(୮)ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୮) --- ମୂଲ୍ୟଗୁଡ଼ିକର ପାରସ୍ପରିକ ସମ୍ବନ୍ଧ
🌷🌷🌷🌷🌷🌷🌷🌷🌷
*ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା(୮)*
🌻🌻🌻🌻🌻🌻🌻🌻🌻
*ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ*
🌺🌺🌺🌺🌺🌺🌺🌺🌺
*ମୂଲ୍ୟଗୁଡ଼ିକର ପାରସ୍ପରିକ ସମ୍ବନ୍ଧ*
🌸🌸🌸🌸🌸🌸🌸🌸🌸
ଗୋଟିଏ ମୂଲ୍ୟ ସହିତ ବିଭିନ୍ନ ମୂଲ୍ୟର ନିବିଡ଼ ସଂପର୍କ ଥାଏ । ମୂଲ୍ୟଗୁଡ଼ିକ ପରସ୍ପର ନିର୍ଭରଶୀଳ । ମୂଲ୍ୟ ଧାରଣ ଏକ ସାଧନା । କାରଣ ଏଥିପାଇଁ ସ୍ବୀୟ କୁପ୍ରବୃତ୍ତିଗୁଡ଼ିକ ସହିତ ସଂଘର୍ଷ କରିବାକୁ ପଡ଼ିଥାଏ । ଏହି ସଂଘର୍ଷ ଅବ୍ୟାହତ ରହିଲେ ତା’ ମଧ୍ୟରେ ଥିବା ବିଭିନ୍ନ ମନୋବିକାର କ୍ରମଶଃ ଦୂର ହେବାକୁ ଲାଗେ ଓ ଏପରି କେତେକ ମୂଲ୍ୟର ଆବିର୍ଭାବ ହୁଏ ଯାହା ତାକୁ କାର୍ଯ୍ୟ କରିବା ପାଇଁ ନୂତନ ଶକ୍ତି ଏବଂ ସ୍ଫୁର୍ତ୍ତି ପ୍ରଦାନ କରେ । ଦୁଃଖ, କଷ୍ଟ, ବାଧାବିଘ୍ନ, ସଂକଟ ଆଦି ନକରାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଲେ ବ୍ୟକ୍ତି ମଧ୍ୟରେ ଧୈର୍ଯ୍ୟ, ସାହସ, ସହନଶୀଳତା, ଅନ୍ତର୍ମୁଖତା, ବିନମ୍ରତା, କରୁଣା, କ୍ଷମା, ପ୍ରେମ, ଶାନ୍ତି ଆଦି ସଦ୍ଗୁଣ ଗୁଡ଼ିକର ବିକାଶ ହୁଏ ।
ଯଦି ଏସବୁ ଗୁଣ ବା ମୂଲ୍ୟ ଧାରଣ କରିବା ପାଇଁ ଅନ୍ତଃ ପ୍ରେରଣା ଜାଗ୍ରତ ହେଉନାହିଁ ତେବେ ତାହା ମୂଲ୍ୟଗୁଡ଼ିକ ପ୍ରତି ତାର ଯଥାର୍ଥ ଦୃଷ୍ଟିକୋଣର ଅଭାବ ବୋଲି ବୁଝିବାକୁ ହେବ । ମୂଲ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବିବେକ ସହିତ ସମ୍ବନ୍ଧିତ । କର୍ମର ପ୍ରଭାବ ହେଉଛି ସଂସ୍କାର । ସଂସ୍କାର ଅନୁରୂପ ବିବେକ ହୁଏ । ତେଣୁ ମୂଲ୍ୟନିଷ୍ଠ ଜୀବନ ପାଇଁ ବିବେକକୁ ସ୍ବଚ୍ଛ ରଖିବା ଆବଶ୍ୟକ । କୌଣସି ଅନୈତିକ କର୍ମର ପ୍ରଭାବ ହେତୁ ଅନ୍ତର୍ମନରେ ସଂଘର୍ଷର ସୂତ୍ରପାତ ହୁଏ ଓ ମନର ଶାନ୍ତି ନଷ୍ଟ ହୁଏ । ବଦନାମ ଭୟରେ ଜଣେ ନିଜର ଅପକର୍ମ ସ୍ବୀକାର କରେ ନାହିଁ ବା ଲୁଚାଏ । ଏହି ଆତ୍ମ ପ୍ରବଞ୍ଚନା ଫଳରେ ମନ ଅଶାନ୍ତ ହୁଏ । ଅପର ପକ୍ଷରେ ବଦନାମ ବା ଲୋକ ଲଜ୍ଜାକୁ ଭୟ ନ କରି ଯଦି ସେ ନିଜ ଦୋଷ ମାନି ଯାଏ ଓ ଆଗକୁ ସେଭଳି ଭୁଲ ନକରିବାକୁ ପ୍ରତିଜ୍ଞାବଦ୍ଧ ହୁଏ ତଦ୍ଧ୍ୱାରା ତା’ମଧ୍ୟରେ ନୈତିକ ଶକ୍ତି ଉତ୍ପନ୍ନ ହୁଏ । ସୁଖ, ଶାନ୍ତି ଓ ପ୍ରେମମୟ ଜୀବନ ପାଇଁ ସଚ୍ଚୋଟତା ଏକାନ୍ତ ଅପରିହାର୍ଯ୍ୟ ।
ପାରସ୍ପରିକ ଭାବ ବିନିମୟ ଦ୍ୱାରା ମାନବୀୟ ସମ୍ବନ୍ଧ ଦୃଢ଼ ହୁଏ । ମଧୁର ବିନୟ ବଚନ, କହି ତୋଷିବ ପ୍ରାଣୀ ମନ । ପ୍ରିୟ ବାକ୍ୟ କହିବା ଦ୍ୱାରା ସମସ୍ତେ ତୁଷ୍ଟ ହୁଅନ୍ତି । ‘ବିନୟ’ ନାମକ ମୂଲ୍ୟ ଧାରଣ କଲେ ବ୍ୟକ୍ତିର ବଚନ ମଧୁର ଓ ପ୍ରିୟ ହୁଏ । ଏହାଦ୍ୱାରା ସେ ଉଭୟ ପରିବାର ଓ ସମାଜରେ ସ୍ନେହ ଏବଂ ଶ୍ରଦ୍ଧାର ପାତ୍ର ହୁଏ । ସମାଜ ବା ପରିବାରରେ ଜଣକ ସହିତ ଅନ୍ୟମାନେ ଏକମତ ହୋଇ ନ ପାରନ୍ତି । ମନୁଷ୍ୟମାନଙ୍କ ମଧ୍ୟରେ ମତଭିନ୍ନତା ଏକ ସାଧାରଣ କଥା । ଭିନ୍ନ ମତ ବ୍ୟକ୍ତ କରୁଥିବା ବ୍ୟକ୍ତ ପ୍ରତି କ୍ଷୁଣ୍ଣ ହେବା ଅନୁଚିତ । କୌଣସି ବିଷୟ ନେଇ କାହା ସହିତ ମତଭେଦ ହେଉଥିଲେ ପାଣ୍ଡିତ୍ୟ ପ୍ରଦର୍ଶନ କରି ବା ବିଭିନ୍ନ ତର୍କ ବିତର୍କ ଦ୍ୱାରା ନିଜ ମତକୁ ସିଦ୍ଧି କରିବା ଅପେକ୍ଷା ତାଙ୍କ ମତ ପ୍ରତି ସମ୍ମାନ ଜଣାଇ ମୌନ ରହିବା ଶ୍ରେୟସ୍କର । ଆମେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଲେ ଅନ୍ୟମାନେ ମଧ୍ୟ ଆମ ମତକୁ ସମ୍ମାନ ଦେବେ । ଏହାଦ୍ୱାରା ପରସ୍ପର ମଧ୍ୟରେ ସ୍ନେହ ଓ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ ହେବ । ଯେଉଁ ପରିବାର ଓ ସମାଜରେ ପାରସ୍ପରିକ ସ୍ନେହ ଥାଏ ତାହାହିଁ ପ୍ରକୃତ ଅର୍ଥରେ ସ୍ବର୍ଗ । “ବୈକୁଣ୍ଠ ସମାନ ଅଟେ ଆହା ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।”
🙏🙏🙏🙏🙏🙏🙏🙏🙏
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🌹🌹🌹🌹🌹🌹🌹🌹🌹
Comments
Post a Comment