(୧)ଯୋଗ ସନ୍ଦେଶ-ମାନସିକ ଅନୁଶାସନର ନାମ ଯୋଗ

🌹🌹🌹🌹🌹🌹🌹🌹🌹

 *ଯୋଗ ସନ୍ଦେଶ(୧)* 

🌷🌷🌷🌷🌷🌷🌷🌷🌷

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

 *ମାନସିକ ଅନୁଶାସନର ନାମ ଯୋଗ* 

🌺🌺🌺🌺🌺🌺🌺🌺🌺

ସୈନିକମାନେ ନିୟମିତ ସାମରିକ ବ୍ୟାୟାମ ବେଳେ ସେମାନଙ୍କ ଅଂଗ ପ୍ରତ୍ୟଙ୍ଗଗୁଡ଼ିକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଯତ୍ନ କରନ୍ତି । ଏହା ସେମାନଙ୍କୁ ଅନୁଶାସନାତ୍ମକ ଜୀବନଯାପନ କରିବା ପାଇଁ ପ୍ରେରିତ କରେ । ସେହିପରି ଯୋଗ ମଧ୍ୟ ଗୋଟିଏ ପ୍ରକାର ମନ, ବଚନ ଓ କର୍ମର ଆଧ୍ୟାତ୍ମିକ ଅନୁଶାସନ । ଯୋଗ ଶାସ୍ତ୍ରରେ ଏହି କ୍ରିୟା ଯମ-ନିୟମ ନାମରେ ପରିଚିତ । ଏହାଦ୍ୱାରା ଯୋଗୀ ସାଂସାରିକ ସମସ୍ତ କର୍ତ୍ତବ୍ଯ କର୍ମ ନିର୍ବାହ ପୂର୍ବକ ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରିପାରେ । କାରଣ କର୍ମ ଓ କର୍ମର ଫଳ ପ୍ରତି ତାର ଆସକ୍ତି ନ ଥାଏ । ଆବଶ୍ୟକତାନୁସାରେ ସେ ତା’ର ଇନ୍ଦ୍ରିୟ ସମୂହକୁ ନିୟୋଜିତ କରିପାରେ ।


ଆତ୍ମା ଏକ ସୂକ୍ଷ୍ମ ଜ୍ୟୋତି କଣିକା । ଏହା ଆଖି ଦ୍ୱାରା ଦେଖି ହୁଏ ନାହିଁ । ସାଧାରଣ ମନୁଷ୍ୟର ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ବଶୀଭୂତ ହୋଇଥାଏ । ତେଣୁ ତା’ର ମନ ବିଷୟ ସମୂହର ଅନୁଗମନ କରେ । ତା’ର ଖାଦ୍ୟ ପେୟରେ ସଂଯମତା, ଶୁଦ୍ଧତା ଓ ପବିତ୍ରତାର ସର୍ବଦା ଅଭାବ ଥାଏ । ସେ ଅନାବଶ୍ୟକ ଭାବରେ ଅନ୍ୟମାନଙ୍କ ବ୍ୟକ୍ତିଗତ ବିଷୟ ଜାଣିବାକୁ ଚେଷ୍ଟା କରନ୍ତି । ତାଙ୍କର ବାଣୀ ଅନିୟନ୍ତ୍ରିତ, ବ୍ୟବହାର ମର୍ଯ୍ୟାଦାରହିତ । ବୃତ୍ତି ଦୃଷ୍ଟି ଚଂଚଳ । ଏସବୁର କାରଣ ହେଉଛି ଆତ୍ମବିସ୍ମୃତି । ଆତ୍ମଜ୍ଞାନ ଦ୍ୱାରା ମନର ଭ୍ରମ ଦୂର ହୁଏ ଓ ନିରନ୍ତର ଆତ୍ମିକ ସ୍ମୃତିର ଅଭ୍ୟାସ ଦ୍ୱାରା କର୍ମେନ୍ଦ୍ରିୟ ସମୂହ ଓ ମନ ଅନୁଶାସିତ ହୁଅନ୍ତି । ବୁଦ୍ଧି ଜ୍ଞାନନିଷ୍ଠ ନ ହେବା ପର୍ଯ୍ୟନ୍ତ ମାନସିକ ଅନୁଶାସନ ସଂଭବ ନୁହେଁ ।


କର୍ମ ଆଧାରରେ ମନୁଷ୍ୟ ଶ୍ରେଷ୍ଠ ବା ନିକୃଷ୍ଟ ହୋଇଥାଏ । ମନୁଷ୍ୟର ସୁଖ କିମ୍ବା ଦୁଃଖର କାରଣ ମଧ୍ୟ କର୍ମ । ତେଣୁ ଭାଗବତରେ କୁହାଯାଇଛି, “କର୍ମଟି ସୁଖ ଦୁଃଖ ଦାତା ବିଶ୍ୱ ସଂସାରେ ବଳବନ୍ତା । କର୍ମର ମହାନତା ହିଁ ମନୁଷ୍ୟର ମହାନତା । ତେଣୁ କର୍ମେନ୍ଦ୍ରିୟଗୁଡ଼ିକର ସଂଯମ ଓ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ । କର୍ମକୁ ମହାନ ବନାଇବା ପାଇଁ କର୍ମେନ୍ଦ୍ରିୟଗୁଡ଼ିକ ଦ୍ୱାରା ଯେପରି କୌଣସି ଅତ୍ୟାଚାର, ଭ୍ରଷ୍ଟାଚାର ଓ ପାପାଚାର ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ମନ କର୍ମେନ୍ଦ୍ରିୟମାନଙ୍କୁ ବିଷୟରେ ପ୍ରବୃତ୍ତ କରାଏ । ମନ ସଂଯତ ହେଲେ କର୍ମେନ୍ଦ୍ରିୟମାନେ ସ୍ବତଃ ନିୟନ୍ତ୍ରିତ ହୁଅନ୍ତି । ମନ ବୃତ୍ତି ଦ୍ୱାରା ଆୟତ୍ତ ହୋଇଥାଏ । ବୁଦ୍ଧି ଦିବ୍ୟ ହେଲେ ମନ କୁପଥରେ ପ୍ରବୃତ୍ତ ହୁଏ ନାହିଁ । ବୁଦ୍ଧିକୁ ଦିବ୍ୟ କରିବାର ସାମର୍ଥ୍ୟ ବେଳେ ପରମାତ୍ମାଙ୍କଠାରେ ଅଛି । ତେଣୁ ବୁଦ୍ଧିକୁ ନିତ୍ୟ ନିରନ୍ତର ତାଙ୍କ ସହିତ ଯୁକ୍ତ କଲେ ଏହା ଶୁଦ୍ଧ ଓ ଦିବ୍ୟଶକ୍ତି ସଂପନ୍ନ ହୋଇଥାଏ ଓ ମନର ଅନୁଶାସନ ସହଜ ହୋଇଥାଏ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🌸🌸🌸🌸🌸🌸🌸🌸🌸

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,