(୭)ଯୋଗ ସନ୍ଦେଶ -- ଯୋଗାନୁଭୂତି

 🌺🌺🌺🌺🌺🌺🌺🌺🌺

 *ଯୋଗ ସନ୍ଦେଶ(୭)* 

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

 *ଯୋଗାନୁଭୂତି* 

🌷🌷🌷🌷🌷🌷🌷🌷🌷

ଯୋଗରୁ ପ୍ରାପ୍ତ ଆନନ୍ଦ ଅନିର୍ବଚନୀୟ । ଯୋଗ ଦ୍ୱାରା ଯେଉଁ ପ୍ରାପ୍ତି ହୁଏ ତାହା ସଂସାରର କୌଣସି ମୁଲ୍ୟବାନ ବସ୍ତୁ ବୈଭବ ସହ ତୁଳନୀୟ ନୁହେଁ । ଯୋଗାଭ୍ୟାସ  କରୁଁ କରୁଁ କରୁଁ ମନ ଯେତେବେଳେ ପରମାତ୍ମା ସ୍ବରୂପରେ ସମାହିତ ହୋଇଯାଏ ଓ ତାଙ୍କ ଈଶ୍ୱରୀୟ ଗୁଣଗୁଡିକର ରସାସ୍ବାଦନ କରୁଥାଏ ସେହି ଅନୁଭବ ତୁଳନାରେ ସଂସାରର ସମସ୍ତ ଭୌତିକ ସୁଖ ତୁଚ୍ଛ । ସାଂସାରିକ ସୁଖର ଅସାରତା ସେହି ବ୍ୟକ୍ତି ହିଁ ସ୍ବତଃ ପ୍ରବୃତ୍ତ ଭାବେ ଅନୁଭବ କରିବାକୁ ସକ୍ଷମ ଯିଏ ଥରେ ଏହି ଉଚ୍ଚ ଆଧ୍ୟାତ୍ମିକ ଶିଖର ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଏହି କଳିଯୁଗୀୟ ତମୋପ୍ରଧାନ ସଂସାରରେ ସର୍ବଦା ଉଚ୍ଚତମ ଆଧ୍ୟାତ୍ମିକ ଚେତନାର ଅବସ୍ଥାନ କରିବା ସମ୍ଭବ ନୁହେଁ । କାରଣ ଜନ୍ମ ଜନ୍ମାନ୍ତରର ତମୋଗୁଣୀ ସଂସ୍କାର ଓ ତମୋଗୁଣୀ ବାତାବରଣ ସହ ଯୋଗୀକୁ ବାରମ୍ବାର ସଂଘର୍ଷ କରିବାକୁ ପଡେ । ଯେତେବେଳେ ବିଜୟୀ ହୁଏ ସେତେବେଳେ ସେ ଦିବ୍ୟ ଚେତନା ପ୍ରାପ୍ତ ହୋଇ ଦିବ୍ୟାନୁଭୁତି କରିଥାଏ ଓ ଯେତେବେଳେ ସଂଘର୍ଷ ଅବସ୍ଥାରେ ଥାଏ ସେହି ପରମ ଓ ଚରମ ସୁଖର ସ୍ମୃତିରେ ସଂସାର ସୁଖକୁ ତୁଚ୍ଛ ମଣେ । ଆଧ୍ୟାତ୍ମିକତାର ଏହି ଉଚ୍ଚତମ ସୋପାନରେ ଅବସ୍ଥାନ ବେଳେ ତାକୁ ଲାଗେ ଯେ ଏକ ପ୍ରବଳ ଶକ୍ତି ପ୍ରବାହ ତା’ମଧ୍ୟରେ ଅବତରଣ କରୁଛି । ସେହି ସୂକ୍ଷ୍ମ ଶକ୍ତି ତାକୁ ଏକ ପ୍ରଜ୍ଜ୍ୱଳିତ ମଶାଲ ସଦୃଶ ତେଜୋଦୀପ୍ତ କରୁଛି । ତା’ ମଧ୍ୟରେ ଅନନ୍ତ ଶକ୍ତିର ସ୍ଫୁରଣ ହେଉଛି ଓ ଆତ୍ମା ସମସ୍ତ ଭୌତିକ ବନ୍ଧନରୁ ମୁକ୍ତ ହୋଇ ଯାଇଛି । ତାକୁ ଅନୁଭବ ହୁଏ ଯେ ସେ ଆଉ ଶରୀର ହୋଇ ରହି ନାର୍ହି । ତା’ର ଭୌତିକ ଚେତନା ଆତ୍ମିକ ଚେତନାରେ ରୂପାନ୍ତରିତ ହୋଇଯାଇଛି । ଶରୀର ତା’ପାଇଁ ଏକ ଯାନ୍ତ୍ରିକ ମାଧ୍ୟମ ବୋଲି ମନେ ହୁଏ ଯାହାକୁ ସେ କେବଳ କର୍ତ୍ତବ୍ଯ କର୍ମ ପାଇଁ ଉପଯୋଗ କରେ । ସେ ଅନୁଭବ କରିବାକୁ ଲାଗେ ଯେ ତା’ ମଧ୍ୟରେ ସଞ୍ଚାରିତ ଦିବ୍ୟ ଶକ୍ତି ଦ୍ୱାରା ସମଗ୍ର ସଂସାରକୁ ପରିବର୍ତ୍ତନ କରାଯାଇ ପାରିବ । ସଂସାରର ଦୁଃଖ ଦୁର୍ଦ୍ଦଶା ଦେଖି ତା’ମନରେ କରୁଣା ସାଗରର ଉତ୍ତାଳ ତରଙ୍ଗ ତରଙ୍ଗାୟିତ ହେଉଛି । ଯୋଗୀର ଏହି ଅବସ୍ଥାରେ ତା ମଧ୍ୟରୁ ସ୍ବତଃ ଝଙ୍କୃତ ହୁଏ, “ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ସର୍ବେସନ୍ତୁ ନିରାମୟା... । ଏହି ଭାବ ଉଚ୍ଛ୍ୱାସରେ ପ୍ରବାହିତ ଭୀମ ଭୋଇ ଗାଇ ଉଠିଥିଲେ, “ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” । ସେ ତାଙ୍କ ମଧ୍ୟରେ ଯେଉଁ ଦିବ୍ୟ ଶକ୍ତିର ଅବତରଣ ହେଉଥିବା ଅନୁଭବ କରନ୍ତି ତଦ୍ୱାରା ସମଗ୍ର ସଂସାର କିପରି ଲାଭାନ୍ୱିତ ହୋଇପାରିବ ଓ ସମସ୍ତେ କିପରି ସୁଖ- ଶାନ୍ତି ଓ ଆନନ୍ଦ ପୂର୍ବକ ଜୀବନ ବ୍ୟତୀତ କରିବେ ସେହି ଦିବ୍ୟ ଭାବନା ସଦା ସର୍ବଦା ମନରେ ଉଦ୍ରେକ ହେଉଥାଏ । ଏହି ମନୋସ୍ଥିତିରେ ଯେଉଁ ଅନିର୍ବଚନୀୟ ଶାନ୍ତି ଓ ଶୀତଳତା ସେ ଅନୁଭବ କରନ୍ତି ତା’ ସହିତ ସଂସାରର କୌଣସି ସମ୍ପତ୍ତି ତୁଳନୀୟ ନୁହେଁ । ଆତ୍ମା ଏହି ଶାନ୍ତି ରସର ଅମୃତ ଆସ୍ବାଦନ କରି ପରିତୃପ୍ତ ହୋଇଯାଏ । ତାଙ୍କୁ ଏପରି ମନେ ହୁଏ ଯେ ସେ ଶାନ୍ତିର କ୍ଷୀର ସମୁଦ୍ରରେ ନିମଗ୍ନ ଅଥବା ଶାନ୍ତିର ନିର୍ଝର ଅବିରତ ତାଙ୍କ ଉପରେ ଶାନ୍ତିର ବାରି ଢ଼ାଳୁଛି । ଏହି ଶୀତଳ ଶାନ୍ତି ବାରି ବିଷୟ ବିକାରରେ ତପ୍ତ ସଂସାରରେ ପ୍ଳାବିତ ହୋଇ ସମସ୍ତଙ୍କୁ ତାଙ୍କ ପରି ଦିବ୍ୟ ଅନୁଭବ ପ୍ରଦାନ କରୁ ବୋଲି ସେ କାମନା କରନ୍ତି ।


ଯୋଗର ଚରମାବସ୍ଥାରେ ଯୋଗୀ ଅନୁଭବ କରନ୍ତି ଯେ ପରମାତ୍ମା ଅନୁପମ ପ୍ରେମ ବୃଷ୍ଟି କରି ତା’ଙ୍କ ଆତ୍ମାକୁ ପ୍ଳାବିତ କରୁଛନ୍ତି । ଏହାଦ୍ୱାରା ଯେଉଁ ଚରମାନନ୍ଦ ଓ ପରମାନନ୍ଦ ପ୍ରାପ୍ତ ହୁଏ ତାହା ନିତ୍ୟ ନିରନ୍ତର ଆସ୍ବାଦନ ପାଇଁ ତାଙ୍କ ମନ ଇଚ୍ଛା କରେ ।ଯୋଗ ଦ୍ୱାରା ଏପରି ବିଚିତ୍ର ଅନୁଭବ ପ୍ରାପ୍ତ ହୁଏ ଯେଉଁଥିରେ ସମସ୍ତ ରସର ଏକତ୍ରୀକରଣ ହୋଇଥାଏ । ସଂସାରରେ କେଉଁଠାରେ ମଧ୍ୟ ଏପରି ସର୍ବବିଧ ରସ ଏକତ୍ର ଦେଖିବାକୁ ମିଳେ ନାର୍ହି । ଏହି ପରମାତ୍ମାନୁ ଭୂତି ରସ ହିଁ ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତି, ମଧୁରତା, ପ୍ରକାଶ, ଦିବ୍ୟତା, ତୁଷ୍ଟି, ତୃପ୍ତି - ଭାବ ଏକତ୍ର ଅନୁଭୂତ ହୋଇଥାଏ । ଯୋଗୀ ପରମାତ୍ମାଙ୍କ ଚୁମ୍ବକୀୟ ଆକର୍ଷଣ ସ୍ପଷ୍ଟ ଅନୁଭବ କରି ପାରନ୍ତି । ଯୋଗର ଏହି ସ୍ଥିତି ଅବରୋହ କରି ସେ ଯେତେବେଳେ କର୍ମେନ୍ଦ୍ରିୟଗୁଡିକର ପ୍ରୟୋଗ କରି କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହୁଅନ୍ତି ସେତେବେଳେ ମଧ୍ୟ ସେ ନିଜକୁ ଅବ୍ୟକ୍ତ ଫରିସ୍ତା ସ୍ବରୂପ ଅନୁଭବ କରନ୍ତି । ସେହି ପରାକାଷ୍ଠା ଜନିତ ସ୍ଥିତିର ପ୍ରଭାବ ବହୁ ସମୟ ପର୍ଯ୍ୟନ୍ତ ରହିଥାଏ । ତା’ପରେ ମଧ୍ୟ ସେ ଖୁବ ହାଲୁକା ମନେ କରନ୍ତି । ସେ ଚଳପ୍ରଚଳ ହେଲା ବେଳେ ମନେ କରନ୍ତି ଯେ ସେ ପୃଥିବୀ ଆକାଶ ତତ୍ତ୍ବରୁ ଉଦ୍ଧ୍ୱର୍ରେ ଏକ ପ୍ରକାଶ ତତ୍ତ୍ବରେ ବିଚରଣ କରୁଛନ୍ତି । ସେ ନିଜକୁ ସମସ୍ତ ବନ୍ଧନରୁ ମୁକ୍ତ ଏକ ସୂତନ୍ତ୍ର ଆତ୍ମା ମନେ କରନ୍ତି । ତାଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହ, ଆତ୍ମବିଶ୍ୱାସ, ଚରିତ୍ରବଳ, ଆଧ୍ୟାତ୍ମିକ ଶକ୍ତି, ନୈତିକ ଦୃଢ଼ତା, କାର୍ଯକ୍ଷମତା, ବିଶ୍ରାନ୍ତି ମାନସିକ ସନ୍ତୁଳନ, ପ୍ରେମ ଓ ସଦ୍ଭାବନା ସେବା ଭାବ ଓ ନମ୍ରତା ଆଦି ଗୁଣ ସ୍ବତଃ ବିକଶିତ ହୋଇ ଉଠେ ।

🌹🌹🌹🌹🌹🌹🌹🌹🌹

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🌺🌺🌺🌺🌺🌺🌺🌺🌺

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,