମ୍ ।* 


*ଉଦ୍ଧ୍ୱର୍ରେତା ଭବେଦ୍ଧ୍ୟସ୍ତୁ ସ ଦେବୋ ନ ତୁ ମାନୁଷଃ* ।ା


ଅର୍ଥାତ୍ ବ୍ରହ୍ମଚର୍ଯ୍ୟ ପରି କୌଣସି ତପ ନାହିଁ, ତପମାନଙ୍କ ମଧ୍ୟରେ ବ୍ରହ୍ମଚର୍ଯ୍ୟ ହେଉଛି ସର୍ବ ଶ୍ରେଷ୍ଠ ତପ । ଯେଉଁ ମନୁଷ୍ୟ ଇନ୍ଦ୍ରିୟଗୁଡ଼ିକୁ ସଂଯମ କରି ପାରିଛି ସେ ଆଉ ମନୁଷ୍ୟ ହୋଇ ରହେ ନାହିଁ, ଦେବତା ବନିଯାଏ । ପ୍ରାଚୀନ କାଳରେ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିଥିବା ପିତାମହ ଭୀଷ୍ମଙ୍କ ବୀରତ୍ୱ ଗାଥା ପୁରାଣ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ । ଆଧୁନିକ କାଳରେ ସ୍ବାମୀ ବିବେକାନନ୍ଦଙ୍କ ବୌଦ୍ଧିକ ଓ ଆଧ୍ୟାତ୍ମିକ ପ୍ରତିଭା ବିଷୟରେ  କିଏ ନ ଜାଣେ? ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଉନ୍ନତି ମୂଳରେ ରହିଛି ବ୍ରହ୍ମଚର୍ଯ୍ୟ । ତେଣୁ ସତତ ସ୍ମରଣ ରଖିବା ଉଚିତ ଯେ ଜୀବନରେ ଉନ୍ନତି ପାଇବାର ସର୍ବପ୍ରଥମ ନିଶୁଣି (ସିଡ଼ି) ହେଉଛି ବ୍ରହ୍ମଚର୍ଯ୍ୟ ।


ବ୍ରହ୍ମଚର୍ଯ୍ୟ ପାଳନ ପାଇଁ କେତେକ ସାଧାରଣ ନିୟମ ପାଳନ କରିବା ଆବଶ୍ୟକ ।


୧. ଶୁଦ୍ଧ ଶାକାହାରୀ ଓ ତେଲ ମସଲା ରହିତ ସୁପାଚ୍ୟ ଖାଦ୍ୟ ଗ୍ରହଣ କରନ୍ତୁ ।


୨. ଅଧିକ ଖଟା ଓ ମିଠା ଖାଦ୍ୟ ସେବନ କରନ୍ତୁ ନାହିଁ ।


୩. କ୍ଷୁଧାନୁସାରେ ଭୋଜନର ପରିମାଣ ନିର୍ଦ୍ଧାରଣ କରି ଲଘୁପାକ ଖାଦ୍ୟ ଗ୍ରହଣ କରନ୍ତୁ ।


୪. ଖାଇବାର ସମୟ ନିଶ୍ଚିତ କରନ୍ତୁ । ଯେତେବେଳେ ଇଚ୍ଛା ସେତେବେଳେ ଓ ଯାହା ଇଚ୍ଛା ତାହା ଖାଆନ୍ତୁ ନାହିଁ ।


୫. ଅଧିକ ଚା ଓ କଫି ପାନ କରନ୍ତୁ ନାହିଁ ।


୬. ପାନ, ବିଡ଼ି, ସିଗାରେଟ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନରୁ ନିବୃତ୍ତ ରହନ୍ତୁ ।


୭. ଉତ୍ତେଜକ ସିନେମା ଦେଖନ୍ତୁ ନାହିଁ ।


୮. ଅତ୍ୟାଧୁନିକ ଫେସନର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।


୯. ଅଶ୍ଳୀଳ ସାହିତ୍ୟ ପଢ଼ନ୍ତୁ ନାହିଁ ।


୧୦. ଏକାନ୍ତରେ ବସିଥିବାବେଳେ ମନରେ କୌଣସି ଅଶ୍ଳୀଳ ଚିନ୍ତନ କରନ୍ତୁ ନାହିଁ ଓ ମନକୁ ଯଥା ସଂଭବ ସକାରାତ୍ମକ ଚିନ୍ତନରେ ବ୍ୟସ୍ତ ରଖନ୍ତୁ ।


୧୧. ପ୍ରାତଃ ଓ ସନ୍ଧ୍ୟା ସମୟରେ ଭ୍ରମଣ କରନ୍ତୁ ।


୧୨. ରାତ୍ରିରେ ଶୀଘ୍ର ଶୁଅନ୍ତୁ ଓ ପ୍ରାତଃରେ ଶୀଘ୍ର ଉଠନ୍ତୁ ।


୧୩. ଏକାଗ୍ରତା ପୂର୍ବକ ସ୍ବାଧ୍ୟାୟରେ ମନୋନିବେଶ କରନ୍ତୁ ।


🌸🌸🌸🌸🌸🌸🌸🌸🌸

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌺🌺🌺🌺🌺🌺🌺🌺🌺

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର