ଶ୍ରୀ ଭଗବାନୁବାଚ (୮) ---ନବମୋଽଧ୍ୟାୟଃ ରାଜବିଦ୍ୟା ରାଜଗୁହ୍ୟ ଯୋଗଃ

ଶ୍ରୀ ଭଗବାନୁବାଚ (୮)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ନବମୋଽଧ୍ୟାୟଃ

ରାଜବିଦ୍ୟା ରାଜଗୁହ୍ୟ ଯୋଗଃ

ଅନୁବାଦ- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

 ଏହି ସର୍ବାପେକ୍ଷା ଗୂଢ଼ ବିଶେଷ ଜ୍ଞାନ(ବିଜ୍ଞାନ)ସହିତ ମୂଳ ଜ୍ଞାନ  ଦୋଷ ଦୃଷ୍ଟି ରହିତ (ହୋଇଥିବାରୁ) ତୁମକୁ କହିବି ;ଯାହା ଅବଗତ ହୋଇ ତୁମେ ସାଂସାରିକ ଦୁଃଖ,ଶୋକାଦିରୁ ମୁକ୍ତ ହେବ ।ା୧ାା ଏହି ଅତି ଗୁହ୍ୟତମ ସର୍ବଶ୍ରେଷ୍ଠ ଜ୍ଞାନ ପ୍ରତ୍ୟକ୍ଷ ବୋଧଗମ୍ୟ ପରମ ପବିତ୍ର ଧର୍ମ ସ୍ୱରୂପ ସୁଖ ସାଧ୍ୟ ଓ ସନାତନ(ଅବ୍ୟୟ)ାା୨ାା ହେ ପରନ୍ତପ ! ଏହି ଧର୍ମ ପ୍ରତି ଶ୍ରଦ୍ଧାବିହୀନ ବ୍ୟକ୍ତିଗଣ ମୋତେ ନ ପାଇ ମୃତ୍ୟୁର ଅଧୀନ ସଂସାର ପଥରେ  ପରିଭ୍ରମଣ  କରନ୍ତି ।ା୩ାା ଅବ୍ୟକ୍ତ ସ୍ୱରୂପ ମୋ କର୍ତ୍ତୁକ ଏହି ସମୁଦାୟ ଜଗତ ବିସ୍ତୃତ ହୋଇଛି ; ସମସ୍ତ ଭୂତ ମୋଠାରେ ସ୍ଥିତ, ମୁଁ କିନ୍ତୁ  ସେମାନଙ୍କଠାରେ ଅବସ୍ଥିତ ନୁହେଁ ।ା୪ାା ଭୂତ ସମୂହ ମୋଠାରେ ଅବସ୍ଥିତ ନୁହନ୍ତି ,ମୋର ଐଶ୍ୱରିକ ଶକ୍ତିର  ଯୋଗ ଦେଖ; ମୋର ଅଧ୍ୟାତ୍ମ ସତ୍ତା ଭୂତଧାରକ ଭୂତ ସକଳର ଉଦ୍ଭବ ନିମିତ୍ତ ସ୍ୱରୂପ ;କିନ୍ତୁ ଭୂତ ସମୂହ ମଧ୍ୟରେ ଅବସ୍ଥିତ ନୁହେଁ ।ା୫ାା ଯେପରି ସର୍ବତ୍ର ଗମନଶୀଳ ମହାନ୍ ବାୟୁ ସର୍ବଦା ଆକାଶରେ ଅବସ୍ଥିତ ସେହିପରି ସମସ୍ତ ଭୂତ ମୋଠାରେ ଅବସ୍ଥିତ; ଏହି ଭାବେ ଅବଧାରଣ କର ।ା୬ାାହେ କୌନ୍ତେୟ ! କଳ୍ପ ଶେଷରେ ସମସ୍ତ ଭୂତ ମୋର ଦିବ୍ୟ ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ କରନ୍ତି; ପୁନର୍ବାର କଳ୍ପ ଆରମ୍ଭରେ ସେହି ଭୂତ ସମୂହକୁ ମୁଁ  ସୃଷ୍ଟି କରେ ।ା୭ାା ପ୍ରକୃତି ଅଧୀନରେ ଅବଶ(ପୂର୍ବ ଜନ୍ମ କର୍ମ ବଶରୁ ପରାଧୀନ) ଏହି ସମୁଦାୟ ଭୂତଗଣଙ୍କୁ (ମୁଁ) ଆପଣା ପ୍ରକୃତି ସାହାଯ୍ୟରେ ବାରମ୍ବାର ସୃଷ୍ଟି କରେ ।ା୮ାା ହେ ଧନଞ୍ଜୟ ! ସେହି ସକଳ କର୍ମର ଉର୍ଦ୍ଧରେ ଉଦାସୀନବତ୍ ଅବସ୍ଥିତ ଅନାସକ୍ତ ମୋତେ ସେହି ସକଳ କର୍ମ ବନ୍ଧନ  କରି ପାରେ ନାହିଁ ।ା୯ାା ଅଧ୍ୟକ୍ଷ ସ୍ୱରୂପ ମୋ ଦ୍ୱାରା ପ୍ରକୃତି ସ୍ଥାବର ଜଙ୍ଗମାତ୍ମକ ଜଗତ ପ୍ରସବ କରେ । ହେ କୌନ୍ତେୟ ! ଏଥି ପାଇଁ ଜଗତ ବାରମ୍ବାର ଆବର୍ତ୍ତନ ହୁଏ ।ା୧୦ାାସର୍ବ ଭୂତର ଈଶ୍ୱର  ସ୍ୱରୂପ ମୋର ପରମ ସତ୍ତାକୁ ନ ଜାଣି ମୂଢ଼ବ୍ୟକ୍ତିଗଣ ମନୁଷ୍ୟ ଶରୀରରେ ଆଶ୍ରିତ(ଅବତରିତ) ମୋତେ ଅବଜ୍ଞା କରନ୍ତି ।ା୧୧ାା ନିଷ୍ଫଳକାମ, ବିଫଳକର୍ମା, ବିଫଳ ଜ୍ଞାନ, ଆତ୍ମଚେତନାଶୂନ୍ୟ ବୁଦ୍ଧି ଭ୍ରଂଶକାରୀ ରାକ୍ଷସୀ ଓ ଆସୁରୀ ପ୍ରକୃତି ଅବଲମ୍ବନ କରି  ମୋତେ ଅବଜ୍ଞା କରନ୍ତି  ।ା୧୨ ।ା  ହେ ପାର୍ଥ ! ଦୈବୀ ପ୍ରକୃତିକୁ ଆଶ୍ରୟ କରି ମହାତ୍ମାଗଣ ଅନନ୍ୟମନା ହୋଇ ମୋତେ ସର୍ବଭୂତର ଆଦି କାରଣ ଓ ଅବିନାଶୀ ବୋଲି ଜାଣି ଭଜନ କରନ୍ତି ।ା୧୩ାା ସେମାନେ ସର୍ବଦା ମୋର ମହତ୍ତମ ଓ ଦିବ୍ୟ ଗୁଣାବଳୀ କୀର୍ତ୍ତନ  କରି ଯତ୍ନଶୀଳ ଓ ଦୃଢ଼ବ୍ରତା ହୋଇ ମୋତେ ଭକ୍ତି ପୂର୍ବକ ନମସ୍କାର  କରନ୍ତି ଏବଂ ନିତ୍ୟ ଯୋଗଯୁକ୍ତ ହୋଇ ମୋର ଉପାସନା କରନ୍ତି ।ା୧୪ାା ଅନ୍ୟ କେହି କେହି ଜ୍ଞାନ ରୂପକ ଯଜ୍ଞ ଦ୍ୱାରା ଯଜନ କରି ମୋତେ ଉପାସନା କରନ୍ତି । କେହି କେହି  ଏକତ୍ୱ ଭାବରେ,କେହି କେହି ପୃଥକ ପୃଥକ ତତ୍ତ୍ବରେ ଏବଂ କେହି ବିବିଧ ଭାବରେ ସର୍ବାତ୍ମାଙ୍କ ପିତା ସ୍ୱରୂପ(ବିଶ୍ୱତୋମୁଖମ୍) ମୋର ଉପାସନା କରନ୍ତି ।ା୧୫ାା ମୁଁ ବେଦ ବିହିତ କର୍ମ, ମୁଁ ଯଜ୍ଞ, ମୁଁ ତର୍ପଣ କାର୍ଯ୍ୟ,ମୁଁ ଔଷଧିଜାତ ଅନ୍ନ, ମୁଁ ମନ୍ତ୍ର,ମୁଁ ହୋମର ଘୃତ, ମୁଁ ହୋମାଗ୍ନି; ମୁଁ ହିଁ ହବନ କର୍ମ ।ା୧୬ାା ମୁଁ ଏହି ଜଗତର ପିତା (ରକ୍ଷାକର୍ତ୍ତା ଓ ପୋଷଣ କର୍ତ୍ତା) ମାତା, ଧାତା(ଈଶ୍ୱର) ପିତାମହ(ଆଦି ସୃଷ୍ଟିକର୍ତ୍ତା) ବେଦସମୂହରେ ଜ୍ଞେୟ ବସ୍ତୁ, ପବିତ୍ର ଓଁକାର(ସକଳ ବାକ୍ୟ ଓ ଚିନ୍ତାର ଶାଶ୍ୱତ ବୀଜ ସ୍ୱରୂପ),ଋଗବେଦ, ସାମବେଦ ଏବଂ ଯର୍ଜୁବେଦ ।ା୧୭ାା (ମୁଁ) ଗନ୍ତବ୍ୟ ସ୍ଥଳ, ସ୍ୱାମୀ, ଈଶ୍ୱର, ଦ୍ରଷ୍ଟା,  ବାସସ୍ଥାନ, ଆଶ୍ରୟ, ହିତକାମୀ ବନ୍ଧୁ, ସୃଷ୍ଟି, ପ୍ରଳୟ, ସ୍ଥିତି, ଲୟସ୍ଥାନ, ଅବିନାଶୀ ବୀଜ ।ା୧୮  ।ା ହେ ଅର୍ଜୁନ ! ମୁଁ(ସୂର୍ଯ୍ୟ ଓ ଅଗ୍ନି ଦ୍ୱାରା) ଉତ୍ତାପ ପ୍ରଦାନ କରେ, ମୁଁହିଁ ଜଳ ଆକର୍ଷଣ କରି ପୁନର୍ବାର ବର୍ଷଣ କରେ ;(ମୁଁ) ଅମୃତତ୍ୱ ଏବଂ ମୃତ୍ୟୁ, ସତ୍ ଏବଂ ଅସତ୍ ।ା୧୯ାା ତ୍ରିବେଦର ବାହ୍ୟ ଅର୍ଥ ଶିକ୍ଷା କରି ଦେବତାମାନଙ୍କୁ ଉତ୍ସର୍ଗୀକୃତ ସୋମରସ ପାନ କରି ନିଷ୍ପାପ ହୋଇ, ଯଜ୍ଞ ଦ୍ୱାରା ମୋତେ ପୂଜା କରି(ତ୍ରିବେଦୋକ୍ତ କ୍ରିୟାନୁଷ୍ଠାନ ବ୍ୟକ୍ତିଗଣ ସ୍ୱର୍ଗ ସୁଖ ଭୋଗ  କାମନା କରନ୍ତି , ସେମାନେ ପବିତ୍ର ସ୍ୱର୍ଗଲୋକ ପ୍ରାପ୍ତ  ହୋଇ ସ୍ୱର୍ଗରେ ଦିବ୍ୟ ଦେବ ଭୋଗ ସମୂହ ଭୋଗ କରନ୍ତି  ।ା୨୦ାା ସେମାନେ ସେହି ବିଶାଳତର ସୁଖରେ ପରିପୂର୍ଣ୍ଣ ସ୍ୱର୍ଗଲୋକ ଭୋଗ କରି ପୁଣ୍ୟ କ୍ଷୀଣ ହେଲେ ମର୍ତ୍ତ୍ୟଲୋକରେ ପ୍ରବେଶ କରନ୍ତି । ଏହିପରି ବେଦତ୍ରୟ ବିହିତ କର୍ମ ଅନୁଷ୍ଠାନକାରୀ ଭୋଗକାମୀ ବ୍ୟକ୍ତିମାନେ ପୁନଃ ପୁନଃ ଆବାଗମନ ଚକ୍ରରେ ଆସୁଥାନ୍ତି ।ା୨୧ାା ଏକାଗ୍ର ଭାବରେ ମୋତେ ନିରନ୍ତର  ସ୍ମରଣ କରି ଯେଉଁ ବ୍ୟକ୍ତିମାନେ ଉପାସନା   କରନ୍ତି,ମୋଠାରେ ନିତ୍ୟଯୁକ୍ତ ସେହି ବ୍ୟକ୍ତିମାନଙ୍କର   ଯୋଗ(ଅପ୍ରାପ୍ତ ବସ୍ତୁର ପ୍ରାପ୍ତି) ଏବଂ କ୍ଷେମ(ତାହାର ରକ୍ଷଣ) ମୁଁ ବହନ କରେ ।ା ୨୨ା ହେ କୌନ୍ତେୟ! ଶ୍ରଦ୍ଧାଯୁକ୍ତ ହୋଇ ଯେଉଁମାନେ ଅନ୍ୟ ବେଦତାମାନଙ୍କୁ ଉପାସନା କରନ୍ତି ,ସେମାନେ ମୋତେ ଉପାସନା କରନ୍ତି , କିନ୍ତୁ ତାହା ବିଧି ସମ୍ମତ ନୁହେଁ । ।୨୩ାା ଯେହେତୁ ମୁଁ ହିଁ ସମସ୍ତ ଯଜ୍ଞର ଉପଭୋଗକର୍ତ୍ତା ଓ ଈଶ୍ୱର, କିନ୍ତୁ ସେମାନେ ମୋତେ ତତ୍ତ୍ବତଃ ଜାଣନ୍ତି ନାହିଁ ,ତେଣୁ ପତିତ ହୁଅନ୍ତି ।ା୨୪ାା ଦେବତା ପୂଜକମାନେ ଦେବଗଣକୁ ପ୍ରାପ୍ତ ହୁଅନ୍ତି, ପିତୃ ପୂଜକଗଣ ପିତୃଗଣକୁ ପ୍ରାପ୍ତ ହୁଅନ୍ତି ,ଭୂତ ପୂଜକମାନେ ଭୂତଗଣକୁ ପ୍ରାପ୍ତ ହୁଅନ୍ତି ; (କିନ୍ତୁ) ମୋର ପୂଜକଗଣ ମୋତେ ଲାଭ କରନ୍ତି  ।ା୨୫ାା ଯିଏ ମୋତେ ଭକ୍ତି ପୂର୍ବକ ପତ୍ର, ପୁଷ୍ପ, ଫଳ,ଜଳ ଅର୍ପଣ କରନ୍ତି, ମୁଁ ସେହି ପ୍ରଯତ୍ନଶୀଳ(ପ୍ରଯତାତ୍ମନଃ) ବ୍ୟକ୍ତିର ଭକ୍ତି ସହକାରେ ପ୍ରଦତ୍ତ ସେଗୁଡିକ ଗ୍ରହଣ କରେ ।ା୨୬ାା ହେ କୌନ୍ତେୟ ! ତୁମେ ଯାହା କିଛି କର, ଯାହା କିଛି ଆହାର କର; ଯାହା କିଛି ହୋମଯଜ୍ଞ କର, ଯାହା କିଛି ଦାନ କର, ତାହା ମୋଠାରେ ଅର୍ପଣ କର ।ା୨୭ାା ଏହିପରି  କର୍ମବନ୍ଧନର କାରଣ ସ୍ୱରୂପ ଶୁଭାଶୁଭ ଫଳରୁ ମୁକ୍ତହେବ; ସେଥିରୁ ମୁକ୍ତ ହୋଇ  ମୋଠାରେ ସର୍ବକର୍ମ ସମର୍ପଣ ରୂପ ଯୋଗରେ ମୋ ସହିତ ଯୁକ୍ତ ହେଲେ ମୋତେ ପ୍ରାପ୍ତ ହେବ ।ା ୨୮ାା ମୁଁ ସବୁ ପ୍ରାଣୀଙ୍କ ପ୍ରତି ସମାନ  ଅଟେ  । ମୋର କେହି ଶତୃ ବା ମିତ୍ର ନାହାନ୍ତି ; ତଥାପି ଯିଏ ମୋତେ ଭକ୍ତି ପୂର୍ବକ  ସ୍ମରଣ କରନ୍ତି, ସେ ମୋଠାରେ ଅବସ୍ଥାନ କରନ୍ତି; ମୁଁ ମଧ୍ୟ ତା' ମଧ୍ୟରେ ଅବସ୍ଥାନ କରେ ।ା୨୯ାା ଯଦି ନିତାନ୍ତ ଦୁରାଚାର ବ୍ୟକ୍ତି ମଧ୍ୟ ଅନନ୍ୟ ଚିତ୍ତ ହୋଇ ମୋତେ ସ୍ମରଣ କରେ ତାକୁ ସାଧୁ ବୋଲି ମନେ କରିବାକୁ ହେବ । କାରଣ ତାର ସ୍ଥିର ସଂକଳ୍ପ ପୂର୍ଣ୍ଣ ଓ ଯଥାଯଥ ।ା ୩୦ ।ା (ସେହି) ଭକ୍ତ ଶୀଘ୍ର ଧାର୍ମିକ ହୁଅନ୍ତି; ଚିରଶାନ୍ତି ଲାଭ କରନ୍ତି । (ହେ) କୌନ୍ତେୟ ! ମୋର ଭକ୍ତ କେବେହେଲେ ବିନାଶ ପ୍ରାପ୍ତ ହୁଏ ନାହିଁ । ଏହା ମୋର ନିଶ୍ଚୟ ବଚନ ବୋଲି ଜାଣ ।ା୩୧ାା (ହେ) ପାର୍ଥ ! ପାପ ଯୋନିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ,ସ୍ତ୍ରୀ, ବୈଶ୍ୟ ଅଥବା ଶୂଦ୍ର - ଏମାନେ ସମସ୍ତେ ମଧ୍ୟ ମୋତେ ଆଶ୍ରୟ କରି ପରମ ଗତି ପ୍ରାପ୍ତ ହୁଅନ୍ତି ।ା ୩୨ାା ପୁଣ୍ୟବାନ୍ ବ୍ରାହ୍ମଣ ଓ ଭକ୍ତ ରାଜର୍ଷିମାନେ ଯେ ପରମ ଗତି ଲାଭ କରନ୍ତି, ଏକଥା କ'ଣ ପୁଣି  କହିବାକୁ ହେବ ? (ଅତଏବ ତୁମେ) କ୍ଷଣସ୍ଥାୟୀ (ଅନିତ୍ୟ) ଦୁଃଖମୟ ଏହି ସଂସାରରେ ଥିବାରୁ ମୋତେ ଭଜନ କର ।ା୩୩ାା ମତ୍ ଗତ ଚିତ୍ତ ମୋର ଭକ୍ତ ମୋର ପୂଜାପରାୟଣ ହୁଅ,ମୋତେ ପ୍ରଣାମ କର; ଏହିପରି ଆତ୍ମାକୁ ମୋ ସହିତ ଯୁକ୍ତ କରି ମୋର ଆଶ୍ରୟ ଗ୍ରହଣ କଲେ ମୋତେ ପ୍ରାପ୍ତ ହେବ ।ା୩୪ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,