ଜ୍ଞାନ ନିର୍ଝର (୨୪ ---ସଫଳତା ପାଇଁ କାର୍ଯ୍ୟପ୍ରଣାଳୀ ଓ ବିଧି

💐💐💐💐💐💐💐💐💐

    🌼 *ଜ୍ଞାନ ନିର୍ଝର (୨୪)* 🌼

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🙏🙏🙏🙏🙏🙏🙏🙏🙏

  *ସଫଳତା ପାଇଁ କାର୍ଯ୍ୟପ୍ରଣାଳୀ ଓ ବିଧି* 

🌻🌻🌻🌻🌻🌻🌻🌻🌻

 *କାର୍ଯ୍ୟକ୍ଷମତାର ସର୍ବାଧିକ ଉପଯୋଗ* 

🌹🌹🌹🌹🌹🌹🌹🌹🌹

ଅଳସୁଆ ବ୍ୟକ୍ତି ପାଇଁ ଏ ସଂସାରରେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଆଳସ୍ୟ ମନୁଷ୍ୟକୁ ଅକର୍ମଣ୍ୟ କରି ଦିଏ । ଅସମ୍ଭବ ମନେ ହେଉଥିବା ପ୍ରତ୍ୟେକ ବାଧା, ବିଘ୍ନ ବା ସମସ୍ୟା ମନୁଷ୍ୟର ସଚେତନତାର ଅଭାବ ମାତ୍ର । ପ୍ରତ୍ୟେକ ମନୁଷ୍ୟାତ୍ମା ମଧ୍ୟରେ ଯୋଗ୍ୟତା ସୁପ୍ତ ଭାବରେ ଥାଏ । ଏହାକୁ ଜାଗ୍ରତ କରି ପାରିଲେ ଅସମ୍ଭବ ମଧ୍ୟ ସମ୍ଭବ ହୁଏ । ମନୋବୈଜ୍ଞାନିକ ପରୀକ୍ଷଣରୁ ଜଣାଯାଏ ଯେ ମନୁଷ୍ୟ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ସମଗ୍ର ଜୀବନକାଳ ମଧ୍ୟରେ ତା’ର ମାନସିକ ଶକ୍ତିର ଉପଯୋଗ କରିଥାଏ । କାରଣ ତା’ ଆତ୍ମା ମଧ୍ୟରେ ସୁଷୁପ୍ତ ଭାବରେ ଥିବା ଅନନ୍ତ ଶକ୍ତି ବିଷୟରେ ସେ ଜାଣି ନ ଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରକୃତ ସାମର୍ଥ୍ୟ ସେମାନେ ଉପଯୋଗ କରୁଥିବା କାର୍ଯ୍ୟ କ୍ଷମତାଠାରୁ ଅନେକଗୁଣ ଅଧିକ । କାର୍ଯ୍ୟ କ୍ଷମତାର ସର୍ବାଧିକ ଉପଯୋଗ ପାଇଁ ନିମ୍ନ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।


(କ) କୌଣସି ପରିସ୍ଥିତିରେ ମଧ୍ୟ ଉଦ୍ବିଗ୍ନ ହେବା ଅନୁଚିତ । ସହନଶୀଳତା ଦ୍ୱାରା ଆନ୍ତରିକ ଶକ୍ତିର ଅପଚୟ ହୁଏ ନାହିଁ । ଏହା ଦ୍ୱାରା କାର୍ଯ୍ୟକ୍ଷମତା ବଢ଼େ ।


(ଖ) ମାନସିକ ଋପ ମୁକ୍ତ ହୋଇ ନିରବଚ୍ଛିନ୍ନ କର୍ମ କରି ଚାଲିବା ଦ୍ୱାରା କାର୍ଯ୍ୟକ୍ଷମତା ବୃଦ୍ଧି ହୁଏ ।


(ଗ) ଲକ୍ଷ୍ୟ ସ୍ଥିର କରି ସାରିଲାପରେ ସୁବିଧାପୂର୍ଣ୍ଣ ଓ ସଂଘର୍ଷମୁକ୍ତ ମାର୍ଗ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କାରଣ ନିର୍ଦ୍ଧାରିତ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅନେକ ମାଧ୍ୟମ ଓ ମାର୍ଗ ରହିଛି । ଉପଯୁକ୍ତ ମାଧ୍ୟମ ଓ ମାର୍ଗ ଚୟନ ଦ୍ୱାରା କାର୍ଯ୍ୟକ୍ଷମତାର ସର୍ବାଧିକ ଉପଯୋଗ ହୁଏ ।


(ଘ) ଲକ୍ଷ୍ୟ ପ୍ରାପ୍ତି ପାଇଁ ଉଚିତ ସମୟାବଧି ନିର୍ଦ୍ଧାରଣ କରି ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବା ଦରକାର ।


(ଙ) ଶାରୀରିକ କ୍ଷମତା ଅନୁରୂପ କାର୍ଯ୍ୟ କରିବା ଆବଶ୍ୟକ । ଅତ୍ୟଧିକ ପରିଶ୍ରମ ଜନିତ କ୍ଳାନ୍ତି ଅଧିକତମ ପରିଣାମକୁ ପ୍ରଭାବିତ କରେ । ଏପରି ସ୍ଥଳେ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପରିମିତ ବିଶ୍ରାମ ଅପରିହାର୍ଯ୍ୟ । ଆମୋଦ ପ୍ରମୋଦ ପରିବେଶ ମଧ୍ୟରେ କାର୍ଯ୍ୟ କଲେ ବ୍ୟକ୍ତି ଶୀଘ୍ର ଥକି ଯାଏ ନାହିଁ ଓ ଅଧିକ ଫଳ ପାଏ ।


(ଚ) ସତତ ଅଭ୍ୟାସ ଦ୍ୱାରା କଠିଣରୁ କଠିଣ କାର୍ଯ୍ୟ ମଧ୍ୟ ସହଜ ମନେ ହୁଏ । କୌଣସି କର୍ମ ଅଭ୍ୟାସରେ ପରିଣତ ହୋଇଗଲେ କମ ଶକ୍ତି ବ୍ୟୟ ହୁଏ ଓ ଅଧିକ ପରିଣାମ ପ୍ରାପ୍ତ ହୁଏ ।


(ଛ) କାର୍ଯ୍ୟ କ୍ଷମତାର ସର୍ବାଧିକ ଉପଯୋଗ ପାଇଁ ଶାରୀରିକ ଓ ମାନସିକ  ଶକ୍ତି ମଧ୍ୟରେ ସନ୍ତୁଳନ ଆବଶ୍ୟକ । ଉଭୟ ଶରୀର ଓ ମନ ସୁସ୍ଥ ନ ରହିଲେ ଜଣେ ସର୍ବୋତ୍ତମ ଭାବରେ ଓ ଉତ୍ତରଦାୟିତ୍ୱ ପୂର୍ବକ ଅଧିକରୁ ଅଧିକ କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହୋଇପାରେ ନାହିଁ  । କର୍ମ କୋଢ଼ି ବ୍ୟକ୍ତି ଦୈବୀ ଆଶୀର୍ବାଦ ବା କୌଣସି ଚମତ୍କାରର ଅପେକ୍ଷା କରି ଜୀବନର ମୂଲ୍ୟବାନ ସମୟ ନଷ୍ଟ କରନ୍ତି । କୁଶଳତା ପୂର୍ବକ ନିଜ ଶାରୀରିକ ଓ ମାନସିକ ଶକ୍ତିର ସର୍ବାଧିକ ଉପଯୋଗ କଲେ ବ୍ୟକ୍ତି ସମସ୍ତ ବାଧା ବିଘ୍ନକୁ ସାହସର ସହିତ ଅତିକ୍ରମ କରି ଲକ୍ଷ୍ୟ ପଥରେ ଆଗେଇଯାଇ ପାରେ । ସଫଳତା ତା’ର ପଦ ଚୁମ୍ବନ କରେ ।


(ଜ) ପୂର୍ଣ୍ଣ ସଫଳତା ପାଇଁ ପୂର୍ଣ୍ଣ ସ୍ବାଭିମାନୀ ହେବା ପରମ ଆବଶ୍ୟକ । କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜକୁ ନିଜେ ପଚାରିବା ଉଚିତ ଯେ ଏହାଦ୍ୱାରା ତାଙ୍କ ଆତ୍ମସମ୍ମାନ ଉପରେ କ’ଣ ଆଞ୍ଚ ଆସିବ? ଯଦି ଅନ୍ତରାତ୍ମାରୁ ଉତ୍ତର ଆସିଲା “ହଁ”; ତେବେ ସେହି କାର୍ଯ୍ୟକୁ ତତ୍କାଳ ପରିତ୍ୟାଗ କରିବା ଉଚିତ । କୌଣସି କାର୍ଯ୍ୟ କରିବା ଦ୍ୱାରା ଯ ଦି ମନରେ ଗ୍ଲାନି ଭାବ ଆସୁଛି, କର୍ମରେ ସ୍ବଭାବିକ ଆନନ୍ଦ ମିଳୁ ନାହିଁ ବା ତାହା କଷ୍ଟପୂର୍ଣ୍ଣ ମନେ ହେଉଛି ତେବେ ସେଥିରେ ପ୍ରବୃତ୍ତ ନ ହେବାକୁ ଦୃଢ଼ ପ୍ରତିଜ୍ଞା କରିବା ବିଧେୟ । ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଯଦି ମନରେ ସାମାନ୍ୟ ବି ସନ୍ଦେହ ଅଛି ତେବେ ସେଥିରେ ପୂର୍ଣ୍ଣ ସଫଳତା ପ୍ରାପ୍ତ ହେବ ନାହିଁ । ଏହା ନିଶ୍ଚିତ ।


ସଫଳତା ପ୍ରାପ୍ତିର ରହସ୍ୟ ଓ ନିୟମଗୁଡ଼ିକ ଜାଣି ତଦନୁସାରେ କାର୍ଯ୍ୟ କଲେ ଅଳ୍ପ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହୁଏ । ସଫଳତା ଜୀବନକୁ ପୂର୍ଣ୍ଣ ପ୍ରସନ୍ନ, ବିନମ୍ର, ମଧୁର, ସହନଶୀଳ, ପ୍ରେମପୂର୍ଣ୍ଣ, କ୍ଷମାବାନ ଓ ଦୟାବାନ କରି ଗଢ଼ି ତୋଳେ । ତେଣୁ ପ୍ରଥମେ ଛୋଟ ଛୋଟ ଲକ୍ଷ୍ୟ ପ୍ରାପ୍ତି ପାଇଁ ପୁରୁଷାର୍ଥ କରିବା ଉଚିତ । ଏହିପରି ଜଣେ ସଫଳତାର ଗୋଟିଏ ଗୋଟିଏ ପାହାଚ ଚଢ଼ି ଶେଷରେ  ଜୀବନର ମହାନ ଉଦ୍ଧେଶ୍ୟ ପ୍ରାପ୍ତିରେ ସଫଳ ହୋଇ ପାରିବ । ସଫଳତା ପାଇଁ କେବଳ କାର୍ଯ୍ୟ ପ୍ରଣାଳୀ ଓ ବିଧି ନିର୍ଦ୍ଧେଶ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ଦୈନିକ କାର୍ଯ୍ୟର କ୍ରମବଦ୍ଧ ପ୍ରବନ୍ଧନ ଆବଶ୍ୟକ । କେଉଁ କାର୍ଯ୍ୟ ପ୍ରଥମେ ଓ କେଉଁଟି ତା’ପରେ କରିବା ଉଚିତ ଏ ବିଷୟ ପୂର୍ବରୁ ନିର୍ଦ୍ଧାରଣ କରିବା ଉଚିତ । କୌଣସି କାର୍ଯ୍ୟର ପ୍ରାଥମିକତା ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛାନୁସାରେ ନିରୂପିତ ହୋଇଥାଏ । ପୂର୍ଣ୍ଣ ସଫଳତା ପାଇଁ  ନିମ୍ନ ବିଷୟ ବିନ୍ଦୁଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।


(ଝ) ଶଙ୍କାଶୀଳ ପ୍ରବୃତ୍ତି ମାନସିକ ଶକ୍ତିକୁ ହ୍ରାସ କରେ; ଏଣୁ ସର୍ବଥା ତ୍ୟାଜ୍ୟ ।


(ଞ) ସଂକଳ୍ପ ହେଉଛି ମନର ଭୋଜନ । ସକାରାତ୍ମକ ସଂକଳ୍ପ ମନକୁ ଦୃଢ଼ ଓ ସାହସୀ କରାଏ । ନକାରାତ୍ମକ ସଂକଳ୍ପ ମନକୁର ରୁଗ୍ଣ , ଦୁର୍ବଳ ଓ ଭୀରୁ କରାଏ । ଏଣୁ ଏହି ଭଳି ସଂକଳ୍ପଗୁଡିକୁ ଚିହ୍ନୋଟ କରି ତ୍ୟାଗ କରିବା ଉଚିତ ।


(ଟ) ଦୀନହୀନ- ପରାଧୀନ ଓ ପରାଶ୍ରିତ ବ୍ୟକ୍ତିକୁ କେହି ସମ୍ମାନ ଦିଅନ୍ତି ନାହିଁ । ପ୍ରତିଭା ସମ୍ପନ୍ନ, ଦିବ୍ୟ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱରେ ପରିପୂର୍ଣ୍ଣ ବ୍ୟକ୍ତି ସଦା ଲୋକଙ୍କ ଦ୍ୱାରା ପୂଜିତ ହୁଅନ୍ତି । ତେଣୁ ନିଜ ଜୀବନକୁ ଶ୍ରେଷ୍ଠ କରି ଗଢ଼ି ତୋଳିବାର ପ୍ରଯତ୍ନ କଲେ ବ୍ୟକ୍ତି ସମସ୍ତଙ୍କଠାରୁ ସ୍ବତଃ ସହଯୋଗ ପ୍ରାପ୍ତ ହୋଇ ପାରିବ ।


(ଠ) ଏମିତି କୌଣସି  ବିଚାରର ପୋଷଣ କରିବା ଉଚିତ ନୁହେଁ ଯାହା ଅବାଞ୍ଛନୀୟ ।


(ଡ) ଉଚିତ ନିର୍ଣ୍ଣୟର ଅଭାବ ଓ ନିର୍ଣ୍ଣୟ ନେବାରେ ବିଳମ୍ବ ହେଉଛି ବିଫଳତାର ମୁଖ୍ୟ କାରଣ । ତେଣୁ ଯାହା ଆସନ୍ତା କାଲି କରିବାକୁ ଅଛି ତାହା ଆଜି ଓ ଯାହା ଆଜି କରିବାକୁ ଅଛି ତାହା ବର୍ତ୍ତମାନ କଲେ ସଫଳତା ଅବଶ୍ୟମ୍ଭାବୀ ।


(ଢ) ନିଶ୍ଚିତ ବିଜୟର ଭାବନା ମନରେ ସର୍ବଦା ଜାଗ୍ରତ ରହିଲେ ସଫଳତା ନିଶ୍ଚୟ ପ୍ରାପ୍ତ ହେବ । ଏଭଳି ବ୍ୟକ୍ତି ବାରମ୍ବାର ପରାଜୟ ସତ୍ତ୍ବେ ମଧ୍ୟ ବିଜୟ ପାଇଁ ଉଦ୍ୟମ ଅବ୍ୟାହତ ରଖନ୍ତି ।


(ଣ) କୌଣସି ଲକ୍ଷ୍ୟ ପ୍ରାପ୍ତି ପାଇଁ କାର୍ଯ୍ୟ ଯୋଜନା ଏପରି ପ୍ରସ୍ତୁତ ହେବା ଉଚିତ ଯେପରି କମ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହୋଇ ପାରୁଥିବ ।


(ତ) କାର୍ଯ୍ୟ ଓ ବିଶ୍ରାମର ସମନ୍ୱୟ ରଖି ପରିଶ୍ରମ କଲେ କ୍ଳାନ୍ତି ସହଜରେ ଆସେ ନାହିଁ


(ଥ) ଦୃଢ଼ ଓ ଅଟଳ ବିଶ୍ୱାସ ଦ୍ୱାରା ଲକ୍ଷ୍ୟ ପ୍ରାପ୍ତି ସହଜ ହୋଇଥାଏ । ଆଶାତୀତ ସଫଳତା ପାଇଁ ଦୃଢ଼ ନିଶ୍ଚୟ ହେବା ଉଚିତ ।


(ଦ) ମନୋନୁକୂଳ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ବାଞ୍ଛନୀୟ ।


(ଧ) ଲକ୍ଷ୍ୟ ପ୍ରାପ୍ତି ପାଇଁ ସମୟାବଧି ନିର୍ଣ୍ଣୟ ସଫଳତା ପାଇଁ ଏକାନ୍ତ ଆବଶ୍ୟକ


(ନ) ଲକ୍ଷ୍ୟ ପ୍ରାପ୍ତି ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ ନିଜର ପୂର୍ଣ୍ଣ ଶକ୍ତି ଉପଯୋଗ କରି କାର୍ଯ୍ୟ କରିବା ଆବଶ୍ୟକ ।


(ପ) ଯୋଜନା ପ୍ରସ୍ତୁତ କରିବା ବେଳେ ବଡ ଲକ୍ଷ୍ୟ ପାଇଁ ଦୀର୍ଘ ସମୟ ଓ ଛୋଟ ଛୋଟ ଲକ୍ଷ୍ୟ ପାଇଁ କ୍ଷୁଦ୍ର କାଳାଂଶ ନିରୂପଣ କରିବା ଉଚିତ୍ ।


(ଫ) ନକାରାତ୍ମକ ବିଚାର ଓ ହୀନ ଭାବନାଗ୍ରସ୍ତ ବ୍ୟକ୍ତିଠାରୁ ନିଜକୁ ଦୂରେଇ ରଖିବା  ଉଚିତ୍ ।


(ବ) ସମୟର ମହତ୍ତ୍ବ ବୁଝିଥିବା ବ୍ୟକ୍ତି ଜୀବନରେ କେବେ ବିଫଳ ହୁଏ ନାହିଁ । ତେଣୁ ସ୍ବଜନ ମିତ୍ର ହେଲେ ମଧ୍ୟ ଯଦି କେହି ଆମର ଅମୂଳ୍ୟ ସମୟ ନଷ୍ଟର କାରଣ ହୁଅନ୍ତି ସେମାନଙ୍କଠାରୁ ଦୂରରେ ରହିବା ବିଜ୍ଞତା ଅଟେ ।


(ଭ) କୌଣସି କାର୍ଯ୍ୟ ହାତକୁ ନେବା ପୂର୍ବରୁ ସେ ବିଷୟରେ ବିଶେଷ ଅଧ୍ୟୟନ ଓ ଜ୍ଞାନପ୍ରାପ୍ତ କରିବା ଆବଶ୍ୟକ ସଂପୃକ୍ତ କାର୍ଯ୍ୟର ବିଶେଷଜ୍ଞ ହୋଇଗଲେ ତାହା ସୁଚାରୁ ଓ ଶ୍ରେଷ୍ଠ ଭାବରେ ସମ୍ପାଦନ ହେବ ।

🌺🌺🌺🌺🌺🌺🌺🌺🌺

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌸🌸🌸🌸🌸🌸🌸🌸🌸

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର