(୪)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା (4) ମୂଲ୍ୟ ଗୁଡ଼ିକର ବର୍ଗୀକରଣ
🌹🌹🌹🌹🌹🌹🌹🌹🌹
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା (୪)*
💐💐💐💐💐💐💐💐💐
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ*
🌷🌷🌷🌷🌷🌷🌷🌷🌷
*ମୂଲ୍ୟ ଗୁଡ଼ିକର ବର୍ଗୀକରଣ*
🌺🌺🌺🌺🌺🌺🌺🌺🌺
ମୁଖ୍ୟତଃ ମୂଲ୍ୟଗୁଡିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇ ପାରେ ।
୧) ବୈଶ୍ୱିକ ମୂଲ୍ୟ (Universal value)
୨) ମାନବୀୟ ମୂଲ୍ୟ (Humanvalue)
୩) ଅଳ୍ପକାଳିକ ମୂଲ୍ୟ (TemporalValue)
୧) ବୈଶ୍ୱିକ ମୂଲ୍ୟ(ସାର୍ବଭୈାମିକ ମୂଲ୍ୟ)
ଯେଉଁ ମୂଲ୍ୟଗୁଡିକ ସମସ୍ତଙ୍କ ଦ୍ୱାରା ସର୍ବକାଳରେ ନିର୍ବିବାଦରେ ଗ୍ରହଣୀୟ ସେଗୁଡିକ ବୈଶ୍ୱିକ ବା ସାର୍ବଭୌମିକ ମୂଲ୍ୟ ବର୍ଗ ଅନ୍ତର୍ଭୁକ୍ତ । ମନୁଷ୍ୟ ସମାଜରେ ଜାତି, ବର୍ଣ୍ଣ,ଧର୍ମ, ଲିଙ୍ଗ ,ସମ୍ପ୍ରଦାୟ ଭାଷା,ରାଷ୍ଟ୍ରୀୟତା ଆଦି ଭେଦରେ ବିଭାଜିତ । ଏହି ବିଭାଜନ ସତ୍ତ୍ବେ ମନୁଷ୍ୟ ମାନଙ୍କ ମଧ୍ୟରେ କେତେକ ମୌଳିକ ସିଦ୍ଧାନ୍ତ ସର୍ବମାନ୍ୟ ଅଟେ । ଉପାସନା ପଦ୍ଧତି ଆଧାରରେ ସାମ୍ପ୍ରଦାୟିକ ଧର୍ମଗୁଡିକ ମଧ୍ୟରେ ମତଭେଦ ଦେଖାଯାଏ କିନ୍ତୁ ସେହି ଧର୍ମଗୁଡିକରେ ଥିବା ନୈତିକ ଓ ଆଧ୍ୟତ୍ମିକ ଶିକ୍ଷା ପ୍ରାୟତଃ ସମାନ । ଏହାହିଁ ବୈଶ୍ୱିକ ମୂଲ୍ୟ । ତେଣୁ ଏହା ଶାଶ୍ୱତ,ଆଧ୍ୟାତ୍ମିକ ଓ ସାର୍ବଭୌମ । କାଳର କରାଳ ଗତିରେ ଅନେକ ସଭ୍ୟତା ,ସଂସ୍କୃତି ଓ ସମ୍ପ୍ରଦାୟ ଧ୍ୱଂସ ହୋଇ ଯାଇଛି କିନ୍ତୁ ଅତ୍ୟନ୍ତ ପ୍ରାଚୀନ କାଳରୁ ଅଦ୍ୟାବଧି ଏହି ମୂଲ୍ୟ ଅପରିବର୍ତ୍ତନୀୟ ରହିଛି । କାରଣ ଏଥିରେ ବିନାଶଶୀଳ ଶରୀରର ଗୁଣଧର୍ମ ଜାତି ପରିବର୍ତ୍ତେ ଅବିନାଶୀ ଆତ୍ମାର ମୌଳିକ ସ୍ବଭାବ ସନ୍ନିବେଶିତ । ଆତ୍ମାର ମୌଳିକ ସ୍ବଭାବ ହେଲା ଶାନ୍ତି,ପ୍ରେମ, ଜ୍ଞାନ, ଆନନ୍ଦ,ପବିତ୍ରତା ଶକ୍ତି, ସୁଖ ଆଦି ଯାହାକି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି । ବୈଶ୍ୱିକ ମୂଲ୍ୟ ଧାରଣ ଦ୍ୱାରା ମାନବୀୟ ମୂଲ୍ୟ ମଧ୍ୟ ସ୍ବତଃ ବ୍ୟକ୍ତି ମଧ୍ୟରେ ପରିସ୍ଫୁଟ ହୁଏ ଓ ଅଳ୍ପକାଳିକ ମୂଲ୍ୟର ଦୁଷ୍ପ୍ରଭାବରୁ ତାକୁ ରକ୍ଷା କରେ ।
୨) ମାନବୀୟ ମୂଲ୍ୟ
ମାନବୀୟ ମୂଲ୍ୟ ଅଭାବରେ ମନୁଷ୍ୟ ମାନବିକତାହୀନ ହୋଇ ଦାନବ ପାଲଟି ଯାଏ । ସମ୍ପ୍ରତି ମାନବ ସମାଜରେ ମାନବ ବେଶଧାରୀ ଦାନବ ମାନଙ୍କର ଅଭାବ ନାହିଁ । ଯେଉଁମାନେ ବର୍ବର,ଅସଭ୍ୟ, ଅନ୍ୟକୁ ଭଲ ବ୍ୟବହାର ଦିଅନ୍ତି ନାହିଁ,କ୍ରୁର, ଅନ୍ୟର ସମ୍ପତ୍ତିକୁ ବଳ ପୂର୍ବକ ହରଣ କରନ୍ତି, ପର ସ୍ତ୍ରୀ ପ୍ରତି ଅସଦାଚରଣ ଓ କାମୁକ ଭାବ ପୋଷଣ କରନ୍ତି, ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି, ହିଂସା ଆଚରଣ କରନ୍ତି, ଅନ୍ୟ ମତାବଲମ୍ବୀଙ୍କ ହତ୍ୟା କରନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହନ୍ତି, ଗରିବ ଓ ନିରାଶ୍ରୟ ଲୋକଙ୍କୁ ଶୋଷଣ କରନ୍ତି, ଅନ୍ୟର ଦୁଃଖ ଦେଖି ଖୁସି ହୁଅନ୍ତି, ସେହିପରି ବ୍ୟକ୍ତି ଦାନବ ପଦବାଚ୍ୟ । ମାନବୀୟ ମୂଲ୍ୟ ହିଁ ମନୁଷ୍ୟକୁ ଦାନବ,ପଶୁ ଓ ଶୈତାନଠାରୁ ପୃଥକ କରେ । ସଂପ୍ରତି ବୈଜ୍ଞାନିକ ଏବଂ ଭୌତିକ ବିକାଶ ଦ୍ୱାରା ମାନବ ମାନବୀୟ ମୂଲ୍ୟଠାରୁ ଦୂରେଇଯାଇଛି । ଏହା ହିଁ ସଂପ୍ରତି ମୂଲ୍ୟ ସଂକଟର ମୂଖ୍ୟ କାରଣ ।
ମାନବ ମାତ୍ର ପ୍ରତି ସଦ୍ଭାବନା,ନ୍ୟାୟ, ସହାନୁଭୁତି,ଅହିଂସା ଏବଂ ଦୟା ହେଉଛି ମାନବୀୟ ମୂଲ୍ୟ । ଏହି ଗୁଣଗୁଡିକ ଧାରଣ କରିଥିବା ମନୁଷ୍ୟ “ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦିଅ” (Live andletlive) ନ୍ୟାୟରେ ଜୀବନ ଯାପନ କରେ । ସେ ସ୍ବାଭାବିକ ଭାବରେ ଅନ୍ୟର ଦୋଷଗୁଣକୁ କ୍ଷମା କରି ଦିଏ । କ୍ଷମା ବିନା ଦୟାର ସୀମା ଅତ୍ୟନ୍ତ ସଂକୁଚିତ ହୋଇଯାଏ । ଉପର୍ଯ୍ୟୁକ୍ତ ମାନବୀୟ ଗୁଣ ମନୁଷ୍ୟ ମଧ୍ୟରେ ସେତେବେଳେ ଏକାଠି ଆବିର୍ଭାବ ହୁଏ ଯେତେବେଳେ ସେ କରୁଣାବନ୍ତ ହୁଏ । ଯେଉଁଠି କରୁଣା ଥାଏ, ସେଠାରେ ହିଂସା, ପରପୀଡନ, ସ୍ବାର୍ଥପରତା, ଅନଧିକାର ପ୍ରଚେଷ୍ଟା, ଅନ୍ୟାୟ ଆଦି ପ୍ରବେଶ କରିପାରନ୍ତି ନାହିଁ । ଏଗୁଡିକ ପରିବର୍ତ୍ତେ ସେଠାରେ ସହ ଅସ୍ତିତ୍ୱ, ସହନଶୀଳତା, ସହକାରୀତା, ସହଯୋଗ, ସହାନୁଭୁତି, ତ୍ୟାଗ, ସେବା ଆଦି ମାନବୀୟ ମୂଲ୍ୟ ସ୍ବତଃ ପ୍ରକଟ ହୁଅନ୍ତି ।
ସଂପ୍ରତି ସମାଜରେ କେହିହେଲେ ସର୍ବଗୁଣ ସମ୍ପନ୍ନ ନୁହନ୍ତି । ପ୍ରତ୍ୟେକଙ୍କଠାରେ କୌଣସି ନା କୌଣସି ଅବଗୁଣ ଦେଖାଯାଏ । ଜ୍ଞାତ ବା ଅଜ୍ଞାତସାରରେ ବ୍ୟକ୍ତି କିଛି ନା କିଛି ଭୁଲ କରିଥାଏ । ତେଣୁ କୁହାଯାଏ, ‘ମନୁଷ୍ୟ ମାତ୍ରକେ ଭୁଲ କରେ’ (To err is Human) ଏପରି ପରିସ୍ଥିତିରେ ଏକ ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରତ୍ୟେକେ ନିଜ ନିଜ ଭୁଲକୁ ସୁଧାରିବା ସଙ୍ଗେ ସଙ୍ଗେ ଅନ୍ୟର ଭୁଲକୁ କ୍ଷମା କରି ଭୁଲିଯିବା (To forgive and Forget) ଉଚିତ ପ୍ରତିଶୋଧ ପରିବର୍ତ୍ତେ ସ୍ବୟଂକୁ ପରିବର୍ତ୍ତନ କରିବା ହେଉଛି ମାନବତାର ପରାକାଷ୍ଠା ।
ସଚ୍ଚୋଟତା,ବିଶ୍ୱସ୍ତତା, ଆଜ୍ଞାକାରିତା ଓ ଶାଳୀନତା ମନୁଷ୍ୟର ମୌଳିକ ଗୁଣ । ଦାନବ ବା ଆସୁରୀ ପ୍ରବୃତ୍ତି ବ୍ୟକ୍ତିଠାରେ ଏସବୁ ମାନବୀୟ ଗୁଣର ସର୍ବଥା ଅଭାବ ଦେଖାଯାଏ । ଦାନବର ସ୍ବଭାବରେ କ୍ରୁରତା ଓ କର୍କଶତା ଦେଖାଯାଏ; କିନ୍ତୁ ମାନବଠାରେ ସନ୍ତୁଳନ, ଅନୁଶାସନ ଓ
ମଧୁରତାରସମାବେଶହୁଏ।ଏଣୁ ସଚ୍ଚୋଟତା(Honesty),ବିଶ୍ୱସ୍ତତା, (Faithfulness) ଚାରିତ୍ରିକ ଦୃଢ଼ତା (Integrity), ଶାଳୀନତା (Civility and Etiquette ), ଆତ୍ମ ନିୟନ୍ତ୍ରଣ (Discipline) ମାନସିକ ସନ୍ତୁଳନ (Balanced mind) ମାନବୀୟଗୁଣ ଅନ୍ତର୍ଭୁକ୍ତ ଅଟେ । ଏଗୁଡିକ ଧାରଣ ଦ୍ୱାରା ପାରସ୍ପରିକ ବ୍ୟବହାରରେ ଶାନ୍ତି ଏବଂ ପ୍ରେମ ବଜାୟ ରହେ । ଏହାର ଅଭାବ ହେଲେ ସଂସାରରେ କଳହ କ୍ଳେଶ, କଳି ତକରାଳ, ଅଶାନ୍ତି ଆଦି ନକାରାତ୍ମକ ପରିସ୍ଥିତି ସୃଷ୍ଟି ହୁଏ ।
ଖ୍ରୀଷ୍ଟିୟାନମାନଙ୍କ ଧର୍ମଗ୍ରନ୍ଥ ବାଇବେଲରେ କୁହାଯାଇଛି ଯେ ଭଗବାନ (ସର୍ବୋଚ୍ଚ ସତ୍ତା) ମନୁଷ୍ୟକୁ ନିଜ ଅନୁରୂପ ଗଢିଛନ୍ତି (God created man in his own image) । ଭଗବାନ ବା ସର୍ବୋଚ୍ଚ ସତ୍ତା ହେଉଛନ୍ତି ସମସ୍ତ ସଦ୍ଗୁଣର ମହାସାଗର । ତେଣୁ ତାଙ୍କ ସୃଷ୍ଟି ମନୁଷ୍ୟ ଅବଶ୍ୟ ଦୈବୀଗୁଣ ଯୁକ୍ତ ହେବା ଆବଶ୍ୟକ । ମନୁଷ୍ୟ ମଧ୍ୟରେ ଯେତେବେଳେ ଏହି ଦୈବିଗୁଣଗୁଡିକ ହ୍ରାସହୋଇଯାଏ, ସେତେବେଳେ ଏ ଧରା ସ୍ବର୍ଗରୁ ନରକରେ ପରିବର୍ତ୍ତନ ହୋଇଯାଏ । ଏହି ଗୁଣଗୁଡିକର ପୁନର୍ସ୍ଥାପନା ଦ୍ୱାରା ପୁନଶ୍ଚ ଏ ସଂସାରରେ ସ୍ବର୍ଗୀୟ ସୁଖ ଶାନ୍ତି, ପବିତ୍ରତା ଓ ସମୃଦ୍ଧି ବିରାଜମାନ ହେବ । ମନୁଷ୍ୟ ଏକ ମନୋଶୀଳ ପ୍ରାଣୀ । ତେଣୁ ସେ ମହାନ୍ ଗୁଣ ଧାରଣ କରି ମହାନ୍ ହୋଇ ପାରିବ । ସେ ସ୍ବୟଂ ଓ ସର୍ବୋଚ୍ଚ ସତ୍ତାଙ୍କ ବିଷୟରେ ସତ୍ୟତାର ଉପଲବ୍ଧି କରି ପାରିବ । ଏଥିପାଇଁ ଆବଶ୍ୟକ ଆଧ୍ୟାତ୍ମିକ ଜ୍ଞାନ ଯାହାଦ୍ୱାରା ଚାରିତ୍ରିକ ଉତ୍ଥାନ ହେବ । ଏହା ହିଁ ମାନବୀୟ ମୂଲ୍ୟର ଆଧାର ଶିଳା ।
୩) ଅଳ୍ପକାଳିକ ମୂଲ୍ୟ
ଯେଉଁ ମୂଲ୍ୟ ଜଣେ ବ୍ୟକ୍ତିର ଜୀବନ କାଳ ମଧ୍ୟରେ ଏକାଧିକ ଥର ପରିବର୍ତ୍ତନ ହୋଇଥାଏ ବା ପରିବର୍ତ୍ତନ ହେବାର ସମ୍ଭାବନା ଥାଏ ତାହା ଅଳ୍ପକାଳିକ ମୂଲ୍ୟ । ଏହି ପରିବର୍ତ୍ତନର ପ୍ରକ୍ରିୟା ୩ରୁ ୭୫ ବର୍ଷ ଅବଧି ମଧ୍ୟରେ ହୋଇପାରେ ବା ଏହାଠାରୁ ଅଧିକ ମଧ୍ୟ ହୋଇପାରେ । ଦେଶ,କାଳ ଏବଂ ପରିସ୍ଥିତି ଅନୁସାରେ ଏହା ସମୟାନୁକ୍ରମେ ପରିବର୍ତ୍ତନ ହୋଇଥାଏ । ଏହିପରି ମୂଲ୍ୟ ପୂର୍ବକାଳରେ କୌଣସି ଚକ୍ରବର୍ତ୍ତୀ ରାଜାଙ୍କ ଦ୍ୱାରା ସ୍ଥାପିତ ଓ ପ୍ରଚଳିତ ହୋଇ ପରବର୍ତ୍ତୀ ପୀଢିର ଶାସକଙ୍କ ଦ୍ୱାରା ପରିବର୍ତ୍ତନ ହୋଇଥାଏ । କେତେକ ଅଞ୍ଚଳରେ ସଂଖ୍ୟା ଗରିଷ୍ଠ ଜନମତ ଦ୍ୱାରା ମଧ୍ୟ ଏହା ସ୍ଥାପିତ ହୋଇଥାଏ । ଅଳ୍ପକାଳିକ ମୂଲ୍ୟ ସାଧାରଣତଃ ମନୁଷ୍ୟର ସାମାଜିକ, ଚାରିତ୍ରିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ରାଜନୈତିକ ବିକାଶ ଦ୍ୱାରା ନିୟନ୍ତ୍ରିତ ହୋଇ ସଂଶୋଧନ ପରିବର୍ତ୍ତନ ଓ ପରିବର୍ଦ୍ଧନ ହୁଏ । ଯୌବନାବସ୍ଥାରେ ମହତ୍ତ୍ବପୂର୍ଣ୍ଣ ଲାଗୁଥିବା ଅଳ୍ପକାଳିକ ମୂଲ୍ୟ ବୃଦ୍ଧାବସ୍ଥାରେ ଗୌଣ ମନେ ହୋଇପାରେ । ସେହିପରି ଯୌବନ କାଳରେ ଗୌଣ ମନେ ହେଉଥିବା ଅଳ୍ପକାଳିକ ମୂଲ୍ୟ ବାର୍ଦ୍ଧକ୍ୟକାଳରେ ମହତ୍ତ୍ବପୂର୍ଣ୍ଣ ହୋଇପାରେ । ଏହି ମୂଲ୍ୟ ବ୍ୟକ୍ତି ଓ ସମାଜ ପାଇଁ ଲାଭପ୍ରଦ ହୋଇପାରେ, କ୍ଷତିକାରକ ମଧ୍ୟ ହୋଇପାରେ । ଅଳ୍ପକାଳିକ ଲାଭ ପାଇଁ ମନୁଷ୍ୟ ଯେତେବେଳେ ଧନ,ଜନ,ମାନ, ସମ୍ମାନ, ଆଭିଜାତ୍ୟ, ପ୍ରତିଷ୍ଠା ଆଦିକୁ ମହତ୍ତ୍ବ ଦିଏ ସେତେବେଳେ ତା ମଧ୍ୟରେ ନକାରାତ୍ମକ ଗୁଣଗୁଡିକର ଆବିର୍ଭାବ ହୁଏ । ମାନବୀୟ ମୂଲ୍ୟ ସହିତ ସାମଞ୍ଜସ୍ୟ ରହିଲେ ଅଳ୍ପକାଳିକ ମୂଲ୍ୟ ଲାଭପ୍ରଦ ହୁଏ । କାରଣ ମାନବୀୟ ମୂଲ୍ୟ ସର୍ବଦା ସକାରାତ୍ମକ ଗୁଣ ଗୁଡିକର ବିକାଶ କରିଥାଏ । (କ୍ରମଶଃ)
🌻🌻🌻🌻🌻🌻🌻🌻🌻
ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025
ମୋବାଇଲ ନମ୍ବର-9437210296, 7609969796
🌸🌸🌸🌸🌸🌸🌸🌸🌸
Comments
Post a Comment